Unknown

 

 

 

 

 

 

 

 

ମୋ’ ଜୀବନ ଓ ସାଧନା

ମୂଳ ରଚନା

ଆଲ୍‍ବର୍ଟ ସ୍ଵାଇତ୍‍ଜର୍‍

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଉତ୍ସର୍ଗ

 

“ମୋ’ ଜୀବନ ଓ ସାଧନା”ର ଦ୍ଵିତୀୟ ସଂସ୍କରଣଟିକୁ ପ୍ରକାଶ କରିବାର ପ୍ରସ୍ତୁତି ସମୟରେ ଇତ୍ୟତ୍ମରେ ପ୍ରଥମ ସଂସ୍କରଣର ପ୍ରକାଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ଦାସ ଇହଧାମରୁ ବିଦାୟ ନେଇଛନ୍ତି ।

 

ଅତ୍ୟବ କୃତଜ୍ଞତା ସହିତ ତାଙ୍କୁ ସ୍ମରଣ କରି ଆମେ ଏହି ଦ୍ଵିତୀୟ ସଂସ୍କରଣଟିକୁ ତାଙ୍କରି ସ୍ମୃତିରେ ଉତ୍ସର୍ଗ କରୁଛୁ ।

 

–ପଥିକ ପ୍ରକାଶନୀ

☆☆☆

 

ପ୍ରସ୍ତାବନା

 

ଡାକ୍ତର ସ୍ଵାଇତ୍‍ଜର୍‍ଙ୍କର ଆତ୍ମଜୀବନୀର ଏହି ଓଡ଼ିଆ ଅନୁବାଦଟି ମୂଳ ଜର୍ମାନ୍‍ପୁସ୍ତକ ‘Aus meniem Leben und Denken’ରୁ ପ୍ରସ୍ତୁତ କରାଯାଇଚି । ସିଧା ଅନୁବାଦରେ ପୁସ୍ତକଟିର ନାମ ‘ମୋର ଜୀବନ ଓ ବିଚାରରୁ’ ହୋଇଥାନ୍ତା । ଏହି ନୀତିର ଅନୁସରଣ ନ କରି ଇଂରାଜୀ ଅନୁବାଦରେ ମଧ୍ୟ ପୁସ୍ତକଟିର ନାମ ‘My Life and Thought’ ରଖାଯାଇଚି । ମାତ୍ର ଓଡ଼ିଆ ଭାଷାରେ ଏହିପରି ଏକ ନାମ ଶ୍ରୁତିମଧୁର ହେବନାହିଁ ବୋଲି ବୋଧ ହେବାରୁ ଟିକିଏ ମାଠିମୁଠି ଦେଇ ଏହାକୁ ‘ମୋ ଜୀବନ ଓ ସାଧନ’ ବୋଲି ଅଭିହିତ କରାଯାଇଚି । ଆତ୍ମଜୀବନୀଟିକୁ ଯଥାସମ୍ଭବ ପରିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଇଂରାଜୀ ଅନୁବାଦରେଥିବା ପରିଶିଷ୍ଟ ଅଧ୍ୟାୟଟିକୁ ମଧ୍ୟ ଓଡ଼ିଆ ଅନୁବାଦରେ ସନ୍ନିବେଶିତ କରି ଦିଆଯାଇଚି ।

 

ଆମର ଏହି ଜ୍ଵରାକ୍ରାନ୍ତା ପୃଥିବୀରେ ସବୁ ଭଲ ଅଭିଳାଷ, ଅନୁରକ୍ତି ବିଭକ୍ତ ଓ ଖଣ୍ଡଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିବାବେଳେ ଡାକ୍ତର ସ୍ଵାଇତ୍‍ଜର୍‍ ଯେଉଁ ଏକାନ୍ତ ନିଷ୍ଠା ଓ ଶ୍ରଦ୍ଧାସହିତ ଅଦମ୍ୟ ଭାବରେ ଆପଣାର ଜୀବନ ମଧ୍ୟଦେଇ ଆପଣାର ଆଦର୍ଶ ଓ ବିଚାରକୁ ବଞ୍ଚିବାର ପ୍ରୟୋଗ ଭିତରେ ନିମଗ୍ନ ରହିଚନ୍ତି ତାହା ନିଶ୍ଚୟ ଅନେକଙ୍କୁ ଆଶା ଓ ପ୍ରେରଣା ଦେଇଯିବ; ମନଭିତରେ ନିରାଶ ଓ ବୃଦ୍ଧ ହୋଇ ବସିଥିବା ଅନେକ ଉଦାସୀଙ୍କ ମନରେ ପୁଣି ଯୌବନର ଜୀବନଦୃଷ୍ଟି ଜାଗୃତ କରି ଦେଇଯିବ । ଭକ୍ତ ଯେଉଁସ୍ଥାନକୁ ଯାଏ, ସେହି ସ୍ଥାନକୁ ସେ ତୀର୍ଥସ୍ଥାନରେ ପରିଣତ କରେ ବୋଲି ଶାସ୍ତ୍ରରେ କୁହାଯାଇଚି । ଭକ୍ତ ସ୍ଵାଇତ୍‍ଜର୍‍ଙ୍କର ଜ୍ଞାନମିଶ୍ରା ଭକ୍ତି ଓ ଜୀବନଶ୍ରଦ୍ଧାର ମହିମାରେ ଆଫ୍ରିକାର ଲାମ୍ବାରେନେ ଆଜି ଏକ ପୁଣ୍ୟତୀର୍ଥରେ ପରିଣତ ହୋଇଚି ।

 

ତଥାପି ସ୍ଵାଇତ୍‍ଜର୍‍ଙ୍କର ଜୀବନ ଓ ବିଚାର ଆଧୁନିକ ଜଗତକୁ ଖୁବ୍ ବେଶୀ ଆକୃଷ୍ଟକରି ନ ପାରିଥିଲା ପରି ମନେହୁଏ । ତାଙ୍କର ଏକ ପୁସ୍ତକର ଡେନିଶ୍ ଅନୁବାଦର ସମାଲୋଚନା କରି ଡେନମାର୍କର ଏକ ପ୍ରଧାନ ଓ ପ୍ରଗତିବାଦୀ ସମ୍ବାଦପତ୍ର କେତେବର୍ଷ ତଳେ ସ୍ଵାଇତ୍‍ଜର୍‍ଙ୍କର ନୀତିଦର୍ଶନକୁ ଏକ ବଳହୀନ ରେଡ଼୍‍କ୍ରସ୍‍ ନୀତିଦର୍ଶନ ବୋଲି ବର୍ଣ୍ଣନା କରିଥିଲା । କ୍ଷତ ମଣିଷର ଶୁଶ୍ରୂଷା କରିବାକୁ ଆପଣାର ବ୍ରତ ବୋଲି ଗ୍ରହଣ କରିଥିବା ବ୍ୟକ୍ତିକୁ ଅବଶ୍ୟ ଧାର୍ମକ ବୋଲି କହିବାକୁ ହେବ । କିନ୍ତୁ ମଣିଷ କ୍ଷତ ହେବାର ଯାବତୀୟ କାରଣପ୍ରତି ନିର୍ମମ ଓ ଉଦାସୀନ ରହି କେବଳ କ୍ଷତର ଶୁଶ୍ରୂଷା କରିବାରେ ତୃପ୍ତିଲାଭ କରୁଥିବା ବ୍ୟକ୍ତିର ଧାର୍ମିକତା ଯେ କେତେଦୂର ମଣିଷର ଦୁଃଖମୋଚନ କରିବାରେ ସମର୍ଥ ହୋଇପାରିବ, ସେଥିରେ ସନ୍ଦେହ କରିବାର ଯଥେଷ୍ଟ ଅବକାଶ ରହିଚି । ଅଫ୍ରିକାରେ କେବଳ ଡାକ୍ତରଖାନା ଖୋଲି କେହି ଆଫ୍ରିକାର କ୍ଷତକୁ ଭଲ କରିପାରିବ ନାହିଁ, ଆଫ୍ରିକାରେ କେବଳ ରୋଗୀର ସେବାକୁ ଭଗବାନଙ୍କର ସେବା ବୋଲି ଗ୍ରହଣ କରି କେହି ଆଫ୍ରିକାର ରୋଗକୁ ଆରୋଗ୍ୟ କରିପାରିବ ନାହିଁ ।

 

ଆମେରିକାର ସୁବିଦିତ ସାମ୍ବାଦିକ ଜନ୍‍ ଗୁନ୍ଥର୍‍ ତାଙ୍କର ପ୍ରଣୀତ Inside Africa ଗ୍ରନ୍ଥରେ ସ୍ଵାଇତ୍‍ଜର୍‍ ଓ ଲାମ୍ବାରେନେ ସମ୍ବନ୍ଧରେ ଏକ ବୃହତ୍ ଅଧ୍ୟାୟ ଲେଖିଚନ୍ତି । ସ୍ଵାଇତ୍‍ଜର୍‍ଙ୍କର ସେବାକ୍ଷେତ୍ର କିପରି କେବଳ ଲାମ୍ବାରେନେ ଭିତରେ ସୀମାବଦ୍ଧ ରହିଚି, ଆଫ୍ରିକାର ବୃହତ୍ତର ଓ କଟୁତର ସମସ୍ୟାଗୁଡ଼ିକ ବିଷୟରେ ସ୍ଵାଇତ୍‍ଜର୍‍ କିପରି ଉଦାସୀନ ଓ ସମ୍ଭବତଃ ଅନଭିଜ୍ଞ ରହିଚନ୍ତି, ଶ୍ରୀଯୁକ୍ତ ଗୁନ୍ଥର୍‍ଙ୍କର ବର୍ଣ୍ଣନାରୁ ତାହାର ସୂଚନା ପାଇ ପ୍ରକୃତରେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଉତ୍ତରରେ ଆଲଜିରିଆଠାରୁ ଆରମ୍ଭ କରି ଦକ୍ଷିଣରେ କେପଟାଉନ ପର୍ଯ୍ୟନ୍ତ ସମଗ୍ର ଆଫ୍ରିକାରେ କ୍ଷୁବ୍ଧ ଅପମାନିତ ମନବିକତାର ଯେଉଁ ବିଦ୍ରୋହ ଆଜି କୁହୁଳି ଉଠୁଚି, ସଭ୍ୟ ଓ ଶ୍ଵେତ ଅନ୍ଧବିଶ୍ଵାସର ଅଭିମାନ ବିରୁଦ୍ଧରେ କୃଷ୍ଣ ଆଫ୍ରିକାର ସନ୍ତପ୍ତ ହୃଦୟ ଯେଉଁ ବିପୁଳ ଜାଗରଣର ସୂଚନା ଦେଉଚି, ଲାମ୍ବାରେନେର ଶ୍ରଦ୍ଧାକ୍ଷେତ୍ର ହୁଏତ ସେହି ବିଦ୍ରୋହ ଓ ଜାଗରଣରେ ଆଧ୍ୟାତ୍ମିକ ନେତୃତ୍ଵ ଦେଉଥାନ୍ତା । ଆଫ୍ରିକାର ଶାରୀରିକ ରୋଗ ଓ ରୁଗ୍‍ଣ ଶରୀରକୁ ଚିହ୍ନି ତା’ର ଚିକିତ୍ସା କଲାଭଳି ଲାମ୍ବାରେନେ ଯେ ଆଫ୍ରିକାର ବ୍ୟଥିତ ହୃଦୟକୁ ମଧ୍ୟ ଚିହ୍ନିଚି, ତେବେ ଯାଇ ତା’ର ଯଥାର୍ଥ ପ୍ରମାଣ ମିଳି ପରୁଥାନ୍ତା ।

 

କିନ୍ତୁ କୃଷ୍ଣାଙ୍ଗ ହେଲେ ମଧ୍ୟ ଆଫ୍ରିକାର ଆଦିବାସୀମାନେ ହିଁ ଯେ ଆଫ୍ରିକାର ଭାଗ୍ୟ ନିର୍ଣ୍ଣୟ କରନ୍ତୁ, ବିଶ୍ଵସଭାରେ ଯେ ସେମାନଙ୍କୁ ସ୍ଵତନ୍ତ୍ର ମନୁଷ୍ୟର ସମ୍ମାନ ମିଳୁ, ବୋଧହୁଏ ସ୍ୱାଇତ୍‍ଜର୍‍ ଏଥିରେ ବିଶ୍ଵାସ କରନ୍ତି ନାହିଁ । ଅଥବା ବିଶ୍ଵାସ କରୁଥିଲେ ମଧ୍ୟ ଏସବୁ ବିପଜ୍ଜନକ ବ୍ୟାପାରରେ ନୀରବ ଓ ଉଦାସୀନ ରହିଯିବାକୁ ସେ ଅଧିକ ନିରାପଦ ମନେ କରନ୍ତି । ଆଫ୍ରିକା ସମ୍ବନ୍ଧରେ ସେ ଲେଖିଥିବା ପୁସ୍ତକରୁ ଅନେକ ସ୍ଥାନରେ ଏହିପରି ଏକ ଅଶୁଭ ସୂଚନା ମିଳିଥାଏ । ଇଉରୋପୀୟ ଧର୍ମ ଓ ଇଉରୋପୀୟ ସଭ୍ୟତା ପ୍ରତି ତାଙ୍କର ବିଶାଳ ହୃଦୟରେ ତଥାପି ଏକ ଦୁର୍ବଳ ମୋହସ୍ଥାନ ରହି ଯାଇଥିବା ପରି ମନେହୁଏ । ନାବାଳକ ଆଫ୍ରିକାକୁ ପୃଥିବୀର ବଜାର ପାଇଁ ମଣିଷ କରି ତିଆରି କରିବା ପାଇଁ ଯେ ଇଉରୋପୀୟ ଅଭିଭାବକର ଏକ ଇତିହାସନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଚି, ଏହିପରି ଏକ ସ୍ଥୂଳ ବିଶ୍ଵାସର ଗନ୍ଧ ତାଙ୍କ ବିଚାରରେ ବେଶ୍‍ ବାରି ହୋଇଯାଏ ।

 

ପ୍ରଧାନତଃ ଅନୁବାଦ ଜରିଆରେ ଭାରତୀୟ ଧର୍ମ ଓ ଦର୍ଶନର ପରିଚୟରେ ଆସିଥିବାରୁ ସେ ଭାରତୀୟ ବିଚାରଧାରା ସମ୍ବନ୍ଧରେ ଅନେକ ଭ୍ରମ ପୋଷଣ କରି ପକାଇଚନ୍ତି । ତାଙ୍କର ‘ଭାରତୀୟ ବିଚାରର ବିକାଶ’ ପୁସ୍ତକରେ ବରାବର ଏହାର ପ୍ରମାଣ ମିଳେ । ଭାରତୀୟ ବିଚାରାକାଶରେ ସେ କେବଳ ଏକ ଅସ୍ଵୀକାରାତ୍ମକ ନେତିଧର୍ମ ଓ ନିରାଶାବାଦର ପ୍ରତ୍ୟକ୍ଷ କରିଚନ୍ତି-। ବୌଦ୍ଧ ‘ନିର୍ବାଣ’ର କଳ୍ପନା ଭିତରେ ସେ କେବଳ ପଳାୟନେଚ୍ଛା ଓ ନାସ୍ତିବାଚକତା ବ୍ୟତୀତ ଆଉ କିଛି ଦେଖିପାରି ନାହାନ୍ତି । ତୁଳନାତ୍ମକ ଧର୍ମାଲୋଚନରେ ସ୍ୱାଇତ୍‍ଜର୍‍ଙ୍କ ସହିତ ଶ୍ରୀ ଆନନ୍ଦ କୁମାରମ୍ବାମୀଙ୍କୁ ଏକାଠି ମିଳାଇ ନ ପଢ଼ିଲେ ଧର୍ମଗତ ଜୀବନଦୃଷ୍ଟିରେ ଆମର ଅନେକ ପ୍ରମାଦରେ ପଡ଼ିଯିବାର ଆଶଙ୍କା ସବୁବେଳେ ରହିଚି ।

 

ଏହି ସମସ୍ତ ସାମାନ୍ୟ ବ୍ୟତିକ୍ରମ ସତ୍ତ୍ଵେ ତଥାପି ସ୍ୱାଇତ୍‍ଜର୍‍ଙ୍କୁ ଜଣେ ମହାନ୍‍ ପୁରୁଷ ବୋଲି କହିବାକୁ ହେବ । ଗାନ୍ଧୀ ଓ ଆଇନ୍‍ଷ୍ଟାଇନ୍‍ଙ୍କ ସହିତ ତାଙ୍କର ନାମ ଏହି ଶତାବ୍ଦୀ ତଥା ଆଧୁନିକ ମାନବିକ ଯୁଗର ଇତିହାସରେ ସର୍ବପ୍ରଥମେ ଲେଖାହୋଇ ରହିବ । ଆଣବିକ ଯୁଦ୍ଧ ଓ ମାରଣାସ୍ତ୍ରର ରାଜସିକ ବାତୁଳତାକୁ ବନ୍ଦ କରିବାକୁ ବର୍ତ୍ତମାନ ପୃଥିବୀବ୍ୟାପୀ ଯେଉଁ ତୁମୂଳ ଆଲୋଡ଼ନର ସୃଷ୍ଟି ହୋଇଚି, ସ୍ୱାଇତ୍‍ଜର୍‍ ସେହି ଆଲୋଡ଼ନରେ ଏକ ପ୍ରଧାନ ନେତୃତ୍ୱ ଗ୍ରହଣ କରିଚନ୍ତି, ତାଙ୍କର ସୁଗମ୍ଭୀର ସତର୍କବାଣୀ ଆମ ସମସ୍ତଙ୍କୁ ବାରବାର ଏକ ଅନ୍ତରାଲୋଡ଼ନର ଉଦବୋଧନ ଦେଇଯାଉଚି । ଗୋଟାଏ ଜୀବନରେ ଜଣେ ମଣିଷ କ’ଣ କରିପାରେ, ଶରୀର, ମନ ଓ ହୃଦୟରେ ବଳବାନ୍ ରହି ଜଣେ ବ୍ୟକ୍ତି କିପରି ଆପଣା ଜୀବନରେ ଜ୍ଞାନ, ଭକ୍ତି ଓ କର୍ମର ଏକ ପରାକ୍ରମୀ ସମନ୍ଵୟ ସଙ୍ଘଟିତ କରାଇପାରେ, ମଣିଷ ଜୀବନର ଫୁଲ କିପରି କଳା ଓ ବିଜ୍ଞାନର ଦୁଇ ସମ୍ମିଳିତ ପାଖୁଡ଼ାରେ ବିକଶିତ ହୋଇ ଉଠିପାରେ, ସ୍ୱାଇତ୍‍ଜର୍‍ ଆମପାଇଁ ତାହାରି ଏକ ପ୍ରେରଣାମୟ ନିଦର୍ଶନ ହୋଇ ରହିଥିବେ । ମାଟିର ଶରୀର ଭିତରେ ରହି ମଧ୍ୟ ମଣିଷ ତଥାପି ଯେ କେଡ଼େ ବଡ଼ ହୋଇପାରେ, ସ୍ୱାଇତ୍‍ଜର୍‍ଙ୍କର ଜୀବନ ତାହାରି ଏକ ପ୍ରଣାମପତ୍ର ବୋଲି କହିବାକୁ ହେବ ।

 

ମୋର ପୂଜ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଏସ୍.କେ.ଜର୍ଜ ତାଙ୍କର ଏକ ପ୍ରବନ୍ଧରେ ଏକଦା ସ୍ୱାଇତ୍‍ଜର୍‍ଙ୍କୁ ପାଶ୍ଚାତ୍ୟ ଜଗତର ମହାତ୍ମା ବୋଲି ବର୍ଣ୍ଣନା କରିଥିଲେ । କୌଣସି ମହାତ୍ମାକୁ ପ୍ରକୃତରେ ଏପାଖର କି ସେପାଖର ବୋଲି କହିହେବନାହିଁ । ମହାତ୍ମା ହେଉଚି ଅନିକେତ, କାରଣ ସେ ବିଶ୍ଵନିକେତ, ସେ ଭଗବାନଙ୍କର ।

 

ମଣିଷକୁ ମଣିଷ ବିରୁଦ୍ଧରେ ଲଢ଼ାଇ ଦେଇ, ପ୍ରବଳ ହିଂସା ଓ ହତ୍ୟାର ଶିବିରସଜ୍ଜାରେ ମଣିଷର ହାତରେ ଗୋଳାବାରୁଦ, ମନରେ ଭୟ ଓ ହୃଦୟରେ ଘୃଣା ଭରିଦେଇ ପୃଥିବୀରେ ଶାନ୍ତିପ୍ରତିଷ୍ଠା କରାଯାଇ ପାରିବ ବୋଲି ଏକ ପ୍ରମତ୍ତ ଅନ୍ଧବିଶ୍ଵାସ ରଖିଥିବା ଶ୍ରୀଯୁକ୍ତ ମାର୍ଶାଲ୍‍ଙ୍କୁ ଶାନ୍ତିପାଇଁ ନୋବେଲ୍‍ ପୁରସ୍କାର ଦେଇ ନୋବେଲ୍‍ କମିଟି ଯେଉଁ ଅପରାଧ କରିଚନ୍ତି, ଶ୍ରଦ୍ଧା, ସେବାଜ୍ଞାନ ଓ ଆତ୍ମବଳରେ ମଣିଷକୁ ଶକ୍ତ କରି ପୃଥିବୀରେ ଶାନ୍ତି ଆଣିବାର ଐଶ୍ଵରିକ ଦୁଃସାହସ କରୁଥିବା ସ୍ୱାଇତ୍‍ଜର୍‍ଙ୍କୁ ସେହି ପୁରସ୍କାରରେ ଭୂଷିତ କରିବାଦ୍ଵାରା ସେହି ଅପରାଧର କିଞ୍ଚିତ ପ୍ରାୟଶ୍ଚିତ୍ତ ହୋଇଚି ବୋଲି କୁହାଯାଇପାରେ

 

ହାଟକଲ୍ୟାଣୀ, ଗଢ଼ଓ୍ୱାଲ

ଚିତ୍ତରଞ୍ଜନ ଦାସ

୧୧.୬.୫୯

ଅନୁବାଦକ

 

[ପ୍ରଥମ ସଂସ୍କରଣରେ ପ୍ରକାଶିତ]

☆☆☆

 

ପ୍ରଥମ ସଂସ୍କରଣ ପାଇଁ ବାର୍ତ୍ତା

 

 

ଡା. ଆଲ୍‍ବର୍ଟ ସ୍ଵାଇତ୍‍ଜର୍‍

ପ୍ରଫୁଲ୍ଲ ଚନ୍ଦ୍ର ଦାସ

ଲାମ୍ବାବେନେ-ଗାତୋନ

 

ଫରାସୀ ବିଷୁବମଣ୍ଡଳୀୟ, ଆଫ୍ରିକା

 

ଏପ୍ରିଲ ୧୨, ୧୯୫୯

 

ପ୍ରିୟ ମହାଶୟ,

 

ଲଣ୍ଡନର ପ୍ରକାଶକ ଜର୍ଜ ଆଲେନ୍‍ ଓ ଅନ୍ଉଇନ୍‍ଙ୍କଠାରୁ ମୁଁ ଜାଣିବାକୁ ପାଇଲି ଯେ ଆପଣ ମୋର ଲିଖିତ ‘ମୋ ଜୀବନ ଓ ସାଧନା’ର ଏଇ ଅନୁବାଦ ପ୍ରକାଶ କରିବାକୁ ଯାଉଚନ୍ତି । ମୋର ରଚନାଗୁଡ଼ିକ ପ୍ରତି ଆପଣ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ଓ ମୋ’ପ୍ରତି ଯେଉଁ ସହାନୁଭୂତି ପ୍ରଦର୍ଶନ କରିଛନ୍ତି, ଆପଣଙ୍କୁ ମୁଁ ସେଥିପାଇଁ ଧନ୍ୟବାଦ ଜଣାଉଛି ।

 

ଭାରତୀୟ ବିଚାରଧାରାର ଅଧ୍ୟୟନ କରିବାରେ ମଗ୍ନ ଥିବା ମୋର ଅତୀତର ସେହି ବର୍ଷଗୁଡ଼ିକରେ ମୁଁ ସବୁବେଳେ ଅତି ଆନନ୍ଦର ସହିତ ସ୍ମରଣ କରିଥାଏ । ଭାରତବର୍ଷରେ ମୋର ଅନେକ ବନ୍ଧୁ ଓ ସୁହୃତ୍‍ ରହିଛନ୍ତି । ସେହି ଦେଶକୁ ଥରେ ଯାଇପାରିବା ଲାଗି ଅନେକ ଦୂରରୁ ମୁଁ ଯେଉଁ ଅଭିଳାଷ ପୋଷଣ କରିଥିଲି, ଦ୍ଵିତୀୟ ମହାସମର ମୋର ସେହି ଅଭିଳାଷ ପୂରଣ କରିବାକୁ ମୋତେ ବଞ୍ଚିତ କରିଦେଲା ।

 

ବର୍ତ୍ତମାନ ମୁଁ ଅତି ବୃଦ୍ଧ ହୋଇଗଲିଣି, ଏହିପରି ଏକ ଦୀର୍ଘ ଯାତ୍ରା କରିବା ମୋ’ ପକ୍ଷରେ ଆଦୌ ସମ୍ଭବ ହେବନାହିଁ । ଅଧିକନ୍ତୁ ମୋର ମୁଣ୍ଡ ଉପରେ ଏତେ ବେଶୀ କାର୍ଯ୍ୟର ବୋଝ ରହିଛି ଯେ, ମୁଁ ଆଫ୍ରିକା ଛାଡ଼ି କଦାପି ଅନ୍ୟତ୍ର ଯାଇପାରିବି ନାହିଁ । ସମଗ୍ର ମନୁଷ୍ୟଜାତିକୁ ଏକ ଭୟାବହ ବିପଦର ସମ୍ମୁଖୀନ କରାଇ ଦେଇଥିବା ପାରମାଣବିକ ଅସ୍ତ୍ରର ପରୀକ୍ଷାକୁ ବନ୍ଦ କରିବା ପାଇଁ ଆଜି ଯେଉଁ ଆନ୍ଦୋଳନ ଚାଲିଛି, ସେଥିସକାଶେ ହିଁ ମୋତେ ଅନେକ ସମୟ ଦେବାକୁ ହେଉଛି ଏବଂ ସେଥିଲାଗି ସର୍ବଦା ନାନା ଚିଠିପତ୍ର ଆଦାନପ୍ରଦାନ କରିବାରେ ବ୍ୟସ୍ତ ରହିବାକୁ ପଡ଼ୁଛି ।

 

ଏହି ଅଭିଯାନରେ ସଂଗ୍ରାମ କରିବାକୁ ବାହାରିଥିବା ଇଂଲଣ୍ଡ ଓ ଆମେରିକାର ଅଧିବାସୀମାନଙ୍କ ପରି ମୁଁ ମଧ୍ୟ ଆଶା ରଖିଛି ଯେ ଶେଷରେ ଆମ୍ଭେମାନେ ହିଁ ଜୟଲାଭ କରିବୁ । ତା’ପରେ ଏହିସବୁ ସାଂଘାତିକ ଅସ୍ତ୍ରଶସ୍ତ୍ରକୁ ଏକାବେଳେକେ ବିଲୁପ୍ତ ଓ ନିର୍ମୂଳ କରିଦେବାର ସଂଗ୍ରାମ ଆରମ୍ଭ ହେବ । ଆମେ କହୁଛୁ ଯେ ପାରମାଣବିକ ଅସ୍ତ୍ର ଆନ୍ତର୍ଜାତିକ ବିଧାନର ଅତି ସ୍ପଷ୍ଟ ଓ ଏକାନ୍ତ ବିରୁଦ୍ଧାଚରଣ କରୁଛି । ପ୍ରତ୍ୟେକ ଆଇନଜ୍ଞଙ୍କୁ ଏହି ମତକୁ ଅବଶ୍ୟ ସମର୍ଥନ ଓ ସ୍ଵୀକର କରିବାକୁ ପଡ଼ିବ । ଆପଣାଆପଣାର ସମ୍ବିଧାନ ଅନୁସାରେ ପ୍ରତ୍ୟେକ ସଭ୍ୟ ରାଷ୍ଟ୍ର ଆନ୍ତର୍ଜାତିକ ବିଧାନ ଓ ଶୃଙ୍ଖଳାକୁ ମାନିବାକୁ ବାଧ୍ୟ ।

 

ପାରମାଣବିକ ଅସ୍ତ୍ର ଆନ୍ତର୍ଜାତିକ ବିଧାନର ବିରୋଧୀ ବୋଲି ପୃଥିବୀର ଜନମତର ଦୃଢ଼ ବିଶ୍ଵାସ ଆସିବା ସଙ୍ଗେସଙ୍ଗେ ବର୍ତ୍ତମାନ ସେହିସବୁ ଅସ୍ତ୍ରର ଅଧିକାରୀ ହୋଇ ରହିଥିବା ଜାତିମାନେ ସେଗୁଡ଼ିକୁ ବର୍ଜନ କରିବାକୁ ଅବଶ୍ୟ ବାଧ୍ୟ ହେବେ । ଏହିକଥା ଲକ୍ଷ୍ୟ କରି ମୁଁ ବଡ଼ ଆଶ୍ଵସ୍ତ ହେଉଛି ଯେ ଭାରତର ବୈଜ୍ଞାନିକଗୋଷ୍ଠୀ ଓ ଭାରତୀୟ ସରକାର ଆପଣାକୁ ଏହି ଭୟଙ୍କର ଅସ୍ତ୍ରଗୁଡ଼ିକର ତୀବ୍ର ବିରୋଧୀ ବୋଲି ଘୋଷଣା କରିଛନ୍ତି । ଭାରତର ଜନଶକ୍ତି ଏକସ୍ଵରରେ ଆପଣାର କଥା ଶୁଣାଉ ଏବଂ ଉଚ୍ଚସ୍ଵରରେ ଆପଣାର ଦୃଢ଼ ମତର ଘୋଷଣା କରୁ ।

 

ଆପଣଙ୍କର ବନ୍ଧୁ

ସ୍ୱା. ଆଲ୍‍ବର୍ଟ ସ୍ୱାଇତ୍‍ଜର୍‍

☆☆☆

 

ସୂଚୀପତ୍ର

 

୧.

ବାଲ୍ୟ ଓ ବିଦ୍ୟାର୍ଥୀ ଜୀବନ

୨.

ପାରିସ୍‍ ଓ ବର୍ଲିନ୍‍ ୧୮୯୮-୧୮୯୯

୩.

ଷ୍ଟ୍ରାସ୍‍ବୁର୍ଗରେ ପ୍ରଥମ କେତେବର୍ଷ

୪.

‘ଶେଷ ଭୋଜନ’ର ଅଧ୍ୟୟନ ଓ ଯୀଶୁ-ଜୀବନଚରିତ

୫.

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଜୀବନ : ଯୀଶୁ-ଜୀବନ ଗବେଷଣାର ଇତିହାସ

୬.

ଇତିହାସର ଯୀଶୁ ଓ ଆଧୁନିକ ଖ୍ରୀଷ୍ଟଧର୍ମ

୭/୮

ଅନୁବାଦରୁ ବାଦ ଦିଆଯାଇଛି

୯.

ଆଫ୍ରିକାରେ ଡାକ୍ତର ହେବାପାଇଁ ମୁଁ ସଂକଳ୍ପ କଲି

୧୦.

ମୋର ଡାକ୍ତରୀ ପଢ଼ା : ୧୯୦୫-୧୯୧୨

୧୧.

ଆଫ୍ରିକାଲାଗି ସଜବାଜ

୧୨.

ଡାକ୍ତରୀ ପଢ଼ା ସମୟରେ ସାହିତ୍ୟ ଚର୍ଚ୍ଚା

୧୩.

ଆଫ୍ରିକାରେ ପ୍ରଥମ କାର୍ଯ୍ୟାବଳୀ ୧୯୧୩-୧୯୧୭

୧୪.

ଗାରେସଁ ଏବଂ ରେମି

୧୫.

ଏଲ୍‍ସାଶ୍‍ ପ୍ରତ୍ୟାବର୍ତ୍ତନ

୧୬.

ଡାକ୍ତରଖାନାର ଡାକ୍ତର ଓ ନିକୋଲାଇ ଗିର୍ଜାର ପାଦ୍ରୀ

୧୭.

ଆଫ୍ରିକା ସ୍ମୃତି

୧୮.

ଗ୍ୟୁନ୍‍ସ୍‍ବାଖ୍ ଓ ପରିଭ୍ରମଣ

୧୯.

ଆଫ୍ରିକାରେ ଦ୍ଵିତୀୟ ପର୍ବ ୧୯୨୪-୧୯୨୭

୨୦.

ଇଉରୋପରେ ଦୁଇବର୍ଷ ଆଫ୍ରିକାରେ ତୃତୀୟ ପର୍ଯ୍ୟାୟ

୨୧.

ଶେଷ କଥନ

୨୨.

ପୁନଶ୍ଚ (୧୯୩୨-୧୯୪୯) ଦ୍ଵିତୀୟ ମହାସମର ପୂର୍ବରୁ

୨୩.

ମହାଯୁଦ୍ଧ ଓ ତା’ପରେ

୨୪.

ଆଧୁନିକ ପୃଥିବୀରେ ଶାନ୍ତିର ସମସ୍ୟା

☆☆☆

 

ବାଲ୍ୟ ଓ ବିଦ୍ୟାର୍ଥୀ ଜୀବନ

 

ଉତ୍ତର ଏଲ୍‍ସାଶ୍‍ ପ୍ରଦେଶର କାଇସରବେୟାର୍ଗଠାରେ ୧୮୭୫ ମସିହା ଜାନୁଆରୀ ଚଉଦ ତାରିଖରେ ମୋ’ର ଜନ୍ମ । ବାପାଙ୍କର ମୁଁ ଦ୍ଵିତୀୟ ସନ୍ତାନ । ମୋର ପିତା ଲୁଡ଼୍‍ଉଇଗ୍‍ ସ୍ଵାଇତ୍‍ଜର୍‍ ସ୍ଥାନୀୟ କାଥୋଲିକ୍‍ ଅଧିବାସୀମାନଙ୍କର ପାଦ୍ରୀ ରୂପେ କାର୍ଯ୍ୟ କରୁଥିଲେ । ମୋର ପିତାମହ ତଳ ଏଲ୍‍ସାଶ୍ ପ୍ରଦେଶରେ ଥିବା ଫାଫେନ୍‍ ହଫେନ୍‍ଠାରେ ସ୍କୁଲ୍‍ ମାଷ୍ଟର ଥିଲେ ଓ ସେଠାକାର ଗିର୍ଜାରେ ମଧ୍ୟ ଅର୍‍ଗାନ୍ ବଜାଉଥିଲେ । ତାଙ୍କର ଆଉ ତିନିଜଣ ଭାଇ ମଧ୍ୟ ସେହି ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ । ମୋର ମାଆ ଆଡ଼ିଲ୍‍’ (ଜନ୍ମଗତ ବଂଶର ନାମ ଶିଲିଙ୍ଗର୍‍) ଉପର ଏଲ୍‍ସାଶ୍‍ ପ୍ରଦେଶର ମ୍ୟୁନ୍‍ଷ୍ଟର୍‍ ଉପତ୍ୟକାରେ ଅବସ୍ଥିତ ମ୍ୟୁହ୍‍ଲ୍‍ବାଖ୍‍ର ପାଦ୍ରୀଙ୍କର କନ୍ୟା ଥିଲେ ।

 

ମୁଁ ଜନ୍ମ ହେବାର ଅଳ୍ପ କେତେକ ସପ୍ତାହ ପରେ ବାପା ମ୍ୟୁନ୍‍ଷ୍ଟର୍‍ ଉପତ୍ୟକାର ଗ୍ୟୁନ୍‍ସ୍‍ବାଖ୍‍କୁ ବଦଳି ହୋଇଗଲେ । ସେଠାରେ ମୋର ଗୋଟିଏ ଭାଇ ଓ ତିନି ଭଉଣୀଙ୍କର ମେଳରେ ଭାରି ସୁଖରେ ମୋର ବାଲ୍ୟ ଓ ଯୌବନ ଅତିବାହିତ ହୋଇଯାଇଥିଲା । କେବଳ ବାପା ଯାହା ଅନେକ ସମୟରେ ଅସୁସ୍ଥ ହୋଇ ପଡ଼ୁଥିଲେ, କିନ୍ତୁ ଏତିକି ଦୁର୍ଯୋଗ ବ୍ୟତୀତ ପରିବାର ଉପରେ ଆଉ କୌଣସି ଦୁଃଖର ଛାୟା ପଡ଼ି ନଥିଲା । ଅବଶ୍ୟ ପରେ ତାଙ୍କର ସ୍ୱାସ୍ଥ୍ୟ ବେଶ୍‍ ଭଲ ହୋଇ ଆସିଲା ଏବଂ ସତୁରିବର୍ଷ ବୟସରେ ମଧ୍ୟ ସେ ସେହିପରି ମଜବୁତ୍‍ ଭାବରେ ସ୍ଥାନୀୟ ପାଦ୍ରୀ ହିସାବରେ ଆପଣାର ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ । ଯୁଦ୍ଧ ସମୟରେ ମଧ୍ୟ ତାଙ୍କର କାର୍ଯ୍ୟ ବନ୍ଦ ହୋଇ ନଥିଲା । ସମସ୍ତ ଉପତ୍ୟକାକୁ ଛାରଖାର କରି ଫରାସୀ ସେନା ପର୍ବତ ଉପରୁ ଗୁଳାବର୍ଷଣ କରୁଥିଲେ, ଗ୍ୟୁନ୍‍ସ୍‍ବାଖ୍‍ର କେତେ ଗୃହ ଓ ଜୀବନ ଏହାର କବଳରେ ପଡ଼ିଥିଲା, ତଥାପି ବାପା ଆପଣାର କାର୍ଯ୍ୟରୁ ବିରତ ହୋଇ ନଥିଲେ । ପରିପକ୍ଵ ବୃଦ୍ଧ ବୟସରେ ୧୯୨୫ ଖ୍ରୀଷ୍ଟାବ୍ଦରେ ସେ ପରଲୋକ ଗମନ କରିଥିଲେ । ଗ୍ୟୁନ୍‍ସ୍‍ବାଖ୍‍ ଏବଂ ଭାୟର୍-ଇମ୍-ଟାଲ୍‍ ମଧ୍ୟରେ ଯାଇଥିବା ରାସ୍ତା ଉପରେ ଥରେ ଅଶ୍ଵାରୋହୀ ସୈନ୍ୟଙ୍କର ଘୋଡ଼ାର ଆଘାତ ପାଇ ୧୯୧୬ରେ ମୋର ମାଆଙ୍କର ମୃତ୍ୟୁ ହୋଇଥିଲା ।

 

ମୋର ପାଞ୍ଚବର୍ଷ ବୟସ ବେଳୁଁ ବାପା ମୋତେ ପିଆନୋ ସାହାଯ୍ୟରେ ସଙ୍ଗୀତ ବିଦ୍ୟା ଶିଖାଇବା ଆରମ୍ଭ କରି ଦେଇଥିଲେ । ଏହି ପିଆନୋଟି ଆମେ ମାମୁଁ ଘର ଅଜାଙ୍କଠାରୁ ପାଇଥିଲୁ-। ସଙ୍ଗୀତବିଦ୍ୟା ଉପରେ ଅବଶ୍ୟ ବାପାଙ୍କର ସମ୍ପୂର୍ଣ୍ଣ ଦଖଲ ନଥିଲା, କିନ୍ତୁ ସଙ୍ଗୀତ ଶିଖାଇବାରେ ସେ ପ୍ରକୃତରେ ବଡ଼ ଧୁରନ୍ଧର ଥିଲେ । ମୋତେ ସାତବର୍ଷ ହୋଇଥିବାବେଳେ ଯେଉଁଦିନ ନିଜେ ସୁର ଦେଇଥିବା ରାଗକୁ ମୁଁ ହାରମୋନିଅମରେ ବଜାଇଥିଲି, ସେଦିନ ଆମ ସ୍କୁଲର ଶିକ୍ଷୟତ୍ରୀ ଭାରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଠବର୍ଷ ବୟସରେ ମୁଁ ଅର୍‍ଗାନ୍ ବଜାଇବା ଆରମ୍ଭ କଲି-। ସେତେବେଳେ ମୋର ଛୋଟିଆ ଗୋଡ଼ ଦୁଇଟି ଅର୍‍ଗାନ୍‍ର ପେଡ଼ାଲ୍‍ ପର୍ଯ୍ୟନ୍ତ ମଧ୍ୟ ପାଉ ନ ଥାଏ-। ଅର୍‍ଗାନ୍‍ ତିଆରି କରିବାରେ ଓ ବଜାଇବାରେ ମୋର ମାତାମହ ସୁଦକ୍ଷ ଥିଲେ । ମୁଁ ଯଥାସମ୍ଭବ ତାଙ୍କରିଠାରୁ ଏହି କଳାଟି ପାଇଥିଲି । ମାଆଙ୍କଠାରୁ ଶୁଣିଚି ଯେ ଅର୍‍ଗାନ୍‍ ଶିଖାଇବାରେ ଅଜା ଜଣେ ପ୍ରସିଦ୍ଧ ଓସ୍ତାଦ୍‍ ଥିଲେ । କୌଣସି ସହରରେ ନୂଆ କରି ପହଞ୍ଚିବା ମାତ୍ରକେ ପ୍ରଥମେ ସେ ସହରରେ ଥିବା ପୁରୁଣା ଅର୍‍ଗାନ୍‍ଗୁଡ଼ିକୁ ଦେଖିବାକୁ ଯାଉଥିଲେ-। ଲସର୍ଣ୍ଣର ଗିର୍ଜାରେ ପ୍ରସିଦ୍ଧ ଅର୍‍ଗାନ୍‍ଟି ପ୍ରସ୍ଥାପିତ ହେଲାବେଳେ ସେ ନିଜେ ସେଠାକୁ ଯାଇ କାରିଗରର କାମ ଦେଖି ଆସିଥିଲେ ।

 

ମୋତେ ନଅବର୍ଷ ବୟସ ହୋଇଥିଲା ବେଳେ ଥରେ ଗ୍ୟୁନ୍‍ସ୍‍ବାଖ୍‍ ଗିର୍ଜାର ପ୍ରାର୍ଥନା-ମଣ୍ଡଳରେ ଅର୍‍ଗାନ୍‍ ବଜାଇବାର ଦାୟିତ୍ଵ ମୋତେ ଦିଆ ଯାଇଥିଲା ।

 

୧୮୮୪ର ଶରତକାଳ ପର୍ଯ୍ୟନ୍ତ ମୁଁ ଗ୍ୟୁନ୍‍ସ୍‍ବାଖ୍‍ ଗ୍ରାମରେ ଥିବା ବିଦ୍ୟାଳୟକୁ ପାଠପଢ଼ି ଯାଉଥିଲି । ତା’ପରେ ମ୍ୟୁନ୍‍ଷ୍ଟରରେ ଥିବା ସ୍କୁଲରେ ବର୍ଷେ ପଢ଼ିଲି । ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରିପାରିବା ଉଦ୍ଦେଶ୍ୟରେ ସେତେବେଳେ ଘରୋଇ ଭାବରେ ମୋତେ ଲାଟିନ୍‍ଭାଷା ମଧ୍ୟ ଶିକ୍ଷା କରିବାକୁ ପଡ଼ୁଥିଲା । ଏଲ୍‍ସାଶ୍‍ ପ୍ରଦେଶରେ ଥିବା ମ୍ୟୁହ୍‍ଲ୍‍ହାଉସେନ୍‍ର ଉଚ୍ଚ ବିଦ୍ୟାଳୟରେ ୧୮୮୫ ମସିହା ଶରତକାଳରେ ମୋର ନାମ ଲେଖାଇ ଦିଆଗଲା । ମୋର ପିତାମହଙ୍କର ଜଣେ ଭାଇ, ଡୁବନ୍‍ ବେଳର ମୋର ଧର୍ମପିତା (Toufpate) ଲୁଡ଼୍‍ଉଇଗ୍‍ ସ୍ଵାଇତ୍‍ଜର୍‍ ସେହି ସହରରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଡିରେକ୍ଟର୍‍ ଥିଲେ । ସେ ଦୟାପରବଶ ହୋଇ ତାଙ୍କଘରେ ରହି ପାଠ ପଢ଼ିବାକୁ ମୋତେ ଅନୁମତି ଦେଇଥିଲେ । ତା’ ନ ହୋଇଥିଲେ ମୋତେ କୌଣସି ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ବାପା କେବେହେଲେ ସମର୍ଥ ହୋଇପାରି ନଥାନ୍ତେ । କାରଣ ଏଡ଼େବଡ଼ ଏକ ପରିବାରର ନିର୍ବାହ ପାଇଁ ମୋର ବାପାଙ୍କୁ ପାଦ୍ରୀ ହିସାବରେ ଉପାର୍ଜିତ ତାଙ୍କର ଯତ୍‍କିଞ୍ଚିତ୍ ବେତନ ଉପରେ ହିଁ ନିର୍ଭର କରିବାକୁ ପଡ଼ୁଥିଲା ।

 

ମୋର ବଡ଼ବାପା ଓ ତାଙ୍କର ପତ୍ନୀଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । ତାଙ୍କ ଘରର ଅତି କଠିନ ଶୃଙ୍ଖଳା ଭିତରେ ରହି ମୋତେ ଚଳିବାକୁ ପଡ଼ିଲା । ଏହାଦ୍ଵାରା ମୋର ଅନେକ ଲାଭ ହେଲା । ସେ ଦୁହିଁଙ୍କଠାରୁ ମୁଁ ଯେଉଁ ଉପକାର ପାଇଚି, ବୀରବାର ସେହିସବୁ ଉପକାର ମୋର ମନେ ପଡ଼ିଯାଏ ଏବଂ ମୋର ମନ ସେମାନଙ୍କ ପ୍ରତି ଅଶେଷ କୃତଜ୍ଞତାରେ ପରିପୂର୍ଣ୍ଣ ହୋଇଉଠେ ।

 

ପଢ଼ିବା ଓ ଲେଖିବାକୁ ଶିଖିଲାବେଳେ ମୋତେ ବେଶ୍‍ କଷ୍ଟ ସହିବାକୁ ପଡ଼ିଥିଲା, ତଥାପି ଗ୍ୟୁନ୍‍ସ୍‍ବାଖ୍‍ ଓ ମ୍ୟୁନ୍‍ଷ୍ଟରର ସ୍କୁଲରେ ମୁଁ ବେଶ୍‍ ଭଲ ପଢ଼ୁଥିଲି ବୋଲି କୁହାଯାଇ ପାରିବ । କିନ୍ତୁ ଉଚ୍ଚ ବିଦ୍ୟାଳୟକୁ ଆସି ପହିଲେ ପହିଲେ ଜଣେ ଭଲ ଛାତ୍ର ହୋଇପାରିବା ମୋ’ଦ୍ଵାରା ଆଦୌ ସମ୍ଭବ ହୋଇପାରିଲା ନାହିଁ । ପ୍ରକୃତରେ ସେତେବେଳେ ମୁଁ ବଡ଼ ଅଳସୁଆ ଥିଲି ଓ ଅଧିକାଂଶ ସମୟରେ ଆପଣା ମନର ସ୍ଵପ୍ନାବେଶଭିତରେ ମଗ୍ନ ହୋଇ ରହୁଥିଲି । କିନ୍ତୁ ମୋର ଭଲ ଛାତ୍ର ହୋଇ ନପାରିବା ଲାଗି ଏ ଦୁଇଟି ବଦ୍‍ଗୁଣକୁ ସମ୍ପୂର୍ଣ୍ଣ ଭାବରେ ଦୋଷ ଦିଆଯାଇ ପାରିବ ନାହିଁ । ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କଲାବେଳକୁ ଅର୍ଥାତ୍‍ ପଞ୍ଚମ ଶ୍ରେଣୀରେ ଲାଟିନ୍ ଭାଷାରେ ଯେତିକି ଜ୍ଞାନ ରହିଥିବା ଦରକାର, ଘରୋଇ ଭାବରେ ପଢ଼ି ମୁଁ ସେତେଦୂର ଲାଟିନ୍‍ ଶିଖିପାରି ନଥିଲି । ଚତୁର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ଗଲାପରେ ମୋର ଶ୍ରେଣୀ ଶିକ୍ଷକ ଡାକ୍ତର ଭେ’ମାନ୍‍ ଯେତେବେଳେ ମୋତେ ଠିକ୍‍ ପଦ୍ଧତିରେ ପାଠ ପଢ଼ିବାର ବାଟ ବତାଇଦେଲେ ଓ ମୋ’ ଭିତରେ କିଞ୍ଚିତ ଆତ୍ମବିଶ୍ଵାସ ଆଣିଦେଲେ, ସେତେବେଳେ ଯାଇ ମୋର ପାଠପଢ଼ାରେ କ୍ରମଶଃ ଉନ୍ନତି ହେବାକୁ ଲାଗିଲା । କିନ୍ତୁ ମୋ’ ଉପରେ ତାଙ୍କର ଯେଉଁ ପ୍ରଭାବ ପଡ଼ିଥିଲା, ତାହାର ସର୍ବପ୍ରଧାନ କାରଣ ହେଉଚି ଯେ, ଯେକୌଣସି ବିଷୟକୁ ଶ୍ରେଣୀରେ ପଢ଼ାଇବା ପୂର୍ବରୁ ସେ ସେହି ବିଷୟରେ ନିଜେ ପ୍ରସ୍ତୁତ ହୋଇ ଆସୁଥିଲେ । ତାଙ୍କ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ଆସିବାର ମାତ୍ର ଅଳ୍ପଦିନ ପରେ ମୁଁ ଏକଥା ଜାଣି ପାରିଥିଲି । ଆପଣାର କର୍ତ୍ତବ୍ୟକୁ କିପରି ବିହିତଭାବରେ ସମ୍ପନ୍ନ କରିବାକୁ ହୁଏ, ଏହି ବିଷୟରେ ସେ ମୋର ଆଦର୍ଶ ହୋଇ ରହିଲେ । ପରେ ଅର୍ଥାତ୍‍ ବଡ଼ ହୋଇ ଅନେକବାର ମୁଁ ତାଙ୍କସହିତ ସାକ୍ଷାତ କରିବାକୁ ଯାଇଚି । ଷ୍ଟ୍ରାସ୍‍ବୁର୍ଗ୍‍ର ସହରରେ ସେ ତାଙ୍କର ଜୀବନର ଶେଷଭାଗ ଅତିବାହିତ କରୁଥିଲେ । ଯୁଦ୍ଧ ଶେଷ ହେଲା ବେଳକୁ ଯେତେବେଳେ ମୁଁ ଷ୍ଟ୍ରାସ୍‍ବୁର୍ଗ୍‍ର ଯାଇଥିଲି, ପ୍ରଥମେ ମୁଁ ତାଙ୍କରି ସନ୍ଧାନ ନେଇଥିଲି । ଜାଣିବାକୁ ପାଇଥିଲି ଯେ ଉପବାସ କଷ୍ଟ ସହ୍ୟ କରି କରି ଶେଷରେ ତାଙ୍କର ମନୋବିକୃତି ଘଟିଥିଲା ଏବଂ ଶେଷରେ ସେ ଆପଣା ହାତରେ ଆପଣାର ପ୍ରାଣ ନେଇଥିଲେ ।

 

ମ୍ୟୁହଲ୍ଉସେନ୍‍ଠାରେ ଶ୍ରୀଯୁକ୍ତ ଇଉଜିନ୍‍ ମ୍ୟୁନ୍‍ଚ୍‍ଙ୍କୁ ମୁଁ ମୋର ସଙ୍ଗୀତ ଶିକ୍ଷକ ରୂପେ ପାଇଲି । ବୟସରେ ସେ ଯୁବକ ଥିଲେ, ସ୍ଥାନୀୟ ସେଣ୍ଟ୍ ଷ୍ଟିଫେନ୍‍ ଗିର୍ଜାରେ ଅର୍‍ଗାନ୍‍ ବଜାଉଥିଲେ-। ବର୍ଲିନରେ ଥିବା ସଙ୍ଗୀତ-ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବାପରେ ସେ ପ୍ରଥମେ ଏହିଠାରେ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ସଙ୍ଗୀତରଥୀ ବାଖ୍‍ଙ୍କୁ ନେଇ ସେତେବେଳେ ଚାରିଆଡ଼େ ଯେଉଁ ଅନୁପ୍ରେରଣାର ଜାଗରଣ ବ୍ୟାପି ଯାଇଥିଲା, ବର୍ଲିନରେ ଥିଲାବେଳେ ସେ ତାହାରି ପ୍ରଭାବରେ ପଡ଼ିଥିଲେ । ଅଳ୍ପ ବୟସରୁ ମୁଁ ଥୋମାସ୍‍କାଣ୍ଟୋର୍‍ର ସଙ୍ଗୀତସହିତ ପରିଚିତ ହୋଇଥିଲି ଓ ପନ୍ଦରବର୍ଷ ବୟସ ବେଳୁ ଠିକ୍‍ ଭାବରେ ଅର୍‍ଗାନ୍‍ ଶିକ୍ଷା କରିବାର ସୁଯୋଗ ପାଇଥିଲି-। ଶ୍ରୀଯୁକ୍ତ ମ୍ୟୁନ୍‍ଚ୍‍ଙ୍କ ପାଖରେ ଏଥିଲାଗି ମୁଁ ସବୁଦିନ କୃତଜ୍ଞ ରହିଥିବି । ଜୀବନର ମୁକୁଳିତ ପର୍ଯ୍ୟାୟରେ ଟାଇଫଏଡ଼୍‍ ରୋଗରେ ପଡ଼ି ୧୮୯୮ ମସିହା ଶରତ୍‍କାଳରେ ସେ ଇହଧାମ ତ୍ୟାଗ କରିଥିଲେ-। ସେତେବେଳେ ତାଙ୍କର ସ୍ମୃତିକୁ ଚିରସ୍ଥାୟୀ କରି ରଖିବାକୁ ମୁଁ ଫରାସୀ ଭାଷାରେ ଖଣ୍ଡିଏ ଛୋଟିଆ ବହି ଲେଖି ପକାଇଥିଲି । ତାହା ମ୍ୟୁହଲ୍‍ହାଉସେନ୍‍ରୁ ପ୍ରକାଶିତ ହେଲା । ମୋ’ ହାତର ଲେଖା ଏହି ହେଉଚି ପ୍ରଥମ ପ୍ରକାଶିତ ପୁସ୍ତକ । (‘ଉଉଜିନ୍‍ ମ୍ୟୁନ୍‍ଚ୍‍’–ପୃଷ୍ଠାସଂଖ୍ୟା-୨୮, ଲେଖକ-ଅଜ୍ଞେୟ, ପ୍ରକାଶକ-ବ୍ରିଙ୍କ୍‍ମାନ୍ ପ୍ରକାଶଶାଳା, ମ୍ୟୁହଲ୍‍ହାଉସେନ୍‍, ଏଲ୍‍ସାଶ୍‍ ।)

 

ଉଚ୍ଚ ବିଦ୍ୟାଳୟରେ ମୁଁ ପ୍ରଧାନତଃ ଇତିହାସ ଓ ଭୌତିକ ବିଜ୍ଞାନକୁ ଅଧିକ ଆଗ୍ରହର ସହିତ ଅଧ୍ୟୟନ କରିଥିଲି । ବେସ୍‍ଲାଉର ପ୍ରଧାନ ଐତିହାସିକଙ୍କର ଭାଇ ଡାକ୍ତର କାଉଫ୍‍ମାନ୍‍ ଆମକୁ ଇତିହାସ ପଢ଼ାଉ ଥିଲେ । ବିଜ୍ଞାନଶିକ୍ଷକ ଡାକ୍ତର ଫ୍ୟର୍‍ଷ୍ଟର୍‍ ମଧ୍ୟ ଭାରି ଚମତ୍କାର ବିଜ୍ଞାନ ପଢ଼ାଉଥିଲେ ।

 

ଭାଷା ଓ ଗଣିତରେ ଭଲ କରିବା ଲାଗି ମୋତେ ଭାରି ପରିଶ୍ରମ କରିବାକୁ ପଡ଼ିଥିଲା । କିନ୍ତୁ କିଛିଦିନ ଗଲାଅନ୍ତେ ଯେଉଁସବୁ ବିଷୟରେ ମୋର ବିଶେଷ କିଛି ଦକ୍ଷତା ନଥିଲା, ସେଗୁଡ଼ିକୁ ମଧ୍ୟ ଆୟତ୍ତ କରିବାକୁ ମୁଁ ପ୍ରବଳ ଆକର୍ଷଣ ଅନୁଭବ କରିବାକୁ ଲାଗିଲି । ତେଣୁ ଉପର ଶ୍ରେଣୀଗୁଡ଼ିକରେ ମୁଁ ଅଧିକ ଭଲ ଛାତ୍ର ହିସାବରେ ପରିଗଣିତ ହେଲି, ଅବଶ୍ୟ ସର୍ବୋତ୍ତମମାନଙ୍କ ମଧ୍ୟରେ ସ୍ଥାନ ପାଇବା ତଥାପି ବାକି ରହିଥିଲା । ମୋର ଯେତେଦୂର ମନେ ପଡ଼ୁଛି, ପ୍ରବନ୍ଧରେ ସାଧାରଣତଃ ମୁଁ ସବୁବେଳେ ସର୍ବପ୍ରଥମ ସ୍ଥାନ ଅଧିକାର କରୁଥିଲି ।

 

ଫାଷ୍ଟ୍‍କ୍ଲାସରେ ଉଚ୍ଚ ବିଦ୍ୟାଳୟର ପ୍ରସିଦ୍ଧ ଡିରେକ୍ଟଟର୍‍ ଉଇଲ୍‍ ହେଲ୍‍ମ ଡିଇକେ (ତାଙ୍କର ଘର ଲ୍ୟୁବେକରେ ଥିଲା) ନିଜେ ଆମକୁ ଲାଟିନ୍ ଓ ଗ୍ରୀକ୍ ଭାଷା ପଢ଼ାଇଲେ । ତାଙ୍କ କ୍ଲାସ୍‍ଗୁଡ଼ିକ କେବଳ ଜଣେ ଭାଷାବିତ୍‍ର କ୍ଲାସ୍‍ ପରି ନୀରସ ଲାଗୁ ନଥିଲା । ମାତ୍ର ତାଙ୍କର ଅଧ୍ୟାପନା ଫଳରେ ପ୍ରାଚୀନ ଦର୍ଶନ ସହିତ ମଧ୍ୟ ଆମର ପରିଚୟ ହୋଇ ଯାଉଥିଲା ଏବଂ ତହିଁ ସଙ୍ଗେ ସଙ୍ଗେ ସେ ଆମ ଲାଗି ଆଧୁନିକ ଯୁଗର ଚିନ୍ତାଧାରା ଉପରେ କିଞ୍ଚିତ୍ ଆଲୋକପାତ କରି ଦେଉଥିଲେ । ସେ ଦାର୍ଶନିକ ଶୋଫେନ୍‍ହାଉଆର୍‍ଙ୍କର ଜଣେ ଉଦ୍‍ବୁଦ୍ଧ ସମର୍ଥକ ଥିଲେ ।

 

୧୮୯୩ ମସିହା ଜୁନ୍ ଅଠର ତାରିଖରେ ମୁଁ ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ଲିଖିତ ବିଷୟ ଗୁଡ଼ିକରେ ମୁଁ ସର୍ବୋତ୍ତମ ନମ୍ବର ପାଇ ପାରିଲି ନାହିଁ, ପ୍ରବନ୍ଧରେ ମଧ୍ୟ ନୁହେଁ । କିନ୍ତୁ ମୌଖିକ ପରୀକ୍ଷାରେ ଇତିହାସ ବିଷୟରେ ମୋର ଜ୍ଞାନ ଓ ଐତିହାସିକ ବିଚାରଶକ୍ତି ହେତୁ ମୁଁ ପରୀକ୍ଷାବୋର୍ଡ଼ର ସଭାପତି ଡାକ୍ତର ଆଲ୍‍ବ୍ରୟକ୍‍ଟ୍‍ (ଷ୍ଟ୍ରାସ୍‍ବୁର୍ଗ୍‍ର)ଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲି । ଅନ୍ୟାନ୍ୟ ବିଷୟରେ ଦେଖାଇଥିବା ଫଳ ଦୃଷ୍ଟିରୁ ଦେଖିଲେ ମୋର ପ୍ରମାଣପତ୍ର କେବଳ ଏକ ମଧ୍ୟମ ଧରଣର ପ୍ରମାଣପତ୍ର ହିଁ ଥିଲା, କିନ୍ତୁ ତାଙ୍କର ଦୃଷ୍ଟି ଓ ନିର୍ଦ୍ଦେଶ କ୍ରମେ ଇତିହାସ ବିଷୟରେ ମୋତେ ‘ପ୍ରକୃତରେ ଭଲ’ ବୋଲି ମନ୍ତବ୍ୟ ମିଳିଲା ।

 

ମୋର ବାପାଙ୍କର ବଡ଼ ଭାଇ ପାରିସରେ ବ୍ୟବସାୟ କରୁଥିଲେ । ଏହିବର୍ଷ ଅକ୍ଟୋବର ମାସରେ ତାଙ୍କରି ଉଦାରତାର ଫଳ ସ୍ୱରୂପ ମୋତେ ପାରିସର ଅରଗାନିଷ୍ଟ୍ ଚାର୍ଲସ୍‍ ମେରି ଭିଡ଼ୋର୍‍ଙ୍କ ପାଖରୁ ଅର୍ଗାନ୍‍ ଶିକ୍ଷା କରିବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା । ମ୍ୟୁହ୍‍ଲ୍‍ହାଉସେନରେ ମୋର ଶିକ୍ଷକ ମୋତେ ଏପରି ପକ୍କା ସଙ୍ଗୀତ ଶିକ୍ଷା ଦେଇଥିଲେ ଯେ କିଛି ସମୟ ମୋର ଅର୍‍ଗାନ୍‍ ବଜାଇବା ଶୁଣି ସାରିବାପରେ ଭିଡ଼ୋର୍‍ ମୋତେ ଛାତ୍ର ହିସାବରେ ଗ୍ରହଣ କରିନେଲେ । କିନ୍ତୁ ସେ ସାଧାରଣତଃ ସଙ୍ଗୀତ ବିଦ୍ୟାଳୟର ଅର୍‍ଗାନ୍‍ ଶିଖୁଥିବା ଶ୍ରେଣୀର ସଭ୍ୟମାନଙ୍କ ଭିତରେ ହିଁ ଆପଣାର ଅଧ୍ୟାପନା ସୀମିତ ରଖୁଥିଲେ । ତାଙ୍କର ଏହି ଅଧ୍ୟାପନାକୁ ମୋର ଜୀବନର ଏକ ସ୍ଵତନ୍ତ୍ର ମହତ୍ଵପୂର୍ଣ୍ଣ ଘଟଣା ବୋଲି କହିବାକୁ ହେବ । ଭିଡ଼ୋର୍‍ ମୋର ସଙ୍ଗୀତ ଶିକ୍ଷାର ପଦ୍ଧତିରେ ମୌଳିକ ପରିବର୍ତ୍ତନ ଆଣି ଦେଇଥିଲେ ଏବଂ ଅର୍‍ଗାନ୍‍ ବଜାଇବାରେ ଏକ ସମ୍ପୂର୍ଣ୍ଣ ସହଜତା ଅର୍ଜନ କରିବାକୁ ଚେଷ୍ଟା କରିବା ଲାଗି ମୋତେ ପ୍ରବୃତ୍ତ କରାଇଥିଲେ, ତାଙ୍କରି କୃପାରୁ ମଧ୍ୟ ମୁଁ ସଙ୍ଗୀତ-ବିଦ୍ୟାର ସ୍ଥପତି ବିଷୟରେ କ୍ରମେ ସବୁକିଛି ବୁଝି ପାରିବାକୁ ଆରମ୍ଭ କଲି ।

 

X X X X

 

୧୮୯୩ ମସିହା ଅକ୍ଟୋବର ମାସର ଶେଷ ଭାଗରେ ମୁଁ ଷ୍ଟ୍ରାସ୍‍ବୁର୍ଗ୍‍ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ହିସାବରେ ପ୍ରବେଶକଲି । ସେତେବେଳେ ମୁଁ ସେଣ୍ଟ୍ ଥୋମାସ୍‍ ଥିଓଲଜି (ଈଶ୍ଵରତତ୍ତ୍ଵ) କଲେଜର ଛାତ୍ରାବାସରେ ରହୁଥିଲି । ସୁପଣ୍ଡିତ ରେଭେରେଣ୍ଡ୍ ଆଲଫ୍ରେଡ଼୍‍ ଏରିକସନ୍‍ ସେହି କଲେଜର ଅଧ୍ୟକ୍ଷ ଥିଲେ । କାଲଭିନ୍‍-ରଚନାବଳୀର ସମ୍ପାଦିତ ସଂସ୍କରଣକୁ ସମାପ୍ତ କରିବାରେ ସେତେବେଳେ ସେ ଖୁବ୍‍ ବ୍ୟସ୍ତ ଥାଆନ୍ତି ।

 

ସେହି ସମୟରେ ଷ୍ଟ୍ରାସ୍‍ବୁର୍ଗ୍‍ର ବିଶ୍ୱବିଦ୍ୟାଳୟର ଖ୍ୟାତି ପୂର୍ଣ୍ଣ ବିକାଶ ଲାଭ କରିଥାଏ । କୌଣସିପ୍ରକାର ପରମ୍ପରା ଦ୍ଵାରା ବ୍ୟାହତ ନହୋଇ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟେ ଏକ ଆଧୁନିକ ବିଶ୍ୱବିଦ୍ୟାଳୟର ଆଦର୍ଶରେ ଉପନୀତ ହେବାକୁ ଲାଗି ପଡ଼ିଥାନ୍ତି । ଅଧ୍ୟାପକମାନଙ୍କ ଭିତରୁ ପ୍ରାୟ କେହି ଜଣେ ହେଲେ ବୃଦ୍ଧ ବା ଅତିବୟସ୍କ ନଥାନ୍ତି । ଚାରିଆଡ଼େ ସମସ୍ତଙ୍କ ଭିତରେ ଏକ ସତେଜ ଓ ଉଦ୍ଦୀପ୍ତ ତାରୁଣ୍ୟର ସ୍ପନ୍ଦନ ଅନୁଭୂତ ହେଉଥାଏ ।

 

ଥିଓଲଜି ଓ ଦର୍ଶନ,-ଏକାବେଳେକେ ଏହି ଦୁଇଟି ବିଷୟରେ ମୁଁ ଅଧ୍ୟୟନ ଆରମ୍ଭ କରି ଦେଇଥିଲି । ଉଚ୍ଚବିଦ୍ୟାଳୟରେ ପଢ଼ିଲାବେଳେ ମୁଁ ହିବ୍ରୁଭାଷା ଆରମ୍ଭ ମାତ୍ର କରିଥିଲି । ହିବ୍ରୁଭାଷାରେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ମୋର ପ୍ରଥମ କେତେ ମାସ ବିତି ଯାଇଥିଲା । ୧୮୯୪ ମସିହା ଫେବୃୟାରୀ ସତର ତାରିଖରେ ଅତି କଷ୍ଟର ସହିତ ଏହି ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇଥିଲି । କିନ୍ତୁ ପରେ ମୁଁ ଭଲ ନପାରୁଥିବା ଏକ ବିଷୟକୁ ଆୟତ୍ତ କରିବାକୁ ମୋର ପ୍ରଚେଷ୍ଟା ଦ୍ଵାରା, ହିବ୍ରୁ ଭାଷାରେ ମଧ୍ୟ ମୁଁ ଉତ୍ତମ ଜ୍ଞାନ ଅର୍ଜନ କରିଥିଲି ।

 

ସେତେବେଳେ ଶ୍ରୀ ହାଇନ୍‍ରିଖ୍‍ ଇଉଲିଉସ୍‍ ହଲତ୍‍ସ୍‍ମାନ ବାଇବେଲ୍‍ର ପ୍ରଥମ ତିନିଜଣ ଏଭାଙ୍ଗେଲିଷ୍ଟ (ଧର୍ମ-ସୁସମାଚାର ବହନ କରି ଆସିଥିବା ସନ୍ଥଦୂତ)ଙ୍କ ବିଷୟରେ ଏକ ଧାରାବାହିକ ଭାଷଣ ଦେଉଥିଲେ । ଉଇଲହେଲ୍‍ମ୍ ଉଇଣ୍ଡେଲ୍‍ବାଣ୍ଡ୍ ଓ ଥିଓବାଲ୍‍ଡ଼୍ ତସିଇଗ୍‍ଲର ମଧ୍ୟ ଦର୍ଶନର ଇତିହାସ ଉପରେ ଭାଷଣ ଦେଉଥିଲେ । ହିବ୍ରୁଭାଷାରେ ପରୀକ୍ଷା ଦେବାର ମୋର ସମସ୍ତ ଉଦବିଗ୍ନତା ସତ୍ତ୍ୱେ ତଥାପି ମୁଁ ନିୟମିତ ଭାବରେ ଏହିସବୁ ଭାଷଣ ଶୁଣିବାକୁ ଯାଉଥିଲି ।

 

୧୮୯୪ ମସିହା ଏପ୍ରିଲ ପହିଲାରେ ମୁଁ ମୋର ବାଧ୍ୟତାମୂଳକ ସାମରିକ ଶିକ୍ଷାର ପ୍ରଥମ ବର୍ଷ ଆରମ୍ଭ କରିଥିଲି । କିନ୍ତୁ ମୋର କାପ୍ଟେନ୍‍ (ତାଙ୍କର ନାମ କ୍ରୁଲ୍‍ ଥିଲା) ଦୟାପରବଶ ହୋଇ ସାମରିକ ଶିକ୍ଷାର ପୂର୍ଣ୍ଣ କାର୍ଯ୍ୟକ୍ରମ ଚାଲୁ ଥିବାବେଳେ ମଧ୍ୟ ମୁଁ ଯେପରି ପ୍ରାୟ ପ୍ରତ୍ୟେକ ଦିନ ଏଗାରଟା ବେଳେ ବିଶ୍ୱବିଦ୍ୟାଳୟର ଅଧ୍ୟାପନାଗୁଡ଼ିକରେ ଯୋଗ ଦେଇପାରିବି, ତାହାର ସୁବିଧା କରି ଦେଇଥିଲେ । ଏହା ଫଳରେ ଉଇଣ୍ଡେଲବାଣ୍ଡ୍‍ଙ୍କ ବକ୍ତୃତା ଶୁଣିବା ମୋ ପକ୍ଷରେ ସମ୍ଭବ ହୋଇ ପାରିଥିଲା ।

 

ସେହିବର୍ଷ ଶରତଋତୁରେ ତଳ ଏଲସାଶ୍‍ପ୍ରଦେଶର ହକଫେଲଟେନ୍ ଅଞ୍ଚଳକୁ ଆମେ ସାମରିକ କୌଶଳ ପ୍ରଦର୍ଶନ କରିବାକୁ ଗଲୁ । ସେତେବେଳେ ମୋର ଗଣ୍ଡିରା ଭିତରେ ମୁଁ ଗ୍ରୀକ୍‍ ବାଇବେଲ୍‍ ମଧ୍ୟ ସାଙ୍ଗରେ ନେଇ ଯାଇଥିଲି । ଥିଓଲଜି ବିଭାଗର ଯେଉଁ ଛାତ୍ରମାନଙ୍କର ଛାତ୍ରବୃତ୍ତି ପାଇବା ଲାଗି ପ୍ରତିଯୋଗିତାରେ ଯୋଗଦେବାର କଥା, ସେମାନଙ୍କୁ ବିଶ୍ୱବିଦ୍ୟାଳୟର ଶୀତକାଳୀନ ଅଧିବେଶନର ଆରମ୍ଭରେ ତିନୋଟି ବିଷୟର ଏକ ପରୀକ୍ଷାରେ ପାସ୍‍ କରିବାକୁ କୁହାଯାଇଥିଲା । ଅବଶ୍ୟ ଯେଉଁମାନେ ସାମରିକ ଶିକ୍ଷାନବୀଶ୍‍ ହିସାବରେ ଥିଲେ, ସେମାନଙ୍କୁ କେବଳ ଗୋଟିଏ ବିଷୟରେ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା । ପ୍ରଥମ ତିନିଜଣ ଏଭାଙ୍ଗେଲିଷ୍ଟ୍‍ଙ୍କର ବିବରଣକୁ ମୁଁ ମୋର ବିଷୟରୂପେ ନିର୍ବାଚନ କରିଥିଲି ।

 

ଶିକ୍ଷକ ହିସାବରେ ହଲ୍‍ଡ଼ସ୍‍ମାନଙ୍କୁ ମୁଁ ଅତ୍ୟନ୍ତ ସମ୍ମାନ କରୁଥିଲି । ସେ ପଢ଼ାଉଥିବା ବିଷୟରେ ଭଲ ଫଳ ଦେଖାଇ ନପାରି ଯେପରି ତାଙ୍କ ଆଖିରେ ମୁଁ ଆପଣାକୁ ଅସମ୍ମାନିତ ନକରେ, ସେହି ଆଶଙ୍କାରେ ସାମରିକ କୌଶଳ ପ୍ରଦର୍ଶନରେ ଗଲାବେଳେ ମଧ୍ୟ ମୁଁ ମୋ’ ସାଙ୍ଗରେ ଗ୍ରୀକ୍‍ ବାଇବେଲ୍‍ ନେଇ ଯାଇଥିଲି । ସେତେବେଳେ ମୁଁ ଭାରି ବଳବାନ୍‍ ଓ ହୃଷ୍ଟପୃଷ୍ଟ ଥିଲି, କ୍ଳାନ୍ତି କାହାକୁ କହନ୍ତି ମୁଁ ସେକଥା ଜାଣି ନଥିଲି । ତେଣୁ ରାତିରେ ଓ ଛୁଟିଦିନମାନଙ୍କରେ ପ୍ରକୃତରେ କିଛି ଅଧ୍ୟୟନ କରିବା ମୋ’ ପକ୍ଷରେ ବେଶ୍‍ ସମ୍ଭବ ହୋଇ ପାରିଥିଲା । ଗତ ଗ୍ରୀଷ୍ମଛୁଟିରେ ମୁଁ ହଲ୍‍ଡ଼ସ୍‍ମାନଙ୍କର ଭାଷ୍ୟକୁ ଅଧ୍ୟୟନ କରି ସାରିଥିଲି । ବର୍ତ୍ତମାନ ମୂଳ ଗ୍ରନ୍ଥଟିକୁ ଅଧ୍ୟୟନ କରିବାକୁ ମୋର ଇଚ୍ଛା ଥିଲା । ହଲ୍‍ଡ଼ସ୍‍ମାନଙ୍କର ଭାଷ୍ୟ ତଥା ଭାଷଣମାନ ମୋର ପ୍ରକୃତରେ କେତେଦୂର ମନେଥିଲା, ଏହା ଦ୍ଵାରା ମୁଁ ଏକଥା ମଧ୍ୟ ପରୀକ୍ଷା କରିନେବାକୁ ଇଚ୍ଛା କରୁଥିଲି । ଏହା ଦ୍ଵାରା ମୋର ବହୁତ କିଛି ଉପକାର ହେଲା । ସେଣ୍ଟ୍‍ମାର୍କୁସ୍‍ଙ୍କର ଧର୍ମ ସନ୍ଦେଶକୁ ପ୍ରାଚୀନତମ ଓ ଅପର ଦୁଇଟି ଧର୍ମ ସନ୍ଦେଶ (ମାଥିଉସ୍ ଓ ଲୁକାସ୍‍ର ଭୂମି ବୋଲି ପ୍ରମାଣ କରି ହଲ୍‍ତସ୍‍ମାନ୍ ଗବେଷକମାନଙ୍କଠାରୁ ଅନେକ ଗୌରବ ଲାଭ କରିଥିଲେ । ଯୀଶୁଜୀବନର କାର୍ଯ୍ୟକଳାପଗୁଡ଼ିକୁ ଯେ କେବଳ ମାର୍କସ୍‍ଙ୍କର ବିବରଣୀରୁ ବୁଝିବା ସମ୍ଭବ, ଏପରି ଏକ ଅନୁମାନକୁ ଏହା ସତ୍ୟ ପ୍ରତିପାଦିତ କରୁଚି ବୋଲି ବୋଧହେଉଥିଲା । ଗୁଗେନ୍‍ହାଲମ୍‍ ବୋଲି ଗୋଟିଏ ଗାଆଁରେ ଛୁଟି ଦିନଟିଏ କଟାଉଥିବା ସମୟରେ ଯେଉଁଦିନ ମାଥିଉସ୍‍ ବିବରଣର ଦଶମ ଓ ଏକାଦଶ ଅଧ୍ୟାୟକୁ ମୁଁ ଅଧିକ ମନୋଧ୍ୟାନ ଦେଇ ଅଧ୍ୟୟନ କଲି, ସେଦିନ ହଲ୍‍ତସ୍‍ମାନଙ୍କର ଉକ୍ତ ସିଦ୍ଧାନ୍ତରେ ମୁଁ ପ୍ରକୃତରେ ବିସ୍ମୟ ପ୍ରକାଶକରିଥିଲି ।

 

ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଯେତେବେଳେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ପଠାଇଥିଲେ, ସେତେବେଳେ ସେ କହିଥିବା ବାକ୍ୟ ଓ କରିଥିବା କାର୍ଯ୍ୟଗୁଡ଼ିକୁ ସାଧାରଣତଃ ଗବେଷକମାନେ ଏକ ଐତିହାସିକ ସତ୍ୟ ବୋଲି ଗ୍ରହଣ କରି ନେଉଥିଲେ ଏବଂ ପରିଣାମତଃ ଯୀଶୁଙ୍କର ସମଗ୍ର ଜୀବନଚରିତକୁ ମଧ୍ୟ ସେତେବେଳେ ସ୍ଵୀକାର କରା ଯାଉଥିଲା । ବିଶ୍ୱବିଦ୍ୟାଳୟରେ ମୋର ଅଧ୍ୟୟନ କରିବାର ପ୍ରଥମ ବର୍ଷର ଶେଷ ଭାଗରେ ଏହି ସିଦ୍ଧାନ୍ତ ସମ୍ବନ୍ଧରେ ମୋର ମନଭିତରେ ତୁମୂଳ ସଂଶୟ ଜାତ ହୋଇଥିଲା । ସାମରିକ କୌଶଳ-ପ୍ରଦର୍ଶନ କାର୍ଯ୍ୟକ୍ରମ ଶେଷ କରି ଯେତେବେଳେ ମୁଁ ଘରକୁ ଫେରିଲି, ସେତେବେଳେ ଗବେଷଣାର ସମ୍ପୂର୍ଣ୍ଣ ଏକ ନୂତନ ଦିଗ୍‍ବଳୟ ମୁଁ ମୋର ସମ୍ମୁଖରେ ଦେଖିବା ପରି ଅନୁଭବ କରୁଥିଲି । ଏ ବିଷୟରେ ମୋର ଆଦୌ କୌଣସି ସନ୍ଦେହ ହେଉନଥିଲା ଯେ ଯୀଶୁ ପ୍ରକୃତରେ ତାଙ୍କ ଦ୍ଵାରା ବା ତାଙ୍କର ଧର୍ମଗୋଷ୍ଠୀ ଦ୍ଵାରା ଏହି ଜଗତରେ କୌଣସି ପାର୍ଥିବ ସାମ୍ରାଜ୍ୟ ପ୍ରତିଷ୍ଠିତ ହେବାର ଘୋଷଣା କେବେହେଲେ କରିନଥିଲେ । ଏକ ଅପାର୍ଥିବ ଯୁଗର ଆସନ୍ନପ୍ରାୟ ପ୍ରଭାତରେ କେବଳ ଏହିପରି ଏକ ସାମ୍ରାଜ୍ୟର ପ୍ରତ୍ୟାଶା କରାଯାଇ ପାରିବ ବୋଲି ସେ ସୂଚନା ଦେଇଥିଲେ ।

 

ଏହାର ମାତ୍ର କେତେକ ଦିନ ପରେ ପରୀକ୍ଷା ଆରମ୍ଭ ହେଲା । ଯୀଶୁଚରିତ ବିଷୟରେ ନିଜେ ହଲ୍‍ତସ୍‍ମାନ୍ ଯେଉଁ ମତ ପୋଷଣ କରୁଛନ୍ତି ଏବଂ ତତ୍କାଳୀନ ଗବେଷକମାନେ ସର୍ବସମ୍ମତ ଭାବରେ ଯାହାକୁ ସତ୍ୟ ବୋଲି ଗ୍ରହଣ କରୁଛନ୍ତି, ସେହି ମତକୁ ମୁଁ ଅବିଶ୍ଵାସ କରୁଚି ବୋଲି ମୋର ପରୀକ୍ଷାରେ ମୁଁ ସୂଚନା ଦେଇଥିଲେ ତଦ୍ଦ୍ଵାରା ମୋର ଔଦ୍ଧତ୍ୟ ହିଁ ପ୍ରକାଶ ପାଇଥାନ୍ତା । ବସ୍ତୁତଃ ମୋତେ ଏପରି କରିବାର କୌଣସି ସୂଚନା ହିଁ ମିଳିଲା ନାହିଁ । ମୁଁ ଜଣେ ଅଳ୍ପବୟସ୍କ ଛାତ୍ର ହୋଇଥିବାରୁ ଓ ସାମରିକ ଶିକ୍ଷାରେ ଯୋଗଦେବାକୁ ବାଧ୍ୟହୋଇ ଗଭୀର ଓ ଯଥେଷ୍ଟ ଅଧ୍ୟୟନ କରିବାରେ ବାଧାପ୍ରାପ୍ତ ହୋଇଥିବାରୁ, ସେ ତାଙ୍କର ସୁବିଜ୍ଞାତ ଉଦାର ପ୍ରକୃତିରେ ମୋତେ ଏପରି ଭାବରେ ପରୀକ୍ଷା କଲେ ଯେ କୋଡ଼ିଏମିନିଟ୍‍ ବ୍ୟାପି ଏକ ମୌଖିକ ପରୀକ୍ଷାରେ ପ୍ରଥମେ ତିନିଜଣ ଏଭାଙ୍ଗେଲିଷ୍ଟଙ୍କର ବିବରଣ ତିନୋଟିର ଏକ ସଂକ୍ଷିପ୍ତ ତୁଳନାତ୍ମକ ଆଲୋଚନା କରିବା ବ୍ୟତୀତ ମୋତେ ସେ ଆଉ କୌଣସି ପ୍ରଶ୍ନ ପଚାରି ନଥିଲେ ।

 

ବିଶ୍ୱବିଦ୍ୟାଳୟରେ ମୋର ପରବର୍ତ୍ତୀ ବର୍ଷଗୁଡ଼ିକରେ ମୁଁ ଏହି ତିନିଜଣ ଏଭାଙ୍ଗେଲିଷ୍ଟଙ୍କର ସମସ୍ୟା ଓ ଯୀଶୁଜୀବନଚରିତ ଉପରେ ହିଁ ସ୍ଵତନ୍ତ୍ର ଭାବରେ ମୋର ଗବେଷଣା ଚାଲୁ ରଖିଥିଲି । ଏହିପାଇଁ ଅନେକ ସମୟରେ ମୋତେ ଅନ୍ୟାନ୍ୟ ବିଷୟଗୁଡ଼ିକର ଅଧ୍ୟୟନକୁ ଅବହେଳା ମଧ୍ୟ କରିବାକୁ ପଡ଼ୁଥିଲା । ଜର୍ମାନୀର ବିଶ୍ୱବିଦ୍ୟାଳୟ ଶିକ୍ଷା-ପଦ୍ଧତି ପାଖରେ ମୁଁ ଏଥି ସକାଶେ ଅତିଶୟ କୃତଜ୍ଞ ରହିବି ଯେ ଏହା ଛାତ୍ରକୁ ତା’ର ଅଧ୍ୟୟନ ସମ୍ପର୍କରେ କୌଣସିପ୍ରକାର ଧରାବନ୍ଧା ନିୟମ ଭିତରେ ବାନ୍ଧି ପକାଏ ନାହିଁ ଓ ଅନ୍ୟାନ୍ୟ ଦେଶ ପରି ଛାତ୍ର ଉପରେ ମୁହୁର୍ମୁହୁଃ ପରୀକ୍ଷାର ବୋଝ ଲଦିଦେବାକୁ ଚାହେଁ ନାହିଁ । ସ୍ଵାଧୀନ ଭାବରେ ଗବେଷଣାମୂଳକ ଅଧ୍ୟୟନ କରିବାକୁ ଏହା ଦ୍ଵାରା ଛାତ୍ରମାନଙ୍କୁ ଯଥେଷ୍ଟ ସୁଯୋଗ ଓ ସୁବିଧା ମିଳିଥାଏ ।

 

ବିଶ୍ୱବିଦ୍ୟାଳୟରେ ମୁଁ ଥିଓଲଜି ଓ ଦର୍ଶନ-ସମ୍ବନ୍ଧୀୟ ବକ୍ତୃତାଗୁଡ଼ିକରେ ଅତି ନିୟମିତ ଭାବରେ ଯୋଗ ଦେବାକୁ ଯାଉଥାଏ ।

 

ଷ୍ଟ୍ରାସ୍‍ବୁର୍ଗ୍‍ର ବିଶ୍ୱବିଦ୍ୟାଳୟରେ ମୋର ବିଦ୍ୟାର୍ଥୀଜୀବନ ଖୁବ୍‍ ଶୀଘ୍ର ଅତିବାହିତ ହୋଇଯାଇଥିଲା । ୧୮୯୭ ମସିହା ଗ୍ରୀଷ୍ମକାଳରେ ମୁଁ ଥିଓଲଜିର ପ୍ରଥମ ପରୀକ୍ଷାରେ ବସିଲି । ‘ଶେଷ ଭୋଜନ’ (Abendesmahl) ବିଷୟରେ ଶଲାୟର୍‍ମାଖ୍‍ରଙ୍କର ଉପଦେଶର ତୁଳନାତ୍ମକ ବିଚାର,–ଏହା ହିଁ ମୋର ତଥାକଥିତ ନିବନ୍ଧର ବିଷୟ ଥିଲା । ଅବଶ୍ୟ ଏହି ନିବନ୍ଧଟି ସବୁ ପରୀକ୍ଷାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ରଖା ଯାଇଥିଲା ଏବଂ ଏହାକୁ ଆଠ ସପ୍ତାହ ଭିତରେ ସାରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆ ଯାଇଥିଲା । ଏହି ନିବନ୍ଧ ଉପରେ ପରୀକ୍ଷାର୍ଥୀର ପରୀକ୍ଷାରେ ବସିବାର ଯୋଗ୍ୟତା ବିଚାର କରାଯାଇଥିଲା ।

 

ଏହି ନିବନ୍ଧଟି ଲେଖିବା ଦ୍ଵାରା ମୁଁ ପୁଣି ‘ଧର୍ମସମାଚାର’ ଓ ଯୀଶୁ ଚରିତ ବିଷୟଜନିତ ସମସ୍ୟା ଉପରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲି । ଯୀଶୁ ତାଙ୍କର ଶିଷ୍ୟଗୋଷ୍ଠୀ ସହିତ ଯେଉଁ ମହତ୍ୱପୂର୍ଣ୍ଣ ‘ଶେଷ ଭୋଜନ’ କରିଥିଲେ, ସେ ବିଷୟରେ କରାଯାଇଥିବା ବିଭିନ୍ନ ବ୍ୟାଖ୍ୟାଗୁଡ଼ିକ ଯେ ଆଦୌ ସନ୍ତୋଷଜନକ ନୁହେଁ, ମୋର ଏହି ଧାରଣା କ୍ରମେ ସ୍ପଷ୍ଟ ହେବାକୁ ଲାଗିଲା । x x x

☆☆☆

 

ପାରିସ୍ ଓ ବର୍ଲିନ୍ ୧୮୯୮-୧୮୯୯

 

୧୮୯୮ ମସିହା ମେ’ ମାସ ଛଅ ତାରିଖରେ ମୁଁ ଥିଓଲିଜିର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ସେତେବେଳେ ଏହାକୁ ସରକାରୀ ପରୀକ୍ଷା କୁହା ଯାଉଥିଲା । ସେହିବର୍ଷ ଗ୍ରୀଷ୍ମକାଳଟା ମୁଁ ଷ୍ଟ୍ରାସ୍‍ବୁର୍ଗରେ ଅତିବାହିତ କରିଥିଲି ଓ ସମସ୍ତ ସମୟ ନିଜକୁ ଦର୍ଶନ ଅଧ୍ୟୟନ କରିବାରେ ଲଗାଇ ଦେଇଥିଲି । ଉଇଣ୍ଡେଲ୍‍ବାଣ୍ଡ୍ ଓ ତସିଇଗ୍‍ଲର୍‍ ଆପଣା ଆପଣାର ଅଧ୍ୟୟନ ବିଷୟରେ ଜଣେ ଜଣେ ଧୁରନ୍ଧର ପ୍ରତିନିଧି ଓ ପଣ୍ଡିତ ଥିଲେ ବୋଲି କହିବାକୁ ହେବ । ପ୍ରାଚୀନ ଦର୍ଶନ ଉପରେ ଉଇଣ୍ଡେଲ୍‍ବାଣ୍ଡ୍‍ଙ୍କର ଅଧିକ ଦକ୍ଷତା ଥିଲା ଏବଂ ପ୍ଲେଟୋ ଓ ଆରିଷ୍ଟଟ୍‍ଲ୍‍ଙ୍କର ଦର୍ଶନ ବିଷୟରେ ସେ ଆମର ଯେଉଁସବୁ କ୍ଲାସ୍‍ ନେଇଥିଲେ, ସେଗୁଡ଼ିକୁ ମୁଁ ମୋର ଛାତ୍ରଜୀବନର ସର୍ବଶ୍ରେଷ୍ଠ ସ୍ମୃତି ହିସାବରେ ନିଶ୍ଚୟ ମନେ ରଖିଥିବି । ନୀତିଶାସ୍ତ୍ର ଓ ଧର୍ମଦର୍ଶନ ତସିଇଗ୍‍ଲର୍‍ଙ୍କର ବିଶେଷ କ୍ଷେତ୍ର ଥିଲା । ଆଗରୁ ଥିଓଲଜିର ଜଣେ ପଣ୍ଡିତ ହିସାବରେ ସେ ଧର୍ମଦର୍ଶନ ଅଧ୍ୟୟନ କରିବାରେ ଏକ ବିଶେଷ ସୁବିଧା ଲାଭ କରିଥିଲେ । ଥ୍ୟୁ-ବିଙ୍ଗେନ୍‍ ବିଶ୍ୱବିଦ୍ୟାଳୟରେ ସେ ଥିଓଲଜି କଲେଜର ପୂର୍ଣ୍ଣପାଠ୍ୟ ସମାପ୍ତ କରିଥିଲେ ।

 

ମୋର ପରୀକ୍ଷାଫଳ ଏବଂ ହଲ୍‍ତସ୍‍ମାନଙ୍କର ସୁପାରିସ୍‍ ପତ୍ର ବଳରେ ସେହି ବର୍ଷ ମୋତେ ‘ଗଲ୍ ଛାତ୍ରବୃତ୍ତି’ ମିଳିଗଲା । ଏହାର ବାର୍ଷିକ ପରିମାଣ ୧୨୦୦ ମାର୍କ (ପ୍ରାୟ ଏକହଜାର ଟଙ୍କା) ଏବଂ ଏହା ମିଳିବାର ମିଆଦ ଛଅବର୍ଷ ଥିଲା । ଏହି ବୃତ୍ତି ବିଷୟରେ ଏପରି ଏକ ସର୍ତ୍ତ ରହିଥିଲା ଯେ ବୃତ୍ତି-ଭୋଗୀ ଛାତ୍ର ହୁଏତ ଛଅ ବର୍ଷ ସମୟ ଭିତରେ ଥିଓଲଜିର ଡିଗ୍ରୀ ହାସଲ କରିବ, ନଚେଥ୍ ତାକୁ ଛଅ ବର୍ଷ ପରେ ସମସ୍ତ ବୃତ୍ତି ଟଙ୍କା ଫେରସ୍ତ ଦେବାକୁ ହେବ ।

 

ଥିଓବାଲ୍‍ଡ଼୍‍ ତସିଲଗ୍‍ଲର୍‍ଙ୍କର ପରାମର୍ଶ ଅନୁସାରେ ମୁଁ ସଂକଳ୍ପ କରିନେଲି ଯେ ଏଥର ମୋତେ ଦର୍ଶନରେ ଡକ୍ଟର ଉପାଧି ପାଇବା ଲାଗି ନିବନ୍ଧ ପ୍ରସ୍ତୁତ କିରବାକୁ ପଡ଼ିବ । ଥରେ ବିଶ୍ୱବିଦ୍ୟାଳୟର କୌଣସି ଏକ ବର୍ଷଭାଗ ଶେଷରେ ସେ ଛତା ଧରି ବିଶ୍ୱବିଦ୍ୟାଳୟ କୋଠାର ପାହାଚ ଦେଇ ଆସୁଥାନ୍ତି, ସେତିକିବେଳେ ସେ ମୋତେ କହିଥିଲେ ଯେ କାଣ୍ଟଙ୍କର ଧର୍ମ ଦର୍ଶନ ବିଷୟରେ ମୋତେ ମୋର ନିବନ୍ଧ ଲେଖିବାକୁ ପଡ଼ିବ । ତାଙ୍କର ଏହି ପରାମର୍ଶକୁ ମୁଁ ଏକ ପ୍ରବଳ ଆକର୍ଷଣ ପରି ଅନୁଭବ କଲି । ୧୮୯୮ ମସିହା ଅକ୍ଟୋବର ମାସ ଶେଷବେଳକୁ ସବନ୍‍ ବିଶ୍ୱବିଦ୍ୟାଳୟ (Sorbonne) ରେ ଦର୍ଶନ ଅଧ୍ୟୟନ କରିବାକୁ ମୁଁ ପାରିସ୍‍ ଯାତ୍ରା କଲି । ସେଠାରେ ଭିଡ଼ୋରଙ୍କର ଅଧୀନରେ ମୋର ଅର୍‍ଗାନ୍‍ ବଜାଇବା ମଧ୍ୟ ଦୋରସ୍ତ ହୋଇଯିବ, ମନଭିତରେ ଏପରି ଏକ ମତଲବ ମଧ୍ୟ ରହିଥିଲା ।

 

ପାରିସରେ ମୋତେ ଅଧ୍ୟାପକମାନଙ୍କର କ୍ଲାସରେ ଯୋଗଦେବାକୁ ପଡ଼ୁନଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାର ଉପଚାରଗୁଡ଼ାକ ମୋତେ ଭାରି ଖରାପ ଲାଗିଲା । ବିଶ୍ୱବିଦ୍ୟାଳୟରେ ଦକ୍ଷ ଅଧ୍ୟାପକଙ୍କର ଆଦୌ ଅଭାବ ନଥିଲା । କିନ୍ତୁ ସେମାନଙ୍କୁ ପୁରୁଣାକାଳିଆ ଅନେକ ନିୟମ ଭିତରେ ଏପରି ବାନ୍ଧି ଦିଆଯାଇଥିଲା ଯେ ସେମାନେ ସେମାନଙ୍କ ପୂର୍ଣ୍ଣ ଯୋଗ୍ୟତା ଅନୁସାରେ ପାଠ ପଢ଼ାଇବାକୁ ଏକାବେଳକେ ଅସମର୍ଥ ହୋଇ ପଡ଼ୁଥିଲେ । ମୋର ମନ ଏଥିରେ ଭାରି ବିଗିଡ଼ିଗଲା ଓ ସବନ୍‍ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ମଧ୍ୟ ମୋର ମତ ଏକାବେଳକେ ଖରାପ ହୋଇଗଲା । ଷ୍ଟ୍ରାସବୁର୍ଗ ବିଶ୍ୱବିଦ୍ୟାଳୟରେ କୌଣସି ଏକ ଖାସ୍ ବିଷୟରେ ଏକାଦିକ୍ରମେ ଚାରି ପାଞ୍ଚୋଟି କ୍ଲାସ୍ ନିଆ ଯାଉଥିଲା, କିନ୍ତୁ ଏଠାରେ ସେପରି କୌଣସି ବ୍ୟବସ୍ଥା ନଥିଲା । ପରୀକ୍ଷାର ପାଠ୍ୟକ୍ରମ ଅନୁସାରେ ଠିକ୍‍ ଯେଉଁ ବିଷୟଗୁଡ଼ିକୁ ପଢ଼ିବା କଥା, ଅଧ୍ୟାପକମାନେ ହୁଏତ କେବଳ ସେହି ବିଷୟରେ କ୍ଲାସ୍‍ ନେଉଥିଲେ ବା ହୁଏତ ବିଶେଷ ବିଷୟମାନଙ୍କର ଅଧ୍ୟାପନା କରୁଥିଲେ ।

 

X X X X

 

ମୋଟଉପରେ କହିବାକୁ ଗଲେ ପାରିସରେ ଏହି ବର୍ଷର ସମସ୍ତ ଶୀତକାଳଟା ଡକ୍ଟର ଉପାଧି ପାଇଁ ନିବନ୍ଧ ଲେଖିବାରେ ଏବଂ ସଙ୍ଗୀତ ଚର୍ଚ୍ଚା କରିବାରେ ଅତିବାହିତ ହୋଇଯାଇଥିଲା ।

 

ବାପାଙ୍କର ଦୁଇଭାଇ ସେତେବେଳେ ସସ୍ତ୍ରୀକ ପାରିସରେ ବାସ କରୁଥାନ୍ତି । ସେମାନେ ମୋତେ ଭାରି ଶ୍ରଦ୍ଧା କରୁଥିଲେ । ସେମାନଙ୍କ ଭିତରୁ ସାନ ଜଣକ ବହୁଭାଷାବିତ୍‍ ଥିଲେ ଓ ଆଧୁନିକ ଭାଷାଶିକ୍ଷା-ପଦ୍ଧତିକୁ ଉନ୍ନତ କରିବା ଲାଗି ଚେଷ୍ଟା କରି ସେ ବେଶ୍‍ ସୁନାମ ଅର୍ଜନ କରିଥିଲେ । ତାଙ୍କ ଜରିଆରେ ମୁଁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାଜଗତର ଅନେକ ବ୍ୟକ୍ତିଙ୍କର ପରିଚୟ ଲାଭ କରି ପାରିଲି । ଏହିପରି କ୍ରମେ ପାରିସ୍‍ର ଜୀବନ ମୋତେ ବେଶ୍‍ ଭଲ ଲାଗି ଆସିଲା ।

 

X X X X

 

ସଙ୍ଗୀତ ଚର୍ଚ୍ଚା କରିବା ଓ ଗୁଣୀଲୋକମାନଙ୍କର ସମ୍ପର୍କରେ ଆସିବା ଲାଗି ଅଧିକ ସମୟ ଦେବା ସତ୍ତ୍ୱେ ତଥାପି ଡାକ୍ତର ଉପାଧି ପାଇଁ ମୁଁ ଲେଖୁଥିବା ନିବନ୍ଧ ପ୍ରତି ମୁଁ କଦାପି କୌଣସି ଅବହେଳା ପ୍ରଦର୍ଶନ କରିନଥିଲି । ମୋର ଶାରୀରିକ ସ୍ୱାସ୍ଥ୍ୟ ଖୁବ୍‍ ଭଲ ଥିବାରୁ ରାତିରେ ମୁଁ ବେଶ୍‍ ଅପର୍ଯ୍ୟାପ୍ତ ପରିଶ୍ରମ କରିପାରୁଥିଲି । ଦିନେ ଦିନେ ଏପରି ମଧ୍ୟ ହେଉଥିଲା ଯେ ରାତିପଢ଼ା ସରିବା ପରେ ପରେ ଆଉ ବିଛଣାକୁ ଶୋଇବାକୁ ନଯାଇ ଭୋର ସମୟରେ ମୁଁ ସିଧା ଭିଡ଼ୋର୍‍ଙ୍କ ପାଖକୁ ଅର୍‍ଗାନ୍‍ ବଜାଇବା ଲାଗି ଚାଲି ଯାଉଥିଲି ।

 

୧୮୯୯ ମସିହା ମାର୍ଚ୍ଚମାସ ଅଧାଅଧି ବେଳକୁ ମୁଁ ଷ୍ଟ୍ରାସ୍‍ବୁର୍ଗ୍‍ର ଆସି ଥିଓବାଲ୍‍ଡ଼୍‍ ଡସିଇଗ୍‍ଲର୍‍ଙ୍କୁ ମୋର ନିବନ୍ଧଟି ପଢ଼ି ଶୁଣାଇଥିଲି । ତାଙ୍କର ଭାବରୁ ଯେପରି ଜଣାପଡ଼ିଲା ଯେ ସେ ଅନେକାଂଶରେ ମୋ’ ସହିତ ଏକମତ ହୋଇଥିଲେ । ଜୁଲାଇ ଶେଷବେଳକୁ ମୁଁ ଡିଗ୍ରୀ ପାଇବି ବୋଲି ସ୍ଥିରୀକୃତ ହୋଇଥିଲା ।

 

X X X X

 

୧୮୯୯ ମସିହା ଗ୍ରୀଷ୍ମକାଳଟା ମୁଁ ବର୍ଲିନରେ କଟାଇଥିଲି ଓ ସେଠାରେ ମୋର ଅଧିକାଂଶ ସମୟ ମୁଁ ଦର୍ଶନ ଅଧ୍ୟୟନ ଲାଗି ଦେଇଥିଲି । ପ୍ରାଚୀନ ଓ ଆଧୁନିକ ଦର୍ଶନର ପ୍ରଧାନ ପ୍ରଧାନ ଗ୍ରନ୍ଥମାନ ପଢ଼ି ଶେଷ କରିଦେବି, ମୋର ମନ ଭିତରେ ଏହିପରି ଏକ ଅଭିଳାଷ ରହିଥାଏ-। ଅଧ୍ୟୟନ ସଙ୍ଗେ ସଙ୍ଗେ ମୁଁ ହାର୍‍ନାକ୍‍, ଫାଇଡ଼ରର୍‍, କାପ୍‍ଟାକ୍‍, ପାଉଲ୍‍ସନ୍‍ ଓ ସିମେଲ୍‍ ପ୍ରଭୃତି ଦାର୍ଶନିକମାନଙ୍କର ଅଧ୍ୟାପନାରେ ମଧ୍ୟ ଯୋଗ ଦେଉଥିଲି । ସିମେଲ୍‍ଙ୍କର ଅଧ୍ୟାପନା ଶୁଣିବାକୁ ପ୍ରଥମେ ମୁଁ ବେଳେବେଳେ ଯାଉଥିଲି, କିନ୍ତୁ ପରେ ନିୟମିତ ଭାବରେ ଯିବାକୁ ଆରମ୍ଭ କଲି-

 

ବେଶ୍‍ କିଛିଦିନ ପରେ ହାର୍‍ନାକ୍‍ଙ୍କ ପ୍ରତି ମୁଁ ପ୍ରକୃତରେ ଏକ ଆକର୍ଷଣ ଅନୁଭବ କରିବାକୁ ଲାଗିଲି । ତାଙ୍କ ଲିଖିତ ଖ୍ରୀଷ୍ଟିଆନ୍‍ ଧର୍ମାନୁଶାସନର ଇତିହାସକୁ ଆଗରୁ ମୁଁ ଷ୍ଟ୍ରାସ୍‍ବୁର୍ଗରେ ଥିଲାବେଳେ ପଢ଼ିଥିଲି ଓ ସେତେବେଳେ ମଧ୍ୟ ସେଥିରୁ ଅନେକ ପ୍ରେରଣା ଲାଭ କରିଥିଲି । ଅବଶ୍ୟ ବର୍ଲିନ୍‍କୁ ଆସିବାର ଅଳ୍ପଦିନ ପରେ ବନ୍ଧୁମାନେ ତାଙ୍କ ସହିତ ମୋର ପରିଚୟ କରାଇ ଦେଇଥିଲେ ଏବଂ କେତେଥର ମୁଁ ତାଙ୍କର ଘରକୁ ମଧ୍ୟ ଯାଇଥିଲି । ତାଙ୍କର ଜ୍ଞାନ ଓ ବହୁମୁଖୀ ଆଗ୍ରହ ମୋତେ ଏପରି ବିସ୍ମିତ ଓ ଅଭିଭୂତି କରି ପକାଇଥିଲା ଯେ ତାଙ୍କର ସମ୍ମୁଖରେ ଆସିଲାବେଳେ ମୋତେ ଏକପ୍ରକାର ସମ୍ଭ୍ରମଭାବ ବଡ଼ ସଙ୍କୁଚିତ କରି ରଖୁଥିଲା ଏବଂ ତାଙ୍କର ପ୍ରଶ୍ନଗୁଡ଼ିକର ମୁଁ ଠିକ୍‍ ଠିକ୍‍ ଉତ୍ତର ମଧ୍ୟ ଦେଇପାରୁ ନଥିଲି । ପରେ ଅନେକବାର ମୁଁ ତାଙ୍କଠାରୁ ବନ୍ଧୁତାସୂଚକ ଓ ଜ୍ଞାନଗର୍ଭକ ପୋଷ୍ଟକାର୍ଡ଼ମାନ ପାଇଚି । ଆପଣାର ପତ୍ରବିନିମୟରେ ସେ ପ୍ରଧାନତଃ କେବଳ ପୋଷ୍ଟକାର୍ଡ଼ ହିଁ ବ୍ୟବହାର କରୁଥିଲେ । ୧୯୩୦ ମସିହାରେ ଲାମ୍ବାରେନେଠାରେ ମୁଁ ତାଙ୍କର ଦୁଇଟି ପୂରାଲେଖା ପୋଷ୍ଟକାର୍ଡ଼ ପାଇଥିଲି । ସେତେବେଳେ ପ୍ରକାଶିତ ହୋଇଥିବା ମୋର ‘ଧର୍ମଦୂତ ପଲ୍‍ଙ୍କର ଈଶ୍ଵରାତ୍ମବାଦ’ (Mystik des Apostels Paulus) ଉପରେ ତାଙ୍କର ମତାମତ ବ୍ୟକ୍ତକରି ସେ ଏହି ପତ୍ର ଦୁଇଟି ଲେଖିଥିଲେ । ସେହି ଦୁଇଟି ହିଁ ଖୁବ୍‍ ସମ୍ଭବ ମୋ’ ପାଖକୁ ତାଙ୍କର ଶେଷ ପତ୍ର ଥିଲା ।

 

X X X X

 

ୟର୍ନଷ୍ଟ କୁର୍ଟିଉସ୍‍ଙ୍କର ବିଧବା ପତ୍ନୀଙ୍କର ଗୃହରେ ମୁଁ ତତ୍କାଳୀନ ବର୍ଲିନର ଜ୍ଞାନ ଓ ଗବେଷଣା-ଜଗତରେ ସମ୍ପର୍କରେ ଆସିଥିଲି । ଜୀବନର ସେହି ସୁଖ ଓ ସୌଭାଗ୍ୟମୟ ଦିନଗୁଡ଼ିକ ଉପରେ ଏବେ ମଧ୍ୟ ଅନେକ ସମୟରେ ମୁଁ ଦୃଷ୍ଟିପାତ କରି ଦେଖିଥାଏ । ମୋତେ ପ୍ରକୃତରେ ବଡ଼ ଭାଗ୍ୟବନ୍ତ ବୋଲି କହିବାକୁ ହିଁ ପଡ଼ିବ । ସେହି ଘରେ ମୁଁ ବର୍ଲିନ୍‍ର ଜ୍ଞାନାଲୋଚନ-ଜୀବନର ତୁଙ୍ଗ ଓ ପ୍ରବୀଣ ପଣ୍ଡିତମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାର ସୁଯୋଗ ପାଇଥିଲି ।

 

ପାରିସ୍‍ ଅପେକ୍ଷା ବର୍ଲିନ୍‍ର ବୌଦ୍ଧିକ ଜୀବନ ମୋ’ ଉପରେ ଅଧିକ ପ୍ରଭାବ ପକାଇଥିଲା । ପାରିସ୍‍କୁ ଏକ ବିଶ୍ଵନଗରୀ ବୋଲି କୁହାଯାଇପାରେ, ତେଣୁ ସେହି ସ୍ଥାନର ବୌଦ୍ଧିକ ଜୀବନ ପ୍ରକୃତରେ ବଡ଼ ବିରକ୍ତ ହୋଇ ପଡ଼ିଥିଲା । ପାରିସ୍‍ର ବୌଦ୍ଧିକ ଜୀବନରେ ରହିଥିବା ମୂଲ୍ୟଗୁଡ଼ିକ ନିରୂପଣ କରିବା ପୂର୍ବରୁ ପ୍ରଥମେ ସେହି ଜୀବନ ସହିତ ଆଗ ଆପଣାକୁ ପୂରାପୂରି ମଡ଼ାଇ ନେବାକୁ ପଡ଼ୁଥିଲା । କିନ୍ତୁ ବର୍ଲିନ୍‍ର ବୌଦ୍ଧିକ କ୍ଷେତ୍ର ଭିନ୍ନ ପ୍ରକାରର ଥିଲା । ବର୍ଲିନ୍‍ର ସୁସଙ୍ଗଠିତ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର କରି ହିଁ ତାହା ଆପଣାକୁ ସଙ୍ଗଠିତ କରି ରଖିଥିଲା । ବର୍ଲିନ୍‍ ବିଶ୍ୱବିଦ୍ୟାଳୟ ସେତେବେଳେ ଗୋଟିଏ ଜୀବନ୍ତ ଅନୁଷ୍ଠାନ ପରି କାର୍ଯ୍ୟ କରୁଥିଲା । ବର୍ଲିନ୍‍ ସହର ମଧ୍ୟ ସେତେବେଳକୁ ଏକ ବିଶ୍ଵନଗରୀ ପରି ଏତେ ବଡ଼ ହୋଇ ନଥିଲା । ବର୍ଲିନ୍‍କୁ ଆସିଲେ ଏକ କ୍ରମବର୍ଦ୍ଧମାନ ଓ କ୍ରମବିକଶିତ ଏକ ପ୍ରାଦେଶିକ ବୃହତ୍‍ ସହରକୁ ଆସିବା ପରି ମନେ ହେଉଥିଲା । ଏହାର ସମସ୍ତ ଜୀବନ ଓ ବାତାବରଣ ଭିତରେ ଏକ ସୁସ୍ଥ ଆତ୍ମଚେତନା ଭରି ରହିଥିଲା । ଏହାର ଭାଗ୍ୟନିର୍ମାତାମାନଙ୍କ ଉପରେ ଅଧିବାସୀମାନଙ୍କର ଅଟଳ ବିଶ୍ଵାସ ଥିଲା । କିନ୍ତୁ ସମକାଳୀନ ପାରିସରେ ଏହି ସବୁର ବଡ଼ ଅଭାବ ପରିଲକ୍ଷିତ ହେଉଥିଲା । ଡ୍ରାଇଫସ୍‍ ମୋକଦ୍ଦମା ଜନିତ ଉତ୍ତେଜନାରେ ତାହା ବଡ଼ ବ୍ୟସ୍ତ ଓ ଉତ୍ତେଜିତ ହୋଇ ରହିଥିଲା । ତେଣୁ ବର୍ଲିନ୍‍ ସହରର ଇତିହାସର ସବୁଠାରୁ ସମୃଦ୍ଧିମନ୍ତ ସମୟରେ ମୁଁ ବର୍ଲିନ୍‍ର ପରିଚୟରେ ଆସିବାର ସୌଭାଗ୍ୟ ଲାଭ କରିଥିଲି । ବର୍ଲିନ୍‍କୁ ଭଲ ପାଇବାର ସୁଅବସର ପାଇଥିଲି । ବର୍ଲିନରେ ବାସ କରୁଥିବା ଜନସମାଜର ସରଳ ଜୀବନ ମୋତେ ଖୁବ୍‍ ପ୍ରଭାବିତ କରିଥିଲା । ବର୍ଲିନ୍‍ର ପାରିବାରିକ ଜୀବନରେ ପ୍ରବେଶ ଓ ପରିଚୟ ଲାଭକରିବା ସେତେବେଳେ ଆଦୌ ଦୁଷ୍କର ନଥିଲା ।

☆☆☆

 

ଷ୍ଟ୍ରାସ୍‍ବୁର୍ଗରେ ପ୍ରଥମ କେତେବର୍ଷ

 

୧୮୯୯ ମସିହା ଜୁଲାଇ ଶେଷ ଭାଗରେ ମୁଁ ଷ୍ଟ୍ରାସ୍‍ବୁର୍ଗ୍‍ ଫେରି ଆସିଲି ଏବଂ ଦର୍ଶନରେ ମୋର ଡିଗ୍ରୀ ଗ୍ରହଣ କଲି । ମୋର ପରୀକ୍ଷକଦ୍ୱୟ, ତସିଇଗ୍‍ଲ୍‍ର ଏବଂ ଉଇଣ୍ଡେଲ୍‍ବାଣ୍ଡ,-ଉଭୟେ ମତ ଦେଲେ ଯେ ମୌଖିକ ପରୀକ୍ଷାରେ ମୁଁ ସେମାନଙ୍କର ଆଶାନୁରୂପ କୃତିତ୍ଵ ଦେଖାଇ ପାରିଲି ନାହିଁ । ମୋ’ର ଲିଖିତ ନିବନ୍ଧଟି ପଢ଼ିବାପରେ ମୌଖିକ ପରୀକ୍ଷାରେ ମୁଁ ଆହୁରି ଭଲ କରିବି ବୋଲି ସେମାନେ ଆଶା କରିଥିଲେ । ଶ୍ରୀଯୁକ୍ତ ଷ୍ଟୁମ୍ଫ୍‍ଙ୍କ ପାଖରେ ପ୍ରୟୋଗ କରିବାରେ ମୁଁ ଯେତେ ସମୟ ଅତିବାହିତ କରିଥିଲି, ଏହି ମୌଖିକ ପରୀକ୍ଷା ପାଇଁ ତିଆରି ହେବା ଦୃଷ୍ଟିରୁ ସେହି ସମୟତକ ମୋର ନଷ୍ଟ ହୋଇଥିଲା ବୋଲି କୁହାଯାଇ ପାରିବ । ତାହାଛଡ଼ା ମୂଳ ଗ୍ରନ୍ଥମାନ ପଢ଼ିବାର ଆଗ୍ରହରେ ମୁଁ ପାଠ୍ୟପୁସ୍ତକଗୁଡ଼ିକ ପଢ଼ିବାରେ ମଧ୍ୟ ଅନେକ ଅବହେଳା କରି ପକାଇଥିଲି ।

 

୧୮୯୯ ମସିହାର ଶେଷ ଭାଗରେ ମୋର ନିବନ୍ଧ ପୁସ୍ତକାକାରରେ ପ୍ରକାଶିତ ହେଲା । ତାହାର ନାମ ହେଲା “କାଣ୍ଟ୍‍ଙ୍କର ଧର୍ମଦର୍ଶନ...” [Die Religionsphilosophie Kants vor der kritik der reinen Vernunft bis zur Religion innerhalb der Grenzen der blossen Vernunft.] ୩୨୫ପୃଷ୍ଠାରେ ଏହି ପୁସ୍ତକକୁ ଟ୍ୟୁବିଙ୍ଗେନ୍‍ର ମୋହର ଏବଂ ସିଇବେକ୍‍ ପ୍ରକାଶସଂସ୍ଥା ପ୍ରକାଶ କରିଥିଲେ । ଏଭଳି ଏକ ନାମଜାଦା ପ୍ରକାଶସଂସ୍ଥା ଯେ ଜଣେ ନୂତନ ଲେଖକର ଏଡ଼େବଡ଼ ପ୍ରଥମ ପୁସ୍ତକଟିକୁ ପ୍ରକାଶ କରିବାଲାଗି ଗ୍ରହଣ କଲେ, ହଲ୍‍ତସ୍-ମାନଙ୍କର ସହାନୁଭୂତିପୂର୍ଣ୍ଣ ସୁପାରିସ୍‍ ପତ୍ରକୁ ହିଁ ଏହାର କାରଣ ବୋଲି କହିବାକୁ ହେବ ।

 

ଦର୍ଶନ ବିଭାଗର ଜଣେ ଅଧ୍ୟାପକ (Privatdozent) ହେବାକୁ ପ୍ରାର୍ଥୀ ହେବାଲାଗି ଥିଓବାଲ୍‍ଡ଼୍‍ ତସିଇଗ୍‍ଲର୍ ଆସି ମୋତେ ଅଡ଼ିବସିଲେ, କିନ୍ତୁ ମୁଁ ଥିଓଲଜି ବିଭାଗରେ ଯୋଗ ଦେବାକୁ ନିଷ୍ପତ୍ତି କରିଥିଲି । ତସିଇଗ୍‍ଲର୍ ମୋତେ ଏକଥା ମଧ୍ୟ ସୂଚାଇ ଦେଇଥିଲେ ସେ ଦର୍ଶନବିଭାଗରେ ଅଧ୍ୟାପକ ହେବାପରେ ମୋତେ ପାଦ୍ରୀ ହୋଇ ସକ୍ରିୟ ଧର୍ମୋପଦେଶ ଦେଉଥିବାର ଦେଖିବାକୁ ଲୋକମାନଙ୍କୁ ଆଉ ଭଲ ଲାଗିବନାହିଁ । କିନ୍ତୁ ଧର୍ମପ୍ରଚାରକୁ ମୁଁ ମୋ’ ଜୀବନର ଏକ ଆନ୍ତରିକ ଆବଶ୍ୟକତା ବୋଲି ମନେ କରୁଥିଲି । ପ୍ରତି ରବିବାର ଦିନ ଜୀବନର ଗୂଢ଼ ଓ ଗଭୀରତମ ବିଷୟମାନଙ୍କ ସମ୍ବନ୍ଧରେ ଗିର୍ଜାଘରେ ସମବେତ ହୋଇଥିବା ଏକ ଶ୍ରୋତୃମଣ୍ଡଳୀକୁ ଭାଷଣ ଦେବାର ଅନୁମତି ପାଇବାକୁ ମୁଁ ଏକ ଅପୂର୍ବ ସୁଯୋଗ ବୋଲି ଅନୁଭବ କରୁଥିଲି ।

 

ଏହାପରେ ଷ୍ଟ୍ରାସ୍‍ବୁର୍ଗରେ ହିଁ ମୁଁ ସ୍ଥାୟୀ ଭାବରେ ରହିଲି । ବିଶ୍ଵ ବିଦ୍ୟାଳୟର ଛାତ୍ର ହୋଇ ନଥିଲେ ମଧ୍ୟ ମୋତେ ଗୋଟିଏ କଲେଜର ଛାତ୍ରାବାସରେ (Collegium) ରହିବାର ଅନୁମତି ମିଳିଥିଲା । ସେଠାରେ ମୋର ଦେୟ ଦେଇ ସାଧାରଣ ଛାତ୍ରମାନଙ୍କ ସହିତ ବାସ କରିବାକୁ ମୋତେ ଭାରି ଭଲ ଲାଗୁଥିଲା । ଘର ଆଗକୁ ଉଦ୍ୟାନ, ଉଦ୍ୟାନରେ ସୁନ୍ଦର ବଡ଼ବଡ଼ ଗଛ,–ଏହି ଘରେ ଛାତ୍ରାବସ୍ଥାରେ ମୁଁ ଅନେକ ବର୍ଷ ଅତିବାହିତ କରିଚି । ବର୍ତ୍ତମାନ ମୋର ସମ୍ମୁଖରେ ଥିବା କର୍ତ୍ତବ୍ୟଗୁଡ଼ିକୁ ସମ୍ପାଦନ କରିବାଲାଗି ଏହାଠାରୁ ଆଉ ଯୋଗ୍ୟତର ସ୍ଥାନ ମୋତେ କେଉଁଠାରେ ମିଳିଥାନ୍ତା ?

 

ଡାକ୍ତର ଉପାଧିର ନିବନ୍ଧ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ସମାପ୍ତ ହେବା ସଙ୍ଗେ ସଙ୍ଗେ ଥିଓଲଜି ବିଭାଗର ଅଧ୍ୟାପକ ହେବାପାଇଁ ମୁଁ ପ୍ରସ୍ତୁତ ହେବାରେ ଲାଗି ପଡ଼ିଲି । ଯଥାସମ୍ଭବ ଏହି ଡିଗ୍ରୀଟି ହାସଲ କରିବା ମୋର ଉଦ୍ଦେଶ୍ୟ ଥିଲା, କାରଣ ମୁଁ ଭାବୁଥିଲି ଯେ ମୋର କାମ ସରିଯିବାପରେ ଆଉ ଜଣେ ଯୋଗ୍ୟ ଓ ଇଚ୍ଛୁକ ଛାତ୍ର ‘ଗିଲ୍‍’ ଛାତ୍ରବୃତ୍ତି ଦ୍ଵାରା ଉପକୃତ ହୋଇପାରିବ । ଯେଉଁ ଛାତ୍ରଟିକୁ ଆଖିଆଗରେ ରଖି ତରତର ହୋଇ ମୁଁ ମୋର କାମ ସାରିଦେବାକୁ ବସିଲି, ସେ ହେଉଚି ୟେର୍ଗାର ମୋର ସତୀର୍ଥ ଓ ସମସାମୟିକ ସେମିଟିକ୍‍ ଭାଷାରେ ବିଶାରଦ । ପରେ ସେ ଷ୍ଟ୍ରାସ୍‍ବୁର୍ଗରେ ଥିବା ଉଚ୍ଚବିଦ୍ୟାଳୟ (Gymnasium)ର ପରିଚାଳକ ରୂପେ ନିଯୁକ୍ତ ହୋଇଥିଲା । କିନ୍ତୁ ଏହି ଛାତ୍ରବୃତ୍ତିର କୌଣସି ଉପଯୋଗ ସେ କରିପାରିଲା ନାହିଁ । ମୁଁ ଆଗରୁ ଏହିକଥା ଜାଣିଥିଲେ ଏପରି ସ୍ଥାୟୀ ଭାବରେ ଆସି ଗୋଟାଏ ଜାଗାରେ ବସିଯିବା ଆଗରୁ ସେହି ଛାତ୍ରବୃତ୍ତିରୁ ମିଳୁଥିବା ଅର୍ଥ ସାହାଯ୍ୟରେ ଆଉକିଛି ଦିନ ନାନାଆଡ଼େ ଭ୍ରମଣ କରି ଯାଇଥାନ୍ତି ଏବଂ ତା’ପରେ ଇଂଲଣ୍ଡର କୌଣସି ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତି । ଅନ୍ୟମାନଙ୍କ ପାଇଁ ମିଛଟାରେ ଚିନ୍ତିତ ହୋଇ ହୋଇ ମୁଁ ଏପରି ଏକ ସୁବିଧାକୁ ଆପଣାର ହାତରୁ ହରାଇ ବସିଲି, ଏଥିଲାଗି ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ଅନେକବାର ଶୋଚନା କରିଚି ।

 

୧୮୯୯ ମସିହା ଡିସେମ୍ବର ପହିଲାରେ ଷ୍ଟ୍ରାସ୍‍ବୁର୍ଗ୍‍ର ସେଣ୍ଟ୍ ନିକୋଲାଇ ଗିର୍ଜାରେ ମୁଁ ପ୍ରଚାରକ ପଦରେ ନିଯୁକ୍ତ ହେଲି । ପ୍ରଥମେ ତୃତୀୟ ଶ୍ରେଣୀର ପାଦ୍ରୀରୂପେ (Lehrvikar) ନିଯୁକ୍ତ ହେଲି, କିନ୍ତୁ ତା’ପରେ ଅର୍ଥାତ୍‍ ଥିଓଲଜିର ଦ୍ଵିତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରିବାପରେ ମୁଁ ସହକାରୀ ପାଦ୍ରୀପଦକୁ (vikar) ଉନ୍ନୀତ ହୋଇଥିଲି ।

 

ଏହି ଦ୍ଵିତୀୟ ପରୀକ୍ଷାଟିରେ ମୁଁ କେବଳ ପାସ୍‍ କରିଥିଲି । ଅଭିଜ୍ଞ ଓ ପ୍ରବୀଣ ପାଦ୍ରୀମାନେ ଏହି ପରୀକ୍ଷାରେ ପରୀକ୍ଷକ ଥିଲେ । ଅଧ୍ୟାପକ ପଦ ପାଇଁ ପ୍ରାର୍ଥୀ ହେବାଲାଗି ଆପଣାକୁ ପ୍ରସ୍ତୁତ କରିବାରେ ମୁଁ ଏତେ ବ୍ୟସ୍ତ ଥିଲି ଯେ ଏହି ପରୀକ୍ଷାଟି ପାଇଁ ଥିଓଲଜିର ବିଭିନ୍ନ ବିଭାଗୀୟ ବିଷୟଗୁଡ଼ିକ ମୋର ମନେ ଅଛି କି ନାହିଁ, ଆଗରୁ ତାହା ପରୀକ୍ଷା କରି ଥରେ ଦେଖିବାକୁ ମଧ୍ୟ ମୁଁ ସମୟ ପାଇଲି ନାହିଁ ।

 

ସେଣ୍ଟ୍ ନିକୋଲାଇ ଗିର୍ଜାରେ ମୋତେ ଉପରବେଳାର ପ୍ରାର୍ଥନାଟି ପରିଚାଳନା କରିବାକୁ ପଡ଼ୁଥିଲା । ରବିବାର ଦିନ ପିଲାଙ୍କର ଉପାସନା ଓ ପ୍ରାର୍ଥନା ପରିଚାଳନା କରିବା ଏବଂ କନ୍‍ଫରମେଶନ୍‍ କ୍ଲାସ୍ ନେବାର ଦାୟିତ୍ଵ ମଧ୍ୟ ମୋତେ ଦିଆ ଯାଇଥିଲା । ସବୁବେଳେ ଏହିସବୁ କାର୍ଯ୍ୟରୁ ମୋତେ ପ୍ରଭୂତ ଆନନ୍ଦ ମିଳୁଥିଲା । ଉପରବେଳା ପ୍ରାର୍ଥନାରେ ଯୋଗ ଦେବାକୁ ମୋଟେ ଅଳ୍ପସଂଖ୍ୟକ ଲୋକ ଆସୁଥିଲେ । ତେଣୁ ସେମାନଙ୍କୁ ଅଧିକ ଆନ୍ତରିକ ଭାବରେ ଧର୍ମୋପଦେଶ ଓ ଧର୍ମାଲୋଚନା ଶୁଣାଇବା ହୋଇ ପାରୁଥିଲା । ବାପାଙ୍କଠାରୁ ମୁଁ ଏହି ଆନ୍ତରିକ ପଦ୍ଧତିଟି ଶିକ୍ଷା କରିଥିଲି । ସକାଳ ପ୍ରାର୍ଥନାସଭା ଅପେକ୍ଷା ଅଧିକ ସହଜଭାବରେ ଉପରଓଳି ପ୍ରାର୍ଥନାସଭାରେ ମୁଁ ଆପଣାର ଭାବନାଗୁଡ଼ିକୁ ପ୍ରକାଶ କରିପାରୁଥିଲି । ଅତିରିକ୍ତ ଅଧିକ ସଂଖ୍ୟକ ଏକ ଜନସମାଗମ ଆଗରେ ଧର୍ମୋପଦେଶ ଦେବାକୁ ବର୍ତ୍ତମାନ ମଧ୍ୟ ମୋତେ ବେଶ୍‍ ସଙ୍କୋଚ ଲାଗେ । ଧୀରେ ଧୀରେ ସକାଳର ପ୍ରାର୍ଥନା ପରିଚାଳନା କରିବାର ଦାୟିତ୍ଵ ମଧ୍ୟ ମୋ’ ଉପରେ ପଡ଼ିଲା । ମୁଁ ମୋର ଭାଷଣକୁ ଆଗରୁ ସମ୍ପୂର୍ଣ୍ଣ ଭାବରେ ଲେଖିକରି ନେଇଆସୁଥିଲି, ଶେଷ ନକଲ କରିବା ପୂର୍ବରୁ ତାହାକୁ ଅନେକ ସମୟରେ ଦୁଇତିନିଥର ଚିଠା କରିବାକୁ ପଡ଼ୁଥିଲା । ଗିର୍ଜାରେ ଭାଷଣ ଦେଲାବେଳେ ଅବଶ୍ୟ ମୁଁ ଅତି ଯତ୍ନସହକାରେ କଣ୍ଠସ୍ଥ କରି ରଖିଥିବା ଏହି ଲେଖାଭିତରେ ଆପଣାକୁ ଆଦୌ ଆବଦ୍ଧ ରଖୁନଥିଲି, ମାତ୍ର ଅନେକ ସମୟରେ ଆପଣା ମନକୁ ଏକ ସମ୍ପୂର୍ଣ୍ଣ ଭିନ୍ନଧରଣର ଭାଷଣ ମଧ୍ୟ ଦେଇ ପକାଉଥିଲି ।

 

ଉପର ବେଳାର ଭାଷଣଗୁଡ଼ିକୁ ମୁଁ ଧର୍ମପ୍ରଚାର ରୂପେ ନୁହେଁ, ପୂଜା ବା ଉପାସନା ରୂପେ ଗ୍ରହଣ କରି ନେଇଥିଲି । ସେହି ଭାଷଣଗୁଡ଼ିକ ଏତେ ସଂକ୍ଷିପ୍ତ ହୋଇ ପଡ଼ୁଥିଲା ଯେ ସ୍ଥାନୀୟ ଧର୍ମମଣ୍ଡଳୀର ଲୋକମାନେ ଏହି ବିଷୟରେ ମୋର ବିରୁଦ୍ଧରେ ଏକ ଅଭିଯୋଗ ମଧ୍ୟ ଆଣିଥିଲେ । ମୋର ଉପରିସ୍ଥ କର୍ମଚାରୀ ଶ୍ରୀଯୁକ୍ତ କନିଟେଲ୍‍ଙ୍କୁ ଏଥିଲାଗି ଲୋକମାନଙ୍କ ଆଗରେ କୈଫିୟତ୍‍ ମଧ୍ୟ ଦେବାକୁ ପଡ଼ିଥିଲା । ଅଭିଯୋଗ କରିଥିବା ଲୋକମାନଙ୍କୁ ସେ କ’ଣ ଉତ୍ତର ଦେବେ; ଶ୍ରୀଯୁକ୍ତ କନିଟେଲ୍‍ ମୋତେ ଏହି ପ୍ରଶ୍ନ ଆସି ପଚାରିଲେ । ମୁଁ ତାଙ୍କୁ ଏହିକଥା କହିବାକୁ କହିଲି ଯେ ପାଦ୍ରୀ ହିସାବରେ ମୋର ଖୁବ୍‍ ବେଶୀ ନିପୁଣତା ନଥିଲା ଏବଂ ଯେତେବେଳେ ଧର୍ମପୁସ୍ତକ ବିଷୟରେ ମୁଁ ଆଉ ଅଧିକ କ’ଣ କହିବି ବୋଲି କିଛି ଖୋଜି ପାଉ ନଥିଲି, ସେତେବେଳେ ବାଧ୍ୟହୋଇ ସେତିକିରେ ମୋର ଭାଷଣ ମୁଁ ବନ୍ଦ କରି ଦେଉଥିଲି । ଶ୍ରୀଯୁକ୍ତ କନିଟେଲ୍‍ ମୋତେ ଟିକିଏ ଆକଟ କଥା କହି ବିଦାୟ ଦେଲେ ଏବଂ ଗିର୍ଜାରେ ମୋର ଭାଷଣକୁ ମୁଁ କୋଡ଼ିଏ ମିନିଟରୁ କଦାପି କମ୍‍ କରିପାରିବି ନାହିଁ ବୋଲି ମୋତେ ଏକ ନିର୍ଦ୍ଦେଶ ମଧ୍ୟ ଦେଇଗଲେ-। x x x

 

ସପ୍ତାହରେ ତିନି ଥର କରି, ସକାଳ ଓଳି ସ୍କୁଲ ପରେ ଏଗାରଟାରୁ ବାରଟା ଯାଏ ମୋତେ କନ୍‍ଫରମେଶନ୍ କ୍ଲାସ୍‍ର ବାଳକମାନଙ୍କୁ ଧର୍ମଶିକ୍ଷା ଦେବାକୁ ପଡ଼ୁଥିଲା । ଏଲ୍‍ସାଶ୍‍ ପ୍ରଦେଶର ରୀତି ଅନୁସାରେ ଏହା ଦୁଇ ବର୍ଷର ପାଠ୍ୟ ଥିଲା । ପିଲାମାନଙ୍କୁ ଘରେ ପଢ଼ିବାଲାଗି ବା ଲେଖିବା ଲାଗି ମୁଁ ପ୍ରାୟ କୌଣସି କାମ ଦେଉ ନଥିଲି । ଧର୍ମଶିକ୍ଷା ଯେପରି ଭାବରେ ପିଲାମାନଙ୍କର ହୃଦୟ ଏବଂ ଆତ୍ମାକୁ କେବଳ ସରସ ଓ ଶୁଦ୍ଧସଜୀବ କରି ରଖିବ, ଏହାହିଁ ମୋର ଉଦ୍ଦେଶ୍ୟ ଥିଲା । ତେଣୁ କ୍ଲାସ୍ ସମୟର ଶେଷ ଦଶମିନିଟ ବାଇବେଲ୍‍ର ସ୍ତବ ଓ ଭକ୍ତିଗୁଡ଼ିକୁ ମୋ’ସହିତ ଏକାଠି ଆବୃତ୍ତି କରିବାଲାଗି ମୁଁ ସେମାନଙ୍କୁ କହୁଥିଲି । ଏହିସବୁ ଉକ୍ତି ଓ ସ୍ତବ କ୍ରମେ ସେମାନଙ୍କର କଣ୍ଠସ୍ଥ ହୋଇଯିବ ଏବଂ ଜୀବନସାରା ସେମାନଙ୍କୁ ବାଟ ଦେଖାଇବ, ଏତିକି ମାତ୍ର ମୁଁ ଚାହୁଁଥିଲି । ବାଇବେଲ୍‍ର ଧର୍ମସନ୍ଦେଶମାନ ପିଲାମାନଙ୍କର ହୃଦୟ ଓ ଭାବନାଭିତରେ ପ୍ରବେଶ କରୁ, ଏପରି ଏକ ଧର୍ମାନୁରାଗ ସେମାନଙ୍କର ଜୀବନକୁ ସ୍ପର୍ଶ ଓ ପ୍ରଭାବିତ କରୁ ଯେପରିକି ଭବିଷ୍ୟତ ଜୀବନରେ କୌଣସିପ୍ରକାର ଅଧର୍ମ ବା ପାପ ସେମାନଙ୍କୁ ଆପଣାର କବଳରେ ପକାଇ ଦେବାକୁ ଆସିବା ବେଳେ ସେମାନେ ସେହି ପ୍ରଲୋଭନର ପ୍ରତିରୋଧ କରିପାରିବେ, ମୋର ସମସ୍ତ ଧର୍ମ ଶିକ୍ଷାର ଏହାହିଁ ଉଦ୍ଦେଶ୍ୟ ଥିଲା । ଗିର୍ଜା ପ୍ରତି ସେମାନଙ୍କର ଅନୁରାଗ ଜନ୍ମୁ ଏବଂ ରବିବାରର ଉପାସନା ସଭାରେ ଯୋଗ ଦେଲାବେଳେ ସେମାନେ ଆପଣା ଆପଣାର ଆତ୍ମାଲାଗି ଏକ ପ୍ରଶାନ୍ତ ଓ ପ୍ରସନ୍ନ ଅବସରର ଆବଶ୍ୟକତା ଅନୁଭବ କରନ୍ତୁ, ଏଥିଲାଗି ମୁଁ ସକଳ ପ୍ରକାରେ ଚେଷ୍ଟା କରୁଥିଲି । ପାରମ୍ପରିକ ଧର୍ମନୀତିରେ ଶ୍ରଦ୍ଧା ସ୍ଥାପନ କରିବାକୁ ସେମାନଙ୍କୁ ମୁଁ ଶିକ୍ଷା ଦେଉଥିଲି । “ଯେଉଁଠାରେ ଖ୍ରୀଷ୍ଟଙ୍କର ଆତ୍ମା ବିଦ୍ୟମାନ ରହିଚି, ସେହିଠାରେ ହିଁ ମୁକ୍ତି ମଧ୍ୟ ବିଦ୍ୟମାନ ରହିଚି,”–ସନ୍ଥ ପଲ୍‍ଙ୍କର ଏହି ଉକ୍ତିଟି ପ୍ରତି ଏକନିଷ୍ଠ ରହିବାକୁ ମଧ୍ୟ ମୁଁ ସେମାନଙ୍କୁ କହି ରଖୁଥିଲି ।

 

ସେତେବେଳେ ବର୍ଷ ବର୍ଷ ଧରି ମୁଁ ଯେଉଁ ମଞ୍ଜି ବୁଣିବାରେ ଲାଗିଥିଲି, ସେଥିରୁ କେତେକ ଗଜା ହୋଇଚି ଓ ଗଛ ହୋଇ ବଢ଼ିବାକୁ ଆରମ୍ଭ କରିଚି ବୋଲି ମୋତେ ପରେ ଖବର ମିଳିଚି । ଯୀଶୁଧର୍ମର ସାରସତ୍ୟଗୁଡ଼ିକୁ ସେମାନଙ୍କ ହୃଦୟ ଭିତରେ ପ୍ରବିଷ୍ଟ କରାଇ ଦେଇ ଥିବାରୁ ଏବଂ ସେମାନଙ୍କର ଭାବନା ଭିତରେ ସେଗୁଡ଼ିକୁ ଭେଦାଇ ଦେଇ ଥିବାରୁ ଏବଂ ତଦ୍ଦ୍ଵାରା ପରବର୍ତ୍ତୀ ଜୀବନରେ ସବୁପ୍ରକାର ଧର୍ମ ଓ ଧର୍ମଗ୍ରାହିତାକୁ ବର୍ଜନ କରିବାର ବିପଦର ସମ୍ମୁଖୀନ ହେବାଲାଗି ସେମାନଙ୍କୁ ଶକ୍ତିଶାଳୀ କରିଥିବାରୁ ଅନେକ ବ୍ୟକ୍ତି ମୋ’ ପାଖରେ ଆପଣାର କୃତଜ୍ଞତା ଜ୍ଞାପନ କରିଚନ୍ତି ।

 

ମୋର ପୂର୍ବ ପୁରୁଷମାନଙ୍କ ଭିତରେ ରହିଥିବା ଇସ୍କୁଲ ମାଷ୍ଟର ରକ୍ତ ମୋର ଦେହ ଭିତରେ ମଧ୍ୟ କେତେ ପରିମାଣରେ ପ୍ରବାହିତ ହେଉଚି, ଏହି ଧର୍ମଶିକ୍ଷା ଦେଉଥିବା ସମୟରେ ମୁଁ ତାହା ବେଶ୍ ଜାଣି ପାରିଥିଲି ।

 

ନିକୋଲାଇ ଗିର୍ଜାରୁ ମୋତେ ମାସିକ ଏକଶହ ମାର୍କ (ପ୍ରାୟ ୮୦ଟଙ୍କା) ପାରିଶ୍ରମିକ ମିଳୁଥିଲା । କିନ୍ତୁ ଏତିକିରେ ମଧ୍ୟ ମୋର ଆବଶ୍ୟକତା ବେଶ୍‍ ମେଣ୍ଟି ଯାଉଥିଲା, କାରଣ ଛାତ୍ରାବାସରେ ଖାଇବା ଓ ରହିବାର ଖରଚ ଭାରି ଶସ୍ତା ପଡ଼ୁଥିଲା ।

 

X X X X

 

ସେଠାରେ ରହିବାଦ୍ଵାରା ମୋର ସବୁଠାରୁ ଏହି ବଡ଼ ସୁବିଧା ହେଲା ଯେ ବୈଜ୍ଞାନିକ ଅଧ୍ୟୟନ ଓ ସଙ୍ଗୀତ ବିଦ୍ୟା ଲାଗି ମୋତେ ଅନେକ ଅବସର ମିଳି ପାରିଲା । ବସନ୍ତ ଓ ଶରତକାଳର ଛୁଟିରେ କନ୍‍ଫରମେଶନ୍‍ କ୍ଲାସ୍‍ ମଧ୍ୟ ବନ୍ଦ ରହୁଥିଲା । ତେଣୁ କେବଳ ଗିର୍ଜାପ୍ରାର୍ଥନା ପରିଚାଳନା କରିବା ଲାଗି କାହାକୁ ଜଣକୁ ବଦଳି ଦେଇ ପାରିଲେ ମୁଁ ଇଚ୍ଛାନୁସାରେ ସେତେବେଳେ ଅନ୍ୟତ୍ର ଯାଇ ପାରୁଥିଲି । ଏହା ଫଳରେ ମୋତେ ର୍ବୂକେ ପ୍ରାୟ ତିନିମାସ କରି ଛୁଟି ମିଳି ଯାଉଥିଲା : ଇଷ୍ଟର ଛୁଟିରେ ମାସେ ଓଶରତ ଋତୁରେ ଦୁଇମାସ । ବସନ୍ତ ଛୁଟିଟା ମୋର ପ୍ରାୟ ପାରିସରେ କଟୁଥିଲା । ବଡ଼ ବାପାଙ୍କ ଘରେ ରହି ମୁଁ ସେଠାରେ ଭିଡ଼ୋରଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରୁଥିଲି । ଶରତ ଛୁଟିର ଅଧିକାଂଶ ସମୟ ମୁଁ ଗ୍ୟୁନସ୍କସ୍‍ବାଖସ୍କରେ ଥିବା ଆମର ପୁରୁଣା ଘରେ ଅତିବାହିତ କରୁଥିଲି ।

 

ଏହିପରିଭାବରେ ପାରିସରେ ବାରବାର ରହିବାଫଳରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ସହିତ ମୋର ପରିଚୟ ଓ ସମ୍ପର୍କ ସମ୍ଭବ ହୋଇଥିଲା । ୧୯୦୫ ବେଳକୁ ପ୍ରଥମଥର ପାଇଁ ମୁଁ ଶ୍ରୀ ରୋମାଁ ରୋଲାଁଙ୍କୁ ସାକ୍ଷାତ କରିଥିଲି, ପ୍ରଥମେ କେବଳ ସଙ୍ଗୀତଜ୍ଞ ହିସାବରେ ହିଁ ଆମେ ଦୁହେଁ ପରସ୍ପରର ପରିଚୟ ପାଇଥିଲୁ । କିନ୍ତୁ ଆମେ ଦୁହେଁଯାକ ଯେ ଜଣେ ଜଣେ ମଣିଷ, ଧୀରେ ଧୀରେ ଏକଥା ମଧ୍ୟ ଆବିଷ୍କାର କରିଥିଲୁ ଓ ପରସ୍ପରର ବନ୍ଧୁ ହୋଇ ଯାଇଥିଲୁ ।

 

ଜର୍ମାନ୍‍ ସାହିତ୍ୟର ସମାଲୋଚକ ଫରାସୀ ପଣ୍ଡିତ ହେନ୍‍ରି ଲିଖଟେନବେୟାଗ୍‍ଙ୍କ ସହିତ ମଧ୍ୟ ମୋର ସମ୍ପର୍କ ବେଶ୍‍ ହାର୍ଦ୍ଦିକ ଓ ଅନ୍ତରଙ୍ଗ ହୋଇ ପାରିଥିଲା ।

 

ନୂତନ ଶତାବ୍ଦୀର ପ୍ରଥମ ବର୍ଷ ଗୁଡ଼ିକରେ ପାରିସ୍‍ର ‘ବିଦେଶୀ ଭାଷା ସମିତି’ (Societe des Langues etrangeres)ରେ ଜର୍ମାନ୍‍ ସାହିତ୍ୟ ଓ ଦର୍ଶନ ବିଷୟରେ ଜର୍ମାନ୍‍ ଭାଷାରେ ମୋତେ ଧାରାବାହିକ ଭାବରେ କେତେକ ଭାଷଣ ଦେବାକୁ ପଡ଼ିଥିଲା । ନୀତସେ, ଶୋପେନ୍‍ହାଉଆର, ହାଉପ୍‍ଟ୍‍ମାନ୍‍, ସୁଣ୍ଡରମାନ୍‍ ଏବଂ ଗ୍ୟୟଟେଙ୍କର ‘ଫାଉଷ୍ଟ’ ଉପରେ ଦେଇଥିବା ଭାଷଣଗୁଡ଼ିକ ମୋର ଏପର୍ଯ୍ୟନ୍ତ ମନେ ଅଛି । ୧୯୦୦ ମସିହା ଅଗଷ୍ଟ ମାସରେ, ଯେତେବେଳେ ମୁଁ ନୀତସେଙ୍କ ବିଷୟରେ ଭାଷଣ ଦେବାଲାଗି ପ୍ରସ୍ତୁତ ହେଉଥିଲି, ସେତିକିବେଳେ ଖବର ପାଇଲି ଯେ ମୃତ୍ୟୁ ଇତ୍ୟବସରେ ତାଙ୍କୁ ତାଙ୍କର ଅସୁସ୍ଥତା ଜନିତ ଯନ୍ତ୍ରଣାରୁ ନିଷ୍କୃତି ଦେଇ ଯାଇଚି ।

 

ମୋର ରଚନାତ୍ମକ ଜୀବନର ଏହି ମହତ୍ତ୍ଵପୂର୍ଣ୍ଣ ବର୍ଷଗୁଡ଼ିକ ଏହିପରି ସରଳ ଭାବରେ କଟି ଯାଇଥିଲା । ମୁଁ ଅନେକ ଓ କଠିନ ପରିଶ୍ରମ କରୁଥିଲି, କେତେବେଳେ ହେଲେ କୌଣସି ପ୍ରକାରେ ଅନ୍ୟମନସ୍କ ହେଉ ନଥିଲି । କିନ୍ତୁ ତଥାପି ମୋ’ ଭିତରେ କୌଣସି ଅଯଥା ଉଦବେଗ ବା ଅସ୍ଥିରତା ନଥିଲା ।

 

କୌଣସି ଆଡ଼େ ଭ୍ରମଣ କରିଯିବା ମୋ’ ଭାଗ୍ୟକୁ ଜୁଟି ନଥିଲା, କାରଣ ଭ୍ରମଣ ଲାଗି ଆବଶ୍ୟକ ସମୟ ବା ସମ୍ବଳ ମୋ’ ପାଖରେ ନଥିଲା ।

☆☆☆

 

Unknown

‘ଶେଷ ଭୋଜନ’ର ଅଧ୍ୟୟନ ଓ ଯୀଶୁ-ଜୀବନଚରିତ

 

କାଣ୍ଟ୍‍ଙ୍କ ସମ୍ବନ୍ଧରେ ମୋର ଅଧ୍ୟୟନ ସମାପ୍ତ କରିବା ପରେ ପୁଣି ମୁଁ ମୋର ଥିଓଲଜି ଅଧ୍ୟୟନକୁ ଫେରିଆସିଲି । ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାଦିନଠାରୁ ଯୀଶୁ-ଜୀବନଚରିତ ସମ୍ପର୍କୀୟ ବିଭିନ୍ନ ସମସ୍ୟା ବିଷୟରେ ମୁଁ ଯେଉଁସବୁ ଅଧ୍ୟୟନ କରିଥିଲି, ସେହିଗୁଡ଼ିକୁ ଏକତ୍ର କରି ଦେଖିବା ଏବଂ ଅଧ୍ୟାପକ ହେବାର ପରୀକ୍ଷା ପାଇଁ ସେହିଥିରୁ ମୋର ନିବନ୍ଧ ଲେଖିବା ବର୍ତ୍ତମାନ ମୋର ସର୍ବପ୍ରଧାନ କାର୍ଯ୍ୟ ଥିଲା । କିନ୍ତୁ ‘ଶେଷ ଭୋଜନ’ର ଅଧ୍ୟୟନ ଫଳରେ ମୋର ଦୃଷ୍ଟି ଓ ମୋର ଆଗ୍ରହ ଅନେକ ବେଶୀ ପ୍ରସାରିତ ହୋଇଯାଇଥିଲା । ଯୀଶୁ-ଜୀବନ ସମ୍ପର୍କୀୟ ସମସ୍ୟାଗୁଡ଼ିକର କ୍ଷେତ୍ର ଡେଇଁ ବର୍ତ୍ତମାନ ମୁଁ ପ୍ରାଚୀନ ଖ୍ରୀଷ୍ଟିଆନ୍ ଧର୍ମର ନାନା ସମସ୍ୟା ବିଷୟରେ ମନେମନେ ଆଲୋଚନା କରୁଥିଲି । ‘ଶେଷ ଭୋଜନ’ର ସମସ୍ୟାକୁ ଏହି ଉଭୟ କ୍ଷେତ୍ରର ଏକ ସମସ୍ୟା ବୋଲି କୁହାଯାଇ ପାରିବ । ଯୀଶୁଧର୍ମ ଓ ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମର ଠିକ୍‍ ମଧ୍ୟଭାଗରେ ଏହା ଏକ କେନ୍ଦ୍ରୀୟ ସ୍ଥାନ ଅଧିକାର କରି ରହିଚି । ମୁଁ ମନେମନେ ଭାବିଲି, ‘ଶେଷ ଭୋଜନ’ର ଉତ୍ପତ୍ତି ଓ ମହତ୍ତ୍ଵ ଯେ ଏପର୍ଯ୍ୟନ୍ତ ଆମ ଆଗରେ ଏପରି ଏକ ପ୍ରହେଳିକା ହୋଇ ରହିଚି, ତାହାର କାରଣ ହେଉଚି ଯେ ଏପର୍ଯ୍ୟନ୍ତ ଆମେ ଯୀଶୁଙ୍କର ବା ପ୍ରାଚୀନ ଖ୍ରୀଷ୍ଟିଆନ୍ ଧର୍ମର ଚିନ୍ତାରାଜ୍ୟରେ ଯଥାର୍ଥଭାବେ ପ୍ରବେଶ ହିଁ କରିପାରୁ ନାହୁଁ । ତେଣୁ ଯୀଶୁଧର୍ମ ଓ ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମକୁ ପୂର୍ଣ୍ଣ ମହତ୍ତ୍ଵ ଦେଇ ବିଚାର କରିବା ଆମ ପକ୍ଷରେ ସମ୍ଭବ ହୋଇପାରି ନାହିଁ, କାରଣ ‘ଶେଷ ଭୋଜନ’ ଓ ଡୁବନ (ବ୍ୟାପ୍‍ଟିଜମ୍‍-Taufe)ର ସମସ୍ୟାକୁ ଭିତ୍ତି କରି ଆମେ କଦାପି ସେଗୁଡ଼ିକର ଅଧ୍ୟୟନ କରିବାକୁ ଚେଷ୍ଟା କରିନାହୁଁ ।

 

ଏହିପରି ବିଚାର କରି ଯୀଶୁ-ଜୀବନ-ଚରିତ ଓ ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମର ଇତିହାସକୁ ଭିତ୍ତି କରି ମୁଁ ‘ଶେଷ ଭୋଜନ’ର ଏକ ଇତିହାସ ଲେଖିବାର ଯୋଜନା କଲି । ‘ଶେଷ ଭୋଜନ’ ସମ୍ପର୍କରେ ଆଗରୁ ଯେଉଁସବୁ ଗବେଷଣା କରଯାଇଥିଲା, ସେଗୁଡ଼ିକ ପ୍ରତି ମୋର ଦୃଷ୍ଟିକୋଣକୁ ସ୍ପଷ୍ଟ କରି ଦେଖାଇଦେବା ମୋର ପ୍ରଥମ କର୍ତ୍ତବ୍ୟ ଥିଲା । ତଦ୍ଦ୍ଵାରା ସମଗ୍ର ସମସ୍ୟାଟି ଉପରେ ଯଥେଷ୍ଟ ଆଲୋକପାତ କରିବା ସମ୍ଭବ ହୋଇ ପାରିବ । ଦ୍ଵିତୀୟରେ ମୋତେ ଯୀଶୁଙ୍କର ଚିନ୍ତାଧାରା ଓ କାର୍ଯ୍ୟକଳାପର ଏକ ସ୍ପଷ୍ଟତର ଅଧ୍ୟୟନ କରିବାକୁ ପଡ଼ିବ, ତେବେ ଯାଇ ଆପଣାର ଶିଷ୍ୟମାନଙ୍କ ସହିତ ଯୀଶୁ କରିଥିବା ‘ଶେଷ ଭୋଜନ’ର ମହତ୍ତ୍ଵକୁ ଯଥାର୍ଥଭାବେ ବୁଝିବା ମୋ’ ପକ୍ଷରେ ସମ୍ଭବ ହୋଇପାରିବ । ତା’ପରେ ପ୍ରାଚୀନ ଗିର୍ଜାରେ ଓ ଖ୍ରୀଷ୍ଟଧର୍ମର ପ୍ରଥମ ଦୁଇ ଶତାବ୍ଦୀରେ ‘ଶେଷ ଭୋଜନ’କୁ କିପରି ଦୃଷ୍ଟିରେ ଗ୍ରହଣ କରଯାଇଥିଲା, ତାହାର ଅଧ୍ୟୟନ କରିବା ମୋର ତୃତୀୟ କାର୍ଯ୍ୟ ହେବ ।

 

‘ଶେଷ ଭୋଜନ’ର ସମସ୍ୟା ଉପରେ ମୁଁ ଯେଉଁ ନିବନ୍ଧଟି ଲେଖିଲି, ତାହା ଫଳରେ ୧୯୦୦ ମସିହା ଜୁଲାଇ ୨୧ ତାରିଖରେ ମୋତେ ଥିଓଲଜିରେ ଅଧ୍ୟାପକ ହୋଇପାରିବାର ଡିଗ୍ରୀ (Lizentiat) ମିଳିଗଲା । (ପ୍ରକାଶକ : ମୋହ୍‍ର୍, ଟ୍ୟୁବିଙ୍ଗେନ୍‍, ୧୯୦୧) ତା’ପରେ ମେସିହାତତ୍ତ୍ଵ (ହିବ୍ରୁ Messiah ଶବ୍ଦର ଅର୍ଥ ହେଉଚି ପରିତ୍ରାଣକର୍ତ୍ତା-ଅନୁବାଦକ) ଉତ୍ତାରେ ଏକ ଦ୍ଵିତୀୟ ନିବନ୍ଧ ଲେଖି ୧୯୦୨ ମସିହାରେ ବିଶ୍ୱବିଦ୍ୟାଳୟରେ ମୋତେ ଏକ ଅଧ୍ୟାପକ ପଦ (Privatdozent) ମିଳିଥିଲା ।

 

ପ୍ରାଚୀନ ଓ ତତ୍‍ପରବର୍ତ୍ତୀ କାଳରେ ‘ଶେଷ ଭୋଜନ’ ଉପାଖ୍ୟାନର ବିକାଶ ସମ୍ବନ୍ଧରେ ମୁଁ ଯେଉଁ ତୃତୀୟ ପୁସ୍ତକଟିର କଳ୍ପନା କରିଥିଲି, ତାହାର ଲେଖା ମଧ୍ୟ ଠିକ୍‍ ସମୟରେ ସରିଗଲା । ନୂତନ ଟେଷ୍ଟାମେଣ୍ଟ୍ ଓ ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମରେ ଡୁବନ ଅନୁଷ୍ଠାନ ସମ୍ପର୍କରେ ମୁଁ ଆଉଗୋଟାଏ ଲେଖା ମଧ୍ୟ ଲେଖିଲି ଓ ଉଭୟ ବିଷୟ ଉପରେ ବକ୍ତୃତାମାନ ଦେଇଥିଲି । କିନ୍ତୁ ଏ ଦୁଇଟି ଆଉ ପୁସ୍ତକାକାରରେ ପ୍ରକାଶିତ ହୋଇପାରିଲା ନାହିଁ । କାରଣ ଏକ ତୃତୀୟ ଗ୍ରନ୍ଥ ‘ଯୀଶୁ-ଜୀବନ ଗବେଷଣାର ଇତିହାସ’ ଏଥିରେ ଅନ୍ତରାୟ ହୋଇ ଠିଆ ହେଲା । ଯୀଶୁଙ୍କର ଜୀବନ ବିଷୟରେ କେବଳ ଏକ ସଂକ୍ଷିପ୍ତ ବିବରଣୀ ମୁଁ ଲେଖିବି ବୋଲି ପ୍ରଥମେ ଭାବିଥିଲି, କିନ୍ତୁ କ୍ରମେ ବଢ଼ିବଢ଼ି ଏହା ଏକ ବିରାଟ ପୁସ୍ତକର ଆକାର ଧାରଣ କଲା ଏବଂ ଅନ୍ୟ ଦିଓଟି ପୁସ୍ତକକୁ ପ୍ରକାଶ କରିବାକୁ ଦେବାରେ ବାଧା ସୃଷ୍ଟି କଲା, ଠିକ୍‍ ଏତିକି ବେଳେ ଏକ ନୂତନ ମଧ୍ୟବର୍ତ୍ତୀ ଅଭିନୟ ମଧ୍ୟ ଆରମ୍ଭ ହୋଇଗଲା–ବାଖ୍‍ଙ୍କ ସମ୍ବନ୍ଧରେ ଏକ ପୁସ୍ତକ ଲେଖିବା । ତା’ ପଛେ ପଛେ ମୋର ଡାକ୍ତରୀ ପଢ଼ିବା ଆସି ପହଞ୍ଚିଗଲା । ଡାକ୍ତରୀ ପଢ଼ିବାର ସିଦ୍ଧାନ୍ତ କଲାବେଳେ ଅବଶ୍ୟ ଥିଓଲଜି ଅଧ୍ୟୟନ କରିବା ପାଇଁ ମୋ ପାଖରେ କିଛି ସମୟ ଥିଲା । କିନ୍ତୁ ସେତେବେଳେ ମୁଁ ଭାବିଲି ଯେ ଯୀଶୁ-ଜୀବନର ଇତିହାସ ବିଷୟରେ ମୋର ଗବେଷଣାର ଏକ ପରିପୂରକ ରୂପେ ସନ୍ଥ ପଲ୍‍ଙ୍କର ଚିନ୍ତାଧାରା ସମ୍ବନ୍ଧରେ କରାଯାଇଥିଲା । ବୈଜ୍ଞାନିକ ଗବେଷଣାଗୁଡ଼ିକର ଏକ ଇତିହାସ ମୋତେ ଲେଖିବାକୁ ହିଁ ପଡ଼ିବ । ସନ୍ଥ ପଲ୍‍ଙ୍କର ଧର୍ମନୀତିର ବିଶ୍ଳେଷଣ କରିବାରେ ତାହା ମୋର ପ୍ରଥମ ପ୍ରବେଶ ପରି ହେବ । ଆଫ୍ରିକାରେ ମୋର ପ୍ରଥମ ପର୍ଯ୍ୟାୟ କାମ ସାରିବାପରେ ମୋତେ ପୁଣି ପ୍ରାୟ ଅଠରମାସ ବା ଦୁଇବର୍ଷର ଅବସର ମିଳିଥିଲା । ଯୀଶୁ ଓ ପଲ୍‍ଙ୍କର ଧର୍ମୋପଦେଶ ସମ୍ବନ୍ଧରେ ସେତେବେଳେ ମୁଁ ଯେତେଦୂର ଅଧ୍ୟୟନ କରିଥିଲି ଓ ସେଗୁଡ଼ିକ ଯେପରି ଭାବରେ ବୁଝୁଥିଲି, ତାହାକୁ ଭିତ୍ତିକରି ‘ଶେଷ ଭୋଜନ’ ଓ ଡୁବନର ଉତ୍ପତ୍ତି ଓ ପ୍ରଥମକାଳୀନ ବିକାଶ ଉପରେ ଏକ ଐତିହାସିକ ଗ୍ରନ୍ଥ ଲେଖିବାକୁ ମଧ୍ୟ ମୋର ମନ ବଳିଥିଲା । କିନ୍ତୁ ଠିକ୍‍ ସେତିକିବେଳେ ମହାସମର ଆରମ୍ଭ ହୋଇ ମୋର ସମସ୍ତ ଯୋଜନାକୁ ପଣ୍ଡ କରିଦେଲା । ଏହା ଫଳରେ ଦୁଇବର୍ଷ ପରିବର୍ତ୍ତେ ଇଉରୋପରେ ମୁଁ ସାଢ଼େ ଚାରିବର୍ଷ ରହିବାକୁ ବାଧ୍ୟ ହେଲି । ଆଫ୍ରିକା ଫେରିବା ବେଳକୁ ମୋର ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଥିଲା ଏବଂ ମୋର ଜୀବନ-ନିର୍ବାହର ସାଧନକୁ ମଧ୍ୟ ମୁଁ ହରାଇ ବସିଥିଲି ।

 

ତା’ ପରେ ବି ପୁଣି ଏକ ମଧ୍ୟବର୍ତ୍ତୀ ଅଭିନୟ । ସଂସ୍କୃତିର ଦର୍ଶନ ବିଷୟରେ ମଧ୍ୟ ମୁଁ ମୋ’ର କାମ ଆରମ୍ଭ କରି ଦେଇଥିଲି । ଏହିସବୁ ଘଟଣାଚକ୍ରରେ ପଡ଼ି ଉଲ୍ଲିଖିତ ଦୁଇଟି ପୁସ୍ତକ ସେହି ପାଣ୍ଡୁଲିପି ଆକାରରେ ହିଁ ରହିଗଲା । କୋଉଦିନ ଯେ ମୁଁ ସେଗୁଡ଼ିକୁ ପ୍ରକାଶଯୋଗ୍ୟ କରି ପ୍ରସ୍ତୁତ କରିପାରିବି, ସେକଥା ଆଜି ମଧ୍ୟ ମୁଁ କହି ପାରିବି ନାହିଁ ।

☆☆☆

 

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଜୀବନ : ଯୀଶୁ-ଜୀବନ ଗବେଷଣାର ଇତିହାସ

 

୧୯୦୨ ମସିହା ମାର୍ଚ୍ଚ ମାସ ପହିଲାଦିନ ଷ୍ଟ୍ରାସ୍‍ବୁର୍ଗ୍‍ର ବିଶ୍ୱବିଦ୍ୟାଳୟର ଥିଓଲଜି ବିଭାଗରେ ମୁଁ ଅଧ୍ୟାପକ ହିସାବରେ ପ୍ରଥମ ଅଧ୍ୟାପନା ଆରମ୍ଭ କରିଥିଲି ।

 

ମୁଁ ଜାଣିବାକୁ ପାଇଲି ଯେ ବିଶ୍ଵବିଦ୍ୟାଳୟ ମୋତେ ଅଧ୍ୟାପକ ହିସାବରେ ଗ୍ରହଣ କରିଥିବା ନିଷ୍ପତ୍ତି ବିରୁଦ୍ଧରେ ବିଭାଗୀୟ ଆଉ ଦୁଇଜଣ ଏକ ଅଭିଯୋଗ ଆଣିଛନ୍ତି । ମୋର ଗବେଷଣାର ଐତିହାସିକ ଦୃଷ୍ଟିକୋଣ ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ମୋର ଏହି ସମ୍ବନ୍ଧୀୟ ମତ ଦ୍ଵାରା ଛାତ୍ରମାନେ ଭାରି ଗୋଳମାଳରେ ପଡ଼ିଯିବାର ଅନେକ ଭୟ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଅବଶ୍ୟ ଏହି ଅଭିଯୋଗ ନିଷ୍ଫଳ ହୋଇଯାଇଥିଲା, କାରଣ ବିଭାଗୀୟ ସର୍ବୋଚ୍ଚ କର୍ତ୍ତା ହଲତ୍‍ସମାନ୍ ମୋର ପକ୍ଷ ସମର୍ଥନ କରିଥଲେ । x x x

 

ଥରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ କଥୋପକୋଥନ କରୁଥିବା ସମୟରେ ମୁଁ ଯୀଶୁ-ଜୀବନ ଚରିତ ଉପରେ ଆଗରୁ କରାଯାଇଥିବା ଗବେଷଣାର ଏକ ଐତିହାସିକ ଅଧ୍ୟୟନ ଓ ଆଲୋଚନା କରିବାଲାଗି ଅନେକ ପ୍ରେରଣା ପାଇଥିଲି । ସେଇ ଛାତ୍ରମାନେ ଆଗରୁ ଯୀଶୁ-ଜୀବନ ବିଷୟରେ ଅଧ୍ୟାପକ ସ୍ପିଟ୍‍ଟାଙ୍କର ଏକ ବକ୍ତୃତା ଶୁଣିଥିଲେ । କିନ୍ତୁ ଏହା ପୂର୍ବରୁ ଏହି ବିଷୟଟି ଉପରେ ଯେଉଁସବୁ ଅଧ୍ୟୟନ ହୋଇଥିଲା, ସେ ବିଷୟରେ ସେମାନେ ଏକାବେଳକେ ଅନଭିଜ୍ଞ ଥିଲେ । ତେଣୁ ୧୯୦୫ ମସିହାରେ ବିଶ୍ୱବିଦ୍ୟାଳୟର ଗ୍ରୀଷ୍ମକାଳୀନ ଅଧିବେଶନରେ ସପ୍ତାହକୁ ଦୁଇଘଣ୍ଟା କରି ଯୀଶୁ-ଜୀବନ-ଚରିତ ଉପରେ ହୋଇଥିବା ଗବେଷଣା ବିଷୟରେ ବକ୍ତୃତା ଦେବାକୁ ମୁଁ ସ୍ଥିର କଲି, ଏଥିରେ ଅଧ୍ୟାପକ ହଲତ୍‍ସ୍‍ମାନଙ୍କର ସମର୍ଥନ ମଧ୍ୟ ରହିଥିଲା । ଖୁବ୍ ପରାକ୍ରମ ଓ ଉତ୍ସାହର ସହିତ ମୁଁ ମୋର ନୂତନ ଅଧ୍ୟୟନ ଆରମ୍ଭ କରିଦେଲି । କିନ୍ତୁ ତତ୍‍ସମ୍ପର୍କୀୟ ବିଷୟବସ୍ତୁ ମୋର ମନକୁ ଏପରି ଭାବରେ ଅଧିକାର କରିନେଲା ଯେ ବକ୍ତୃତାଗୁଡ଼ିକ ସରିଯିବା ପରେ ମଧ୍ୟ ମୁଁ ସେହି ବିଷୟରେ ସମ୍ପୂର୍ଣ୍ଣ ନିମଗ୍ନ ହୋଇ ରହିଲି । ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରରେ ଏହି ସମ୍ପର୍କୀୟ ସାହିତ୍ୟର ଏକ ସୁସମ୍ପନ୍ନ ସଂଗ୍ରହ ରହିଥିଲା । ତେଣୁ ଯୀଶୁ-ଜୀବନ-ଗବେଷଣାର ଇତିହାସ ବିଷୟରେ ଅଧ୍ୟୟନ କରିବାଲାଗି ଷ୍ଟ୍ରାସ୍‍ବୁର୍ଗ୍‍ର ପରିବେଶ ହିଁ ମୋତେ ସଂସାରରେ ସବୁଠାରୁ ଉତ୍କୃଷ୍ଟ ବୋଲି ମନେହେଲା ।

 

ଏତିକିବେଳେ ମୋତେ ଥିଓଲଜି କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଥିଲା । x x x ମୋର ନୂତନ କାର୍ଯ୍ୟର ଦାୟିତ୍ଵ ଗ୍ରହଣ କରିବାପରେ ରହିବା ପାଇଁ ମୋତେ ସ୍ଵତନ୍ତ୍ର ଘର ମିଳିଲା ଓ ମୁଁ ବର୍ଷକୁ ଦୁଇହଜାର ମାର୍କ (ପ୍ରାୟ ୧୬୦୦ ଟଙ୍କା) ବେତନ ମଧ୍ୟ ପାଇଲି । ତଥାପି ଛାତ୍ରାବସ୍ଥାରେ ମୁଁ ଯେଉଁ ଘରେ ରହିଥିଲି, ବର୍ତ୍ତମାନ ମଧ୍ୟ ସେହିଟିକୁ ମୋର ଅଧ୍ୟୟନ ଲାଗି ମୁଁ ବ୍ୟବହାର କରିବାକୁ ଲାଗିଲି ।

 

X X X X

 

୧୯୦୬ ମସିହା ପ୍ରଥମ ଭାଗରେ ମୋର ‘ଯୀଶୁ-ଜୀବନଚରିତ’ ସମ୍ବନ୍ଧୀୟ ଗବେଷଣାର ଏକ ଐତିହାସିକ ଅଧ୍ୟୟନ ପ୍ରକାଶିତ ହେଲା । [Eine Geschichte der Leben-Jesu Forschung : ପୃଷ୍ଠାସଂଖ୍ୟା-୪୧୮, ପ୍ରକାଶକ-ମୋହ୍‍ର୍‍, ଟ୍ୟୁବିଙ୍ଗେନ୍] ବନ୍ଧୁତା ସୂଚକ ଓ ଜ୍ଞାନଗର୍ଭ ପୋଷ୍ଟକାର୍ଡ଼ମାନ ପାଇଛି । ଆପଣାର ପତ୍ରବିନିମୟରେ ସେ ପ୍ରଧାନତଃ କେବଳ ପୋଷ୍ଟକାର୍ଡ଼ ହିଁ ବ୍ୟବହାର କରୁଥିଲେ । ୧୯୩୦ ମସିହାରେ ଲାମ୍ବାରେନେଠାରେ ମୁଁ ତାଙ୍କର ଦୁଇଟି ପୂରାଲେଖା ପୋଷ୍ଟକାର୍ଡ଼ ପାଇଥିଲି । ସେତେବେଳେ ପ୍ରକାଶିତ ହୋଇଥିବା ମୋର ‘ଧର୍ମଦୂତ ପଲ୍‍ଙ୍କର ଈଶ୍ଵାରାତ୍ମାବାଦ’ (Mystik des Adostels Paulus) ଉପରେ ତାଙ୍କର ମତାମତ ବ୍ୟକ୍ତକରି ସେ ଏହି ପାତ୍ର ଦୁଇଟି ଲେଖିଥିଲେ । ସେହି ଦୁଇଟି ହିଁ ଖୁବ୍‍ ସମ୍ଭବ ମୋ’ ପାଖକୁ ତାଙ୍କର ଶେଷ ପତ୍ର ଥିଲା ।

 

X X X X

 

ୟର୍ନଷ୍ଟ କୁର୍ଟିଉସ୍‍ଙ୍କର ବିଧବା ପତ୍ନୀଙ୍କର ଗୃହରେ ମୁଁ ତତ୍କାଳୀନ ବର୍ଲିନ୍‍ର ଜ୍ଞାନ ଓ ଗବେଷଣା-ଜଗତର ସମ୍ପର୍କରେ ଆସିଥିଲି । ଜୀବନରେ ସେହି ସୁଖ ଓ ସୌଭାଗ୍ୟମୟ ଦିନଗୁଡ଼ିକ ଉପରେ ଏବେ ମଧ୍ୟ ଅନେକ ସମୟରେ ମୁଁ ଦୃଷ୍ଟିପାତ କରି ଦେଖିଥାଏ । ମୋତେ ପ୍ରକୃତରେ ବଡ଼ ଭାଗ୍ୟବନ୍ତ ବୋଲି କହିବାକୁ ହିଁ ପଡ଼ିବ । ସେହି ଘରେ ମୁଁ ବର୍ଲିନ୍‍ର ଜ୍ଞାନାଲୋଚନ-ଜୀବନର ତୁଙ୍ଗ ଓ ପ୍ରବୀଣ ପଣ୍ଡିତମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିବାର ସୁଯୋଗ ପାଇଥିଲି ।

 

ପାରିସ୍‍ ଅପେକ୍ଷା ବର୍ଲିନ୍‍ର ବୌଦ୍ଧିକ ଜୀବନ ମୋ’ ଉପରେ ଅଧିକ ପ୍ରଭାବ ପକାଇଥିଲା । ପାରିସ୍‍କୁ ଏକ ବିଶ୍ଵନଗରୀ ବୋଲି କୁହାଯାଇପାରେ, ତେଣୁ ସେହି ସ୍ଥାନର ବୌଦ୍ଧିକ ଜୀବନ ପ୍ରକୃତରେ ବଡ଼ ବିରକ୍ତ ହୋଇ ପଡ଼ିଥିଲା । ପାରିସ୍‍ର ବୌଦ୍ଧିକ ଜୀବନରେ ରହିଥିବା ମୂଲ୍ୟଗୁଡ଼ିକ ନିରୂପଣ କରିବା ପୂର୍ବରୁ ପ୍ରଥମେ ସେହି ଜୀବନ ସହିତ ଆଗ ଆପଣାକୁ ପୂରାପୂରି ମଡ଼ାଇ ନେବାକୁ ପଡ଼ୁଥିଲା । କିନ୍ତୁ ବର୍ଲିନ୍‍ର ବୌଦ୍ଧିକ କ୍ଷେତ୍ର ଭିନ୍ନପ୍ରକାରର ଥିଲା । ବର୍ଲିନର ସୁସଙ୍ଗଠିତ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର କରି ହିଁ ତାହା ଆପଣାକୁ ସଙ୍ଗଠିତ କରି ରଖିଥିଲା । ବର୍ଲିନ୍‍ ବିଶ୍ୱବିଦ୍ୟାଳୟ ସେତେବେଳେ ଗୋଟିଏ ଜୀବନ୍ତ ଅନୁଷ୍ଠାନ ପରି କାର୍ଯ୍ୟ କରୁଥିଲା । ବର୍ଲିନ୍‍ ସହର ମଧ୍ୟ ସେତେବେଳକୁ ଏକ ବିଶ୍ଵନଗରୀ ପରି ଏତେ ବଡ଼ ହୋଇ ନଥିଲା । ବର୍ଲିନ୍‍କୁ ଆସିଲେ ଏକ କ୍ରମବର୍ଦ୍ଧମାନ ଓ କ୍ରମବିକଶିତ ପ୍ରାଦେଶିକ ବୃହତ୍‍ ସହରକୁ ଆସିବା ପରି ମନେ ହେଉଥିଲା । ଏହାର ସମସ୍ତ ଜୀବନ ଓ ବାତାବରଣ ଭିତରେ ଏକ ସୁସ୍ଥ ଆତ୍ମଚେତନା ଭରି ରହିଥିଲା । ଏହାର ଭାଗ୍ୟନିର୍ମାତାମାନଙ୍କ ଉପରେ ଅଧିବାସୀମାନଙ୍କ ଅଟଳ ବିଶ୍ଵାସ ଥିଲା । କିନ୍ତୁ ସମକାଳୀନ ପାରିସରେ ଏହି ସବୁର ବଡ଼ ଅଭାବ ପରିଲକ୍ଷିତ ହେଉଥିଲା । ଡ୍ରାଇଫସ୍ ମୋକଦ୍ଦମା ଜନିତ ଉତ୍ତେଜନାରେ ତାହା ବଡ଼ ବ୍ୟସ୍ତ ଓ ଉତ୍ତେଜିତ ହୋଇ ରହିଥିଲା । ତେଣୁ ବର୍ଲିନ୍ ସହରର ଇତିହାସର ସବୁଠାରୁ ସମୃଦ୍ଧିମନ୍ତ ସମୟରେ ମୁଁ ବର୍ଲିନ୍‍ର ପରିଚୟରେ ଆସିବାର ସୌଭାଗ୍ୟ ଲାଭ କରିଥିଲି । ବର୍ଲିନ୍‍କୁ ଭଲ ପାଇବାର ସୁଅବସରର ପାଇଥିଲି । ବର୍ଲିନରେ ବାସ କରୁଥିବା ଜନସମାଜର ସରଳ ଜୀବନ ମୋତେ ଖୁବ୍ ପ୍ରଭାବିତ କରିଥିଲା । ବର୍ଲିନ୍‍ର ପାରିବାରିକ ଜୀବନରେ ପ୍ରବେଶ ଓ ପରିଚୟ ଲାଭକରିବା ସେତେବେଳେ ଆଦୌ ଦୁଷ୍କର ନଥିଲା ।

 

x x x ଯୀଶୁଙ୍କର ଜୀବନ ଉପରେ ଲିଖିତ ବିଭିନ୍ନ ଗ୍ରନ୍ଥଉପରେ ଆଲୋଚନା କରୁଥିଲାବେଳେ ସେଗୁଡ଼ିକରେ ରହିଥିବା ସାମଗ୍ରୀକୁ ବିଭିନ୍ନ ଅଧ୍ୟାୟରେ ବିଭକ୍ତ କରିବାରେ ମୁଁ ଭାରି ଅସୁବିଧା ଭୋଗ କରିଥିଲି । ସବୁଗୁଡ଼ିକୁ ଆଉଥରେ କାଗଜରେ ଲେଖିବା ମୋତେ ଅସମ୍ଭବ ମନେ ହେଲା । ତେଣୁ ଅନନ୍ୟୋପାୟ ହୋଇ ସବୁ ଗ୍ରନ୍ଥଗୁଡ଼ିକୁ ମୁଁ ଘରମଝିରେ ଗଦା କରି ରଖିଲି-। ଯେତେବେଳେ ଯେଉଁ ଅଧ୍ୟାୟଟି ଲେଖୁଥାଏ, ସେତେବେଳେ କେବଳ ସେହି ଅଧ୍ୟାୟ ପାଇଁ କାମରେ ଆସିବା ଗ୍ରନ୍ଥଗୁଡ଼ିକୁ ମୁଁ ଅଲଗା କରି ଘରର ଗୋଟିଏ କୋଣକୁ ନେଇ ଯାଉଥାଏ ଓ ସେହି ଅଧ୍ୟାୟରେ କାମ ସରିବାପରେ ଗ୍ରନ୍ଥଗୁଡ଼ିକୁ ପୁଣି ଆଣି ମଝିଗଦାରେ ଜମା କରିଦେଇ ଯାଉଥାଏ । ମୋର ପୁସ୍ତକର ଶେଷ ଅଧ୍ୟାୟଟି ମଧ୍ୟ ଲେଖା ସରିବାଯାଏ ମୁଁ ଏହି ଉପାୟ ଅନୁସରଣ କରିଥିଲି । ମାସ ମାସ ପର୍ଯ୍ୟନ୍ତ ଯେଉଁମାନେ ମୋ’ ସହିତ ସାକ୍ଷାତ କରିବା ଲାଗି ମୋ’ ଘରକୁ ଆସୁଥିଲେ, ସେମାନଙ୍କୁ ଉଚ୍ଚ ବହିଗଦାଗୁଡ଼ିକ ଭିତରେ ଆପଣାର ବାଟ କାଟି ଆସିବାକୁ ହେଉଥିଲା । xxx

 

ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ ପ୍ରକାଶିତ ହେବାର ମାତ୍ର ଅଳ୍ପକେତେ ଦିନପରେ ମୋର ପୁସ୍ତକଟି ଇଂଲଣ୍ଡରେ ଗବେଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଅକ୍‍ସଫୋର୍ଡ଼୍‍ର ପ୍ରଫେସର୍ ଉଇଲିୟମ୍ ସାଣ୍ଡି ଯୀଶୁଜୀବନ ସମ୍ପର୍କୀୟ ତାଙ୍କର ଅଧ୍ୟାପନାରେ ସେହି ସମ୍ବନ୍ଧରେ ମୋର ମତାମତକୁ ଜ୍ଞାତ କରାଇଥିଲେ । ଇଂଲଣ୍ଡକୁ ଯିବାଲାଗି ତାଙ୍କ ପାଖରୁ ବାରବାର ନିମନ୍ତ୍ରଣ ଆସିଲା, କିନ୍ତୁ ସମୟ ଅଭାବରୁ ମୁଁ ସେହି ନିମନ୍ତ୍ରଣ ରକ୍ଷା କରି ପାରିଲି ନାହିଁ । ସେତେବେଳେ ମୋର ଡାକ୍ତରୀପଢ଼ା ଆରମ୍ଭ ହୋଇଯାଇଥାଏ । ଥିଓଲଜିର ଅଧ୍ୟାପନ ପ୍ରସ୍ତୁତ କରିବା ସଙ୍ଗେସଙ୍ଗେ ବାଖ୍‍ଙ୍କ ସମ୍ବନ୍ଧରେ ଫରାସୀ ଭାଷାରେ ମୁଁ ଲେଖିଥିବା ପୁସ୍ତକଟିର ଜର୍ମାନ୍ ସଂସ୍କରଣ ବାହାର କରିବାର ଉଦ୍ୟମରେ ମଧ୍ୟ ମୁଁ ଲାଗିଥାଏ । ଏହିପରି ଭାବରେ ଇଂଲଣ୍ଡ ସହିତ ପରିଚିତ ହେବାର ଦ୍ଵିତୀୟ ଅବସର ମଧ୍ୟ ମୋତେ ହରାଇବାକୁ ପଡ଼ିଥିଲା ।

 

କେମ୍ବ୍ରିଜ୍‍ର ପ୍ରଫେସର ବୁର୍‍କିଟ୍‍ ମୋର ଲିଖିତ ପୁସ୍ତକଟିର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହାର ଇଂରାଜୀ ସଂସ୍କରଣ ପ୍ରକାଶ କଲେ । ତାଙ୍କର ଜଣେ ଛାତ୍ର ପୁସ୍ତକଟିର ଚମତ୍କାର ଇଂରାଜୀ ଅନୁବାଦ କରି ଦେଇଥିଲେ । ମୋର ଥିଓଲଜି-ସମ୍ପର୍କ ବ୍ୟତୀତ ମଧ୍ୟ ଅଧ୍ୟାପକ ଓ ଛାତ୍ର ଦୁହିଙ୍କ ସହିତ ମୁଁ ଏକ ଘନିଷ୍ଟ ବନ୍ଧୁତା-ସୂତ୍ରରେ ଆବଦ୍ଧ ହୋଇ ପଡ଼ିଲି ।

☆☆☆

 

ଇତିହାସର ଯୀଶୁ ଓ ଆଧୁନିକ ଖ୍ରୀଷ୍ଟଧର୍ମ

 

ଯୀଶୁଙ୍କର ଜୀବନ ଚରିତ ବିଷୟରେ ମୋର ଲିଖିତ ପୁସ୍ତକଟି ଯହୁଁ ଯହୁଁ କ୍ରମେ ଅଧିକ ପ୍ରଚାରିତ ହେବାକୁ ଲାଗିଲା, ତହୁଁ ତହୁଁ ଚାରିଆଡ଼ୁ ମୋ’ ପାଖରେ ପ୍ରଶ୍ନ ଆସି ପହଞ୍ଚିଲା ଯେ, ପୃଥିବୀର ପ୍ରଳୟ ଓ ଅତିପାର୍ଥିବ ଭଗବତ୍-ସାମ୍ରାଜ୍ୟର ପ୍ରତିଷ୍ଠା ଲାଗି ଅପେକ୍ଷା କରି ରହିଥିବା ଏକ ପରିଣାମବାଦୀ (Eschatologische) ଯୀଶୁଙ୍କର ଯେଉଁ କଳ୍ପନା ମୋର ଗ୍ରନ୍ଥରେ ମୁଁ କରିଛି, ତଦ୍ଦ୍ଵାରା ମୁଁ ପ୍ରକୃତରେ କ’ଣ ବୁଝୁଚି ଓ କହିବାକୁ ଚାହୁଁଚି । ଗ୍ରନ୍ଥଟି ଲେଖିଲାବେଳେ ମଧ୍ୟ ମୁଁ ଅନେକ ସମୟରେ ଏହି ସମସ୍ୟାଟି ଉପରେ ବିଚାର କରୁଥିଲି । ଯୀଶୁଙ୍କର ଅସ୍ତିତ୍ଵ ବିଷୟରେ ରହିଥିବା କେତେକେତେ ପ୍ରହେଳିକାର ସମାଧାନ କରିଥିବାରୁ ମନେମନେ ମୁଁ ଅନେକ ସନ୍ତୋଷ ଅନୁଭବ କରୁଥିଲି, କିନ୍ତୁ ତହିଁ ସଙ୍ଗେ ସଙ୍ଗେ ମୋର ମନଭିତରେ ଏକପ୍ରକାର ଦୁଃଖଦାୟକ ସଚେତନତା ପୂର୍ଣ୍ଣ ହୋଇ ରହିଥିଲା ଯେ ଇତିହାସବିଷୟକ ମୋର ଏହି ନୂତନଲବ୍ଧ ଜ୍ଞାନ ଦ୍ଵାରା ଖ୍ରୀଷ୍ଟିଆନ୍‍ ଧର୍ମରାଜ୍ୟରେ ମୁଁ ଅନେକ ଚାଞ୍ଚଲ୍ୟ ଓ ଆହୁରି ଅନେକ ନୂଆ ନୂଆ ସମସ୍ୟା ଓ ଅସୁବିଧା ସୃଷ୍ଟି କରି ପକାଇବି । ମୋର ବାଲ୍ୟକାଳରୁ ପରିଚିତ ଥିବା ସନ୍ଥ ପଲ୍‍ଙ୍କର ଏକ ଉକ୍ତି ଏତିକିବେଳେ ମୋତେ ଭାରି ଦମ୍ଭ ଦେଇଥିଲା : “ସତ୍ୟର ବିରୁଦ୍ଧରେ ଆମେ କେହି କିଛି କରିପାରିବା ନାହିଁ, ଆମର ଯାବତୀୟ କାର୍ଯ୍ୟ ସତ୍ୟକୁ କେବଳ ସମୃଦ୍ଧ ହିଁ କରିବ ।” ସତ୍ୟ ହେଉଚି ଆଧ୍ୟାତ୍ମିକ ଜଗତର ମୂଳ ପ୍ରକୃତି ସ୍ଵରୂପ, ତେଣୁ ନୂତନଲବ୍ଧ ପ୍ରତ୍ୟେକ ସତ୍ୟ ପୁରାତନ ସତ୍ୟକୁ କେବଳ ସମୃଦ୍ଧହିଁ କରିବ, ନୂତନ ସତ୍ୟର ଆବିଷ୍କାର କରିବାରେ କେବଳ ପୁରାତନ ସତ୍ୟହିଁ ଜୟଲାଭ କରିବ । ଯେକୌଣସି ପରିସ୍ଥିତିରେ ମଧ୍ୟ ସତ୍ୟ ହେଉଚି ଅସତ୍ୟ ଅପେକ୍ଷା ଅଧିକ ମୂଲ୍ୟବାନ,–ସତ୍ୟର ଅନ୍ୟାନ୍ୟ କ୍ଷେତ୍ରପରି ଇତିହାସର କ୍ଷେତ୍ରରେ ମଧ୍ୟ ଆମକୁ ଏହି ସତ୍ୟକୁ ସ୍ଵୀକାର କରିବାକୁ ପଡ଼ିବ । ହୁଏତ ପ୍ରଥମେ ପ୍ରଥମେ ପ୍ରତିଷ୍ଠିତ ଧର୍ମର ଦୃଷ୍ଟିରେ ଏହି ନୂତନ ସତ୍ୟର ପ୍ରକାଶ ଅପରିଚିତ ମନେହେବ, ଏହାର ପଥରେ ଅନେକ ନୂତନ ଅସୁବିଧା ସୃଷ୍ଟି କରିବ, କିନ୍ତୁ ତଥାପି ପରିଣାମରେ ଏହା ସତ୍ୟର କଦାପି କୌଣସି କ୍ଷତି କରିପାରିବ ନାହିଁ । ସତ୍ୟକୁ ଏହା କେବଳ ଗଭୀରତର ହେବାରେ ହିଁ ସାହାଯ୍ୟ କରିବ । ତେଣୁ କୌଣସିପ୍ରକାର ଶଙ୍କା ବା ସଙ୍କୋଚ ନରଖି ଐତିହାସିକ ସତ୍ୟର ସମ୍ମୁଖୀନ ହେବା ହେଉଚି ସତ୍ୟର କର୍ତ୍ତବ୍ୟ ।

 

ଇତିହାସର ସତ୍ୟ ସହିତ ଧର୍ମର ଠିକ୍ ଯେପରି ସମ୍ବନ୍ଧ ରହିବା କଥା, ସେହିପରି ସମ୍ବନ୍ଧ ରଖିପାରିଥିଲେ ଆଜି ଖ୍ରୀଷ୍ଟିଆନ୍ ଧର୍ମସତ୍ୟ ଆଧୁନିକ ଜଗତରେ କେଡ଼େ ଶକ୍ତିଶାଳୀ ହୋଇପାରିନଥାନ୍ତା ! କିନ୍ତୁ ସତ୍ୟକୁ ତା’ର ସମୁଚିତ ଅଧିକାର ଛାଡ଼ି ନଦେଇ, କୌଣସିପ୍ରକାର ଅସୁବିଧାଜନକ ପରିସ୍ଥିତିରେ ପଡ଼ିଯିବା ମାତ୍ରକେ ଜ୍ଞାତସାରରେ ବା ଅଜ୍ଞାତସାରରେ ଏହା ସତ୍ୟକୁ ଏପାଖ ସେପାଖ ଟାଳିଦେବାର ଚେଷ୍ଟା କରିଆସିଚି । କେତେବେଳେ ସତ୍ୟକୁ ଏହା ବିଲ୍‍କୁଲ୍‍ ଏଡ଼ିଦେବାର ଚେଷ୍ଟା କରିଚି, କେତେବେଳେ ଭୁଲ୍ ବ୍ୟାଖ୍ୟା କରିଚି ବା ପୁଣି କେତେବେଳେ ଏକାବେଳକେ ତଳକୁ ଦାବି ଦେଇଚି । ଆପଣାର ପ୍ରଗତି ପଥରେ ନୂତନ ଉପାଦାନଗୁଡ଼ିକୁ ନୂତନ ବୋଲି ସ୍ଵୀକାର ନକରି ଏବଂ ସେହି ଅନୁସାରେ ଆପଣର ବର୍ତ୍ତମାନ କାର୍ଯ୍ୟଗୁଡ଼ିକୁ ସଂଶୋଧିତ ନକରି ଏହା ନାନା କୃତ୍ରିମ ଓ ବିବାଦସାପେକ୍ଷ ଯୁକ୍ତିମାନ ଦେଖାଇ ଜବରଦସ୍ତ ସେଗୁଡ଼ିକୁ ଅତୀତର ଗର୍ଭକୁ ଫୋପାଡ଼ି ଦେବାକୁ ଉଦ୍ୟମ କରି ଆସିଚି । ଖ୍ରୀଷ୍ଟିଆନ୍ ଧର୍ମ ଆଜି ଏପରି ଏକ ସ୍ଥିତିରେ ଆସି ପହଞ୍ଚିଚି ଯେ ଅତୀତରେ ପରିତ୍ୟକ୍ତ ହୋଇ ରହିଥିବା ଏହି ଐତିହାସିକ ସତ୍ୟର ସମ୍ମୁଖୀନ ହେବାକୁ ହେଲେ ବର୍ତ୍ତମାନ ଆମକୁ କଠିନ ସଂଗ୍ରାମ କରିବାକୁ ହିଁ ପଡ଼ିବ ।

 

ପ୍ରାଚୀନ ଖ୍ରୀଷ୍ଟିଆନ୍ ଯୁଗରେ ଧର୍ମଦୂତମାନଙ୍କର ନାମରେ ଅନେକ ମିଛ ଲେଖା ଆତ୍ମପ୍ରକାଶ କରିଥିଲା ଓ ତଦ୍ଦ୍ଵାରା ତନ୍ନିହିତ ବିଚାରଗୁଡ଼ିକୁ ଏକ ଦୃଢ଼ତର କର୍ତ୍ତୃତ୍ଵର ସମର୍ଥନ ଦେବାଲାଗି ନାନାପ୍ରକାର ମିଥ୍ୟାଶ୍ରୟୀ ପ୍ରଚେଷ୍ଟା କରାଯାଇଥିଲା ବୋଲି ଆଜି ଆମେ କି ଦୟନୀୟ ପରିସ୍ଥିତିରେ ଆସି ପହଞ୍ଚିଲୁଣି ! ଏହାରି ଉପରେ ଖ୍ରୀଷ୍ଟିଆନ୍ ଜଗତରେ ପୁରୁଷ ପୁରୁଷ ଧରି ନାନା ଶୋଚନୀୟ ବାଦବିବାଦ ଚାଲି ଆସିଚି । ଏକ ପକ୍ଷରେ ଯେଉଁମାନେ ଅଧ୍ୟୟନ ଲାଗି ପ୍ରଚୁର ସାମଗ୍ରୀ ପାଇଛନ୍ତି, ସେମାନେ କହିବାକୁ ବାଧ୍ୟ ହେଉଛନ୍ତି ଯେ ନୂତନ ଟେଷ୍ଟାମେଣ୍ଟର କେତେକ ଲିଖିତାଂଶକୁ ସମ୍ପୂର୍ଣ୍ଣ ବିଶ୍ଵାସଯୋଗ୍ୟ ବୋଲି କୁହାଯାଇ ପାରିବ ନାହିଁ । ଅବଶ୍ୟ ସେହିସବୁ ଅଂଶରେ ଅନେକ ମୂଲ୍ୟବାନ୍‍ କଥା ମଧ୍ୟ ରହିଛି ଓ କାଳକ୍ରମେ ଆମେ ସେଗୁଡ଼ିକ ପ୍ରତି ବେଶ୍ ଅନୁରକ୍ତ ମଧ୍ୟ ହୋଇ ଆସିଚୁ । ଅପର ପକ୍ଷର ପଣ୍ଡିତମାନେ ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମର ସମ୍ମାନକୁ କୌଣସି ପ୍ରକାରେ କ୍ଷୁଣ୍ଣ କରିବାକୁ ଚାହାଁନ୍ତି ନାହିଁ, ତେଣୁ ପ୍ରଥମ ଅକ୍ଷର ଅନୁମାନ କିପରି ପ୍ରମାଣିତ ନହେଉ, ସେଥିଲାଗି ସେମାନେ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଚନ୍ତି । କିନ୍ତୁ ଏହି ପ୍ରମାଦ ଲାଗି ପ୍ରଧାନତଃ ଯେଉଁମାନଙ୍କୁ ଦାୟୀ କରାଯିବାର କଥା, ସେମାନେ ସେତେବେଳେ କୌଣସିପ୍ରକାର ପ୍ରମାଦ ଘଟାଇବାକୁ ଯାଉଛନ୍ତି ବୋଲି ଆଦୌ ସଚେତ ନଥିଲେ । ତତ୍କାଳୀନ ପରମ୍ପରାର ଅନୁସରଣ କରି ହିଁ ସେମାନେ ଏପରି କରିଥିଲେ । କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ନାମରେ ପ୍ରଚଳିତ ଉକ୍ତିମାନଙ୍କୁ ପ୍ରକୃତରେ କେତେଦୂର ସେହି ବ୍ୟକ୍ତିର ଉକ୍ତି ବୋଲି ଗ୍ରହଣ କରାଯାଇ ପାରିବ, ଏପରି ଏକ ସଂଶୟ ଉତ୍‍ଥାପନ କରିବାର କୌଣସି ଆବଶ୍ୟକତା ସେମାନେ ଅନୁଭବ କରିନଥିଲେ ।

 

ପ୍ରାଚୀନ ଖ୍ରୀଷ୍ଟିଆନ୍‍ ଧର୍ମର ଇତିହାସ ଅଧ୍ୟୟନ କରିବାରେ ବ୍ୟାପୃତ ଥିଲାବେଳେ ସେ ଯୁଗରେ କରାଯାଇଥିବା ଅନେକ ପ୍ରମାଦକୁ ମୁଁ ଐତିହାସିକ ସତ୍ୟର ସମ୍ମୁଖରେ ତଉଲି ଦେଖିବା ଲାଗି ଅନେକ ସୁଯୋଗ ପାଇଥିଲି । ଆଧୁନିକ ଖ୍ରୀଷ୍ଟିଆନ୍‍ ଧର୍ମକୁ ସାଧୁତା ଉପରେ ପର୍ଯ୍ୟବସିତ କରିବା ଲାଗି ମୁଁ ଚିରଦିନ ଜଣେ ଉତ୍ସାହୀ ଅନୁବ୍ରତୀ ହିସାବରେ କାର୍ଯ୍ୟ କରି ଆସିଚି ।

 

କୌଣସି ନିର୍ଦ୍ଦିଷ୍ଟ ଯୁଗ ସହିତ ଆପଣାକୁ କୌଣସି ପ୍ରକାରେ ସମ୍ପୃକ୍ତ ନରଖି ଯଦି ଯୀଶୁ ତାଙ୍କର ଧର୍ମସତ୍ୟକୁ ପ୍ରଚାର କରିଥାନ୍ତେ ଏବଂ ପୁରୁଷାନୁକ୍ରମେ ଯଦି ମନୁଷ୍ୟସମାଜ ଅତି ସହଜ ଓ ସରଳ ଭାବରେ ତାହା ଗ୍ରହଣ କରି ନେଇଥାନ୍ତା, ତେବେ ହୁଏତ ତାହା ସବୁଠାରୁ ଆଦର୍ଶସ୍ଥାନୀୟ ହୋଇପାରି ଥାଆନ୍ତା । ଅବଶ୍ୟ ଯୀଶୁ ସେପରି କରି ନାହାନ୍ତି ଏବଂ ସେପରି ନ କରିବାର ଏକ ଆବଶ୍ୟକ କାରଣ ମଧ୍ୟ ରହିଚି ।

 

ତେଣୁ ଆମକୁ ଏହିକଥା ସ୍ଵୀକାର କରିବାକୁ ପଡ଼ିବ ଯେ ଜଗତର ଆଶୁ ପ୍ରଳୟ ଉପରେ ପର୍ଯ୍ୟବସିତ ଏକ ବିଶ୍ଵଦର୍ଶନ ବା ଜୀବନଦୃଷ୍ଟି (Welt-anschaunung)ର ଅଂଶ ହିସାବରେ ହିଁ ଯୀଶୁ ପ୍ରଚାରିତ ପ୍ରେମଧର୍ମ ଆତ୍ମପ୍ରକାଶ କରିଥିଲା । ଯେଉଁ ପ୍ରକାର କଳ୍ପନାପୁଞ୍ଜର ପରିଚ୍ଛଦ ପିନ୍ଧାଇ ସେ ତାଙ୍କର ଧର୍ମକୁ ମାନବ-ସମାଜରେ ବିଦିତ କରାଇଥିଲେ, ଆମେ କଦାପି ସେହି ପରିଚ୍ଛଦର ମର୍ମ ଭେଦ କରିପାରିବା ନାହିଁ । ଆମର ଆଧୁନିକ ଦୃଷ୍ଟିକୋଣର ପରିଚ୍ଛଦ ଦେଇ ଆମକୁ ତାହାକୁ ଦେଖିବାକୁ ପଡ଼ିବ ।

 

ଅତି ପରୋକ୍ଷ ଓ ପ୍ରଚ୍ଛନ୍ନ ଭାବରେ ଏପର୍ଯ୍ୟନ୍ତ ଆମେ ଏହାହିଁ କରି ଆସିଚୁ । ମୂଳ ଗ୍ରନ୍ଥରେ ପ୍ରକୃତରେ ଯାହା ଅଛି, ତାହାକୁ ଅସ୍ଵୀକାର କରି ଆମେ ଯୀଶୁଙ୍କର ଧର୍ମୋପଦେଶର ବ୍ୟାଖ୍ୟା କରି ବସିଚୁ, ସତେ ଯେପରି ଆମର ଦୃଷ୍ଟିଭୂମି ସହିତ ଏହା ବିଲ୍‍କୁଲ୍‍ ଖାପଖାଇ ଯାଉଚି । କିନ୍ତୁ ଏହି ଦୁଇଟି ଭିନ୍ନ ଭିନ୍ନ ଭୂମିକୁ ଏକାଠି ମିଳାଇବାର କି ଆବଶ୍ୟକତା ରହିଚି ବୋଲି ଆମେ ଭାବୁଚୁ, ଆମକୁ ଏହି ବିଷୟରେ ପ୍ରଥମରୁ ଅତି ସ୍ପଷ୍ଟ ହେବାକୁ ପଡ଼ିବ ।

 

ଅର୍ଥାତ୍, ଯୁଗ ଅନୁସାରେ ଯେ ଧର୍ମର ସତ୍ୟ ପରିବର୍ତ୍ତିତ ହୁଏ, ବାଧ୍ୟହୋଇ ଆମକୁ ନିର୍ମଳ ସତ୍ୟଟିକୁ ମାନି ନେବାକୁ ପଡ଼ିବ ।

 

କିପରି ଆମେ ଏହି କଥାଟିର ମର୍ମ ବୁଝିବାକୁ ସମର୍ଥ ହୋଇ ପାରିବା ?

 

ଏହାର ଆଧ୍ୟାତ୍ମିକ ଓ ନୈତିକ ପ୍ରକୃତି ଦୃଷ୍ଟିରୁ ଦେଖିଲେ ଖ୍ରୀଷ୍ଟିଆନ୍ ଧର୍ମର ସତ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି କୌଣସି ପରିବର୍ତ୍ତନ ଘଟିନାହିଁ । କିନ୍ତୁ ବିଭିନ୍ନ ଯୁଗର ଦୃଷ୍ଟିଭୂମି ଓ ବିଚାର ଉପରକୁ ଆସି କେବଳ ଏହାର ବାହ୍ୟରୂପରେ ପରିବର୍ତ୍ତନମାନ ସଙ୍ଘଟିତ ହୋଇଚି । ଇହୁଦୀ ସମାଜର ପରିଣାମ ବାଦୀ (ବା ବିଧାୟକବାଦୀ ? Eschato-logischce) ଦୃଷ୍ଟିଭୂମି ଉପରେ ଯୀଶୁ ତାଙ୍କର ପ୍ରେମଧର୍ମର ପ୍ରଚାର କରିଥିଲେ, ପରବର୍ତ୍ତୀ କାଳମାନଙ୍କରେ ଏହାକୁ ଗ୍ରୀକ୍, ମଧ୍ୟଯୁଗୀ ଓ ତା’ପରେ ଆଧୁନିକ ଦୃଷ୍ଟିଭୂମିର ସମ୍ପର୍କରେ ମଧ୍ୟ ଆସିବାକୁ ହୋଇଚି । କିନ୍ତୁ ସେତେବେଳେ ଏହାର ସାରତତ୍ତ୍ଵ ଯାହା ଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ତାହାହିଁ ରହିଚି । ବିଭିନ୍ନ ଯୁଗରେ ଦୃଷ୍ଟିଭୂମି ଉପରେ ଘଟିଥିବା ଏହି ପରିବର୍ତ୍ତନଗୁଡ଼ିକର କେବଳ ଆପେକ୍ଷିକ ମହତ୍ତ୍ଵହିଁ ରହିଚି । ପ୍ରଥମ କାଳରୁ ଏହାର ଆଧ୍ୟାତ୍ମିକ ଓ ନୈତିକ ସତ୍ୟ ମନୁଷ୍ୟ ଜାତିର ମନ ଉପରେ ଯେଉଁ ପରିମାଣରେ ପ୍ରଭାବ ପକାଇ ଆସିଚି, ଯୀଶୁ ପ୍ରଚାରିତ ପ୍ରେମଧର୍ମର ତାହାହିଁ ସବୁଠାରୁ ଅସଲ କଥା ।

 

ସେ ଯୁଗରେ ଯେଉଁମାନେ ଯୀଶୁଙ୍କର ଧର୍ମୋପଦେଶ ଶୁଣିବାର ସୌଭାଗ୍ୟ ଲାଭ କରିଥିଲେ, ସେମାନଙ୍କ ପରି ଆମେ ଆଜି ଏ ଯୁଗରେ କଦାପି ଆଶା କରିବା ନାହିଁ ଯେ କେତେକ ଅତିପ୍ରାକୃତିକ ଘଟଣା ଘଟି ଆଜି ମଧ୍ୟ ସଂସାରରେ ଭଗବାନଙ୍କର ସାମ୍ରାଜ୍ୟ ପ୍ରତିଷ୍ଠିତ ହେବ । ବରଂ ଆମେ ବିଶ୍ଵାସ କରିବା ଯେ ଆମର ହୃଦୟରେ ଓ ଜଗତରେ ଯୀଶୁଆତ୍ମାର ଶକ୍ତି ତା’ର କାର୍ଯ୍ୟକାରୀ ପ୍ରଭାବ ବିସ୍ତାର କରିବା ଦ୍ଵାରା ହିଁ ସେହି ସାମ୍ରାଜ୍ୟର ପ୍ରତିଷ୍ଠା ସମ୍ଭବ ହୋଇ ପାରିବ । ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଉଚି ଯେ ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଯେପରି ହେବାକୁ ଚାହୁଁଥିଲେ, ଠିକ୍ ସେହିପରି ଆମ୍ଭମାନଙ୍କୁ ଆଜି ମଧ୍ୟ ଭଗବତ୍-ସାମ୍ରାଜ୍ୟର ଭାବନାରେ ଆପ୍ଳାବିତ ରହିବାକୁ ପଡ଼ିବ ।

 

ପ୍ରେମଦ୍ଵାରା ହିଁ ଆମେ ଭଗବାନଙ୍କୁ ଜାଣି ପାରିବୁ ଏବଂ ଭଗବାନଙ୍କର ଆପଣାର ହୋଇ ଯାଇ ପାରିବୁ ! ‘ଗିରିଶିଖର ଉପଦେଶ’ (Bergpredigt Sermon on the Mount)ର ଏହି ଆଶୀର୍ବାଦ ପରିପୂତ ଭାବନାଗୁଡ଼ିକୁ ଯୀଶୁ ପରବର୍ତ୍ତୀ-କାଳୀନ ଇହୁଦୀ ସମାଜର ମେସିହାବାଦୀ ଭୂମି ଉପରେ ପ୍ରଚାର କରିଥିଲେ । କିନ୍ତୁ ଏହି ପ୍ରେମଧର୍ମ ଭିତରେ ନିହିତ ଥିବା ଆଧ୍ୟାତ୍ମିକତା ଠିକ୍ ପାବକର ପାବନ ଶକ୍ତି ପରି ଧୀରେ ଧୀରେ ଯେପରି ଏହାର ସମ୍ପର୍କରେ ଆସୁଥିବା ଭାବନାକୁ ସ୍ପର୍ଶ ଓ ପବିତ୍ର କରିପାରିବ, ସେଥିପ୍ରତି ଆମକୁ ପ୍ରଧାନ ଦୃଷ୍ଟି ରଖିବାକୁ ହେବ-। ଏଣୁ ଆପଣାକୁ ଆଧ୍ୟାତ୍ମିକ ଭୂମିକୁ ଉନ୍ନୀତ କରି ନେବାର ଏକ ଅବିରାମ ଅର୍ଥାତ୍ ଚିରନ୍ତନ ଧାରା ମଧ୍ୟ ଦେଇ ହିଁ ଖ୍ରୀଷ୍ଟିଆନ୍ ଧର୍ମକୁ ଅବଶ୍ୟ ବିକଶିତ ହେବାକୁ ପଡ଼ିବ ।

 

ପରବର୍ତ୍ତୀ-କାଳୀନ ଇହୁଦୀ ଧର୍ମ-କଳ୍ପନାରେ ଥିବା ମେସିହାବାଦ ଓ ଭଗବତ ସାମ୍ରାଜ୍ୟକୁ ବୁଝାଇ ଦେବା ପାଇଁ ଯୀଶୁ କୌଣସି ଚେଷ୍ଟା କରି ନାହାନ୍ତି । ଏହିସବୁ ବିଷୟରେ ଲୋକମାନେ କିପରି କଳ୍ପନାମାନ କରିବେ ବା କରୁଚନ୍ତି, ସେ ସମ୍ବନ୍ଧରେ ସେ ଆଦୌ କୌଣସି ଚିନ୍ତା କରି ନାହାନ୍ତି । କିନ୍ତୁ ଯେଉଁ ପ୍ରେମର ଉଦ୍ରେକ ବ୍ୟତିରେକେ କେହି କଦାପି ଭଗବତ୍-ଭରସା ଲାଭ କରି ପାରିବ ନାହିଁ ଏବଂ କଦାପି ଭଗବତ୍ ସାମ୍ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ, ସେହି ପ୍ରେମ ମଣିଷ ଭିତରେ କିପରି ଶକ୍ତିଶାଳୀ ହୋଇ ପାରିବ । କେବଳ ଏଇଥିପାଇଁ ସେ ଆପଣାର, ଯାବତୀୟ ପ୍ରଚାର କାର୍ଯ୍ୟକୁ ଉଦ୍ଦିଷ୍ଟ କରି ରଖିଚନ୍ତି । ପ୍ରେମହିଁ ହେଉଚି ତାଙ୍କର ସମସ୍ତ ପ୍ରଚାରର ଏକମାତ୍ର ବିଷୟ ବସ୍ତୁ,–ଭଗବତ୍-ସାମ୍ରାଜ୍ୟର ଯୋଗ୍ୟ ଅଧିକାରୀ ହୋଇ ପାରିବା ଲାଗି ଆପଣାର ହୃଦୟକୁ କିପରି ପ୍ରସ୍ତୁତ କରିବାକୁ ପଡ଼ିବ, ଏହାରି ଉପରେ ହିଁ ସେ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଚନ୍ତି । ତେଣୁ ତାଙ୍କର ଧର୍ମପ୍ରଚାରରେ ମେସିହାବାଦୀ ଧର୍ମ କଳ୍ପନା ବଡ଼ ଅପ୍ରଧାନ ଭାବରେ ପଛରେ ପଡ଼ି ଯାଇଚି । ଯଦି ମଝିରେ ମଝିରେ ସେ ଏହି ବିଷୟରେ କୌଣସି ଉଲ୍ଲେଖ କରି ନଥାନ୍ତେ, ତେବେ ତାଙ୍କର ପ୍ରଚାର ସହିତ ଯେ ଏପରି କଳ୍ପନାର କୌଣସି ସଙ୍ଗତି ବା ସମ୍ବନ୍ଧ ରହିଚି, ତାହା ମଧ୍ୟ ଅତି ସହଜରେ ଆମେ ଭୁଲିଯାଇ ପାରନ୍ତୁ । ଏହି କାରଣରୁ ଯୀଶୁଙ୍କର ପ୍ରେମଧର୍ମ ଯେ ଏକ ନିର୍ଦ୍ଦିଷ୍ଟ ସମୟ ବା ଯୁଗର ଭୂମି ଉପରେ ଆପଣାକୁ ପ୍ରକାଶିତ ଓ ପ୍ରଚାରିତ କରିଥିଲା, ଅନେକ ଦିନ ପର୍ଯ୍ୟନ୍ତ ଏହି ବିଷୟ କାହାରି ଦୃଷ୍ଟି ଆକର୍ଷଣ କରିପାରି ନଥିଲା ।

 

ପରବର୍ତ୍ତୀ କାଳର ଇହୁଦୀ ମେସିହାବାଦକୁ ଏକ ଆଗ୍ନେୟଗିରିର ମୁଖ-ଗହ୍ଵର ବୋଲି କୁହାଯାଇ ପାରିବ ଏବଂ ସେହି ମୁଖ-ଗହ୍ଵରର ଦ୍ଵାର ଦେଇ ଶାଶ୍ଵତ ପ୍ରେମ ଧର୍ମର ଅଗ୍ନିସ୍ରୋତ ଉଦ୍‍ଗାରିତ ହୋଇଥିଲା ବୋଲି ବେଶ୍ କଳ୍ପନା କରାଯାଇ ପାରିବ ।

 

X X X X

 

ଯୀଶୁଙ୍କର ସନ୍ଦେଶମାନ ଶୁଣିଲାବେଳେ ଆମେ ଆମ ନିଜର ଦୃଷ୍ଟିଭୂମି ତ୍ୟାଗ କରି ଆଉ ଏକ ଦୃଷ୍ଟିଭୂମିରେ ଆସି ପଦାର୍ପଣ କରିଥାଉ, ଏହି କଥାଟିର ଏକ ଅତି ଗୂଢ଼ ଓ ଗଭୀର ମହତ୍ତ୍ଵ ରହିଚି । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଆମର ଦୃଷ୍ଟିଭୂମି ଉପରେ ଖ୍ରୀଷ୍ଟଧର୍ମକୁ ଏକ ବାହ୍ୟ ସାମଗ୍ରୀ ବୋଲି ଗ୍ରହଣ କରି ନେବାର ସତତ ବିପଦ ରହିଚି ! ଯୀଶୁଙ୍କର ଧର୍ମ ସନ୍ଦେଶ ପୃଥିବୀର ବିଲୟ ବିଷୟରେ ଆମକୁ ସତର୍କ ଓ ସାବଧାନ କରି ଦେଇଯାଏ । ଏପରି କରିବା ଦ୍ଵାରା ତାହା ଆମକୁ ଭଗବତ୍ ସାମ୍ରାଜ୍ୟ ବିଷୟକ କୋଳାହଳମୟ ଲମ୍ବା ଚଉଡ଼ା ରାସ୍ତା ଉପରୁ ଏକ ଅନ୍ତର୍ଗତ ଅନୁଭବର ପାଦ ଚଲା ଏକାନ୍ତ ରାସ୍ତା ଉପରକୁ ନେଇ ଚାଲିଯାଏ ଏବଂ ପୃଥିବୀଠାରୁ ଆଧ୍ୟାତ୍ମିକ ସ୍ଵତନ୍ତ୍ରତା ଅର୍ଜନ କରି ଭଗବତ୍-ସାମ୍ରାଜ୍ୟର ପ୍ରତିଷ୍ଠା ପାଇଁ ଉପଯୁକ୍ତ ନିମିତ୍ତ ହେବାର ଶକ୍ତିର ଅନ୍ଵେଷଣ କରିବା ଲାଗି ଆମକୁ ଉଦବୋଧନ ଦେଇଯାଏ । ପୃଥିବୀକୁ ମିଥ୍ୟାମୟ ବା ଅସାର ବୋଲି ମାନି ତାକୁ ଅସ୍ଵୀକାର କରିବାର ବାଟଦେଇ ଯିବାଦ୍ଵାରା ପୃଥିବୀ ବିଷୟରେ ଯେଉଁ ସାରସ୍ଵୀକାର ଉପଲବ୍ଧ ହୁଏ, ତାହାହିଁ ହେଉଚି ଖ୍ରୀଷ୍ଟଧର୍ମର ସାରସତ୍ୟ । ଜଗତକୁ ଅସ୍ଵୀକାର କରିବାର ଏକ ପରିଣାମବାଦୀ ଦୃଷ୍ଟିଭୂମି ଉପରେ ଯୀଶୁ ତାଙ୍କର ସକ୍ରିୟ ପ୍ରେମର ନୀତିଧର୍ମର ଘୋଷଣା କରିଅଛନ୍ତି ।

 

X X X X

 

ଯୀଶୁଙ୍କର କଳ୍ପନା ସହିତ ଇତିହାସର ଯୀଶୁଙ୍କୁ ଆଣି ଯୋଡ଼ିବା ଯଦି ଆମକୁ ତଥାପି ଅସଙ୍ଗତ ବୋଲି ମନେହୁଏ, ତଥାପି ଏହା ଅତି ସତ୍ୟ କଥା ଯେ ଯୀଶୁଙ୍କର ବ୍ୟକ୍ତିତ୍ୱ ଜରିଆରେ ଆମେ ତାଙ୍କର ଯେଉଁ ପରିଚୟ ପାଉ, ତାହା ଆମର ଅନ୍ତରକୁ ଅଧିକ ଶକ୍ତିଶାଳୀ ଓ ଅଧିକ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିଥାଏ । କିନ୍ତୁ ତାଙ୍କର ପ୍ରଚାରିତ ଧର୍ମାନୁଶାସନ ଓ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କରାଯାଇଥିବା ଗବେଷଣାର ସିଦ୍ଧାନ୍ତମାନ ତାଙ୍କ ବିଷୟରେ ଆମକୁ କଦାପି ଏତେ ଦୂର ପ୍ରଭାବିତ ଓ ପ୍ରେରିତ କରିପାରେ ନାହିଁ । ଖ୍ରୀଷ୍ଟଧର୍ମର ଅନୁଶାସନ ଭିତରେ ଯୀଶୁ ଚରିତର ଜୀବନମୟତାକୁ ଅନେକ ମ୍ଳାନ ଓ ମଳିନ କରି ଦିଆଯାଇଚି, ତାଙ୍କ ବିଷୟରେ କରାଯାଇଥିବା ଆଧୁନିକ ଗବେଷଣାମାନ ତାଙ୍କୁ ଏକ ଆଧୁନିକ ଛଦ୍ମବେଶ ପିନ୍ଧାଇ ଠିଆ କରାଇ ଦେଇଚି ଓ ତାଙ୍କର ମହତ୍ତ୍ଵରେ ଅନେକ ହାନି ଘଟାଇଚି ।

 

ଭିତରେ ସାହସ ବାନ୍ଧି ଯିଏ ସିଧାସଳଖ ଐତିହାସିକ ଯୀଶୁଙ୍କର ସମ୍ମୁଖୀନ ହୋଇପାରିବ ଏବଂ ତାଙ୍କର ଶକ୍ତିଶାଳୀ ଉକ୍ତିଗୁଡ଼ିକର ଭିତର ଦେଇ ସେ ଦେଉଥିବା ଉପଦେଶାବଳୀକୁ ଯଥାର୍ଥ ଭାବରେ ଶୁଣିପାରିବ, ଏକ ନୂତନ ଓ ଅପରିଚିତ ବେଶ ଧାରଣ କରିଥିବା ଯୀଶୁଙ୍କ ସହିତ, ଏହି ଆତ୍ମଆବିଷ୍କୃତ ଯୀଶୁଙ୍କର କେତେଦୂର କି ସମ୍ପର୍କ ରହିଚି, ଏହିକଥା ପ୍ରଶ୍ନ କରିବାର ଅବସର ମଧ୍ୟ ତାକୁ ଆଉ ମିଳିବ ନାହିଁ । ସେ ତାଙ୍କୁ ଅବଶ୍ୟ ଚିହ୍ନିନେବ, ତା’ର ଜୀବନ ଉପରେ ପରମ କର୍ତ୍ତୃତ୍ୱର ଦାବି କରି ଆସିଥିବା ଏକ ମହିମାମୟ ଭଗବତ୍‍ଶକ୍ତି ଭାବରେ ସେ ତାଙ୍କୁ ଅବଶ୍ୟ ଚିହ୍ନିନେବ ।

 

ମନୁଷ୍ୟର ଇଚ୍ଛାଉପରେ ଭଗବତ୍-ଇଚ୍ଛାର ସକ୍ରିୟ ପ୍ରଭାବ-ବିସ୍ତାର ଗୂଢ଼ସତ୍ୟକୁ ଯିଏ ହୃଦୟଙ୍ଗମ କରିପାରିବ, କେବଳ ସେହି ଯଥାର୍ଥ ଭାବରେ ଯୀଶୁଙ୍କୁ ବୁଝିବାଲାଗି ସମର୍ଥ ହୋଇପାରିବ । ଯୀଶୁଙ୍କ ସହିତ ଯଥାର୍ଥ ସମ୍ପର୍କ ସ୍ଥାପନ କରିବାର ଅର୍ଥ ହେଉଚି ତାଙ୍କର ଅଧିକାର ଓ ଦାବି ଭିତରେ ଆପଣାକୁ ପୂର୍ଣ୍ଣଭାବେ ସମର୍ପଣ କରିଦେବା । ଆମର ବ୍ୟକ୍ତିଗତ ଇଚ୍ଛାକୁ ଆମେ ତାଙ୍କର ଇଚ୍ଛାପାଖରେ ସମର୍ପଣ କରିଦେବା । ଏହି ସତ୍ୟର ଭୂମିଉପରେ ହିଁ ଖ୍ରୀଷ୍ଟିଆନ୍ ଧର୍ମର ଯାବତୀୟ ଧର୍ମେଚ୍ଛା ଓ ଧାର୍ମିକତାର ମୂଲ୍ୟ ନିରୂପିତ ହୋଇପାରିବ ।

 

ସେ ପ୍ରକୃତରେ କିଏ, ଏହାକୁ କଥାରେ ବା କଳ୍ପନାରେ ବୁଝିପାରିବାର ସାମର୍ଥ୍ୟ ଲୋକମାନେ ଅର୍ଜନ କରନ୍ତୁ, ଲୋକମାନଙ୍କଠାରୁ ଯୀଶୁ ଆଜି କଦାପି ଏହା ଆଶା ବା ଦାବି କରନ୍ତି ନାହିଁ । ଯେଉଁମାନେ ପ୍ରକୃତରେ ତାଙ୍କର ମୁଖରୁ ନିସୃତ ହୋଇଥିବା କଥାକୁ ଶୁଣିବାର ସୁଯୋଗ ପାଇଥିଲେ, ସେମାନଙ୍କୁ ମଧ୍ୟ ଆପଣାର (ଯୀଶୁଙ୍କର) ବ୍ୟକ୍ତିତ୍ୱର ଗୂଢ଼ସତ୍ୟକୁ ଜାଣିବା ଲାଗି ଆବଶ୍ୟକ ଅନ୍ତର୍ଦୃଷ୍ଟି ଦାନ କରିବାର କୌଣସି ଆବଶ୍ୟକତା ସେ ଅନୁଭବ କରିନଥିଲେ । ସେ ଡେଭିଡ଼ଙ୍କର ବଂଶଧର ଥିଲେ ଓ ପରେ ପୁଣି ସେହି ମେସିହାର ଅବତାର ଗ୍ରହଣ କରିବେ, ଏପରି କୌଣସି କଥା ଯୀଶୁ କେବେହେଲେ ସେମାନଙ୍କୁ ଫିଟାଇ କହି ନାହାନ୍ତି । ବରଂ ତାଙ୍କ ଦ୍ଵାରା ସେମାନେ ଏହି ପୃଥିବୀର ଜୀବନରୁ ଆଉ ଏକ ପୃଥିବୀର ଜୀବନକୁ ଉତ୍ତୋଳିତ ହୋ ଯାଇଚନ୍ତି ଓ ତଦ୍ଦ୍ଵାରା ଭଗବତ୍-ଶକ୍ତିର ଅଧିକାରୀ ହୋଇ ପାରିଚନ୍ତି । ସେମାନେ ଆପଣାର କାର୍ଯ୍ୟ ଓ ସହନଶକ୍ତି ଦ୍ଵାରା ଆପଣାକୁ ଏହି ସତ୍ୟର ଯୋଗ୍ୟ ବୋଲି ପ୍ରମାଣିତ କରିବେ, ସେମାନଙ୍କ ଠାରୁ ସେ କେବଳ ଏହାହିଁ ପ୍ରତ୍ୟାଶା କରିଚନ୍ତି ।

 

ଯୀଶୁଙ୍କ ସମ୍ବନ୍ଧରେ ନାନା ଅନ୍ଵେଷଣ, ଅଧ୍ୟୟନ ଓ ବିଚାର ମଧ୍ୟ ଦେଇ ଗତି କଲାବେଳେ ଏହିସବୁ ବିଷୟ ମୋର ସମ୍ମୁଖରେ କ୍ରମେ ଅଧିକ ପ୍ରତ୍ୟକ୍ଷ ଓ ନିଶ୍ଚିତ ହୋଇଯାଇଥିଲା-। ସେଥିପାଇଁ ‘ଯୀଶୁ-ଜୀବନଚରିତର ଐତିହାସିକ ଅଧ୍ୟୟନ’ ଗ୍ରନ୍ଥକୁ ମୁଁ ନିମ୍ନ କେତୋଟି ବାକ୍ୟରେ ସମାପ୍ତ କରିଥିଲି : “ଅତି ଅଜ୍ଞାତ ଓ ଅନାମଧେୟ ଭାବରେ ଯୀଶୁ ଆମପାଖକୁ ଆସୁଚନ୍ତି-। ଠିକ୍ ଏହିପରି ଅଜ୍ଞାତ ଓ ଅନାମଧେୟ ଭାବରେ ହ୍ରଦତୀରରେ ସେ ତାଙ୍କର କୌଣସି ପରିଚୟ ପାଇନଥିବା ଲୋକମାନଙ୍କ ପାଖକୁ ଆସିଥିଲେ । ସେଦିନ ପରି ଆଜି ମଧ୍ୟ ତାଙ୍କର ମୁଖରୁ ସେହି ଏକ ବାଣୀ ଉଦ୍‍ଗାରିତ ହେଉଚି, ‘ମୋର ଅନୁସରଣ କର !’ ଆମର ବର୍ତ୍ତମାନ ଯୁଗରେ ଆମକୁ ଯେଉଁସବୁ କର୍ତ୍ତବ୍ୟର ଦାୟିତ୍ଵ ବହନ କାରିବାକୁ ହେବ, ଆମକୁ ସେ ସେହିସବୁ ଦାୟିତ୍ଵ ଦେଇ ଯାଉଛନ୍ତି । ସେ ଆଦେଶ ଦେଉଛନ୍ତି । ଯେଉଁମାନେ ତାଙ୍କର ସେହି ଆଦେଶକୁ ପାଳନ କରୁଛନ୍ତି, ସେମାନେ ପଣ୍ଡିତ ହୁଅନ୍ତୁ ବା ମୂର୍ଖ ହୁଅନ୍ତୁ, ତାଙ୍କର ଶାନ୍ତି, ତାଙ୍କର କାର୍ଯ୍ୟ, ତାଙ୍କର ସଂଗ୍ରାମ ଓ ତାଙ୍କର ସହନର ସହଯୋଗୀ ଅନୁବର୍ତ୍ତୀ ହିସାବରେ ସେମାନେ ଯେଉଁସବୁ ଅବସରର ସୌଭାଗ୍ୟ ଲାଭ କରୁଛନ୍ତି, ସେହିସବୁ ଅବସର ଭିତରେ ହିଁ ସେ ଆପଣାକୁ ସେମାନଙ୍କ ଆଗରେ ପ୍ରକାଶିତ କରି ଦେଉଚନ୍ତି । ଏହିପରି ଭାବରେ ସେମାନେ କ୍ରମେ ତାଙ୍କର ପରିଚୟ ଲାଭ କରୁଚନ୍ତି । ସେହି ଅନିର୍ବଚନୀୟ ଗୂଢ଼ସତ୍ୟର ଅଧିକ ସମୀପବର୍ତ୍ତୀ ହେଉଚନ୍ତି ।”

 

X X X X

 

ଅତିଶୀଘ୍ର ପୃଥିବୀରେ ଏକ ଅତିଭୌତିକ ଭଗବତ୍-ସାମ୍ରାଜ୍ୟ ପ୍ରତିଷ୍ଠିତ ହେବ ବୋଲି ଯୀଶୁ ଯେଉଁ ଭବିଷ୍ୟତବାଣୀ ଶୁଣାଇଥିଲେ, ତାହା ପ୍ରକୃତରେ ପ୍ରତିଷ୍ଠିତ ହେଲାନାହିଁ । ସେଥିପାଇଁ ଇତିହାସର ଯୀଶୁ ମଧ୍ୟ ଯେ ଭୁଲ୍‍ କରିପାରନ୍ତି, ଏହିକଥା ଜାଣିବା ମାତ୍ରକେ ଅନେକେ ଅନେକ ସମୟରେ ବଡ଼ ବିସ୍ମିତ ଓ ଶଙ୍କିତ ହୋଇପଡ଼ନ୍ତି ।

 

ବାଇବେଲ୍‍ର ଧର୍ମସନ୍ଦେଶରେ ଅତି ସ୍ପଷ୍ଟଭାବରେ ଯାହା ଲିପିବଦ୍ଧ ହୋଇ ରହିଚି, ତାହା ବିରୁଦ୍ଧରେ ଯିବାଲାଗି ଆମର କି ଶକ୍ତି ଅଛି ? କୌଣସି ପରିସ୍ଥିତିରେ ମଧ୍ୟ ଯୀଶୁ କଦାପି କୌଣସି ଭୁଲ୍ କରିବେନାହିଁ, ଧର୍ମପୁସ୍ତକର ଏହି ଘୋଷଣା ସହିତ ନାନାପ୍ରକାର ଅବିବେଚିତ ଓ ବୁଦ୍ଧି-ବିକୃତ କୈଫିୟତ୍ ଦ୍ଵାରା ଯୀଶୁଙ୍କର ଭକ୍ତିଗୁଡ଼ିକୁ ଖାପ ଖୁଆଇ ନେବାକୁ ଚେଷ୍ଟା କଲେ ଆମେ ପ୍ରକୃତରେ ଯୀଶୁଙ୍କର ସମର୍ଥିତ ମାର୍ଗରେ ଏପରି କରୁଚୁ ବୋଲି କୁହାଯାଇ ପାରିବ କି ? ଯୀଶୁ କୌଣସିଠାରେ ଆପଣାକୁ ସର୍ବଜ୍ଞ ବା ସର୍ବବିତ୍ ବୋଲି ଦାବି କରିନାହାନ୍ତି । ଏକଦା ଜଣେ ଯୁବକ ତାଙ୍କୁ ‘ମଙ୍ଗଳକାରୀ’ ପ୍ରଭୁ ବୋଲି ସମ୍ବୋଧନ କଲାରୁ ସେ ତତ୍‍କ୍ଷଣାତ୍ ସୂଚାଇ ଦେଇଥିଲେ ଯେ କେବଳ ଭଗବାନ ହେଉଚନ୍ତି ଏକମାତ୍ର ମଙ୍ଗଳକାରୀ । ସେହିପରି ସେ କୌଣସିକାଳେ କୌଣସି ଭୁଲ୍‍ କଦାପି କରିବେନାହିଁ ବୋଲି ତାଙ୍କଠାରେ କେହି ଏପରି ଏକ ଐଶ୍ଵରିକ ଆରୋପ କରି ପକାଇଥାଆନ୍ତା, ହୁଏତ ତତ୍‍କ୍ଷଣାତ୍ ସେ ତାହାର ପ୍ରତିବାଦ କରିଥାଆନ୍ତେ । ସାଂସାରିକ ଇତିହାସ ଓ ନିତ୍ୟନୈମିତ୍ତିକ ଜୀବନର ଘଟଣାବଳୀ ବିଷୟରେ ହାସଲ କରାଯାଇଥିବା ଜ୍ଞାନରୁ ଆମେ ଆଧ୍ୟାତ୍ମିକ ସତ୍ୟ-ବିଷୟକ ଜ୍ଞାନର ପରୀକ୍ଷା କଦାପି କରିପାରିବା ନାହିଁ । ଆଧ୍ୟାତ୍ମିକ ସତ୍ୟର ସ୍ତର ସାଂସାରିକ ସତ୍ୟର ସ୍ତରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ।

 

ଭଗବାନଙ୍କୁ ଆପଣାଠାରୁ ବଡ଼ ବୋଲି ଦେଖାଇ ଇତିହାସର ଯୀଶୁ କିପରି ଆପଣାକୁ ଭଗବାନଙ୍କର ନିମିତ୍ତମାତ୍ର ବୋଲି ପ୍ରଚାର କରିଚନ୍ତି, ତାହା ଆମକୁ ପ୍ରକୃତରେ ବିସ୍ମୟାଭିଭୂତ କରିପକାଏ । ଧର୍ମପୁସ୍ତକରେ ବର୍ଣ୍ଣିତ ଯୀଶୁଚରିତ୍ରଠାରୁ ଇତିହାସର ଏହି ଯୀଶୁଙ୍କୁ ଅନେକ ଅଧିକ ଉଚ୍ଚରେ ଆସନ ଦେବାକୁ ପଡ଼ିବ । ଗ୍ରୀକ୍ ତତ୍ତ୍ଵଶାସ୍ତ୍ର ଦ୍ଵାରା ପ୍ରଭାବିତ ହୋଇ ଖ୍ରୀଷ୍ଟୀୟ ଧର୍ମପୁସ୍ତକ ଯୀଶୁଙ୍କୁ ସର୍ବଜ୍ଞ ଓ ଭୁଲ୍ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି କଳ୍ପନା କରିବାର ଭ୍ରମରେ ପଡ଼ିଯାଇଚି ।

 

ପରବର୍ତ୍ତୀ କାଳର ଇହୁଦୀ ମେସିହାବାଦୀ ଭୂମିଉପରେ ଯେ ଯୀଶୁ ଆପଣା ଧର୍ମୋପଦେଶର ପ୍ରଚାର କରିଚନ୍ତି, ଏହା ଅତି ନିଃସନ୍ଦେହ ଭାବରେ କୁହାଯାଇପାରେ । କିନ୍ତୁ ଆପଣାର ବିଚାରରେ ସେ କୌଣସିପ୍ରକାରର ରକ୍ଷଣଶୀଳତା ବା ମତାନ୍ଧତା ଦେଖାଇନାହାନ୍ତି । ସେ କୌଣସିପ୍ରକାର ଆୟତନସିଦ୍ଧ ଧର୍ମନୀତିର ସୂତ୍ର ବାନ୍ଧିଦେଇ ଯାଇନାହାନ୍ତି । କେଉଁ ଲୋକ କେତେ ନିର୍ଭୁଲ ଭାବରେ କୌଣସି ଏକ ପୂର୍ବସିଦ୍ଧ ଓ ଅପରିବର୍ତ୍ତନୀୟ ଧର୍ମାନୁଶାସନକୁ ମାନିକରି ଚଳୁଚି, ସେଥିରୁ ତାହାର ବିଶ୍ଵାସର ବିଚାର କରିବାକୁ ସେ କଦାପି ଚେଷ୍ଟା କରି ନାହାନ୍ତି । ଆପଣାର ସମସ୍ତ ବିଚାରକୁ ଜଳାଞ୍ଜଳି ଦେଇ କେବଳ ଅନ୍ଧଭାବରେ ବିଶ୍ଵାସ କରିବାକୁ ସେ ତାଙ୍କର ଶ୍ରୋତାମାନଙ୍କୁ କଦାପି କୌଣସିପ୍ରକାରର ପ୍ରରୋଚନା ଦେଇନାହାନ୍ତି । ଓଲଟି ଧର୍ମ ବିଷୟରେ ଆପେ ଗମ୍ଭୀରଭାବରେ ବିଚାର କରିବାଲାଗି ହିଁ ସେ ପ୍ରତ୍ୟେକ ବ୍ୟକ୍ତିକୁ ଉଦବୋଧନ ଦେଇଚନ୍ତି । ତାଙ୍କର ‘ଗିରିଶିଖର ଉପଦେଶ’ରେ ଧର୍ମର ସାରସତ୍ୟ ରୂପେ ଏକ ନୈତିକ ଜୀବନ-ପ୍ରେରଣାକୁ ସେ ମନୁଷ୍ୟର ହୃଦୟଭିତରେ ପ୍ରବିଷ୍ଟ କରାଇବାକୁ ଚେଷ୍ଟା କରିଚନ୍ତି; ନୈତିକ ଜୀବନର ଦୃଷ୍ଟିକୋଣରୁ ଧର୍ମ ମନୁଷ୍ୟ ଭିତରେ କି ପରିବର୍ତ୍ତନ ସଙ୍ଘଟିତ କରାଉଚି, ତାହାରି ମାନଦଣ୍ଡ ଉପରେ ହିଁ ଧର୍ମର ବିଚାର କରିବାକୁ ସେ ଶ୍ରୋତାମାନଙ୍କୁ ପ୍ରେରଣା ଦେଇଚନ୍ତି । ଏକ ମେସିହାବାଦୀ ଆଶା ନେଇ ତାଙ୍କ ପାଖରେ ସମବେତ ହୋଇଥିବା ଶ୍ରୋତାମାନଙ୍କର ହୃଦୟରେ ସେ ଏକ ନୈତିକ ନିଷ୍ଠା ଓ ବିଶ୍ଵାସର ଅଗ୍ନି ପ୍ରଜ୍ୱଳିତ କରିଦେଇଚନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ‘ଗିରିଶିଖର ଉପଦେଶ’ର ଉଦାରନୀତିକୁ ଖ୍ରୀଷ୍ଟଧର୍ମର ଅପ୍ରତିଦ୍ଵନ୍ଦ୍ୱୀ ସନନ୍ଦ ବା ଘୋଷଣାପତ୍ର ବୋଲି କୁହାଯାଇ ପାରିବ । ନୈତିକ ଜୀବନ ହେଉଚି ଧର୍ମର ଶ୍ରେଷ୍ଠ ସାରତତ୍ତ୍ଵ,–ଏହି ସତ୍ୟକୁ ଯୀଶୁ ଦୃଢ଼ଭାବରେ ପ୍ରତିଷ୍ଠିତ କରିଯାଇଅଛନ୍ତି ।

 

ପରବର୍ତ୍ତୀ ଇହୁଦୀଧର୍ମର ପରିଣାମବାଦୀ ଦୃଷ୍ଟିଭୂମି ଅପସାରିତ ହୋଇଯିବା ସଙ୍ଗେ ସଙ୍ଗେ ମଧ୍ୟ ଯୀଶୁପ୍ରଚାରିତ ପ୍ରେମଧର୍ମ ପ୍ରତ୍ୟେକ ପ୍ରକାରର ସୂତ୍ରାନ୍ଧତାରୁ ଆପଣାକୁ ମୁକ୍ତ କରିପାରିଚି । ଯେଉଁ ଛାଞ୍ଚରେ ପ୍ରଥମେ ଏହି ଧର୍ମର ଢଳେଇ ହୋଇଥିଲା, ବର୍ତ୍ତମାନ ସେହି ଛାଞ୍ଚ ଭାଙ୍ଗିଯାଇଚି । ଏହାଦ୍ୱାରା ଯୀଶୁଧର୍ମକୁ ଆପଣା ଜୀବନର ଏକ ଜୀବନ୍ତ ପ୍ରେରକଶକ୍ତିରେ ପରିଣତ କରିବାଲାଗି ଆମେ ପ୍ରତ୍ୟେକେ ସ୍ଵାଧୀନତା ଅର୍ଜନ କରିଚୁ । ଏହି ଧର୍ମର ଶୁଦ୍ଧ ଆଧ୍ୟାତ୍ମିକ ଓ ନୈତିକ ପ୍ରକୃତି ମଧ୍ୟ ଆମକୁ ସତତ ଏହି ଆହ୍ଵାନ ଦେଇଯାଉଚି । x x x

 

ଖ୍ରୀଷ୍ଟିଆନ୍ ଧର୍ମମତ ଏକ ପୂର୍ଣ୍ଣ ଓ ମନଃପୂତ ନିଷ୍ଠାସହକାରେ ଆପଣାକୁ ଐତିହାସିକ ସତ୍ୟସହିତ ମିଳାଇନେଉ, ଏହି ଆବଶ୍ୟକତାକୁ ହୃଦୟଙ୍ଗମ କରାଇବାର ମୋର ଏହି କାର୍ଯ୍ୟକୁ ଏକ ସହଜ କାର୍ଯ୍ୟ ବୋଲି ଆଦୌ କୁହାଯାଇ ନପାରେ । କିନ୍ତୁ ଅତି ଆନନ୍ଦିତ ହୋଇ ମୁଁ ଏହି କାର୍ଯ୍ୟର ଦାୟିତ୍ଵ ବହନ କରିବାରେ ଆପଣାକୁ ନିୟୋଜିତ କରିଦେଇଛି, କାରଣ ପ୍ରତ୍ୟେକ କ୍ଷେତ୍ରରେ କେବଳ ସତ୍ୟର ଅନୁସନ୍ଧାନ କରିବା ହେଉଚି ଯେ ଯୀଶୁଧର୍ମର ଯଥାର୍ଥ ଆଚରଣ କରିବା, ମୁଁ ଏହାକୁ ନିଶ୍ଚିତ ଭାବରେ ଗ୍ରହଣ କରିନେଇଚି ।

 

(ଆଲ୍‍ବର୍ଟ୍ ସ୍ଵାଇତ୍‍ଜର୍‍ ଇଉରୋପରେ ପ୍ରଖ୍ୟାତ ସଙ୍ଗୀତସ୍ରଷ୍ଟା ଜୋହାନ୍‍ବାଖ୍‍ଙ୍କ ସମ୍ବନ୍ଧରେ ଏକ ନିବନ୍ଧ ଲେଖିଥିଲେ । ଗିର୍ଜାରେ ବ୍ୟବହୃତ ହେଉଥିବା ବାଦ୍ୟଯନ୍ତ୍ର ଅର୍‍ଗାନ୍ ଓ ତାହାର ନିର୍ମାଣକଳା ବିଷୟରେ ସେ ଅନେକ ଅଧ୍ୟୟନ ଓ ଆଲୋଚନା କରିଥିଲେ ଏବଂ ତତ୍‍ସମ୍ବନ୍ଧୀୟ ଏକ କ୍ଷୁଦ୍ର ପୁସ୍ତକ ମଧ୍ୟ ଲେଖିଥିଲେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ରଚିତ ଏହି ଦୁଇ ଗ୍ରନ୍ଥର ଆଲୋଚନା କରିଚନ୍ତି । ଓଡ଼ିଆ ପାଠକମାନେ ଏଇ ଦୁଇଟି ବିଶେଷ ବିଷୟପ୍ରତି କୌଣସିପ୍ରକାର ଆକର୍ଷଣ ଅନୁଭବ କରିବେନାହିଁ, ଏଥିପାଇଁ ଅଧ୍ୟାୟ ଦୁଇଟିକୁ ଅନୁବାଦରୁ ବାଦ ଦିଆଯାଇଚି । –ଅନୁବାଦକ)

☆☆☆

 

ଆଫ୍ରିକାରେ ଡାକ୍ତର ହେବାପାଇଁ ମୁଁ ସଂକଳ୍ପ କଲି

 

୧୯୦୫ ମସିହା ଅକ୍ଟୋବର ତେର ତାରିଖ ଶୁକ୍ରବାର ଦିନ ପାରିସ୍‍ର ଆଭିନ୍ୟୁ ଦ’ଲା ଗ୍ରାଁଦ୍‍ ଆର୍‍ମି’ (Avenue de la Grande Armee) ରାସ୍ତାରେ ଥିବା ଏକ ଚିଠି ବାକ୍ସରେ ମୁଁ ମୋର ପିତାମାତା ଏବଂ କେତେକ ଅତିପରିଚିତ ବନ୍ଧୁଙ୍କ ପାଖକୁ କେତେଖଣ୍ଡ ଚିଠି ପକାଇ ଦେଇ ଆସିଲି । ଆଗାମୀ ଶୀତକାଳୀନ ଅଧିବେଶନଠାରୁ ମୁଁ ଡାକ୍ତରୀ ପଢ଼ା ଆରମ୍ଭ କରିବି, କାରଣ ଡାକ୍ତରୀ ପଢ଼ିସାରିବାପରେ ବିଷୁବମଣ୍ଡଳୀୟ ଆଫ୍ରିକାକୁ ମୁଁ ଡାକ୍ତର ହୋଇ ଯିବି, ଚିଠିରେ ସଭିଙ୍କ ପାଖକୁ ମୁଁ ମୋର ଏ ନିଷ୍ପତ୍ତି ଲେଖି ଜଣାଇ ଦେଇଥିଲି । ଆଉ ଗୋଟିଏ ଚିଠିରେ ମଧ୍ୟ ମୁଁ ସେଣ୍ଟ ଥୋମାସ୍‍ କଲେଜର ଥିଓଲଜି ବିଭାଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଲେଖି ପଠାଇଥିଲି । ଡାକ୍ତରୀ ପଢ଼ିବାକୁ ଗଲେ ମୁଁ ଏହି ଦାୟିତ୍ୱଟି ବହନ କରିବାର ସମୟ ପାଇଥାନ୍ତି କୁଆଡ଼ୁ ?

 

ଏହି ଯେଉଁ ଯୋଜନାଟିକୁ ମୁଁ ବର୍ତ୍ତମାନ କାର୍ଯ୍ୟରେ ପରିଣତ କରିବାକୁ ଭାବୁଥିଲି, ଅନେକ ଦିନରୁ ସେହି ଯୋଜନା ମୋର ମନ ଭିତରେ ରହି ଆସିଥିଲା । ଏପରିକି ମୋର ଛାତ୍ରାବସ୍ଥାରୁ ମଧ୍ୟ ମୁଁ ସେ କଥା ମନେମନେ ବିଚାର କରୁଥିଲି । ମୁଁ ନିଜେ ସୁଖୀ ଜୀବନ ଯାପନ କରିବାର ସୌଭାଗ୍ୟ ଉପଭୋଗ କରୁଥିବି, ଏବଂ ମୋର ଚତୁର୍ଦ୍ଦିଗରେ ଏତେ ମଣିଷ ଅତି କଲବଲ ହୋଇ ଜୀବନର ଦୁଃଖ ଓ ଯନ୍ତ୍ରଣା ସହିତ ସଂଗ୍ରାମ କରିବାରେ ଲାଗିଥିବେ, ଏହି କଥା ମୁଁ କଦାପି କଳ୍ପନା ହିଁ କରିପାରୁ ନଥିଲି । ଏପରିକି ସ୍କୁଲରେ ପଢ଼ୁଥିବା ବେଳେ ଯେତେବେଳେ ମୋ’ ସହିତ ଏକାଠି ପାଠ ପଢ଼ୁଥିବା ପିଲାମାନଙ୍କର ଘରର ଦୁରବସ୍ଥା ମୋର ଆଖିରେ ପଡ଼ି ଯାଉଥିଲା, ସେତେବେଳେ ଗ୍ୟୁନ୍‍ସ୍‍ବାଖ୍‍ ସହରରେ ବାସ କରୁଥିବା ଆମମାନଙ୍କର ଆଦର୍ଶ ବାସବ୍ୟବସ୍ଥା ସହିତ ତାହାର ତୁଳନା କରି ମୋର ମନ ଭିତରଟା ମନ୍ଥି ହୋଇଗଲା ପରି ମନେ ହେଉଥିଲା । ବିଶ୍ଵବିଦ୍ୟାଳୟକୁ ଆସି ମୁଁ କେତେ ସୁବିଧା ସୁଯୋଗ ପାଇଲି, ବିଜ୍ଞାନ ଓ କଳାର ଅଧ୍ୟୟନ କରି ମୁଁ ନିଜେ କିଛି ଫଳ ମଧ୍ୟ ଦେଖାଇ ପାରିଲି । କିନ୍ତୁ ଆପଣାର ଆର୍ଥିକ ଦାରିଦ୍ର୍ୟ ଓ ଶାରୀରିକ ଅସୁସ୍ଥତା ହେତୁ ଯେ ଅନ୍ୟମାନେ ମୋ’ପରି ଏଭଳି ସୁଯୋଗମାନ ଲାଭ କରିପାରୁ ନାହାନ୍ତି, ଏହିପରି ଏକ ଚିନ୍ତା ମୋତେ ସବୁ ସମୟରେ ଭାରି ବିଚଳିତ କରି ପକାଉଥିଲା । ତା’ପରେ–୧୮୯୬ ମସିହାରେ ଗ୍ୟୁନ୍‍ସ୍‍ବାଖଠାରେ ଗ୍ରୀଷ୍ମକାଳୀନ ଛୁଟି ଅତିବାହିତ କରୁଥିବା ବେଳେ ଦିନେ ନିଦରୁ ଉଠିବା ମାତ୍ରକେ ମୋର ମନରେ ଏକ ଭାବନାର ଉଦୟ ହୋଇଥିଲା । ମୁଁ ଭାବିଲି ଯେ ଏହି ସୁଖ ଓ ସୁଯୋଗକୁ କେବଳ ସ୍ଵାଭାବିକ ବୋଲି ମାନିନେଲେ ଆଦୌ ଚଳିବ ନାହିଁ, ଏହାର ପ୍ରତିବଦଳରେ ମୋତେ ମଧ୍ୟ କିଛି ଦେବାକୁ ହିଁ ପଡ଼ିବ । ଚଢ଼େଇମାନେ ବାହାରେ ଗୀତ ଗାଉଥାନ୍ତି, ସ୍ଥିର ଓ ଶାନ୍ତ ଭାବରେ ମୁଁ କିଛି ଗୋଟାଏ ଉପାୟ ଚିନ୍ତା କରିବାକୁ ଲାଗିଲି । ବିଛଣାରୁ ଉଠିବା ପୂର୍ବରୁ ହିଁ ମନକୁ ମନ ମୁଁ ନିଷ୍ପତ୍ତି କରିନେଲି ଯେ ମୋତେ ତିରିଶ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମୁଁ ବିଜ୍ଞାନ ଓ କଳା ଅଧ୍ୟୟନ କରିବାରେ ମୋର ସମସ୍ତ ସମୟ ବିନିଯୋଗ କରିବି,–କିନ୍ତୁ ତା’ପରେ ମୋର ସମସ୍ତ ଜୀବନ ମନୁଷ୍ୟ-ସମାଜର କୌଣସି ଏକ ପ୍ରତ୍ୟକ୍ଷ ସେବା କାର୍ଯ୍ୟରେ ମୋତେ ଅର୍ପିତ କରିଦେବାକୁ ପଡ଼ିବ । “ଆପଣାର ଜୀବନକୁ ଯିଏ ବଞ୍ଚାଇ ରଖିବାର ଲୋଭରେ ପଡ଼ିବ, ସେ ଜୀବନକୁ ହରାଇ ବସିବ ଏବଂ ଯିଏ ଆପଣାର ଜୀବନକୁ ମୋ’ଲାଗି ଏବଂ ମୋର ଧର୍ମ-ସନ୍ଦେଶ ଲାଗି ଉତ୍ସର୍ଗ କରିଦେଇ ପାରିବ, କେବଳ ସେହି ଅମୃତ ଜୀବନର ଅଧିକାରୀ ହୋଇ ପାରିବ,”–ଯୀଶୁଙ୍କର ଏହି ବାଣୀଟିରେ ମୋ’ପାଇଁ କେତେ ଗୁପ୍ତ ଅର୍ଥ ଯେ ନିହିତ ହୋଇ ରହିଚି, ସେକଥା ମୁଁ ଆଗରୁ ଅନେକବାର ଚିନ୍ତା କରିଥିଲି । ଏବେ ମୋତେ ତାହାର ଜବାବ ମିଳିଗଲା । ବାହାରର ଆନନ୍ଦ ସଙ୍ଗେ ସଙ୍ଗେ ମୋର ଅନ୍ତର ଭିତରେ ମଧ୍ୟ ମୁଁ ଅପାର ଆନନ୍ଦ ଅନୁଭବ କରିବାକୁ ଲାଗିଲି ।

 

କିନ୍ତୁ ଠିକ୍ କେଉଁ ନିର୍ଦ୍ଦିଷ୍ଟ ମାର୍ଗରେ ମୁଁ ମୋର ଏହି ନିଷ୍ପତ୍ତିକୁ ଭବିଷ୍ୟତରେ କାର୍ଯ୍ୟକାରୀ କରିବି, ଅବଶ୍ୟ ସେହି ବିଷୟରେ ମୋତେ ସେତେବେଳେ ପରିଷ୍କାର କରି କିଛି ଦେଖା ଯାଉନଥିଲା । ମୋତେ ବାଟ ଦେଖାଇ ଦେବାର ଦାୟିତ୍ଵକୁ ମୁଁ ତତ୍‍କାଳୀନ ପରିସ୍ଥିତି ଉପରେ ଛାଡ଼ି ଦେଇଥିଲି । ଅବଶ୍ୟ କେବଳ ଗୋଟିଏ କଥା ସ୍ଥିର ନିଶ୍ଚିତହୋଇଯାଇଥିଲା ଯେ ମୋର କ୍ଷେତ୍ର ଯେଡ଼େ କ୍ଷୁଦ୍ର ବା ଗୌଣ ହେଉ ପଛକେ, ପ୍ରତ୍ୟକ୍ଷ ଭାବରେ ମୋତେ ମନୁଷ୍ୟ ସମାଜର କୌଣସି ଏକ ସେବାକାର୍ଯ୍ୟ ନିଶ୍ଚୟ କରିବାକୁ ପଡ଼ିବ ।

 

ଅତି ସ୍ଵାଭାବିକ ଭାବରେ ମୁଁ ଇଉରୋପରେ କୌଣସି କାମ କରିବି ବୋଲି ଭାବିବାକୁ ଲାଗିଲି । ପରିତ୍ୟକ୍ତ ଓ ଅବହେଳିତ ପିଲାମାନଙ୍କୁ ନେଇ ମୁଁ ପାଠ ପଢ଼ାଇବି ଓ ଶେଷରେ ସେହିମାନଙ୍କ ପରି ଅନ୍ୟ ପରିତ୍ୟକ୍ତ ଓ ଅବହେଳିତ ପିଲାମାନଙ୍କୁ ସାହାଯ୍ୟ କରିବା ଲାଗି ସେମାନଙ୍କଠାରୁ ଶପଥ କରାଇନେବି, ଏହି ମର୍ମରେ ପ୍ରଥମେ ମୁଁ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲି । ୧୯୦୩ ମସିହାରେ ଥିଓଲିଜ ଛାତ୍ରାବାସର ତତ୍ତ୍ଵାବଧାରକ ହେବାପରେ ମୋତେ ଏକ ପ୍ରଶସ୍ତ ଘର ମିଳିଥିଲା । ସେହି ନିବାସଟି ଉପର ମହଲାରେ ହୋଇଥିବାରୁ ସେଥିରେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ମଧ୍ୟ ପଡ଼ୁଥିଲା । ସେହିଠାରେ ମୋର ପରୀକ୍ଷା ଆରମ୍ଭ କରିବାକୁ ମୁଁ ସ୍ଥିର କରିଥିଲି । ଏଠାରେ ସେଠାରେ ମୁଁ ମୋର ସାହାଯ୍ୟ ଯାଚି ବୁଲିଲି, କିନ୍ତୁ କୌଣସିଠାରେ ମୋତେ କୌଣସି ସଫଳତା ମିଳିଲା ନାହିଁ । ଯେଉଁସବୁ ସଂସ୍ଥା ବା ସଙ୍ଗଠନ ଗୃହହୀନ ଓ ପରିତ୍ୟକ୍ତ ପିଲାମାନଙ୍କର ଯତ୍ନ ନେଉଥିଲେ, ସେଗୁଡ଼ିକର ସମ୍ବିଧାନରେ ଏପରି ସ୍ଵେଚ୍ଛାପ୍ରଣୋଦିତ ସହଯୋଗ ଗ୍ରହଣ କରିବାପାଇଁ କୌଣସି ବ୍ୟବସ୍ଥା ନଥିଲା । ଉଦାହରଣ ସ୍ଵରୂପ ଷ୍ଟ୍ରାସ୍‍ବୁର୍ଗ୍‍ର ଅନାଥଶ୍ରମ ଥରେ ନିଆଁରେ ପୋଡ଼ି ଭସ୍ମ ହୋଇଯିବା ପରେ ମୁଁ ଅସ୍ଥାୟୀ ଭାବରେ କେତେକ ପିଲାଙ୍କୁ ଆପଣା ଘରେ ନେଇ ରଖିବାକୁ ପ୍ରସ୍ତୁତ ଅଛି ବୋଲି ଜଣାଇବାକୁ ଗଲି, କିନ୍ତୁ ଅନାଥାଶ୍ରମର ପରିଚାଳକ ମୋତେ ମୋର କଥୋପକଥନ ମଧ୍ୟ ଶେଷ କରିବାକୁ ଅନୁମତି ଦେଲେ ନାହିଁ । ଆହୁରି କେତେକ ଜାଗାରେ ମଧ୍ୟ ମୁଁ ଏହିପରି କେତେକ ଉଦ୍ୟମ କରିଥିଲି, କିନ୍ତୁ ସର୍ବତ୍ର ମୋତେ ବିଫଳ ହେବାକୁ ହିଁ ପଡ଼ିଥିଲା-

 

X X X X

 

ତା’ପରେ ମୁଁ ଗୃହହୀନ କର୍ମଚ୍ୟୁତ ଓ ଜେଲ୍‍ରୁ ଖଲାସ ହୋଇ ଆସିଥିବା ବନ୍ଦୀମାନଙ୍କର ସେବା କରିବି ବୋଲି କିଛିଦିନ ଭାବିବାକୁ ଲାଗିଲି । ଏଥିଲାଗି ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ମୁଁ ସେଣ୍ଟ୍ ଥୋମାସ୍ ଗିର୍ଜାର ପାଦ୍ରୀ ଅଗଷ୍ଟସ୍ ୟୁର୍ନିଷ୍ଟଙ୍କ ସହିତ ଯାଇ ଯୋଗ ଦେଲି । ସେତେବେଳେ ସେ ଠିକ୍ ଏହିପରି ଏକ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଉପରଓଳି ଗୋଟାକରୁ ଦୁଇଟା ପର୍ଯ୍ୟନ୍ତ ସେ ନିଜ ଘରେ ରହନ୍ତି ଏବଂ ରାତିକ ପାଇଁ ରହିବାସ୍ଥାନ ବା ଅନ୍ୟାନ୍ୟ କୌଣସି ସାହାଯ୍ୟ ଖୋଜିବା ପାଇଁ ଆସିଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତି । କିନ୍ତୁ କୌଣସି ସାହାଯ୍ୟପ୍ରାର୍ଥୀକୁ ସେ ତତ୍‍କ୍ଷଣାତ୍ କୌଣସି ଅର୍ଥସାହାଯ୍ୟ କରୁନଥିଲେ ବା ତା’ବିଷୟରେ ଠିକ୍ ଖବର ଯୋଗାଡ଼ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାଲାଗି ସେ ତାକୁ କହୁଥିଲେ । ସେହିଦିନ ବେଳବୁଡ଼କୁ ସେ ନିଜେ ସେହି ବ୍ୟକ୍ତିର ବାସସ୍ଥାନକୁ ଯାଇ ଆପଣାର ଅବସ୍ଥା ବିଷୟରେ ସେ ଦେଇଥିବା ବର୍ଣ୍ଣନାମାନ କେତେଦୂର ଠିକ୍‍ ବା ଭୁଲ୍, ସେକଥା ତନଖି ଆସୁଥିଲେ ଓ ତା’ପରେ ଯାଇ ଠିକ୍ ଯେତିକି ପରିମାଣରେ ବା ଯେତିକି ଦିନ ପାଇଁ ପ୍ରକୃତରେ ଦରକାର, ସେତିକି ସାହାଯ୍ୟ ତାକୁ ଦେଉଥିଲେ । ଏହିପରି ଯାଞ୍ଚ କରିବାପାଇଁ ସହର ଓ ସହରତଳି ଅଞ୍ଚଳରେ ଆମକୁ ସାଇକେଲ ଚଢ଼ି କେତେ ଯିବାକୁ ନପଡ଼ିଚି ! କିନ୍ତୁ ଅନେକ ସମୟରେ ଏପରି ମଧ୍ୟ ହେଉଥିଲା ଯେ ପ୍ରାର୍ଥୀ ଆମକୁ ଯେଉଁ ଠିକଣା ଦେଇ ଯାଉଥିଲା, ସେହି ଠିକଣାରେ ଆମେ ତା’ର କୌଣସି ପତ୍ତା ମଧ୍ୟ ପାଉନଥିଲୁ । ଅବଶ୍ୟ ପ୍ରକୃତ ଅବସ୍ଥା ଦେଖି ଆସିବା ପରେ ଅନେକ ଜାଗାରେ ଆମକୁ ଆବଶ୍ୟକ ସାହାଯ୍ୟ ଦେବାର ସୁଯୋଗ ମିଳିଯାଉଥିଲା । ମୋର ଅନେକ ବନ୍ଧୁ ଏହି କାର୍ଯ୍ୟ ସକାଶେ ମୋ ହାତରେ ସେମାନଙ୍କର ଆୟର ଏକ ନିର୍ଦ୍ଦିଷ୍ଟ ଅଂଶ ଦାନ ମଧ୍ୟ କରି ଦେଇଥିଲେ ।

 

ଛାତ୍ରାବସ୍ଥାରେ ମଧ୍ୟ ମୁଁ ସେବାକାର୍ଯ୍ୟରେ ଏକ ସକ୍ରିୟ ଅଂଶଗ୍ରହଣ କରିଥିଲି । ଏହି ସେବାକାର୍ଯ୍ୟ ଲାଗି ଆମ କଲେଜରେ ଛାତ୍ରମାନଙ୍କର ଏକ ସଙ୍ଗଠିତ ଅନୁଷ୍ଠାନ ମଧ୍ୟ ରହିଥିଲା । ଆମ ପ୍ରତ୍ୟେକଙ୍କୁ କେତୋଟି ଲେଖାଏଁ ଦରିଦ୍ର ପରିବାର ବାଣ୍ଟି ଦିଆଯାଇଥିଲା । ପ୍ରତ୍ୟେକ ସପ୍ତାହରେ ଆମକୁ ଏହିସବୁ ପରିବାରକୁ ଯାଇ ଅନୁଷ୍ଠାନ ତରଫରୁ ସେମାନଙ୍କୁ ମିଳୁଥିବା ସାହାଯ୍ୟ ଦେଇ ଆସିବାକୁ ପଡ଼ୁଥିଲା । ସେମାନଙ୍କର ଅବସ୍ଥା ସମ୍ବନ୍ଧରେ ଆମେ ଏକ ବିବରଣୀ ମଧ୍ୟ ଲେଖିକରି ଦେଉଥିଲୁ । ଷ୍ଟ୍ରାସ୍‍ବୁର୍ଗ୍‍ର ଅନେକ ସମ୍ପନ୍ନ ଏବଂ ପୁରାତନ ପରିବାର ଏହି କାର୍ଯ୍ୟ ସକାଶେ ଅର୍ଥଦାନ କରୁଥିଲେ । ମାଗିମାଗି ଏହି ଅର୍ଥ ସଂଗ୍ରହ କରିବାର ଦାୟିତ୍ଵ ମଧ୍ୟ ଆମ ଉପରେ ନ୍ୟସ୍ତ ଥିଲା । ଆମ ପୂର୍ବରୁ ଅନେକ ଦିନରୁ ଏହିପରି ସାହାଯ୍ୟ କରିବାର ପ୍ରଥା ପ୍ରଚଳିତ ହୋଇ ଆସୁଥିଲା । ମୋର ଯେତେଦୂର ମନେ ପଡ଼ୁଛି, ବର୍ଷକେ ଦୁଇଥର ପାଇଁ ଆମ ପ୍ରତ୍ୟେକଙ୍କୁ ଏହିପରି ସାହାଯ୍ୟ ମାଗି ଆଣିବାର ପରିବାରଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଦେଖାଇବାକୁ ପଡ଼ୁଥିଲା । ମୁଁ ତ ସହଜେ ବଡ଼ ଲାଜକୁଳା ଥିଲି, ସମାଜରେ ସମସ୍ତଙ୍କ ସାଥିରେ ସହଜରେ ମିଶିପାରୁ ନଥିଲି । ତେଣୁ ବିଭିନ୍ନ ପରିବାରକୁ ଯାଇ ଏହି ସାହାଯ୍ୟ ମାଗିବା କାର୍ଯ୍ୟଟି ମୋତେ ପ୍ରକୃତରେ ଏକ ଯନ୍ତ୍ରଣା ପରି ମନେ ହେଉଥିଲା । ଜୀବନର ପରବର୍ତ୍ତୀ କାଳରେ ସାହାଯ୍ୟ ମାଗିବାଲାଗି ଆପଣାକୁ ଏହିପରି ପ୍ରସ୍ତୁତ କରୁଥିବା ସମୟରେ ଅନେକବାର ମୁଁ ଆପଣାକୁ ଅତ୍ୟନ୍ତ ଅପାରଗ ଓ ଅକୁଶଳ ବୋଲି ପ୍ରମାଣ କରି ଦେଉଥିଲି । କିନ୍ତୁ ପିଆଦା ପରି କାହାରି ଘରେ ପହଞ୍ଚିଯାଇ ବଳାତ୍କାର କଲାପରି କିଛି ମାଗିଆଣିବା ଅପେକ୍ଷା କୌଶଳ ଓ ସଂଯମର ସହିତ ଯାଇ ମାଗିବା ଯେ ଯଥେଷ୍ଟ ଭଲ, ମୋତେ ଏଥିରୁ ଏହିଶିକ୍ଷା ମିଳିଥିଲା । ଯିଏ ମାଗିବାର ଉଚିତ କୌଶଳ ଶିକ୍ଷା କରିଥିବ, କେହି ସାହାଯ୍ୟ ଦେବାକୁ ନାହିଁ କରିଦେଲେ ଶାନ୍ତ ଭାବରେ ତାହାର ‘ନାହିଁ’କୁ ମଧ୍ୟ ଗ୍ରହଣ କରିବାଲାଗି ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ଆମର ଏହି ଯୌବନକାଳୀନ ଅଭିଜ୍ଞତାହୀନ ପ୍ରଚେଷ୍ଟାରେ ଆମର ସମସ୍ତ ସାଧୁ ଉଦ୍ଦେଶ୍ୟ ସତ୍ତ୍ୱେ ଆମକୁ ତଥାପି ବିଫଳ ହେବାକୁ ହିଁ ପଡ଼ିଥିଲା । ମାଗିବା ଫଳରେ ଯେଉଁ ଅର୍ଥପାଣ୍ଠି ସଂଗୃହୀତ ହେଉଥିଲା, ଆମେ ସବୁ ସମୟରେ ତାହାର ପ୍ରକୃଷ୍ଟ ସଦୁପଯୋଗ କରିପାରୁ ନଥିଲୁ । ଯୁବକମାନଙ୍କର ମନରେ ଦରିଦ୍ରମାନଙ୍କ ପ୍ରତି ଏକ ସହାନୁଭୂତିଶୀଳ ଆଗ୍ରହ ଜାତ କରାଇବା ଲାଗି ସମ୍ପନ୍ନ ବ୍ୟକ୍ତିମାନେ ଏହି ସାହାଯ୍ୟ ଦେଉଥିଲେ । ଅବଶ୍ୟ ସେହି ଦୃଷ୍ଟିରୁ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିବାରେ ଆମେ କେବେହେଲେ କୌଣସି ତ୍ରୁଟି ଦେଖାଇ ନଥିଲୁ-। ଅଭାବଗ୍ରସ୍ତ ଲୋକମାନଙ୍କର ପ୍ରକୃତରେ କୌଣସି ସେବା କରିପାରିବାର ଶକ୍ତି ଆମେ ଅର୍ଜନ କରୁ, ଏହିପରି ଏକ ଅଭିଳାଷ ରଖି ଯେଉଁ ସହାନୁଭୂତିଶୀଳ ଓ ବଦାନ୍ୟ ବ୍ୟକ୍ତିମାନେ ଆମକୁ ଅର୍ଥ ସାହାଯ୍ୟ କରୁଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ମୋର ମନ ସର୍ବଦା ଅଶେଷ କୃତଜ୍ଞତାରେ ପରିପୂର୍ଣ୍ଣ ହୋଇ ଉଠେ । ସେମାନଙ୍କ ମଧ୍ୟରୁ ଅନେକେ ଆଶା କରୁଥିଲେ ଯେ ଏହିପରି ଅର୍ଥ ସାହାଯ୍ୟଦ୍ଵାରା ଅଧିକ ଉତ୍ସାହିତ ହୋଇ ଅଧିକସଂଖ୍ୟକ ଛାତ୍ର ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବାର ସେନାରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ କରିବାର ସୁଯୋଗ ପାଇବେ ।

 

ଗୃହହୀନ, କର୍ମହୀନ ଓ ଜେଲ୍‍ରୁ ମୁକୁଳି ଆସିଥିବା ବନ୍ଦୀମାନଙ୍କ ଭିତରେ କାମ କରୁଥିବା ବେଳେ ମୁଁ ଅତି ପରିଷ୍କାର କରି ବୁଝିପାରିଲି ଯେ, ସେମାନଙ୍କର ସେବାଲାଗି କେତେଜଣ ବ୍ୟକ୍ତି ସ୍ଵେଚ୍ଛାସେବକ ହୋଇ ବାହାରି ପାରିଲେ ହିଁ ସେମାନଙ୍କର କୌଣସି ଯଥାର୍ଥ ସେବା କରିବା ସମ୍ଭବ ହୋଇ ପାରିବ । ସଙ୍ଗେ ସଙ୍ଗେ ମୁଁ ଏକଥା ମଧ୍ୟ ଉପଲବ୍ଧି କଲି ଯେ କୌଣସି ସଙ୍ଗଠନ ବା ସଂସ୍ଥା ସହିତ ଆପଣାକୁ ସହଯୁକ୍ତ କରି ହିଁ ଏପରି ସେବାରେ ପ୍ରକୃଷ୍ଟ ଅଂଶଗ୍ରହଣ କରାଯାଇ ପାରିବ । କିନ୍ତୁ ଆପଣା ପାଇଁ ମୁଁ ଏକ ବ୍ୟକ୍ତିଗତ ଓ ସ୍ଵତନ୍ତ୍ର ସେବାକାର୍ଯ୍ୟ ଆବଶ୍ୟକ କରୁଥିଲି । ଦରକାର ପଡ଼ିଲେ ଅବଶ୍ୟ କୌଣସି ଏକ ସଙ୍ଗଠନ ବା ଅନୁଷ୍ଠାନର ଅଧୀନରେ ରହି କାର୍ଯ୍ୟ କରିବାଲାଗି ମଧ୍ୟ ମୁଁ ଠିକ୍ କରି ନେଇଥିଲି; ତଥାପି ଯେଉଁଠାରେ ମୁଁ ଜଣେ ବ୍ୟକ୍ତି ହିସାବରେ ଓ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ଭାବରେ ଆପଣାକୁ ସମର୍ପଣ କରିଦେଇ ପାରିବି, ସେହିପରି ଏକ ସେବାର କ୍ଷେତ୍ର ପାଇବାର ଆଶାକୁ ମୁଁ ସମ୍ପୂର୍ଣ୍ଣ ଭାବେ ପରିତ୍ୟାଗ କରିଦେଇ ନଥିଲି । ମୋର ମନର ଏହି ମନସା ଦିନେ ନା ଦିନେ ପରିପୂର୍ଣ୍ଣ ହେଲା । ଯେଉଁ ଭଗବାନଙ୍କର କୃପା ମୋତେ ବାରବାର ମିଳିଚି, ଏହାକୁ ମଧ୍ୟ ସେହି କୃପାର ଏକ ବିଶେଷ ନିଦର୍ଶନ ବୋଲି ମୁଁ ସର୍ବଦା ଗ୍ରହଣ କରି ଆସିଚି ।

 

୧୯୦୪ ଖ୍ରୀଷ୍ଟାବ୍ଦରେ ଏକ ଶାରଦ ସକାଳ ସମୟରେ କଲେଜ ଅଫିସରେ ଥିବା ମୋର ଟେବୁଲ ଉପରେ ମୁଁ ଏକ ସବୁଜ ରଙ୍ଗର ପତ୍ରିକା ଦେଖିବାକୁ ପାଇଲି । ଆପଣାର ଆଚରିତ କାର୍ଯ୍ୟକଳାପ ବିଷୟରେ ଲୋକସାଧାରଣଙ୍କୁ ଅବଗତ କରାଇ ଦେବା ଉଦ୍ଦେଶ୍ୟରେ ପାରିସ୍ ମିସନାରୀ ସଂସ୍ଥା ଏହି ପତ୍ରିକାଟି ପ୍ରକାଶ କରୁଥିଲେ । ଏହି ସଂସ୍ଥାର ଜଣେ ମିସନାରୀଙ୍କର କାର୍ଯ୍ୟକଳାପକୁ ମୋର ପିଲାଦିନେ ବାପା ତାଙ୍କର ଗିର୍ଜା-ଉପାସନା ବେଳେ ସମସ୍ତଙ୍କୁ ପଢ଼ି ଶୁଣାଇ ଦେଇଥିଲେ । ସେହି ଦିନଠାରୁ ଏହି ସଂସ୍ଥା ମୋର ମନ ଉପରେ ଖୁବ୍ ପ୍ରଭାବ ପକାଇଥିଲା ଏବଂ ସେଥିଲାଗି ଏହାର ବିଭିନ୍ନ କାର୍ଯ୍ୟକଳାପ ସହିତ ପରିଚିତ ରହିବାକୁ ମୁଁ ସର୍ବଦା ଆଗ୍ରହ ପ୍ରକାଶ କରି ଆସୁଥିଲି । ମିସ୍‍ ଶେର୍‍ଡଲିନ୍ ନାମକ ଜଣେ ଭଦ୍ର ମହିଳା ଏହିକଥା ଜାଣିଥିବାରୁ ସଂସ୍ଥାର ପତ୍ରିକାଟିକୁ ନିୟମିତ ଭାବରେ ମୋର ଟେବୁଲ ଉପରେ ରଖିଦେଇ ଆସୁଥିଲେ । ସେଦିନ ସନ୍ଧ୍ୟାବେଳେ ମୋର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଟେବୁଲ ଉପରେ ପଡ଼ିଥିବା ସେହି ପତ୍ରିକାଟିକୁ ଉଠାଇ ଅନ୍ୟତ୍ର ରଖି ଦେଉ ଦେଉ ଯନ୍ତ୍ରଚାଳିତ ପରି ମୁଁ ହଠାତ୍ ତାହାକୁ ଖୋଲି ଦେଖି ପକାଇଲି । ଖୋଲିବା ମାତ୍ରକେ ଭିତରେ ଥିବା ଗୋଟିଏ ପ୍ରବନ୍ଧରେ ଶୀର୍ଷକ କେତେ ପଦ,–କଙ୍ଗୋ ମିସନ୍‍ର ଅଭାବ ଓ ଆବଶ୍ୟକତା’ (Les besoins de la Mission du Congo) ମୋର ଆଖିରେ ପଡ଼ିଗଲା । ପାରିସ୍‍ ମିସନାରୀ ସଂସ୍ଥାର ସଭାପତି ଆଲଫ୍ରେଡ଼୍ ବୋଏଗ୍‍ନର୍‍ ଏହି ପ୍ରବନ୍ଧଟି ଲେଖିଥିଲେ । କଙ୍ଗୋ ଉପନିବେଶର ଉତ୍ତରାଞ୍ଚଳରେ ଥିବା ଗାକୁନ୍ କେନ୍ଦ୍ରରେ ମିସନ୍‍ର କାର୍ଯ୍ୟ ତୁଲାଇବା ପାଇଁ କର୍ମୀର ବଡ଼ ଅଭାବ ରହିଚି, ତାଙ୍କର ପ୍ରବନ୍ଧରେ ସେ ଏହି ଅଭିଯୋଗ ପ୍ରକଟ କରିଥିଲେ । ଲେଖକ ଆଶା ପୋଷଣ କରିଥିଲେ ଯେ ‘ଭଗବାନଙ୍କର କୃପାଦୃଷ୍ଟି ପଡ଼ିଥିବା କେତେକ କର୍ମୀ ଏହି ନିବେଦନକୁ ଗ୍ରହଣ କରିବେ ଏବଂ ଏହି ଅତ୍ୟାବଶ୍ୟକ କାର୍ଯ୍ୟ ଲାଗି ସ୍ଵେଚ୍ଛାସେବକ ହୋଇ ବାହାରିବେ । ପ୍ରବନ୍ଧଟିର ଶେଷ କେତେ ଧାଡ଼ିରେ ସେ ଲେଖିଥିଲେ : “ଯେଉଁ ନରନାରୀ ଭଗବାନଙ୍କର ଆହ୍ଵାନର ଉତ୍ତର ଦେଇ ପାରିବେ, ‘ଭଗବାନ ! ମୁଁ ଆସୁଚି’ ବୋଲି ଜବାବ ଦେଇ ପାରିବେ, ଗିର୍ଜା ଠିକ୍ ସେହିଭଳି ବ୍ୟକ୍ତି ଦରକାର କରୁଚି ।”

 

ପ୍ରବନ୍ଧଟି ପଢ଼ିସାରି ମୁଁ ନୀରବରେ ମୋର କାର୍ଯ୍ୟ ଆରମ୍ଭ କରିଦେଲି । ମୋର ଅନ୍ଵେଷଣର ଅବସାନ ହେଲା ।

 

X X X X

 

ଆପଣା ଲାଗି ଗୋଟିଏ ଦୁର୍ଗ ତିଆରି କରିବା ଆଗରୁ ନିଜପାଖରେ ସେଥିଲାଗି ଯଥେଷ୍ଟ ସମ୍ବଳ ଅଛି କି ନାହିଁ, ଏହି ହିସାବ କରି ବସିଥିବା କାହାଣୀର ସେହି ଲୋକଟି ପରି ମୁଁ ମୋର ତ୍ରିଂଶତମ ଜନ୍ମଦିନ ଅତିବାହିତ କରିଥିଲି । ତାହାର ପରିଣାମ ସ୍ଵରୂପ ମନୁଷ୍ୟର ପ୍ରତ୍ୟକ୍ଷ ସେବା କରିବାଲାଗି ପ୍ରଥମରୁ ମୋର ଯେଉଁ ଯୋଜନା ଥିଲା, ବିଷୁବମଣ୍ଡଳୀୟ ଆଫ୍ରିକାରେ ସେହି ଯୋଜନାକୁ କାର୍ଯ୍ୟକାରୀ କରିବି ବୋଲି ସଂକଳ୍ପ କରିନେଲି ।

 

କେବଳ ଜଣେ ବିଶ୍ଵାସୀ ଅନ୍ତରଙ୍ଗ ବନ୍ଧୁବ୍ୟତୀତ ମୋର ଏହି ମତଲବ ଅନ୍ୟ କାହାରିକୁ ଜଣା ନଥିଲା । ତେଣୁ ଏହି ମର୍ମରେ ପାରିସ୍‍ରୁ ସମସ୍ତଙ୍କ ପାଖକୁ ଚିଠି ଲେଖିସାରିବା ପରେ ମୋର ଆତ୍ମୀୟସ୍ଵଜନ ଓ ବନ୍ଧୁମାନଙ୍କ ସହିତ ମୋତେ କଠିନ ସଂଗ୍ରାମ କରିବାକୁ ପଡ଼ିଥିଲା । ଯେଉଁ ନୂତନ ନିଷ୍ପତ୍ତି ଅନୁସାରେ ମୁଁ ମୋର ନୂତନ ଜୀବନ ଯାପନ କରିବାକୁ ଯାଉଥିଲି, ସେ ବିଷୟରେ ସେମାନେ ମୋତେ କହିଲେ, ପ୍ରଥମେ ସେମାନଙ୍କ ସହିତ ଏହି ବିଷୟରେ ମୁଁ କାହିଁକି ଆଲୋଚନା ନକଲି, ସେମାନଙ୍କ ଉପରେ କାହିଁକି ମୁଁ ଏତିକି ବିଶ୍ଵାସ ଓ ନିର୍ଭର ରଖି ନପାରିଲି, ଏଥିଲାଗି ମୋତେ ସେମାନେ ଅନେକ ଭର୍ତ୍ସନା କରିବାକୁ ଲାଗିଲେ । ଏହି ଅପ୍ରଧାନ କଥାଟା ଉପରେ ସପ୍ତାହ ସପ୍ତାହ କାଳ ସେମାନେ ମୋତେ ନାନାପ୍ରକାର କଥା କହି ଅନେକ ଗଞ୍ଜଣା ଦେଇଚନ୍ତି । ଥିଓଲଜି ବିଭାଗରେ ଥିବା ମୋର ବନ୍ଧୁମାନେ ଯେ ଏହି ଗଞ୍ଜଣା ଓ ଭର୍ତ୍ସନା ଦେବାର ପ୍ରତିଯୋଗିତାରେ ସମସ୍ତଙ୍କୁ ବଳିପଡ଼ିବେ, ଏହାହିଁ ମୋତେ ସବୁଠାରୁ ଅଧିକ ବିସ୍ମୟଜନକ ବୋଧ ହେଲା । କାରଣ ସେମାନଙ୍କ ମଧ୍ୟରୁ ତ ପ୍ରତ୍ୟେକେ ଗିର୍ଜାରେ ଉପାସନା-ସଭାମାନ ପରିଚାଳନା କରିଥିଲେ, ଚମତ୍କାର ଉପାସନାନ୍ତିକ ଭାଷଣମାନ ଦେଇଥିଲେ । ସନ୍ଥ ପଲ୍ ଯୀଶୁଙ୍କ ସକାଶେ ଯାହାସବୁ କରିବେ ବୋଲି ସଂକଳ୍ପ କରିଥିଲେ, ସେହି ବିଷୟରେ ସେ କିପରି ରକ୍ତମାଂସଧାରୀ କୌଣସି ପ୍ରାଣୀ ସହିତ କୌଣସି ପରାମର୍ଶ କରିନଥିଲେ, ଏହି ଉଦାହରଣଟି ସେମାନେ ଏକାଧିକବାର ଆପଣା ଆପଣାର ଭାଷଣରେ ଉଦ୍ଧାର କରି କହିଥିବେ ।

 

ମୋର ନୂତନ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଇ ମୁଁ କେଡ଼େ ନିର୍ବୁଦ୍ଧିତାର କାର୍ଯ୍ୟ କରିବାକୁ ଯାଉଚି, ମୋର ଆତ୍ମୀୟସ୍ଵଜନ ଓ ବନ୍ଧୁମାନେ ଏକସ୍ଵରରେ ମୋତେ ତାହାହିଁ ଚେତାଇ ଦେବାକୁ ଲାଗିଲେ । ଜଣେ ଅତି ନିର୍ବୋଧ ମଣିଷପରି ମୁଁ ମୋର ପ୍ରତିଭାକୁ ନଷ୍ଟ କରି ଗୋଟାଏ ମିଛ ବାଟରେ ବାଟ ଚଳାଇବାକୁ ଯାଉଚି ବୋଲି ସେମାନେ କହିଲେ । ବିଜ୍ଞାନ ବା କଳା କ୍ଷେତ୍ରରେ ଯେଉଁମାନଙ୍କର କୌଣସି ପ୍ରତିଭା ନାହିଁ, ଏହିସବୁ ବିଶେଷ ଯୋଗ୍ୟତାର କ୍ଷେତ୍ରରେ ଯେଉଁମାନେ କିଛି ଅର୍ଜନ କରିପାରି ନାହାନ୍ତି, ଅନ୍ୟ କେଉଁଆଡ଼େ ଗଲେ ଯେଉଁମାନେ ଏ କ୍ଷେତ୍ରରେ କିଛି ହରାଇକରି ଯିବାକୁ ବାଧ୍ୟ ହେବେନାହିଁ, ହୁଏତ ସେହିଭଳି ଲୋକ ଆଦିମ ମଣିଷଙ୍କର ସେବା କରିବାକୁ ଯାଇପାରନ୍ତି । ଆଗରୁ ଭିଡୋର୍‍ ମୋତେ ଠିକ୍ ତାଙ୍କର ଆପଣାର ପୁଅପରି ଭଲ ପାଉଥିଲେ । କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଅତିଶୟ ମର୍ମାହତ ହୋଇ ପଡ଼ିଲେ ଏବଂ ହାତରେ କେବଳ ଖଣ୍ଡେ ରାଇଫେଲ୍ ଧରି ସିଧା ଏକାକୀ ଯୁଦ୍ଧକ୍ଷେତ୍ରକୁ ଯାଉଥିବା ଏକ ନିର୍ବୋଧ ସେନାପତି ସହିତ ସେ ମୋତେ ତୁଳନା କଲେ ଓ ମୋତେ ଗାଳି ଦେବାକୁ ଲାଗିଲେ । ଆଧୁନିକ ଭାବଧାରାରେ ଅନୁପ୍ରାଣିତ ହୋଇଥିବା ଜଣେ ଭଦ୍ର ମହିଳା ମୋତେ ଉପଦେଶ ଦେଇ କହିଲେ ଯେ ଆଦିମ ଜାତିମାନଙ୍କର ଦେଶକୁ ଯାଇ ସେବାକାର୍ଯ୍ୟ କରିବା ଅପେକ୍ଷା ଇଉରୋପରେ ରହି ଆଦିବାସୀମାନଙ୍କ ଲାଗି ଡାକ୍ତର ସାହାଯ୍ୟ ପଠାଇବାକୁ ନିବେଦନ କରି ଭାଷଣ ଦେଇ ବୁଲିଲେ ମୁଁ ପ୍ରକୃତରେ ଅନେକ ଅଧିକ ସେବା କରି ପାରିବି । ଗ୍ୟୟଟେଙ୍କର ଫାଉଷ୍ଟ କାବ୍ୟରେ ଲେଖାଥିବା ସେହି ଉକ୍ତି (‘ସର୍ବପ୍ରଥମେ କର୍ମ ହିଁ ବିଦ୍ୟମାନ ଥିଲା’)ର ଯୁଗ ଚାଲିଗଲାଣି ବୋଲି ସେ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ମତରେ ପ୍ରୋପାଗଣ୍ଡା ବା ପ୍ରଚାର ହିଁ ଏ ଯୁଗରେ ସକଳ ଘଟଣାର ଜନନୀ ସ୍ଵରୂପ ଥିଲା ।

 

ନାନା ଲୋକଙ୍କ ସହିତ ଏହି ବାକ୍‍ଯୁଦ୍ଧରେ ଆପଣାର ପକ୍ଷ ଲଢ଼ିବାକୁ ଯାଇ ଶେଷରେ ମୁଁ ବଡ଼ ପରିଶ୍ରାନ୍ତ ହୋଇ ପଡ଼ିଲି । ମୋର ପ୍ରତିପକ୍ଷ ସମସ୍ତେ ଆପଣା ଆପଣାକୁ ଖ୍ରୀଷ୍ଟିଆନ୍‍ ବୋଲି ପରିଚୟ ଦେଉଥିଲେ । ଯୀଶୁ ପ୍ରଚାରିତ ପ୍ରେମ ପାଇଁ କୌଣସିପ୍ରକାର ସେବାବ୍ରତର ସଂକଳ୍ପ ନେବାକୁ ହେଲେ ଯେ ଏକ ନୂତନ ଜୀବନର ମାର୍ଗ ଗ୍ରହଣ କରିବାକୁ ପଡ଼ିବ, ଏକଥା ସେମାନେ କିପରି କଳ୍ପନା ସୁଦ୍ଧା କରିପାରୁ ନଥିଲେ, ତାହା ମୋତେ ପ୍ରକୃତରେ ବଡ଼ ଅବାକ୍ ଓ ବିଚଳିତ କରି ପକାଇଲା । ପୁଣି ସେମାନେ ସମସ୍ତେ ନୂତନ ଟେଷ୍ଟମେଣ୍ଟ ପଢ଼ିଥିଲେ ଓ ଏହାକୁ ଅତି ସ୍ଵାଭାବିକ୍ ସଙ୍ଗତ ବୋଲି ଭଲକରି ବୁଝିଥିଲେ । ମୁଁ ତ ଏହି କଥାକୁ ଅତି ସହଜ ଓ ସ୍ଵାଭାବିକ ବୋଲି ଧରି ନେଇଥିଲି ଯେ ଯୀଶୁଙ୍କର ଭକ୍ତି ଓ ସନ୍ଦେଶ ସହିତ ଅଧିକ ଗଭୀର ପରିଚୟ ଜନ୍ମିବା ସଙ୍ଗେ ସଙ୍ଗେ ସେମାନେ ସେଗୁଡ଼ିକୁ ଅଧିକ ସୂକ୍ଷ୍ମ ଭାବରେ ବିଚାର କରିବାର ଶକ୍ତି ଅର୍ଜନ କରିଥିବେ ଏବଂ ମୋଠାରୁ ଅଧିକ ଯୋଗ୍ୟଭାବରେ ସେମାନେ ମୋର ସଂକଳ୍ପଟିର ବିଚାର କରିପାରିବେ । xxx

 

କେଉଁପରି ବିଚାରମାନ ମୋର ମନଭିତରକୁ ଆସିବାରୁ ମୁଁ ଏପରି ଏକ ସଂକଳ୍ପ ଗ୍ରହଣ କଲି, ସେସବୁ ଖୋଲିକରି କହିଦେବା ସତ୍ତ୍ୱେ ମଧ୍ୟ ସେଣ୍ଟରେ କିଛି ଫଳହେଲା ନାହିଁ । ସେମାନେ ସମସ୍ତେ ଭାବିନେଲେ ଯେ ଏସବୁ ପଛରେ ନିଶ୍ଚୟକିଛି ଗୋଟାଏ ଘଟଣା ରହିଚି । କେହି କେହି ମଧ୍ୟ ଅନୁମାନ କଲେଯେ ମୋର ଖ୍ୟାତି ଓ ସମ୍ମାନ ଅତି ମନ୍ଥର ଗତିରେ ବୃଦ୍ଧି ପାଉଥିବାରୁ ହୁଏତ ମନେମନେ ମୁଁ ଅତି ହତାଶ ହୋଇପଡ଼ି ଏପରି କରିବାକୁ ଯାଉଚି । ଅବଶ୍ୟ ଏପରି ଏକ ଅନୁମାନ କରିବାଲାଗି ସେମାନଙ୍କ ପାଖରେ କୌଣସି ଯୁକ୍ତିଯୁକ୍ତ କାରଣ ହିଁ ନଥିଲା । କାରଣ ମୋର ଯୁବକ ବନ୍ତସରେ ମୁଁ ଜ୍ଞାନକ୍ଷେତ୍ରରେ ଯେଉଁ ସ୍ଵୀକାର ପାଇସାରିଥିଲି, ସେତିକି ହାସଲ କରିବାଲାଗି ସାଧାରଣତଃ ଅନ୍ୟମାନଙ୍କୁ ସାରା ଜୀବନ ଖଟିବାକୁ ଓ ସଂଗ୍ରାମ କରିବାକୁ ପଡ଼ିଥାଏ । ମୋର ପ୍ରେମିକ ଜୀବନରେ ନାନାପ୍ରକାରେ ବିଫଳ ହୋଇଥିବାରୁ ମୁଁ ଏପରି କରୁଚି ବୋଲି ମଧ୍ୟ ଆଉ କେତେକ ମତ ଦେଇଥିଲେ ।

 

ଅବଶ୍ୟ ଏମାନଙ୍କ ବ୍ୟତୀତ ଆହୁରି କେତେ ଲୋକ ଥିଲେ ଯେଉଁମାନେ ଦୟାପରବଶ ହୋଇ କୌଣସି ପ୍ରକାରେ ମୋର ହୃଦୟ-ବିଦାରଣ କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ହୁଏତ ମୋତେ ସେମାନେ ଓଳିଆରୁ ଗଜାବୋଲି ମନେ କରିଥିଲେ, ଏହି ଅଳ୍ପ ବୟସରେ ମଧ୍ୟ ଆପଣାକୁ ମୁଁ ଜଣେ ପୁରୁଖା ଲୋକ ସଦୃଶ ମନେ କରୁଚି ବୋଲି ସେମାନେ ଭାବି ନେଇଥିଲେ । ହୁଏତ ମୋର ମୁଣ୍ଡ ଠିକ୍ ନାହିଁ ବୋଲି ଧରିନେଇ ସେମାନେ ମୋତେ ସ୍ନେହପୂର୍ଣ୍ଣ ପରିହାସ କରିବାକୁ ଲାଗିଲେ ।

 

ମୋର ଯୋଜନା ପଛରେ କୌଣସିପ୍ରକାର ଯୁକ୍ତିଯୁକ୍ତତା ନାହିଁ, ଏପରି ପ୍ରମାଣ କରିବାକୁ ଯେ ମୋର ଆତ୍ମୀୟ ଓ ବନ୍ଧୁବର୍ଗ ନାନାନପ୍ରକାର ଯୁକ୍ତି ଆଣି ବାଢ଼ିବେ, ଏକଥାକୁ ମୁଁ ଅତି ସ୍ଵାଭାବିକ ବୋଲି ଅନୁଭବ କରିଥିଲି । ଆଦର୍ଶବାଦୀମାନେ ଆପଣାର ବିଚାରରେ ସହିଷ୍ଣୁ ଓ ଉଦାର ହେବା ଉଚିତ ବୋଲି ବିଶ୍ଵାସ କରୁଥିବା ଜଣେ ବ୍ୟକ୍ତି ହିସାବରେ ମୁଁ ଭଲକରି ବୁଝିଥିଲି ଯେ ଯିଏ କୌଣସିପ୍ରକାର ଅମଡ଼ା ବା ନୂଆବାଟରେ ପାଦ ପକେଇବାକୁ ବାହାରିବ, ହୁଏତ ଅତି କ୍ଵଚିତ୍ ତାହାର ଏହି ନିଷ୍ପତ୍ତିକୁ ବୁଦ୍ଧିସମର୍ଥିତ ବୋଲି ମନେହେବ ଏବଂ ସେ ଅତି କ୍ଵଚିତ୍ ଏଥିରେ ସଫଳ ହୋଇପାରିବ । ଉପସ୍ଥିତ କ୍ଷେତ୍ରରେ ମୋର ଏହି ଦୁଃସାହସକୁ ମୁହଁ ଠିକ୍ ବୋଲି ମନେ କରୁଥିଲି, କାରଣ ଏହାରି ଉପରେ ପ୍ରଥମେ ଦୀର୍ଘକାଳ ଧରି ମୁଁ ବିଚାର କରିଥିଲି ଏବଂ ଏହାକୁ ନାନା ଦିଗରୁ ପରୀକ୍ଷା କରି ଦେଖିଥିଲି । ତାହା ବ୍ୟତୀତ ମୋର ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖୁବ୍ ଚମତ୍କାର ଥିଲା, ଆପଣା ଉପରେ ମୋର ଯଥେଷ୍ଟ ବିଶ୍ଵାସ ଥିଲା ଓ ମୋ’ ଭିତରେ ଶକ୍ତି ଓ ସାଧାରଣ ବ୍ୟବହାରିକ ଜ୍ଞାନ ମଧ୍ୟ ଯଥେଷ୍ଟ ରହିଥିଲା । ମୁଁ ଯେତେବେଳେ ଯାହା କରୁଥିଲି, ତାହାକୁ ଖୁବ୍ ବୁଝି ବିଚାରି କରୁଥିଲି । ଆପଣାର ଚଳିବା ଲାଗି ମୁଁ ଖୁବ୍ କମ୍ ସାମଗ୍ରୀ ଆବଶ୍ୟକ କରୁଥିଲି । ବିଚାରର ମାର୍ଗରେ ପଥିକ ହୋଇ ବାହାରିଥିବା କୌଣସି ଏକ ବ୍ୟକ୍ତିର ଯାହାସବୁ ରହିବା ଉଚିତ, ସେ ସମସ୍ତ ମୋ’ଠାରେ ଥିଲା । ଯଦି ମୋର ଯୋଜନା ଦୁର୍ଭାଗ୍ୟବଶତଃ ବିଫଳ ହୋଇଯାଏ, ତେବେ ସେହି ବିଫଳତାର ଆଘାତକୁ ଅନୁଦ୍‍ବିଗ୍ନ ମନରେ ସହ୍ୟ କରିବାକୁ ମୁଁ ହୃଦୟ ଭିତରେ ଆପଣାକୁ ପ୍ରସ୍ତୁତ ମଧ୍ୟ କରି ରଖିଥିଲି ।

 

X X X X

 

ପ୍ରତ୍ୟେକ ମନୁଷ୍ୟ ତା’ର ଆପଣା ଜୀବନର କିଛି କାର୍ଯ୍ୟ କରି ଦେଖାଇଦେଉ, ଏହିପରି ଏକ ବିଶ୍ଵାସରେ ମୁଁ ଆପଣାକୁ ପାଗ କରି ରଖିଚି । ମୋହରି ପରି କୌଣସି ଏକ ଦୁଃସାହସିକ କାର୍ଯ୍ୟରେ ହାତ ଦେବାକୁ ଯାଉଥିବା ଅନେକ ବ୍ୟକ୍ତି କେତେଥର ମୋ’ଠାରୁ ମତାମତ ଓ ଉପଦେଶ ଚାହିଁଚନ୍ତି । କିନ୍ତୁ ସେମାନଙ୍କୁ ମୁଁ ଖୁବ୍ କ୍ଵଚିତ୍ ସେମାନଙ୍କର କାର୍ଯ୍ୟରେ ସୁଦ୍ଧା ଉତ୍ସାହିତ କରିଚି । ଅସ୍ଥିରଚିତ୍ତତାରୁ ହିଁ ଯେ କୌଣସି କିଛି ବିଶେଷ କାର୍ଯ୍ୟକରି ଦେଖାଇବାର ଆବଶ୍ୟକତା ଜନ୍ମଲାଭ କରିଥାଏ, ଅନେକ ସମୟରେ ମୋତେ ଏକଥା ମଧ୍ୟ ସ୍ଵୀକାର କରିବାକୁ ପଡ଼ିଚି । ଆପଣାର ନିକଟରେ ଥିବା ଅନ୍ତରଙ୍ଗ ଓ ଆତ୍ମୀୟମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଏହିପରି ବ୍ୟକ୍ତିମାନେ କିଛି ଗୋଟାଏ ବଡ଼ କାମରେ ଆତ୍ମୋତ୍ସର୍ଗ କରିଦେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ହୁଏତ ଅନେକ ଅପ୍ରଧାନ ବିଚାରର ବଶବର୍ତ୍ତୀ ହୋଇପଡ଼ି ଅନେକ ସମୟରେ ସେମାନେ ଏହିପରି ନିଷ୍ପତ୍ତିମାନ କରି ପକାଇଥାନ୍ତି । କେବଳ ଯେଉଁବ୍ୟକ୍ତି ପ୍ରତ୍ୟେକ ପ୍ରକାର କାର୍ଯ୍ୟରେ ଏକ ମୂଲ୍ୟ ନିହିତ ରହିଚି ବୋଲି ଅନୁଭବ କରିବାକୁ ସମର୍ଥ ହୋଇପାରେ, ସମ୍ପୂର୍ଣ୍ଣ କର୍ତ୍ତବ୍ୟ-ସଚେତ ହୋଇ ପ୍ରତ୍ୟେକଟି କାର୍ଯ୍ୟରେ ଆପଣାକୁ ସମର୍ପଣ କରିଦେବାର ଶକ୍ତି ଯାହା ଭିତରେ ଥାଏ, ସ୍ଵାଭାବିକ ଭାବରେ ଆପଣାର ଭାଗ୍ୟକୁ ଆସି ଯୁଟିଥିବା କାର୍ଯ୍ୟଭାର ପରିତ୍ୟାଗ କରି କେବଳ ସେହି ବ୍ୟକ୍ତିର କୌଣସି ଏକ ଅସାଧାରଣ କାର୍ଯ୍ୟଭାର ଗ୍ରହଣ କରିବାର ଅଧିକାର ରହିଚି । ସାଧାରଣ କ୍ଷେତ୍ର ଛାଡ଼ି ଯିଏ ଏକ ଅସାଧାରଣ କ୍ଷେତ୍ରର କୌଣସି କାର୍ଯ୍ୟଭାର ଗ୍ରହଣ କରିବାଲାଗି ଆପଣା ଭିତରୁ ଏକ ସ୍ଵାଭାବିକ ଆହ୍ଵାନ ପାଏ, ଆପଣାକୁ କୌଣସି ପ୍ରକାରେ ବୀର ବା ବାହାଦୁର ବୋଲି ମନେ ନକରି ଯିଏ ସ୍ଥିର ଶାନ୍ତ ଉତ୍ସାହର ସହିତ ସେହି କାର୍ଯ୍ୟକୁ ଆପଣାର କର୍ତ୍ତବ୍ୟରୂପେ ସ୍ଵୀକାର କରିନିଏ, କେବଳ ସେହି ବ୍ୟକ୍ତିହିଁ ଆଧ୍ୟାତ୍ମିକ ମାର୍ଗରେ ଦୁଃସାହାସୀ ଯାତ୍ରୀ ହେବାର ଅଧିକାରୀ ହୋଇପାରିବ-। ଜଗତରେ କେବଳ ସେହିପରି ଦୁଃସାହସୀମାନଙ୍କର ଆବଶ୍ୟକତା ରହିଚି-। ଏ ସଂସାରରେ କର୍ମବୀର କୌଣସିଠାରେ ନାହାନ୍ତି, କେବଳ ତ୍ୟାଗ ଓ କଷ୍ଟସହନର ବୀର ଅଛନ୍ତି-। ସଂସାରରେ ଏହିପରି ବୀରମାନଙ୍କର ସଂଖ୍ୟା ଆଦୌ କମ୍ ନୁହେଁ । କିନ୍ତୁ ସେମାନଙ୍କ ଭିତରୁ ମାତ୍ର ଅଳ୍ପ କେତେଜଣଙ୍କୁ ଲୋକେ ଜାଣିଚନ୍ତି;–ସାଧାରଣ ଜନତା ସେମାନଙ୍କୁ ଆଦୌ ଜାଣି ନାହାନ୍ତି, ମାତ୍ର ଅଳ୍ପ କେତେଜଣ ଜାଣିଚନ୍ତି ।

 

କାର୍ଲାଇଲ୍‍ଙ୍କର ‘ବୀର ଓ ବୀରପୂଜା’ (Heroes and Heroworship) ପୁସ୍ତକଟିକୁ ଏକ ଗଭୀର ବିଚାରପୂର୍ଣ୍ଣ ପୁସ୍ତକ ବୋଲି କଦାପି କହିବି ନାହିଁ ।

 

କୌଣସି ଏକ ବ୍ୟକ୍ତିଗତ ସ୍ଵତନ୍ତ୍ର କାର୍ଯ୍ୟକ୍ଷେତ୍ରରେ ଆପଣାର ଜୀବନକୁ ଅର୍ପଣ କରିଦେବାପାଇଁ ଯେଉଁମାନେ ଆପଣାଭିତରୁ ଏକ ପ୍ରେରଣା ଅନୁଭବ କରନ୍ତି, ଏପରି ଏକ କାର୍ଯ୍ୟଲାଗି ହୁଏତ ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ରହିଚି, ତଥାପି ପ୍ରତିକୂଳ ପରିସ୍ଥିତିଦ୍ଵାରା ବାଧ୍ୟହୋଇ ସେମାନେ ଏହିପଥକୁ ପରିତ୍ୟାଗ କରି ଆସିଚନ୍ତି । ନାନାପ୍ରକାର କାରଣରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି । ଆପଣା ପରିବାରରେ ଏକ ବା ଏକାଧିକ ଲୋକଙ୍କର ଭରଣପୋଷଣ କରିବାର ଦାୟିତ୍ଵ ସେମାନଙ୍କୁ ହୁଏତ ବାଧ୍ୟହୋଇ ବହନ କରିବାକୁ ପଡ଼ିଚି ବା ଆପଣାର ଜୀବନନିର୍ବାହ କରିବାଲାଗି ସେମାନଙ୍କୁ ଆପଣାର ବ୍ୟବସାୟକୁ ଆଦରି ରହିବାକୁ ପଡ଼ିଚି । ଆପଣାର ଦକ୍ଷତା ଯୋଗୁଁ ହେଉ, ବା ଆପଣାର ବନ୍ଧୁମାନଙ୍କର ସହାନୁଭୂତି ଯୋଗୁଁ ହେଉ, ଯିଏ ସାଂସାରିକ ବିଷୟରୁ ଆପଣାକୁ ସ୍ଵତନ୍ତ୍ର ବା ଦାୟିତ୍ଵମୁକ୍ତ କରିପାରିବ, ଏ ଯୁଗରେ କେବଳ ସେହି କୌଣସି ସ୍ଵତନ୍ତ୍ର କର୍ମପଥ ଅବଲମ୍ବନ କରିବାକୁ ସାହସୀ ହୋଇପାରିବ । ଆଗେ ପରିସ୍ଥିତି ଭିନ୍ନ ପ୍ରକାରର ଥିଲା । କାରଣ ଆଗେ ଯିଏ ଆପଣାର ଉପାର୍ଜନପନ୍ଥା ଛାଡ଼ି ଦେଉଥିଲା, ତଥାପି ଯେକୌଣସି ଉପାଯରେ ସଂସାର ନିର୍ବାହ କରିନେବ ବୋଲି ସେ ଆଶା କରି ପାରୁଥିଲା । କିନ୍ତୁ ବର୍ତ୍ତମାନ ଯୁଗର କଠିନ ଆର୍ଥିକ ପରିସ୍ଥିତି ଭିତରେ ରହି ଯଦି କେହି ସେପରି କରିବାକୁ ଇଚ୍ଛା କରିବ, ତେବେ କେବଳ ଭୌତିକ ଦୃଷ୍ଟିରୁ ନୁହେଁ, ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ସେ ଅନେକ ଦୁର୍ଦ୍ଦଶା ଭୋଗ କାରିବାର ଆଶଙ୍କା ସର୍ବଦା ରହିଥିବ ।

 

ସଂସାରରେ ମୁଁ ଯାହା ଦେଖିଚି ବା ଅନୁଭବ କରିଚି, ସେଇଦୃଷ୍ଟିରୁ ମୁଁ ସ୍ଵୀକାର କରିବାକୁ ବାଧ୍ୟ ହେଉଚି ଯେ ଅନେକ ଯୋଗ୍ୟ ଓ ଦକ୍ଷ ବ୍ୟକ୍ତିଙ୍କୁ ଅନେକ ସମୟରେ ଆପଣାର ସ୍ଵତନ୍ତ୍ର କର୍ମପଥ ଛାଡ଼ିଦେବାକୁ ପଡ଼ିଛି । ହୁଏତ ସେମାନଙ୍କର କାର୍ଯ୍ୟଦ୍ଵାରା ପୃଥିବୀ ଅନେକ ଉପକୃତ ହୋଇଥାନ୍ତା, କିନ୍ତୁ ସେମାନଙ୍କର କୌଣସି ଉଦ୍ୟମକୁ ପରିସ୍ଥିତି ଆଦୌ ସମ୍ଭବ କରାଇ ଦେଇନାହିଁ ।

 

ଆପଣାର ସ୍ଵାଧୀନ ଓ ବ୍ୟକ୍ତିଗତ କର୍ମପଥରେ ଅଗ୍ରସର ହେବାର ସୌଭାଗ୍ୟ ଯେଉଁମାନଙ୍କୁ ମିଳିଚି, ଅତ୍ୟନ୍ତ ନମ୍ରତାର ସହିତ ସେମାନଙ୍କୁ ଆପଣାର ସୌଭାଗ୍ୟକୁ ସ୍ଵୀକାର କରିନେବାକୁ ପଡ଼ିବ । ଇଚ୍ଛା ଓ ଦକ୍ଷତା ରହିଥିଲେ ମଧ୍ୟ ଅନ୍ୟ ଯେଉଁମାନେ ସେହି ସୌଭାଗ୍ୟ ଲାଭ କରିପାରିଲେ ନାହିଁ, ସେମାନଙ୍କ ପ୍ରତି ଏମାନଙ୍କୁ ସବୁବେଳେ ଧ୍ୟାନ ରଖିବାକୁ ପଡ଼ିବ । ସର୍ବୋପରି ଆପଣାର କଠୋର ସଂକଳ୍ପକୁ ସେମାନଙ୍କୁ ନମ୍ରତା ସହିତ ସମ୍ମିଶ୍ରିତ ଓ ଆର୍ଦ୍ର କରି ରଖିବାକୁ ପଡ଼ିବ । ସେମାନଙ୍କୁ ସତତ ଅନ୍ଵେଷଣ କରିବାକୁ ପଡ଼ିବ, ସତତ ଅପେକ୍ଷା କରିବାକୁ ପଡ଼ିବ, ଆପଣାର ଇପ୍‍ସିତ କର୍ମଲାଗି ଏକ ପ୍ରଶସ୍ତ ପଥ ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଅନ୍ଵେଷଣ କରିବା ଓ ଅପେକ୍ଷା କରିବା ଅପେକ୍ଷା ପ୍ରାପ୍ତମାର୍ଗରେ ଆପଣାର କର୍ମ କରିଯିବାକୁ ଯେଉଁମାନେ ଅଧିକ ଅବସର ପାଇଥାନ୍ତି, ପ୍ରକୃତରେ ସେହିମାନଙ୍କୁ ହିଁ ଭାଗ୍ୟବାନ ବୋଲି କହିବାକୁ ହେବ । ପରିପୂର୍ଣ୍ଣ ଭାବେ ଆପଣାକୁ ସମର୍ପଣ କରିଦେବାଲାଗି ଯେଉଁମାନେ ଅନ୍ଵେଷଣର ଫଳସ୍ଵରୂପ ଏକ ଯଥାର୍ଥ କ୍ଷେତ୍ରରେ ପହଞ୍ଚି ପାରିଛନ୍ତି, ସେହିମାନେ ହିଁ ଯଥାର୍ଥ ସୁଖର ଅଧିକାରୀ ହୋଇପାରିଚନ୍ତି ।

 

ଏହିପରି ସୁଖୀ ଓ ଭାଗ୍ୟବାନ୍ ବ୍ୟକ୍ତିମାନେ ନମ୍ର ହେବେ, ବିନୀତ ହେବେ, କୌଣସିପ୍ରକାର ବିରୋଧର ସମ୍ମୁଖୀନ ହେଲେ ସେମାନେ କ୍ରୋଧରେ ଗର୍ଜନ କରି ଉଠିବେନାହିଁ, ବରଂ ତାହାକୁ ନିୟତ ଓ ବିହିତ ବୋଲି ଭାବି ସେମାନେ ଶାନ୍ତଭାବରେ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବେ । ଯିଏ କୌଣସି ଭଲ କାମ କରିବାକୁ ଇଚ୍ଛା କରୁଛି, ଲୋକମାନେ ତା’ର ବାଟରୁ ସବୁ ଢେଲାପଥର ପରିଷ୍କାର କରି ନେଇଯାଆନ୍ତୁ ବୋଲି ତା’ର କଦାପି ଆଶା କରିବା ଉଚିତ ନୁହେଁ-। ଓଲଟି ଲୋକେ ଯଦି ତା’ର ବାଟଉପରେ ଅଧିକ କିଛି ଢେଲାପଥର ଆଣି ଜମା କରନ୍ତି, ତଥାପି ଏହି ସ୍ଥିତିକୁ ତାକୁ ଆପଣାର ଭାଗ୍ୟ ବୋଲି ମାନିନେବାକୁ ପଡ଼ିବ । ଏହିସବୁ ବାଧାର ସମ୍ମୁଖୀନ ହେବାର ଅନୁଭୂତି ଯେତିକି ବଢ଼େ, ତାହାର ଶକ୍ତି ସେତିକି ଅଧିକ ସ୍ପଷ୍ଟ ଓ ଅଧିକ ଦୃଢ଼ହେବାରେ ଲାଗେ, କେବଳ ଏହି ଶକ୍ତି ବଳରେ ହିଁ ତାହାକୁ ସମସ୍ତ ବାଧାବ୍ୟାଘାତ ଜୟ କରିବାକୁ ପଡ଼ିବ-। ପ୍ରତିରୋଧ କରିବା ଦ୍ଵାରା ଶକ୍ତିର କେବଳ ଅପଚୟ ହିଁ ହୋଇଥାଏ ।

 

ଆଦର୍ଶ ଲାଗି ଜୀବନ ବଞ୍ଚିବାକୁ ମଣିଷ ଜାତି ଭିତରେ ଯେଉଁ ଇଚ୍ଛାଶକ୍ତି ରହିଚି, ତାହାର କେବଳ ଏକ ସ୍ୱଳ୍ପ ଅଂଶମାତ୍ର ପ୍ରକୃତ କାର୍ଯ୍ୟ କ୍ଷେତ୍ରରେ ପ୍ରକାଶିତ ହୋଇଥାଏ । ଅବଶିଷ୍ଟ ଅଂଶରେ ଫଳ କେବଳ ଅଦୃଶ୍ୟ ଭାବରେ ସଂସାରକୁ ପ୍ରାପ୍ତ ହୁଏ । ସଂସାରର ଦୃଷ୍ଟି ଆକର୍ଷଣ କରୁଥିବା କାର୍ଯ୍ୟଦ୍ଵାରା ଯେତିକି ଫଳ ଲବ୍ଧ ହୁଏ, ଅଦୃଶ୍ୟ ଭାବରେ ଲବ୍ଧ ହେଉଥିବା ଫଳର ମୂଲ୍ୟ ହଜାର ବା ତାହାଠାରୁ ଅଧିକ ଗୁଣ ଅଧିକ ହୋଇଥାଏ । ଦୁହିଁଙ୍କର ଆନୁପାତିକ ସମ୍ବନ୍ଧକୁ କେବଳ ଗଭୀର ସମୁଦ୍ର ଓ ଉପରିଭାଗରେ ଆନ୍ଦୋଳିତ ହେଉଥିବା ତରଙ୍ଗର ସମ୍ବନ୍ଧଦ୍ଵାରା କଳ୍ପନା କରାଯାଇପାରେ-। ବ୍ୟକ୍ତିଗତ ପ୍ରତ୍ୟକ୍ଷ ସେବା କାର୍ଯ୍ୟରେ ଆପଣାକୁ ପୂର୍ଣ୍ଣ ଭାବରେ ସମର୍ପଣ କରି ନପାରି ଯେଉଁ ବ୍ୟକ୍ତିମାନେ ଯେତେ ଅପ୍ରଧାନ ହେଲେ ମଧ୍ୟ ତଥାପି ସେହି କାର୍ଯ୍ୟର ଅନୁଶୀଳନ କରୁଥାନ୍ତି, ସେହି ମାନଙ୍କର ଜୀବନରେ ସମସ୍ତ ଶୁଭର ନିଗୂଢ଼ ଶକ୍ତିମାନ ମୂର୍ତ୍ତିମନ୍ତ ହୋଇଉଠେ । ଆପଣାର ଜୀବନ ଭରଣ ଓ ସମାଜର ଦାବିକୁ ପୂରଣ କରିବା ପାଇଁ ସମାଜର ଅଧିକାଂଶ ବ୍ୟକ୍ତି କୌଣସି ଏକ ନୀରସ ଆତ୍ମାହୀନ ଧନ୍ଦାକୁ ଆପଣାର ବ୍ୟବସାୟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି-। ଏଥିପାଇଁ ସେମାନଙ୍କ ଭିତରେ ନିହିତ ଥିବା କୌଣସି ମାନବିକ ଗୁଣକୁ କାମରେ ଲଗାଇବା ଦରକାର ହୁଏନାହିଁ, କାରଣ ଏହି ଧନ୍ଦାଲାଗି ସେମାନଙ୍କୁ ପ୍ରାୟ ଗୋଟିଏ ମନୁଷ୍ୟ ଦେହଧାରୀ ଯନ୍ତ୍ରରେ ହିଁ ପରିଣତ ହେବାକୁ ପଡ଼େ । କିନ୍ତୁ ଜଣେ ମନୁଷ୍ୟ-ବ୍ୟକ୍ତି ହିସାବରେ ଆପଣାକୁ ଅନ୍ୟମାନଙ୍କ ପାଖରେ ଅର୍ପଣ କରିଦେବାର ସୁଯୋଗ କ୍ଷେତ୍ର ତଥାପି ଉନ୍ମୁକ୍ତ ରହିଥାଏ-। ଏ ଯୁଗରେ ସାଂସାରିକ ଧନ୍ଦାଗୁଡ଼ିକୁ ସଙ୍ଗଠିତ, ସୀମିତ ଓ ଯନ୍ତ୍ରଚାଳିତ କରିଦେବା ଦ୍ଵାରା ଆମର ସମ୍ମୁଖରେ ଆଜି ଯେଉଁ ସମସ୍ୟାମାନ ଦେଖା ଦେଉଚି, କେବଳ ସମାଜରେ ଉତ୍ପନ୍ନ ହୋଇଥିବା ଅସୁବିଧାମାନ ଦୂର କରିଦେଲେ ସେହି ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ସମାଧାନ ହୋଇ ଯିବନାହିଁ-। ମାତ୍ର ଏଥିଲାଗି ପ୍ରତ୍ୟେକ ବ୍ୟକ୍ତିର ମାନବିକ ଅଧିକାର ବିଷୟରେ ମଧ୍ୟ ଆମକୁ ସତର୍କ ରହିବାକୁ ପଡ଼ିବ । ଏହାଠାରୁ ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ କଥା ହେଉଚି ଯେ କଷ୍ଟ ସହୁଥିବା ବ୍ୟକ୍ତିମାନେ କେବଳ ସବୁ କଷ୍ଟକୁ ମୁଣ୍ଡ ପାତି ସହ୍ୟ କରି ନେବେ ନାହିଁ, ମାତ୍ର ସେମାନେ ଆପଣାର ଆଧ୍ୟାତ୍ମିକ କର୍ତ୍ତବ୍ୟମାନ କରିଯିବେ ଏବଂ ତଦ୍ଦ୍ଵାରା ଆପଣାର ସମସ୍ତ ଶକ୍ତିଦେଇ ସମସ୍ତ ପ୍ରତିକୂଳ ଓ ଅସୁବିଧାଜନକ ଅବସ୍ଥା ଭିତରେ ତଥାପି ଆପଣାର ମନୁଷ୍ୟ ବ୍ୟକ୍ତିତ୍ୱକୁ ପ୍ରସ୍ଥାପିତ ଓ ପ୍ରଜ୍ଞାପିତ କରିରଖିବେ । ମନୁଷ୍ୟର ସହାୟତା ଲୋଡ଼ୁଥିବା ମନୁଷ୍ୟମାନଙ୍କ ପାଖରେ ମନୁଷ୍ୟ ହିସାବରେ ଆପଣାର ପରିଚୟ ଦେବାଲାଗି ଯିଏ କୌଣସିପ୍ରକାର ବ୍ୟକ୍ତିଗତ କାର୍ଯ୍ୟଦ୍ଵାରା କୌଣସି ଭଲ କାର୍ଯ୍ୟ ଗ୍ରହଣ କରିବାକୁ ଆଗ୍ରହୀ ହେବ, ଆପଣାର ଫନ୍ଦାଗତ ଜୀବନରେ ଯେତେ ଜଡ଼ିତ ହୋଇ ରହିଲେ ମଧ୍ୟ ସେ ତଥାପି ଆପଣାର ମାନବିକ ଜୀବନକୁ ମୁକ୍ତ ରଖିପାରିବ । ଏହିପରି ବ୍ୟକ୍ତି ଆପଣାକୁ ଆଧ୍ୟାତ୍ମିକ ଏବଂ କଲ୍ୟାଣକାରୀ ସେବାଦଳରେ ଅନ୍ତର୍ଭୁକ୍ତ କରିପାରିବ-। କୌଣସିପ୍ରକାରର ଭାଗ୍ୟ ବା ପରିସ୍ଥିତି ମଣିଷକୁ ଆପଣାର ଜୀବନର ଫନ୍ଦା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କୌଣସି ପ୍ରତ୍ୟକ୍ଷ ମାନବିକ ସେବା କରିବାରୁ ନିବୃତ୍ତ କରି ରଖିପାରିବ ନାହିଁ । ଅଧିକାଂଶ ସ୍ଥାନରେ ଆଜି ଏପରି ସେବା ସମ୍ଭବ ହୋଇପାରୁ ନାହିଁ, କାରଣ ଏହିପରି ସେବା କରିବାର ନାନା ସୁଯୋଗକୁ ଆମେ ହରାଇ ପକାଉଛୁ ।

 

ମଣିଷ ସମାଜରେ ଯିଏ ଯେଉଁଠି ଅଛି, ସେହିଠାରେ ରହି ସେ ମଣିଷର ମନୁଷ୍ୟୋଚିତ ସେବା କରିବାକୁ ବାହାରି ପଡ଼ୁ, ଏହାରି ଉପରେ ହିଁ ଆଜି ମନୁଷ୍ୟଜଗତର ଭାଗ୍ୟ ନିର୍ଭର କରୁଚି । ଆମେ ସୁଯୋଗମାନ ହରାଇ ପକାଉଥିବାରୁ ସଂସାରରେ କେତେ ମୂଲ୍ୟ କେବଳ ମୂଲ୍ୟହୀନ ହୋଇ ପଡ଼ିରହୁଚି । କିନ୍ତୁ ମନୁଷ୍ୟର ଚେଷ୍ଟା ଦ୍ଵାରା ଯେଉଁ ମୂଲ୍ୟ ଇଚ୍ଛାଶକ୍ତି ଓ କର୍ମ-ଶକ୍ତିରେ ପରିଣତ ହେଉଚି, ସେହି ମୂଲ୍ୟ ସମ୍ପଦକୁ ଆମେ କଦାପି ମୂଲ୍ୟହୀନ ବୋଲି କହି ଅବଜ୍ଞା କରିପାରିବା ନାହିଁ । ନିର୍ବୋଧ ଲୋକମାନେ ଆପଣାର ବିଚାରହୀନ କଥାବାର୍ତ୍ତାରେ ଯେତେ ବଡ଼ପାଟି କରି କହିଲେ ମଧ୍ୟ ଆମର ମନୁଷ୍ୟ ସମାଜକୁ କଦାପି ଏକ ଭୌତିକବାଦୀ ସମାଜ ବୋଲି କୁହାଯାଇ ପାରିବ ନାହିଁ । ସଂସାରରେ ନରନାରୀମାନଙ୍କର ସମ୍ପର୍କରେ ଆସି ମୁଁ ଯେତିକି ଅଭିଜ୍ଞତା ଅର୍ଜନ କରିଚି, ସେଇଥିରୁ ମୋର ଦୃଢ଼ ଅଭିଜ୍ଞତା ହୋଇ ଯାଇଚି ଯେ ପୃଥିବୀର ଉପର ସ୍ତରରେ ଅଳ୍ପ ବୋଲି ବୋଧ ହେଉଥିଲେ ମଧ୍ୟ ମଣିଷ ସମାଜ ଭିତରେ ଅଜସ୍ର ଆଦର୍ଶବାଦୀ ଇଚ୍ଚାଶକ୍ତି ଭରି ରହିଚି । ଜଳସ୍ରୋତର ଉପରି ଭାଗରେ ଆମେ ଯେତିକି ଜଳ ଆଖିରେ ଦେଖି ପାରୁଚୁ, ତାହାର ଅନେକ ଗୁଣ ଅଧିକ ଜଳ ସ୍ରୋତରେ ତଳେ ତଳେ ବହି ଚାଲିଚି, ସେହିପରି ଦୃଶ୍ୟମାନ ଆଦର୍ଶବାଦର ଅନେକ ଗୁଣ ସଂସାରରେ ବାସ କରୁଥିବା ନରନାରୀମାନଙ୍କରେ ହୃଦୟ ଭିତରେ ଆବଦ୍ଧ ହୋଇରହିଚି । କ୍ଵଚିତ୍ ତାହା ବାହାରକୁ ଆସୁଚି, କ୍ଵଚିତ୍ କାର୍ଯ୍ୟରେ ପ୍ରକାଶିତ ହେଉଚି, ହୁଏତ ଆଦୌ ଆସି ପାରୁନାହିଁ । ଯାହା ଆବଦ୍ଧ ହୋଇ ରହିଚି, ଯେଉଁମାନେ ତାହାକୁ ବନ୍ଧନ ମୁକ୍ତ କରିପାରିବେ, ଅନ୍ତଃସଲିଳକୁ ଉପରିଭାଗକୁ ଆଣି ଯେଉଁମାନେ ମୁକ୍ତଧାରା ବୁହାଇ ଦେଇପାରିବେ, ମଣିଷ ଜାତି ସେହିପରି ବୀରମାନଙ୍କ ଲାଗି ଆଜି ଆକାଙ୍‍କ୍ଷିତ ହୋଇ ଅପେକ୍ଷା କରିଚି ।

 

X X X X

 

ମୁଁ ଆଫ୍ରିକାକୁ ମିସନାରୀ ଭାବରେ ନଯାଇ ଡାକ୍ତର ଭାବରେ ଯିବାକୁ ବସିଚି, ମୋର ଯୋଜନା ଭିତରେ ଖାସ୍ ଏହି କଥାଟା ମୋର ବନ୍ଧୁମାନଙ୍କୁ ସବୁଠାରୁ ଅଧିକ ଅବିବେଚିତ ବୋଲି ମନେହେଲା । ତିରିଶବର୍ଷ ବୟସ ଅତିକ୍ରମ କରି ସାରିବା ପରେ ମୁଁ ପୁଣି ଆଉ ଏକ ନୂଆପାଠର ପରିଶ୍ରମ ଆରମ୍ଭ କଲି, ଏହା ପଛରେ ସେମାନେ କୌଣସି ଯୁକ୍ତିଯୁକ୍ତତା ଥିବାର ଦେଖି ପାରିଲେ ନାହିଁ । ଏହି ନୂତନ ଅଧ୍ୟୟନଟି ପାଇଁ ମୋତେ ଯେ ପୁଣି କଠିନ ପରିଶ୍ରମ କରିବାକୁ ପଡ଼ିବ, ଏହି ବିଷୟରେ ମୋର କୌଣସି ସନ୍ଦେହ ନଥିଲା । ପ୍ରକୃତରେ କହିବାକୁ ଗଲେ ବର୍ତ୍ତମାନ ମୋର ସମ୍ମୁଖରେ ରହିଥିବା ସେହି କେତେବର୍ଷ ଉପରେ ଦୃଷ୍ଟିପାତ କଲାବେଳକୁ ମୋର ମନରେ ବଡ଼ ଭୟ ଜାତ ହେଉଥିଲା । କିନ୍ତୁ ଯେଉଁସବୁ ବିଚାର ଦ୍ଵାରା ପ୍ରଣୋଦିତ ହୋଇ ମୁଁ ଡାକ୍ତର ଭାବରେ ଆପଣାର ସେବାକାର୍ଯ୍ୟରେ ଆପଣାକୁ ନିୟୋଜିତ କରିବାର ନିଷ୍ପତ୍ତି ଗ୍ରହଣ କରିଥିଲି, ତାହାର ମହତ୍ତ୍ଵ ମୋ’ଲାଗି ଏତେଦୂର ଗୁରୁତର ଥିଲା ଯେ ଅନ୍ୟ କୌଣସିପ୍ରକାରର ବିଚାର ମୋତେ ତା’ର ସମ୍ମୁଖରେ ଧୂଳିକଣା ପରି ବୋଧ ହେବାକୁ ଲାଗିଲା ।

 

କୌଣସିପ୍ରକାର କଥା ନକହି ମୁଁ ମୋର କାର୍ଯ୍ୟ କରିଯାଇ ପାରିବି, ସେଇଥିଲାଗି ମୁଁ ଡାକ୍ତର ହେବାକୁ ଇଚ୍ଛା କରୁଥିଲି । ଜୀବନରେ ମୋର ଅନେକ ବର୍ଷ କେବଳ କଥା କହି କହି କଟି ଯାଇଥିଲା, ଅତି ଖୁସୀ ହୋଇ ମୁଁ ଥିଓଲଜି ବିଭାଗର ଶିକ୍ଷକ ଓ ଗିର୍ଜାର ପାଦ୍ରୀପଦ ଗ୍ରହଣ କରିଥିଲି-। କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ନୂତନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଯାଉଚି, ସେଠାରେ ପ୍ରେମଧର୍ମ ବିଷୟରେ ମୋତେ କୌଣସି ବକ୍ତୃତା ଦେବକୁ ପଡ଼ିବନାହିଁ, କେବଳ କାର୍ଯ୍ୟ ଭିତରଦେଇ ତାହାକୁ ପ୍ରମାଣିତ କରିବାକୁ ପଡ଼ିବ । ଡାକ୍ତରୀ ବିଦ୍ୟାରେ ଜ୍ଞାନ ହାସଲ କରିବା ଦ୍ଵାରା ମୋର ମନୋବାସନାକୁ ମୁଁ ଉତ୍କୃଷ୍ଟ ଓ ସୁପରିପୂର୍ଣ୍ଣ ଭାବରେ କାର୍ଯ୍ୟରେ ପରିଣତ କରିପାରିବି-। ମୋର ସେବା କାର୍ଯ୍ୟର ମାର୍ଗରେ ଯେଉଁଠାକୁ ଗଲେ ମଧ୍ୟ ସେଥିରେ କୌଣସି ବ୍ୟତିକ୍ରମ ଘଟିବନାହିଁ-। ବିଷୁବମଣ୍ଡଳୀୟ ଆଫ୍ରିକାକୁ ଯିବା ବିଷୟରେ ମୋର ଯୋଜନା ଦୃଷ୍ଟିରୁ ଦେଖିଲେ, ଏହିପରି ଏକ ଜ୍ଞାନ ହାସଲ କରିବା ମୋ’ ପକ୍ଷରେ ବିଶେଷ ଆବଶ୍ୟକ ଥିଲା, କାରଣ ମୁଁ ଯେଉଁ ଅଞ୍ଚଳକୁ ଡାକ୍ତର ହୋଇ ଯିବି ବୋଲି ଭାବୁଥିଲି, ସେହି ଅଞ୍ଚଳରେ ଏହାର ସବୁଠାରୁ ଅଧିକ ଜରୁରୀ ଆବଶ୍ୟକତା ଥିଲା ବୋଲି ମିସନାରୀ ପତ୍ରିକାରୁ ମୁଁ ଜାଣିବାକୁ ପାଇଥିଲି । ମିସନାରୀ ପତ୍ରିକାରୁ ନିରନ୍ତର ଏହି ଅଭିଯୋଗ ଶୁଣିବାକୁ ମିଳୁଥିଲା ଯେ କୌଣସି ଶାରୀରିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ସେଠାରେ କେହି କୌଣସିପ୍ରକାର ଅଭିଳଷିତ ସାହାଯ୍ୟ ଦେଇପାରୁ ନଥିଲେ । ଏହି ଦୁର୍ଭାଗ୍ୟ ମଣିଷ-ପ୍ରାଣୀମାନେ ଯେଉଁ ଅଭାବକୁ ସବୁଠାରୁ ଅଧିକ ଉତ୍କଟ ଭାବରେ ଅନୁଭବ କରୁଛନ୍ତି, ଡାକ୍ତର ହୋଇ ମୁଁ ସେହି ଅଭାବ ପୂରଣ କରିପାରିବି ବୋଲି ମୁଁ ଭାବିଥିଲି ଏବଂ ତେଣୁ ଡାକ୍ତରୀ ପଢ଼ିବାର ନିଷ୍ପତ୍ତି ଗ୍ରହଣ କରିଥିଲି । ଆଗରେ ଥିବା ଏତେଗୁଡ଼ାଏ ବର୍ଷ ମୋତେ ନଷ୍ଟ କରିବାକୁ ପଡ଼ିବ, ଯେତେବେଳେ ଏପରି ଏକ ଦୁର୍ବଳ ଭାବନା ମୋତେ ବଶ କରିନେବାକୁ ବସୁଥିଲା, ସେତେବେଳେ ହାମିଲ୍‍କାର ଓ ହାନିବାଲ୍ କିପରି ସ୍ପେନ୍ ଦେଶରେ ଆପଣାର ଦୀର୍ଘକାଳବ୍ୟାପୀ ଜୟଯାତ୍ରା ଦ୍ଵାରା ରୋମ୍ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିଲେ, ନିଜକୁ ମୁଁ ସେହି ବିଷୟ ସ୍ମରଣ କରାଇ ଦେଉଥିଲି ।

 

ଡାକ୍ତର ହେବାଲାଗି ମୋର ଅଭିଳାଷ ପ୍ରକାଶ କରିବାର ଆହୁରି ଏକ କାରଣ ମଧ୍ୟ ଥିଲା । ପାରିସ୍ ମିସନାରୀ ସଂସ୍ଥାର କାର୍ଯ୍ୟକଳାପ ଓ ମନୋଭାବ ସମ୍ପର୍କରେ ମୋର ଯେତିକି ଜ୍ଞାନ ଥିଲା, ସେଥିରୁ ସେହି ସଂସ୍ଥା ମୋତେ ଜଣେ ମିସନାରୀ ବୋଲି ଗ୍ରହଣ କରିବ କି ନାହିଁ, ଏ ବିଷୟରେ ମୋର ମନରେ ଅନେକ ସନ୍ଦେହ ଜାତ ହେଉଥିଲା ।

 

X X X X

 

ପାରିସ୍ ମିସନାରୀ ସଂସ୍ଥାକୁ ମୋର ଅଭିଳାଷ ଜଣାଇଦେବା ପରେ ସେହି ସଂସ୍ଥାର ତୀକ୍ଷ୍‍ଣ ରକ୍ଷଣଶୀଳତା ସହିତ ପରିଚିତ ଦେବାକୁ ମୋତେ ଆଦୌ ଅଧିକ ସମୟ ଲାଗିଲା ନାହିଁ । ମିସନ୍‍ର ହୃଦୟବାନ ପରିଚାଳକ ଶ୍ରୀଯୁକ୍ତ ବୋଏଗ୍‍ନର୍‍ ତାଙ୍କର ନିବେଦନ ଦ୍ଵାରା ଅନୁପ୍ରାଣିତ ହୋଇ ଜଣେ ବ୍ୟକ୍ତି କଙ୍ଗୋ ମିସନରେ ଯୋଗ ଦେବାକୁ ସ୍ଵେଚ୍ଛାରେ ସମ୍ମତ ହୋଇ ଆସିଚି ବୋଲି ଜାଣି ପ୍ରଥମେ ବଡ଼ ଅଭିବୂତ ହୋଇପଡ଼ିଲେ । କିନ୍ତୁ ଅଳ୍ପସମୟ ପରେ ସେ ମୋତେ କହିଲେ ଯେ କମିଟିର ସଭ୍ୟମାନେ ଥିଓଲଜି ବିଷୟରେ ମୋର ମତାମତ ବିଷୟରେ ଅନେକ ଆପତ୍ତି ଉଠାଇବେ ଏବଂ ସେହି ଦୃଷ୍ଟିକୁ ସେ ସବୁ ସମ୍ବନ୍ଧରେ ପ୍ରଥମେ ଭଲଭାବରେ ସବୁକଥା ପରିଷ୍କାର ହୋଇଯିବା ଉଚିତ । ତାଙ୍କୁ ମୁଁ ନିର୍ଭର ଜବାବ ଦେଲି ଯେ ମୁଁ ସେଠାକୁ ‘କେବଳ ଜଣେ ଡାକ୍ତର ହୋଇ’ ଯିବାକୁ ଚାହେଁ । ମୋ’ଠାରୁ ଏତିକି ଶୁଣିବାପରେ ତାଙ୍କର ମୁଣ୍ଡଉପରୁ ଅନେକ ଚିନ୍ତାର ଭାର ଖସିଗଲା, କିନ୍ତୁ ପୁଣି ଅଳ୍ପଦିନ ପରେ ସେ ମୋତେ ପୁଣି କହିଲେ ଯେ କେବଳ ନିର୍ଭୁଲ ଖ୍ରୀଷ୍ଟିଆନ୍ ପ୍ରେମରେ ବିଶ୍ଵାସ କରୁଥିବା ଓ ନିର୍ଭୁଲ ଖ୍ରୀଷ୍ଟିଆନ୍ ଧର୍ମବିଶ୍ଵାସକୁ ମାନୁନଥିବା ଜଣେ ବ୍ୟକ୍ତିକୁ ମିସନ୍‍ର ଡାକ୍ତର ହିସାବରେ ମଧ୍ୟ ଗ୍ରହଣ କରିବାରେ କେତେକ ସଭ୍ୟ ତଥାପି ଆପତ୍ତି କରୁଚନ୍ତି । କିନ୍ତୁ ଯାହାହେଉ, ଏତେ ଆଗରୁ ଏହି ସମ୍ବନ୍ଧରେ ଏତେଦୂର ବିଚଳିତ ହୋଇ ନ ପଡ଼ିବାକୁ ଆମେ ଦୁହେଁ ସମ୍ମତ ହୋଇଥିଲୁ । ବର୍ତ୍ତମାନ ମଝିରେ ତ କେତେବର୍ଷ ସମୟ ରହିଚି ଓ ଏହାରି ଭିତରେ ସଭ୍ୟମାନଙ୍କର ଚିତ୍ତରେ ଯଥାର୍ଥ ଖ୍ରୀଷ୍ଟିଆନ୍‍ ବିବେଚନା-ଶକ୍ତିର ଉଦୟ ବୋଲି ଆମେ ବିଶ୍ଵାସ ରଖିଲୁ ।

 

ଅବଶ୍ୟ ଏଥିରେ କୌଣସି ସନ୍ଦେହ ନଥିଲା ଯେ ସୁଇଜର୍‍ଲାଣ୍ଡର ‘ସମ୍ମିଳିତ ଧର୍ମସନ୍ଦେଶ ମିସନ୍‍ସଂସ୍ଥା’ (Allgemeine Evangelische Missionsverein) କୌଣସିପ୍ରକାର କୁଣ୍ଠା ପ୍ରକାଶ ନକରି ମୋତେ ମିସନାରୀ କିମ୍ବା ଡାକ୍ତର ହିସାବରେ ଗ୍ରହଣ କରି ନେଇଥାନ୍ତା । କିନ୍ତୁ ମୁଁ ଭାବିଲି ଯେ ବିଷୁବମଣ୍ଡଳୀୟ ଆଫ୍ରିକାକୁ ଯିବାର ଆହ୍ଵାନ ମୁଁ ପ୍ରଥମେ ପାରିସ୍ ମିସନ୍‍ର ପତ୍ରିକା ଜରିଆରେ ପାଇଚି, ତେଣୁ ସେହି ଉପନିବେଶରେ ସେହି ମିସନ୍‍ର ଆନୁକୁଲ୍ୟରେ କୌଣସି କାର୍ଯ୍ୟ କରିବାକୁ ମୁଁ ମୋର କର୍ତ୍ତବ୍ୟ ବୋଲି ମନେ କରୁଥିଲି । ସେମାନଙ୍କ ମତରେ ଜଣେ ଡାକ୍ତର ଯଥେଷ୍ଟ ଭାବରେ ରକ୍ଷଣଶୀଳ ନୁହେଁ ବୋଲି ଯୀଶୁଙ୍କର ସନ୍ଦେଶରେ ଆସ୍ଥା ରଖୁଥିବା ଏକ ମିସନାରୀ ସଂସ୍ଥା ତାହାର କାର୍ଯ୍ୟକ୍ଷେତ୍ରରେ ବାସ କରୁଥିବା ରୁଗ୍‍ଣ ଆଦିବାସୀମାନଙ୍କୁ ସେହି ଡାକ୍ତରର ସେବାରୁ କେତେଦୂର ବଞ୍ଚିତ କରି ରଖି ପାରିବେ, ଏହି ବିଷୟରେ ମିସନାରୀ ସଂସ୍ଥାକୁ ଏକ ନିଷ୍ପତ୍ତିରେ ଉପନୀତ କରାଇବାକୁ ମଧ୍ୟ ମୁଁ ପ୍ରଲୁବ୍ଧ ହୋଇ ପଡ଼ିଥିଲି ।

 

କିନ୍ତୁ ଅନ୍ୟ ପକ୍ଷରୁ ଦେଖିବାକୁ ଗଲେ ଡାକ୍ତରୀ ପଢ଼ା ଆରମ୍ଭ କରୁଥିବା ହେତୁ ମୋର ଦୈନନ୍ଦିନ କର୍ମଭାର ଓ ମାନସିକ ଚିନ୍ତା ମୋତେ ଏପରି ଚାପି ରଖିଲେ ଯେ ପରେ କ’ଣ ଘଟିବ ବା ନଘଟିବ, ସେହି ବିଷୟରେ ମୁଣ୍ଡ ଖେଳାଇବାକୁ ମୁଁ କୌଣସି ସମୟ ବା ଶକ୍ତି ପାଇ ପାରିଲିନାହିଁ ।

☆☆☆

 

ମୋର ଡାକ୍ତରୀ ପଢ଼ା : ୧୯୦୫-୧୯୧୨

 

୧୯୦୫ ମସିହା ଅକ୍ଟୋବର ମାସରେ ଶେଷଆଡ଼କୁ ଦିନେ ପ୍ରବଳ କୁହୁଡ଼ିଘେରା ସକାଳ ସମୟରେ ମୁଁ ଶରୀର-ଗଠନତତ୍ତ୍ଵର ପ୍ରଥମ ଅଧ୍ୟାପନାରେ ଯୋଗ ଦେବାକୁ ବାହାରି ପଡ଼ିଲି-

 

ତଥାପି ଆଉ ଗୋଟିଏ ଆଇନଗତ ଅସୁବିଧା ଦୂର କରିବା ଏପର୍ଯ୍ୟନ୍ତ ବାକି ରହିଯାଇଥିଲା । ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକ ଥାଇ ଏଣେ ମୁଁ ଆଇନତଃ ଛାତ୍ର ହିସାବରେ ସେହି ବିଶ୍ଵବିଦ୍ୟାଳୟରେ ଯୋଗଦେଇ ପାରିବି ନାହିଁ । ପୁଣି ଅତିଥି ହିସାବରେ ଡାକ୍ତରୀ ବିଭାଗର ଅଧ୍ୟାପନାରେ ଯୋଗଦେବାକୁ ଗଲେ ପରେ ପରୀକ୍ଷା ଦେବାର ଅନୁମତି ମୋତେ ମିଳି ପାରିବ ନାହିଁ । ଅତି ବନ୍ଧୁତାଭାବାପନ୍ନ ଭାବରେ ଡାକ୍ତରୀ ବିଭାଗର ପରିଚାଳନା ସମିତି ଏହି ଅସୁବିଧାର ସମାଧାନ କରି ଦେଇଥିଲେ । ମୁଁ ପ୍ରତ୍ୟେକ ଅଧ୍ୟାପନାରେ ଯୋଗ ଦେଇଚି ବୋଲି ଡାକ୍ତରୀ ବିଭାଗର ଅଧ୍ୟାପକମାନେ ସୁପାରିସ୍‍ପତ୍ର ଲେଖିଦେଲେ, ମୋତେ ପରୀକ୍ଷାରେ ବସିବାର ଅନୁମତି ମିଳିଯିବ ବୋଲି ସେମାନେ ନିଷ୍ପତ୍ତି କଲେ । ଏଣେ ଅଧ୍ୟାପକମାନେ ମୋର ସତୀର୍ଥ ହୋଇଥିବାରୁ ସେମାନଙ୍କ ପକ୍ଷରୁ ସ୍ଥିର କଲେ ଯେ ଅଧ୍ୟାପନାରେ ଯୋଗ ଦେବା ଲାଗି ମୋତେ କୌଣସି ବେତନ ଦେବାକୁ ପଡ଼ିବ ନାହିଁ ।

 

X X X X

 

କ୍ଳାନ୍ତଶାନ୍ତ ଭାବରେ ମୁଁ ଅବିରତ ସଂଗ୍ରାମ କରିଚାଲିଲି । ଥିଓଲଜି ବିଭାଗର ଅଧ୍ୟାପନା ଓ ଗିର୍ଜାରେ ଉପାସନା-ସଭାର ପରିଚାଳନା,–ଏହି ଦୁଇଟି କାର୍ଯ୍ୟକୁ ମୁଁ ସଙ୍ଗେ ସଙ୍ଗେ ଛାଡ଼ିଆସି ପାରିଲି ନାହିଁ । ତେଣୁ ଡାକ୍ତରୀ ପଢ଼ିବା ସଙ୍ଗେ ସଙ୍ଗେ ମୋତେ ଥିଓଲଜି ବିଭାଗରେ ଅଧ୍ୟାପନା କରିବାକୁ ଏବଂ ପ୍ରାୟ ପ୍ରତ୍ୟେକ ରବିବାର ଦିନ ଗିର୍ଜାରେ ପ୍ରାର୍ଥନା ଓ ଉପାସନା ପରିଚାଳନା କରିବାକୁ ପଡ଼ିଥିଲା । ଡାକ୍ତରୀ ପଢ଼ା ଆରମ୍ଭ କଲାବେଳେ ଅଧ୍ୟାପନାଗୁଡ଼ିକ ଭାରି ଆୟାସସାଧ୍ୟ ମନେହେଲା, କାରଣ ଠିକ୍ ସେହି ସମୟରେ ମୁଁ ସନ୍ଥ ପଲ୍‍ଙ୍କର ଉପଦେଶବିଷୟକ ସମସ୍ୟାମାନ ଅଧ୍ୟୟନ କରିବାକୁ ମଧ୍ୟ ଆରମ୍ଭ କରିଦେଇଥିଲି ।

 

X X X X

 

ଡାକ୍ତରୀ ପଢ଼ା ଆରମ୍ଭ କରିବାର ପ୍ରଥମ କେତେମାସ ପରେ ମୁଁ ଅର୍‍ଗାନ୍ ନିର୍ମାଣ ବିଷୟରେ ମୋତେ ପ୍ରବନ୍ଧଟି ଲେଖିଥିଲି । ‘ଯୀଶୁ ଜୀବନର ଐତିହାସିକ ଗବେଷଣା’ ପୁସ୍ତକଟିର ଶେଷ ଅଧ୍ୟାୟଟି ମଧ୍ୟ ମୋତେ ଏତିକିବେଳେ ଲେଖିବାକୁ ପଡ଼ିଥିଲା । ୧୯୦୬ ମସିହା ବସନ୍ତ କାଳରେ କଲେଜର ଅଧ୍ୟକ୍ଷ ପଦରୁ ମୁଁ ଇସ୍ତଫା ଦେଲି । ତେଣୁ ଆଇନତଃ ଛାତ୍ରାବସ୍ଥାରୁ ମୁଁ ରହୁଥିବା ଘରଟିକୁ ବର୍ତ୍ତମାନ ମୋର ଛାଡ଼ିଆସିବାର କଥା । ଉଦ୍ୟାନରେ ଥିବା ସେହି ବଡ଼ ବଡ଼ ଗଛକୁ ଛାଡ଼ି ଅନ୍ୟତ୍ର ଚାଲିଆସିବା ପ୍ରକୃତରେ ଏକ ଦୁଃଖଦ ଅଭିଜ୍ଞତା ପରି ମୋତେ ବୋଧହେଲା-। ମୋର ଘର ଭିତରେ ମୁଁ ଅଧ୍ୟୟନ ଓ ଲିଖନରତ ଥିଲାବେଳେ ବର୍ଷ ବର୍ଷ ଧରି ଏହି ଗଛଗୁଡ଼ିକ ସହିତ ମୁଁ କେତେ କଥାବାର୍ତ୍ତା ନ ହୋଇଚି ! କିନ୍ତୁ ସନ୍ଥ ଥୋମାସ୍ ଗିର୍ଜାର ଅଧୀନରେ ଥିବା ବିରାଟ ଘରେ ମୁଁ ନ୍ୟାୟତଃ ବାସ କରିପାରିବି ବୋଲି ଯେତେବେଳେ ଜାଣିବାକୁ ପାଇଲି, ସେତେବେଳେ ମୋର ମନର ଆନନ୍ଦ କିଏ ଦେଖିବ ?

 

୧୯୦୬ ମସିହା ବସନ୍ତଋତୁ ପରେ ‘ଯୀଶୁ-ଜୀବନର ଐତିହାସିକ ଗବେଷଣା’ ସମ୍ବନ୍ଧୀୟ ମୋର ସମସ୍ତ କାର୍ଯ୍ୟ ସମାପ୍ତ ହୋଇଗଲା । କଲେଜରେ ଅଧ୍ୟକ୍ଷପଦର ଦାୟିତ୍ଵରୁ ମଧ୍ୟ ମୁଁ ମୁକ୍ତ ହୋଇ ଆସିଥିଲି । ତା’ପରେ ଯାଇ ମୋର ନୂତନ ଅଧ୍ୟୟନ ଲାଗି ଆବଶ୍ୟକ ସମୟ ଦେଇପାରିବା ମୋ’ ପକ୍ଷରେ ସମ୍ଭବ ହୋଇ ପାରିଲା । କିନ୍ତୁ ସେତେବେଳେ ଅମିତ ଉତ୍ସାହର ସହିତ ମୁଁ ପ୍ରାକୃତିକ ବିଜ୍ଞାନର ଅଧ୍ୟୟନ ଆରମ୍ଭ କରିଦେଲି । ହାଇସ୍କୁଲ (Gymnasium)ରେ ପଢ଼ୁଥିବାବେଳେ ଏହି ବିଷୟଟି ମୋତେ ସବୁଠାରୁ ଅଧିକ ଆକର୍ଷକ ବୋଧ ହେଉଥିଲା, କିନ୍ତୁ ବର୍ତ୍ତମାନ ଯାଇ ସେହି ବିଷୟରେ ମନୋମତ ଅଧ୍ୟୟନ କରିବାର ସୁଯୋଗ ମୁଁ ପାଇଥିଲି । ଦର୍ଶନର ଅଧ୍ୟୟନ ତଳେ ବାସ୍ତବତାର ଦୃଢ଼ ମୂଳଦୁଆ ଅନୁଭବ କରିବାଲାଗି ପ୍ରାକୃତିକ ବିଜ୍ଞାନରେ ଯେଉଁ ଜ୍ଞାନ ଅର୍ଜନ କରିବା ଦରକାର, ସେହି ଜ୍ଞାନ ଅର୍ଜନ କରିବାର ସାମର୍ଥ୍ୟ ମୁଁ ବର୍ତ୍ତମାନ ହାସଲ କରିଥିଲି ।

 

ଖାଲି ଜ୍ଞାନର ପରିମାଣରେ ବୃଦ୍ଧି ନୁହେଁ, ପ୍ରାକୃତିକ ବିଜ୍ଞାନର ଅଧ୍ୟୟନ ଫଳରେ ମୁଁ ଆହୁରି ଅନେକ ପ୍ରକାରେ ଲାଭବାନ୍ ହୋଇଥିଲି । ଏହି ଅଧ୍ୟୟନ ମୋତେ ଠିକ୍ ଏକ ଆଧ୍ୟାତ୍ମିକ ଅଭିଜ୍ଞତା ପରି ବୋଧ ହେବାକୁ ଲାଗିଲା । ମୁଁ ଏପର୍ଯ୍ୟନ୍ତ କେବଳ ମାନବୀୟ ବିଜ୍ଞାନ (Geisteswissenschafter Humanities) ଅଧ୍ୟୟନ କରି ଆସିଥିଲି । ଆଜିଯାଏ ମୁଁ ମୋର ମନ ଭିତରେ ଗୋଟାଏ ପ୍ରକାରର ଭୟ ଅନୁଭବ କରି ଆସୁଥିଲି ଯେ ଏହି ବିଭାଗୀୟ ଅଧ୍ୟୟନରେ କୌଣସି ସିଦ୍ଧାନ୍ତ ବା ସତ୍ୟ ନାହିଁ, ଯାହାକୁ କି ନିଶ୍ଚିତ ଓ ବିଶୁଦ୍ଧ ଭାବରେ ସତ୍ୟ ବୋଲି ପ୍ରମାଣିତ କରାଯାଇ ପାରିବ । ବିଷୟବସ୍ତୁର ଚର୍ଚ୍ଚା କରି କେହି ଜଣେ ତାହା ଉପରେ ଆପଣାର ଏକ ବ୍ୟକ୍ତିଗତ ମତ ଦେଇଦେଲେ, ସେହି ବ୍ୟକ୍ତିଗତ ମତ ମଧ୍ୟ ସତ୍ୟ ବୋଲି ସ୍ଵୀକୃତ ହୋଇ ପାରିବ । ଇତିହାସ ଏବଂ ଦର୍ଶନ କ୍ଷେତ୍ରରେ ସତ୍ୟର ଅନୁସନ୍ଧାନ ନାମରେ ଏପର୍ଯ୍ୟନ୍ତ କେବଳ ଏକ ଅସରନ୍ତି ଦ୍ଵନ୍ଦ୍ଵଯୁଦ୍ଧ ଅବିରତ ଭାବରେ ଲାଗି ରହିଚି ଏବଂ ଯୁଗେ ଯୁଗେ ପୁନରାବୃତ୍ତ ହୋଇ ଚାଲିଚି । ଗୋଟାଏ ପକ୍ଷ ବାସ୍ତବ ସତ୍ୟ ଉପରେ ଜୋର ଦେଉଚନ୍ତି ଏବଂ ଅପର ପକ୍ଷ ଉଦ୍‍ଭାବନାମୂଳକ କଳ୍ପନା ଶକ୍ତିକୁ ସମସ୍ତ ସତ୍ୟର ଅନ୍ଵେଷଣ ମାର୍ଗ ବୋଲି ଘୋଷଣା କରୁଚନ୍ତି । ବସ୍ତୁସ୍ଥିତିକୁ ଭୂମି କରି ନିଷ୍ପନ୍ନ ହେଉଥିବା ସତ୍ୟର ଯୁକ୍ତି ବଡ଼ ଚତୁରତା ସହକାରେ ନିବେଦିତ କରାଯାଉଥିବା ମତବାଦ ଉପରେ ଏକ ନିର୍ଦ୍ଧିଷ୍ଟ ବିଜୟ ହାସଲ କରିବାକୁ ଆଦୌ ସମର୍ଥ ହୋଇପାରୁ ନାହିଁ । ଯୁଗଯୁଗ ଧରି ଯଥାର୍ଥ ଅନ୍ତର୍ଦୃଷ୍ଟିକୁ ବହିଷ୍କୃତ କରି ରଖି କେବଳ ଚତୁର ଯୁକ୍ତି ଦ୍ଵାରା ଦଣ୍ଡାୟମାନ ମତର ପ୍ରତିଷ୍ଠାକୁ ଆମେ କେତେଥର ଭ୍ରାନ୍ତଭାବରେ ପ୍ରଗତି ବୋଲି ବିଶ୍ଵାସ ନକରିଚୁ !

 

ଅବିରତ ଚାଲିଥିବା ଏହି ଅଭିନୟକୁ ମୂକସାକ୍ଷୀ ପରି ଦେଖିବାକୁ ପଡ଼ୁଥିବ, ଏବଂ ଯଥାର୍ଥ ସତ୍ୟରେ ଉପନୀତ ହେବାଲାଗି ସମସ୍ତ ଅଭିଳାଷ ହରାଇ ବସିଥିବା ବ୍ୟକ୍ତିମାନଙ୍କର ଏପରି ବହୁବିଧ ଭାବରେ ସମ୍ମୁଖୀନ ହେବାକୁ ପଡ଼ୁଥିବ, ସବୁଦିନେ ଏକଥା ମୋତେ ବଡ଼ ନୈରାଶ୍ୟଜନକ ମନେ ହେଉଥିଲା । ବର୍ତ୍ତମାନ ହଠାତ୍ ମୁଁ ଆପଣାକୁ ଅନ୍ୟ ଏକ ରାଜ୍ୟରେ ଦେଖିବାକୁ ପାଇଲି । ବର୍ତ୍ତମାନ ମୁଁ ପ୍ରାକୃତିକ ବିଜ୍ଞାନର ସତ୍ୟଗୁଡ଼ିକ ବିଷୟରେ ଅଧ୍ୟୟନ କରୁଥିଲି ଏବଂ ଆପଣାର ସମସ୍ତ ସତ୍ୟ ଓ ସିଦ୍ଧାନ୍ତକୁ ପ୍ରାକୃତିକ ତଥ୍ୟ ଦେଇ ପୁଷ୍ଟ ଓ ପ୍ରମାଣିତ କରିବାକୁ ଅଧ୍ୟୟନ ସ୍ଵାଭାବିକ ନିୟମ ବୋଲି ମାନୁଥିବା ବ୍ୟକ୍ତିମାନଙ୍କର ଅତି ନିକଟ ସମ୍ପର୍କରେ ଆସୁଥିଲି । ମୋର ନିଜର ବୁଦ୍ଧିଗତ ବିକାଶଲାଗି ଏହି ନୂତନ ଅଭିଜ୍ଞତାକୁ ମୁଁ ଅତ୍ୟାବଶ୍ୟକ ବୋଲି ଅନୁଭବ କଲି ।

 

ଠିକ୍ ଓ ନିର୍ଭୁଲ ଭାବରେ ନିରୂପିତ ହୋଇ ପାରୁଥିବା ତଥ୍ୟସମୂହର ଅଧ୍ୟୟନ କରି ମୁଁ ଅତୁଳ ଆନନ୍ଦରେ ନିମଗ୍ନ ହୋଇ ରହିଥିଲି । କିନ୍ତୁ ତା’ ବୋଲି ପ୍ରାକୃତିକ ବିଜ୍ଞାନର ଚର୍ଚ୍ଚା କରୁଥିବା ଅଧିକାଂଶ ବ୍ୟକ୍ତିଙ୍କ ପରି ମାନବୀୟ ବିଜ୍ଞାନର ମହତ୍ତ୍ଵକୁ ହେୟ କରି ଦେଖିବାର କୌଣସି ପ୍ରବୃତ୍ତି ମୋର କଦାପି ହୋଇ ନ ଥିଲା । ବରଂ ରସାୟନଶାସ୍ତ୍ର, ପଦାର୍ଥବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ ଓ ଶରୀରବିଜ୍ଞାନ ଅଧ୍ୟୟନ କଲାବେଳେ କେବଳ ବସ୍ତୁସ୍ଥିତି ଉପରେ ଦଣ୍ଡାୟମାନ ହୋଇଥିବା ତଥ୍ୟଗୁଡ଼ିକ ପରି ତଥାପି ବିଚାରରର ସ୍ପଷ୍ଟତା ଓ ସ୍ଵତନ୍ତ୍ରତା ମଧ୍ୟ କେତେଦୂର ଆବଶ୍ୟକ ଓ ଯୁକ୍ତିଯୁକ୍ତ, ଏହି ବିଷୟରେ ମୁଁ ଅଧିକରୁ ଅଧିକ ସଚେତ ହୋଇଯାଇଥିଲି । ସୃଷ୍ଟିଶୀଳ ମାନସର ଅବଧୃତ କୌଣସି ସିଦ୍ଧାନ୍ତ ବା ସତ୍ୟ ସହିତ ତଥାପି ଯେ ସିଦ୍ଧାନ୍ତକାରୀର ପୂର୍ବାଗ୍ରହ ଲିପ୍ତ ହୋଇ ରହିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି କେବଳ ପ୍ରକୃତି ଓ ଘଟଣାଜଗତକୁ ଲବ୍ଧ ଜ୍ଞାନ ଅପେକ୍ଷା ଏହି ଜ୍ଞାନ ଯେ ଏକ ଉଚ୍ଚତର ସ୍ତରର ସାମଗ୍ରୀ, ଏକଥା ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ-

 

ସତ୍ତାର ଗୋଟିଏ ଗୋଟିଏ ନିଦର୍ଶନକୁ ବିଚ୍ଛିନ୍ନ ଭାବରେ ଲିପିବଦ୍ଧ କରି ରଖି ଆମ୍ଭେମାନେ ଯେଉଁ ଜ୍ଞାନରେ ଉପନୀତ ହେଉ, ତାହା ସର୍ବଦା ଏକ ଅସମ୍ପୂର୍ଣ୍ଣ ଜ୍ଞାନ ହୋଇ ରହିବାକୁ ବାଧ୍ୟ । କୌଣସି ଜିଜ୍ଞାସୁ ବ୍ୟକ୍ତିକୁ ଏହା କଦାପି ସମ୍ପୂର୍ଣ୍ଣ ସନ୍ତୋଷ ଦେଇପାରିବ ନାହିଁ । ଏହି ବିଶ୍ଵଜଗତରେ ଆମେସବୁ କିଏ ଏବଂ କାହିଁକି ଏଠାରେ ରହିଚୁ, ଏହି ବିରାଟ ପ୍ରଶ୍ନର କୌଣସି ସମ୍ପୂର୍ଣ୍ଣ ଉତ୍ତର ଆମେ ଏଥିରୁ ପାଇ ପାରିବାନାହିଁ । ଆମର ବ୍ୟକ୍ତିଗତ ଜୀବନ ଭିତରେ ରହି ତାହାର ନିୟନ୍ତ୍ରଣ ଓ ଶାସନ କରୁଥିବା ବିଶ୍ଵଗତ ଜୀବନକୁ ଆମର ବ୍ୟକ୍ତିଗତ ଜୀବନ ଭିତରେ ଅନୁଭବ କରି ପାରିଲେ ହିଁ ଆମେ ଆମର ଚତୁର୍ଦ୍ଦିଗରେ ବ୍ୟାପ୍ତ ରହିଥିବା ସତ୍ତା ଭିତରେ ଆମର ଉପଯୁକ୍ତ ସ୍ଥାନ ନିର୍ଣ୍ଣୟ କରି ନେଇପାରିବା । ମୋର ଅନ୍ତର ଭିତରେ ବିଦ୍ୟମାନ ରହିଥିବା ଜୀବନମୟ ସତ୍ତାର ମାଧ୍ୟମରେ ହିଁ ମୁଁ ମୋର ବାହାରେ ରହିଥିବା ଜୀବନମୟ ସମଗ୍ର ସତ୍ତାର ମହିମାକୁ ଉପଲବ୍ଧି କରିପାରିବି । ଏହି ବିଶ୍ଵାତ୍ମା ଓ ତାହା ସହିତ ମନୁଷ୍ୟ ବ୍ୟକ୍ତିର ସମ୍ବନ୍ଧ ବିଷୟରେ ବିଚାରାଗତ ପରିଚୟ ପ୍ରଦାନ କରିବା ହେଉଚି ମାନବୀୟ ବିଜ୍ଞାନଗୁଡ଼ିକର ପ୍ରଧାନ ଲକ୍ଷ୍ୟ ।

 

୧୯୦୯ ମସିହା ମଇମାସ ୧୩ ତାରିଖ ଦିନ ମୁଁ ଶରୀରଗଠନ ଶାସ୍ତ୍ର, ବିଜ୍ଞାନ ଓ ପ୍ରକୃତି-ବିଜ୍ଞାନ (Physikum)ର ପରୀକ୍ଷାରେ ବସିଲି । ସେଦିନ ପାଗ ବେଶ୍‍ ମେଘୁଆ ଥାଏ । ସେହି ପରୀକ୍ଷାଟି ପାଇଁ ପ୍ରକୃତରେ ମୁଁ ଆବଶ୍ୟକ ଅଧ୍ୟୟନ କରିପାରି ନଥିଲି । ଅବଶ୍ୟ ସେହିସବୁ ବିଷୟ ପ୍ରତି ମୋର ସର୍ବଦା ଖୁବ୍ ଆଗ୍ରହ ରହି ଆସିଥିଲା । କିନ୍ତୁ ତିରିଶ ବରଷର ଜଣେ ବୟସ୍କ ବ୍ୟକ୍ତିର ସ୍ମରଣଶକ୍ତି ବାଇଶି ବରଷର ଜଣେ ଛାତ୍ରର ସ୍ମରଣଶକ୍ତି ସହିତ କିପରି ସମାନ ହୋଇପାରନ୍ତା ? ତାହାଛଡ଼ା ମୁଁ ମଧ୍ୟ ଶେଷ ପର୍ଯ୍ୟନ୍ତ କେବଳ ପ୍ରାକୃତିକ ବିଜ୍ଞାନ ପଢ଼ିବି ବୋଲି ଏକ ନିର୍ବୋଧ ଆଗ୍ରହରେ ମାତି ଯାଇଥିଲି, ପରୀକ୍ଷାପାଇଁ ଯେ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ, ସେକଥା ପ୍ରାୟ ଭୁଲି ଯାଇଥିଲି । ପରୀକ୍ଷା ଆଉ ମାତ୍ର ଅଳ୍ପ କେତେ ସପ୍ତାହ ଥାଏ, ମୋ’ସହିତ ପଢ଼ୁଥିବା ଛାତ୍ରମାନଙ୍କଠାରୁ ସତର୍କଗାଳି ଖାଇବାପରେ ଯାଇ ମୁଁ ଏକ ମୁଖସ୍ଥକାରୀ ଗୋଷ୍ଠୀର (Paukverband) ଅନ୍ତର୍ଭୁକ୍ତ ହେଲି । ଅଧ୍ୟାପକମାନେ ପରୀକ୍ଷାରେ ସାଧାରଣତଃ କିପରି ଧରଣର ପ୍ରଶ୍ନ ଦିଅନ୍ତି ଓ ଛାତ୍ରମାନଙ୍କଠାରୁ କିପରି ଉତ୍ତରର ଆଶା କରନ୍ତି, ପିଲାମାନେ ଏହି ବିଷୟରେ ରଖିଥିବା ବିବରଣୀଗୁଡ଼ିକ ଦେଖିସାରିବା ପରେ ପରୀକ୍ଷାରେ କି ପ୍ରକାର ପ୍ରଶ୍ନମାନ ଆସିପାରେ, ସେହି ବିଷୟରେ ମୋର କିଞ୍ଚିତ୍ ଧାରଣା ହୋଇଯାଇଥିଲା ।

 

ଯାହା ମୁଁ ଆଶା କରିଥିଲି, ପରୀକ୍ଷାରେ ତାହାଠାରୁ ଅଧିକ ଭଲ ଫଳ ଦେଖାଇଲି ବୋଲି କୁହାଯାଇ ପାରିବ । ଅବଶ୍ୟ ସେତେବେଳେ ମୁଁ ବଡ଼ କ୍ଳାନ୍ତ ଓ ଅବସନ୍ନ ବୋଧ କରୁଥିଲି । ମୋର ଜୀବନଯାକ ମୁଁ ଏପରି ଆଉ କେବେହେଲେ ଅନୁଭବ କରିନାହିଁ ।

 

ଏଣିକି ଡାକ୍ତରୀ ବିଷୟଗୁଡ଼ିକରେ ପାଠପଢ଼ା ଆରମ୍ଭ ହେଲା । କିନ୍ତୁ ପରସ୍ପର ସହିତ ଅତ୍ୟନ୍ତ ସମ୍ବନ୍ଧିତ ଥିବାରୁ ଏଗୁଡ଼ିକ ପୂର୍ବ ବର୍ଷର ବିଷୟଗୁଡ଼ିକ ପରି ଏତେଦୂର କଷ୍ଟକର ମନେହେଲା ନାହିଁ ।

 

ଡାକ୍ତରୀ ପଢ଼ିବା ଆରମ୍ଭ କଲାବେଳେ ମୋତେ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ବାଖ୍ ସମ୍ବନ୍ଧୀୟ ମୋର ଜର୍ମାନ୍ ପୁସ୍ତକ ବଜାରରେ ଭଲ ବିକ୍ରି ହେବା ଫଳରେ ଓ ପାରିସରେ ଅର୍‍ଗାନ୍ ବଜାଇ ମଝିରେ କିଛି ଉପାର୍ଜନ କରିବା ପରେ ମୋର ଅବସ୍ଥାରେ ଅନେକ ସ୍ଵଚ୍ଛଳତା ଆସି ଯାଇଥିଲା ।

 

୧୯୧୧ ମସିହା ଅକ୍ଟୋବର ମାସରେ ମୁଁ ଡାକ୍ତରୀ ପାଠର ଶେଷ ପରୀକ୍ଷା ଦେଇଥିଲି-। ତା’ର ପୂର୍ବବର୍ତ୍ତୀ ମାସରେ ମ୍ୟୁନିକ୍‍ଠାରେ ହୋଇଥିବା ଫରାସୀ ସଙ୍ଗୀତ ଉତ୍ସବରେ ଭିଡୋର୍‍ଙ୍କର ସଙ୍ଗୀତ ଅନୁଷ୍ଠାନରେ ଅର୍‍ଗାନ୍‍ ବଜାଇ ମୁଁ ପରୀକ୍ଷାଫିସ୍ ଦେବାର ପଇସା ଯୋଗାଡ଼ କରି ପାରିଥିଲି । ସେହି ଉତ୍ସବରେ ସ୍ଵୟଂ ଭିଡୋର୍ ସଙ୍ଗୀତଗୋଷ୍ଠୀର ପରିଚାଳନା କରିଥିଲେ-। ଡିସେମ୍ବର ମାସ ୧୭ ତାରିଖରେ ମୋର ଶେଷ ପରୀକ୍ଷା ଦେଇସାରି ଡାକ୍ତରଖାନା ଭିତରୁ ଶୀତରାତ୍ରିର ସେହି ଅନ୍ଧକାର ଭିତରକୁ ଯେତେବେଳେ ବାହାରି ଆସିଲି, ସେତେବେଳେ ଗତ କେତେ ବର୍ଷବ୍ୟାପୀ କଠୋର ଆୟାସସାଧନାର ସେହିଠାରେ ଅନ୍ତ ହୋଇଗଲା ବୋଲି ହଠାତ୍ ମୁଁ ହୃଦୟଙ୍ଗମ କରିପାରିଲି ନାହିଁ । ପ୍ରକୃତରେ ଯେ ମୁଁ ସ୍ଵପ୍ନ ଦେଖୁନାହିଁ, ଏକଥା ଯେ ପ୍ରକୃତରେ ସତ, ବାରବାର ମୋତେ ନିଜକୁ ଏହି କଥା ସୂଚାଇଦେବାକୁ ପଡ଼ିଥିଲା । ପରୀକ୍ଷକଙ୍କ ସହିତ ଏକତ୍ର ଯାଉଥିଲାବେଳେ ସେ ଏକାଧିକବାର ମୋତେ ଯେଉଁ କଥା କହିଥିଲେ, ସେହି କେତେପଦ କଥା ସତେ ଯେପରି ଅନେକ ଦୂରରୁ ଭାସି ଆସୁଥିବା ପରି ମନେ ହେଉଥିଲା,–“ତୁମର ସ୍ୱାସ୍ଥ୍ୟ ଅତି ଚମତ୍କାର, ଖାସ୍ ତାହାରି ବଳରେ ତୁମେ ଏପରି ଏକ କଷ୍ଟକର ଅଧ୍ୟୟନକୁ ପାର ହୋଇପାରିଲ-।”

 

ବର୍ତ୍ତମାନ ଡାକ୍ତରଖାନାରେ ସ୍ଵେଚ୍ଛାସେବକ ଭାବରେ କାର୍ଯ୍ୟ କରି ମୋତେ ମୋର ଅଭ୍ୟାସମୂଳକ ବର୍ଷଟି ପୂରଣ କରିବାକୁ ପଡ଼ିଲା ଏବଂ ଡାକ୍ତର ଡିଗ୍ରୀପାଇଁ ଗୋଟିଏ ନିବନ୍ଧ ମଧ୍ୟ ଲେଖିବାକୁ ପଡ଼ିଲା । ଯୀଶୁଙ୍କର ମାନସିକ ବିକୃତି ଘଟିଥିଲା ବୋଲି ଅନୁମାନ କରି ଡାକ୍ତରମାନେ ଆଗରୁ ଯାହାସବୁ ଲେଖିଥିଲେ, ସେହିସବୁ ସାମଗ୍ରୀ ସଂଗ୍ରହ କରିବା ଓ ଡାକ୍ତରୀବିଜ୍ଞାନ ଦୃଷ୍ଟିରୁ ତାହାର ପରୀକ୍ଷା କରିବାକୁ ମୁଁ ମୋର ବିଷୟ ରୂପେ ନିର୍ବାଚିତ କରିଥିଲି ।

☆☆☆

 

ଆଫ୍ରିକାଲାଗି ସଜବାଜ

 

ଡାକ୍ତର ହିସାବରେ ମୋର ଡିଗ୍ରୀ ପାଇଁ ନିବନ୍ଧ ଲେଖିବାରେ ପ୍ରସ୍ତୁତ ହେଉଥିବାବେଳେ ମଧ୍ୟ ମୁଁ ଆଫ୍ରିକା-ଯାତ୍ରାର ସଜବାଜ ଆରମ୍ଭ କରି ଦେଇଥିଲି । ୧୯୧୨ ମସିହାରେ ବସନ୍ତ କାଳରେ ମୁଁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ଓ ସନ୍ଥ ନିକୋଲାଇ ଗିର୍ଜାର ଦାୟିତ୍ଵରୁ ଅବ୍ୟାହତି ଗ୍ରହଣ କଲି । ପ୍ରଧାନ ଧର୍ମଗୁଡ଼ିକ ବିଷୟରେ ଐତିହାସିକ ଗବେଷଣା ଏବଂ ପ୍ରାକୃତିକ ବିଜ୍ଞାନ କ୍ଷେତ୍ରରେ ନୂତନଲବ୍ଧ ତଥ୍ୟ ଦୃଷ୍ଟିରୁ ଧର୍ମର ଦୃଷ୍ଟି-ଭୂମିରେ କିପରି ପରିବର୍ତ୍ତନ ବା ପରିମିଳନ ଆଣିବାକୁ ହେବ, ଏହି ବିଷୟରେ ୧୯୧୧-୧୨ର ଶୀତଋତୁରେ ମୁଁ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରିଥିଲି ।

 

ସନ୍ଥ ନିକୋଲାଇ ଗିର୍ଜାରେ ଦେଇଥିବା ମୋର ଶେଷ ଉପାସନାନ୍ତିକ ଭାଷଣକୁ ମୁଁ ସନ୍ଥ ପଲ୍‍ଙ୍କର ନିମ୍ନଲିଖିତ ଆଶୀର୍ବାଦ-ସନ୍ଦେଶ ଦ୍ଵାରା ସମାପ୍ତ କରିଥିଲି : ଭଗବାନଙ୍କର ଶାନ୍ତିକୁ ବୁଦ୍ଧି ଦେଇ ବୁଝିବା ସମ୍ଭବ ନୁହେଁ, ତାହା ବୁଦ୍ଧିର ଅତୀତ । ଯୀଶୁଖ୍ରୀଷ୍ଟଙ୍କଠାରେ ଆପଣାର ହୃଦୟ ଓ ମନକୁ ନିବଦ୍ଧ କରି ରଖିପାରିଲେ ଏହା ହୋଇପାରିବ ।’ ଏହା ପୂର୍ବରୁ ଯେତେଥର ମୁଁ ଗିର୍ଜାର ଉପାସନାମାନ ପରିଚାଳନା କରିଥିଲି, ସବୁଥର ଏହି ଉକ୍ତିଟି ଦ୍ଵାରା ହିଁ ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଥିଲି ।

 

ଗିର୍ଜାରେ ମୋତେ ଆଉ କୌଣସି ଉପାସନାର ପରିଚାଳନା କରିବାକୁ ପଡ଼ିବ ନାହିଁ, ବିଶ୍ଵବିଦ୍ୟାଳୟରେ ଆଉ କ୍ଲାସ୍ ନେବାକୁ ପଡ଼ିବ ନାହିଁ, ଅନେକ ବ୍ୟଥିତ ଭାବରେ ମୁଁ ମୋର ଜୀବନର କାର୍ଯ୍ୟକ୍ରମରେ ଏହି ଦୁଇଟି ପରିବର୍ତ୍ତନକୁ ଗ୍ରହଣ କରି ପାରିଥିଲି । ଏପରିକି ଆଫ୍ରିକା ଲାଗି ଯାତ୍ରା କରିବା ପୂର୍ବରୁ ସନ୍ଥ ନିକୋଲାଇ ଗିର୍ଜା ବା ବିଶ୍ଵବିଦ୍ୟାଳୟର ବାଟଦେଇ ଯିବା ଆସିବା କରିବା ମଧ୍ୟ ମୁଁ ଯଥାସମ୍ଭବ ଛାଡ଼ି ଦେଇଥିଲି । ଏହି ଦୁଇଟି ସ୍ଥାନରେ ମୁଁ କେତେ କେତେ ଦିନ କାର୍ଯ୍ୟ କରି ଆସିଚି କିନ୍ତୁ ଏଣିକି ଆଉ ତାହା କରିବା ମୋ’ ପକ୍ଷରେ ସମ୍ଭବ ହେବନାହିଁ, ଏହି କଥା ଭାବିବା ମାତ୍ରକେ ମୋର ମନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ହୋଇ ଯାଉଥିଲା । ଏପରିକି ବର୍ତ୍ତମାନ ମଧ୍ୟ ବିଶ୍ଵବିଦ୍ୟାଳୟର ବୃହତ୍‍ ଅଟ୍ଟାଳିକାର ପୂର୍ବ ତରଫରେ ଥିବା ଦ୍ୱିତୀୟ ଅଧ୍ୟାପନା-ଗୃହର ଝରକାଗୁଡ଼ିକୁ ମଧ୍ୟ ମୁଁ ଅନାଇ ପାରେନାହିଁ । ସେହିଠାରେ ହିଁ ମୁଁ ମୋର ଅଧିକାଂଶ କ୍ଲାସ୍ ନେଇଥିଲି ।

 

ମୋର ସ୍ତ୍ରୀ’ ସହିତ ଶେଷ କେତେ ମାସ ଏକତ୍ର ଅତିବାହିତ କରିବା ପାଇଁ ଶେଷରେ ମୁଁ ସନ୍ଥ ଥମାସ୍‍ର ଉପକଣ୍ଠରେ ଥିବା ମୋର ନିବାସଟିକୁ ମଧ୍ୟ ଛାଡ଼ି ଦେଇଥିଲି । ମୋର ସ୍ତ୍ରୀ ହେଲେନ୍‍ ବ୍ରେସ୍‍ଲାଉ ଷ୍ଟ୍ରାସ୍‍ବୁର୍ଗ୍‍ର ଖ୍ୟାତନାମା ଐତିହାସିକଙ୍କର କନ୍ୟା ଥିଲେ । ୧୯୧୨ ମସିହା ଜୁନ୍ ତା ୧୮ ରିଖରେ ତାଙ୍କ ସହିତ ମୋର ବିବାହ ହୋଇଯାଇଥିଲା । ବିବାହ ପୂର୍ବରୁ ମଧ୍ୟ ସେ ମୋର ପାଣ୍ଡୁଲିପି ଓ ପ୍ରୁଫ୍‍ଗୁଡ଼ିକ ସଂଶୋଧନ କରିବାରେ ମୋତେ ଅନେକ ସାହାଯ୍ୟ କରିଥିଲେ । ଆଫ୍ରିକା ଯିବା ପୂର୍ବରୁ ମୋତେ ଯେଉଁ ସବୁ ସାହିତ୍ୟିକ କାର୍ଯ୍ୟ ଶେଷ କରି ଯିବାକୁ ପଡ଼ିଥିଲା, ସେଥିରେ ମଧ୍ୟ ମୁଁ ତାଙ୍କ ଠାରୁ ଅନେକ ସାହାଯ୍ୟ ପାଇଥିଲି ।

 

୧୯୧୨ ମସିହା ବସନ୍ତଋତୁଟି ମୁଁ ପାରିସରେ ଗ୍ରୀଷ୍ମ ମଣ୍ଡଳୀୟ ଭେଷଜଶାସ୍ତ୍ର ଅଧ୍ୟୟନ କରିବାରେ ଅତିବାହିତ କରିଥିଲି । ତା’ପରେ ଆଫ୍ରିକାରେ ଦରକାର ହେବା ଜିନିଷପତ୍ରର କିଣାକିଣି ଆରମ୍ଭ ହୋଇଗଲା । ମୋର ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିବାର ପ୍ରଥମ କେତେ ବର୍ଷ ମୁଁ ମୋର ପାଠ୍ୟ ବିଷୟରେ ବୈଜ୍ଞାନିକ ଜ୍ଞାନ ଅର୍ଜନ କରିଥିଲି, ବର୍ତ୍ତମାନ ମୋତେ ସେସବୁ ଜ୍ଞାନକୁ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବାର ନିପୁଣତା ହାସଲ କରିବାକୁ ପଡ଼ିବ । ଏହା ମଧ୍ୟ ମୋ’ପାଇଁ ଏକ ଅତି ମୂଲ୍ୟବାନ ଅଭିଜ୍ଞତା ଥିଲା । ସେ ପର୍ଯ୍ୟନ୍ତ କେବଳ ବୌଦ୍ଧିକ କାର୍ଯ୍ୟରେ ଶକ୍ତି ନିବେଶ କରି ଆସିଥିଲି । କିନ୍ତୁ ବର୍ତ୍ତମାନ ମୋତେ ତାଲିକା ଦେଖି କ’ଣ କ’ଣ ଜିନିଷମାନ କିଣାହେବ ତାହାର ବରାଦ କରିବାକୁ ପଡ଼ିଲା, ଦିନପରେ ଦିନ ଦୋକାନକୁ ଯାଇ ଜିନିଷପାତି କିଣିବାକୁ ପଡ଼ିଲା, ଦୋକାନରେ ଠିଆହୋଇ ମୋର ଠିକ୍ କେଉଁ ଜିନିଷଗୁଡ଼ିକ ଦରକାର ସେଗୁଡ଼ିକ ବାଛି ବାହାର କରିବାକୁ ପଡ଼ିଲା । ହିସାବପତ୍ର ଓ ରସିଦମାନ ଠିକ୍ ଅଛି କି ନାହିଁ ଦେଖିବାକୁ ପଡ଼ିଲା, ଜିନିଷଗୁଡ଼ିକୁ ବାକ୍ସ ଭିତରେ ଭରିବାକୁ ପଡ଼ିଲା, ଯେଉଁସବୁ ଜିନିଷ ଉପରେ ବନ୍ଦରରେ ଶୁଳ୍କ ଦେବାକୁ ପଡ଼ିବ, ସେଗୁଡ଼ିକର ଗୋଟିଏ ସ୍ଵତନ୍ତ୍ର ତାଲିକା ମଧ୍ୟ କରିବାକୁ ପଡ଼ିଲା । ଏସବୁ ବ୍ୟତୀତ ଏହିଭଳି ଆହୁରି ନାନା କାମରେ ମୁଁ ବ୍ୟସ୍ତ ରହିଲି । ସମସ୍ତ ଆବଶ୍ୟକ ଯନ୍ତ୍ରପାତି, ଔଷଧ, ପଟି ଏବଂ ଗୋଟିଏ ଡାକ୍ତରଖାନା ଖୋଲିବା ପାଇଁ ସଂସାରରେ ଯେତେ ଯାହା ପଦାର୍ଥ ଆବଶ୍ୟକ, ସେସବୁ ଏକାଠି ଯୋଗାଡ଼ କରିବା ଲାଗି ମୋତେ କେତେ ଚିନ୍ତା କରିବାକୁ ଓ କେତେ ସମୟ ଦେବାକୁ ନ ପଡ଼ିଲା ! ତାହା ସଙ୍ଗେ ସଙ୍ଗେ ଆଫ୍ରିକାର ଆଦିମ ଅରଣ୍ୟ ଭିତରେ ସଂସାର କରିବା ଲାଗି ପ୍ରସ୍ତୁତ ହେବାରେ ମଧ୍ୟ ଆମ ଦୁହିଁଙ୍କୁ ନାନାପ୍ରକାରେ ନାନପ୍ରକାର କାର୍ଯ୍ୟ କରିବାକୁ ପଡ଼ିଲା । ପ୍ରଥମେ ପ୍ରଥମେ ଏସବୁ କାର୍ଯ୍ୟରେ ଏତେଦୂର ବ୍ୟସ୍ତ ରହିବା ମୋତେ ଠିକ୍ ଏକ ବୋଝପରି ମନେହେଲା । କିନ୍ତୁ ସାଂସାରିକ ବିଷୟଗୁଡ଼ିକର ଆବଶ୍ୟକତା ମେଣ୍ଟାଇବା ପାଇଁ ସଂଗ୍ରାମ କରିବାରେ ତଥାପି ଯେ ଏକ ଆତ୍ମସମର୍ପଣର ମନୋଦୃଷ୍ଟି ରଖିବାକୁ ହେବ, କ୍ରମେ ଏହି ବିଷୟରେ ମୋର ମତ ଦୃଢ଼ତର ହୋଇଯାଇଥିଲା । ଆଜି ତ ମୁଁ ଆହୁରି ପାଦେ ଆଗକୁ ଯାଇ କହିବି ଯେ ଆପଣା ଲାଗି ଯାହା ଜିନିଷ କିଣିବାକୁ ହେବ, ତାହାର ଗୋଟିଏ ସୁନ୍ଦର ଏବଂ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାରେ ମଧ୍ୟ ମୋତେ ଅନେକ କଳାତ୍ମକ ସନ୍ତୋଷ ମିଳିଥାଏ । କିନ୍ତୁ ଅନେକ ତାଲିକା, ଏପରିକି ଡାକ୍ତରୀ ଔଷଧ ତିଆରି କରୁଥିବା ସଂସ୍ଥାମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ତାଲିକା ଅନେକ ସମୟରେ ଏପରି ଅସ୍ପଷ୍ଟ ଓ ଅକୁଶଳ ଭାବରେ ତିଆରି ହୋଇଥାଏ ଯେ ତାକୁ ଦେଖିଲା ମାତ୍ରକେ ମୋତେ ବଡ଼ ବିରକ୍ତ ଲାଗେ । ମୁଁ ଭାବେ, ସଂପୃକ୍ତ ସଂସ୍ଥା ସତେ ଅବା ଆପଣାର କୁଲିର ଗୃହିଣୀ ହାତରେ ଏହି ତାଲିକା ପ୍ରସ୍ତୁତ କରାଇଚି !

 

ମୋର ଏହି ନୂତନ ଉଦ୍ୟମ ପାଇଁ ଅର୍ଥ ସଂଗ୍ରହ କରିବାଲାଗି ମୋତେ ପରିଚିତ ବନ୍ଧୁମାନଙ୍କର ଦ୍ଵାରସ୍ଥ ସାହାଯ୍ୟ ମାଗିବାକୁ ପଡ଼ିଥିଲା । ମୁଁ ଆଫ୍ରିକା ଯାଇ ପ୍ରକୃତରେ କ’ଣ କରିବି, ମୋର କାର୍ଯ୍ୟରେ ମୁଁ କେତେଦୂର ସଫଳ ବା ବିଫଳ ହେବି, ସେ ବିଷୟରେ କାହାକୁ କିଛି ସ୍ପଷ୍ଟ କରି ଦେଖାଇଦେବା ସେତେବେଳେ ମୋ’ ପକ୍ଷରେ ସମ୍ଭବ ନଥିଲା । କାମର ଏକ ଯୋଜନା ଓ ଇଚ୍ଛା କେବଳ ମୋର ମନ ଭିତରେ ରହିଥିଲା । ତେଣୁ ଏହିପରି ପରିସ୍ଥିତିରେ ଉକ୍ତ କାର୍ଯ୍ୟପାଇଁ ସମର୍ଥନ ପାଇବା ଓ ଅର୍ଥ ସଂଗ୍ରହ କରିବାର ଅସୁବିଧାମନ ମୁଁ ବେଶ୍ ହୃଦୟଙ୍ଗମ କରି ପାରୁଥିଲି । ମୁଁ ଏହି ଦୁଃସାହସିକ ଉଦ୍ୟମଟି ଆରମ୍ଭ କରିବାକୁ ଯାଉଚି, ତେଣୁ ସେମାନେ ମୋର ଉଦ୍ୟମରେ ଅବଶ୍ୟ ସାହାଯ୍ୟ କରିବେ, ଏହିପରି କହି ମୋର ବନ୍ଧୁ ଓ ପରିଚିତବର୍ଗ ଅନେକ ପରିମାଣରେ ମୋର ମନର ଉଦବେଗକୁ ଦୂର କରିପାରିଥିଲେ । ତଥାପି ମୋର ଅଙ୍ଗେ ନିଭାଇଥିବା କଥାକୁ ମୁଁ ଅବଶ୍ୟ ସ୍ଵୀକାର କରିବି ଯେ କାହାର ଦ୍ଵାରସ୍ଥ ହେଲାବେଳେ ଅଧିକାଂଶ ବ୍ୟକ୍ତି ଏକ ଅନ୍ୟପ୍ରକାର ମିଜାଜ ଓ ସ୍ଵରରେ ମୋ’ ସହିତ କଥାବାର୍ତ୍ତା କରୁଥିଲେ । କାରଣ ମୁଁ ତ ଅତିଥି ହିସାବରେ ସେମାନଙ୍କ ପାଖକୁ ଯାଇନଥିଲି, ଭିକ୍ଷୁକ ହିସାବରେ ଯାଇଥିଲି । ତଥାପି ଏହି ଭିକ୍ଷାସଂଗ୍ରହ କରିବାବେଳେ ସମସ୍ତଙ୍କଠାରୁ ମୁଁ ଯେଉଁ ଦୟା ଓ ସହାନୁଭୂତି ଲାଭ କରିଥିଲି, ତାହା ତୁଳନାରେ ମୁଁ ସହ୍ୟ କରିଥିବା ଅପମାନ ଶହେଭାଗରୁ ଏକଭାଗ ମଧ୍ୟ ହେବ ନାହିଁ ।

 

ଷ୍ଟ୍ରାସ୍‍ବୁର୍ଗ୍‍ର ବିଶ୍ୱବିଦ୍ୟାଳୟର ଜର୍ମାନ୍ ପ୍ରଫେସର୍‍ମାନେ ଏକ ଫରାସୀ ଉପନିବେଶରେ କୌଣସି ଏକ ଉଦ୍ୟମକୁ ସାହାଯ୍ୟ କରିବାଲାଗି ଯେଉଁ ଉଦାରତା ଦେଖାଇଲେ, ତାହା ମୋତେ ପ୍ରକୃତରେ ଅତ୍ୟନ୍ତ ଗଭୀର ଭାବରେ ପ୍ରଭାବିତ କରିଥିଲା । ମୁଁ ସଂଗ୍ରହ କରିଥିବା ପାଣ୍ଠିର ଅଧିକାଂଶ ଭାଗ ସନ୍ଥ ନିକୋଲାଇର ଗିର୍ଜାଞ୍ଚଳରୁ ଆଦାୟ ହୋଇଥିଲା, ଏହି ଗିର୍ଜାଞ୍ଚଳରେ ମୁଁ ପାଦ୍ରୀ ଭାବରେ ଅନେକ ଦିନ କାର୍ଯ୍ୟ କରିଥିଳି । ଏଲ୍‍ସାଶ୍ ଅଞ୍ଚଳରୁ ମଧ୍ୟ ମୋତେ ବେଶ୍ ସାହାଯ୍ୟ ମିଳିଥିଲା; ଯେଉଁମାନେ ମୋ’ ସହିତ ଏକାଠି ପଢ଼ୁଥିଲେ ବା ମୋର ଛାତ୍ର ଥିଲେ, ବିଶେଷତଃ ଏଲ୍‍ସାଶ୍‍ରୁ ସେହିମାନେ ହିଁ ସାହାଯ୍ୟ ପଠାଇଥିଲେ । ପାରିସ୍ ବାଖ୍ ସୋସାଇଟି ତରଫରୁ ମୋର ଏହି ଉଦ୍ୟମକୁ ସାହାଯ୍ୟ କରିବା ଲାଗି ସଙ୍ଗୀତାନୁଷ୍ଠାନମାନ ଆୟୋଜିତ ହୋଇଥିଲା ଏବଂ ତାହା ଫଳରେ ମଧ୍ୟ ଅଜସ୍ର ଅର୍ଥ ମିଳିଗଲା । ଲା ହାଭରେ ବକ୍ତୃତା ଓ ସଙ୍ଗୀତାନୁଷ୍ଠାନ କରାଇବା ଦ୍ଵାରା ମୁଁ ଅନେକ ସାହାଯ୍ୟ ପାଇଲି ।

 

ତେଣୁ ଆପାତତଃ ଆର୍ଥିକ ଦୃଷ୍ଟିରୁ ମୋର ଆଉ କୌଣସି ଅଭାବ ରହିଲା ନାହିଁ । ଜଳଯାତ୍ରା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କ୍ରୟ କରିବା ଏବଂ ଆଫ୍ରିକାକୁ ଯାଇ ବର୍ଷେ ପର୍ଯ୍ୟନ୍ତ ଡାକ୍ତରଖାନା ଚଳାଇବା ପାଇଁ ଯେତେ ଅର୍ଥ ଦରକାର, ବର୍ତ୍ତମାନ ତାହା ମୋ’ ହାତକୁ ଆସି ଯାଇଥିଲା । ତାହା ଛଡ଼ା ଏତିକି ପାଣ୍ଠି କାମରେ ଲାଗିସାରିବା ପରେ ଆହୁରି ସାହାଯ୍ୟ ପଠାଇବା ଲାଗି ମୋର ବିଭବଶାଳୀ ବନ୍ଧୁମାନେ ମୋତେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

 

ଆର୍ଥିକ ଓ କାର୍ଯ୍ୟ ସମନ୍ଧୀୟ ଅନ୍ୟୂନ୍ୟ ସମସ୍ତ ପ୍ରକାର ବିଷୟର ତତ୍ତ୍ଵାବଧାନ କରିବାରେ ଶ୍ରୀମତୀ ଆନୀ ଫିଶର୍ ମୋତେ ଅନେକ ସାହାଯ୍ୟ କରିଥିଲେ । ତାଙ୍କର ସ୍ଵାମୀ ଏକଦା ଷ୍ଟ୍ରାସ୍‍ବୁର୍ଗ୍‍ର ବିଶ୍ୱବିଦ୍ୟାଳୟ ଶଲ୍ୟବିଜ୍ଞାନର ଅଧ୍ୟାପକ ଥିଲେ ଓ ଅଳ୍ପ ବୟସରେ ପ୍ରାଣତ୍ୟାଗ କରିଥିଲେ । ପରେ, ମୁଁ ଆଫ୍ରିକାରେ ଥିଲାବେଳେ, ଶ୍ରୀମତୀ ଫିଶର୍ ଇଉରୋପରେ ମୋର ସମସ୍ତ କାର୍ଯ୍ୟର ଦାୟିତ୍ଵ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ତାଙ୍କର ପୁତ୍ର ଗ୍ରୀଷ୍ମମଣ୍ଡଳୀୟ ଦେଶକୁ ଡାକ୍ତର ହୋଇ ଯାଇଥିଲେ ।

 

ଗୋଟିଏ ଛୋଟ ଡାକ୍ତରଖାନା ପ୍ରତିଷ୍ଠା କରି ତାକୁ ଚଳାଇବା ପାଇଁ ମୁଁ ଯଥେଷ୍ଟ ପାଣ୍ଠି ପାଇବି ବୋଲି ଯେତେବେଳେ ମୋର ଆଉ କୌଣସି ସନ୍ଦେହ ରହିଲା ନାହିଁ, ସେତେବେଳେ ମୁଁ ପାରିସ୍ ମିସନାରୀ ସୋସାଇଟିକୁ ନିର୍ଦ୍ଦିଷ୍ଟ ଭାବରେ ଜଣାଇ ଦେଲି ଯେ ମୁଁ ଆପଣା ଖର୍ଚ୍ଚରେ ମିସନ୍‍ର ସେବାଞ୍ଚଳରେ ଥିବା ଓଗୋଉଏ ନଦୀକୂଳରେ ଅବସ୍ଥିତ ଲାମ୍ବାରେନେକୁ ଯାଇ ସେଠାରେ ମୋର ସେବାକ୍ଷେତ୍ର ଆରମ୍ଭ କରିଦେବାକୁ ଇଚ୍ଛା କରୁଚି ।

 

ଶ୍ରୀଯୁକ୍ତ ବୋଏଗ୍‍ର୍‍ନଙ୍କ ପରେ ଶ୍ରୀଯୁକ୍ତ ବୟାଙ୍କି ମିସନ୍‍ର ପରିଚାଳକ ହୋଇ ଆସିଲେ-। ଧର୍ମ ବିଷୟରେ ଭାଷଣଦେବା ଅପେକ୍ଷା ଧର୍ମ ପାଇଁ କାର୍ଯ୍ୟ କରିବା ଉପରେ ସେ ଅଧିକ ଗୁରୁତ୍ଵ ଦେଉଥିଲେ ଏବଂ ସେଥିଲାଗି ଅନେକ ବ୍ୟକ୍ତିଙ୍କୁ ସେ ଆପଣାର ବନ୍ଧୁ ଭାବରେ ପାଇଥିଲେ-। ଆପଣାର ସମସ୍ତ କର୍ତ୍ତୁତ୍ଵ ଖଟାଇ ସେ ଘୋଷଣା କଲେ ଯେ ଅନେକ ଦିନରୁ ସେମାନେ ମିସନ୍‍ଲାଗି ଜଣେ ଡାକ୍ତରର ଅଭାବ ଭାରି ଅନୁଭବ କରୁଥିଲେ ଏବଂ ବର୍ତ୍ତମାନ ଯେତେବେଳେ ଜଣେ ଡାକ୍ତର ନିଜ ଇଚ୍ଛାରେ ଓ ନିଜ ଖରଚରେ ଶେହୀ କାର୍ଯ୍ୟଭାର ଗ୍ରହଣ କରିବାକୁ ବାହାରୁଚନ୍ତି, ମିସନ୍‍ ପକ୍ଷରେ ଏପରି ଏକ ସୁଯୋଗ ହରାଇବା କଦାପି ଉଚିତ ହେବନାହିଁ-। କିନ୍ତୁ ରକ୍ଷଣଶୀଳ ସଭ୍ୟମାନେ ଏଥିରେ ଭାରି ଆପତ୍ତି ଉଠାଇଲେ । ଶେଷରେ ସ୍ଥିର ହେଲା ଯେ ମୁଁ କମିଟି ଆଗରେ ନିଜେ ଉପସ୍ଥିତ ହୋଇ ମୋର ଧର୍ମବିଶ୍ଵାସର ଏକ ପରୀକ୍ଷା ଦେବି-। ଏଥିରେ ମୁଁ କୌଣସି ପ୍ରକାରେ ସମ୍ମତ ହୋଇପାରିଲି ନାହିଁ ଏବଂ ଏହି କାରଣ ଦର୍ଶାଇ କହିଲି ଯେ ଯେତେବେଳେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଆହ୍ଵାନ କରି ଆଣିଥିଲେ, କେବଳ ତାଙ୍କରି ଅନୁସରଣ କରିବା ବ୍ୟତୀତ ଶିଷ୍ୟମାନଙ୍କ ଉପରେ ସେ କୌଣସି ସର୍ତ୍ତ ରଖି ନଥିଲେ । କମିଟି ପାଖକୁ ଗୋଟିଏ ବାର୍ତ୍ତା ମଧ୍ୟ ମୁଁ ପଠାଇଥିଲି-। ସେଥିରେ ମୁଁ ଲେଖିଥିଲି ଯେ, ଯିଏ ଆମର ବିପକ୍ଷରେ ନାହିଁ, ସେ ଆମ ପକ୍ଷରେ ହିଁ ରହିଚି, ଯୀଶୁଙ୍କର ଏହି ଉକ୍ତିକୁ ଯଦି ଆମେ ମାନିବା, ତେବେ ଗିର୍ଜା ଅଞ୍ଚଳର ଆଦିମ ଅଧିବାସୀମାନଙ୍କର ସେବା କରିବା ଲାଗି ସ୍ଵତଃପ୍ରବୃତ୍ତ ହୋଇ ବାହାରିଥିବା ଜଣେ ମୁସଲମାନକୁ ମଧ୍ୟ ସେବା କରିବାର ଅନୁମତି ନଦେଲେ ମିସନାରୀ ସୋସାଇଟି ଭାରି ଭୁଲ୍‍ କରିବସିବ । ଏହାର ଅଳ୍ପଦିନ ପୂର୍ବରୁ ମିସନ୍‍ ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ପାଦ୍ରୀ ହୋଇ ଯିବାକୁ ମନାକରି ଦେଇଥିଲା, କାରଣ ଚତୁର୍ଥ ଧର୍ମସନ୍ଦେଶ ଯେ ଧର୍ମଦୂତ ଜନ୍‍ଙ୍କ ଦ୍ଵାରା ଲିଖିତ ହୋଇଥିଲା, ଆପଣାର ବୈଜ୍ଞାନିକ ବିଶ୍ଵାସଦ୍ଵାରା ପରିଚାଳିତ ହୋଇ ସେ ଏଥିରେ ବିନାସର୍ତ୍ତରେ ହିଁ ଭରି ପାରି ନଥିଲା ।

 

କାଳେ ମୋ’ର ମଧ୍ୟ ଏହି ଦଶା ହେବ, ସେହି ଆଶଙ୍କାରେ ମୁଁ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ ନାସ୍ତି କରି ଦେଇଥିଲି । ସେମାନେ ମୋତେ ଥିଓଲିଜି ସମ୍ବନ୍ଧୀୟ ପ୍ରଶ୍ନ ପଚାରନ୍ତୁ, ସେମାନଙ୍କୁ ଏହାର ସୁଯୋଗ ଦେବା ମୋର ଆଦୌ ଇଚ୍ଛା ନଥିଲା । କିନ୍ତୁ ବ୍ୟକ୍ତିଗତ ଭାବରେ କମିଟିର ପ୍ରତ୍ୟେକ ସଭ୍ୟଙ୍କ ପାଖକୁ ଯିବାକୁ ମୁଁ ଆପଣାର ସମ୍ମତି ଜଣାଇଥିଲି । ତଦ୍ଦ୍ଵାରା ସେମାନେ ମୋ’ ସହିତ ଇଚ୍ଛାନୁରୂପ କଥୋପକଥନ କରିପାରିବେ ଏବଂ ମୋତେ ଆଫ୍ରିକାଲାଗି ଡାକ୍ତର ହିସାବରେ ଗ୍ରହଣ କରାଗଲେ ନିଗ୍ରୋମାନଙ୍କର ଆତ୍ମାକୁ କୌଣସି ବିପତ୍ତି ଘଟିବାର ବା ସୋସାଇଟିର ସୁନାମରେ କଳଙ୍କ ଲାଗିବାର କୌଣସି ଆଶଙ୍କା ରହିଚି କି ନାହିଁ, ସେକଥା ସେମାନେ ପରିଷ୍କାର ଭାବରେ ବିଚାର କରିପାରିବେ । ସୋସାଇଟିର ସଭ୍ୟମାନେ ମୋର ପ୍ରସ୍ତାବଟି ଗ୍ରହଣ କଲେ ଏବଂ ଏଥିଲାଗି କେତେଦିନ ବ୍ୟାପୀ ଅପରାହ୍ନ ସମୟ ଦେବାକୁ ପଡ଼ିଲା-। କେତେକ ସଭ୍ୟ ମୋତେ ଭାରି ଉଦାସ ଓ ସହାନୁଭୂତିହୀନ ବ୍ୟବହାର ଦେଖାଇଥିଲେ । ଅଧିକାଂଶ ସଭ୍ୟ ମୋତେ ନିର୍ଭର ଦେଇ କହିଲେ ଯେ ଥିଓଲିଜି ବିଷୟରେ ମୋର ମତାମତ ଦୃଷ୍ଟିରୁ ପ୍ରଧାନତଃ ଦୁଇଟି କାରଣ ସକାଶେ ସେମାନଙ୍କର ମନରେ କୁଣ୍ଠା ରହିଯାଉଚି : ମୋର ଜ୍ଞାନଦ୍ଵାରା ହୁଏତ ମୁଁ ସେହି ଅଞ୍ଚଳରେ ଥିବା ମିସନାରୀମାନଙ୍କ ମନରେ ଧର୍ମ ବିଷୟରେ ନାନାପ୍ରକାର ସଂଶୟ ପୂରାଇଦେବାକୁ ପ୍ରଲୁବ୍ଧ ହେବି, ଦ୍ଵିତୀୟତଃ ସେଠାକୁ ଯିବାପରେ ହୁଏତ ମୁଁ ପୁଣି ପାଦ୍ରୀ ହୋଇ ଧର୍ମପ୍ରଚାର କରିବାକୁ ମନ ବଳାଇବି । କିନ୍ତୁ ମୁଁ ସେଠାକୁ କେବଳ ଡାକ୍ତର ହୋଇ ଯିବାକୁ ଚାହୁଁଚି ଏବଂ ଅନ୍ୟ ସମସ୍ତ ପ୍ରସଙ୍ଗ ସେଠାରେ ମୁଁ ସର୍ବଦା ମୀନ ପରି ମଉନ ରହିବି, (d’etre muet commeune carpe), ଏ ବିଷୟରେ ନିଶ୍ଚିତ ପ୍ରତିଶ୍ରୁତି ଦେବାପରେ ସେମାନଙ୍କର ଆଶଙ୍କା ନିରାକୃତ ହୋଇଯାଇଥିଲା ଏବଂ ଏହି ସାକ୍ଷାତ ଫଳରେ କମିଟିର କେତେକ ସଭ୍ୟଙ୍କ ସହିତ ମୋର ବେଶ୍ ଏକ ବନ୍ଧୁତାର ସୂତ୍ର ସ୍ଥାପିତ ହୋଇଯାଇଥିଲା ।

 

ମିସନାରୀ ଓ ସେମାନଙ୍କଠାରୁ ଧର୍ମଦୀକ୍ଷା ଗ୍ରହଣ କରିଥିବା ଆଦିବାସୀମାନଙ୍କ ମନଉପରେ ମୁଁ ଧର୍ମ ବିଷୟରେ କୌଣସି ଉପଦ୍ରବ ସୃଷ୍ଟି କରିବିନାହିଁ ଓ ତତ୍‍ସମ୍ବନ୍ଧୀୟ ସମସ୍ତ ପ୍ରକାର କାର୍ଯ୍ୟକଳାପରୁ ଦୂରରେ ରହିବି, ମୋ’ଠାରୁ ଏହି ଜବାବ ପାଇ ସାରିବା ପରେ ସମସ୍ତଙ୍କର ମନ ବୁଝିଗଲା ଓ ମୋର ପ୍ରସ୍ତାବଟି ମଞ୍ଜୁର ହୋଇଗଲା । ଅବଶ୍ୟ ଏହାର ଫଳସ୍ଵରୂପ ଜଣେ ସଭ୍ୟ କମିଟିରୁ ଇସ୍ତଫା ଦେଇ ଚାଲି ଯାଇଥିଲେ ।

 

ତଥାପି ଆଉ ଗୋଟିଏ କାମ ଏପର୍ଯ୍ୟନ୍ତ ବାକି ରହିଥିଲା । ମୋ’ ପାଖରେ କେବଳ ଜର୍ମାନ୍ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଥିଲା, ତେଣୁ ଆଇନତଃ ଗାକୁନରେ ଯାଇ ଡାକ୍ତର ହିସାବରେ ଆପଣାର ଜୀବନ ଆରମ୍ଭ କରିବା ଲାଗି ଫରାସୀ ଔପନିବେଶିକ ବିଭାଗର ଅନୁମତି ଆଣିବା ଅତ୍ୟାବଶ୍ୟକ ହୋଇ ପଡ଼ିଲା । ମୋର କେତେକ ପ୍ରଭାବସମ୍ପନ୍ନ ପରିଚିତମାନଙ୍କର ସାହାଯ୍ୟରେ ଏହି ବାଧାଟିକୁ ମଧ୍ୟ ମୁଁ ଅତିକ୍ରମ କରିଗଲି । ଏତେବେଳେକେ ଯାଇ ମୋର ପଥ ପରିଷ୍କାର ହେଲା-!

 

୧୯୧୩ ମସିହା ଫେବୃଆରୀ ମାସରେ ସତୁରିଟି ଢାବଲକୁ କଣ୍ଟା ଦେଇ ବନ୍ଦ କରାଗଲା ଏବଂ ଆଗରୁ ମାଲଗାଡ଼ି ଦ୍ଵାରା ବୋର୍ଦୋ ବନ୍ଦରକୁ ପଠାଇ ଦିଆଗଲା । ତା’ପରେ ଆମର ବ୍ୟକ୍ତିଗତ ଆସବାବପାତ୍ର ବନ୍ଧାବନ୍ଧି କରୁଥିବାବେଳେ ମୋର ପତ୍ନୀ ଆସି ଆପତ୍ତି ଜଣାଇଲେ ଯେ ଦୁଇ ହଜାର ମାର୍କ୍‍ର ସ୍ଵର୍ଣ୍ଣମୁଦ୍ରା ନନେଇ କାଗଜ ନୋଟ୍‍ ନେବା ଅଧିକ ସୁବିଧାଜନକ ହେବ । ମୁଁ ଉତ୍ତର ଦେଲି ଯେ ହୁଏତ ଯୁଦ୍ଧ ଲାଗିବାର ସମ୍ଭାବନା ବିଷୟରେ ମଧ୍ୟ ଆମକୁ ଖିଆଲ ରଖିବାକୁ ପଡ଼ିବ ଏବଂ ଯଦି ପ୍ରକୃତରେ ଯୁଦ୍ଧ ଆରମ୍ଭ ହୋଇଯାଏ, ପୃଥିବୀର ଯେ କୌଣସି ଦେଶରେ ମଧ୍ୟ ସୁନାର ମୂଲ୍ୟ ଅକ୍ଷୁଣ୍ଣ ରହିବ, କିନ୍ତୁ କାଗଜ ନୋଟ୍‍ର ଭାଗ୍ୟ ଯେ କ’ଣ ହେବ, ତାହା ନିଶ୍ଚିତ କରି କହିହେବ ନାହିଁ ଏବଂ ହୁଏତ ବ୍ୟାଙ୍କ ଜମା ଉପରେ ମଧ୍ୟ ନିଷେଧାଜ୍ଞା ଜାରି ହୋଇଯିବାର ଆଶଙ୍କା ସବୁବେଳେ ରହିଥିବ ।

 

ଅଚିରେ ଯୁଦ୍ଧ ଲାଗିବାର ଆଶଙ୍କା ରହିଚି ବୋଲି ମୁଁ ପ୍ରକୃତରେ ଆଶଙ୍କା କରୁଥିଲି । କାରଣ ପାରିସରେ ମୋର କେତେକ ପରିଚିତ ବନ୍ଧୁଥିଲେ, ଯେଉଁମାନଙ୍କ ଘରକୁ କି ଅନେକ ସମୟରେ ରୁଷ ଦୂତାବାସର ଲୋକେ ବୁଲାବୁଲି କରିବାକୁ ଆସୁଥିଲେ । ସେହିମାନଙ୍କଠାରୁ ମୁଁ ଜାଣିବାକୁ ପାଇଥିଲି ଯେ ରୁଷିଆ ପୋଲାଣ୍ଡରେ ତା’ର ସାମରିକ ଗୁରୁତ୍ଵପୂର୍ଣ୍ଣ ରେଳପଥଗୁଡ଼ିକ ନିର୍ମାଣ କରି ସାରିବା ପରେ ହିଁ ଯୁଦ୍ଧ ଘୋଷିତ ହେବା ଅବଶ୍ୟମ୍ଭାବୀ ହୋଇପଡ଼ିବ ।

 

ମୁଁ ଅତି ଦୃଢ଼ଭାବରେ ବିଶ୍ଵାସ କରୁଥିଲି ଯେ ଫ୍ରାନ୍ସ ବା ଜର୍ମାନୀ କେଉଁଠି ହେଲେ ଲୋକମାନେ ଯୁଦ୍ଧ ଚାହାଁନ୍ତି ନାହିଁ । ଏହି ଦୁଇଟି ଦେଶରେ ବିଧାନସଭାର ନେତାମାନେ ପରସ୍ପରର ଅଧିକ ନିକଟ ପରିଚୟରେ ଆସିବାକୁ ଓ ପରସ୍ପର ପାଖରେ ଆପଣାର ବିଚାର ପ୍ରକଟ କରିବାକୁ ଅବସର ପାଇବା ଲାଗି ସର୍ବଦା ଆକାଙ୍‍କ୍ଷିତ ହୋଇ ରହିଥିଲେ । ଜର୍ମାନୀ ଓ ଫ୍ରାନ୍ସ ଭିତରେ ସୌହାର୍ଦ ସମ୍ଭବ କରିବାକୁ ବର୍ଷ ବର୍ଷ ଧରି ଉଦ୍ୟମ କରି ଆସିଥିବା ଜଣେ ବ୍ୟକ୍ତି ହିସାବରେ ମୁଁ ଭଲକରି ଜାଣିଥିଲି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠିତ କରି ରଖିବାକୁ ଅନେକ ଚେଷ୍ଟା କରାଯାଉଥିଲା । ଏବଂ ଏହି ଚେଷ୍ଟା ସଫଳ ହେବ ବୋଲି ମୋର ମନରେ ଅନେକ ଆଶା ମଧ୍ୟ ରହିଥିଲା । କିନ୍ତୁ ଅନ୍ୟ ପକ୍ଷରୁ ଦେଖିଲେ କେବଳ ଫ୍ରାନ୍ସ ଓ ଜର୍ମାନୀ ଏହି ଦୁଇ ଦେଶର ପାରସ୍ପରିକ ସମ୍ବନ୍ଧ ଉପରେ ଯେ ଇଉରୋପର ଭାଗ୍ୟ ନିର୍ଭର କରୁଥିଲା, ଏପରି ଭ୍ରମ ଧାରଣା ମୁଁ ମୋର ମନଭିତରେ କଦାପି ପୋଷଣ କରିନଥିଲି ।

 

ଜର୍ମାନୀ ତଥା ଫ୍ରାନ୍ସ ସରକାର ସ୍ଵର୍ଣ୍ଣମୁଦ୍ରାଗୁଡ଼ିକୁ କ୍ରମେ ଅପସାରିତ କରିନେଇ ତାହା ସ୍ଥାନରେ କାଗଜନୋଟ୍‍ର ପ୍ରଚଳନ କରିବାକୁ ସେତେବେଳେ ଯେଉଁ ଚେଷ୍ଟା କରୁଥିଲେ, ତାହା ମୋତେ ଏକ ବଡ଼ ଅଶୁଭ ସୂଚନା ବୋଲି ମନେ ହେଲା । ୧୯୧୧ ମସିହା ପରଠାରୁ ଉଭୟ ଦେଶର ସରକାରୀ କର୍ମଚାରୀମାନେ ବେତନ ପାଇଲାବେଳେ ସେମାନଙ୍କୁ କ୍ଵଚିତ୍ ସ୍ଵର୍ଣ୍ଣମୁଦ୍ରା ଦିଆ ଯାଉଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ଜର୍ମାନ୍ କର୍ମଚାରୀମାନେ ଆପଣାର ଇଚ୍ଛାନୁସାରେ ସ୍ଵର୍ଣ୍ଣମୁଦ୍ରା ବା କାଗଜନୋଟ୍ ଆକାରରେ ବେତନ ଗ୍ରହଣ କରିବାର ସ୍ଵାଧୀନତା ପାଇ ଆସିଥିଲେ ।

☆☆☆

 

ଡାକ୍ତରୀ ପଢ଼ା ସମୟରେ ସାହିତ୍ୟ ଚର୍ଚ୍ଚା

 

ଡାକ୍ତରୀପାଠର ଶେଷ ଦୁଇବର୍ଷ ଏବଂ ଡାକ୍ତରଖାନାର ଗୃହଚିକିତ୍ସକ ହିସାବରେ ବର୍ଷେ କାର୍ଯ୍ୟ କରୁଥିବା ସମୟରେ, ରାତିରେ ମୋର ଶୋଇବା ସମୟରୁ କାଟି ମୁଁ ସନ୍ଥ ପଲ୍‍ଙ୍କର ବିଚାର ବିଷୟରେ ଆଗରୁ କରାଯାଇଥିବା ବୈଜ୍ଞାନିକ ଗବେଷଣାର ଇତିହାସ ସମ୍ବନ୍ଧରେ କିଞ୍ଚିତ୍ ଅଧ୍ୟୟନ କରିବାକୁ ସମୟ ପାଇଥିଲି । ‘ଯୀଶୁଚରିତର ଗବେଷଣାମୂଳକ ଇତିହାସକୁ’ ମଧ୍ୟ ମୁଁ ଏହି ସମୟରେ ସଂଶୋଧିତ ଓ ପରିବର୍ଦ୍ଧିତ କରି ପୁସ୍ତକଟିର ଦ୍ଵିତୀୟ ସଂସ୍କରଣ ପ୍ରସ୍ତୁତ କରିଥିଲି । ତାହା ଛଡ଼ା ଭିଡୋରଙ୍କ ସହିତ ଏକତ୍ର କାମକରି ବାଖ୍‍ଙ୍କର ସଙ୍ଗୀତ ରଚନାଗୁଡ଼ିକର ନିର୍ଦ୍ଦେଶ ସମ୍ବଳିତ ସମ୍ପାଦନା ମଧ୍ୟ ଏହି ସମୟ ଭିତରେ କରିବାର ସମୟ ପାଇଥିଲି ।

 

‘ଯୀଶୁ ଜୀବନଚରିତର ଗବେଷଣାମୂଳକ ଇତିହାସ’ର ସମସ୍ତ କାର୍ଯ୍ୟ ସମାପ୍ତ କରିବା ସଙ୍ଗେ ସଙ୍ଗେ ମୁଁ ସନ୍ଥ ପଲ୍‍ଙ୍କର ଉପଦେଶାବଳୀ ଅଧ୍ୟୟନ କରିବା ଆରମ୍ଭ କରିଦେଇଥିଲି । ଏହି ସମ୍ବନ୍ଧରେ ଥିଓଲିଜି ବିଭାଗର ପଣ୍ଡିତମାନେ ଯେଉଁସବୁ ବୈଜ୍ଞାନିକ ଆଲୋଚନା କରିଥିଲେ, ସେଗୁଡ଼ିକ ଆଦୌ ମୋର ସନ୍ତୋଷଭାଜନ କରିପାରି ନଥିଲା । ସେମାନେ ସମସ୍ତେ ସନ୍ଥ ପଲ୍‍ଙ୍କର ଉପଦେଶାବଳୀକୁ ବଡ଼ ଜଟିଳ ଓ ବିରୋଧାଭାସସଙ୍କୁଳ ବୋଲି ବର୍ଣ୍ଣନା କରିଥିଲେ । ଏଥିରେ ପ୍ରକାଶିତ ହୋଇଥିବା ମୌଳିକ ଓ ମହତ୍ତ୍ଵପୂର୍ଣ୍ଣ ବିଚାରଧାରା ସହିତ ଏହାର କୌଣସି ସଙ୍ଗତି କଦାପି ସମ୍ଭବ ହୋଇ ନପାରେ ବୋଲି ସେମାନେ ଘୋଷଣା କରିଥିଲେ । ସଂସାରର ପ୍ରଳୟ ଏବଂ ଭଗବତ୍ ସାମ୍ରାଜ୍ୟର ଅତିପ୍ରାକୃତିକ ଅବତରଣ ଦ୍ଵାରା ଯୀଶୁଙ୍କର ଧର୍ମପ୍ରଚାର ନିୟନ୍ତ୍ରିତ ହୋଇଚି ବୋଲି ମୋର ଦୃଢ଼ ବିଶ୍ଵାସ ହୋଇଯିବା ପରେ ସନ୍ଥ ପଲ୍‍ଙ୍କ ସମ୍ବନ୍ଧରେ ପୋଷଣ କରାଯାଉଥିବା ମତ ବିଷୟରେ ମୋର ଅତ୍ୟନ୍ତ ସଂଶୟ ଜାତ ହୋଇଥିଲା । ତେଣୁ ସନ୍ଥ ପଲ୍‍ଙ୍କର ବିଚାରଭୂମି ମଧ୍ୟ ଏକ ପରିଣାମବାଦୀ ଦର୍ଶନ ଉପରେ ପ୍ରତିଷ୍ଠିତ ଥିଲା ବୋଲି କେତେଦୂର କୁହାଯାଇ ପାରିବ, ବର୍ତ୍ତମାନ ମୁଁ ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିଲି । ତାଙ୍କ ବିଷୟରେ ଚର୍ଚ୍ଚା କଲାବେଳେ ଆଗରୁ କେହି ଏହି ପ୍ରଶ୍ନର ଉତ୍‍ଥାପନ ହିଁ କରିନଥିଲେ ।

 

ଏହି ବିଷୟଟିକୁ ପରୀକ୍ଷା କରି ଦେଖୁ ଦେଖୁ ମୁଁ ଅତି ଆଶ୍ଚର୍ଯ୍ୟଜନକ ସତ୍ଵରତା ସହିତ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲି । ‘ଶେଷ ଭୋଜନ’ ଓ ଯୀଶୁ ଜୀବନ ସମ୍ବନ୍ଧରେ ଅଧ୍ୟୟନ କଲାବେଳେ ମୋର ଯାହା ଅନୁଭୂତି ହୋଇଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ତାହାହିଁ ହେଲା । ମୁଁ ନିଜେ ଆବିଷ୍କାର କରିଥିବା ସିଦ୍ଧାନ୍ତଟିକୁ କେବଳ ବାଢ଼ି ନଦେଇ ମୁଁ ସମସ୍ୟାଟିର ଏକ ସମ୍ପୂର୍ଣ୍ଣ ଇତିହାସ ଲେଖିବାକୁ ପ୍ରବୃତ୍ତ ହୋଇଥିଲି । ଥର ଥର କରି ଯେ ତିନିଥର ମୁଁ ଏପରି ଏକ ଅଧ୍ୟୟନ-ମାର୍ଗ ଗ୍ରହଣ କରିଥିଲି, ସେଥିଲାଗି ବୋଧହୁଏ ଆରିଷ୍ଟଟ୍‍ଲଙ୍କୁ ଦୋଷ ଦେବାକୁ ପଡ଼ିବ । ଯେଉଁ ଅଶୁଭ ମୁହୂର୍ତ୍ତରେ ମୁଁ ତାଙ୍କର ରଚିତ ‘ମେଟାଫିଜିକ୍‍ସ୍’ (ତତ୍ତ୍ଵଶାସ୍ତ୍ର) ଗ୍ରନ୍ଥଟି ପଢ଼ିଥିଲି, ସେହି ମୁହୂର୍ତ୍ତଟିକୁ ପରେ ମୁଁ ମନେମନେ କେତେ ଅଭିଶାପ ନ ଦେଇଛି ! ସେହି ଗ୍ରନ୍ଥରେ ପୂର୍ବବର୍ତ୍ତୀ ଦାର୍ଶନିକମାନଙ୍କର ବିଚାରଗୁଡ଼ିକର ସମାଲୋଚନା କରି ସେ ଆପଣାର ଦାର୍ଶନିକ ବିଚାରର ଏକ ସ୍ଵତନ୍ତ୍ର ଧାରା ପ୍ରସ୍ତୁତ କରିବାକୁ ଚେଷ୍ଟା କରିଚନ୍ତି । ସେହି ଗ୍ରନ୍ଥଟି ଅଧ୍ୟୟନ କରିସାରିବା ପରେ ସତେ ଅବା ମୋ’ ଭିତରେ ସୁପ୍ତ ହୋଇ ରହିଥିବା କ’ଣ ଗୋଟାଏ ହଠାତ୍ ଜାଗ୍ରତ ହୋଇ ଉଠିଲା । ସେହିଦିନଠାରୁ କୌଣସି ସମସ୍ୟାକୁ କେବଳ ସେହି ସମସ୍ୟା ଭିତରେ ସୀମାବଦ୍ଧ ରଖି ନୁହେଁ, ମାତ୍ର ତାହାର ଐତିହାସିକ ବିକାଶମୂଳକ ଆଲୋଚନା ଦ୍ଵାରା ଆଲୋତ୍ସନା କରିବାର ଏକ ବଳ୍‍ଭବତୀ ଆକାଙ୍‍କ୍ଷା ମୁଁ ବାର ବାର ଅନୁଭତ୍ସ୍ନ କରିତ୍ସି ।

 

ପଲ୍‍ଙ୍କର ଉପଦେଶାବଳୀ ଉପରେ ଆଗରୁ ହୋଇଥିବା ଆଲୋଚନାଗୁଡ଼ିକର ଏକ ଐତିହାସିକ ଅଧ୍ୟୟଷ୍ଟ କରିବାଲାଗି ମୁଁ ଏକ ବିଶେଷ ଆକର୍ଷଣ ମଳ ଅନୁଭମ୍ବ କରିଣ୍ଟ୍‍ଲି । କାରଣ ଏଥରପୂର୍ବରଦ୍ୟ ଆଉ ଦ୍ଧେହି ଏପଜି ଅଧ୍ୟୟନରେ ହାତ ଦେଇନଥିଲେ । ତାହା ଏଥଦଲାଗି ମୋ’ପାଖରୁ ଅନେକସୁବିଧା ମଧ୍ୟ ରହିଥିଲା । ଷ୍ଟ୍ରାସ୍‍ବୁର୍ଗ୍‍ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରରେ ଯୀଶୁଜୀବନ ପରି ସନ୍ଥ ପଲ୍‍ଙ୍କର ଜୀବନ ସମ୍ବନ୍ଧରେ ମଧ୍ୟ ଏକ ସମ୍ପୂର୍ଣ୍ଣ ଗ୍ରନ୍ଥସଂଗ୍ରହ ରହିଥିଲା । ଗ୍ରନ୍ଥାଗାରର ପ୍ରଧାନ ଗ୍ରନ୍ଥାଗାରୀ ଡାକ୍ତର ଶୋର୍ ବାଖ୍ ମଧ୍ୟ ମୋର ଅଧ୍ୟୟନରେ ମୋତେ ଅନେକ ସାହାଯ୍ୟ କରିଥିଲେ । ମୋର ଅଧ୍ୟୟନରେ ମୋତେ ଯେଉଁସବୁ ଗ୍ରନ୍ଥ ସାହାଯ୍ୟ କରିବ, ନାନାଦି ପତ୍ରପତ୍ରିକାରେ ସେହି ସମ୍ବନ୍ଧରେ ଯେଉଁସବୁ ପ୍ରବନ୍ଧ ପ୍ରକାଶିତ ହୋଇଥିଲା, ସେଗୁଡ଼ିକୁ ସେ ମୋ’ ଲାଗି ବାହାର କରି ଦେଇଥିଲେ । ଏଥିପାଇଁ ତାଙ୍କ ପାଖରେ ମୁଁ ସବୁଦିନେ କୃତଜ୍ଞ ରହିଥିବି ।

☆☆☆

 

Unknown

ଆଫ୍ରିକାରେ ପ୍ରଥମ କାର୍ଯ୍ୟାବଳୀ : ୧୯୧୩-୧୯୧୭

 

୧୯୧୩ ମସିହା ‘ସ୍ମରଣୀୟ ଶୁକ୍ରବାର’ର ଅପରାହ୍ନରେ ମୋର ପତ୍ନୀ ଏବଂ ମୁଁ ଗୁନ୍‍ସ୍‍ବାଖ୍‍ରୁ ବାହାରିଲୁ, ମାର୍ଚ୍ଚମାସ ୨୬ ତାରିଖ ସନ୍ଧ୍ୟାରେ ବୋର୍ଦୋଠାରୁ ଆମର ଜାହାଜ ଛାଡ଼ିଲା ।

 

ଲାମ୍ବେରେନେ ଠାରେ ମିସନାରୀମାନେ ଆମକୁ ହାର୍ଦ୍ଦିକ ଅଭ୍ୟର୍ଥନା ଜଣାଇଥିଲେ । ପହଞ୍ଚିବା ମାତ୍ରକେ ଯେପରି ମୁଁ ଡାକ୍ତରଖାନାର କାମ ଆରମ୍ଭ କରି ଦେଇପାରିବି, ସେଥିପାଇଁ ମୁଁ ସେଠାରେ ପହଞ୍ଚିବା ପୂର୍ବରୁ ଯେଉଁ କେତୋଟି ଟିଣଘର ତିଆରି ହୋଇଥିବାର କଥା ଥିଲା, ଦୁର୍ଭାଗ୍ୟବଶତଃ ସେମାନେ ତାହା ତିଆରି କରିପାରି ନଥିଲେ । ଓଗୋଉଏ ଜିଲ୍ଲାରେ ସେତେବେଳେ ଓକୋଉମେ କାଥର ଖୁବ୍ କାରବାର ଚାଲିଥିଲା, ସେଥିରେ କାମ କରି ସ୍ଥାନୀୟ ଅଧିବାସୀମାନଙ୍କୁ ଖୁବ୍ ମଜୁରି ମିଳୁଥିଲା, ତେଣୁ ମିସନ୍‍ର କାମ କରିବାଲାଗି ସହଜରେ କେହି ରାଜି ହେଉନଥିଲେ । ଏହି କାରଣରୁ ଆମର ଶୋଇବାଘରକୁ ଲାଗିକରି ରହିଥିବା ଏକ ପୁରୁଣା କୁକୁଡ଼ାଘରକୁ ପରିଷ୍କାର କରି ମୁଁ ତାହାକୁ ହିଁ ରୋଗୀମାନଙ୍କ ସହିତ ପରାମର୍ଶ କରିବାର ଘର ପରି ବ୍ୟବହାର କଲି, କିନ୍ତୁ ଶରତ ଋତୁରେ ତଳେ ନଦୀକୂଳରେ ଥିବା ଏକ ଟିଣଘରକୁ ମୁଁ ତାହାକୁ ଉଠାଇନେଇ ପାରିଥିଲି । ଏହି ନୂଆ ଘରଟିର ଲମ୍ବ ଛବିଶ ଫୁଟ ଓ ଓସାର ତେର ଫୁଟ ଥିଲା, ଉପର ତାଳବରଡ଼ାରେ ଛପର ହୋଇଥିଲା । ଏହି ଘରର ଗୋଟିଏ ଛୋଟ ବଖରାକୁ ମୁଁ ରୋଗୀମାନଙ୍କ ସହିତ ପରାମର୍ଶ କରିବାପାଇଁ ବ୍ୟବହାର କଲି, ପ୍ରାୟ ସମାନ ଆୟତନର ଆଉଗୋଟିଏ ବଖରାକୁ ଅପରେସନ ଘର କଲି ଓ ଆଉ ଗୋଟିଏ ଆହୁରି ଛୋଟ ବଖରାରେ ଔଷଧପତ୍ର ରଖିଲି । ଏହି ଘରଟିର ଚାରିପାଖରେ କ୍ରମେ ବଡ଼ ବଡ଼ ବାଉଁଶଘର କେତୋଟି ତିଆରି ହୋଇଗଲା, ସେହି ଘରଗୁଡ଼ିକୁ ଆଦିବାସୀ ରୋଗୀମାନଙ୍କର ନିବାସରୂପେ ବ୍ୟବହାର କରାଗଲା । ଗୋରା ରୋଗୀମାନେ ମିସନ୍‍ ଘରେ ବା ଡାକ୍ତରଙ୍କର ବଙ୍ଗଳାରେ ରହୁଥିଲେ ।

 

ମୁଁ ପ୍ରାୟ ପହଞ୍ଚିବା ଦିନଠାରୁ ହିଁ, ଏପରିକି ଔଷଧ ଏବଂ ଯନ୍ତ୍ରପାତିର ବାକ୍ସଗୁଡ଼ିକୁ ଖୋଲିବା ପାଇଁ ସମୟ ପାଇବା ପୂର୍ବରୁ ମଧ୍ୟ, ରୋଗୀମାନେ ମୋ’ପାଖକୁ ଆସିବାକୁ ଲାଗିଲେ । ମାନଚିତ୍ରକୁ ଭଲ ଭାବରେ ଅଧ୍ୟୟନ କରିବା ପରେ ଲାମ୍ବେରେନେଠାରେ ଡାକ୍ତରଖାନା ଖୋଲିବା ଲାଗି ସ୍ଥିର କରାଯାଇଥିଲା । ଏହି ସ୍ଥାନର ମିସନାରୀ ଏଲ୍‍ସାଶ୍ ନିବାସୀ ଶ୍ରୀଯୁକ୍ତ ମୋରେଲ୍‍ଙ୍କର ପରାମର୍ଶ ମଧ୍ୟ ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ଦୃଷ୍ଟିରୁ ବିଚାର କଲେ ଏହି ସ୍ଥାନ ନିର୍ବାଚନ ବଡ଼ ସୁଚିନ୍ତିତଥିଲା ବୋଲି କହିବାକୁ ହେବ । ଚତୁର୍ଦ୍ଦିଗରୁ ପ୍ରାୟ ଶହେ କି ଦୁଇଶହ ମାଇଲ ଦୂରରୁ ନଦୀର ତଳ ବା ଉପର ମୁହଁରୁ ଓଗୋଉଏ ଏବଂ ତା’ର ଉପନଦୀମାନଙ୍କ ସାହାଯ୍ୟରେ ଡଙ୍ଗାଦ୍ଵାରା ମୋ’ ପାଖକୁ ରୋଗୀମାନଙ୍କୁ ଅଣାଯାଇ ପାରିବାର ସୁବିଧା ରହିଥିଲା । ପ୍ରଧାନତଃ ମୋତେ ମେଲେରିଆ, କୁଷ୍ଠ, ନିଦ୍ରାରୋଗ, ରକ୍ତାମାଶୟ ଓ ଘାଆରୋଗର ରୋଗୀମାନଙ୍କୁ ଚିକିତ୍ସା କରିବାକୁ ପଡ଼ୁଥିଲା । କିନ୍ତୁ ନିମୋନିଆ ଓ ହୃତ୍‍-ରୋଗରେ ପୀଡ଼ିତ ରୋଗୀମାନେ ଯେଉଁ ସଂଖ୍ୟାରେ ମୋ’ ପାଖରେ ପହଞ୍ଚିବାକୁ ଲାଗିଲେ ସେଥିରେ ମୁଁ ପ୍ରକୃତରେ ବଡ଼ ବିସ୍ମିତ ହୋଇ ଯାଇଥିଲି । ମୂତ୍ରରୋଗୀଙ୍କର ସଂଖ୍ୟା ମଧ୍ୟ କିଛି କମ୍ ନଥିଲା । ହାର୍‍ନିଆ ବା ଗୋଦର ରୋଗୀ ଆସି ପହଞ୍ଚିଲେ ସେମାନଙ୍କ ଉପରେ ଅସ୍ତ୍ରୋପଚାର କରିବାକୁ ପଡ଼ୁଥିଲା । ଗୋରାଲୋକଙ୍କ ଅପେକ୍ଷା ବିଷୁବମଣ୍ଡଳର ଅଧିବାସୀମାନେ ହାର୍‍ନିଆରେ ଅଧିକ ପୀଡ଼ିତ ହୁଅନ୍ତି । ଆଖପାଖରେ ଡାକ୍ତରୀବିଦ୍ୟା ଜାଣିଥିବା କୌଣସି ଅଭିଜ୍ଞ ବ୍ୟକ୍ତି ନଥିଲେ । ହାର୍‍ନିଆ ଚାପିଧରି ଅନେକ ଦୁର୍ଭାଗ୍ୟ ମନୁଷ୍ୟ ଦାରୁଣ ଯନ୍ତ୍ରଣା ଭୋଗ କରନ୍ତି ଓ ପରିଶେଷରେ ମୃତ୍ୟୁମୁଖରେ ପତିତ ହୁଅନ୍ତି । କିନ୍ତୁ ସମୟ ଅନୁସାରେ ଟିକିଏ ସାଧାରଣ ଅସ୍ତ୍ରୋପଚାର କରିଦେବା ସମ୍ଭବ ହେଉଥିଲେ ନିଶ୍ଚୟ ସେମାନଙ୍କର ପ୍ରାଣରକ୍ଷା ହୋଇ ପାରୁଥାନ୍ତା । ଏକ ହାର୍‍ନିଆରୋଗୀ ଉପରେ ହିଁ ମୁଁ ମୋର ପ୍ରଥମ ଅସ୍ତ୍ରୋପଚାର ଆରମ୍ଭ କରିଥିଲି ।

 

ଏହିପରି ଭାବରେ ସେଠାରେ ପହଞ୍ଚିବାର ପ୍ରଥମ କେତେ ସପ୍ତାହରେ ମୁଁ ଏହିକଥା ଜାଣିବାର ସମ୍ପୂର୍ଣ୍ଣ ସୁଯୋଗ ପାଇଲି ଯେ ଆଗରୁ ମୁଁ ଯେତିକି ବୋଲି ଅନୁମାନ କରୁଥିଲି, ଶାରୀରିକ ରୋଗରୁ ଆଦିବାସୀମାନେ ତାହାଠାରୁ ଯଥେଷ୍ଟ ଅଧିକ ଯନ୍ତ୍ରଣା ଭୋଗ କରନ୍ତି । ସମସ୍ତଙ୍କର ଆପତ୍ତି ଓ ପ୍ରତିବାଦକୁ ପ୍ରତ୍ୟାଖ୍ୟାନ କରି ଏହି ସ୍ଥାନକୁ ମୁଁ ଜଣେ ଚିକିତ୍ସକ ଭାବେ ଆସିପାରିଲି ବୋଲି ମୁଁ ମନେମନେ କେତେ ଆନନ୍ଦ ଅନୁଭବ ନକଲି !

 

ସ୍ଥାନୀୟ ଆଦିବାସୀମାନଙ୍କ ଭିତରେ ଦୋଭାଷିଆ ହେବାପାଇଁ ଏବଂ ଡାକ୍ତରଖାନାର କାର୍ଯ୍ୟରେ ମୋତେ ସାହାଯ୍ୟ କରିବାପାଇଁ କୌଣସି ଲୋକ ନପାଇବାରୁ ପ୍ରଥମେ ମୋର କାମରେ ଭାରି ଅସୁବିଧା ଭୋଗ କରିବାକୁ ପଡ଼ିଥିଲା । ପ୍ରଥମେ ଯେଉଁ ଲୋକଟି ମୋତେ କିଞ୍ଚିତ୍ ସାହାଯ୍ୟ କରିବାକୁ ସମର୍ଥ ହେଲା, ଆଗରୁ ସେ ରୋଷେଇଆ ହିସାବରେ କାମ କରି ଆସୁଥିଲା । ତାହାର ନାମ ଯୋସେଫ୍ ଆଜୋଆଭାନି, ସେ ମୋ’ ସହିତ ରହୁଥିଲା । ମୋ ପାଖକୁ ଆସିବା ପୂର୍ବରୁ ଯେ ଯାହା ରୋଜଗାର କରୁଥିଲା, ଅବଶ୍ୟ ମୁଁ ତାକୁ ସେତେ ଦୂର ଅଧିକ ବେତନ ଦେଇ ପାରୁନଥିଲି । ସ୍ଥାନୀୟ ଅଧିବାସୀମାନଙ୍କ ସହିତ କିପରି କାରବାର କରିବାକୁ ହେବ, ମୋତେ ସେ ସେହି ବିଷୟରେ ଅନେକ ମୂଲ୍ୟବାନ୍ ପରାମର୍ଶ ଦେଇଥିଲା । ଅବଶ୍ୟ ତା’ର ମତରେ ତାହାର ସବୁଠାରୁ ବଡ଼ ପରାମର୍ଶଟି ମୁଁ ଆଦୌ ଗ୍ରହଣ କରି ପାରିଲି ନାହିଁ । ସେ ମୋତେ ପରାମର୍ଶ ଦେଲା ଯେ ଦେଖିବା ମାତ୍ରକେ ଯେଉଁଭଳି ରୋଗୀଙ୍କୁ ଆମେ କୌଣସି ପ୍ରକାରେ ଆରୋଗ୍ୟ କରିପାରିବା ନାହିଁ ବୋଲି ମନେ କରିବା, ସେମାନଙ୍କୁ ଡାକ୍ତରଖାନାରେ ଗ୍ରହଣ କରିବାକୁ ଆମକୁ ସିଧା ସିଧା ନାସ୍ତି କରିଦେବାକୁ ହେବ । ଚିକିତ୍ସକ ହିସାବରେ ଆପଣାର ସମ୍ମାନ ଓ ସୁନାମରେ କୌଣସିପ୍ରକାର ଆଞ୍ଚ ନ ଆଣିବାକୁ ସ୍ଥାନୀୟ ଗୁଣିଆ ଓ ବୈଦ୍ୟମନେ କିପରି ତାହା କରୁଥିଲେ, ଏ ବିଷୟରେ ସେ ବାରବାର ଆସି କହିଚି ।

 

କିନ୍ତୁ ଗୋଟିଏ ଦୃଷ୍ଟିରୁ ତା’ର ଏହି ପରାମର୍ଶଟି ଯଥାର୍ଥ ଥିଲା ବୋଲି ମୁଁ ପରେ ଜାଣି ପାରିଲି । ଆଦିମ ଅଧିବାସୀମାନଙ୍କ ଅଞ୍ଚଳରେ କାମ କରୁଥିବା କୌଣସି ଡାକ୍ତର ଯଦି କୌଣସି ରୋଗୀକୁ ପ୍ରକୃତରେ ସାଂଘାତିକ ଓ ନିରାଶାଜନକ ବୋଲି ମନେ କରୁଥାଏ, ତେବେ ରୋଗୀ ଭଲ ହୋଇଯିବ ବୋଲି କୌଣସିପ୍ରକାର ଆଶା ଓ ପ୍ରବୋଧନା ଦେବା ତା’ପକ୍ଷରେ କଦାପି ଉଚିତ ହେବନାହିଁ । ଆଗରୁ କୌଣସି ପ୍ରକାରେ ସତର୍କ କରି ଦିଆ ନଯାଇ ଯଦି ରୋଗୀ ମରିଯାଏ, ତେବେ ଅନ୍ୟ ଆଦିବାସୀମାନେ ବିଶ୍ଵାସ କରିନିଅନ୍ତି ଯେ ଡାକ୍ତର ରୋଗକୁ ଠିକ୍‍ଠିକ୍ ଚିହ୍ନିପାରିଲେ ନାହିଁ ଏବଂ ତାହାରି ପରିଣାମ ସ୍ଵରୂପ ବିଚରା ରୋଗୀକୁ ମରିବାକୁ ପଡ଼ିଲା । ମନରେ କୌଣସି ପ୍ରକାରେ କୌଣସି କଥା ଲୁଚାଇ ନରଖି ଆଦିବାସୀ ରୋଗୀମାନଙ୍କୁ ରୋଗର ପ୍ରକୃତ ଅବସ୍ଥା ଜଣାଇଦେବା ଦରକାର । ସେମାନେ ମଧ୍ୟ ଏହା ଜାଣିବାକୁ ଚାହାଁନ୍ତି ଏବଂ ରୋଗୀର ଅବସ୍ଥା ପ୍ରକୃତରେ ବଡ଼ ଖରାପ ବୋଲି ଜାଣିଲେ ସେମାନେ ଆଦୌ ଅସ୍ଥିର ହୋଇ ପଡ଼ନ୍ତି ନାହିଁ । କାରଣ ସେମାନେ ମରଣକୁ ଏକ ଅତି ସ୍ଵାଭାବିକ ଘଟଣା ବୋଲି ମନେ କରନ୍ତି । ମୃତ୍ୟୁକୁ ସେମାନେ ଆଦୌ ଭୟ କରନ୍ତି ନାହିଁ ଏବଂ ସ୍ଥିରଭାବରେ ଏହାର ସମ୍ମୁଖୀନ ହୁଅନ୍ତି । ଯଦି ଅପ୍ରତ୍ୟାଶିତ ଭାବରେ ରୋଗୀ ଆରୋଗ୍ୟ ଲାଭ କରେ, ତଦ୍ଦ୍ଵାରା ବରଂ ଚିକିତ୍ସକର ସୁନାମ ବୃଦ୍ଧି ପାଇଥାଏ । ସେ ଦୁଃସାଧ୍ୟ ଓ ଅସାଧ୍ୟ ରୋଗମାନ ମଧ୍ୟ ଭଲ କରିଦେଇ ପାରେ ବୋଲି ସମସ୍ତେ ବିଶ୍ଵାସ କରିବାକୁ ଲାଗନ୍ତି ।

 

ମୋର ପତ୍ନୀ ଆଗରୁ ଧାତ୍ରୀର ତାଲିମ ପାଇଥିଲେ, ତେଣୁ ସେ ଅବିଚଳିତ ଭାବରେ ମୋର ପ୍ରତ୍ୟେକ କାର୍ଯ୍ୟରେ ମୋତେ ସାହାଯ୍ୟ କରିବାକୁ ଲାଗିଲେ । ସାଂଘାତିକ ରୋଗୀମାନଙ୍କର ଖବର ବୁଝିବାର ଦାୟିତ୍ଵ ତାଙ୍କରି ଉପରେ ନ୍ୟସ୍ତ ଥିଲା, କନା, ପଟି ଓ ତୁଳା ପ୍ରଭୃତି ଯାବତୀୟ ସରଞ୍ଜାମକୁ ସେଇ ତନଖି ଦେଖୁଥିଲେ । ପ୍ରାୟ ସବୁବେଳେ ସେ ଡାକ୍ତରଖାନାରେ କାର୍ଯ୍ୟବ୍ୟସ୍ତ ରହୁଥିଲେ । ଯନ୍ତ୍ରପାତିଗୁଡ଼ିକ ଯତ୍ନ ସହକାରେ ରଖାରଖି କରୁଥିଲେ, ଅସ୍ତ୍ର ଚିକିତ୍ସାର ସମସ୍ତ ପ୍ରାରମ୍ଭିକ ଆୟୋଜନ କରି ଦେଉଥିଲେ, ଅସ୍ତ୍ରୋପଚାର ପୂର୍ବରୁ ସେ ନିଜେ ରୋଗୀମାନଙ୍କ ଉପରେ ଅଚେତା କରାଇବାର ଔଷଧ ପ୍ରୟୋଗ କରୁଥିଲେ, ଯୋସେଫ୍ ଏହି ସମସ୍ତ କାର୍ଯ୍ୟରେ ତାଙ୍କର ସହକାରୀ ହୋଇ ରହୁଥିଲା । ଆଫ୍ରିକାରେ ଏକ ଘର ଚଳାଇବାର ଦାୟିତ୍ଵ ବହନ କରିବା ସଙ୍ଗେ ସଙ୍ଗେ ତଥାପି ପ୍ରତିଦିନ ସେ ଡାକ୍ତରଖାନାର କାର୍ଯ୍ୟ ପାଇଁ କେତେ ଘଣ୍ଟା ସମୟ ଦେଉଥିଲେ, ଏହା କରିପାରିବା କିଛି କମ୍ ଗୌରବର ବିଷୟ ନଥିଲା ।

 

ଆଦିବାସୀ ରୋଗୀମାନଙ୍କୁ ଅସ୍ତ୍ରଚିକିତ୍ସା ପାଇଁ ସମ୍ମତ କରାଇବାକୁ ମୋତେ ଖୁବ୍ ବେଶୀ କୌଶଳ ଅବଲମ୍ବନ କରିବାକୁ ପଡ଼ୁନଥିଲା । ଅଳ୍ପ କେତେ ବର୍ଷ ପୂର୍ବରୁ ଜଣେ ସରକାରୀ ଡାକ୍ତର କେତେଦିନ ଲାମ୍ବାରେନେଠାରେ ରହି କେତୋଟି ଅସ୍ତ୍ରୋପଚାର କରିଥିଲେ ଓ ସେଗୁଡ଼ିକୁ ସୁଫଳ ଭାବରେ ସମ୍ପନ୍ନ କରି ପାରିଥିଲେ; ତାହାରି ବଳରେ ମୋ’ଭଳି ଜଣେ ଅର୍ବାଚୀନର ଅସ୍ତ୍ରୋପଚାରଗୁଡ଼ିକୁ ମଧ୍ୟ ସମସ୍ତେ ବିଶ୍ଵାସର ସହିତ ଗ୍ରହଣ କଲେ । ପ୍ରଥମେ ମୁଁ ଯେଉଁ କେତୋଟି ଅସ୍ତ୍ରୋପଚାର କରିଥିଲି, ସେଗୁଡ଼ିକ ଭିତରୁ ମୁଁ କୌଣସିଟିରେ ବିଫଳ ହୋଇନଥିଲି, ଏହାକୁ ମୋର ଭାଗ୍ୟ ବୋଲି କହିବାକୁ ହେବ ।

 

ଡାକ୍ତରଖାନା ଖୋଲିବାର ମାତ୍ର ଅଳ୍ପକେତେ ମାସ ପରେ ପ୍ରତ୍ୟେକ ଦିନ ପ୍ରାୟ ଚାଳିଶି ଜଣ ରୋଗୀଙ୍କ ପାଇଁ ବନ୍ଦୋବସ୍ତ କରିବାକୁ ଦରକାର ପଡ଼ିଲା । ମୋତେ କେବଳ ଯେ ଏହି ରୋଗୀମାନଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ପଡ଼ିଲା ତା’ ନୁହେଁ, ଅଧିକନ୍ତୁ ଯେଉଁ ସାଥୀ ଓ ସ୍ଵଜନମାନେ ରୋଗୀମାନଙ୍କୁ ଦୂରଦୂରାନ୍ତରୁ ଡଙ୍ଗାରେ ବୋହି ଆଣୁଥିଲେ, ଏବଂ ଫେରିବାବେଳେ ସେମାନଙ୍କୁ ପୁଣି ଡଙ୍ଗାରେ ବୋହି ନେବାଲାଗି ଯେଉଁମାନେ ଡାକ୍ତରଖାନାରେ ଅପେକ୍ଷା କରି ରହୁଥିଲେ, ସେମାନଙ୍କ ପାଇଁ ମଧ୍ୟ ମୋତେ ବ୍ୟବସ୍ଥା କରିବାକୁ ପଡ଼ୁଥିଲା ।

 

ଯେତେ ଗୁରୁ ହେଲେ ମଧ୍ୟ ଡାକ୍ତରଖାନାର ଅସଲ କାମ ମୋତେ ଯେତେ ବୋଝ ପରି ମନେ ହେଉନଥିଲା, ତାହାର ଆନୁଷଙ୍ଗିକ ଯତ୍ନ ଓ ଦାୟିତ୍ଵଗୁଡ଼ିକ ମୋତେ ତା’ଠାରୁ ଅଧିକ ବୋଝ ପରି ମନେହେଲା । ଡାକ୍ତରମାନଙ୍କର ପ୍ରକୃତି ଯେତେଦୂର ଦୃଢ଼ ଓ ଭାବବଧିର ହେବାର କଥା, ଦୁର୍ଭାଗ୍ୟବଶତଃ ମୋର ପ୍ରକୃତି ସେତେଦୂର ଦୃଢ଼ ନଥିଲା । ତେଣୁ ସାଂଘାତିକ ବେମାରି ଭୋଗୁଥିବା ତଥା ଅସ୍ତ୍ରୋପଚାର କରାଯାଇଥିବା ରୋଗୀମାନଙ୍କ ଲାଗି ମନେମନେ ମୁଁ ସତେ ବଡ଼ ଉଦ୍‍ବିଗ୍ନ ହୋଇ ପଡ଼ୁଥିଲି । ରୋଗୀମାନଙ୍କର ରୋଗାଯନ୍ତ୍ରଣା ସହିତ ଯେତେଦୂର ସହାନୁଭୂତି ରହିଥିଲେ ମଧ୍ୟ ତଥାପି ଆତ୍ମସ୍ଥ ହୋଇ ରହିବା ପାଇଁ ପ୍ରତ୍ୟେକ ଡାକ୍ତରର ଯେଉଁ ସମଚିତ୍ତତା ରହିଥିବା ଆବଶ୍ୟକ, ସେଥିଲାଗି ମୁଁ ଅନେକ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପରିଲି ନାହିଁ ।

 

ଡାକ୍ତରଖାନାରୁ ପାଇଥିବା ଉପକାର ପାଇଁ କୃତଜ୍ଞତା ଜଣାଇବାର କିଛି ପ୍ରତ୍ୟକ୍ଷ ନିଦର୍ଶନ ସେମାନେ ଦେଖାନ୍ତୁ, ଆଦିବାସୀ ରୋଗୀମାନଙ୍କ ଉପରେ ଯଥା ସମ୍ଭବ ମୁଁ ଏତିକି ଦାବି କରୁଥିଲି । ବାରବାର ମୁଁ ସେମାନଙ୍କୁ ସ୍ମରଣ କରାଇ ଦେଉଥିଲି ଯେ ଇଉରୋପରେ ଅନେକ ସଂଖ୍ୟକ ବ୍ୟକ୍ତି ଡାକ୍ତରଖାନାକୁ ସାହାଯ୍ୟ କରିବା ଲାଗି ଯେଉଁ ତ୍ୟାଗ ଓ ବଦାନ୍ୟତା ଦେଖାଇଥିଲେ, ତାହାରି ପ୍ରସାଦରେ ହିଁ ସେମାନେ ଏଠାରେ ଯତ୍‍କିଞ୍ଚିତ ସାହାଯ୍ୟ ପାଉଥିଲେ, ତେଣୁ ବର୍ତ୍ତମାନ ଡାକ୍ତରଖାନାକୁ ଚାଲୁ ରଖିବା ଲାଗି ଯତ୍‍କିଞ୍ଚିତ ସାହାଯ୍ୟ କରିବା ସେମାନଙ୍କର କର୍ତ୍ତବ୍ୟ । ସୁତରାଂ କ୍ରମେ ଏହାକୁ ମୁଁ ଡାକ୍ତରଖାନାର ଏକ ବିଧିରୂପେ ପ୍ରଚଳିତ କରିଦେଲି ଏବଂ ଡାକ୍ତରଖାନାରୁ ପାଉଥିବା ଔଷଧର ପ୍ରତିବଦଳରେ ଆଦିବାସୀମାନେ ଡାକ୍ତରଖାନା ପାଇଁ ପଇସା, ପାଚିଲା କଦଳୀ, କୁକୁଡ଼ା ବା କୁକୁଡ଼ା ଅଣ୍ଡା ଆଣି ଦେଇ ଯାଉଥିଲେ । ସେମାନେ ପାଉଥିବା ଉପକାର ତୁଳନାରେ ଅବଶ୍ୟ ଏହି ଦାନ ଅତି ନଗଣ୍ୟ ଥିଲା, କିନ୍ତୁ ଡାକ୍ତରଖାନାର ରକ୍ଷଣାବେକ୍ଷଣ ପାଇଁ ଏହା ସେମାନଙ୍କର ଦାନ ସ୍ୱରୂପ ଥିଲା । ଯେଉଁ ରୋଗୀମାନଙ୍କ ପାଖରୁ ଖାଇବା ଜିନିଷ ସରି ଯାଉଥିଲା, ସେମାନଙ୍କୁ ମୁଁ ଦାନ ସ୍ଵରୂପ ମିଳିଥିବା ପାଚିଲାକଦଳୀ ଖାଇବାକୁ ଦେଉଥିଲି, ପୁଣି ପାଚିଲାକଦଳୀ ସରିଆସିଲେ ସେମାନଙ୍କଠାରୁ ମିଳିଥିବା ପଇସାରେ ମୁଁ ଚାଉଳ କିଣି ଆଣୁଥିଲି । ମୁଁ ଏକଥା ମଧ୍ୟ ବିଚାର କରୁଥିଲି ଯେ ଆପଣାର ସାମର୍ଥ୍ୟ ଅନୁସାରେ ଡାକ୍ତରଖାନାକୁ ଚାଲୁ ରଖିବାଲାଗି ନିଜେ କିଞ୍ଚିତ୍ ଦାନ କରିବା ଦ୍ଵାରା ଆଦିବାସୀମାନେ ଡାକ୍ତରଖାନାକୁ ଅଧିକ ମୂଲ୍ୟ ଓ ମହତ୍ତ୍ଵ ଦେଇ ଶିଖିବେ । କିନ୍ତୁ ସେମାନଙ୍କୁ ସବୁ ଜିନିଷ କେବଳ ମାଗଣାରେ ମିଳୁଥିଲେ ଏହା ସମ୍ଭବ ହୋଇପାରିବ ନାହିଁ । ଏପରି ଏକ ଦାନ ଆଦାୟ କରିବାରେ କେତେଦୂର ଶିକ୍ଷାଗତ ମୂଲ୍ୟ ରହିଚି, ପରବର୍ତ୍ତୀ ଅଭିଜ୍ଞତାମାନଙ୍କରୁ ମୁଁ ତାହା ଆହୁରି ଭଲକରି ବୁଝି ପାରିଚି । ଅବଶ୍ୟ ଅତି ଦରିଦ୍ର ଓ ବୃଦ୍ଧମାନଙ୍କଠାରୁ କୌଣସିପ୍ରକାର ଦାନ ଆଦାୟ କରାଯାଉ ନଥିଲା ଏବଂ ଆଦିବାସୀ ସମାଜରେ ଅଧିକାଂଶ ସ୍ଥଳରେ ବାର୍ଦ୍ଧକ୍ୟହିଁ ଦାରିଦ୍ର୍ୟକୁ ବୁଝାଇଥାଏ ।

 

ସେମାନଙ୍କ ଭିତରୁ ଯେଉଁମାନେ ପ୍ରକୃତରେ ଆଦିମ ଥିଲେ, ସେମାନେ ଏହି ଦାନପ୍ରଥାର ଏକ ଭିନ୍ନ ପ୍ରକାର ଅର୍ଥ କରୁଥିଲେ । ଆରୋଗ୍ୟ ଲାଭ କରିସାରି ଯେତେବେଳେ ସେମାନେ ଡାକ୍ତରଖାନାରୁ ଗାଆଁକୁ ଫେରିଯିବାକୁ ବାହାରୁଥିଲେ, ସେମାନେ ଆସି ମୋ’ପାଖରୁ କିଛି ଦାନ ଗ୍ରହଣ କରିବାକୁ ଦାବି କରି ବସୁଥିଲେ, କାରଣ ସେମାନଙ୍କ ମତରେ ମୁଁ ଏହି କେତେଦିନ ଭିତରେ ସେମାନଙ୍କର ବନ୍ଧୁ ହୋଇ ଯାଇଥିଲି !

 

ମୁଁ ଏହି ଆଦିମ ମନୁଷ୍ୟପ୍ରାଣୀମାନଙ୍କର ଯେତିକି ଅଧିକ ସମ୍ପର୍କରେ ଆସିଲି, ସେତିକି ସେତିକି ମୁଁ ଆପଣାକୁ ମଧ୍ୟ ସେହି ସୁପରିଚିତ ଓ ବହୁ ଆଲୋଚିତ ପ୍ରଶ୍ନମାନ ପଚାରିବାକୁ ଲାଗିଲି । ଏମାନଙ୍କୁ କେବଳ ସଂସ୍କାର ବା ପରମ୍ପରାର ଦାସ ବୋଲି କେତେଦୂର କୁହାଯାଇ ପାରିବ ବା ଏମାନଙ୍କର ନିଜସ୍ଵ ସ୍ଵତନ୍ତ୍ର ଚିନ୍ତାକରିବାର କୌଣସି ଶକ୍ତି ଅଛି ବୋଲି କେତେଦୂର ସ୍ଵୀକାର କରାଯାଇ ପାରିବ ? ସେମାନଙ୍କ ସହିତ କଥୋପକଥନ କରି ମୁଁ ଜାଣିପାରିଲି ଯେ ଜୀବନର ମୂଲ୍ୟ ଓ ଭଲମନ୍ଦର ସଂଜ୍ଞା ପ୍ରଭୃତି ମୌଳିକ ପ୍ରଶ୍ନଗୁଡ଼ିକ ବିଷୟରେ ସେମାନଙ୍କର ଯଥେଷ୍ଟ ଆଗ୍ରହ ରହିଚି-। ସେମାନଙ୍କର ସମ୍ପର୍କରେ ଆସିବା ପୂର୍ବରୁ ସେମାନଙ୍କ ଭିତରେ ସତରେ ଏହା ରହିଥିବ ବୋଲି ମୁଁ ଆଦୌ ଆଶା କରିନଥିଲି ।

 

ପାରିସରେ ଥିବା ମିସନାରୀ ସୋସାଇଟି ଆପଣାର ସବୁ କାର୍ଯ୍ୟରେ ଖ୍ରୀଷ୍ଟଧର୍ମର ସୂତ୍ର ଓ ଅନୁଶାସନ ଉପରେ ଭାରି ଗୁରୁତ୍ଵ ଦେଉଥିଲେ । କିନ୍ତୁ ମିସନ୍‍ର ଧର୍ମପ୍ରଚାରରେ ସେସବୁ ସୂତ୍ର ଓ ଅନୁଶାସନର କୌଣସି ସ୍ଥାନ ନଥିଲା । ଏଠାକାର ସ୍ଥିତି ଠିକ୍ ଏହିପରି ହୋଇଥିବ ବୋଲି ମୁଁ ଆଗରୁ ମଧ୍ୟ ଅନୁମାନ କରିଥିଲି । ଯୀଶୁଙ୍କର ଆତ୍ମା ଦ୍ଵାରା ଆମେ ଏହି ସଂସାରରୁ ପରିତ୍ରାଣ ପାଇବା ବୋଲି ଘୋଷଣା କରୁଥିବା ଧର୍ମସନ୍ଦେଶ, ଗିରିଶିଖର ଉପଦେଶ ଏବଂ ସନ୍ଥ ପଲ୍‍ଙ୍କର ଉତ୍କୃଷ୍ଟ ଉପଦେଶଗୁଡ଼ିକ ପ୍ରଚାର କରିବା ବ୍ୟତୀତ ସେମାନେ ଆଉ କିଛି କରିପାରୁ ନଥିଲେ । ସ୍ଥାନୀୟ ଆବଶ୍ୟକତାର ଚାପରେ ପଡ଼ି ଖ୍ରୀଷ୍ଟଧର୍ମକୁ ସେମାନେ ପ୍ରଧାନତଃ ଏକ ନୀତିଧର୍ମ ବୋଲି ବାଢ଼ିବାକୁ ବାଧ୍ୟ ହେଉଥିଲେ । ବର୍ଷକୁ ଦୁଇଥର ମିସନ୍‍ର ସମ୍ମିଳନୀ ବସୁଥିଲା, ବିଭିନ୍ନ ମିସନ୍‍ କେନ୍ଦ୍ରରେ ଏହି ଅବସରରେ ସମ୍ମିଳିତ ହେଲାବେଳେ, ସୂତ୍ରଗତ ନୁହେଁ, ମାତ୍ର କେବଳ ଆଚାରଗତ ଖ୍ରୀଷ୍ଟଧର୍ମକୁ କିପରି ଆପଣାର ଅଞ୍ଚଳରେ ପ୍ରଚାରିତ ଓ ପ୍ରତିଷ୍ଠିତ କରିବାକୁ ହେବ, ସେମାନେ ସେହି ସମ୍ପର୍କୀୟ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରୁଥିଲେ । ହୁଏତ ଧର୍ମବିଶ୍ଵାସ ବିଷୟରେ କେହି କେହି ମିସନାରୀ ଅନ୍ୟମାନଙ୍କଠାରୁ ଅଧିକ ବିଶ୍ଵସ୍ତ ଓ ଦୃଢ଼ଭାବରେ ବିଶ୍ଵାସ କରୁଥିଲେ, କିନ୍ତୁ ମିସନ୍‍ର କାର୍ଯ୍ୟ ସହିତ ତାହାର କୌଣସି ସମ୍ବନ୍ଧ ନଥିଲା, ସେମାନେ ସମସ୍ତେ ମିଳିମିଶି ଏହି କାର୍ଯ୍ୟ କରୁଥିଲେ । ଥିଓଲଜି ସମ୍ବନ୍ଧରେ ମୋର ମତାମତକୁ ସେମାନଙ୍କ ଉପରେ ଆଣି ଲଦିବାକୁ ମୁଁ ଲେଶମାତ୍ର ପ୍ରୟାସ ମଧ୍ୟ କରିନଥିଲି, ଏହା ଫଳରେ ସେମାନଙ୍କର ଯେଉଁ ଅନାସ୍ଥା ଓ ଅବିଶ୍ଵାସ ଥିଲା, ସେ ସମସ୍ତ ଦୂରୀଭୂତ ହୋଇଯାଇଥିଲା । ଆମେ ସମସ୍ତେ ଯୀଶୁଙ୍କୁ ମାନି ତାଙ୍କର ଧର୍ମ ଅନୁସରଣ କରିଆସିଚୁ, ସରଳ ଭାବରେ ଖ୍ରୀଷ୍ଟଧର୍ମୋଚିତ ଏକ କାର୍ଯ୍ୟରେ ବ୍ୟାପୃତ ରହିଚୁ । ଏଥିପାଇଁ ଆମେ ଉଭୟ ପକ୍ଷ ପରସ୍ପର ଉପରେ ବେଶ୍ ଖୁସୀ ରହିଥିଲୁ । ମୁଁ ଆଫ୍ରିକାରେ ଆସି ପହଞ୍ଚିବାର ଅଳ୍ପ କେତେମାସ ପରେ ଧର୍ମପ୍ରଚାରରେ ମଧ୍ୟ ଅଂଶଗ୍ରହଣ କରିବାକୁ ମୋତେ ସେମାନଙ୍କ ତରଫରୁ ଅନୁରୋଧ କରାଗଲା ଏବଂ ଏହିପରି ଭାବରେ ପାରିସରେ ମୁଁ ଯେଉଁ ପ୍ରତିଜ୍ଞା କରି ଆସିଥିଲି, ସେଥିରୁ ମୋତେ ମୁକ୍ତ କରି ଦିଆଗଲା ।

 

ମିସନାରୀ ଏବଂ ସ୍ଥାନୀୟ ପ୍ରଚାରକମାନେ ଯେତେବେଳେ ଏକାଠି ବସି ଧର୍ମପ୍ରଚାର ସମ୍ବନ୍ଧରେ ଆଲୋଚନା କରୁଥିଲେ, ସେଥିରେ ମଧ୍ୟ ପରିଦର୍ଶକ ଭାବରେ ଉପସ୍ଥିତ ରହିବାକୁ ମୋତେ ନିମନ୍ତ୍ରଣ କରାଗଲା । ଦିନେ କୌଣସି ଏକ ବିଷୟ ସମ୍ବନ୍ଧରେ ସେମାନେ ମୋତେ ମୋର ବ୍ୟକ୍ତିଗତ ମତ ବ୍ୟକ୍ତ କରିବାକୁ ଅନୁରୋଧ କରିଥିଲେ । ତତ୍‍କ୍ଷଣାତ୍ ଜଣେ ସ୍ଥାନୀୟ ପ୍ରଚାରକ ପ୍ରତିବାଦ କରି କହିଲେ ଯେ ଏପରି କରିବା ଡାକ୍ତରଙ୍କର କ୍ଷେତ୍ରର ବାହାରେ ହୋଇଯିବ, କାରଣ ‘ଆମ ଭଳି ତ ସେ ଥିଓଲଜି ବିଷାରଦ ହୋଇ ନାହାନ୍ତି !”

 

ଡୁବନ ପାଇଁ ପିଲାମାନଙ୍କୁ ନିର୍ବାଚନ କରିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମଧ୍ୟ ମୋତେ ଅନୁରୋଧ କରାଯାଇଥିଲା । ଏହି ନିର୍ବାଚନ କରିବାରେ ଯେଉଁ ଅଧଘଣ୍ଟାଯାଏ ସମୟ ଲାଗୁଥିଲା, ସେ ସମୟରେ ପିଲାମାନଙ୍କୁ ମୁଁ କୌଣସି ପ୍ରକାରେ କଷ୍ଟ ଦେବିନାହିଁ, ଏହି ଉଦ୍ଦେଶ୍ୟରେ ସେମାନଙ୍କ ସହିତ ଜଣେ ଦୁଇଜଣ ବୃଦ୍ଧା ସ୍ତ୍ରୀଲୋକଙ୍କୁ ମଧ୍ୟ ଆସିବା ପାଇଁ ମୁଁ ବ୍ୟବସ୍ଥା କରାଇ ଦେଇଥିଲି । ଭଗବାନ ଯୀଶୁ ଧନୀ ଥିଲେ ନା ଦରିଦ୍ର ଥିଲେ, ଏହି ପ୍ରଶ୍ନଟି ମୁଁ ଥରେ ଜଣେ ଧାତ୍ରୀକୁ ପଚାରିଲି । ତାହାର ମୁଖର ତୁଣ୍ଡରେ ସେ ତତ୍‍କ୍ଷଣାତ୍ ମୋତେ ଜବାବ ଦେଲା, ‘ତୁମେ ବୋକା ନା କ’ଣ ! ସବୁଠାରୁ ବଡ଼ ରାଜା ଭଗବାନ ପରା ଯୀଶୁଙ୍କର ବାପା ଥିଲେ, ତେଣୁ, ଯୀଶୁ କଦାପି ଦରିଦ୍ର ନଥିଲେ ବୋଲି କ’ଣ ତୁମେ ଏହିଥିରୁ ଜାଣିପାରୁନା !’ ଥିଓଲଜିର ପ୍ରଫେସରଙ୍କଠାରୁ ପାଇଥିବା ଚମତ୍କାର ସାର୍ଟିଫିକେଟ୍ ତାକୁ ଏହି ଉତ୍ତର ଦେବାରେ କୌଣସିମତେ ସାହାଯ୍ୟ କରିପାରି ନଥିଲା । ଯେଉଁ ସ୍ଥାନରେ ସେ କାମ କରୁଥିଲା, ସେହି ସ୍ଥାନର କୃଷ୍ଣକାୟ ପ୍ରଚାରକ ତା’ପ୍ରତି ବଡ଼ କଠୋର ବ୍ୟବହାର କରିଥିଲେ, ଧର୍ମସୂତ୍ର ବୁଝାଇଦେବାକୁ ହୋଇଥିବା କ୍ଲାସରେ ସେ ନିୟମିତ ଉପସ୍ଥିତ ହୋଇ ନଥିଲା ବୋଲି ତାକୁ ଶାସ୍ତି ଦେବାକୁ ଧମକ ଦେଇଥିଲେ । ଧାତ୍ରୀର ଚମତ୍କାର ଉତ୍ତର ତାଙ୍କର ମନକୁ ଆଦୌ ପାଇନଥିଲା । କାରଣ ଧର୍ମସୂତ୍ରରେ ଠିକ୍‍ଠିକ୍ ଯାହା ଲେଖାହୋଇ ରହିଚି, ଧାତ୍ରୀଠାରୁ ସେ ତାହାହିଁ ଶୁଣିବାକୁ ପାଇବେ ବୋଲି ଆଶା କରିଥିଲେ-। ତେଣୁ ତାକୁ ପୁଣି ଥରେ ସମସ୍ତ ସୂତ୍ର ମୁଖସ୍ଥ କରିବାକୁ ହେଲା ଏବଂ ଛଅମାସ ପରେ ଆଉଥରେ ପରୀକ୍ଷା ଦେବାକୁ ପଡ଼ିଥିଲା ।

 

ଧର୍ମପ୍ରଚାରରୁ ମୁଁ ପ୍ରକୃତରେ ପ୍ରଭୂତ ଆନନ୍ଦ ଲାଭ କଲି । ଏକ ନୂତନ ଦେଶରେ ଯୀଶୁ ଏବଂ ସନ୍ଥ ପଲ୍‍ଙ୍କ ସହିତ ସମ୍ପୂର୍ଣ୍ଣ ଅପରିଚିତ ଥିବା ଲୋକମାନଙ୍କୁ ସେମାନଙ୍କର ପୂତବାଣୀ ଶୁଣାଇବାକୁ ମୁଁ ଏକ ଗୌରବମୟ କର୍ତ୍ତବ୍ୟ ବୋଲି ମନେକଲି । ମିସନ୍‍ ବିଦ୍ୟାଳୟର କୃଷ୍ଣକାୟ ଶିକ୍ଷକ ମୋର ଦୋଭାଷିଆ ରୂପେ କାର୍ଯ୍ୟ କରୁଥିଲେ । ମୋର ଗୋଟିଏ ଗୋଟିଏ ବାକ୍ୟକୁ ସେ ସଙ୍ଗେ ସଙ୍ଗେ ଗାଲୋଆ ବା ପାହୁଇନ୍ ବା ସମୟ ସମୟରେ ଉଭୟ ଭାଷାକୁ ଅନୁବାଦ କରି ଦେଉଥିଲେ ।

 

ଲାମ୍ବାରେନେଠାରେ ପ୍ରଥମ ବର୍ଷ ମୋତେ ଯେଉଁ ଟିକିଏ ଅବସର ସମୟ ମିଳୁଥିଲା, ତାହାକୁ ମୁଁ ବାଖ୍‍ଙ୍କର ଅର୍‍ଗାନ୍‍ ସଙ୍ଗୀତର ଆମେରିକାନ୍ ସଂସ୍କରଣର ଶେଷ କେତୋଟି ଭାଗ ପ୍ରସ୍ତୁତ କରିବାରେ ଅତିବାହିତ କରିଥିଲି ।

 

ମୋର ଅର୍‍ଗାନ୍ ବଜାଇବାରେ ଅଭ୍ୟାସ ଯେପରି ଛାଡ଼ି ନଯିବ, ସେଥିପାଇଁ ପାରିସ୍‍ର ବାଖ୍ ସୋସାଇଟି ମୋତେ ପେଡ଼ାଲ୍‍ଥିବା ଏକ ଚମତ୍କାର ପିଆନୋ ଉପହାର ଦେଇଥିଲେ । ଏହି ପିଆନୋଟି ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ସ୍ଵତନ୍ତ୍ର ଭାବରେ ତିଆରି ହୋଇଥିଲା । ସୋସାଇଟିର ଅର୍‍ଗାନ୍‍ବାଦକ ହିସାବରେ ସୋସାଇଟି ଲାଗି ମୁଁ କରିଥିବା କାର୍ଯ୍ୟର ପ୍ରତିସ୍ଵୀକାର ସ୍ୱରୂପ ସୋସାଇଟି ମୋତେ ଏହି ଉପହାରଟି ଦେଇଥିଲେ । ଅବଶ୍ୟ ପିଆନୋ ଅଭ୍ୟାସ କରିବାକୁ ପ୍ରଥମେ ପ୍ରଥମେ ମୋର ମନ ବଳିଲା ନାହିଁ । ମୁଁ ତ କ୍ରମେ ଆପଣାର ମନେମନେ ବିଶ୍ଵାସ କରି ନେଇଥିଲି ଯେ ଆଫ୍ରିକାରେ ମୋର ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସଙ୍ଗୀତ କଳାକାର ହିସାବରେ ମୋର ଜୀବନର ଅବଶ୍ୟ ଅବସାନ ଘଟିବ । ପିଆନୋ ବଜାଇବାର ଅଭ୍ୟାସ ନରହିଲେ ମୋର ପାଦ ଓ ଆଙ୍ଗୁଠିଗୁଡ଼ିକ କ୍ରମେ ଅନଭ୍ୟସ୍ତ ଓ ତେଣୁ ଅନଭିଜ୍ଞ ହୋଇପଡ଼ିବେ ଏବଂ ତାହା ଫଳରେ ମୋର ଏହି ତ୍ୟାଗ ବା ପରିହାର ଅଧିକ ସହଜ ହୋଇଯିବ, ମୁଁ ଏକଥା ବିଚାର କରି ନେଇଥିଲି । ଦିନେ ସନ୍ଧ୍ୟାବେଳେ ମନଟା କାହିଁକି ଭାରି ବିରସ ଲାଗୁଥାଏ, ହଠାତ୍ ଉଠିଯାଇ ମୁଁ ପିଆନୋରେ ବାଖ୍‍ଙ୍କର ଏକ ସଙ୍ଗୀତରାଗ ବଜାଇ ବସିଲି । ସେତିକିବେଳେ ମୋର ଧାରଣା ହେଲା ଯେ ଆଫ୍ରିକାରେ ମଧ୍ୟ ମୋର ଅବସର ସମୟରେ ଅଭ୍ୟାସ କରି ମୋର ବାଦନ କୌଶଳକୁ ମୁଁ ଅଧିକ ସିଦ୍ଧ ଓ ଅଧିକ ଗଭୀର କରି ନେଇ ପାରିବି । ସଙ୍ଗେ ସଙ୍ଗେ ମୋର ଯୋଜନା ଆରମ୍ଭ ହୋଇଗଲା, ପ୍ରଧାନ ସଙ୍ଗୀତଜ୍ଞମାନଙ୍କର ସଙ୍ଗୀତରାଗଗୁଡ଼ିକୁ ତନ୍ନ ତନ୍ନ କରି ଅଧ୍ୟୟନ କରିବାକୁ ଲାଗିଲି ଓ ସେଗୁଡ଼ିକୁ କ୍ରମେ ମୁଖସ୍ଥ କରି ପକାଇଲି । ଜଣଜଣଙ୍କୁ ମୁଖସ୍ଥ କରିବାରେ ହୁଏତ ମୋତେ କେତେ ସପ୍ତାହ ବା କେତେ ମାସ ସମୟ ଦେବାକୁ ପଡ଼ିଥିଲା । ଆପଣାର ଶାନ୍ତ ଓ ନିଶ୍ଚିନ୍ତ ଅବସର ସମୟରେ ଏଗୁଡ଼ିକର ଅଭ୍ୟାସ କରୁଥିଲି । କୌଣସି ସଙ୍ଗୀତାନୁଷ୍ଠାନରେ ମୋତେ ଅର୍‍ଗାନ୍‍ ବଜାଇବାକୁ ହେବ ବୋଲି ସମୟ ବିଷୟରେ କୌଣସିପ୍ରକାର ସଙ୍କୋଚ ବା ଦାସତ୍ୱ ମୋର ମନକୁ ଆଦୌ ସ୍ପର୍ଶ କରୁ ନଥିଲା । ପ୍ରକୃତରେ ଏହି ସଙ୍ଗୀତ ଶିଖିବାରୁ ମୁଁ ବହୁତ ଆନନ୍ଦ ପାଉଥିଲି ! ଅବଶ୍ୟ ଏଥିଲାଗି କେବଳ ଦିନବେଳେ ଅଧଘଣ୍ଟାଏ ବ୍ୟତୀତ ଅନେକ ସମୟରେ ମୁଁ ଅଧିକ ସମୟ ହିଁ ପାଉନଥିଲି !

 

X X X X

 

ମୋର ପତ୍ନୀ ଓ ମୁଁ ଆଫ୍ରିକାରେ ଆମର ଦ୍ଵିତୀୟ ଗ୍ରୀଷ୍ମକାଳ ଅତିବାହିତ କଲାପରେ ତୃତୀୟ ଗ୍ରୀଷ୍ମର ପ୍ରାରମ୍ଭରେ ଥରେ ସ୍ଵଦେଶଆଡ଼େ ବୁଲି ଆସିବାର ଯୋଜନ କରୁଥିଲୁ । ହଠାତ୍ ଏହି ସମୟରେ ଇଉରୋପରେ ଯୁଦ୍ଧ ଲାଗିଗଲାଣି ବୋଲି ୧୯୧୪ ମସିହା ଅଗଷ୍ଟ ପାଞ୍ଚ ତାରିଖରେ ଖବର ଆସି ପହଞ୍ଚିଲା । ଏଣିକି ଆମେ ଆପଣାକୁ ଯୁଦ୍ଧବନ୍ଦୀରୂପେ ମନେକରିବୁ, ଠିକ୍ ସେହିଦିନ ସନ୍ଧ୍ୟାରେ ଏହିପରି ଏକ ସମ୍ବାଦ ମଧ୍ୟ ଆମକୁ ଜଣାଇ ଦିଆଗଲା । ଅବଶ୍ୟ ଆପାତତଃ ଆମେ ଆମର ନିଜଘରେ ବାସ କରିପାରିବୁ, କିନ୍ତୁ ଶ୍ଵେତକାୟ ବା କୃଷ୍ଣକାୟ ସମସ୍ତଙ୍କ ସହିତ ଆମକୁ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଦେବାକୁ ପଡ଼ିବ ଏବଂ ଯେଉଁ କୃଷ୍ଣକାୟ ସୈନ୍ୟମାନେ ଆମକୁ ପହରା ଦେବାଲାଗି ମୁତୟନ୍ ରହିବେ, ବିନା ସର୍ତ୍ତରେ ସେମାନଙ୍କର ସମସ୍ତ ନିୟମ ଓ କଟକଣା ଆମକୁ ମାନିବାକୁ ପଡ଼ିବ । ଆମ ଭଳି ଆଉଜଣେ ମିସନାରୀ ଓ ତାଙ୍କର ପତ୍ନୀ ମଧ୍ୟ ଏଲ୍‍ସାଶ୍‍ର ଅଧିବାସୀଥିଲେ, ସେମାନଙ୍କୁ ମଧ୍ୟ ଏହିପରି ଭାବରେ ଲାମ୍ବାରେନେ ମିସନ୍‍ କେନ୍ଦ୍ରରେ ଅଟକବନ୍ଦୀ କରି ରଖା ଯାଇଥିଲା ।

 

କାଠ ବେପାରରେ କେଉଁଠି ଗୋଟାଏ କିଛି ଗୋଳମାଳ ଲାଗିଚି ଏବଂ ସେଥିପାଇଁ ସବୁ ଜିନିଷର ଦରଦାମ୍ ବଢ଼ିଯାଇଚି, କେବଳ ଏତିକି ବ୍ୟତୀତ ସ୍ଥାନୀୟ ଅଧିବାସୀମାନେ ଯୁଦ୍ଧ କହିଲେ ଆଉ କିଛି ବୁଝିପାରୁ ନଥିଲେ । କିନ୍ତୁ ଯେତେବେଳେ କିଛିଦିନ ପରେ ସେମାନଙ୍କ ଭିତରୁ ଅନେକଙ୍କୁ ସକ୍ରିୟ ସୈନ୍ୟବାହିନୀର କୁଲି ଭାବରେ କାମ କରିବାକୁ କାମେରୁନ୍ ନିଆଗଲା, ସେତେବେଳେ ଯାଇ ସେମାନେ ଯୁଦ୍ଧର ପ୍ରକୃତ ଅର୍ଥ ଅନୁମାନ କରିଥିଲେ ।

 

ତା’ପରେ ଦିନେ ଖବର ଆସି ପହଞ୍ଚିଲା ଯେ ଓଗୋଉଏ ନଦୀକୂଳରେ ବାସ କରୁଥିବା ଶ୍ଵେତାଙ୍ଗମାନଙ୍କ ମଧ୍ୟରୁ ଦଶଜଣ ଯୁଦ୍ଧରେ ପ୍ରାଣତ୍ୟାଗ କରିଚନ୍ତି । ଏହି ଖବରଟି ଶୁଣିବା ସଙ୍ଗେ ସଙ୍ଗେ ଜଣେ ବୃଦ୍ଧ ଆଦିବାସୀ ଅତି ଆଶ୍ଚର୍ଯ୍ୟ ହୋଇ ପଚାରିଲା : ‘‘କ’ଣ ! ଏ ଯୁଦ୍ଧରେ ଏତେ ଚଞ୍ଚଳ ଏତେଜଣ ମଣିଷ ମରି ସାରିଲେଣି ! ତେବେ ଦୁଇ ଜାତିର ଲୋକମାନେ ଏହି ଯୁଦ୍ଧର ବିଚାର କରିବାକୁ ସଭା ଡାକୁନାହାନ୍ତି କାହିଁକି ? ମୃତ ବ୍ୟକ୍ତିମାନଙ୍କ ପାଇଁ ଯେତେବେଳେ ସେମାନଙ୍କୁ କ୍ଷତିପୂରଣ ଦେବାକୁ ହେବ, ସେତେବେଳେ ସେମାନେ କୁଆଡ଼ୁ ଏତେ ଅର୍ଥ ଆଣିଦେଇ ପାରିବେ ?’’ କାରଣ ଆଦିବାସୀମାନଙ୍କର ଯୁଦ୍ଧରେ, ବିଜେତା ବା ବିଜିତ ଯେଉଁ ପକ୍ଷରୁ ହେଉ ପଛକେ, ଯେଉଁମାନେ ପ୍ରାଣତ୍ୟାଗ କରିବେ, ଅପର ପକ୍ଷକୁ ସେମାନଙ୍କ ଲାଗି କ୍ଷତିପୂରଣ ଦେବାକୁ ହୁଏ । ଇଉରୋପୀୟମାନେ ତ ମୃତବ୍ୟକ୍ତିର ମାଂସ ଖାଆନ୍ତିନାହିଁ, ତେବେ କେବଳ ନିଷ୍ଠୁରତା ପରବଶ ହୋଇ ହିଁ ସେମାନେ ପରସ୍ପରକୁ ହତ୍ୟା କରନ୍ତି, ବୃଦ୍ଧ ଆଦିବାସୀଟି ଇଉରୋପର ଯୁଦ୍ଧ ବିଷୟରେ ଏହି ମନ୍ତବ୍ୟ ପ୍ରକାଶ କରିଥିଲା ।

 

ଗୋରା ଲୋକେ ଅନ୍ୟ ଗୋରାଲୋକଙ୍କୁ ବନ୍ଦୀକରି ନେଉଚନ୍ତି ଏବଂ ସେମାନଙ୍କୁ କୃଷ୍ଣକାୟ ପ୍ରହରୀମାନଙ୍କର ତତ୍ତ୍ଵାବଧାନରେ ନେଇ ରଖୁଚନ୍ତି, ଏକଥା ଆଦିବାସୀମାନେ ଆଦୌ ବୁଝିପାରିଲେ ନାହିଁ । ମୋତେ ପହରା ଦେବାକୁ ଯେଉଁ କୃଷ୍ଣକାୟ ପ୍ରହରୀମାନେ ନିଯୁକ୍ତ ହୋଇ ଆସିଥିଲେ, ଆଖପାଖ ଗ୍ରାମମାନଙ୍କର ସ୍ଥାନୀୟ ଅଧିବାସୀମାନେ ସେମାନଙ୍କୁ କେତେ ଗାଳି ନ ଦେଇଚନ୍ତି । ପ୍ରହରୀମାନେ ଆପଣାକୁ ମନେମନେ ‘ଡାକ୍ତରଙ୍କର ମାଲିକ’ ବୋଲି ମନେ କରୁଚନ୍ତି କହି ସେମାନଙ୍କୁ କେତେ ଧିକ୍କାର ନ ଦେଇଚନ୍ତି ।

 

ଡାକ୍ତରଖାନାରେ କୌଣସିପ୍ରକାର କାର୍ଯ୍ୟ ଚାଲୁରଖିବା ବିଷୟରେ ମୋ’ଉପରେ ନିଷେଧାଜ୍ଞା ଜାରି ହୋଇଗଲା ପରେ ମୁଁ ଭାବିଲି ଯେ ଏହି ଅବସରରେ ମୁଁ ସନ୍ଥ ପଲ୍‍ଙ୍କ ସମ୍ବନ୍ଧରେ ଲେଖୁଥିବା ମୋର ବହିଟିକୁ ଶେଷ କରିଦେବି । କିନ୍ତୁ ଏହି ସମୟରେ ଆଉ ଗୋଟିଏ ବିଷୟ ଆସି ମୋର ସମସ୍ତ ବିଚାରକୁ ଅଧିକାର କରିବସିଲା । ଅବଶ୍ୟ ଅନେକ ବର୍ଷ ହେଲା ଏହି ବିଷୟଟି ମୋର ମନଭିତରେ ରହିଥିଲା ଏବଂ ବର୍ତ୍ତମାନର ମହାସମର ସେହି ବିଷୟଟିକୁ ଏକ ଜୀବନ୍ତ ଓ ନିର୍ଣ୍ଣୟକାରୀ ପ୍ରଶ୍ନରେ ପରିଣତ କରି ଦେଇଥିଲା । ଏହି ବିଷୟଟି ହେଉଚି ଆମ ସଂସ୍କୃତିର ସମସ୍ୟା । ତେଣୁ ଅଟକବନ୍ଦୀ ହୋଇ ରହିଥିବାର ଦ୍ଵିତୀୟ ଦିନ ‘ସଂସ୍କୃତିର ଦର୍ଶନ’ ସମ୍ବନ୍ଧରେ ମୁଁ ମୋର କାର୍ଯ୍ୟ ଆରମ୍ଭ କରିଦେଲି । ଡାକ୍ତରୀ ପଢ଼ିବା ଆଗରୁ ଠିକ୍ ଯେପରି ପ୍ରତିଦିନ ପ୍ରଭାତ ସମୟରୁ ମୁଁ ମୋ ଲେଖିବା ଟେବୁଲ ପାଖରେ ଆସି ବସି ଯାଉଥିଲି, ଏତେ ଦିନପରେ ପୁଣି ସେହିପରି ବସିବାର ଅବସର ପାଇଥିବାରୁ ପ୍ରକୃତରେ ମୁଁ ଆପଣାକୁ ବଡ଼ ଅବାକ୍ ଅନୁଭବ କରୁଥିଲି ।

 

X X X X

 

ଏହିପରି ଏକ ବିଷୟର ଅଧ୍ୟୟନ କରିବାକୁ ପ୍ରଥମେ ୧୮୯୯ ମସିହାର ଗ୍ରୀଷ୍ମକାଳରେ ମୋର ଆକାଙ୍‍କ୍ଷା ଜାତ ହୋଇଥିଲା । x x x ମାନବଜାତି କ୍ରମାଗତ ପ୍ରଗତି ଦିଗରେ ଅଗ୍ରସର ହୋଇ ଚାଲିଚି ବୋଲି ଅନେକେ ଯେଉଁ ମତ ଦିଅନ୍ତି, ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ପ୍ରଥମ କେତେବର୍ଷଠାରୁ ହିଁ ଏହି ମତ ଉପରେ ମୋର ଭାରି ସଂଶୟ ଜାତ ହୋଇଥିଲା । ମୁଁ ଭାବୁଥିଲି ଯେ ମନୁଷ୍ୟଜାତିର ଆଦର୍ଶର ଅଗ୍ନି ବର୍ତ୍ତମାନ କେବଳ ଅତି କ୍ଷୀଣଭାବରେ ଜଳୁଛି ଏବଂ ଏଥିପ୍ରତି କେହି ଦୃଷ୍ଟିପାତ କରୁନାହାନ୍ତି ବା ଏହି ବିଷୟରେ କେହି ଚିନ୍ତା ମଧ୍ୟ କରୁନାହାନ୍ତି । ପ୍ରଶସ୍ତ ଦିବାଲୋକରେ ମଧ୍ୟ ଏହି ସଂସାରରେ ଅମାନୁଷିକ ବିଚାରଗୁଡ଼ିକର ସଂକ୍ରମଣ ହୋଇ ଚାଲିଚି, କିନ୍ତୁ ସାଧାରଣ ଲୋକମତ ହାନିକାରକ ମନେକରି ସେଗୁଡ଼ିକୁ ବର୍ଜନ କରିବାର କୌଣସି ଆଗ୍ରହ ପ୍ରକାଶ କରୁନାହିଁ, ବରଂ ସେଗୁଡ଼ିକୁ ବେଶ୍ ଗ୍ରହଣ କରିନେଉଚି, ସରକାର ଓ ଜାତିମାନେ ଆଚରଣ କରୁଥିବା ଅନେକ ଅମାନୁଷିକ କାର୍ଯ୍ୟକୁ ମଧ୍ୟ ଲୋକମତ ଲାଭଦାୟକ ଓ ଫଳପ୍ରଦ ବୋଲି ସମର୍ଥନ କରିଯାଉଚି, ଅନେକ ସମୟରେ ଏହି ସଂସାରକୁ ନିରୀକ୍ଷଣ କରି ଏହା ମୋତେ ସ୍ଵୀକାର କରିବାକୁ ପଡ଼ିଥିଲା । ଏପରିକି ଯାହା ଅବଶ୍ୟ ନ୍ୟାୟୋଚିତ ଓ ଆମର ଅବଶ୍ୟ କର୍ତ୍ତବ୍ୟ, ସେଥିପ୍ରତି ସାଧାରଣତଃ ସମସ୍ତେ କେବଳ ଉପର ମନର ଉତ୍ସାହ ପ୍ରଦର୍ଶନ କରୁଛନ୍ତି ବୋଲି ମୋତେ ବୋଧ ହୋଇଥିଲା । ଆଧୁନିକ ଯୁଗର ସମସ୍ତ କରାମତି ପାଇଁ ଆମେ ଯେତେ ଗର୍ବ ଅନୁଭବ କରୁଥିଲେ ମଧ୍ୟ ଆଧୁନିକ ଯୁଗର ମଣିଷ ଭିତରେ ଏକପ୍ରକାର ଅଦ୍ଭୁତ ବୌଦ୍ଧିକ ଓ ଆଧ୍ୟାତ୍ମିକ ଅବସନ୍ନତା ତାକୁ ଗ୍ରାସ କରି ଚାଲିଚି ବୋଲି ଅନେକ ନିଦର୍ଶନରୁ ମୁଁ ଅନୁମାନ କରିଥିଲି । ମଣିଷଜାତିର ଭବିଷ୍ୟତ ବିଷୟରେ ଆଗରୁ ଯେଉଁସବୁ ଆଶା ପୋଷଣ କରାଯାଇଥିଲା, ସେଗୁଡ଼ାକ ଅତି ଉଚ୍ଚ ଓ ଅବସ୍ତାବ ବୋଲି ଯେପରି କ୍ରମେ ସମସ୍ତେ ଭାବିବାକୁ ଆରମ୍ଭ କରିଥିଲେ ଏବଂ ପ୍ରକୃତରେ ଯେତିକି ବାସ୍ତବ ଓ ସାଧ୍ୟ, କେବଳ ସେତିକି ଭିତରେ ଆପଣାକୁ ସୀମାବଦ୍ଧ କରି ରଖିବାକୁ ସମସ୍ତେ ଯେପରି ଏକ ଆବଶ୍ୟକତା ଅନୁଭବ କରୁଥିଲେ, ଆଧୁନିକ ମଣିଷସମାଜରେ ସମସ୍ତେ ପରସ୍ପର ପାଖରେ ଏହିପରି ଯୁକ୍ତିମାନ ଉପସ୍ଥାପିତ କରୁଛନ୍ତି ବୋଲି ମୋତେ ଲାଗିଲା । ଚାରିଆଡ଼େ କେବଳ ବାସ୍ତବସ୍ଥିତି ଓ ବାସ୍ତବ ନୀତି (Realpolitik)ର ସ୍ଲୋଗାନ୍ ଶୁଣାଯାଉଥିଲା, ସଂକୀର୍ଣ୍ଣ ଦୃଷ୍ଟିସମ୍ପନ୍ନ ଜାତୀୟତାକୁ ସର୍ବୋକୃଷ୍ଟ ପନ୍ଥା ବୋଲି ଘୋଷଣା କରିବା ଏବଂ ଏପର୍ଯ୍ୟନ୍ତ ପ୍ରଗତିର ବାଧକ ବୋଲି ମନେକରି ପ୍ରତିରୋଧ କରାଯାଇଥିବା ଶକ୍ତି ଓ ମନୋବୃତ୍ତିଗୁଡ଼ିକ ସହିତ ଆପୋଷ ରାଜିନାମା କରିବାକୁ ପ୍ରବର୍ତ୍ତନା ଦେବା ବ୍ୟତୀତ ଏହି ସ୍ଲୋଗାନ୍‍ର ଆଉ କୌଣସି ମତଲବ ନଥିଲା । ଆମର ସଂସ୍କୃତିରେ ଯେ କ୍ରମେ ଅଧୋଗତି ହେବାରେ ଲାଗିଚି, ତାହାର ଆଉ ଗୋଟିଏ ପ୍ରମାଣ ମଧ୍ୟ ମୁଁ ପାଇଥିଲି । ଶିକ୍ଷିତ ସମାଜରୁ ଯେଉଁ ଅନ୍ଧବିଶ୍ଵାସମାନଙ୍କୁ ବହିଷ୍କୃତ କରି ଦିଆଯାଇଥିଲା, ସେସବୁକୁ ସମାଜରେ ପୁଣି ପ୍ରବେଶ କରାଇବାକୁ ଏଣିକି ଅନେକେ ଉଚିତ ମନେ କରୁଥିଲେ ବୋଲି ମୋର ମନେହେଲା ।

 

ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଲୋକମାନେ ଅତୀତକୁ ଦୃଷ୍ଟିପାତ କରି ଆପଣାର କାର୍ଯ୍ୟକଳାପ ଓ ପରାକ୍ରମର ମୂଲ୍ୟ ନିରୂପଣ କରିବାକୁ ଲାଗିଲେ, ସେତେବେଳେ ସେମାନେ ଯେପରି ଉଗ୍ରଭାବରେ ଆଶାବାଦୀ ହୋଇପଡ଼ିଲେ, ମୁଁ ତାହା ଆଦୌ ବୁଝି ପାରିଲି ନାହିଁ-। ଆମେ ଯେ କେବଳ ବୈଜ୍ଞାନିକ ଉଦ୍ଭାବନ ଓ ଜ୍ଞାନରେ ପ୍ରଗତି କରିଚୁ ତାହା ନୁହେଁ, ବୌଦ୍ଧିକ ଓ ନୈତିକ କ୍ଷେତ୍ରରେ ମଧ୍ୟ ଆମେ ଯେଉଁ ଉଚ୍ଚ ସ୍ତରରେ ଉପନୀତ ହୋଇଚୁ ଓ ଜୀବନଯାପନ କରୁଚୁ, ଆମ ଆଗରୁ କେହି କେବେ ଏତେ ଉଚ୍ଚକୁ ଆସି ନଥିଲେ ଓ ଆମେ କେବେହେଲେ ଏହି ଉନ୍ନତ ସ୍ତରରୁ ତଳକୁ ଖସିଯାଇ ପାରିବୁନାହିଁ, ଏହିପରି ଏକ ଧାରଣାକୁ ସବୁଆଡ଼େ ସମସ୍ତେ ଏକ ପରିଷ୍କାର ସତ୍ୟ ବୋଲି ଗ୍ରହଣ କରି ନେଇଥିଲେ । କିନ୍ତୁ ମୁଁ ଭାବୁଥିଲି ଯେ ମାନସିକ ଏବଂ ଆଧ୍ୟାତ୍ମିକ ଜୀବନର ଦୃଷ୍ଟିକୋଣରୁ ଦେଖିଲେ ଆମେ ଯେ ପୁରାତନ ବଂଶଧରମାନଙ୍କର ସ୍ତରଠାରୁ ଅନେକ ନିମ୍ନରେ ଥିଲୁ ତା’ନୁହେଁ, ଅଧିକନ୍ତୁ ଅନେକ କ୍ଷେତ୍ରରେ ଆମେ କେବଳ ସେହିମାନଙ୍କର ଅର୍ଜନ ଉପରେ ହିଁ ତିଷ୍ଠି ରହିଥିଲୁ...ଏବଂ ଏହି ଉତ୍ତରାଧିକାର ବର୍ତ୍ତମାନ ଅନେକ ପରିମାଣରେ ଆମ ହାତରୁ ଖସିଯିବାକୁ ବସିଥିଲା ।

 

X X X X

 

ଅନେକ ଦିନ ହେଲା ଆମର ଯୁଗ ବିଷୟରେ ନୀରବ ଏବଂ ଅର୍ଦ୍ଧଚେତନ ଭାବରେ ମୁଁ ଯେଉଁ ସମାଲୋଚନା ମୂଳକ ଭାବ ପୋଷଣ କରି ଆସିଥିଲି, ସେଦିନ ବର୍ଲିନରେ ସନ୍ଧ୍ୟାବେଳେ ଆଉଜଣେ ଠିକ୍ ସେହି ଭାବକୁ ପ୍ରକାଶ କରୁଥିବାର ମୁଁ ଶୁଣିବାକୁ ପାଇଲି । ସେହି ଦିନଠାରୁ ମୋର ଅନ୍ୟାନ୍ୟ କାର୍ଯ୍ୟ ସହିତ ମନେମନେ ମୁଁ ଆଉ ଗୋଟାଏ ପୁସ୍ତକର ଯୋଜନା ମଧ୍ୟ କରିବାକୁ ଲାଗିଲି । ପୁସ୍ତକଟିର ନାମ ରଖିଲି, ‘ଆମେ ଅତୀତର ଦାୟାଦ’ (Wir Epigonen) । ଏହି ପୁସ୍ତକଟିରେ ମୁଁ ଯେଉଁସବୁ ବିଚାର ପ୍ରକଟ କରିବାକୁ ଯାଉଚି, ଅନେକ ସମୟରେ ସେହି ବିଷୟରେ ବନ୍ଧୁମେଳରେ ଚର୍ଚ୍ଚା ମଧ୍ୟ କରିଥିଲି । କିନ୍ତୁ ମୋର ବିଚାରଗୁଡ଼ିକୁ ସେମାନେ ଅଧିକାଂଶ ସ୍ଥଳରେ କେବଳ ଜଣେ ଆଧୁନିକ ନିରାଶାବାଦୀର ଆଗ୍ରହୋଦ୍ଦୀପକ ବିରୋଧାଭାସ ଏବଂ ଭାବପ୍ରକାଶ ବ୍ୟତୀତ ଅନ୍ୟ କୌଣସି ଭାବରେ ଗ୍ରହଣ କରିନଥିଲେ । ତା’ପରେ ମୋର ବିଚାରଗୁଡ଼ିକୁ ମୁଁ ସତର୍କ ଭାବରେ ଅପାଣାର ମନଭିତରେ ଆବଦ୍ଧ କରି ରଖିଲି । କେରଳ ଗିର୍ଜାରେ ମୋର ଉପାସନାନ୍ତିକ ଭାଷଣ ଦେଲାବେଳେ ଆମର ସଂସ୍କୃତି ଓ ଆମର ଆଧ୍ୟାତ୍ମିକତା ବିଷୟରେ ମୁଁ ମୋର ସଂଶୟଗୁଡ଼ାକୁ ବେଳେବେଳେ ପ୍ରକାଶ କରି ପକାଉଥିଲି ।

 

ଏବଂ ସଂସ୍କୃତିରେ ଘଟିଥିବା ଅଧୋପତନର ପରିଣାମ ସ୍ଵରୂପ ବର୍ତ୍ତମାନ ଆମକୁ ଏହି ମହାସମରର ସମ୍ମୁଖୀନ ହେବାକୁ ପଡ଼ିଲା ।

 

ତେବେ ‘ଆମେ-ଅତୀତର ଦାୟାଦ,’ ଏହି ଉକ୍ତିର ପ୍ରକୃତରେ କୌଣସି ଅର୍ଥ ହିଁ ନଥିଲା-। ସଂସ୍କୃତିର ଏକ ସମାଲୋଚନା ମୂଳକ ଅଧ୍ୟୟନ କରିବାଲାଗି ମୁଁ ଏହି ପୁସ୍ତକଟିର କଳ୍ପନା କରିଥିଲି । ସଂସ୍କୃତିରେ କିପରି ଅଧୋଗତି ଆରମ୍ଭ ହେଲାଣି ତାହା ଦର୍ଶାଇ ଦେବାକୁ ଏବଂ ଏଥି ସହିତ ସଂଲଗ୍ନ ଥିବା ବିପଦଗୁଡ଼ିକ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୁଁ ପୁସ୍ତକଟି ଲେଖିବାର ବିଚାର କରିଥିଲି । କିନ୍ତୁ ସତକୁ ସତ ବିପଦ ଆସି ଉପରେ ପଡ଼ିବାପରେ ତାହାର କାରଣ ଉପରେ କୌଣସି ଚିନ୍ତା ବା ଆଲୋଚନା କରିବାର ଆଉ କି ଆବଶ୍ୟକତା ରହିଚି, କାରଣଗୁଡ଼ାକ ତ ବର୍ତ୍ତମାନ ସମସ୍ତଙ୍କୁ ଜଳ ଜଳ ହୋଇ ଦେଖା ଯାଉଥିବ ।

 

ତେଣୁ ଏହି ପୁସ୍ତକଟି ଲେଖିବାପାଇଁ ବର୍ତ୍ତମାନ ଆଉ କୌଣସି ଆବଶ୍ୟକତା ନଥିଲା । ସେଇଟିକୁ କେବଳ ଆପଣା ଲାଗି ଲେଖିବି ବୋଲି ମୁଁ ସ୍ଥିର କଲି । କିନ୍ତୁ ଏହି ପୁସ୍ତକଟିର ପାଣ୍ଡୁଲିପିକୁ ଯେ ଯୁଦ୍ଧବନ୍ଦୀ ପାଖରୁ ଛଡ଼ାଇ ନିଆନଯିବ, ଏକଥା ନିଶ୍ଚିତ ଭାବରେ କିଏ କହିପାରିବ-? ଆଉଥରେ ଇଉରୋପ ଦେଖିବା ମୋର ଭାଗ୍ୟରେ ଜୁଟିବ ବୋଲି ବର୍ତ୍ତମାନ ଆଉ କେଉଁ ସ୍ଥିରତା ଥିଲା ?

 

ଏହିପରି ଏକ ସମ୍ପୂର୍ଣ୍ଣ ନିରାସକ୍ତ ମନୋଭାବ ନେଇ ମୁଁ ବହିଟିକୁ ଲେଖିବା ଆରମ୍ଭ କଲି-। ପରେ ଯେତେବେଳେ ଆଖପାଖ ଗାଆଁକୁ ଯାଇପାରିବାକୁ ଓ ରୋଗୀମାନଙ୍କର ଶୁଶ୍ରୂଷାରେ ଆପଣାକୁ ନିୟୋଜିତ କରିବାକୁ ମୋତେ ଅନୁମତି ମିଳିଲା, ସେତେବେଳେ ମଧ୍ୟ ମୁଁ ଏହି ବହିଟିର କାର୍ଯ୍ୟ ଚାଲୁ ରଖିଥିଲି । ନଭେମ୍ବରମାସ ଶେଷ ବେଳକୁ ଆମକୁ ନଜରବନ୍ଦୀରୁ ମୁକ୍ତ କରି ଦିଆଗଲା । ପରେ ମୁଁ ଜାଣିବାକୁ ପାଇଥିଲି ଯେ ଭିଡୋରଙ୍କର ଚେଷ୍ଟା ଦ୍ଵାରା ଏହା ସମ୍ଭବ ହୋଇଥିଲା । ଏଥିପାଇଁ ମୁଁ ତାଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ ରହିଥିବି । କିନ୍ତୁ ଏହି ଆଦେଶ ଆସିବା ପୂର୍ବରୁ ମଧ୍ୟ ମୋତେ ରୋଗୀମାନଙ୍କଠାରୁ ଅଲଗା କରି ରଖିବାର ଆଇନକୁ କାର୍ଯ୍ୟକାରୀ କରିବା ସମ୍ଭବ ହୋଇ ପାରୁନଥିଲା । କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ଶହ ଶହ ମାଇଲ ବ୍ୟାପୀ ଏକ ଅଞ୍ଚଳରେ ରହିଥିବା ଏକମାତ୍ର ଡାକ୍ତରର ସେବାରୁ ଯେ କାହିଁକି ସେମାନଙ୍କୁ ବଞ୍ଚିତ କରି ରଖାଯିବ, ଏହାରି ବିରୁଦ୍ଧରେ କଳା ଗୋରା ସମସ୍ତେ ତୀବ୍ର ପ୍ରତିବାଦ ଜଣାଇଥିଲେ । ଫଳତଃ ଜିଲ୍ଲାଧିକାରୀ ଅନେକ ସମୟରେ ଆଜି ଜଣକୁ, କାଲି ଆଉ ଜଣକୁ, ଏହିପରି ଚିଠି ଲେଖି ମୋର ପ୍ରହରୀମାନଙ୍କ ପାଖକୁ ପଠାଇବାକୁ ବାଧ୍ୟ ହେଉଥିଲେ । ପତ୍ରବାହକମାନେ ମୋର ସାହାଯ୍ୟ ଦରକାର କରୁଛନ୍ତି, ତେଣୁ ମୋ’ ସହିତ ସାକ୍ଷାତ କରିବା ଲାଗି ସେମାନଙ୍କୁ ଅନୁମତି ଦେବାପାଇଁ ସେ ଏହି ପତ୍ରଗୁଡ଼ିକରେ ନିର୍ଦ୍ଦେଶ ଦେଇ ପଠାଉଥିଲେ ।

 

କିନ୍ତୁ ଯେତେବେଳେ ଅପେକ୍ଷାକୃତ ଅଧିକ ମୁକ୍ତ ଭାବରେ ପୁଣି ମୁଁ ମୋର ଚିକିତ୍ସା କାର୍ଯ୍ୟ ଆରମ୍ଭ କରିଦେଲି, ତଥାପି ସଂସ୍କୃତି ସମ୍ବନ୍ଧରେ ଲେଖୁଥିବା ପୁସ୍ତକଟି ପାଇଁ ମଧ୍ୟ ମୋତେ ବେଶ୍‍ ସମୟ ମିଳି ଯାଉଥିଲା । ଏହି ବହିଟିକୁ ଲେଖିବାକୁ ମୁଁ କେତେକେତେ ରାତି ଉଜାଗର ହୋଇ ବସିଚି, ଟ୍ରେଞ୍ଚ ଭିତରେ ଆଶ୍ରୟ ନେଇଥିବା ଦୁର୍ଦ୍ଦଶାପନ୍ନ ଲୋକମାନଙ୍କର କଥା ସ୍ମରଣ କରି ଗଭୀରତମ ଦୁଃଖାନୁଭୂତିରେ ଅଭିଭୂତ ହୋଇ ମୁଁ କେତେଦିନ ଏହି ପୁସ୍ତକଟିକୁ ଚିନ୍ତା କରିବାରେ ଓ ଲେଖିବାରେ ନିମଗ୍ନ ନ ରହିଚି !

 

X X X X

 

୧୯୧୫ଗ୍ରୀଷ୍ମ ଋତୁର ପ୍ରାରମ୍ଭରେ ସତେ ଅବା ଏକ ଗଭୀର ମାନସ-ସୁପ୍ତିରୁ ମୁଁ ଜାଗ୍ରତ ହୋଇ ଉଠିବସିଲି । ସଂସ୍କୃତିର କେବଳ ଏକ ସମାଲୋଚନା ଲେଖି କି ଲାଭ ? ଆମକୁ ‘ଅତୀତର ଦାୟାଦ’ ବୋଲି କେତେଦୂର କୁହାଯାଇ ପାରିବ, କେବଳ ଏହାରି ଏକ ବିଶ୍ଳେଷଣ କରି କାହିଁକି ମୁଁ ସନ୍ତୁଷ୍ଟ ହୋଇଯିବି ? ମୋର ପୁସ୍ତକରେ ମୁଁ ସମସ୍ୟାଟିର ଏକ ରଚନାତ୍ମକ ଆଲୋଚନା କାହିଁକି ନ କରିବି ?

 

ଏହିପରି ଏକ ଅଭିଲାଷର ବଶବର୍ତ୍ତୀ ହୋଇ ଆମେ କାହିଁକି ସଂସ୍କୃତି ଚାହୁଁ ଏବଂ ତାହାକୁ ଜୀବନରେ ସମ୍ଭବ କରାଇବା ଲାଗି ଆମେ କାହିଁକି ଉପଯୁକ୍ତ ଶକ୍ତି ଅର୍ଜନ କରିବାକୁ ଇଚ୍ଛା କରୁ, ବର୍ତ୍ତମାନ ମୁଁ ଏହାର ଅନୁସନ୍ଧାନ ଆରମ୍ଭ କରିଦେଲି ଏବଂ ସେଥିଲାଗି ଆବଶ୍ୟକ ଜ୍ଞାନ ଓ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଲି । ‘ଆମେ ଅତୀତର ଦାୟାଦ’ ବିଷୟଟି ସଂସ୍କୃତିର ପୁନନିର୍ମାଣ ବିଷୟକୁ ପ୍ରସାରିତ ହୋଇଗଲା ।

 

ସଂସ୍କୃତି ଏବଂ ଜୀବନ-ଦୃଷ୍ଟି (Welt anschauung) ମଧ୍ୟରେ କେତେଦୂର ନିକଟ ସମ୍ପର୍କ ରହିଚି, ମୋର ଅଧ୍ୟୟନ କାଳରେ ମୁଁ ଏହି ବିଷୟରେ ଅତ୍ୟନ୍ତ ପରିଷ୍କାର ହୋଇ ଯାଇଥିଲି । ଅକାମର ଜୀବନ-ଦୃଷ୍ଟିରେ ପ୍ରମାଦ ଘଟିବା ଯୋଗୁଁ ଯେ ଆମର ସଂସ୍କୃତିରେ ମଧ୍ୟ ପ୍ରମାଦ ଆସି ପହଞ୍ଚିଚି, ମୁଁ କ୍ରମେ ଏହି ତଥ୍ୟଟିକୁ ସ୍ଵୀକାର କରିବାକୁ ଆରମ୍ଭକଲି ।

 

ଯଥାର୍ଥ ସଂସ୍କୃତିର ଆଦର୍ଶଗୁଡ଼ିକ ଆଜି ଅତ୍ୟନ୍ତ ନିଷ୍ପ୍ରଭ ହୋଇ ପଡ଼ିଚନ୍ତି, କାରଣ ଯେଉଁ ଆଦର୍ଶବାଦୀ ଜୀବନ ଦୃଷ୍ଟି ଉପରେ ସେଗୁଡ଼ିକ ପ୍ରତିଷ୍ଠିତ ହୋଇ ରହିଚନ୍ତି, ସେଗୁଡ଼ିକ ଆମଠାରୁ କ୍ରମେ ହଜି ହଜି ଚାଲି ଯାଉଚି । ଆଜି ବିଭିନ୍ନ ଜାତି ଓ ସମଗ୍ର ମାନବ ସମାଜ ଭିତରେ ଯାହା ସବୁ ଘଟଣା ଘଟୁଚି, ବର୍ତ୍ତମାନ ସଂସାରର ଜୀବନ ଦୃଷ୍ଟିରେ ନିହିତ ଥିବା ଆଧ୍ୟାତ୍ମିକ କାରଣଗୁଡ଼ିକରୁ ହିଁ ସେହିସବୁ ଘଟଣାର ଉତ୍ପତ୍ତି ହେଉଚି ।

 

କିନ୍ତୁ ସଂସ୍କୃତି କହିଲେ ଆମେ ପ୍ରକୃତରେ କ’ଣ ବୁଝିବା ?

 

ବ୍ୟକ୍ତି ତଥା ସମାଜର ପରିପୂର୍ଣ୍ଣ ନୈତିକ ବିକାଶକୁ ଆମେ ସଂସ୍କୃତିର ସାର ଉପାଦାନ ବୋଲି ଗ୍ରହଣ କରିପାରିବା । କିନ୍ତୁ ତହିଁ ସଙ୍ଗେ ସଙ୍ଗେ ଆମକୁ ଜାଣିରଖିବାକୁ ହେବ ଯେ ଆଧ୍ୟାତ୍ମିକ ଓ ଭୌତିକ କ୍ଷେତ୍ରରେ ଆମେ ଆଗକୁ ପକାଉଥିବା ପ୍ରତ୍ୟେକ ପାଦରେ ମଧ୍ୟ ସଂସ୍କୃତିଲାଗି ମହତ୍ତ୍ଵ ରହିଚି । ତେଣୁ ଆମେ ସଂସ୍କୃତିର ଇଚ୍ଛାକୁ ନୈତିକ ମୂଲ୍ୟକୁ ଉଚ୍ଚତମ ମୂଲ୍ୟ ବୋଲି ମାନୁଥିବା ଅଗ୍ରଗତି ବା ପ୍ରଗତିର ଇଚ୍ଛା ବୋଲି ଅର୍ଥ କରିପାରିବା । ଜ୍ଞାନ ବା ବୈଜ୍ଞାନିକ କରାମତିର ବିଜୟ ଉପରେ ଆମେ ଯେତେ ଅଧିକ ମହତ୍ତ୍ଵ ଦେଲେ ତଥାପି କେବଳ ନୈତିକ ଉଦ୍ଦେଶ୍ୟର ଉପଲବ୍ଧି ପାଇଁ ସତତ ଚେଷ୍ଟିତ ଥିବା ମନୁଷ୍ୟ-ସମାଜ ଯେ ଭୌତିକ ଅଗ୍ରଗତି ଦ୍ଵାରା ସମ୍ଭବ ହେଉଥିବା ସୁଖ ସ୍ଵାଚ୍ଛନ୍ଦ୍ୟର ଯଥାର୍ଥ ଅଧିକାରୀ ହୋଇପାରିବ ଏବଂ ଏଥିସହିତ ନିହିତ ଥିବା ବିପଦଗୁଡ଼ିକ ଉପରେ ମଧ୍ୟ ବିଜୟ ହାସଲ କରିପାରିବ, ଏହି ନିଃସନ୍ଦେହ ସତ୍ୟକୁ ଆମକୁ ସ୍ଵୀକାର କରିବାକୁ ହେବ । କିନ୍ତୁ ଆମର ଏହି ଯୁଗର ବଂଶଧରମାନେ ପ୍ରଗତି ଭିତରେ ସ୍ଵତଃ ଓ ସ୍ଵାଭାବିକ ଭାବରେ ଆପଣାକୁ ଉପଲବ୍ଧ କରିବାର ଶକ୍ତି ଅନ୍ତର୍ନିହିତ ରହିଚି ବୋଲି ଏକ ଭ୍ରମବିଶ୍ଵାସର ବଶବର୍ତ୍ତୀ ହୋଇପଡ଼ିଲେ । ସେମାନେ ବିଶ୍ଵାସ କରି ପକାଇଲେ ଯେ ଏହି ପ୍ରଗତି ଲାଗି କୌଣସି ନୀତିଗତ ଆଦର୍ଶର କୌଣସି ଆବଶ୍ୟକତା ନାହିଁ ଏବଂ କେବଳ ଜ୍ଞାନ ଓ ବୈଜ୍ଞାନିକ କରାମତିର ବଳରେ ହିଁ ଏହା ଅଧିକରୁ ଅଧିକ ଅଗ୍ରସର ହୋଇ ଚାଲିଥିବ । କିନ୍ତୁ ଏପରି ବିଶ୍ଵାସ ଯେ କେତେ ଭ୍ରମାତ୍ମକ ଓ ପ୍ରମାଦପୂର୍ଣ୍ଣ, ଗୋଡ଼ ଖସାଇ ମଣିଷଜାତି ବର୍ତ୍ତମାନ ଯେଉଁ ଆବହ ଭିତରେ ଆସି ପଡ଼ିଚି, ସେଇଥିରୁହିଁ ତା’ର ପ୍ରମାଣ ମିଳିଯାଇ ପାରିବ ।

 

କେବଳ ଏକ ଯଥାର୍ଥ ସଂସ୍କୃତିଭିତରେ ନିହିତ ଥିବା ଆଦର୍ଶର ନିୟନ୍ତ୍ରଣ ଭିତରକୁ ଆମକୁ ଆଣିପାରିବା ଭଳି ଏକ ଜୀବନଦୃଷ୍ଟି ଗ୍ରହଣ କରି ପାରିଲେ ହିଁ ଆମକୁ ବର୍ତ୍ତମାନର ଅରାଜକତାରୁ ନିଷ୍କୃତି ମିଳି ପାରିବ ।

 

କିନ୍ତୁ ଯେଉଁ ଜୀବନଦୃଷ୍ଟିରେ ଆମକୁ ଅଗ୍ରଗତିର ବିଶ୍ଵଜନୀନ ଇଚ୍ଛା ଏବଂ ନୈତିକ ଜୀବନର ଇଚ୍ଛା ଉଭୟ ସମ୍ମିଳିତ ଭାବରେ ପ୍ରାପ୍ତ ହୋଇପାରିବ, ସେହି ଜୀବନଦୃଷ୍ଟିର ଲକ୍ଷଣ ଓ ସ୍ଵଭାବ ପ୍ରକୃତରେ କିପରି ହେବା ଉଚିତ ?

 

ଜଗତ ଓ ଜୀବନକୁ ଏକ ନୈତିକ ଭୂମି ଉପରେ ସ୍ଵୀକାର କରି ନେବାରେ ହିଁ ଏହି ଜୀବନଦୃଷ୍ଟିର ମର୍ମ ନିହିତ ହୋଇ ରହିଚି ।

 

କିନ୍ତୁ ଜଗତ ଓ ଜୀବନକୁ ନୈତିକ ଭୂମି ଉପରେ ସ୍ଵୀକାର କରିନେବାର ପ୍ରକୃତ ଅର୍ଥ କ’ଣ ?

 

ଆମ ଇଉରୋପୀୟ ଏବଂ ଇଉରୋପୀୟ-ବଂଶୀୟମାନଙ୍କ ପାଇଁ ପ୍ରଗତିର ଇଚ୍ଛା ଏତେଦୂର ପ୍ରକୃତିଗତ ଓ ସ୍ଵାଭାବିକ ହୋଇଯାଇଚି ଯେ ଏହି ଇଚ୍ଛା ଯେ ମୂଳତଃ ଏକ ଜୀବନଦୃଷ୍ଟି ଉପରେ ପ୍ରତିଷ୍ଠିତ ରହିଚି, ଏବଂ ଏକ ମାନସ-ସ୍ତରର ଉତ୍ସରୁ ଯେ ଏହାର ଜନ୍ମ ହୋଇଚି, ଆମେ କେବେହେଲେ ସେକଥା ଠଉରାଇ ପାରିନାହୁଁ । କିନ୍ତୁ ଚତୁର୍ଦ୍ଦିଗର ପୃଥିବୀ ଉପରେ ଦୃଷ୍ଟିପାତ କଲେ ଆମେ ତତ୍‍କ୍ଷଣାତ୍ ହୃଦୟଙ୍ଗମ କରିପାରିବା ଯେ ଆମକୁ ଯାହା ଅତି ସ୍ଵାଭାବିକ ବୋଲି ମନେହେଉଚି, ପ୍ରକୃତରେ ତାହା ସେପରି ସ୍ଵାଭାବିକ ବା ପ୍ରକୃତିଗତ ନୁହେଁ । ଜ୍ଞାନ, ଶକ୍ତି ଏବଂ ମନୁଷ୍ୟର ବାହ୍ୟ ଜୀବନ ଓ ସମାଜ ଉନ୍ନତି ସାଧନ କରିବାପାଇଁ ଏ ସଂସାରରେ ଯେତେ ଉଦ୍ୟମ ହେଉଚି, ଭାରତୀୟ ବିଚାର ତାହାକୁ କେବଳ ଭ୍ରମ ବା ମାୟା ବୋଲି ଘୋଷଣା କରିଚି । ମନୁଷ୍ୟ ଆପଣାକୁ ଆପଣା ଭିତରକୁ ପ୍ରତ୍ୟାହୃତ କରିଆଣୁ ଏବଂ ଆପଣାର ଅନ୍ତର୍ଗତ ଜୀବନକୁ ଗଭୀରତର କରିବାର ଚେଷ୍ଟାରେ ଆପଣାର ସମସ୍ତ ଶକ୍ତି ନିଯୋଜିତ କରୁ, ଏହାକୁ ହିଁ ଜୀବନାଚରଣର ଏକମାତ୍ର ଉଚିତ ମାର୍ଗ ବୋଲି ଭାରତୀୟ ଦର୍ଶନ ପରାମର୍ଶ ଦେଇଥାଏ । ମନୁଷ୍ୟସମାଜ ବା ମନୁଷ୍ୟ ଜାତିର କ’ଣ ହେବ ବା ନହେବ, ସେ ବିଷୟରେ ମନୁଷ୍ୟର କୌଣସି ଚିନ୍ତା କରିବାର ନାହିଁ, ଭାରତୀୟ ଦର୍ଶନର ବ୍ୟାଖ୍ୟା ଅନୁସାରେ ମନୁଷ୍ୟର ଅନ୍ତର୍ଗତ ଜୀବନକୁ ଅଧିକ ଗଭୀର କରିବାର ଅର୍ଥ ହେଉଛି ‘ଜୀବନଧାରଣ କରି ରହିବା ବିଷୟରେ ଉଦାସୀନତା’ ପାଖରେ ଆତ୍ମସମର୍ପଣ କରିବା । ସମସ୍ତ ପ୍ରକାର କର୍ମରୁ ଆପଣାକୁ ଅନ୍ତର କରିନେଇ ଓ ସମସ୍ତ ପ୍ରକାର ଜୀବନ-ପ୍ରୟାସକୁ ଅସ୍ଵୀକାର କରି ମନୁଷ୍ୟ ଆପଣାର ଇହଜୀବନକୁ କ୍ରମେ ଏପରି ଏକ ଅବସ୍ଥାକୁ ପ୍ରବର୍ତ୍ତିତ କରିଆଣିବ ଯେ କେବଳ ନିର୍ବାପିତ ହୋଇଯିବାଲାଗି ଅପେକ୍ଷା କରିବା ବ୍ୟତୀତ ତାହାକୁ ଆଉ କୌଣସି କର୍ମ କରିବାକୁ ପଡ଼ିବନାହିଁ ।

 

ମନୁଷ୍ୟର ସ୍ଵାଭାବିକ ପ୍ରକୃତିର ବିରୁଦ୍ଧରେ ଯାଉଥିବା ଜଗତ ଓ ଜୀବନର ଅସ୍ଵୀକାରକାରୀ ଏହି ଜୀବନଦୃଷ୍ଟିର ଐତିହାସିକ ଅଧ୍ୟୟନ କରି ତାହାର ଉତ୍ପତ୍ତି ନିର୍ଣ୍ଣୟ କରିବା କମ୍‍ ଆଗ୍ରହର ବିଷୟ ହେବନାହିଁ । ପ୍ରଥମେ କୌଣସିପ୍ରକାର ଜୀବନଦୃଷ୍ଟି ସହିତ ଏହାର କୌଣସି ସମ୍ପର୍କ ନଥିଲା, ଆଦିଯୁଗର ଭାରତୀୟ ଉପାସକମାନଙ୍କର ଇନ୍ଦ୍ରଜାଲ-ବିମୋହିତ ମନରୁହିଁ ଏହା ପ୍ରସ୍ତୁତ ହୋଇଥିଲା । ଜଗତ ଓ ଜୀବନଠାରୁ ନିର୍ଲିପ୍ତ ହୋଇ ରହିଲେ ସେମାନେ କେତେକାଂଶରେ ଅତିପ୍ରାକୃତିକ ଶକ୍ତିମାନ ଅର୍ଜନ କରିପାରିବେ ଓ ଦେବତାମାନଙ୍କୁ ମଧ୍ୟ ବଳିଯାଇ ପାରିବେ ବୋଲି ସେମାନେ ବିଶ୍ଵାସ କରୁଥିଲେ । ଜୀବନ ଏକ ଆଶ୍ରମ । ସାଧାରଣ ଗୃହସ୍ଥ ହିସାବରେ ପ୍ରତ୍ୟେକ ବ୍ରାହ୍ମଣ ତାହାର ଶେଷ ଜୀବନ-ସଂସାର ତ୍ୟାଗ କରି ଓ ବାନପ୍ରସ୍ଥ ଅବଲମ୍ବନ କରି ଅତିବାହିତ କରିଦିଏ, ଏହି ପ୍ରଥାଟି ଉକ୍ତ ବିଚାରରୁ ହିଁ ଜନ୍ମଲାଭ କରିଚି ।

 

ଜଗତ ଓ ଜୀବନକୁ ମିଥ୍ୟା ବୋଲି କହି ତାହାକୁ ଅସ୍ଵୀକାର କରିବାର ଏହି ଜୀବନଦୃଷ୍ଟି ଅର୍ଜନ କରିବାକୁ କେବଳ ବ୍ରାହ୍ମଣର ହିଁ ଅଧିକାର ରହିଥିଲା, କିନ୍ତୁ କାଳକ୍ରମେ ଏହା ଏକ ସମଗ୍ର ଜୀବନଦୃଷ୍ଟିରେ ପରିଣତ ହେଲା ଏବଂ ସବୁ ମନୁଷ୍ୟଙ୍କ ଲାଗି ଏକ ଯଥାର୍ଥ ଦୃଷ୍ଟି ବୋଲି ଦାବି କରିବାକୁ ଲାଗିଲା ।

 

X X X X

 

ତେଣୁ ପ୍ରକୃତରେ ମଣିଷ ଭିତରେ ପ୍ରଗତି କରିବାର କୌଣସି ଇଚ୍ଛା ରହିଚି କି ନାହିଁ, ସେକଥା ମନୁଷ୍ୟର ଜୀବନଦୃଷ୍ଟି ଉପରେ ହିଁ ନିର୍ଭର କରୁଛି । ଯେଉଁଠାରେ ଜଗତ ଓ ଜୀବନକୁ ମିଥ୍ୟା ବୋଲି କହି ଅସ୍ଵୀକାର କରାଯାଉଚି, ସେଠାରେ ପ୍ରଗତି କରିବାର ବା ଅଗ୍ରସର ହେବାର କୌଣସି ଇଚ୍ଛା ନାହିଁ ବୋଲି ଆମକୁ ଗ୍ରହଣ କରିବାକୁ ହେବ । ଅପର ପକ୍ଷରେ, ଯେଉଁଠି ଜଗତ ଓ ଜୀବନକୁ ସ୍ଵୀକାର କରାଯାଉଛି, ସେଠାରେ ପ୍ରଗତିର ଇଚ୍ଛା ସେହି ସ୍ଵୀକାର କରିବା ଭିତରେ ହିଁ ନିହିତ ରହିଚି । ଆଦିମ ଓ ଅର୍ଦ୍ଧଆଦିମ ମନୁଷ୍ୟମାନଙ୍କ ଭିତରେ କୌଣସି ପ୍ରଗତିର ଇଚ୍ଛା ନାହିଁ, କାରଣ ସ୍ଵୀକାର ବା ଅସ୍ଵୀକାରର ସମସ୍ୟାକୁ ସ୍ପର୍ଶ କରିବାଲାଗି ମଧ୍ୟ ସେମାନଙ୍କର ଜୀବନଦୃଷ୍ଟି ଏପର୍ଯ୍ୟନ୍ତ ଯଥେଷ୍ଟ ପରିପକ୍ଵ ହୋଇନାହିଁ । ଯଥାସମ୍ଭବ ସରଳ, ନିଶ୍ଚିନ୍ତ ଓ ଦ୍ୱନ୍ଦ୍ୱହୀନ ଜୀବନଯାପନ ହେଉଚି ସେମାନଙ୍କର ଆଦର୍ଶ ।

 

ଆମେ ଇଉରୋପୀୟମାନେ ମଧ୍ୟ ଅନେକ ବିବର୍ତ୍ତନ ପରେ ଆମର ଜୀବନଦୃଷ୍ଟିକୁ ପରିବର୍ତ୍ତିତ କରି ପ୍ରଗତିର ଇଚ୍ଛା ଅର୍ଜନ କରିପାରିଚୁ । ପ୍ରାଚୀନ ଓ ମଧ୍ୟଯୁଗରେ ଏଥିଲାଗି ଆମେ ଅନେକ ପ୍ରୟାସ କରୁଥିଲୁ ବୋଲି କୁହାଯାଇ ପାରିବ । ଗ୍ରୀକ୍ ଦର୍ଶନରେ ମଧ୍ୟ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ଜୀବନଦୃଷ୍ଟିରେ ଉପନୀତ ହେବାର ଚେଷ୍ଟା ଆମେ ଲକ୍ଷ କରିପାରିବା । କିନ୍ତୁ ଗ୍ରୀସ୍‍ର ଏହି ଚେଷ୍ଟା ବିଫଳ ହୋଇଯାଇଥିଲା ଏବଂ ଉଦାସୀନତାରେ ହିଁ ଏହାର ପରିସମାପ୍ତି ଘଟିଥିଲା । ପ୍ରାଚୀନ ଖ୍ରୀଷ୍ଟଧର୍ମ ଓ ଗ୍ରୀକ୍‍ ତତ୍ତ୍ଵଜ୍ଞାନ ଭିତରେ ଏକ ସମନ୍ଵୟ ଆସିବାର ଚେଷ୍ଟା କରିବାରେ ମଧ୍ୟଯୁଗର ଜୀବନଦୃଷ୍ଟି ଆପଣାକୁ ନିୟନ୍ତ୍ରିତ କରି ରଖିଥିଲା । ତଥାପି ମୂଳତଃ ଏହା ଜଗତ ଓ ଜୀବନକୁ ଅସ୍ଵୀକାର କରୁଥିବା ଏକ ଜୀବନଦୃଷ୍ଟି ଉପରେ ପ୍ରତିଷ୍ଠିତ ଥିଲା, କାରଣ ପ୍ରାଚୀନ ଖ୍ରୀଷ୍ଟଧର୍ମର ସମସ୍ତ ପ୍ରୟାସ ଓ ସମସ୍ତ ଆଗ୍ରହ ଏକ ଅତିବୋଧ୍ୟ ଜଗତର ସ୍ତର ଉଦ୍ଦେଶ୍ୟରେ ହିଁ ଆପଣାକୁ ଉଦ୍ଦିଷ୍ଟ କରି ରଖିଥିଲା । ଯୀଶୁଙ୍କର ଧର୍ମବାଣୀରେ ଯେତିକି ସକ୍ରିୟ ନୀତିଧର୍ମ ନିହିତ ହୋଇ ରହିଥିଲା, ସେମାନଙ୍କର ସମସ୍ତ ପ୍ରକୃତିଗତ ବିରୋଧ ସତ୍ତ୍ୱେ ସଦ୍ୟ ଓ ଅଦୂଷିତ ନବଦୀକ୍ଷିତମାନଙ୍କର ମନ ଭିତରେ ଖ୍ରୀଷ୍ଟଧର୍ମ ଯେଉଁ କ୍ରିଯାଶୀଳତାର ଶକ୍ତି ଜାଗୃତ କରିଥିଲା, ତାହାରି ଫଳସ୍ଵରୂପ ହିଁ ଜଗତ ଓ ଜୀବନକୁ ସ୍ଵୀକାର କରିବାଲାଗି ମଧ୍ୟଯୁଗରେ କିଞ୍ଚିତ୍‍ ପ୍ରେରଣା ଅନୁଭୂତ ହୋଇଥିଲା ।

 

ସଂସ୍କୃତିର ପର୍ଯ୍ୟଟନ ଓ ସମ୍ମିଶ୍ରଣ (Voelkerwanderung) ଫଳରେ ଲୋକମାନସରେ ଅଙ୍କୁରିତ ହୋଇଥିବା ଜଗତ ଓ ଜୀବନ-ବିଷୟକ ଏହି ସ୍ଵୀକାରୀ ଦୃଷ୍ଟି ଆପଣାକୁ ଧୀରେ ଧୀରେ ପ୍ରକାଶିତ କରିଥିଲା । ଜାଗରଣ-ଯୁଗ (Renaissance) ହିଁ ମଧ୍ୟଯୁଗର ଜଗତ ଓ ଜୀବନକୁ ଅସ୍ଵୀକାର କରୁଥିବା ଜୀବନଦୃଷ୍ଟିକୁ ପ୍ରକାଶ୍ୟଭାବେ ପ୍ରତ୍ୟାଖ୍ୟାନ କରିଥିଲା । ପୁଣି ଖ୍ରୀଷ୍ଟଧର୍ମ ଭିତରୁ ଯୀଶୁପ୍ରଚାରିତ ପ୍ରେମନୀତିକୁ ଗ୍ରହଣ କରିବା ଫଳରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏହି ଜୀବନଦୃଷ୍ଟି ଭିତରେ ଏକ ନୈତିକ ମନୋଦୃଷ୍ଟି ମଧ୍ୟ ପ୍ରବେଶ କରି ପାରିଥିଲା । ଏହି ନୀତି ହେଉଚି ସକ୍ରିୟ ଜୀବନର ନୀତି । ତେଣୁ ଜଗତ ଓ ଜୀବନକୁ ଅସ୍ଵୀକାର କରୁଥିବା ଜୀବନଦୃଷ୍ଟିକୁ ଦୂରକୁ ଫିଙ୍ଗିଦେବା ପାଇଁ ଏହା ଭିତରେ ଯଥେଷ୍ଟ ଶକ୍ତିଥିଲା । ତା’ପରେ ଏହା ଆପଣାକୁ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବାର ଜୀବନଦୃଷ୍ଟି ସହିତ ସମ୍ମିଳିତ କରି ଦେଇଥିଲା ଏବଂ ଏହି ବାସ୍ତବ ଜଗତରେ ମଧ୍ୟ ଏକ ଆଧ୍ୟାତ୍ମିକ ଓ ନୈତିକ ଜଗତର ଉପଲବ୍ଧି କରିବାର ଆଦର୍ଶରେ ଉପନୀତ ହୋଇ ପାରିଥିଲା ।

 

ଆଧୁନିକ ଇଉରୋପରେ ଅଧିବାସୀମାନେ ଯେ ଆଜି ଭୌତିକ ତଥା ଆଧ୍ୟାତ୍ମିକ ଅଗ୍ରଗତି ପାଇଁ ପ୍ରଚେଷ୍ଟା କରୁଚନ୍ତି, ସେହି ପ୍ରଚେଷ୍ଟାର ମୂଳରେ ଇଉରୋପର ସ୍ଵତନ୍ତ୍ର ଜୀବନ-ଦୃଷ୍ଟି ନିହିତ ରହିଚି ବୋଲି କହିବାକୁ ହେବ । ଜାଗରଣ ଯୁଗ ଓ ତତ୍‍ସଂଲଗ୍ନ ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ ଆନ୍ଦୋଳନ ଫଳରେ ଇଉରୋପର ଅଧିବାସୀମାନେ ଆପଣା ସହିତ ଓ ଆପଣାର ପୃଥିବୀ ସହିତ ଏକ ନୂତନ ସମ୍ବନ୍ଧସୂତ୍ରରେ ଆବଦ୍ଧ ହୋଇ ପାରିଚନ୍ତି ଏବଂ ଆପଣାର ପ୍ରଚେଷ୍ଟା ଦ୍ଵାରା ସମଗ୍ର ମାନବଜାତିକୁ ଏକ ଉନ୍ନତତର ସ୍ତରକୁ ଉତ୍ତୋଳିତ କରିନେବାର ସହାୟକ ରୂପେ ଆଧ୍ୟାତ୍ମିକ ଓ ଭୌତିକ ମୂଲ୍ୟମାନ ସୃଷ୍ଟି କରିବାର ଆବଶ୍ୟକତାକୁ ଆପଣା ଭିତରେ ଉଦ୍ରେକ କରି ପାରିଚନ୍ତି । କେବଳ ନିଜେ କେତେକ ବ୍ୟକ୍ତିଗତ ସୁଖ ସୁବିଧା ଲାଭ କରିବାକୁ ଯେ ଆଧୁନିକ ଇଉରୋପର ମଣିଷ ଆଜି ପ୍ରଗତି ଲାଗି ଏପରି ଆକାଙ୍‍କ୍ଷିତ ହୋଇ ଉଠିଚି, ଏପରି କହିଲେ କେବଳ ସତ୍ୟର ଅପଳାପ ହେବ । ଆପଣା ବିଷୟରେ ସେ ଯେତେଦୂର ଚିନ୍ତିତ ନୁହେଁ, ଅନାଗତ ଭବିଷ୍ୟତର ବଂଶଧରମାନେ ଯେପରି ଅଧିକ ସୁଖରେ ଜୀବନଯାପନ କରି ପାରିବେ, ତାହାରି ଆଶା ତାକୁ ଅଧିକ ଉତ୍ସାହିତ କରିରଖିଚି । ପ୍ରଗତିର ଅନୁପ୍ରେରଣା ତା’ର ସମସ୍ତ ଜୀବନକୁ ଅଧିକାର କରି ବସିଚି । ଏକ ନିର୍ଦ୍ଦିଷ୍ଟ ସୃଷ୍ଟିଯୋଜନାକୁ କାର୍ଯ୍ୟକାରୀ କରୁଥିବା ଶକ୍ତିମାନଙ୍କ ଦ୍ଵାରା ପରିଚାଳିତ ଓ ସୁରକ୍ଷିତ ପୃଥିବୀର ରହସ୍ୟକୁ ସେ ଯେତିକି ଯେତିକି ଉଦ୍‍ଘାଟନ କରିବାରେ ଲାଗିଛି, ସେତିକି ସେତିକି ସେ ଆପେ ପୃଥିବୀରେ ଏକ ସକ୍ରିୟ ଓ ବିଶେଷ ଲକ୍ଷ୍ୟସମ୍ପନ୍ନ ଶକ୍ତି ହୋଇ ପାରିବା ଲାଗି ଆକାଙ୍‍କ୍ଷିତ ହୋଇ ଉଠୁଚି । ଅତି ଆସ୍ଥାବାନ୍ ହୋଇ ସେ ମନୁଷ୍ୟଜାତି ପାଇଁ ଏକ ନୂତନ ଓ ସମ୍ପନ୍ନ ଭବିଷ୍ୟତ ଲାଗି ଆଶାୟୀ ହୋଇ ରହୁଚି । ମନୁଷ୍ୟ ସମାଜ ଆପଣାର ସମ୍ମୁଖରେ ଯେଉଁ ଆଦର୍ଶର ସ୍ଥାପନା କରିବ ଏବଂ ଯେଉଁ ଆଦର୍ଶକୁ ଜୀବନରେ ସମ୍ଭବ କରିବାଲାଗି କାର୍ଯ୍ୟ କରିବ, ସେହି ଆଦର୍ଶ ହିଁ ପରିସ୍ଥିତି ଉପରେ ଜୟଲାଭ କରିବ ଓ ପରିସ୍ଥିତିକୁ ନୂତନ କରି ଗଢ଼ିପାରିବ । ଆପଣାର ଅଭିଜ୍ଞତା ଦ୍ଵାରା ସେ ଏହିକଥା ଶିକ୍ଷାକରି ଚାଲିଚି ।

 

ଭୌତିକ ପ୍ରଗତିର ଏହି ଇଚ୍ଛା ନୈତିକ ପ୍ରଗତିର ଇଚ୍ଛା ସହିତ ଏକତାନବଦ୍ଧ ହୋଇ ଚାଲିଚି, ଏହାରି ଉପରେ ହିଁ ଆଧୁନିକ ସଂସ୍କୃତିର ମୂଳଦୁଆ ନିର୍ମିତ ହୋଇ ଚାଲିଚି ।

 

ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଆଧୁନିକ ଇଉରୋପୀୟ ଏହି ନୀତିପ୍ରତିଷ୍ଠିତ ଜୀବନଦୃଷ୍ଟି ସହିତ ଜରଥୁଷ୍ଟ୍ର ଓ କୁଙ୍ଗ୍-ସି (କନଫୁସିଅସ୍), ମେଙ୍ଗ୍-ସି (ମେନ୍‍ସିଅସ୍), ମିତ୍‍ସି (ନିସିଅସ୍) ଏବଂ ଚୀନର ଅନ୍ୟାନ୍ୟ ମହାନ୍ ନୀତି-ଦାର୍ଶନିକମାନଙ୍କର ରଚନାବଳୀରେ ପ୍ରକଟିତ ହୋଇଥିବା ଚୀନଦର୍ଶନର ଏକ ମହତ୍ଵପୂର୍ଣ୍ଣ ସମ୍ବନ୍ଧ ରହିଚି । ଏହି ପ୍ରତ୍ୟେକଟି ଦାର୍ଶନିକ ବିଚାର ମଣିଷ ଓ ମଣିଷସମାଜର ପରିବେଶକୁ ପରିବର୍ତ୍ତିତ କରିବାକୁ ଓ ମଣିଷଭିତରେ ପ୍ରଗତିର ଆକାଙ୍‍କ୍ଷା ସୃଷ୍ଟି କରିବାକୁ ଚେଷ୍ଟାକରି ଆସିଚି, ଅବଶ୍ୟ ଏହିସବୁ ପ୍ରଚେଷ୍ଟା ଇଉରୋପ ପରି ଏତେ ପରାକ୍ରମଶାଳୀ ହୋଇପାରି ନାହିଁ । ଜରଥୁଷ୍ଟ୍ର ଓ ଚୀନର ଧର୍ମ ପୃଥିବୀର ଯେତିକି ଅଞ୍ଚଳକୁ ପ୍ରଭାବିତ କରିଚି, ସେଠାରେ ଠିକ୍ ଇଉରୋପ ପରି ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ନୈତିକ ଜୀବନଦୃଷ୍ଟିକୁ ଭୂମି କରି ସଂସ୍କୃତିମାନ ପ୍ରତିଷ୍ଠିତ ହୋଇଚି । କିନ୍ତୁ ଦୁହେଁ ବଡ଼ ଶୋଚନୀୟ ଭାବରେ ବିଫଳ ହୋଇ ଯାଇଚନ୍ତି । ଜରଥୁଷ୍ଟ୍ରଧର୍ମର ଜୀବନଦୃଷ୍ଟି ଉପରେ ପ୍ରତିଷ୍ଠିତ ନୂତନ ପାରସିକ ସଂସ୍କୃତିକୁ ଇସ୍‍ଲାମ୍‍ଧର୍ମ ବିଲୁପ୍ତ କରିଦେଇଚି । ଇଉରୋପୀୟ ବିଚାର ଓ ସମସ୍ୟା ଭାରର ଚାପରେ ଏବଂ ଆପଣା ଦେଶର ରାଜନୀତିକ ଓ ଅର୍ଥନୀତିକ ଅବସ୍ଥାର ଅନିଶ୍ଚିତତା ଭିତରେ ପଡ଼ିଯାଇ ଚୀନ ସଭ୍ୟତା ଆପଣାର ସ୍ଵାଭାବିକ ବିକାଶରେ ବାଧାପ୍ରାପ୍ତ ହୋଇଚି ଏବଂ ଅଧୋପତନରୂପୀ ପ୍ରମାଦର ସମ୍ମୁଖୀନ ହୋଇଚି ।

 

ଆଧୁନିକ ଇଉରୋପୀୟ ବିଚାର ମଧ୍ୟ ବର୍ତ୍ତମାନ ଏକ ଶୋଚନୀୟ ପରିଣାମର ସମ୍ମୁଖୀନ ହୋଇଚି । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୀତିମୂଳ ଜୀବନ ଭିତରେ ଇଉରୋପୀୟ ସଂସ୍କୃତିରେ ମୂଳରୁ ଯେଉଁ ଯୋଗସୂତ୍ର ରହିଆସି ଥିଲା, କ୍ରମେ ବଡ଼ ମନ୍ଥର ଅଥଚ ଅପ୍ରତିହତ ଭାବରେ ସେହି ସୂତ୍ର କ୍ରମେ ହୁଗୁଳା ହୋଇଯାଉଚି ଏବଂ ଶେଷରେ ବର୍ତ୍ତମାନ ଛିନ୍ନ ହୋଇଯିବାକୁ ବସିଛି, ପରିଣାମରେ ଇଉରୋପୀୟ ଜନସମୂହ କେବଳ ବାହ୍ୟ ଜୀବନରେ ସୀମାବଦ୍ଧ ହୋଇ ପଡ଼ିଥିବା ପ୍ରଗତି-ଇଚ୍ଛାଦ୍ଵାରା ସଞ୍ଚାଳିତ ହେଉଚି, ଏହି ଇଚ୍ଛାର ଅସଲ ମର୍ମ କ୍ରମେ ବିସ୍ତୃତ ହୋଇଯାଉଛି ।

 

ଜଗତ ଓ ଜୀବନକୁ ସ୍ଵୀକାର କରିଥିବା ଜୀବନଦୃଷ୍ଟି ବିଚ୍ଛିନ୍ନ ଭାବରେ କେବଳ ଏକ ଅସମ୍ପୂର୍ଣ୍ଣ ଓ ଅପରିପୂର୍ଣ୍ଣ ସଂସ୍କୃତି ହିଁ ସୃଷ୍ଟି କରି ପାରିବ, କିନ୍ତୁ ଅନ୍ତର୍ଦୃଷ୍ଟି ହୋଇପାରିଲେ ଓ ନୀତିମୂଳ ଜୀବନଦୃଷ୍ଟି ସହିତ ଆପଣାକୁ ସଂଯୁକ୍ତ କରିଦେଇ ପାରିଲେ ତତ୍‍ସମ୍ଭୂତ ପ୍ରଗତି-ଇଚ୍ଛା ସ୍ଥିତିଟିକୁ ଭିନ୍ନ କରି ଦେଖିପାରିବାର ଅନ୍ତର୍ଦୃଷ୍ଟି ଅର୍ଜନ କରିପାରିବ । କେବଳ ଜ୍ଞାନ ଓ ଶକ୍ତିର କରାମତି ଭିତରେ ଆପଣାକୁ ସୀମାବଦ୍ଧ କରି ରଖିଥିବା କୌଣସି ସଂସ୍କୃତିରେ ଏହା ସନ୍ତୁଷ୍ଟ ହୋଇ ରହିବ ନାହିଁ, ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ମନୁଷ୍ୟକୁ ଆଧ୍ୟାତ୍ମିକ ଓ ନୈତିକ ଦୃଷ୍ଟିରୁ ଅଧିକ ସମ୍ପନ୍ନ ଓ ପାରଙ୍ଗମ କରିବାକୁ ଏହା ସଚେଷ୍ଟ ହୋଇ ରହିଥିବ ।

 

କିନ୍ତୁ ଜଗତ ଓ ଜୀବନକୁ ସ୍ଵୀକାର କରିବାର ଏହି ଜୀବନଦୃଷ୍ଟି ଯଦି ପ୍ରଥମରେ ଏକ ନୈତିକ ଭୂମି ଉପରେ ପର୍ଯ୍ୟବସିତ ରହିଥିଲା, ତେବେ କିପରି ଏହା ଅନ୍ୟଥା ହେଲା, ଅର୍ଥାତ୍ କିପରି ଏହା ଆପଣାର ନୈତିକ ଭୂମିରୁ ବିଚ୍ୟୁତ ହୋଇ ପଡ଼ିଲା ?

 

ଏହାର ଉତ୍ତରରେ କେବଳ ଏତିକି କୁହାଯାଇ ପାରିବ ଯେ ଏହା ଆପଣାକୁ କଦାପି ବିଚାର ଉପରେ ପ୍ରତିଷ୍ଠିତ କରି ନଥିଲା । ଯେଉଁ ବିଚାରରୁ ଏହି ଜୀବନଦୃଷ୍ଟିର ଉଦ୍ଭବ ହୋଇଥିଲା, ସେଥିରେ ହିତୈଷଣା ଓ ଉତ୍ସାହ ଭରି ରହିଥିଲା, କିନ୍ତୁ ତାହା ଆଦୌ ଗଭୀର ନଥିଲା । କେବଳ ଅନୁଭୂତି ଓ ଅଭିଜ୍ଞତା ଭିତରେ ହିଁ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟିର ନୈତିକ ଭୂମି ସହିତ ରଖିଥିବା ଅନ୍ତରଙ୍ଗ ସମ୍ବନ୍ଧ ସୀମାବଦ୍ଧ ରହିଥିଲା, ବାସ୍ତବ ଜୀବନର କାର୍ଯ୍ୟଭିତରେ ଏହି ସମ୍ବନ୍ଧର କୌଣସି ସ୍ଥାନ ନଥିଲା ।

 

X X X X

 

ପ୍ରକୃତ ଜଗତର ସତ୍ୟପର୍ଯ୍ୟନ୍ତ ଭେଦି ରହିଥିବା ବିଚାର ଉପରେ ପ୍ରତିଷ୍ଠିତ ନରହି କେବଳ ବିଶ୍ଵାସ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ମହାନ୍ ଓ ମୂଲ୍ୟବାନ ଜୀବନଦୃଷ୍ଟି କ୍ରମେ ହୀନପ୍ରଭ ହୋଇପଡ଼ିଲା ଏବଂ ମନୁଷ୍ୟସମାଜ ଉପରେ ରହିଥିବା ଏହାର ପ୍ରଭାବ ମଧ୍ୟ କ୍ରମେ ହ୍ରାସ ହୋଇଆସିଲା । ପରବର୍ତ୍ତୀ କାଳରେ ନୀତିଶାସ୍ତ୍ରର ସମସ୍ୟା ଏବଂ ମନୁଷ୍ୟ ଓ ଜଗତ ଭିତରେ ରହିଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଯେତେ ବିଚାର କରାଯାଇଥିଲା, ସବୁଠାରେ ସମସ୍ତେ ଏହି ଜୀବନଦୃଷ୍ଟିର କେବଳ ଦୁର୍ବଳ ବିନ୍ଦୁଗୁଡ଼ିକର ଉପରକୁ ସମସ୍ତଙ୍କର ଦୃଷ୍ଟି ଆକୃଷ୍ଟ କରାଇଥିଲେ ଏବଂ ତଦ୍ଦ୍ଵାରା ଏହାର ଅଧୋଗତିକୁ ଆହୁରି ଆସନ୍ନ କରି ଆଣିଲେ । ଏହି ଜୀବନଦୃଷ୍ଟିକୁ ସମର୍ଥନ କରିବାକୁ ଏହିସବୁ ବିଚାରର ଯେତେ ସାଧୁଦ୍ଦେଶ୍ୟ ଥିଲେ ମଧ୍ୟ କାର୍ଯ୍ୟତଃ ଏମାନେ ତାହାର ଅଧୋଗତିରେ ହିଁ ଅଧିକ ସାହାଯ୍ୟ କରିଥିଲେ, କାରଣ ତାହାର ଦୁର୍ବଳ ମୂଳଦୁଆକୁ ଦୂର କରି ତାହା ସ୍ଥାନରେ ଏକ ସବଳ ଓ ସୁସମ୍ପୂର୍ଣ୍ଣ ମୂଳଦୁଆ ଯୋଗାଇ ଦେବାଲାଗି ଏମାନେ ଆଦୌ ସଫଳ ହୋଇପାରି ନଥିଲେ । ଯିଏ ଯେତେ ନୂତନ ମୂଳଦୁଆ ପକାଇ ଯେତେ ନୂତନ ଗାନ୍ଥେନି ଉଠାଇବାକୁ ଚେଷ୍ଟା କଲେ, ସେଗୁଡ଼ିକ ଏତେ ଦୁର୍ବଳ ଥିଲା ଯେ ତାହା ପକ୍ଷରେ ଅଟ୍ଟାଳିକାଟିକୁ ସମ୍ଭାଳି ରଖିବା ଆଦୌ ସମ୍ଭବ ହେଲାନାହିଁ ।

 

ସଂସ୍କୃତି ଓ ଜୀବନଦୃଷ୍ଟି ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ରହିଚି ବୋଲି ମୋର ସୂକ୍ଷ୍ମ ଅଥଚ ବାସ୍ତବ ଚିନ୍ତା କରିବା ଫଳରେ ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ ଆଧୁନିକ ଜୀବନଦୃଷ୍ଟି ଭିତରେ ଜଗତ ଓ ଜୀବନକୁ ସ୍ଵୀକାର କରିବାର ନୈତିକ ଭୂମି କ୍ରମେ ଶକ୍ତିହୀନ ଓ ହୀନପ୍ରଭ ହୋଇ ଯାଉଥିବାରୁ ସଂସ୍କୃତିର ଅଧୋପତନ ଆରମ୍ଭ ହୋଇଚି, ଏହି ଶକ୍ତିହୀନତା ପ୍ରତି କେହି ଯଥେଷ୍ଟ ନଜର ଦେଇ ନାହାନ୍ତି । ଅନ୍ୟମାନଙ୍କ ପରି ମୁଁ ମଧ୍ୟ କେବଳ ଏକ ଅନ୍ତର୍ଗତ ଆବଶ୍ୟକତା ଦୃଷ୍ଟିରୁ ଏହି ଜୀବନଦୃଷ୍ଟିକୁ ଆପଣାର ବୋଲି ସ୍ଵୀକାର କରିନେଇଚି, କିନ୍ତୁ ଆପଣାର ବିଚାର ଦ୍ଵାରା କେତେଦୂର ଏହାର ପ୍ରମାଣ ମିଳିପାରିବ, ସେକଥା ଜାଣିବା ଲାଗି ମୁଁ କେବେହେଲେ ଚେଷ୍ଟା କରିନାହିଁ ।

 

X X X X

 

୧୯୧୫ ମସିହା ଗ୍ରୀଷ୍ମକାଳରେ ମୋର ବିଚାର ଏହି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଯାଇଥିଲା । କିନ୍ତୁ ତା’ପରେ ?

 

ଏପର୍ଯ୍ୟନ୍ତ ଯେଉଁ ସମସ୍ୟାର ସମାଧାନ ହୋଇପାରି ନାହିଁ, କୌଣସି ପ୍ରକାରେ କ’ଣ ତାହାର ସମାଧାନ ହୋଇପାରିବ ନାହିଁ ? କେବଳ ଏକ ଜୀବନଦୃଷ୍ଟିର ଭୂମି ଉପରେ ହିଁ ସଂସ୍କୃତି ସମ୍ଭବ ହୋଇପାରିବ । ତେବେ କ’ଣ ଏହି ଜୀବନଦୃଷ୍ଟିକୁ ଆମର ହୃଦୟକୁ ସତତ ଆନ୍ଦୋଳିତ କରୁଥିବା ଅଥଚ କଦାପି ଆମ ଉପରେ କୌଣସି ଗଭୀର ପ୍ରଭାବ ବିସ୍ତାର କରୁନଥିବା କେବଳ ଏକ ମାୟା ବୋଲି ଆମେ ଧରିନେବା ? ଏଯୁଗର ଲୋକମାନଙ୍କ ଆଗରେ ଏହାକୁ ଏକ ବିଶ୍ଵାସର ସାମଗ୍ରୀ ରୂପେ ଉପସ୍ଥାପିତ କରିବା ମୋତେ ବଡ଼ ନିର୍ବୋଧ ଓ ଉଦ୍ଦେଶ୍ୟହୀନ ବୋଲି ମନେହେଲା-। କେବଳ ବିଚାରର ଗଭୀରତା ଦ୍ଵାରା ଅଭିଳଷିତ ଏକ ସମ୍ପଦରୂପେ ଯଦି ଏହା ଆମ ଆଗରେ ଉପସ୍ଥିତ ହୋଇପାରିବ, ତେବେ ଯାଇ ଏହା ଆମର ଏକ ଆଧ୍ୟାତ୍ମିକ ସମ୍ପଦର ପରିଣତ ହୋଇପାରିବ ।

 

ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ସହିତ ନୈତିକ ଜୀବନଦୃଷ୍ଟିର ସଂଯୋଗ ସ୍ଥାପନ କରୁଥିବା ସଂସ୍କୃତିର ବିଚାରଭୂମିକୁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ କରିବା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ, ତଥାପି କେବଳ ଏହି ବିଚାରଭୂମି ଯେ ସତ୍ୟକୁ ପ୍ରକଟ କରୁଚି, ଏହି ବିଷୟରେ ମୋର ମନରେ ଆଉ କୌଣସି ସନ୍ଦେହ ରହିଲା ନାହିଁ । ତେଣୁ ଏପର୍ଯ୍ୟନ୍ତ ଯେଉଁ ସତ୍ୟକୁ ଆମେ କେବଳ ବିଶ୍ଵାସ ଓ ଅନୁମାନ କରି ଆସିଥିଲୁ, ତାହାକୁ ନୂତନ, ସରଳ ଓ ନିଷ୍ଠାପର ବିଚାରଦ୍ଵାରା ଆଉ ଥରେ ଅଧିକ ସତ୍ୟ କରି ହୃଦୟଙ୍ଗମ କରିବା ଏପର୍ଯ୍ୟନ୍ତ ବାକି ରହିଚି ବୋଲି ମୁଁ ଅନୁଭବ କରିଥିଲି ।

 

ଆଉ ପୁରୁଣା ନୌକାରେ କାମ ଚଳିବ ନାହିଁ, ସେଥିରେ ବସି ଆଉ ନିଶ୍ଚିନ୍ତ ଭାବରେ ସମୁଦ୍ର ଭିତରକୁ ଯିବାର ସାହସ କରାଯାଇ ପାରିବ ନାହିଁ, ତେଣୁ ଏହି ପୁରାତନ ବଦଳରେ ଏକ ନୂତନ ଓ ଅଧିକ ଭଲ ନୌକାଟିଏ ତିଆରି କରିବାକୁ ପଡ଼ିବ, ଏହିପରି ଏକ ଆବଶ୍ୟକତା ଅନୁଭବ କରୁଥିବା ଏବଂ ତଥାପି ଏହି ତିଆରି କରିବାର କାର୍ଯ୍ୟକୁ ଠିକ୍ ଯେପରି ଭାବରେ ଆରମ୍ଭ କରାଯାଇ ପାରିବ, ତାହାର କୌଶଳ ଜାଣି ନଥିବା ଏକ ବ୍ୟକ୍ତିପରି ମୁଁ ବର୍ତ୍ତମାନ ଆପଣାକୁ ଅନୁଭବ କରିବାକୁ ଲାଗିଲି ।

 

ସତତ ଉଦବେଳିତ ଓ ଆନ୍ଦୋଳିତ ହେଉଥିବା ମନରେ ମୋର ମାସ ମାସ କଟିଯାଇଥିଲା । ଡାକ୍ତରଖାନାରେ ମୋର ଦୈନନ୍ଦିନ କାର୍ଯ୍ୟ କରୁଥିବାବେଳେ ମଧ୍ୟ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୈତିକ ଜୀବନଦୃଷ୍ଟିର ପ୍ରକୃତ ସ୍ୱରୂପ କ’ଣ ଓ ଦୁଇଟିଯାକ ଦୃଷ୍ଟି ମଧ୍ୟରେ କେତେଦୂର ସାମ୍ୟ ବା ବୈଶମ୍ୟ ରହିଚି, ଏହା ନିରୂପଣ କରିବାରେ ମୁଁ ମୋର ସମସ୍ତ ବିଚାର ଓ ଭାବନା ସତତ ନିବଦ୍ଧ କରି ରଖିଲି, କିନ୍ତୁ ତଦ୍ଦ୍ଵାରା ମୋତେ କୌଣସି ସଫଳତା ମିଳିନଥିଲା । ବାଟ ପାଉନଥିବା ଏକ ବାଟୋଇ ପରି ମୁଁ କେବଳ ଜଙ୍ଗଲ ଭିତରେ ଇତସ୍ତତଃ ଭ୍ରମି ବୁଲୁଥିଲି । ଆପଣାର ସମସ୍ତ ଶକ୍ତି ଦେଇ ମୁଁ ଗୋଟାଏ ଲୁହା କବାଟକୁ ଠେଲି ଖୋଲି ଦେବାକୁ ଚେଷ୍ଟା କରୁଥିଲି, କିନ୍ତୁ ପାରୁନଥିଲି ।

 

ଦର୍ଶନ ଅଧ୍ୟୟନ କଲାବେଳେ ନୀତିଶାସ୍ତ୍ର ସମ୍ବନ୍ଧରେ ମୁଁ ଯାହାସବୁ ପଢ଼ିଥିଲି, ସେଥିରୁ ମୋତେ ବର୍ତ୍ତମାନ କୌଣସି ଆଲୋକ ମିଳିଲା ନାହିଁ । ନୀତିଶାସ୍ତ୍ରର ବର୍ଣ୍ଣିତ ‘ଶିବ’ (Gute) ମୋତେ ଏପରି ଜୀବନହୀନ, ଏପରି ଅଗଭୀର, ଏପରି ସଂକୀର୍ଣ୍ଣ ଓ ଏପରି ସାରହୀନ ମନେହେଲା ଯେ ତାହାକୁ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ସହିତ କୌଣସି ପ୍ରକାରେ ସମ୍ବନ୍ଧିତ କରିଦେବା ଆଦୌ ସମ୍ଭବ ହୋଇ ପାରିଲା ନାହିଁ । ସଂସ୍କୃତି ଓ ଜୀବନଦୃଷ୍ଟି ମଧ୍ୟରେ କୌଣସି ସମ୍ପର୍କ ରହିଚି କି ନାହିଁ, ଦର୍ଶନଶାସ୍ତ୍ର କେବେହେଲେ ଏହି ସମସ୍ୟାର ଚର୍ଚ୍ଚା ହିଁ କରି ନଥିଲା । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଆଧୁନିକ ଜୀବନଦୃଷ୍ଟି ତାକୁ ଏତେ ସ୍ଵାଭାବିକ ମାନେ ହେଉଥିଲା ଯେ ଏହା ବିଷୟରେ ଅଧିକ ସ୍ପଷ୍ଟ ହେବାର କୌଣସି ଆବଶ୍ୟକତା ସେ ଅନୁଭବ କରି ନଥିଲା ।

 

ସଂସ୍କୃତି ଓ ଜୀବନଦୃଷ୍ଟି ବିଷୟରେ ବିଚାର କରି ମୁଁ ଦର୍ଶନର ଯେଉଁ ଅସଲ କେନ୍ଦ୍ର ପ୍ରଦେଶରେ ଉପନୀତ ହୋଇଥିଲି, ସେହି କେନ୍ଦ୍ର ପ୍ରଦେଶଟି ଏପର୍ଯ୍ୟନ୍ତ ପ୍ରଧାନତଃ ଅନୁଦ୍‍ଘାଟିତ ରହିଚି ବୋଲି ମଧ୍ୟ ମୋତେ ବର୍ତ୍ତମାନ ପ୍ରମାଣ କରିବାକୁ ପଡ଼ିବ, ଏହିକଥା ଭାବି ମୁଁ ପ୍ରକୃତରେ ବିସ୍ମିତ ହୋଇ ଯାଇଥିଲି । କେତେବେଳେ ଏକ ଦିଗରୁ ବା କେତେବେଳେ ଅପର ଦିଗରୁ ମୁଁ ଏହାର ମର୍ମ ପ୍ରବେଶ କରିବାର ଚେଷ୍ଟା କଲି, କିନ୍ତୁ ବାରବାର ମୋର ପ୍ରୟାସ ବିଫଳ ହୋଇଯାଇଥିଲା । କ୍ରମେ ବଡ଼ କ୍ଳାନ୍ତ ଲାଗିଲା, ଉତ୍ସାହ ମଧ୍ୟ ମରିମରି ଆସିଲା । ମୁଁ ଠିକ୍ ଯେଉଁ ବିଚାରଟିର ସନ୍ଧାନ କରୁଥିଲି, ତାହାକୁ ମୁଁ ଆଖି ଆଗରେ ବେଶ୍ ଦେଖି ପାରୁଥିଲି, କିନ୍ତୁ ତାହାକୁ ବୋଧଗମ୍ୟ କରି ପାରୁନଥିଲି ବା ଭାଷାରେ ପ୍ରକାଶ କରିପାରୁ ନଥିଲି ।

 

ମନର ଏହି ଆନ୍ଦୋଳିତ ଅବସ୍ଥାରେ ମୋତେ ଥରେ ନଦୀର ଏକ ଦୀର୍ଘ ଜଳଯାତ୍ରା କରି ଯିବାକୁ ପଡ଼ିଥିଲା । ମୋର ପତ୍ନୀଙ୍କର ସ୍ୱାସ୍ଥ୍ୟ ଭଲ ନଥିବାରୁ ମୁଁ ତାଙ୍କ ସହିତ ଲୋପେଜ୍ ଅନ୍ତରୀପର ବେଳା ପ୍ରଦେଶରେ ବାସ କରୁଥିଲି । ଏହା ୧୯୧୫ ସେପ୍ଟେମ୍ବର ମାସର ଘଟଣା, ଏତିକିବେଳେ–ଜନୈକ ମିସନାରୀଙ୍କର ରୁଗ୍‍ଣା ପତ୍ନୀ ଶ୍ରୀମତୀ ପେଲୋଙ୍କୁ ଦେଖିଯିବା ପାଇଁ ମୋତେ ଡାକରା ଆସିଲା । ସେ ଙ୍ଗୋମୋଠାରେ ଅବସ୍ଥାନ କରୁଥିଲେ । ସେଠାକୁ ଯିବାକୁ ହେଲେ ମୋତେ ନଦୀର ପ୍ରତିମୁଖରେ ୧୬୦ ମାଇଲ ଜଳପଥ ଉଠି କରି ଯିବାକୁ ହେବ । ଏଥିଲାଗି କେବଳ ଏକ ଛୋଟିଆ ଷ୍ଟିମର ଛଡ଼ା ଆଉ କୌଣସି ସୁବିଧା ମିଳିଲା ନାହିଁ । ଷ୍ଟିମରଟିର ପଛରେ ମାଲ ବୋଝାଇ ହୋଇଥିବା ଆଉ ଗୋଟିଏ ଡଙ୍ଗା ମଧ୍ୟ ଦଉଡ଼ି ଦେଇ ବନ୍ଧା ହୋଇଥିଲା । ଠିକ୍‍ ସେତିକିବେଳେ ଷ୍ଟିମରଟି ଛାଡ଼ିବାକୁ ବସିଥାଏ, ନୌକା ଉପରେ ମୋତେ ଛାଡ଼ିଦେଲେ ଆଉ ସମସ୍ତେ ସ୍ଥାନୀୟ ଅଧିବାସୀ ଥିଲେ, ଅବଶ୍ୟ ଲାମ୍ବାରେନେର ମୋର ବନ୍ଧୁ ଏମିଲ୍ ଓଗୋଉମା ମଧ୍ୟ ଆମ ସହିତ ଯାଉଥିଲେ । ତରତର ହୋଇ ବାହାରିବାକୁ ପଡ଼ିବାରୁ ସାଙ୍ଗରେ ମୁଁ ରାସ୍ତା ପାଇଁ ଯଥେଷ୍ଟ ଖାଦ୍ୟପଦାର୍ଥ ନେଇପାରି ନଥିଲି । ତେଣୁ ସେମାନେ ସେମାନଙ୍କର ରନ୍ଧନପାତ୍ରରେ ଥିବା ଖାଦ୍ୟରୁ ମୋତେ ମଧ୍ୟ ଭାଗ ଦେଉଥିଲେ ।

 

ଆମେ ଖୁବ୍ ଧୀରେ ଧୀରେ ନଦୀ ସ୍ରୋତକୁ ଉଠି ଉଠି ଯାଉଥାଉ । ଗ୍ରୀଷ୍ମକାଳ ଥିବାରୁ ନଦୀ ପ୍ରାୟ ଶୁଖି ଆସିଥାଏ, ତେଣୁ ବାଲିବନ୍ଧ ମଝିରେ ଥିବା ଜଳଧାରର ମାର୍ଗ ଧରି ବଡ଼ କଷ୍ଟରେ ଷ୍ଟିମରକୁ ନେବାକୁ ପଡ଼ୁଥାଏ । ଆପଣାର ଭାବନା ଭିତରେ ଆପଣାକୁ ହଜାଇ ଦେଇ ମୁଁ ନୌକାଟି ଉପରେ ବସିଥାଏ, ଦର୍ଶନରେ ମୁଁ ଏପର୍ଯ୍ୟନ୍ତ ଆବିଷ୍କାର କରିପାରି ନଥିବା ନୈତିକ ଜୀବନଦୃଷ୍ଟିର ଏକ ମୌଳିକ ଓ ବିଶ୍ଵାଧାରଯୁକ୍ତ ବ୍ୟାଖ୍ୟାର ସନ୍ଧାନ କରିବାରେ ମୁଁ ସଂଗ୍ରାମ କରୁଥାଏ । ବଡ଼ ଅସଂଲଗ୍ନ ଭାବରେ ଯାହା ମନକୁ ଆସୁଥାଏ, ତାକୁ କାଗଜ ଉପରେ ଲେଖି ପକାଇ ମୁଁ ଫର୍ଦ୍ଦ ପରେ ଫର୍ଦ୍ଦ କାଗଜ ପୂରଣ କରି ଚାଲିଥାଏ, –ସମସ୍ୟାଟି ଉପରେ ମୁଁ ନିରନ୍ତର ଧ୍ୟାନ ନିବେଶ କରିପାରିବି, ଏହାହିଁ ମୋର ଏକମାତ୍ର ଉଦ୍ଦେଶ୍ୟ ଥାଏ । ତୃତୀୟ ଦିନ ସନ୍ଧ୍ୟାବେଳର କଥା,–ସୂର୍ଯ୍ୟଦେବ ଅସ୍ତ ହୋଇ ଆସୁଥାନ୍ତି, ପଲେ ଜଳହସ୍ତୀଙ୍କ ଭିତରେ ବାଟ କାଟି ଆମର ନଉକାଟି ଚାଲି ଯାଉଥାଏ, ଠିକ୍ ସେତିକିବେଳେ ଅତି ହଠାତ୍ ଭାବରେ ‘ଜୀବନପ୍ରତି ଶ୍ରଦ୍ଧା’, ଏହି ଶବ୍ଦ ଦୁଇଟି ମୋର ମାନସାକାଶରେ ଝଲକି ଉଠିଲା । ଏହାକୁ ଏପରି ଭାବରେ ପାଇଯିବି ବୋଲି ମୁଁ ଆଦୌ ପ୍ରତ୍ୟାଶା କରିନଥିଲି । ଏହି ଶବ୍ଦ ଦୁଇଟି ପାଇଁ ସତେ ଅବା ମୁଁ କୌଣସି ସନ୍ଧାନ କରିନଥିଲି । ମନେହେଲା, ଯେପରି ମୋର ଚିନ୍ତାଦ୍ଵାରର ବଜ୍ରକବାଟୀ ଫିଟିଗଲା, ଅରଣ୍ୟ ଭିତରେ ଯେପରି ମୁଁ ହଠାତ୍ ମୋର ମାର୍ଗ ପାଇଗଲି । ମୁଁ ଏପରି ଏକ ବିଚାରର ସମକ୍ଷରେ ଆସି ପହଞ୍ଚିଗଲି, ଯେଉଁଥିରେ କି ମୁଁ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଏବଂ ନୀତିଶାସ୍ତ୍ରକୁ ପାରିପାର୍ଶ୍ଵିକ ଭାବରେ ରଖିଦେଇ ପାରିବି । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ନୈତିକ ଜୀବନଦୃଷ୍ଟି ଏବଂ ସଂସ୍କୃତିର ଆଦର୍ଶ ଉଭୟେ କିପରି ବିଚାର ଉପରେ ସୁପ୍ରତିଷ୍ଠିତ ରହିଚନ୍ତି, ମୋତେ ତାହାରି ଗୁପ୍ତଜ୍ଞାନ ମିଳିଗଲା ।

 

X X X X

 

‘ଜୀବନ ପ୍ରତି ଶ୍ରଦ୍ଧା’ର ପ୍ରକୃତ ଅର୍ଥ କ’ଣ ? ଆମ ଭିତରେ କିପରି ଭାବରେ ଏହାର ଉଦୟ ହୋଇଥାଏ ?

 

ଆପଣା ବିଷୟରେ ବା ଜଗତ ସହିତ ଆପଣାର ସମ୍ବନ୍ଧ ବିଷୟରେ ସ୍ପଷ୍ଟ ଜ୍ଞାନ ପ୍ରାପ୍ତ କରିବାକୁ ହେଲେ ମଣିଷକୁ ଆପଣାର ଭାବନା ଓ ଜ୍ଞାନପ୍ରସୂତ ‘ବହୁ’ର ଜାଲ ଭିତରୁ ଅପସରି ଯିବାକୁ ପଡ଼ିବ ଏବଂ ଆପଣା ଚେତନାର ସର୍ବପ୍ରଥମ, ପ୍ରତିବୋଧି ଓ ସତତ ପ୍ରକାଶିତ ସତ୍ୟ ଉପରେ ଚିନ୍ତନ କରିବାକୁ ପଡ଼ିବ । କେବଳ ଏହିପରି ଏକ ବିଚାରମାର୍ଗ ଅବଲମ୍ବନ କଲେ ଯାଇ ସେ ଏକ ବିଚାର-ପ୍ରଣୋଦିତ ଜୀବନଦୃଷ୍ଟିରେ ଉପନୀତ ହୋଇ ପାରିବ ।

 

‘ଚିନ୍ତୟାମି, ତତୋଽସ୍ମି (Cogito, ergo sum) ଏହି ବାକ୍ୟରୁ ସମସ୍ତ ଚିନ୍ତନ ଆରମ୍ଭ ହୁଏ ବୋଲି ଡେକାର୍ତ (Descartes) ମତ ଦେଇଥିଲେ । ଏହିପରି ଭାବରେ ଚିନ୍ତନର ବିଶ୍ଳେଷଣ କରିବାକୁ ଆରମ୍ଭ କରିଥିବାରୁ ତାଙ୍କୁ ବାଧ୍ୟହୋଇ କେବଳ ସୂକ୍ଷ୍ମଭୂମିରେ ବିଚରଣ କରିବାକୁ ପଡ଼ିଲା, ବାସ୍ତବଭୂମିକୁ ସ୍ପର୍ଶ କରିବା ଲାଗି ସେ କୌଣସି ପ୍ରକାରେ ପରିତ୍ରାଣ ପାଇଲେ ନାହିଁ । ଏପରି ଏକ ଶୂନ୍ୟଗର୍ଭ ଓ କୃତ୍ରିମ ଚିନ୍ତନରୁ ଆମେ ମଣିଷର ଆପଣା ସହିତ ଓ ବିଶ୍ଵବ୍ରହ୍ମାଣ୍ଡ ସହିତ ଆପଣାର ସମ୍ବନ୍ଧ ବିଷୟରେ ଆଲୋକପାତ କରୁଥିବା କୌଣସି ସତ୍ୟରେ ପହଞ୍ଚି ପାରିବା ନାହିଁ । ତଥାପି ବାସ୍ତବ ଜୀବନର ଦୃଷ୍ଟିରୁ ଦେଖିଲେ ଚେତନାର କୌଣସି ବୋଧ ବା ପ୍ରତିବୋଧକୁ କଦାପି ଶୂନ୍ୟଗର୍ଭ ବୋଲି କୁହାଯାଇ ନପାରେ । ଚିନ୍ତା କରିବାର ଅର୍ଥ ହିଁ ହେଉଚି କୌଣସି ବିଷୟରେ ଚିନ୍ତା କରିବା “ମୁଁ ଜୀବନ, ମୋର ଜୀବିତ ରହିବାର ଇଚ୍ଛା ରହିଚି, ଜୀବିତ ରହିବାର ଇଚ୍ଛାବିଶିଷ୍ଟ ଜୀବନର ଏକ ପରିବେଶ ଭିତରେ ହିଁ ମୁଁ ରହିଚି” ଏହାହିଁ ହେଉଚି ମନୁଷ୍ୟଚେତନାର ପ୍ରତ୍ୟକ୍ଷତମ ସତ୍ୟ । ଆପଣା ବିଷୟରେ ଏବଂ ଆପାଣାକୁ ଘେରି ରହିଥିବା ପୃଥିବୀ ବିଷୟରେ ଚିନ୍ତା କଲାବେଳେ ସେ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣାକୁ କେବଳ ‘ଜୀବନେଚ୍ଛା ପରିବେଷ୍ଟିତ ଜୀବନେଚ୍ଛା’ ଭାବରେ ହିଁ ଚିନ୍ତା କରିଥାଏ ।

 

ମୋର ଜୀବନେଚ୍ଛା ମଧ୍ୟରେ ଆହୁରି ଅଧିକ ଜୀବନର ଅଭିଳାଷ ନିହିତ ହୋଇ ରହିଚି, ଜୀବନେଚ୍ଛାର ସେହି ରହସ୍ୟମୟ ଉତ୍ତୋଳନ ଅର୍ଥାତ୍ ସୁଖର ଇଚ୍ଛା ନିହିତ ହୋଇ ରହିଚି; ବିଲୁପ୍ତ ହୋଇ ଯିବାର ଭୟ ମଧ୍ୟ ରହିଚି, ଜୀବନେଚ୍ଛାର ସେହି ରହସ୍ୟମୟ ସଙ୍କୁଚନ ଅର୍ଥାତ୍ ଦୁଃଖ ମଧ୍ୟ ରହିଚି । ଠିକ୍ ସେହିପରି ମୋର ଚତୁର୍ଦ୍ଦିଗରେ ବିରାଜମାନ ରହିଥିବା ପ୍ରକାଶିତ ତଥା ମୌନ ଜୀବନେଚ୍ଛା ଭିତରେ ମଧ୍ୟ ସେହିସବୁ ବର୍ତ୍ତମାନ ରହିଚି ।

 

ମଣିଷକୁ ବର୍ତ୍ତମାନ ତା’ର ଜୀବନେଚ୍ଛା ସହିତ ଆପଣାର ସମ୍ବନ୍ଧ ନିର୍ଣ୍ଣୟ କରିବାକୁ ପଡ଼ିବ । ଇଚ୍ଛାକଲେ ସେ ଏହାକୁ ଅସ୍ଵୀକାର ମଧ୍ୟ କରି ଦେଇପାରେ । କିନ୍ତୁ ଭାରତୀୟ ଓ ଅନ୍ୟାନ୍ୟ ଦୁଃଖବାଦୀ ଦର୍ଶନରେ ଯେପରି କରାଯାଇଚି, ସେ ଯଦି ସେହିପରି ଆପଣାର ଜୀବନେଚ୍ଛାକୁ ନିର୍ବାଣେଚ୍ଛାରେ ପରିଣତ କରିଦେବାକୁ ଚାହେଁ, ତେବେ ସେ ଏକ ଆତ୍ମବିରୋଧର ଜାଲ ଭିତରେ ପଡ଼ିଯିବ । କାରଣ ଯାହା ଆଦୌ ସ୍ଵାଭାବିକ ନୁହେଁ, ଯାହା ସତ୍ୟ ନୁହେଁ ଏବଂ ଯାହାକୁ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧି କରିହେବ ନାହିଁ, ସେହିପରି ଏକ ମନୋଭୂମିକୁ ସେ ଜଗତ ଓ ଜୀବନ ବିଷୟରେ ଆପଣାର ଦୃଷ୍ଟିଭୂମି ରୂପେ ଉତ୍ତୋଳିତ କରିନେବାକୁ ଇଚ୍ଛା କରିବାକୁ ଭ୍ରମ କରି ବସିବ । ଭାରତୀୟ ଦର୍ଶନ ଓ ଶୋପେନ୍‍ହାଉଆର୍‍ଙ୍କର ବିଚାରରେ ନାନା ଅସଙ୍ଗତିପୂର୍ଣ୍ଣ ହୋଇ ରହିଚି, କାରଣ ଜଗତ ଓ ଜୀବନକୁ ଯାବତୀୟ ପ୍ରକାରେ ଅସ୍ଵୀକାର କରିବା ସତ୍ତ୍ୱେ ତଥାପି ସୁବିଦ୍ୟମାନ ରହିଥିବା ଜୀବନେଚ୍ଛାକୁ ତାକୁ ଅବଶ୍ୟ ବାରବାର ବାଟ ଛାଡ଼ି ଦେବାକୁ ହେବ, ହୁଏତ ଏପରି ବାଟ ଛାଡ଼ି ଦେବାକୁ ସେ ଯଥାର୍ଥରେ ବାଟ ଛାଡ଼ିଦେବା ବୋଲି ସ୍ଵୀକାର ନ କଲେ ମଧ୍ୟ ତାକୁ ପ୍ରକୃତରେ ବାଟ ଛାଡ଼ିଦେବାକୁ ପଡ଼ିବ । ଶାରୀରିକ ଜୀବନକୁ ଶେଷ କରିଦେବା ଲାଗି ମଣିଷ ଯେତେବେଳେ ଇଚ୍ଛା କରିବ, କେବଳ ସେତିକିବେଳେ ତା’ର ଜୀବନେଚ୍ଛାକୁ ଅସ୍ଵୀକାର କରିବାକୁ ଏକ ସଙ୍ଗତ ପ୍ରବୃତ୍ତି ବୋଲି କୁହାଯାଇ ପାରିବ ।

 

ଆପଣାର ଜୀବନେଚ୍ଛାକୁ ସ୍ଵୀକାର କରୁଥିବା ବ୍ୟକ୍ତି ଅତି ସ୍ୱାଭାବିକତା ଓ ସାଧୁତାର ସହିତ ଆପଣାର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥାଏ, ତା’ର ଅଚେତନ ପ୍ରବୃତ୍ତି ଭିତରେ ଯେଉଁ କର୍ମ କରିବାର ବିଚାର ଉଦ୍ରେକ ହୋଇଥାଏ, ଆପଣାର ଚେତନା ବିଚାରରେ ସେ ସେହି କର୍ମର ହିନ ପୁନରାବୃତ୍ତି କରିଥାଏ । ଯେତେବେଳେ ମଣିଷ ଆପଣାର ଅସ୍ତିତ୍ଵକୁ କେବଳ ମୌନ ଭାବରେ ସ୍ଵୀକାର କରି ନ ନିଏ ଏବଂ ତାହାକୁ ଏକ ଅଗାଧ ରହସ୍ୟରେ ପୂର୍ଣ୍ଣ ହୋଇ ରହିଥିବାର ଅନୁଭବ କରେ, ସେତିକିବେଳେ ହିଁ ବିଚାରର ଉଦୟ ହୋଇଥାଏ । ଏହି ଉଦୟ ତା’ର ମନ ଭିତରେ ନିରନ୍ତର ପୁନରାବୃତ୍ତି ହୋଇ ଚାଲିଥାଏ । ସେ ଯେତେବେଳେ ଅବିଚାରିତ ଭାବରେ ଜୀବନକୁ ଗ୍ରହଣ କରିନେବାରୁ ଆପଣାକୁ ନିବୃତ୍ତ କରି ରଖେ ଏବଂ ଆପଣାର ଜୀବନକୁ ତାହାର ସତ୍ୟମୂଲ୍ୟର ସ୍ତରକୁ ଉନ୍ନତି କରି ନେବାଲାଗି ଶ୍ରଦ୍ଧାର ସହିତ ଆପଣାର ଜୀବନ ପାଖରେ ଆପଣାକୁ ସମର୍ପିତ କରିଦିଏ, ସେତିକିବେଳେ ହିଁ ତା’ର ଜୀବନ-ସ୍ଵୀକାରକୁ ସେ ଏକ ଆଧ୍ୟାତ୍ମିକ ସାଧନାରେ ପରିଣତ କରିଥାଏ । ଜୀବନକୁ ସ୍ଵୀକାର କରିବାର ଅର୍ଥ ହେଉଛି ଜୀବନେଚ୍ଛାକୁ ଅଧିକ ଗଭୀର କରିବା, ଏହାକୁ ଅଧିକ ଅନ୍ତର୍ମୁଖ ଓ ଉତ୍ତୋଳିତ କରିନେବା ।

 

ପୁଣି ଯେଉଁ ବ୍ୟକ୍ତି ବିଚାରର ସହିତ ଆପଣାର ଜୀବନ ବଞ୍ଚିବାର ନିର୍ଣ୍ଣୟ କରେ, ଆପଣାର ଜୀବନକୁ ସେ ଯେତିକି ଶ୍ରଦ୍ଧା ଦେଖାଉଛି, ପ୍ରତ୍ୟେକ ଜୀବନେଚ୍ଛାକୁ ମଧ୍ୟ ସେ ସେତିକି ଶ୍ରଦ୍ଧା ଦେଖାଇବାକୁ ବାଧ୍ୟ ହୋଇଥାଏ । ଅନ୍ୟ ଜୀବନକୁ ମଧ୍ୟ ସେ ଆପଣାର ଜୀବନ ଭିତରେ ଅନୁଭବ କରେ । ଜୀବନର ରକ୍ଷା କରିବାକୁ, ଜୀବନକୁ ଅଗ୍ରସର କରାଇନେବାକୁ, ବିକାଶଶୀଳ ପ୍ରତ୍ୟେକ ଜୀବନକୁ ତା’ର ଉଚ୍ଚତମ ବା ସମ୍ଭାବ୍ୟତମ ମୂଲ୍ୟପର୍ଯ୍ୟନ୍ତ, ବିକଶିତ କରିନେବାକୁ ସେ ‘ଶିବ’ ବା ମଙ୍ଗଳ ବୋଲି ଗ୍ରହଣ କରିନିଏ । ଅପରପକ୍ଷରେ କୌଣସି ଜୀବନ ନାଶ କରିବାକୁ, ଜୀବନ ପ୍ରତି କୌଣସିପ୍ରକାର ଆଘାତ ପହଞ୍ଚାଇବାକୁ, ବିକାଶଶୀଳ ଜୀବନକୁ କୌଣସି ପ୍ରକାରେ ଚାପ ଦେଇ ଅଟକାଇ ରଖିବାକୁ ସେ ‘ଅଶିବ’ ବା ଅମଙ୍ଗଳ ବୋଲି ବିଚାର କରେ । ଏହାହିଁ ହେଉଛି ନୈତିକ ଜୀବନର ଅକାଟ୍ୟ ସାରମର୍ମ ଏବଂ ଏହା ଜ୍ଞାନ ବା ବିଚାର ଉପରେ ହିଁ ପ୍ରତିଷ୍ଠିତ ରହିଚି ।

 

ଏପର୍ଯ୍ୟନ୍ତ ସବୁ ନୀତିଶାସ୍ତ୍ର କେବଳ ମନୁଷ୍ୟ ସହିତ ମନୁଷ୍ୟର ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବାରେ ଆପଣାକୁ ଆବଦ୍ଧ କରି ରଖିଚି । ଏହାକୁ ନୀତିଶାସ୍ତ୍ରର ଏକ ବଡ଼ ଦୋଷ ବୋଲି କୁହାଯାଇ ପାରିବ । ପ୍ରକୃତ ଦୃଷ୍ଟିରୁ ଦେଖିବାକୁ ଗଲେ ପୃଥିବୀ ଓ ତା’ର ଆପଣାର ସମ୍ପର୍କରେ ଆସୁଥିବା ଯାବତୀୟ ଜୀବନ ପ୍ରତି ତାହାର ଯେଉଁ ଦୃଷ୍ଟିଭଙ୍ଗୀ ରହିଚି, ତାହାରି ନିରୂପଣ କରିବା ହିଁ ନୀତିଶାସ୍ତ୍ରର ସର୍ବପ୍ରଧାନ ପ୍ରଶ୍ନ ହେବା ଉଚିତ । ଠିକ୍ ଅପର ମନୁଷ୍ୟମାନଙ୍କ ସଦୃଶ ପ୍ରତ୍ୟେକ ଉଦ୍ଭିଦ ଓ ପ୍ରତ୍ୟେକ ଇତରପ୍ରାଣୀ, ଅର୍ଥାତ୍ ଜୀବମାତ୍ରକେ ଯେଉଁ ମଣିଷ ପବିତ୍ର ବୋଲି ଜ୍ଞାନ କରି ଶିଖିବ, କେବଳ ତାହାକୁ ହିଁ ଯଥାର୍ଥରେ ନୀତିବାନ୍ ବୋଲି କୁହାଯାଇ ପାରିବ । ତାହାର ସାହାଯ୍ୟ ଆବଶ୍ୟକ କରୁଥିବା ଜୀବ ମାତ୍ରକେ ସେ ସବୁରି ପାଇଁ ଆପଣାର ସାହାଯ୍ୟ ନିବେଦନ କରିପାରିଲେ ଯାଇ ସେ ଯଥାର୍ଥରେ ନୀତିବାନ ହୋଇ ପାରିବ । ଜୀବନର ନିରନ୍ତର ବ୍ୟାପକ କ୍ଷେତ୍ରରେ ଆପଣାର ଦାୟିତ୍ଵକୁ ଅନୁଭବ କରୁଥିବା ବିଶ୍ଵଜନୀନ ନୈତିକ ଜୀବନକୁ ହିଁ କେବଳ ଜ୍ଞାନ ବା ବିଚାର ଉପରେ ପ୍ରତିଷ୍ଠିତ କରାଯାଇ ପାରିବ । ମଣିଷ ସହିତ କେବଳ ମଣିଷର ସମ୍ବନ୍ଧ ନିର୍ଣ୍ଣୟ କରୁଥିବା ନୀତିକୁ କଦାପି ଏକ ସମ୍ପୂର୍ଣ୍ଣ ବା ସ୍ଵତନ୍ତ୍ର ନୀତି ବୋଲି କୁହାଯାଇ ପାରିବ ନାହିଁ । ବିଶ୍ଵଜନୀନ ନୈତିକ ଜୀବନରେ ଏହାକୁ କେବଳ ଏକ ବିଶେଷ କ୍ଷେତ୍ରର ସମ୍ବଳ ବୋଲି ସ୍ଵୀକାର କରିବାକୁ ପଡ଼ିବ ।

 

ପ୍ରେମ, ଆତ୍ମନିବେଦନ, ସହାନୁଭୂତି, ସହାନନ୍ଦ ଓ ସହପ୍ରଚେଷ୍ଟାର ପରିସର ଭିତରେ ଆସୁଥିବା ଯାବତୀୟ କର୍ମ ଓ ବିଚାରକୁ ଆମେ ‘ଜୀବନପ୍ରତି ନିଷ୍ଠା’ର ନୀତିଦର୍ଶନ ଭିତରେ ଅନ୍ତର୍ଭୁକ୍ତ କରିପାରିବା ।

 

ପୃଥିବୀରେ ଏହି ଜୀବନେଚ୍ଛା କିପରି ଆପଣା ଭିତରେ ବିଭକ୍ତ ହୋଇ ପଡ଼ିଚି, ଆମେ ଆଜି ଏହି ଭୟାବହ ନାଟକ ଦେଖିବାକୁ ପାଇବା । ଗୋଟିଏ ଜୀବନର ବିନାଶ ଉପରେ ହିଁ ଆଉ ଗୋଟିଏ ଜୀବନ ତିଷ୍ଠି ରହିବାର ଚେଷ୍ଟା କରୁଚି, ଗୋଟିଏ ଅନ୍ୟଟିକୁ ନଷ୍ଟ କରିଦେଉଛି । କେବଳ ବିଚାରଶୀଳ ବ୍ୟକ୍ତିର ଜୀବନେଚ୍ଛା ବିଷୟରେ ସଚେତ ରହିବାକୁ ସମର୍ଥ ହୋଇପାରୁଛି ଏବଂ ତାହାରି ସହିତ ଦୃଢ଼ ସଂହତିସୂତ୍ର ସ୍ଥାପନ କରିବାର ଅଭିଳାଷ ପୋଷଣ କରୁଚି । ଅବଶ୍ୟ ସେ ସମ୍ପୂର୍ଣ୍ଣ ଭାବରେ ଏହି ସଂହତିକୁ ସମ୍ଭବ କରିପାରୁନାହିଁ, କାରଣ ସେ ଅନ୍ୟ ଜୀବନକୁ ନଷ୍ଟ କରି ଆପଣାର ଜୀବନ ବଞ୍ଚାଇ ରଖିବାକୁ ବାଧ୍ୟ ହେବାର ଭୟଙ୍କର ଓ ଭ୍ରମକାରୀ ନିୟମର ଆବର୍ତ୍ତ ଭିତରେ ପଡ଼ିଯାଇଚି, ତେଣୁ ଅବିରତ ଭାବରେ ସେ ଅନ୍ୟ ଜୀବନକୁ ନଷ୍ଟ ଓ ଆହତ କରିବାରେ ଲାଗିଚି । କିନ୍ତୁ ଏକ ନୀତିବାନ୍ ଜୀବନଧାରୀ ହିସାବରେ ସେ ଆପଣା ଜୀବନରେ ଯଥାସମ୍ଭବ ଏହି ନିଷ୍ଠୁର ଆବଶ୍ୟକତାକୁ ଏଡ଼ି ଚାଲିଯିବାର ଚେଷ୍ଟା କରୁଚି, ଆପଣା ଜୀବନର ପ୍ରଭାବ ଓ ପରିସର ମଧ୍ୟରେ ଜୀବନେଚ୍ଛାର ଏହି ଆତ୍ମବିଭାଜନ (Selbstentzweiung)କୁ ବନ୍ଦ କରିବାକୁ ସେ ଯଥାସମ୍ଭବ ସଚେତ ଓ ସହାନୁଭୂତିଶୀଳ ହେବାକୁ ଚେଷ୍ଟା କରୁଚି । ଆପଣାର ମନୁଷ୍ୟତାକୁ ରକ୍ଷା କରିବାଲାଗି ଓ ଅନ୍ୟାନ୍ୟ ସମସ୍ତ ଜୀବନକୁ ଦୁଃଖରୁ ମୁକ୍ତି କରି ଆଣିବା ଲାଗି ସେ ପିପାସିତ ହୋଇ ଉଠୁଚି ।

 

ତେଣୁ ବିଚାର ସମର୍ଥିତ ‘ଜୀବନେଚ୍ଛା’ରୁ ପ୍ରସ୍ତୁତ ହୋଇଥିବା ଏହି ‘ଜୀବନପ୍ରତି ଶ୍ରଦ୍ଧା’ ଭିତରେ ଜଗତ ଓ ଜୀବନକୁ ସ୍ଵୀକାର କରିବାର ଜୀବନଦୃଷ୍ଟି ଓ ନୀତିଗତ ଜୀବନ-ଦୃଷ୍ଟି ଏକରସ ହୋଇ ରହିଚି । ବିଭିନ୍ନ ମୂଲ୍ୟର ସୃଷ୍ଟି କରିବା ଏବଂ ମନୁଷ୍ୟ ସମୂହ ଓ ମନୁଷ୍ୟତ୍ଵର ଭୌତିକ, ଆଧ୍ୟାତ୍ମିକ ଓ ନୀତିଗତ ବିକାଶ ସାଧନ କଲାଭଳି ବିଭିନ୍ନ ପ୍ରଗତି ସମ୍ଭବ କରିବାକୁ ଏହା ଆପଣାର ଧ୍ୟେୟ ବୋଲି ଗ୍ରହଣ କରି ନେଇଚି, ଜଗତ ଓ ଜୀବାନକୁ ସ୍ଵୀକାର କରୁଥିବା ବିଚାର ବିସ୍ମୃତି ଜୀବନଦୃଷ୍ଟି ଆପଣାର ସମସ୍ତ ଆବିଷ୍କାର ଓ ଉଦ୍ଭାବନାଲବ୍ଧ ସମସ୍ତ କ୍ଷମତାଦର୍ଶ ସତ୍ତ୍ୱେ ବାରମ୍ବାର ଝୁଣ୍ଟିବାରେ ଲାଗିଚି ବା ବାରବାର ତଳେ ପଡ଼ିଯାଉଚି, କିନ୍ତୁ ଜଗତ ଓ ଜୀବନର ସ୍ଵୀକାରକାରୀ ବିଚାର ସଚେତ ଜୀବନଦୃଷ୍ଟି ମନୁଷ୍ୟଜାତିର ପରିପୂର୍ଣ୍ଣ ଆଧ୍ୟାତ୍ମିକ ଓ ନୀତିଗତ ବିକାଶକୁ ଆପଣାର ଉଚ୍ଚତମ ଧ୍ୟେୟ କରି ରଖିଚି, ପ୍ରଗତିର ଅନ୍ୟାନ୍ୟ ଯାବତୀୟ ଧ୍ୟେୟର ଯଥାର୍ଥ ମୂଲ୍ୟ କେବଳ ଏହି ଉଚ୍ଚତମ ଧ୍ୟେୟଦ୍ଵାରା ନିରୂପିତ ହୋଇପାରିବ ବୋଲି ଏହା ସ୍ଵୀକାର କରିନେଇଚି ।

 

ଜଗତ ଓ ଜୀବନକୁ ସ୍ଵୀକାର କରିବାଦ୍ଵାରା ଆମେ ଆମର ବିଚାର ଭିତରେ ଏକପ୍ରକାର ଶକ୍ତିର ଅନୁଭବ କରିଥାଉ, ସେହି ଶକ୍ତିବଳରେ ହିଁ ଆମେ ସଂସ୍କୃତିର ସାର ଓ ଅସାରକୁ ଚିହ୍ନିପାରିବାର ସାମର୍ଥ୍ୟ ଅର୍ଜନ କରୁ । ଆମ ନିଜକୁ ସଭ୍ୟ ଓ ସଂସ୍କୃତ ବୋଲି କହି କେବଳ ଏକ ନିର୍ବୋଧ ଗର୍ବ କରିବସିବା ଆଉ ଆମକୁ ପ୍ରଭାବିତ ବା ଆକୃଷ୍ଟ କରିପାରେ ନାହିଁ । ଜ୍ଞାନ ଓ ଶକ୍ତିରେ ଏତେବେଶୀ ପ୍ରସାର ଓ ବୃଦ୍ଧି ହୋଇଥିବା ସତ୍ତ୍ଵେ ଅସଲ ସଂସ୍କୃତି ଆଜି ଅଧିକ ସହଜଲଭ୍ୟ ହେବା ପରିବର୍ତ୍ତେ ଯେ ଅଧିକ ଅୟାସସାଧ୍ୟ ହୋଇପଡ଼ିଚି, ଏହି ସତ୍ୟର ସମ୍ମୁଖୀନ ହେବାଲାଗି ଆମେ ସେତିକିବେଳେ ହିଁ ସାହସ ପାଇଥାଉ । ଆଧ୍ୟାତ୍ମିକ ଓ ଭୌତିକ ଜୀବନ ଭିତରେ ରହିଥିବା ଘନିଷ୍ଠ ସମ୍ବନ୍ଧମାନ ଆମକୁ ସେତିକିବେଳେ ଜଳଜଳ କରି ଦେଖାଯାଏ । ମନୁଷ୍ୟତା ଓ ମନୁଷ୍ୟଜାତିକୁ ବଞ୍ଚାଇ ରଖିବାକୁ ହେଲେ ଯେ ଆମ ସମସ୍ତଙ୍କୁ ପରିସ୍ଥିତି ସହିତ ସଂଗ୍ରାମ କରିବାକୁ ପଡ଼ିବ, ପ୍ରତିକୂଳ ସାମାଜିକ ପରିବେଶ ଭିତରେ ଆପଣାର ମନୁଷ୍ୟତ୍ଵକୁ ବଞ୍ଚାଇ ରଖିବାଲାଗି ଅନେକେ ଚଳାଇଥିବା ସଂଗ୍ରାମର ଶୋଚନୀୟ ଗତିରେ ପରିବର୍ତ୍ତନ କରାଇ ଆମକୁ ଯେ ପରିସ୍ଥିତି ଉପରେ ବିଜୟ ହାସଲ କରିବାପାଇଁ ଆଉଥରେ ଆଶାନ୍ଵିତ ହେବାକୁ ପଡ଼ିବ, ଏହି ବିଷୟରେ ଆମେ ସେତିକିବେଳେ ସଚେତ ହୋଇଯାଉ ।

 

ବିଚାର ଉପରେ ସୁପ୍ରତିଷ୍ଠିତ ଏକ ଗଭୀର ନୀତିସମ୍ବନ୍ଧିତ ପ୍ରଗତି-ଇଚ୍ଛା ଅସଂସ୍କୃତି ଓ ତାହାର ଦାରୁଣ ଦୁର୍ଗତି ଭିତରୁ ଯଥାର୍ଥ ସଂସ୍କୃତି ଅଭିମୁଖରେ ବାଟ ଦେଖାଇ ନେଇଯାଇ ପାରିବ । ଶୀଘ୍ର ହେଉ ବା ବିଳମ୍ବରେ ହେଉ, ପୃଥିବୀପୃଷ୍ଟରେ ଯଥାର୍ଥ ଏବଂ ମୀମାଂସା କରି ସେହି ଜାଗରଣ-ଯୁଗର ଅବଶ୍ୟ ଉଦୟ ହେବ ଏବଂ ତାହା ହିଁ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିପାରିବ ।

 

X X X X

 

‘ସଂସ୍କୃତିର ଦର୍ଶନ ବିଷୟରେ ଏକ ପୁସ୍ତକ ଲେଖିବା ପାଇଁ ମୋର ମନୋଭୂମି ଉପରେ ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ଯୋଜନା ଅତି ସ୍ପଷ୍ଟ ହୋଇଗଲା । ସତେ ଅବା ଆପଣାଛାଏଁ ଏହା ଚାରିଭାଗରେ ବିଭକ୍ତ ହୋଇ ମୋତେ ଦେଖାଦେଲା : (୧) ବର୍ତ୍ତମାନର ସଂସ୍କୃତିହୀନତା ଏବଂ ତାହାର କାରଣ, (୨) ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ନୀତିଗତ ଜୀବନଦୃଷ୍ଟିକୁ ପ୍ରତିଷ୍ଠିତ କରାଇବା ପାଇଁ ଇଉରୋପୀୟ ଦର୍ଶନରେ ଏପର୍ଯ୍ୟନ୍ତ ହୋଇଥିବା ଆଲୋଚନାର ଭୂମିଉପରେ, ’ଜୀବନ ପ୍ରତି ନିଷ୍ଠା’ର ବିଚାର ଓ ବିଶ୍ଳେଷଣ, (୩) ‘ଜୀବନପ୍ରତି ନିଷ୍ଠା’ର ଜୀବନଦୃଷ୍ଟିର ବିଶ୍ଳେଷଣ, (୪) ସଂସ୍କୃତିମୟ ଜୀବନର ପ୍ରକୃତିନିର୍ଣ୍ଣୟ (Kulturstaat)

 

ଜଗତ ଓ ଜୀବନକୁ ଏକ ନୀତିଗତ ଭୂମିଉପରେ ସ୍ଵୀକାର କରିବାକୁ ଇଉରୋପୀୟ ଦର୍ଶନ କିପରି ଶୋଚନୀୟ ଭାବରେ ସଂଗ୍ରାମ କରୁଥିଲା, ଏହି ଦ୍ଵିତୀୟଭାଗଟି ଲେଖିବାକୁ ଯେପରି ମୁଁ ମୋ’ଭିତରୁ ଏକ ଆବଶ୍ୟକତା ଅନୁଭବ କରିଥିଲି ଓ ସେହି ଆବଶ୍ୟକତା ଦ୍ଵାରା ବାଧ୍ୟ ହୋଇଥିଲି । ବର୍ତ୍ତମାନ ମୁଁ ଯେଉଁ ସମସ୍ୟାଟି ଉପରେ ଚର୍ଚ୍ଚା କରୁଥିଲି, ସେହି ସମସ୍ୟାଟିର ଐତିହାସିକ ବିକାଶକୁ ମୁଁ ସମ୍ପୂର୍ଣ୍ଣଭାବରେ ଅଧ୍ୟୟନ କରିବି ଏବଂ ପୂର୍ବରୁ ପ୍ରସ୍ତାବିତ ହୋଇଥିବା ସମାଧାନଗୁଡ଼ିକର ଏକପ୍ରକାର ସମନ୍ଵୟ କରିବାକୁ ଚେଷ୍ଟା କରି ମୁଁ ମୋର ଆପଣାର ସମାଧାନ ଦେବାକୁ ଚେଷ୍ଟା କରିବି, ଏହା ମୋତେ ଅତି ଆବଶ୍ୟକ ବୋଧ ହୋଇଥିଲା । ପୁଣି ଥରେ ସେହି ପୁରାତନ ପ୍ରଲୋଭନରେ ପଡ଼ିଗଲି ବୋଲି ଦିନେହେଲେ ମୁଁ କୌଣସି ଦୁଃଖ ପ୍ରକାଶ କରିନାହିଁ । ଅନ୍ୟମାନଙ୍କର ବିଚାରକୁ ବୁଝିବା ଲାଗି ଅଧିକରୁ ଅଧିକ ପ୍ରସ୍ତୁତ ହୋଇ ବରଂ ମୋର ଆପଣାର ବିଚାର ମୋ’ ଆଗରେ ଅଧିକ ସ୍ପଷ୍ଟ ହୋଇଯାଇଚି ।

 

X X X X

 

ମୁଁ ଲେଖିବାକୁ ଯାଉଥିବା ପୁସ୍ତକଟିର ପ୍ରକୃତ ସଙ୍ଗଠନ ବିଷୟରେ କୌଣସିପ୍ରକାର ସମ୍ବନ୍ଧ ନରଖି ମୁଁ କ୍ରମେ ଗୋଟିଗୋଟି କରି ମୋର ସଂଗୃହୀତ ବିଷୟ ସାମଗ୍ରୀଗୁଡ଼ିକୁ କାଗଜଉପରେ ଲେଖି ରଖିଲି ଓ ସେଗୁଡ଼ିକୁ ପରୀକ୍ଷା କରିବାରେ ଲାଗିଲି । ତହିଁ ସଙ୍ଗେ ସଙ୍ଗେ ଗୋଟିଏ ଗୋଟିଏ ବିଭାଗକୁ ମଧ୍ୟ ମୁଁ ପୂରା ଲେଖି ପକାଇଲି । ଯେତେବେଳେ ଅନ୍ୟମାନେ ଜୀବନ ନାଶ କରିବାରେ ବ୍ୟସ୍ତ ରହିଥିଲେ, ସେତେବେଳେ ଯେ ମୁଁ କେବଳ ଜୀବନ ରକ୍ଷା କରୁଥିଲି ତା’ନୁହେଁ, ଆସନ୍ନ ଶାନ୍ତିଯୁଗକୁ ଅଧିକ ଆସନ୍ନ କରିବାପାଇଁ ମଧ୍ୟ ମୁଁ ଯେ କାର୍ଯ୍ୟ କରୁଥିଲି, ପ୍ରାୟ ପ୍ରତ୍ୟେକ ଦିନ ମୁଁ ଏହିକଥା ଭାବୁଥିଲି ଓ ଏହାକୁ ଭଗବାନଙ୍କର ମୋ’ପ୍ରତି ଅଶେଷ ଅନୁଗ୍ରହ ବୋଲି ଅନୁଭବ କରୁଥିଲି ।

 

ସୌଭାଗ୍ୟବଶତଃ ମୋ’ପାଖରେ ଯଥେଷ୍ଟ ଔଷଧ ଓ ଅସ୍ତ୍ରୋପଚାର ସରଞ୍ଜାମ ମହଯୁତ୍ ହୋଇ ରହିଥିଲା, କାରଣ ଯୁଦ୍ଧ ଠିକ୍ ଲାଗିବା ପୂର୍ବରୁ ଶେଷ ଯେଉଁ କେତୋଟି ଜାହାଜ ଇଉରୋପରୁ ଆସି ପହଞ୍ଚିଲା, ସେଥିରୁ ଗୋଟିକ ସାହାଯ୍ୟରେ ମୁଁ ବହୁପରିମାଣରେ ମୋର ଆବଶ୍ୟକ ଜିନିଷମାନ ପାଇ ଯାଇଥିଲି ।

 

ଲାମ୍ବାରେନେର ଉଷ୍ଣାର୍ଦ୍ର ଜଳବାୟୁରେ ମୋର ପତ୍ନୀଙ୍କର ସ୍ୱାସ୍ଥ୍ୟ ଆଦୌ ଭଲ ରହୁ ନଥିଲା, ତେଣୁ ୧୯୧୬-୧୭ର ବର୍ଷା ଋତୁଟା ଆମେ ସମୁଦ୍ରକୂଳରେ ଅତିବାହିତ କରିଥିଲୁ । ଲୋପେଜ୍ ଅନ୍ତରୀପ ପାଖରେ ଥିବା ଚିଏଙ୍ଗାଠାରେ ଓଗୋଉଏ ନଦୀର ଏକ ଶାଖାନଦୀର ଠିକ୍‍ ମୁହାଣ ଉପରେ ଜଣେ କାଠବେପାରୀ ଆମ ଲାଗି ଗୋଟିଏ ଘର ଛାଡ଼ି ଦେଇଥିଲେ । ମହଯୁଦ୍‍ଥିବା କାଠଭେଳାକୁ ଦେଖାଚାହାଁ କରିବାଲାଗି ନିଯୁକ୍ତ ଥିବା ପହରାବାଲା ଏହି ଘରେ ବାସ କରୁଥିଲା, କିନ୍ତୁ ବର୍ତ୍ତମାନ ଯୁଦ୍ଧ ହେତୁ ଘରଟି ଖାଲି ପଡ଼ିଥିଲା । ବେପାରୀଙ୍କର ଏହି ବଦାନ୍ୟତାର ପ୍ରତିଦାନ ସ୍ୱରୂପ ମୁଁ ମଧ୍ୟ ସ୍ଥାନୀୟ ଆଦିବାସୀ ମୂଲିଆଙ୍କ ସହିତ ଯୋଗଦେଇ ଆଗରୁ ଭେଳା ବନ୍ଧା ହୋଇଥିବା କାଠଗଡ଼ଗୁଡ଼ିକୁ ଶୁଖିଲା ଭୂଇଁକୁ ଗଡ଼ାଇ ଆଣିବାରେ ସାହାଯ୍ୟ କରିଥିଲି । କାରଣ ଇଉରୋପ ସହିତ ପୁଣି ଜାହାଜ କାରବାର ଆରମ୍ଭ ହେବାପର୍ଯ୍ୟନ୍ତ କାଠଗୁଡ଼ିକ ସେହିଠାରେ ପଡ଼ି ରହିଥିଲେ କାଳକ୍ରମେ ଘୁଣ (Taredo Navalis) ଖାଇ ଯାଇଥାନ୍ତା । ଗୋଟିଏ ଗୋଟିଏ କାଠଗଡ଼ର ଓଜନ ପ୍ରାୟ ଦୁଇତିନି ଟନ୍ ପର୍ଯ୍ୟନ୍ତ ଥିଲା, ସେଥିରୁ ଗୋଟିକୁ ଉପରକୁ ଉଠାଇବା ଲାଗି ଘଣ୍ଟାଘଣ୍ଟା ସମୟ ଲାଗୁଥିଲା, ତେଣୁ ଏପରି ଏକ ଶକ୍ତ କାମ କରିବା କେବଳ ଜୁଆର ସମୟରେ ହିଁ ସମ୍ଭବ ହେଉଥିଲା । ଜୁଆର ଛାଡ଼ିଗଲେ ମୁଁ ପୁଣି ‘ସଂସ୍କୃତିର ଦର୍ଶନ’ କାମରେ ବସି ଯାଉଥିଲି । ଅବଶ୍ୟ ମୋର ସମୟର କେତେକ ଅଂଶ ରୋଗୀମାନଙ୍କ ଲାଗି ମଧ୍ୟ ଦେବାକୁ ପଡ଼ୁଥିଲା ।

☆☆☆

 

ଗାରେସଁ ଏବଂ ରେମି

 

୧୯୧୭ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସରେ ଲାମ୍ବାରେନେଠାରେ ମୋର କାର୍ଯ୍ୟ ଆରମ୍ଭ କରିବାର ଠିକ୍ ପରେ ପରେ ଆଦେଶ ଶୁଣାଇ ଦିଆଗଲା ଯେ ଇଉରୋପ ଅଭିମୁଖରେ ବାହାରୁଥିବା ଏକ ଜାହାଜରେ ଆମକୁ ସଙ୍ଗେ ସଙ୍ଗେ ଆଫ୍ରିକା ତ୍ୟାଗ କରି ଇଉରୋପ ଯାତ୍ରା କରିବାକୁ ପଡ଼ିବ । ସେଠାରେ କୌଣସି ଶିବିରରେ ଆମକୁ ଯୁଦ୍ଧବନ୍ଦୀମାନଙ୍କ ସହିତ ଏକତ୍ର ରଖାଯିବ । ଭାଗ୍ୟବଶତଃ ଜାହାଜ ଆସି ବନ୍ଦରରେ ପହଞ୍ଚିବାକୁ କିଛିଦିନ ବିଳମ୍ବ ହୋଇଗଲା, ତେଣୁ ସ୍ଥାନୀୟ ବାସିନ୍ଦା ଓ ମିସନାରୀମାନଙ୍କର ସାହାଯ୍ୟରେ ଜିନିଷପତ୍ର, ଔଷଧ ଓ ଯନ୍ତ୍ରପାତି ସବୁ ବନ୍ଧାବନ୍ଧି କରିବାକୁ ଏବଂ ଟିଣରେ ତିଆରି ହୋଇଥିବା ଗୋଟିଏ ଛୋଟିଆ ଘରେ ସେଗୁଡ଼ିକୁ ବନ୍ଦ ରଖିବାକୁ ଆମକୁ ଯଥେଷ୍ଟ ସମୟ ମିଳିଲା ।

 

‘ସଂସ୍କୃତିର ଦର୍ଶନ’ ସମ୍ବନ୍ଧରେ ଯେଉଁ ପ୍ରାରମ୍ଭିକ ଲେଖାଗୁଡ଼ିକ ମୁଁ ପ୍ରସ୍ତୁତ କରିଥିଲି, ତାକୁ ବର୍ତ୍ତମାନ ସାଙ୍ଗରେ ନେଇ ଯିବାର ପ୍ରଶ୍ନ ହିଁ ଉଠୁନଥିଲା । ଯେକୌଣସି ବନ୍ଦରରେ ଜିନିଷପତ୍ର ଯାଞ୍ଚ କଲାବେଳେ ହୁଏତ ସେଗୁଡ଼ିକ ବ୍ୟାଜ୍ୟାପ୍ତି କରି ନିଆଯାଇ ପାରିଥାନ୍ତା, ତେଣୁ ସେଗୁଡ଼ିକୁ ମୁଁ ସେତେବେଳେ ଲାମ୍ବାରେନେଠାରେ କାର୍ଯ୍ୟ କରୁଥିବା ଜଣେ ମିସନାରୀ ଶ୍ରୀଯୁକ୍ତ ଫୋର୍ଡ଼ଙ୍କ ପାଖରେ ଜିମା ଦେଇଗଲି । ସେ ସଫାସଫା କହିଲେ ଯେ ତାଙ୍କ ମତରେ କାଗଜପତ୍ରର ଏହି ଗୋଛାଟାକୁ ନଦୀରେ ପକାଇଦେବା ସବୁଠାରୁ ଭଲ, କାରଣ ଦର୍ଶନର ଅଧ୍ୟୟନକୁ ସେ ସବୁବେଳେ ଅନାବଶ୍ୟକ ଓ କ୍ଷତିକାରକ ବୋଲି ମନେ କରୁଥିଲେ । ତଥାପି ତାଙ୍କ ପାଖରେ ଜଣେ ଖୀଷ୍ଟ୍ରିଆନ୍‍ର ଉଦାରତା ରହିଥିବାରୁ ମୋ’ଲାଗି ସେତକ ରଖିବାକୁ ଏବଂ ମହାଯୁଦ୍ଧ ଶେଷ ହେଲେ ମୋ ପାଖକୁ ପଠାଇବାକୁ ସମ୍ମତ ହୋଇଥିଲେ । ତଥାପି, ଯେ କୌଣସି ପରିସ୍ଥିତିରେ ମଧ୍ୟ ଯେପରି ମୋର ଏତେ ପରିଶ୍ରମର ଫଳ କଦାପି ନଷ୍ଟ ହୋଇ ନଯାଏ, ସେଥିପାଇଁ ଦୁଇରାତି ବସି ମୁଁ ଲେଖିଥିବା ବିଷୟଗୁଡ଼ିକର ଫରାସୀ ସାରାଂଶ ଲେଖି ପକାଇଲି, ସମଗ୍ର ବିଷୟଟିରେ ଥିବା ପ୍ରଧାନ ପ୍ରଧାନ ବିଷୟ ଓ ଅଧ୍ୟାୟ ବିଭାଗମାନ ଲେଖି ନେଲି । ବାଟରେ ଯାଞ୍ଚ କରୁଥିବା କର୍ତ୍ତୃପକ୍ଷମାନଙ୍କୁ ଯେପରି ଏସବୁ ଲେଖା ସହିତ ବାସ୍ତବ ଜୀବନର କୌଣସି ସମ୍ବନ୍ଧ ନାହିଁ ବୋଲି ମନେହେବ ଏବଂ ତେଣୁ ଏହାକୁ ସାଙ୍ଗରେ ନେଇ ଯିବାରେ ସେମାନେ କୌଣସି ଆପତ୍ତି କରିବେନାହିଁ, ଏହି ଉଦ୍ଦେଶ୍ୟରେ ମୁଁ ଅଧ୍ୟାୟଗୁଡ଼ିକର ତଦନୁରୂପ ନାମକରଣ କରିଦେଲି ଏବଂ ତାହା ଫଳରେ ଯେପରି ମୁଁ ଜାଗରଣ ଯୁଗର କେବଳ ଏକ ଇତିହାସ ହିଁ ଲେଖିଚି, ବାହାରକୁ ବର୍ତ୍ତମାନ ତାହା ସେହିଭଳି ପ୍ରତୀତ ହେଉଥିଲା । ଏହିପରି କରିବା ଦ୍ଵାରା ବାଟରେ ଅନେକବାର ବାଜ୍ୟାପ୍ତି ହୋଇଯିବାର ବିପତ୍ତିରୁ ମୁଁ ଏହି ଲେଖାଗୁଡ଼ିକୁ ବଞ୍ଚାଇ ରଖିଥିଲି ।

 

ଲାମ୍ବାରେନେ ଛାଡ଼ିବାର ଠିକ୍ ଦୁଇଦିନ ପୂର୍ବରୁ କେତେକ ପୂରା ବନ୍ଧା ହୋଇଥିବା ଓ ଆହୁରି କେତେକ ଅଧା ବନ୍ଧାହୋଇ ପଡ଼ିଥିବା ବାକ୍ସ ଓ ବୋଝଭିତରେ ମୁଁ ଜଣେ ହାର୍‍ନିଆ ରୋଗୀଉପରେ ଅସ୍ତ୍ରୋପ୍ରଚାର ମଧ୍ୟ କରିଥିଲି ।

 

ନଦୀକୂଳକୁ ଆସି ଷ୍ଟିମରରେ ଚଢ଼ିଲାବେଳେ କୂଳଉପରୁ ସ୍ଥାନୀୟ ଆଦିବାସୀମାନେ ଆମ ଉଦ୍ଦେଶ୍ୟରେ ସ୍ନେହପୂର୍ଣ୍ଣ ବିଦାୟଧ୍ୱନିମାନ କରିଥିଲେ । ଏତିକିବେଳେ ବାଟରେ ଭିଡ଼କରି ଠିଆ ହୋଇଥିବା ଆଦିବାସୀମାନଙ୍କୁ କର୍ତ୍ତୃତ୍ଵକଠୋର ଅଙ୍ଗଭଙ୍ଗୀରେ ବାଟଉପରୁ ଘଉଡ଼ାଇ ଦେଇ କାଥୋଲିକ୍ ମିସନ୍‍ର ସର୍ବୋଚ୍ଚ କର୍ତ୍ତା ଷ୍ଟିମରକୁ ଆସିଲେ ଏବଂ ଆମ ସହିତ କରମର୍ଦ୍ଦନ କରିଥିଲେ-। ସେ କହିଲେ: “ଏ ଦେଶ ଛାଡ଼ିଯିବା ପୂର୍ବରୁ ଏହି ଦେଶ ପାଇଁ ଆପଣମାନେ ଯେଉଁ ସେବା କରିଛନ୍ତି, ସେଥିପାଇଁ ଆପଣମାନଙ୍କୁ ମୋର ଧନ୍ୟବାଦ ନେଇକରି ଯିବାକୁ ହେବ ।’’ ତାହାହିଁ ତାଙ୍କ ସହିତ ମୋର ଶେଷଦେଖା ଥିଲା । ଯୁଦ୍ଧ ବନ୍ଦହେବାର ମାତ୍ର ଅଳ୍ପଦିନ ପରେ ବିସ୍କେ ଉପସାଗରର ଏକ ଜାହାଜ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ ।

 

ଲୋପେଜ୍ ଅନ୍ତରୀପଠାରେ ଜଣେ ଇଉରୋପୀୟ ଭଦ୍ରଲୋକ ଆସି କାଳେ ମୋ’ ପାଖରେ ଯଥେଷ୍ଟ ପଇସା ନଥିବ, ସେଥିଲାଗି ମୋତେ କିଛି ସାହାଯ୍ୟ କରିବାର ଇଚ୍ଛା ପ୍ରକାଶ କରିଥିଲେ । ଆଗରୁ ତାଙ୍କର ପତ୍ନୀଙ୍କୁ ମୁଁ ଚିକିତ୍ସା କରିଥିଲି । ହୁଏତ ଯୁଦ୍ଧ ଲାଗିଯାଇ ପାରେ, ଏହି ଆଶଙ୍କାରେ ମୁଁ ସାଙ୍ଗରେ ଆଗରୁ କିଛି ସ୍ଵର୍ଣ୍ଣମୁଦ୍ରା ରଖିଥିଲି ବୋଲି ବର୍ତ୍ତମାନ ମୋର ଭାଗ୍ୟକୁ ଅନେକ ଧନ୍ୟବାଦ ଦେବାକୁ ହେଲା । ଆମ ଷ୍ଟିମର ଛାଡ଼ିବାର ଘଣ୍ଟାକ ପୂର୍ବରୁ ଜଣେ ଇଂରାଜୀ କାଠ ବେପାରୀଙ୍କ ପାଖକୁ ଯାଇ ସେହିସବୁ ସ୍ଵର୍ଣ୍ଣମୁଦ୍ରା ବଦଳରେ ମୁଁ ଯଥେଷ୍ଟ ପରିମାଣରେ ଫରାସୀମୁଦ୍ରା ନେଇ ଆସିଥିଲି । ମୁଁ ଏବଂ ମୋର ସ୍ତ୍ରୀ ସେହି ମୁଦ୍ରାକୁ ଆମର ପୋଷାକ ଭିତରେ ସିଲାଇକରି ରଖିଥିଲୁ ।

 

ଜାହାଜ ଉପରେ ଆମକୁ ଜଣେ ତଳସ୍ତରର ଶ୍ଵେତକାୟ ସାମରିକ କର୍ମଚାରୀଙ୍କର ଦାୟିତ୍ଵରେ ରହିବାକୁ ହେଲା । ଆମର କାମଦାମ କରିବା ପାଇଁ ଯେଉଁ ଭୃତ୍ୟଜଣକୁ ଖଞ୍ଜି ଦିଆଯାଇଚି, କେବଳ ତାହାରି ବ୍ୟତୀତ ଯେପରି ଆମେ ଆଉ କାହାରି ସହିତ କୌଣସି କଥାବାର୍ତ୍ତା ନ ହେଉ, ତାହା ହିଁ ଦେଖିବା ସେହି କର୍ମଚାରୀଙ୍କର ପ୍ରଧାନ କାର୍ଯ୍ୟ ଥିଲା । ସେହି ଭୃତ୍ୟ ଆମକୁ ନିର୍ଦ୍ଦିଷ୍ଟ ସମୟରେ ଜାହାଜ ଉପରକୁ ବୁଲାଇ ନେଉଥିଲା । ଏପରି ଅବସ୍ଥାରେ କୌଣସି ଲେଖାଲେଖି କରିବା ଆଦୌ ସମ୍ଭବ ହେଲା ନାହିଁ, ତେଣୁ ବାଖ୍ ଓ ଭିଡୋରଙ୍କ ସଙ୍ଗୀତ ରାଗମାନ ମୁଖସ୍ଥ କରି ରଖିବାରେ ମୁଁ ଏହି ସମୟତକ ଅତିବାହିତ କରିଥିଲି ।

 

ଆମର ଭୃତ୍ୟଟି ଆମ ସହିତ ଭାରି ଭଲ ବ୍ୟବହାର କରୁଥିଲା । ସାଧାରଣତଃ ବନ୍ଦୀମାନଙ୍କୁ ଯେଉଁଭଳି ବ୍ୟବହାର ଦେଖାଯାଇଥାଏ, ସେ ଆମ ପ୍ରତି ତାହାଠାରୁ ଯଥେଷ୍ଟ ଅଧିକ ସଦୟ ବ୍ୟବହାର କରିଚି, ଏହିକଥା ଆମେ ପ୍ରକୃତରେ ଲକ୍ଷ୍ୟ କରି ପାରିଚୁ କି ନାହିଁ, ଜଳଯାତ୍ରା ଶେଷରେ ଆମକୁ ସେ ପଚାରିଥିଲା । ଭାରି ଗୌରବ ଅନୁଭବ କରୁଥିବା ପରି ସେ ଆମକୁ କହିଲା, “ଆପଣାମାନଙ୍କୁ ମୁଁ ସର୍ବଦା ଭାରି ପରିଷ୍କାର ବାସନରେ ଖାଇବାକୁ ଦେଇଚି, ଅନ୍ୟମାନଙ୍କର କାବିନ୍ ଅପେକ୍ଷା ଆପଣମାନଙ୍କର କାବିନ୍ ଆଦୌ ଅଧିକ ଅପରିଷ୍କାର ନଥିଲା ।” ସେ କହିବାକୁ ଲାଗିଲା, “କାହିଁକି ଯେ ମୁଁ ଏପରି କରିଚି, ଆପଣ ତାହାର କୌଣସି କାରଣ ଅନୁମାନ କରିପାରୁଛନ୍ତି ?” ଆପଣଙ୍କଠାରୁ ଅବଶ୍ୟ ଭଲ ବକ୍‍ସିସ୍‍ ପାଇବା ଆଶାରେ ମୁଁ କଦାପି ଏପରି କରୁ ନଥିଲି । କଏଦୀମାନଙ୍କ ଠାରୁ କେହି କେବେହେଲେ ବକ୍‍ସିସ୍‍ ଆଶାକରି ନଥାଏ । ତେବେ ଏହାର ଆଉ କି କାରଣ ଥାଇପାରେ ? ଅଳ୍ପ କେତେ ମାସ ପୂର୍ବରୁ ଏହି ଜାହାଜରେ ଯାତ୍ରା କଲାବେଳେ ଶ୍ରୀଯୁକ୍ତ ଗଉଚର୍‍ ମୋ’ରି ମାରଫତରେ ଥିବା କାବିନରେ ରହୁଥିଲେ । ସେ କେତେମାସ ଆଗରୁ ଲାମ୍ବାରେନେଠାରେ ଆପଣଙ୍କର ଚିକିତ୍ସାଧୀନ ହୋଇ ରହିଥିଲେ । ସେଇ ମୋତେ କହିଥିଲେ ଯେ ଅଳ୍ପଦିନ ପରେ ଲାମ୍ବାରେନେର ଡାକ୍ତରଙ୍କୁ ବନ୍ଦୀ ହିସାବରେ ମୋତେ ଇଉରୋପ ନେଇ ଯିବାକୁ ପଡ଼ିପାରେ । ସେ ଯଦି ପ୍ରକୃତରେ ଏହି ଜାହାଜରେ ଯାଆନ୍ତି ଏବଂ ଯଦି କୌଣସି ପ୍ରକାରେ ତାଙ୍କୁ ସାହାଯ୍ୟ କରିବା ତୁମ ପକ୍ଷରେ ସମ୍ଭବ ହୁଏ, ତେବେ ମୋର ଅନେକ ଅନୁରୋଧ ଯେ ତୁମେ ଅବଶ୍ୟ ତାହା କରିବ । ଏପରି ଯତ୍ନ ସହକାରେ ଯେ ମୁଁ ଆପଣମାନଙ୍କର ସେବା କଲି, ଏହାହିଁ ହେଉଚି ତାହାର କାରଣ ।

 

X X X X

 

ବୋର୍ଦୋରେ ଜାହାଜରୁ ଓହ୍ଲାଇ ପ୍ରଥମେ ଆମେ ସେହି ସହରରେ ଥିବା ଏକ ଅସ୍ଥାୟୀ ବନ୍ଦୀ ଶିବିରରେ ରହିଲୁ । ଯୁଦ୍ଧ ସମୟରେ ଅନେକ ବିଦେଶୀଙ୍କୁ ସେହିଠାରେ ଅଟକ ବନ୍ଦୀ କରି ରଖାଯାଇଥିଲା । ହଠାତ୍ ସେହିଠାରେ ମୋର ରକ୍ତାମାଶୟ ରୋଗ ଆରମ୍ଭ ହେଲା । ଭାଗ୍ୟକୁ ମୋ’ସହିତ କିଛି ଔଷଧ ଥିଲା ଏବଂ ସେହି ଔଷଧ ଦ୍ଵାରା ମୁଁ ରୋଗ ସହିତ ଯୁଦ୍ଧ କରିବାକୁ ଲାଗିଲି, କିନ୍ତୁ ପରବର୍ତ୍ତୀ ଅନେକ ଦିନ ପର୍ଯ୍ୟନ୍ତ ମୋତେ ତଜ୍ଜନିତ ଅନେକ ଉପସର୍ଗ ଭୋଗ କରିବାକୁ ପଡ଼ିଥିଲା ।

 

ତା’ପରେ ଆମକୁ ପିରିନିଜ୍ ପର୍ବତାଞ୍ଚଳରେ ଥିବା ଗାରେସଁ ବନ୍ଦୀଶିବିରକୁ ନିଆ ଯାଇଥିଲା । ଠିକ୍ ସେହିଦିନ ରାତିରେ ଆମକୁ ବାହାରିବାକୁ ପଡ଼ିବ, ଏହି ଆଦେଶକୁ ଆମେ ଭ୍ରମରେ ପରବର୍ତ୍ତୀ ରାତିରେ ବାହାରିବାକୁ ପଡ଼ିବ ବୋଲି ଅର୍ଥ କରିଥିଲୁ । ତେଣୁ ଆମର କୌଣସି ଜିନିଷପତ୍ର ବନ୍ଧାବନ୍ଧି ହୋଇନଥିଲା । ହଠାତ୍ ଅଧରାତିରେ ଦୁଇଜଣ ସାମରିକ ପୋଲିସ ଗାଡ଼ିନେଇ ଆମକୁ ନେବାକୁ ଆସିଲେ । କର୍ତ୍ତୃପକ୍ଷଙ୍କର ଆଦେଶକୁ ଆମେ ଜାଣିଶୁଣି ଅମାନ୍ୟ କରିଚୁ ବୋଲି ଧରିନେଇ ସେମାନେ ଆମ ଉପରେ ଭାରି ରାଗିଯାଇଥିଲେ । ଆମ ପାଖରେ ଯେଉଁ ଗୋଟିଏ ମାତ୍ର ମହମବତୀ ଥିଲା, ତାହା ଆଦୌ ଭଲକରି ଜଳୁ ନଥିଲା । ତେଣୁ ଜିନିଷପତ୍ର ବାନ୍ଧି ସଜ ହେବାକୁ ଭାରି ବିଳମ୍ବ ହେଲା । ଏଥିରେ ସେମାନେ ଧୈର୍ଯ୍ୟ ହରାଇ ପକାଇଲେ ଏବଂ ମାଲପତ୍ର ସାଙ୍ଗରେ ନନେଇ ମଧ୍ୟ ଆମ ଦୁହିଁଙ୍କୁ ତତ୍‍କ୍ଷଣାତ୍ ଘେନି ଯିବାକୁ ବସିଲେ । ଅବଶ୍ୟ ଶେଷରେ ସେମାନଙ୍କ ମନରେ ଆମ ପ୍ରତି ଦୟା ଆସିଥିଲା, ସେମାନେ ନିଜେ ଆସି ଆମର ଜିନିଷଗୁଡ଼ିକ ସଜାଡ଼ି ଏକାଠି କରିବାରେ ଆମକୁ ସାହାଯ୍ୟ କରିବାକୁ ଲାଗିଲେ ଓ ସେଗୁଡ଼ିକୁ ଆମ ଟ୍ରଙ୍କରେ ଭରିଦେଲେ । ସେଦିନ ସେହି ସାମରିକ ପୋଲିସ ଦୁଇଜଣଙ୍କର ସ୍ମୃତି ମୋତେ ଅନ୍ୟମାନଙ୍କ ସହିତ ଧୈର୍ଯ୍ୟପୂର୍ଣ୍ଣ ବ୍ୟବହାର କରିବାଲାଗି ଅନେକ ଶିକ୍ଷା ଦେଇଚି, ଧୈର୍ଯ୍ୟ ହରାଇବା ଯେତେ ଯୁକ୍ତିଯୁକ୍ତ ବୋଲି ବିଚାରୁଥିଲେ ମଧ୍ୟ ତଥାପି ମୋତେ ଧୀର ହେବାକୁ ଶିଖାଇଚି-

 

ଆମକୁ ଗାରେସଁ ବନ୍ଦୀଶାଳାରେ ଆଣି ଛାଡ଼ି ଦିଆଯିବାପରେ ସେତେବେଳେ ଶାଳାର ଦାୟିତ୍ଵରେ ରହିଥିବା ସାମରିକ କର୍ମଚାରୀ ଜଣକ ଆମର ଜିନିଷପତ୍ର ଖୋଲିଲେ ଓ ପରୀକ୍ଷା କରି ଦେଖିବାକୁ ଲାଗିଲେ । ହଠାତ୍ ଆରିଷ୍ଟଟଲ୍‍ଙ୍କ ଲିଖିତ ‘ରାଜନୀତି’ (politik) ବହିଖଣ୍ଡକ ତାଙ୍କର ଆଖିରେ ପଡ଼ିଗଲା । ‘ସଂସ୍କୃତିର ଦର୍ଶନ’ ଉପରେ ହୁଏତ କିଛି କାମ କରିପାରିବି ବୋଲି ଭାବି ମୁଁ ସେହି ବହିଟି ସାଙ୍ଗରେ ନେଇ ଆସିଥିଲି । ସେ ଗର୍ଜନ କରି କହିଲେ: “କ’ଣ ! ଏହା କ’ଣ କେବେ ବିଶ୍ଵାସ କରିବା କଥା ! ବନ୍ଦୀମାନଙ୍କର ସାମରିକ ଶିବିରକୁ ଏମାନେ ରାଜନୀତିକ ପୁସ୍ତକମାନ ଆଣିବାକୁ ମଧ୍ୟ ସାହସ କରିଛନ୍ତି !” ଯୀଶୁ ଜନ୍ମଗ୍ରହଣ କରିବାର ଅନେକ ବର୍ଷ ପୂର୍ବରୁ ବହିଟି ଲେଖାଯାଇଚି ବୋଲି ବଡ଼ ଲଜ୍ଜା-ସଙ୍କୁଚିତ ଭାବରେ ମୁଁ ତାଙ୍କୁ ବୁଝାଇ କହିଦେଲି । ମୋର କଥା ଶୁଣି ପାଖରେ ଠିଆ ହୋଇଥିବା ଆଉଜଣେ ସୈନିକଙ୍କୁ ଉଦ୍ଦେଶ୍ୟ କରି ସେ ପଚାରିଲେ, “ହେ ପଣ୍ଡିତ, ଏକଥା କ’ଣ ସତ ?” ସୈନିକଟି ମୋର ଉକ୍ତିକୁ ସମର୍ଥନ କଲା । କର୍ମଚାରୀ ଜଣକ ତଥାପି ବିଶ୍ଵାସ ନକଲା ପରି ପୁଣି କହିଲେ, “ଏଁ, ସେ ଯୁଗରେ ମଧ୍ୟ କ’ଣ ଲୋକମାନେ ରାଜନୀତି ବିଷୟରେ ଆଲୋଚନା କରୁଥିଲେ ?” ଆମେ ‘ହଁ’ ବୋଲି ଉତ୍ତର ଦେଲାରୁ ସେ ତାଙ୍କର ଫରମାନ୍ ଶୁଣାଇ କହିଲେ, “ସେ ଯାହାହେଉ ପଛକେ, କିନ୍ତୁ ସେମାନେ ରାଜନୀତି କହିଲେ ଯାହା ବୁଝୁଥିଲେ, ବର୍ତ୍ତମାନ ଆମେ ତାହାଠାରୁ ଭିନ୍ନ ବୁଝୁଚୁ । ତଥାପି ତୁମ ପାଖରେ ଏହି ବହି ଖଣ୍ଡିକ ରଖିବାରେ ମୋର ଆପତ୍ତି ନାହିଁ ।”

 

ଗାରେସଁ (ସ୍ଥାନୀୟ ବୋଲିରେ Guerison ଅର୍ଥାତ୍‍ ଆରୋଗ୍ୟ କରିବା) ଆଗରୁ ଏକ ବଡ଼ ଧର୍ମବିହାର ଥିଲା ଏବଂ ଅନେକ ଦୂରରୁ ସେଠାକୁ ରୋଗୀମାନେ ତୀର୍ଥଯାତ୍ରା କରି ଆସୁଥିଲେ । ରାଷ୍ଟ୍ର ଓ ଧର୍ମ ପରସ୍ପରଠାରୁ ଅଲଗା ହୋଇଯିବା ଦିନଠାରୁ ଏହି ବିହାର ଖାଲି ପଡ଼ିଥିଲା ଏବଂ କ୍ରମେ ଭାଙ୍ଗିରୁଜି ଯାଉଥିଲା । ଯୁଦ୍ଧ ଲାଗିବା ପରେପରେ ଶତ୍ରୁରାଜ୍ୟର ଶହଶହ ନାଗରିକ,–ପୁରୁଷ, ସ୍ତ୍ରୀ ଓ ପିଲା ସମେତଙ୍କୁ ଏଠାରେ ଆଣି ରଖାଗଲା । ଅଟକବନ୍ଦୀମାନଙ୍କ ଭିତରୁ ଅନେକ ମିସ୍ତ୍ରୀକାମ ମଧ୍ୟ ଜାଣିଥିଲେ । ସେହିମାନଙ୍କର ହାତ ବାଜି ପ୍ରାୟ ଏକବର୍ଷ ଭିତରେ ସ୍ଥାନଟି ଅଧିକ ବାସଯୋଗ୍ୟ ହୋଇ ପାରିଥିଲା । ଆଗରୁ କୌଣସି ଉପନିବେଶରେ କାମ କରୁଥିବା ପେନ୍‍ସନ୍‍ପ୍ରାପ୍ତ ଜଣେ କର୍ମଚାରୀ ଆମର ପରିଚାଳକ ରୂପେ ନିଯୁକ୍ତ ହୋଇ ଆସିଥିଲେ । ଆମ ସହିତ ସେ ଭାରି ସଦୟ ଓ ସାଧୁ ବ୍ୟବହାର କରୁଥିଲେ । ତାଙ୍କର ଆଗରୁ ଯେଉଁ ପରିଚାଳକ ଥିଲେ, ସେ ଅତିଶୟ ନିର୍ମମ ଓ କଠୋର ବ୍ୟବହାର ଦେଖାଇଥିଲେ । ତେଣୁ ବର୍ତ୍ତମାନ ଆପଣାର ବ୍ୟବହାରରେ ନୂତନ ପରିଚାଳକ ସମସ୍ତଙ୍କର କୃତଜ୍ଞତାଭାଜନ ହୋଇପଡ଼ିଲେ ।

 

ସେଠାରେ ପହଞ୍ଚିବାର ଦିନକ ପରେ ଅଗଣା ମଝିରେ ଠିଆହୋଇ ମୁଁ ଶୀତରେ ଥରୁଚି, ଏହି ସମୟରେ ଜଣେ ବନ୍ଦୀ ନିଜକୁ ଜଣେ ଇଞ୍ଜିନିୟର ବୋଲି ମୋ’ ଆଗରେ ପରିଚୟ ଦେଲେ ଏବଂ ମୋ’ ଲାଗି ସେ କ’ଣ ସେବା କରିପାରିବେ ବୋଲି ମୋତେ ପଚାରିଲେ । ସେ ମୋତେ କହିଲେ ଯେ ମୁଁ ତାଙ୍କର ସ୍ତ୍ରୀ’ଙ୍କର ରୋଗ ଆରୋଗ୍ୟ କରିଦେଇଚି ଓ ତେଣୁ ସେହି ଦୃଷ୍ଟିରୁ ତାଙ୍କୁ ଅବଶ୍ୟ ଏହି ଋଣ ପରିଶୋଧ କରିବାକୁ ହେବ । ଅବଶ୍ୟ ଏହି ଘଟଣାଟି ସ୍ପଷ୍ଟଭାବରେ ସ୍ମରଣ ନଥିଲା, କେବଳ ଏତିକି ମନେ ପଡ଼ିଲା ଯେ ଯୁଦ୍ଧଆରମ୍ଭ ହେଲାବେଳେ ଡାହୋମିଠାରେ ଥିବା କୌଣସି ସାମରିକ ବନ୍ଦୀ-ଶିବିରର ଜଣେ ବନ୍ଦୀଙ୍କ ପାଇଁ ମୁଁ କିଛି କୁଇନାଇନ୍‍ ଓ ଅନ୍ୟାନ୍ୟ ଔଷଧ ଦେଇ ପଠାଇଥିଲି । ପ୍ରତ୍ୟେକ ଔଷଧର ବୋତଲ ଉପରେ ମୁଁ କାଗଜ ମାରି ଔଷଧର ନାମ ଓ ସେବନବିଧି ଲେଖି ଦେଇଥିଲି । ଡାହୋମିଠାରୁ ସେ ଫ୍ରାନ୍ସକୁ ବଦଳି ହୋଇ ଆସିଲେ ଏବଂ ବର୍ତ୍ତମାନ ମୋ’ ସହିତ କଥାବାର୍ତ୍ତା କରୁଥିବା ଭଦ୍ରଲୋକଙ୍କର ସହିତ ଏକତ୍ର ଆଉ ଏକ ବନ୍ଦୀ ଶିବିରରେ ରହିଲେ । ସେହିଠାରେ ଏହି ଭଦ୍ରଲୋକଙ୍କର ପତ୍ନୀ ପୀଡ଼ିତ ହୋଇଥିଲେ । ତାଙ୍କର ଖାଇବାର ରୁଚି ରହିଲା ନାହିଁ ଓ ସ୍ନାୟୁଶକ୍ତି ମଧ୍ୟ କ୍ରମଶଃ କ୍ଷୀଣ ହୋଇଆସିଲା । ବାଟରେ ସବୁପ୍ରକାର ସାମରିକ କଟକଣା ପାର ହୋଇ ତଥାପି ସେ ଡାହୋମିଠାରୁ ଯେଉଁ ଔଷଧ ସାଙ୍ଗରେ ଆଣିଥିଲେ, ଏହି ଭଦ୍ରଲୋକଙ୍କର ପତ୍ନୀଙ୍କୁ ସେହି ଔଷଧ ସେବନ କରିବାକୁ ଦିଆଗଲା ଏବଂ ତଦ୍ଦ୍ୱାରା ସେ ଆରୋଗ୍ୟଲାଭ କରିଥିଲେ । ସେହି ଆରୋଗ୍ୟର ପ୍ରତିମୂଲ୍ୟ ସ୍ୱରୂପ ମୋତେ ବର୍ତ୍ତମାନ ଏହି ଭଦ୍ରଲୋକଙ୍କଠାରୁ ଗୋଟିଏ ଟେବୁଲ ମିଳିଲା । ସରଞ୍ଜାମଘରୁ ସଂଗ୍ରହ କରିଥିବା ଖଣ୍ଡେ ପୁରୁଣା କାଠରେ ସେ ମୋତେ ଟେବୁଲଟି ତିଆରି କରି ଦେଇଥିଲେ । ଏହା ଫଳରେ ମୁଁ ବର୍ତ୍ତମାନ ପଢ଼ାପଢ଼ି କରିପାରିଲି ଏବଂ ଅର୍‍ଗାନ୍ ମଧ୍ୟ ବଜାଇ ପାରିଲି ।

 

X X X X

 

ଆମେ ପହଞ୍ଚିବାର ଅଳ୍ପଦିନ ପରେ ଆଉ ଦଳେ ଯୁଦ୍ଧବନ୍ଦୀ ଆସି ଆମର ଶିବିରରେ ପହଞ୍ଚିଥିଲେ । ସେମାନେ ଯେଉଁ ଶିବିରରେ ଥିଲେ, ସେଇଟିକୁ ଭାଙ୍ଗି ଦିଆଯିବାରୁ ସେମାନେ ଏଠାକୁ ଆସିଥିଲେ । ସେମାନେ ଆସିପହଞ୍ଚିବା ମାତ୍ରକେ ଆମ ଶିବିରରେ ଖାଇବାକୁ ଦିଆଯାଉଥିବା ଖରାପ ଖାଦ୍ୟ ବିଷୟରେ ଆପତ୍ତିମାନ କରିବାକୁ ଲାଗିଲେ ଏବଂ ବନ୍ଦୀମାନଙ୍କ ଭିତରୁ ଯେଉଁମାନେ ରୋଷେଇଘରର ଦାୟିତ୍ଵରେ ରହିଥିଲେ, ସେମାନେ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟଭଳି ଆଦୌ ଉପଯୁକ୍ତ ନୁହନ୍ତି ବୋଲି ସେମାନଙ୍କୁ ଗାଳି ଦେବାକୁ ଲାଗିଲେ । ଏହାଦ୍ଵାରା ରୋଷେଇର ଦାୟିତ୍ଵରେ ଥିବା ଲୋକମାନେ ଆପଣାକୁ ଭାରି ଅସମ୍ମାନିତ ବୋଧକଲେ,–କାରଣ ସେମାନଙ୍କ ଭିତରୁ ଅନେକେ ସାରା ଜୀବନ ରୋଷେଇକାମ କରିଆସିଥିଲେ ଏବଂ ପାରିସ୍‍ର ବଡ଼ବଡ଼ ହୋଟେଲ୍‍ ଏବଂ ଭୋଜନାଳୟରୁ ଗାରେସଁକୁ ଆସିଥିଲେ-। କ୍ରମେ ଏହି ବ୍ୟାପାର ବନ୍ଦୀଶାଳାର ପରିଚାଳକଙ୍କର ନଜରରେ ଆସି ପହଞ୍ଚିଲା । ଆପତ୍ତି କରୁଥିବା ଲୋକମାନଙ୍କ ଭିତରୁ କେଉଁମାନେ ଆଗରୁ ରୋଷେଇ କରିଚନ୍ତି ବୋଲି ସେ ପଚାରିବାରୁ ଜଣାପଡ଼ିଲା ଯେ ସେହି ଦଳରେ କେହି ଜଣେହେଲେ ରୋଷେଇଆ ନଥିଲେ । ସେମାନଙ୍କର ନେତା ଜଣେ ମୋଚି ଥିଲେ, ଅନ୍ୟମାନେ ଦରଜିକାମ, ଟୋପିତିଆରି ଓ ଟୋକେଇବୁଣା ପ୍ରଭୃତି ଧନ୍ଦା ଜାଣିଥିଲେ । ଅବଶ୍ୟ ଏଠାକୁ ଆସିବା ପୂର୍ବରୁ ସେମାନେ ଯେଉଁ ଶିବିରରେ ଥିଲେ, ସେଠାରେ ସେମାନେ ରୋଷେଇ କରିବା କାମ ମଧ୍ୟ ଆରମ୍ଭ କରିଥିଲେ ଏବଂ ଏଠାରେ ଆସି ଦାବି କଲେ ଯେ ବେଶୀ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ ସେମାନେ ପକ୍କା ହୋଇ ଯାଇଚନ୍ତି ଏବଂ ଯେତେବେଶୀ ଲୋକଙ୍କ ପାଇଁ ରୋଷେଇ କରିବାକୁ ହେଲେ ମଧ୍ୟ ତାହାକୁ ସେମାନେ ଠିକ୍ ଅଳ୍ପଲୋକଙ୍କର ରୋଷେଇ ପରି ସୁସ୍ଵାଦୁ ଓ ସୁଭୋଜ୍ୟ କରିଦେଇ ପାରିବେ । ଅନେକ ଚିନ୍ତା ଓ ବିଚାର କରିବା ପରେ ପରିଚାଳକ ଆଦେଶ ଦେଲେ ଯେ ଏହି ନୂତନ ଦଳକୁ ପରୀକ୍ଷାମୂଳକ ଭାବରେ ଦୁଇ ସପ୍ତାହ ଲାଗି ରୋଷେଇ କରିବାକୁ ସୁବିଧା ଦିଆଯିବ । ଯଦି ଏମାନେ ପ୍ରଥମ ଦଳ ଅପେକ୍ଷା ଭଲ ରୋଷେଇ କରି ପାରିବେ, ତେବେ ସେହି କାର୍ଯ୍ୟରେ ସେମାନଙ୍କୁ ସ୍ଥାୟୀ ଭାବରେ ମୁତଏନ୍‍ କରାଯିବ । ନଚେତ୍ ଶିବିରର ଶାନ୍ତିଭଙ୍ଗ କରିଥିବାର ଅପରାଧରେ ସେମାନଙ୍କୁ ଗୋଟିଏ ଘରେ ବନ୍ଦୀକରି ରଖାଯିବ । ପ୍ରଥମ ଦିନ ସେମାନେ ବନ୍ଧାକୋବି ଓ ଆଳୁ ଦେଇ ଯେଉଁ ରନ୍ଧା ରାନ୍ଧିଲେ, ସେଇଥିରୁହିଁ ସେମାନଙ୍କର କହିବା ପରି କରିବା ମଧ୍ୟ ସେତିକି ଟାଣ ବୋଲି ପରିଷ୍କାର ଜଣା ପଡ଼ିଗଲା । ପ୍ରତିଦିନ ସମସ୍ତଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ବିଷୟରେ ସେମାନଙ୍କର ନୂଆ ନୂଆ କୁଶଳତାର ପ୍ରମାଣ ମିଳିଲା । ତେଣୁ ଏହି ନୂତନ ରୋଷେଇଆ ଦଳକୁ ସ୍ଥାୟୀ ରୋଷେଇଆ କରି ରଖାଗଲା ଏବଂ ପୁରୁଣାମାନଙ୍କୁ ରୋଷେଇଘରୁ ବାହାର କରି ଦିଆଗଲା । ନୂଆଦଳର ନେତା ସେହି ମୋଚି ଭଦ୍ରଲୋକଙ୍କୁ ଦିନେ ମୁଁ ସେମାନଙ୍କର ଏହି ବିଜୟର ଗୁପ୍ତ କାରଣ ପଚାରିବାରୁ ସେ କହିଲେ, “ଅବଶ୍ୟ ସବୁ ଜିନିଷ ମାଲୁମ ଥିବା ଉଚିତ, କିନ୍ତୁ ଶ୍ରଦ୍ଧା ଓ ଯତ୍ନସହକାରେ ରୋଷେଇ କରିପାରିବା ହେଉଚି, ରୋଷେଇର ସବୁଠାରୁ ଅସଲ କଥା ।” ତେଣୁ କୌଣସି ବ୍ୟକ୍ତିକୁ ସେ କିଛି ନ ଜାଣିଥିବା ଏକ ବିଭାଗର ମନ୍ତ୍ରୀ କରାଯାଇଚି ବୋଲି ଯଦି ମୁଁ ଶୁଣେ, ତେବେ ଆଗପରି ବର୍ତ୍ତମାନ ମୁଁ ସେତେ ବିଚଳିତ ହୋଇ ପଡ଼େନାହିଁ । ଗାରେସଁର ମୋଚି ଯେମିତି ଆପଣାକୁ ଯୋଗ୍ୟ ବୋଲି ପ୍ରମାଣିତ କରିଥିଲେ, ଏ ମଧ୍ୟ ସେହିପରି ଯୋଗ୍ୟ ପ୍ରମାଣିତ ହୋଇପାରିବେ ବୋଲି ମୁଁ ଆପଣାକୁ ପ୍ରତ୍ୟୟ ଦେଇଥାଏ ।

 

ଶିବିରରେ ବନ୍ଦୀ ହୋଇଥିବା ଲୋକଙ୍କ ମଧ୍ୟରୁ ମୋତେ ଛାଡ଼ିଦେଲେ ଆଉ କେହି ଡାକ୍ତର ନଥିଲେ । ଆମେ ଯେଉଁଦିନ ଆସି ଏହି ଶିବିରରେ ପହଞ୍ଚିଲୁ, ରୋଗୀମାନଙ୍କ ପାଇଁ ଏଠାରେ ମୁଁ କୌଣସି ପ୍ରକାରେ କିଛି କରିପାରିବି ନାହିଁ ବୋଲି ସେଦିନ ପରିଚାଳକ ମହାଶୟ ମୋତେ ସତର୍କବାଣୀ ଶୁଣାଇ ଦେଇଥିଲେ । କାରଣ ଶିବିର ଲାଗି ଜଣେ ବେତନପ୍ରାପ୍ତ ସ୍ଵତନ୍ତ୍ର ଡାକ୍ତର ରହିଥିଲେ ଏବଂ ପ୍ରତିବେଶୀ ଏକ ଗ୍ରାମରୁ ମଧ୍ୟ ଜଣେ ଚିକିତ୍ସକ ଆସି ରୋଗୀମାନଙ୍କର ଦେଖାଶୁଣା କରୁଥିଲେ । ବନ୍ଦୀମାନଙ୍କ ଭିତରୁ କେତେକ ଦାନ୍ତରୋଗର ଚିକିତ୍ସା ଜାଣିଥିଲେ, ତେଣୁ ରୋଗୀମାନଙ୍କର ଦାନ୍ତର ଚିକିତ୍ସା କରିବାରେ ସେହିମାନଙ୍କର ସାହାଯ୍ୟ ନିଆଯାଉଥିଲା । ତେଣୁ କିଛିଦିନ ପରେ ଜଣେ ଡାକ୍ତର ହିସାବରେ ମୋର ସାହାଯ୍ୟ ଗ୍ରହଣ କରିବାଲାଗି ପରିଚାଳକ ଯୁକ୍ତିଯୁକ୍ତ ମନେକଲେ । ମୋର ବ୍ୟବହାର କରିବାଲାଗି ସେ ସ୍ଵତନ୍ତ୍ର କରି ବଖରାଏ ଘର ମଧ୍ୟ ଛାଡ଼ି ଦେଇଥିଲେ । ମୋର ମାଲପତ୍ର ଭିତରୁ ଅଧିକାଂଶ ଔଷଧ ଓ ଡାକ୍ତରୀ ଯନ୍ତ୍ରପାତି ହିଁ ଥିଲା, ସରକାରୀ ଯାଞ୍ଚ କରୁଥିବା ଅଫିସର ଏଗୁଡ଼ିକୁ ମୋ ପାଖରେ ରଖିବାର ଅନୁମତି ଦେଇଥିଲେ । ତେଣୁ ଏଠାରେ ରୋଗୀମାନଙ୍କର ଚିକିତ୍ସା କରିବାଲାଗି ଯାବତୀୟ ଆବଶ୍ୟକ ସାମଗ୍ରୀ ଓ ସରଞ୍ଜାମ ମୋର ପାଖରେ ହିଁ ଥିଲା । ଉପନିବେଶମାନଙ୍କରୁ ଯେଉଁମାନଙ୍କୁ ଏହି ଶିବିରକୁ ଅଣା ଯାଇଥିଲା ଏବଂ ଯେଉଁ ନାବିକମାନେ ଗ୍ରୀଷ୍ମମଣ୍ଡଳୀୟ ରୋଗମାନଙ୍କରେ ପୀଡ଼ିତ ହୋଇ ପଡ଼ିଥିଲେ, ବିଶେଷତଃ ସେହିମାନଙ୍କର ମୁଁ ଅନେକ ଉପକାରରେ ଆସିଥିଲି ।

 

ଏହିପରି ଭାବରେ ପୁଣି ମୋର ଡାକ୍ତରୀ ଧନ୍ଦା ଆରମ୍ଭ ହୋଇଗଲା । କାମ ପରେ ମୋତେ ପ୍ରତିଦିନ ଯେତିକି ଅବସର ମିଳୁଥିଲା, ସେହି ସମୟତକ ମୁଁ ‘ସଂସ୍କୃତିର ଦର୍ଶନ’ ପାଇଁ ଦେଉଥିଲି ଏବଂ ଅର୍‍ଗାନ୍‍ ମଧ୍ୟ ଅଭ୍ୟାସ କରୁଥିଲି । ସେତେବେଳେ ମୁଁ ସଂସ୍କୃତିର ସ୍ୱରୂପ ଅଧ୍ୟାୟଟିର ଚିଠା କରୁଥାଏ ।

 

X X X X

 

ଜଣେ ଡାକ୍ତର ହିସାବରେ ଶିବିର ଭିତରେ ଥିବା ନାନାଦି ରୋଗଯନ୍ତ୍ରଣା କ୍ରମେ ମୋର ଦୃଷ୍ଟିରେ ପଡ଼ିବାକୁ ଲାଗିଲା । ଶିବିର ଭିତରେ ରହିଥିବାରୁ ଯେଉଁମାନଙ୍କର ମାନସିକ ବିକୃତି ଆରମ୍ଭ ହୋଇଥିଲା, ସେହିମାନେ ହିଁ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗ କରୁଥିଲେ । ସକାଳେ ଘର ଭିତରୁ ଫିଟି ଅଗଣାକୁ ଯିବା ବେଳଠାରୁ, ସନ୍ଧ୍ୟାବେଳେ ପୁଣି ଘରଭିତରେ ପଶିବାର ତୁରୀ ବାଜିବା ପର୍ଯ୍ୟନ୍ତ ସେମାନେ ଚରିଆଡ଼େ ବୁଲି ପାଚେରୀ ଉପରୁ ଦେଖାଯାଉଥିବା ପିରିନିଜ୍ ପର୍ବତର ଶୁଭ୍ର ଓ ଆଲୋକସ୍ପନ୍ଦିତ ଚୂଡ଼ାମାନଙ୍କୁ ଅନାଇ ରହୁଥିଲେ । ଆପଣା ଭିତରେ କୌଣସିପ୍ରକାର ଭାବନାରେ ଆପଣାକୁ ମଗ୍ନ କରି ରଖିବାର କୌଣସି ଶକ୍ତି ସେମାନଙ୍କଠାରେ ନଥିଲା । ବର୍ଷା ହେଲାବେଳେ ସେମାନେ ବଡ଼ ଭାବଶୂନ୍ୟ ଓ ଉଦାସୀନ ଭାବରେ ପିଣ୍ଡାଉପରେ ଠିଆହୋଇ ରହୁଥିଲେ । ଯଥେଷ୍ଟ ଖାଦ୍ୟସାର ନପାଇ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଅତି କ୍ଷୀଣ ହୋଇ ଯାଉଥିଲା । ଅବଶ୍ୟ ଶିବିର ଭିତରେ ଖରାପ ଖାଇବା ମିଳୁଥିଲା ବୋଲି କଦାପି କୁହାଯାଇ ପାରିବ ନାହିଁ । କିନ୍ତୁ ପ୍ରତିଦିନ ଯୁଦ୍ଧବନ୍ଦୀମାନଙ୍କୁ ଦିଆ ଯାଉଥିବା ସେହି ଗୋଟାଏ ପ୍ରକାରର ଖାଦ୍ୟ ଖାଇଖାଇ ସେଥିପ୍ରତି ସେମାନଙ୍କର ବଡ଼ ଅରୁଚି ଆସି ଯାଇଥିଲା । ଅଧିକାଂଶ ଘରକୁ ଗରମ କରି ରଖିବାର କୌଣସି ବ୍ୟବସ୍ଥା ନଥିଲା, ତେଣୁ ଅନେକଙ୍କୁ ପ୍ରାୟ ସବୁବେଳେ କାଶ, ସର୍ଦ୍ଦି ଭୋଗ କରିବାକୁ ପଡ଼ୁଥିଲା । ଏମାନଙ୍କର ଶରୀର ଓ ମନ ଉଭୟ ବଡ଼ ଶକ୍ତିହୀନ ହୋଇଯାଇଥିଲା, ତେଣୁ ଏତେ ଟିକିଏ ଅସୁସ୍ଥହେବା ସଙ୍ଗେ ସଙ୍ଗେ ସେମାନେ ରୀତିମତ ଅସୁସ୍ଥ ହୋଇ ପଡ଼ୁଥିଲେ ଏବଂ ସେମାନଙ୍କର ରୋଗର ନିଦାନ ଜାଣି ତାହାର ଉଚିତ ଚିକିତ୍ସା କରିବା ଅତି କଷ୍ଟକର ହୋଇ ପଡ଼ୁଥିଲା । ବିଦେଶରେ ସେମାନେ ହୁଏତ କୌଣସି ଉଚ୍ଚ ମର୍ଯ୍ୟାଦାରେ ରହିଥିଲେ ଓ ଅନେକ ପଇସା ରୋଜଗାର କରୁଥିଲେ; ବର୍ତ୍ତମାନ ସେହି ଭାଗ୍ୟ ସେମାନେ ହରାଇ ବସିଲେ ବୋଲି ଶୋକଶୋଚନା କରିକରି ସେମାନଙ୍କର ନୈରାଶ୍ୟ ଆହୁରି ସ୍ଥାୟୀ ଓ ଯନ୍ତ୍ରଣାଦାୟକ ହୋଇ ପଡ଼ୁଥିଲା । ଗାରେସଁ ବନ୍ଦୀଶାଳାରୁ ସେମାନଙ୍କୁ ଛାଡ଼ି ଦିଆଯିବା ପରେ ସେମାନେ କୁଆଡ଼େ ଯିବେ ବା କ’ଣ କରିବେ, ଏହିକଥା ଭାବିଭାବି ସେମାନଙ୍କୁ ସବୁ ଅନ୍ଧାର ଦିଶୁଥିଲା । ସେମାନଙ୍କ ଭିତରୁ ଅନେକେ ଫରାସୀ ସ୍ତ୍ରୀ ବିବାହ କରିଥିଲେ ଓ ସେମାନଙ୍କର ସନ୍ତାନ ସନ୍ତତି ଫରାସୀ ବ୍ୟତୀତ ଆଉ କୌଣସି ଭାଷା ଜାଣି ନଥିଲେ । ଯୁଦ୍ଧପରେ କ’ଣ ସେମାନେ ଏହି ସନ୍ତାନମାନଙ୍କୁ ଫ୍ରାନ୍ସରେ ଛାଡ଼ି ଦେଇଯିବେ ନା ବିଦେଶରେ ସହନଶୀଳ ବ୍ୟବହାର ଓ କାମ ପାଇବାକୁ ପୁଣି ନାନାଭାବେ ହରକତ ହେବାଲାଗି ସେମାନଙ୍କୁ ସାଙ୍ଗରେ ନେଇ ବିଦେଶକୁ ଯିବେ ?

 

ଅଗଣା ଓ ବାରଣ୍ଡାମାନଙ୍କରେ ପ୍ରତିଦିନ ଶୀତରେ ଥର ଥର ହେଉଥିବା ଶିବିରରେ ବାସ କରୁଥିବା ଏହି ବିବର୍ଣ୍ଣ ପିଲାମାନଙ୍କ ଭିତରେ ନାନା କଳହ ଓ ଲଢ଼ାଇ ଲାଗୁଥିଲା । ସେମାନଙ୍କ ଭିତରୁ ଅଧିକାଂଶ ଫରାସୀଭାଷା କହୁଥିଲେ । ଦଳେ କହୁଥିଲେ ଏହି ଯୁଦ୍ଧରେ ଇଂଲଣ୍ଡ, ଫ୍ରାନ୍ସ ଓ ରୁଷିଆ ଜିତିବେ, ଆଉଦଳେ କହୁଥିଲେ ଜର୍ମାନୀ ଜିତିବ ।

 

କିନ୍ତୁ କିୟତ୍‍ ପରିମାଣରେ ସୁସ୍ଥ ଓ ଶକ୍ତିମାନ୍‍ ରହିଥିବା ଯେକୌଣସି ବ୍ୟକ୍ତିର ଆଗ୍ରହ ଓ ଉତ୍ସାହ ଉଦ୍ରେକ କରିବାଲାଗି ଏହି ବନ୍ଦୀଶିବିରରେ ଅନେକାନେକ ବିଷୟ ରହିଥିଲା । କେତେବେଳେ ବିଭିନ୍ନ ଜାତିର ଓ କେତେକେତେ ବିଭିନ୍ନ ଧନ୍ଦା ଜାଣିଥିବା ଲୋକମାନେ ଏଠାରେ ବାସ କରୁଥିଲେ । ଏହି ବନ୍ଦୀ ଶିବିରରେ ଗବେଷକ ଥିଲେ, କଳାବିତ୍, ବିଶେଷକରି ଚିତ୍ରଶିଳ୍ପୀ ରହିଥିଲେ । ଯୁଦ୍ଧ ଲାଗିଯିବା ପରେ ସେମାନଙ୍କୁ ପାରିସ୍‍ରୁ ଅଟକବନ୍ଦୀ କରି ନିଆ ଯାଇଥିଲା । ପାରିସ୍‍ର ବଡ଼ ବଡ଼ ଦୋକାନରେ କାମ କରୁଥିବା ଜର୍ମାନ ଓ ଅଷ୍ଟ୍ରିୟାବାସୀ ମୋଚି ଏବଂ ଦର୍ଜି ମଧ୍ୟ ଥିଲେ । ଫ୍ରାନ୍ସ ଓ ଫରାସୀ ଉପନିବେଶମାନଙ୍କରେ ସ୍ଥାୟୀ ଘର କରିଯାଇଥିବା ବ୍ୟାଙ୍କ ପରିଚାଳକ, ହୋଟେଲ୍‍ ମାଲିକ, ପରିବେଶକ, ଇଞ୍ଜିନିୟର, ମିସ୍ତ୍ରୀ, କାରିଗର ଓ ବ୍ୟବସାୟୀ ମଧ୍ୟ ଏହି ଶିବିରଭିତରେ ଥିଲେ । ସାହାରାର କାଥୋଲିକ୍ ମିସନାରୀ ଓ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ଲୋକମାନଙ୍କୁ ମଧ୍ୟ ଏଠାକୁ ଅଣାଯାଇଥିଲା । ସେମାନେ ଧଳା ପୋଷାକ ପିନ୍ଧୁଥିଲେ ଏବଂ ମୁଣ୍ଡରେ ଲାଲ୍‍ ରଙ୍ଗର ଫେଜ୍ ଟୋପି ଦେଉଥିଲେ । ଲାଇବେରିଆ ଓ ଆଫ୍ରିକାର ପଶ୍ଚିମ ଉପକୂଳର ବିଭିନ୍ନ ଅଞ୍ଚଳରୁ ଏବଂ ଉତ୍ତର ଓ ଦକ୍ଷିଣ ଆମେରିକା, ଚୀନ ଓ ଭାରତବର୍ଷରୁ କେତେ ବେପାରୀ ମଧ୍ୟ ବନ୍ଦୀ ହୋଇ ଏଠାକୁ ଆସିଥିଲେ । ସମୁଦ୍ର ଉପରୁ ସେମାନଙ୍କୁ ବନ୍ଦୀ କରି ନିଆଯାଇଥିଲା । ଜର୍ମାନୀ ଓ ଅଷ୍ଟ୍ରିୟାର ବ୍ୟବସାୟୀମାନଙ୍କର ଜାହାଜରେ ଥିବା କର୍ମଚାରୀମାନେ ମଧ୍ୟ ସମଦଶାପନ୍ନ ହୋଇ ଏଠାକୁ ଆସିଥିଲେ । ତୁର୍କୀ, ଆରବୀ, ଗ୍ରୀକ୍ ଓ ବଲ୍‍କାନ୍‍ ଉପଦ୍ଵୀପର ଅନ୍ୟାନ୍ୟ ଦେଶର ଅଧିବାସୀଙ୍କୁ ମଧ୍ୟ ପୂର୍ବାଞ୍ଚଳରେ ଯୁଦ୍ଧ କରିବାବେଳେ ଏଠାକୁ ବନ୍ଦୀକରି ପଠାଇ ଦିଆଯାଇଥିଲା । ତୁର୍କୀମାନଙ୍କର ସ୍ତ୍ରୀ’ମାନେ ମୁହଁ ଉପରେ ବୁର୍ଖା ଦେଇ ଯିବାଆସିବା କରୁଥିଲେ । ଦିନରେ ଦୁଇଥର ହାଜିରା ନିଆଗଲାବେଳେ ବନ୍ଦୀଶାଳାର ଅଗଣାଟି ଭାରି ବିଚିତ୍ର ରୂପ ଧାରଣ କରୁଥିଲା ।

 

ବନ୍ଦୀଶାଳାରେ ଆପଣାର ଜ୍ଞାନବୃଦ୍ଧି କରିବାଲାଗି କୌଣସି ପୁସ୍ତକ ଆବଶ୍ୟକ ନଥିଲା । କାରଣ ଶିକ୍ଷଣୀୟ ପ୍ରତ୍ୟେକ ବିଷୟ ପାଇଁ ହାତପାଖରେ ବିଶେଷଜ୍ଞମାନେ ମହଜୁତ ରହିଥିଲେ । ମୁଁ ଏହିପରି ଏକ ଅପୂର୍ବ ସୁଯୋଗର ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଲାଗିଲି । ବ୍ୟାଙ୍କ କାରବାର, ଗୃହନିର୍ମାଣ, କାରଖାନା ନିର୍ମାଣ ଓ କାରଖାନା ବ୍ୟବସ୍ଥା, ଶସ୍ୟ-ଉତ୍ପାଦନ ଓ ଆହୁରି ଅନେକ ବିଷୟରେ ଏହିଠାରେ ମୁଁ ଅନେକ ଜ୍ଞାନ ହାସଲ କରିଥିଲି, ହୁଏତ ଅନ୍ୟ କୌଣସି ସ୍ଥାନରେ ମୋତେ ସେସବୁ ହାସଲ କରିବାର ସୁଯୋଗ ମିଳି ନଥାନ୍ତା ।

 

କାରିଗରମାନେ ହିଁ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗ କରୁଥିଲେ, କାରଣ ଏଠାକୁ ଆସି ସେମାନେ ବେକାର ହୋଇ ବସିଥିଲେ । ଥରେ ମୋର ସ୍ତ୍ରୀ ଗରମ ପୋଷାକ ତିଆରି କରିବାପାଇଁ କିଛି କନା ଯୋଗାଡ଼ କରି ଆଣିଲାରୁ ଏକାବେଳକେ ଅନେକ ଦରଜି ଆସି ବିନା ମଜୁରୀରେ ତାହା ତିଆରି କରିଦେବାକୁ କହିଲେ । ପାଖରେ କିଛି କପଡ଼ା ଏବଂ ଆଙ୍ଗୁଠି ଭିତରେ ସୂତା ଓ ଛୁଞ୍ଚି ଧରିବାର ସୁଯୋଗ ସେମାନଙ୍କୁ ମିଳିବ, ସେମାନେ କେବଳ ଏତିକି ଚାହୁଁଥିଲେ ।

 

ମଝିରେ ମଝିରେ ଶିବିର ବାହାରକୁ ଯାଇ ଆଖପାଖରେ ବାସ କରୁଥିବା ଚାଷୀମାନଙ୍କର କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିବାଲାଗି କର୍ତ୍ତୃପକ୍ଷଙ୍କ ପାଖରେ ଅନେକେ ଆସି ଅନୁମତି ମାଗିଲେ । ଯେଉଁମାନେ ଆଗରୁ ଚାଷକାମ ଜାଣିଥିଲେ, କେବଳ ସେମାନେ ନୁହନ୍ତି, ଯେଉଁମାନେ ଆଗରୁ କେବେ କୌଣସିପ୍ରକାରର ଶାରୀରିକ ପରିଶ୍ରମ କେବେହେଲେ କରିନଥିଲେ ସେମାନେ ଏଥିପାଇଁ ଭାରି ଆଗ୍ରହରେ ବାହାରି ପଡ଼ିଲେ । କେବଳ ଯେଉଁମାନେ ନାବିକ ଥିଲେ, ସେମାନଙ୍କ ଭିତରୁ ଏସବୁ କାମପାଇଁ ଖୁବ୍‍ ବେଶୀ ଆଗ୍ରହ ପ୍ରକାଶ ପାଉନଥିଲା । ସେମାନେ ବର୍ଷ ବର୍ଷ ଧରି ଜାହାଜରେ କାମ କରି ଆସିଥିଲେ, କୌଣସି ବିଶେଷ କାମ ନକରି କିପରି ଏକାଠି ସମୟ ଅତିବାହିତ କରାଯାଇପାରେ, ସେହି ବିଦ୍ୟା ସେମାନଙ୍କୁ ଭଲଭାବରେ ଜଣାଥିଲା ।

 

୧୯୧୮ମସିହା ଆରମ୍ଭରେ ଶିବିରରେ ଥିବା ବନ୍ଦୀମାନଙ୍କୁ ଜଣାଇ ଦିଆଗଲା ଯେ ଆମ ଭିତରୁ ବଛାବଛା କେତେଜଣଙ୍କୁ ଉତ୍ତର ଆଫ୍ରିକାର ଏକ ବନ୍ଦୀଶିବିରକୁ ପଠାଇ ଦିଆଯିବ । ବେଲଜିୟମ୍‍ର ବେସାମରିକ ଲୋକମାନଙ୍କ ଉପରେ ଜର୍ମାନୀ ଯେଉଁ ଜୁଲମ କରୁଚି, ଏକ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ତାହା ବନ୍ଦ ନହେଲେ, ତାହାର ପ୍ରତିଶୋଧ ସ୍ୱରୂପ ଏପରି କରାଯିବ ବୋଲି ଆମକୁ କୁହାଯାଇଥିଲା । ଏହି ବିଷୟରେ ଆପଣା ଆପଣାର ଘରକୁ ଖବର ପଠାଇବାଲାଗି ଆମକୁ ନିର୍ଦ୍ଦେଶ ଦିଆଗଲା, ଆମର ଆତ୍ମୀୟସ୍ଵଜନମାନେ ହୁଏତ ଆମକୁ ଏହି ବିପଦରୁ ରକ୍ଷା କରିବା ପାଇଁ କାଳେ କିଛି କରିପାରିବେ । ବଛାବଛା ଲୋକ, ଅର୍ଥାତ୍ ବ୍ୟାଙ୍କ ପରିଚାଳକ, ହୋଟେଲ୍‍ ମାଲିକ, ବଣିକ, ଗବେଷକ ଓ କଳାକାର ପ୍ରଭୃତି ଲୋକମାନଙ୍କୁ ଏଥିପାଇଁ ସ୍ଵତନ୍ତ୍ରଭାବରେ ବଚ୍ଛା ଯାଇଥିଲା, କାରଣ ଅନୁମାନ କରାଯାଉଥିଲା ଯେ ଏମାନଙ୍କୁ କୌଣସିପ୍ରକାର କଠୋର ଶାସ୍ତି ଦିଆଗଲେ ବନ୍ଦୀମାନଙ୍କର ଆପଣା ଦେଶରେ ଏହାର ଶକ୍ତ ପ୍ରତିକ୍ରିୟା ପଡ଼ିବ, କିନ୍ତୁ ଜଣାଶୁଣା ନଥିବା ସାଧାରଣ ଲୋକଙ୍କ ଉପରେ ଯେତେ କଠୋର ପ୍ରତିଶୋଧ ନିଆଗଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ଘୋଷଣାଟି କରାଯିବାପରେ ଜଣାପଡ଼ିଲା ଯେ ଆମଭିତରୁ ଅନେକ ଲୋକ ପ୍ରକୃତରେ ବଛାବଛା ଲୋକ ନଥିଲେ । ଶିବିରରେ ଯେପରି ସେମାନଙ୍କୁ ଅଧିକ ଖାତିରି ମିଳିବ, ଏହିପରି ଭାବି ହୋଟେଲରେ କାମ କରୁଥିବା ମୁଖ୍ୟ ପରିବେଶକମାନେ ଏଠାରେ ହୋଟେଲ୍‍ ମାଲିକ ବୋଲି ଆପଣାର ପରିଚୟ ଦେଇଥିଲେ । ଦୋକାନରେ ସହକାରୀ ଭାବରେ ଆଗରୁ କାର୍ଯ୍ୟ କରୁଥିବା ଲୋକେ ଆପଣାକୁ ବଣିକ ବୋଲି ଲେଖାଇ ଦେଇଥିଲେ । ସେମାନେ ଏହିପରି ଭାବରେ ଘୋଷଣା କରିଥିବା ଆପଣାର ଛଦ୍ମପରିଚୟ ପାଇଁ ଯେ ବର୍ତ୍ତମାନ ସେମାନଙ୍କୁ ବିପଦରେ ପଡ଼ିବାକୁ ହେବ, ବଡ଼ ଶୋକାକୁଳ ହୋଇ ଏହି ଦୟନୀୟ ଘଟଣାକୁ ସମସ୍ତଙ୍କ ପାଖରେ କହି ବୁଲିଲେ । କିନ୍ତୁ ଯାହାହେଉ ଭାଗ୍ୟବଶତଃ ଏହି ବିପଦ ଘୁଞ୍ଚି ଯାଇଥିଲା । ବେଲଜିଅମ୍‍ର ଅଧିବାସୀମାନଙ୍କ ଉପରେ ଚଳାଇଥିବା ଅତ୍ୟାଚାର ଜର୍ମାନମାନେ ବନ୍ଦ କରିଦେଲେ ଏବଂ ପ୍ରକୃତ ହୁଅନ୍ତୁ ବା ଅପ୍ରକୃତ ହୁଅନ୍ତୁ, ଗାରେସଁର ବଛାବଛା ଲୋକମାନେ କୌଣସିପ୍ରକାର ପ୍ରତିଶୋଧମୂଳକ ଶିବିରକୁ ଯିବାର ବିପଦରୁ ନିଷ୍କୃତି ପାଇଲେ ।

 

ସେ ବର୍ଷର ଦାରୁଣ ଶୀତକାଳ ପରେ ବସନ୍ତଋତୁ ଆସି ପହଞ୍ଚିବା ସଙ୍ଗେ ସଙ୍ଗେ ମୋର ସ୍ତ୍ରୀ ଓ ମୋତେ ରେମିରେ ଥିବା ଏକ ବନ୍ଦୀଶିବିରକୁ ବଦଳିହୋଇ ଯିବାପାଇଁ ଏକ ହୁକୁମନାମା ଆସି ପହଞ୍ଚିଲା । ଏହି ଦ୍ଵିତୀୟ ବନ୍ଦୀ ଶିବିରରେ କେବଳ ଏଲ୍‍ସାଶ୍‍ର ଅଧିବାସୀମାନଙ୍କୁ ରଖାଯାଉଥିଲା । ଆମେ ସମସ୍ତେ ଯେତେ ଚେଷ୍ଟା କଲେ ମଧ୍ୟ ଏହି ହୁକୁମକୁ ପ୍ରତ୍ୟାହୃତ କରି ନିଆଯାଇ ନଥିଲା । ଶିବିରରୁ ଜଣେ ଡାକ୍ତର ଚାଲିଯିବେ ଭାବି ଶିବିରର ପରିଚାଳକ ମୋର ବଦଳିକୁ ସ୍ଥଗିତ ରଖିବାକୁ ଚାହୁଁଥିଲେ । ଶିବିରର ସମସ୍ତଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସି ଯାଇଥିବାରୁ ସେଠାରୁ ଅନ୍ୟତ୍ର ଯିବା ପାଇଁ ଆମର ମଧ୍ୟ ଇଚ୍ଛା ନଥିଲା ।

 

ମାର୍ଚ୍ଚମାସ ଶେଷରେ ଆମକୁ ରେମି ବନ୍ଦୀଶିବରକୁ ବଦଳି କରି ନିଆଗଲା । ଗାରେସଁ ପରି ସେଠାରେ ମଧ୍ୟ ବିଭିନ୍ନ ଦେଶ ଓ କ୍ଷେତ୍ରର ଲୋକମାନେ ଅଟକ ହୋଇ ରହିଥିଲେ, ଅବଶ୍ୟ ଶିକ୍ଷକ ଏବଂ ଜଙ୍ଗଲ ଓ ରେଳବାଇ ବିଭାଗର କର୍ମଚାରୀ ଅଧିକ ସଂଖ୍ୟାରେ ରହିଥିଲେ । କିନ୍ତୁ ମୋର ପରିଚିତ ଅନେକ ଲୋକଙ୍କୁ ମଧ୍ୟ ମୁଁ ସେଠାରେ ଦେଖିବାକୁ ପାଇଲି । ଗ୍ୟୁନ୍‍ସ୍‍ବାଖ୍‍ର ସ୍କୁଲ ଶିକ୍ଷକ ସେଇଠି ଥିଲେ । ମୋର ଜଣେ ପୁରାତନ ଛାତ୍ର ଥିବା ଜଣେ ପାଦ୍ରୀ ମଧ୍ୟ ଥିଲେ । ପ୍ରତି ରବିବାର ଦିନ ଉପାସନା ପରିଚାଳନା କରିବାର ଅନୁମତି ଏହି ପାଦ୍ରୀଙ୍କୁ ମିଳିଥିଲା ଏବଂ ତାଙ୍କର ପରିପୂରକ ଭାବରେ ମୋତେ ମଧ୍ୟ ଉପାସନାର ପରିଚାଳନା କରିବାକୁ ଅନେକ ପ୍ରକାର ସୁଯୋଗ ମିଳିଲା ।

 

X X X X

 

ଏହି ନୂଆ ଜାଗାର କାଲୁଆ ଥଣ୍ଡା ପବନ ମୋର ସ୍ତ୍ରୀଙ୍କ ଦେହରେ ଆଦୌ ଗଲାନାହିଁ । ଗାରେସଁର ଉଚ୍ଚ ପର୍ବତ ଅଞ୍ଚଳର ପତଳା ହାଉଆରେ ତାଙ୍କର ଖୁବ୍‍ ସ୍ଵାସ୍ଥ୍ୟୋନ୍ନତି ଘଟିଥିଲା । ଏଠାକାର ପଥର ଚଟାଣ ମଧ୍ୟ ତାଙ୍କୁ ଆଦୌ ଆରମଦାୟକ ବୋଧ ହେଲାନାହିଁ । ମୋତେ ମଧ୍ୟ ଆଦୌ ସୁସ୍ଥ ଲାଗୁନଥାଏ । ବୋର୍ଦୋଠାରେ ରକ୍ତାମାଶୟ ରୋଗରେ ପୀଡ଼ିତ ହୋଇ ପଡ଼ିବାର ପରଠାରୁ ମୋର ଦେହଟା ଯେପରି ଦିନକୁଦିନ ଅଧିକ ଦୁର୍ବଳ ଓ ଅବସନ୍ନ ହୋଇ ପଡ଼ୁଥିଲା । ସୈନ୍ୟମାନଙ୍କ ପହରାରେ ବନ୍ଦୀମାନଙ୍କୁ ସପ୍ତାହରେ ଥରେ ବାହାରକୁ ବୁଲିବାକୁ ଯିବାଲାଗି ଅନୁମତି ଦିଆଯାଉଥିଲା । କିନ୍ତୁ ମୁଁ ବା ମୋର ସ୍ତ୍ରୀ ଏଥିରେ ଯୋଗ ଦେବାକୁ ସମର୍ଥ ହୋଇପାରୁ ନଥିଲୁ । ଖୁବ୍ କ୍ଷିପ୍ର ଗତିରେ ଏହିସବୁ ଭ୍ରମଣବେଳେ ଚାଲିବାକୁ ପଡ଼ୁଥିଲା, କାରଣ ବନ୍ଦୀମାନେ ଯଥାସମ୍ଭବ ଅଧିକ ପରିମାଣରେ ଆପଣାର ଶାରୀରିକ ବ୍ୟାୟାମ କରି ନେବାକୁ ଇଚ୍ଛା କରୁଥିଲେ ଓ ଅନୁମତି ମିଳୁଥିବା ସମୟ ଭିତରେ ଶିବିରଠାରୁ ଯଥାସମ୍ଭବ ଦୂରକୁ ଯିବାକୁ ଉତ୍ସାହୀ ହୋଇ ରହୁଥିଲେ ।

☆☆☆

 

ଏଲ୍‍ସାଶ୍‍ ପ୍ରତ୍ୟାବର୍ତ୍ତନ

 

ଶିବିର ଭିତରେ ବନ୍ଦୀ ହୋଇ ରହିଥିବାରୁ ଓ ଅନେକ ଦିନରୁ ଘରକୁ ଯାଇ ନଥିବାରୁ ମୋର ସ୍ତ୍ରୀଙ୍କୁ ଅନେକ ସମୟରେ ଶାରୀରିକ ଓ ମାନସିକ ଅଶାନ୍ତି ଭୋଗିବାକୁ ପଡ଼ୁଥିଲା । ତେଣୁ ଜୁଲାଇ ମାସର ଅଧାବେଳକୁ ବନ୍ଦୀମାନଙ୍କର ଅଦଳବଦଳ ହେବ ଏବଂ ଅଳ୍ପଦିନ ମଧ୍ୟରେ ଆମ୍ଭେମାନେ ସୁଇଜର୍‍ଲାଣ୍ଡ ଦେଇ ଘରକୁ ଫେରିଯାଇ ପାରିବୁ ବୋଲି ଯେତେବେଳେ ଖବର ଆସି ପହଞ୍ଚିଲା, ସେତେବେଳେ ମୁଁ ପ୍ରକୃତରେ ଖୁବ୍ ଖୁସୀ ହୋଇଗଲି । ଶିବିରର ଗଭର୍ଣ୍ଣରଙ୍କ ପାଖକୁ ଆସିଥିବା ପ୍ରଥମ ଖଲାସ୍ ତାଲିକାରେ ଅବଶ୍ୟ ମୋର ନାମ ନଥିଲା ବୋଲି ମୋର ପତ୍ନୀ ଜାଣିନଥିଲେ । କିନ୍ତୁ ଜୁଲାଇ ବାର ତାରିଖ ଦିନ ରାତିରେ ଏକ ତାରଖବର ଆସି ପହଞ୍ଚିଲା । ସେଥିରେ ସବୁ ବନ୍ଦୀଙ୍କର ନାମ ଥିଲା । ସଙ୍ଗେ ସଙ୍ଗେ ଆମକୁ ଶିବିରରୁ ବାହାରିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ଏହି ଖବରରେ ଆମକୁ ଆଦେଶ ଦିଆ ଯାଇଥିଲା । ସୂର୍ଯ୍ୟୋଦୟ ସମୟରେ ଆମର ଜିନିଷପତ୍ର ସବୁ ପରୀକ୍ଷା ପାଇଁ ଆମେମାନେ ଦୁଆରେ ଆଣି ଜମା କରିଦେଲୁ । ‘ସଂସ୍କୃତିର ଦର୍ଶନ’ ପୁସ୍ତକ ପାଇଁ ଏଠାରେ ଏବଂ ଗାରେସଁ ଶିବିରରେ ମୁଁ ଯାହା ସବୁ ଲେଖାଲେଖି କରିଥିଲି, ସେଗୁଡ଼ିକୁ ନେଇ ମୁଁ ତଦାରଖ କରୁଥିବା ଶିବିର କର୍ମଚାରୀଙ୍କ ସମ୍ମୁଖରେ ରଖିଦେଲି । ଲେଖାଟିର କେତେକ ପୃଷ୍ଠାରେ ମୋହର ବାଡ଼େଇଦେବା ପରେ ସେ ତାହାକୁ ସାଙ୍ଗରେ ନେଇ ଯିବାଲାଗି ମୋତେ ଅନୁମତି ଦେଇଥିଲେ । ଖଲାସ ହେଉଥିବା ବନ୍ଦୀମାନଙ୍କର ଦଳ ଫାଟକ ହୋଇ ବାହାରକୁ ବାହାରୁଥିବା ସମୟରେ ମୁଁ ଦୌଡ଼ିଯାଇ ପୁଣିଥରେ ଗଭର୍ଣ୍ଣରଙ୍କଠାରୁ ବିଦାୟ ଆଣିବାକୁ ଗଲି । ଅତି ବିଷାଦପୂର୍ଣ୍ଣ ମୁଖରେ ସେ ଅଫିସ ଘରେ ବସି ରହିଥିଲେ । ବନ୍ଦୀମାନେ ଚାଲିଗଲାପରେ ସେ ଅତିଶୟ ଶୋକାଭିଭୂତ ହୋଇ ପଡ଼ିଥିଲେ । ଏବେ ମଧ୍ୟ ଆମ ଦୁହିଁଙ୍କ ଭିତରେ ପତ୍ରବ୍ୟବହାର ହୁଏ ଏବଂ ସେ ଏପର୍ଯ୍ୟନ୍ତ ତାଙ୍କର ପତ୍ରରେ ମୋତେ mon cher pensionnaire (ମୋର ପ୍ରିୟ ଶିବିରବାସୀ ) ବୋଲି ସମ୍ବୋଧନ କରିଥାନ୍ତି ।

 

ଆମର ଗାଡ଼ି ଆସି ପହଞ୍ଚି ନଥିବାରୁ ଟାରସ୍କଁ ଷ୍ଟେସନଠାରେ ଆମକୁ ଦୂରରେ ଥିବା ଗୋଟିଏ ମାଲଗୋଦାମରେ ଅପେକ୍ଷାକରି ରହିବାକୁ କୁହାଗଲା । ଆମ ଦୁହିଁଙ୍କର ପିଠି ଉପରେ ଏତେ ଜିନିଷ ଲଦା ହୋଇଥିଲା ଯେ ମାଲଗୋଦାମ ପର୍ଯ୍ୟନ୍ତ ଯିବା ତ ଦୂରର କଥା, ରେଳ ଲାଇନ୍‍ର ଲୁହାଧାରଣକୁ ମଧ୍ୟ ଆମେ ଅତିକ୍ରମ କରି ପାରିଲୁ ନାହିଁ । ଏତିକିବେଳେ ଜଣେ ଦରିଦ୍ର ଖଞ୍ଜ ଆମକୁ ସାହାଯ୍ୟ କରିବାକୁ ଆସି ପହଞ୍ଚି ଗଲେ । ଶିବିର ଭିତରେ ଥିଲାବେଳେ ଥରେ ମୁଁ ତାଙ୍କର ଚିକିତ୍ସା କରିଥିଲି । ତାଙ୍କର ଆପଣାର ବୋଲି କିଛି ନଥିଲା, ତେଣୁ ମାଲପତ୍ର ଆସନ୍ତା କୁଆଡ଼ୁ ? ତାଙ୍କର ଏହି ଅଯାଚିତ ସାହାଯ୍ୟ ଗ୍ରହଣ କଲାବେଳେ ମୁଁ ପ୍ରକୃତରେ ବଡ଼ ଅଭିଭୂତ ହୋଇ ପଡ଼ିଥିଲି । ସେହି ଟାଣ ଖରାରେ ସମସ୍ତେ ଏକାଠି ମାଲପତ୍ର ମୁଣ୍ଡାଇ ଯାଉଥିବାବେଳେ ମୁଁ ଆପଣା ପାଖରେ ଶପଥ କଲି ଯେ ଏହି ଦରିଦ୍ର ଖଞ୍ଜ ବନ୍ଧୁଙ୍କର ସହାନୁଭୂତିଶୀଳ ସାହାଯ୍ୟର ସ୍ମୃତି ସ୍ୱରୂପ ଭବିଷ୍ୟତରେ ରେଳଷ୍ଟେସନ ମାନଙ୍କରେ ଅଧିକ ମାଲପତ୍ର ରହିଥିବା ଯାତ୍ରୀମାନଙ୍କ ପ୍ରତି ମୁଁ ସବୁବେଳେ ଦୃଷ୍ଟି ରଖିବି ଏବଂ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବି ଏବଂ ମୋର ଏହି ଶପଥ ମୁଁ ଏପର୍ଯ୍ୟନ୍ତ ପାଳନ କରି ଆସିଚି । ଅବଶ୍ୟ ଥରେ ଏହିପରି ସାହାଯ୍ୟ କରିବାକୁ କହିଥିବାରୁ ଜଣେ ଯାତ୍ରୀ ମୋତେ ଚୋର ବୋଲି ସନ୍ଦେହ କରିଥିଲେ ।

 

ଟାରସ୍କଁ ଏବଂ ଲିଅଁ ମଧ୍ୟରେ ଥିବା କୌଣସି ଏକ ଷ୍ଟେସନରେ କେତେକ ଭଦ୍ରଲୋକ ଓ ଭଦ୍ରମହିଳାଙ୍କର ଏକ କମିଟି ଆମକୁ ଆସି ଅଭ୍ୟର୍ଥନା ଜଣାଇଥିଲେ ଏବଂ ଆମ୍ଭମାନଙ୍କୁ ଭୋଜନାଦି ଆପ୍ୟାୟନରେ ସଜ୍ଜିତ ହୋଇଥିବା ଟେବୁଲ ପାଖକୁ ଡାକି ନେଇଯାଇଥିଲେ । ଅତି ଆନନ୍ଦର ସହିତ ଆମେ ସେମାନଙ୍କର ବଦାନ୍ୟତାର ପ୍ରସାଦ ଉପଭୋଗ କରୁଥିବାବେଳେ ହଠାତ୍ ଜଣାପଡ଼ିଲା ଯେପରି ଆମର ଅଭ୍ୟର୍ଥନାକାରୀମାନେ କ’ଣ ଗୋଟାଏ ଭାରି ଗୋଳମାଳରେ ପଡ଼ିଯାଇଛନ୍ତି । ପରସ୍ପର ଭିତରେ କ’ଣସବୁ ଚଟ୍‍ଚାଟ୍‍ କଥାବାର୍ତ୍ତା ହୋଇ ସେମାନେ ତା’ପରେ ଆମକୁ ଛାଡ଼ିଦେଇ ସେଠାରୁ ଅନ୍ୟତ୍ର ଚାଲିଗଲେ । ଯେଉଁ ଅତିଥିମାନଙ୍କ ପାଇଁ ସେମାନେ ଏହି ଅଭ୍ୟର୍ଥନା ଓ ଭୋଜନର ଆୟୋଜନ କରି ରଖିଥିଲେ, ଆମେମାନେ ଯେ ପ୍ରକୃତରେ ସେହି ଅତିଥି ନୋହୁଁ, ଏ କଥା ସେମାନେ ଜାଣିବାକୁ ପାଇଲେ । ସେମାନେ ଆଗରୁ ମନେ କରିଥିଲେ ଯେ ଉତ୍ତର ଫ୍ରାନ୍ସର ଅଧିକୃତ ଅଞ୍ଚଳରେ ଅଟକବନ୍ଦୀ ଥିବା ଫରାସୀ ଅଧିବାସୀମାନଙ୍କୁ ଜର୍ମାନମାନେ ସୁଇଜର୍‍ଲାଣ୍ଡ ବାଟ ଦେଇ ଫ୍ରାନ୍ସକୁ ପଠାଇ ଦେଉଚନ୍ତି ଏବଂ ସେମାନେ ବର୍ତ୍ତମାନ କିଛିଦିନ ପାଇଁ ଦକ୍ଷିଣ ଫ୍ରାନ୍ସରେ ଅବସ୍ଥାନ କରିବେ । ଏବଂ ସେହି ଫରାସୀ ବନ୍ଦୀମାନଙ୍କ ପାଇଁ ହିଁ ସେମାନେ ଏହିସବୁ ଅଭ୍ୟର୍ଥନାର ଆୟୋଜନ କରିଥିଲେ । ଅଟକବନ୍ଦୀମାନଙ୍କର ଗାଡ଼ି ଆସି ପହଞ୍ଚିବ ଓ ଏତେ ସମୟ ପାଇଁ ଏହି ଷ୍ଟେସନରେ ରହିବ ବୋଲି ଯେତେବେଳେ ରେଳବାଇ କର୍ତ୍ତୃପକ୍ଷ ଘୋଷଣା କରିଥିଲେ, ଫରାସୀ ବନ୍ଦୀମାନଙ୍କର ଅତିଥିସତ୍କାର କରିବାପାଇଁ ତିଆରି ହୋଇଥିବା ଅଭ୍ୟର୍ଥନାସମିତି ସେମାନଙ୍କର ଇପ୍‍ସିତ ଅତିଥିମାନେ ବର୍ତ୍ତମାନ ଆସି ପହଞ୍ଚିବେ ବୋଲି ବିଶ୍ଵାସ କରିନେଲେ । କିନ୍ତୁ ସେମାନଙ୍କର ଅତିଥିମାନେ ଫରାସୀ ଭାଷାରେ କଥାବାର୍ତ୍ତା ନହୋଇ ଏଲ୍‍ସାଶ୍ ଅଞ୍ଚଳର ବୋଲିରେ କଥାବାର୍ତ୍ତା ହେଉଥିବାର ଦେଖି ସେମାନଙ୍କୁ ଆପଣାର ଭ୍ରମ ମାଲୁମ ହୋଇଗଲା । ଶେଷକୁ ଅବସ୍ଥା ଏତେଦୂର ହାସ୍ୟାସ୍ପଦ ହୋଇପଡ଼ିଲା ଯେ ଆପଣାର ଭ୍ରମ ଉପଲବ୍ଧି କରିଥିବା କମିଟି-ସଭ୍ୟମାନେ ମଧ୍ୟ ଆସି ଏହି ଅଣ-ଅତିଥିମାନଙ୍କର ଆନନ୍ଦ ଓ ହାସ୍ୟରୋଳରେ ଯୋଗ ଦେଇଥିଲେ । କିନ୍ତୁ ଏହିସବୁ ଘଟଣା ଏତେ ଅଳ୍ପସମୟ ଭିତରେ ଘଟିଲା ଓ ସମସ୍ତେ ଖାଇବାରେ ଏତେଦୂର ଭୋଳ ଥିଲେ ଯେ ଆମ ଦଳର ଅଧିକାଂଶ ବ୍ୟକ୍ତି ଅସଲ ଘଟଣାଟି ବିଷୟରେ କିଛି ଜାଣି ପାରିଲେ ନାହିଁ । ସେମାନଙ୍କ ନିମିତ୍ତ ପ୍ରସ୍ତୁତ କରି ରଖାଯାଇଥିବା ଏକ ଉତ୍ତମ ଭୋଜନ ପ୍ରତି ସେମାନେ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଚନ୍ତି ବୋଲି ଏକ ସାଧୁ ବିଶ୍ଵାସ ନେଇ ସେମାନେ ପୁଣି ଭୋଜନାନ୍ତେ ଗାଡ଼ିଭିତରକୁ ଫେରିଯାଇଥିଲେ ।

 

ଆମର ଗାଡ଼ି ସହିତ ବାଟରେ ଅନ୍ୟାନ୍ୟ ଶିବିରମାନଙ୍କରୁ ଅଟକବନ୍ଦୀ ନେଇ ଆସିଥିବା ଡବାମାନ ଯୋଡ଼ି ଦିଆଗଲା ଏବଂ ତଦ୍ଦ୍ୱାରା ଗାଡ଼ି କ୍ରମେ ଅଧିକରୁ ଅଧିକ ଲମ୍ବ ହେବାକୁ ଲାଗିଲା ।

 

X X X X

 

ସୁଇଜର୍‍ଲାଣ୍ଡ ସୀମା ପାଖରେ ଆମର ଗାଡ଼ିକୁ ଅନେକ ସମୟ ପର୍ଯ୍ୟନ୍ତ ଅଟକାଇ ରଖାଗଲା । ଆମ ବଦଳରେ ଜର୍ମାନୀରୁ ଖଲାସ କରି ଦିଆଯାଇଥିବା ଫରାସୀ ବନ୍ଦୀମାନଙ୍କର ଗାଡ଼ି ତେଣୁ ଆସି ଆରପାଖ ସୀମାରେ ପହଞ୍ଚିଲାଣି ବୋଲି ତା’ର ଖବର ଆସି ପହଞ୍ଚିବା ପରେ ଆମ ଗାଡ଼ିକୁ ଯିବାଲାଗି ଅନୁମତି ମିଳିଥିଲା ।

 

ଜୁଲାଇମାସ ୧୫ ତାରିଖ ସକାଳେ ଆମେ ତସୁରିକ୍‍ଠାରେ ପହଞ୍ଚିଲୁ । ସେଠାରେ ଅନେକ ବିଶିଷ୍ଟ ବନ୍ଧୁ ଆମକୁ ସ୍ଵାଗତ ଜଣାଇବାକୁ ଆସିଥିଲେ ଦେଖି ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲି । ଆମେ ଆସି ଏଠାରେ ପହଞ୍ଚିବୁ ବୋଲି ସେମାନେ ଅନେକ ସପ୍ତାହ ପୂର୍ବରୁ ସମ୍ବାଦ ପାଇଥିଲେ ।

 

X X X X

 

କନ୍‍ଷ୍ଟାନ୍‍ସ୍‍ଠାରେ ଆମେ ଯାହା ଦେଖିଲୁ, ସେଥିରେ ଆମର ମନ ପ୍ରକୃତରେ ଶଙ୍କିତ ହୋଇ ଉଠିଥିଲା । ଆଗରୁ ଲୋକମୁଖରେ ଆମେ ଯାହା କେବଳ ଶୁଣିବାକୁ ପାଇଥିଲୁ, ବର୍ତ୍ତମାନ ପ୍ରଥମଥର ପାଇଁ ଆମର ଚକ୍ଷୁ ସମ୍ମୁଖରେ ସେହି ବୁଭୁକ୍ଷାର ଦାରୁଣ ଦୃଶ୍ୟମାନ ଆମେ ଦେଖିବାକୁ ପାଇଲୁ । ରାସ୍ତାମାନଙ୍କରେ କେବଳ ବିବର୍ଣ୍ଣ ଓ କଙ୍କାଳସାର ମଣିଷଙ୍କ ବ୍ୟତୀତ ଆଉ କିଛି ଦେଖିବାକୁ ମିଳିଲାନାହିଁ । ସେମାନେ କେଡ଼େ ଅବସନ୍ନ ଓ ଜୀବନଜ୍ୟୋତିହୀନ ଭାବରେ ବିଚରଣ କରୁଥିଲେ । ଏତେ ଦୁର୍ବଳ ଓ ଶକ୍ତିହୀନ ହୋଇ ପଡ଼ିଥିଲେ ସୁଦ୍ଧା ତଥାପି ଯେ ସେମାନେ କିପରି ଠିଆହୋଇ ପାରୁଥିଲେ, ତାହା ମୁଁ କଳ୍ପନା କରି ପାରିଲି ନାହିଁ ।

 

ଷ୍ଟ୍ରାସ୍‍ବୁର୍ଗରେ ଥିବା ଆପଣାର ପିତାମାତାଙ୍କ ନିକଟକୁ ଯିବାଲାଗି ମୋର ସ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅନୁମତି ମିଳିଗଲା । ଆମକୁ ଭେଟିବାଲାଗି ସେମାନେ ଷ୍ଟେସନକୁ ଆସିଥିଲେ । କନ୍‍ଷ୍ଟାନ୍‍ସରେ ଅଧିକା ଦିନେ ରହିବା ପରେ ମୁଁ ରାତିରେ ଷ୍ଟ୍ରାସ୍‍ବୁର୍ଗ୍‍ଠାରେ ପହଞ୍ଚିଲି । ରାସ୍ତାରେ ଗୋଟିଏ ହେଲେ ଆଲୁଅ ଜଳୁ ନଥିଲା । କୌଣସି ଘର ଭିତରୁ କୌଣସି ଆଲୋକର କ୍ଷୀଣତମ ସୂଚନା ମଧ୍ୟ ମିଳୁନଥିଲା । ଆକାଶମାର୍ଗରୁ ସବୁବେଳେ ଆକ୍ରମଣ ହେବାର ଆଶଙ୍କା ରହିଥିବାରୁ ସହରକୁ ସମ୍ପୂର୍ଣ୍ଣ ଅନ୍ଧକାର କରି ରଖାଯାଉଥିଲା । ସହରର ଉପକଣ୍ଠରେ ମୋର ପତ୍ନୀଙ୍କର ପିତାମାତା ବାସ କରୁଥିଲେ, ଏହି ଅନ୍ଧାରରେ ସେପର୍ଯ୍ୟନ୍ତ ଯାଇ ପହଞ୍ଚି ପାରିବି ବୋଲି ମୁଁ ଆଶା କରିପାରିଲି ନାହିଁ । ତେଣୁ ଅତି କଷ୍ଟରେ ସେଣ୍ଟଥମାସ୍ ନିକଟରେ ଥିବା ଶ୍ରୀମତୀ ଫିସର୍‍ଙ୍କ ଘରେ ଯାଇ ପହଞ୍ଚିଲି ।

 

X X X X

 

ଗୁନ୍‍ସ୍‍ବାଖ୍‍ ସମର-ଅଞ୍ଚଳର ଅନ୍ତର୍ଭୁକ୍ତ ହୋଇଥିବାରୁ ଅନେକ ଦଉଡ଼ଧାପଡ଼ ଓ ଲେଖାପଢ଼ି କରି ସାରିବା ପରେ ଯାଇ ବାପଙ୍କୁ ଖୋଜି ବାହାର କରିବାପାଇଁ ଚେଷ୍ଟା କରିବାକୁ ମୋତେ ଅନୁମତି ମିଳିଲା । କଲମାର୍‍ ପର୍ଯ୍ୟନ୍ତ ରେଳଗାଡ଼ି ଯାଉଥିଲା, କିନ୍ତୁ ସେଠାରୁ ଆହୁରି ଦଶମାଇଲ ବାଟ ଚାଲିକରି ଯିବାକୁ ପଡ଼ୁଥିଲା ।

 

୧୯୧୩ ମସିହା, ପୁଣ୍ୟମୟ ଶୁକ୍ରବାର ଦିନ ଏହି ଶାନ୍ତିପୂର୍ଣ୍ଣ ପାର୍ବତ୍ୟ ଭୂମିରୁ ମୁଁ ବିଦାୟ ନେଇ ଯାଇଥିଲି । ପର୍ବତମାଳାର ଏଠୁସେଠୁ ବନ୍ଧୁକର ନିରାନନ୍ଦକାରୀ ଗର୍ଜନ ଶୁଣାଯାଉଥିଲା । ରାସ୍ତାର ଦୁଇପାଖରେ ତାରଜାଲି ଭିତରେ କୁଟା ଭରାଇ ରଖାଯାଇଥିଲା । ତେଣୁ ରାସ୍ତାରେ ଚାଲିଲାବେଳେ ଦୁଇଟି ଉଚ୍ଚ ପାଚେରୀ ମଝିରେ ଚାଲିବାପରି ମନେ ହେଉଥିଲା । ଅନତିଦୂରରେ ଥିବା ଶତ୍ରୁପକ୍ଷର ତୋପବାହିନୀର ଆକ୍ରମଣରୁ ରାସ୍ତାରେ ଯାଉଥିବା ବ୍ୟକ୍ତିମାନଙ୍କର ଜୀବନକୁ ନିରାପଦ ରଖିବାଲାଗି ଏହିପରି ବ୍ୟବସ୍ଥା କରାଯାଇଥିଲା । ମେସିନ୍‍ଗନ୍ ପାଇଁ ଚାରିଆଡ଼େ ଇଟାର ଚଉତରାମାନ ତିଆରି ହୋଇଥିଲା । ବନ୍ଧୁକର ମାଡ଼ ବାଜି କେତେ ଘର ଖିନଖରାପ ହୋଇଯାଇଥିଲା । ଯେଉଁ ପାହାଡ଼ଗୁଡ଼ିକୁ ଆଗରୁ ମୁଁ ଜଙ୍ଗଲରେ ପରିପୂର୍ଣ୍ଣ ଥିବାର ଦେଖିଯାଇଥିଲି, ବର୍ତ୍ତମାନ ସେଗୁଡ଼ିକ ଲଣ୍ଡା ପଡ଼ିଥିଲା । ତୋପବୃଷ୍ଟି ଫଳରେ କେବଳ ଏଠିସେଠି ଅଳ୍ପ କେଇଟା ଥୁଣ୍ଟା ଗଛର ଗଣ୍ଡି ଛଡ଼ା ଆଉ କିଛି ଆଖିରେ ପଡ଼ୁ ନଥିଲା । ଯେଉଁଆଡ଼କୁ ଗଲେ ମଧ୍ୟ ଆପଣା ସହିତ ଏକ ଗ୍ୟାସ୍‍ମୁଖା ଲଗାଇ ଯିବାକୁ ହେବ ବୋଲି ଘୋଷଣା କରି ଗାଆଁମାନଙ୍କରେ ହୁକୁମନାମା ଝୁଲୁଥିଲା ।

 

ଗ୍ୟୁନ୍‍ସ୍‍ବାଖ୍‍ ସହର ଆପଣାର ଚତୁର୍ଦ୍ଦିଗରେ ଥିବା ପର୍ବତମାଳା ଦ୍ଵାରା ସୁଗୁପ୍ତ ଓ ସୁରକ୍ଷିତ ହୋଇ ରହିଥିଲା । ଶତ୍ରୁପକ୍ଷର ତୋପ ଏହାକୁ ନଷ୍ଟ କରିପାରି ନଥିଲା । ତେଣୁ ସମରସୀମାର ଅତି ସମୀପବର୍ତ୍ତୀ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହି ସହରରେ ଲୋକମାନେ ବସବାସ କରି ରହିଥିଲେ । ସୈନ୍ୟମାନଙ୍କର ଭିଡ଼ଭିତରେ ଗ୍ୟାନ୍‍ସ୍‍ବାଖ୍‍ର ଅଧିବାସୀମାନେ ଆପଣା ଆପଣାର କାମରେ ବଡ଼ ନିଶ୍ଚିନ୍ତରେ ଯିବାଆସିବା କରୁଥିଲେ, ପୃଥିବୀରେ କୌଣସିଠାରେ କୌଣସି ଯୁଦ୍ଧ ଲାଗିଚି ବୋଲି ଯେପରି ସେମାନଙ୍କୁ ଜଣା ମଧ୍ୟ ନଥିଲା । ଦ୍ଵିତୀୟ ଘାସଫସଲକୁ ଦିନବେଳେ ଘାସଜମିରୁ ଘରକୁ ଆଣିବା କାମ ସେମାନଙ୍କୁ ଯେପରି ଏକ ଅତି ସାଧାରଣ ଓ ସ୍ଵାଭାବିକ କାମ ପରି ମନେ ହେଉଥିଲା, ସତର୍କଘଣ୍ଟି ବାଜିବା ମାତ୍ରକେ ମାଟିତଳ ଘର ଭିତରେ ଆଶ୍ରୟ ନେବାକୁ ଦଉଡ଼ିବା ମଧ୍ୟ ସେମାନଙ୍କୁ ସେହିପରି ସହଜ ବୋଧ ହେଉଥିଲା । ହଠାତ୍ କୌଣସି ଆକ୍ରମଣର ଆଶଙ୍କା ଆସି ପହଞ୍ଚିଗଲେ ଆପଣାର ସମସ୍ତ ସଂସାର ଛାଡ଼ି ଯେକୌଣସି ସମୟରେ ଗାଆଁରୁ ଅନ୍ୟତ୍ର ଚାଲିଯିବାକୁ ଏକ ହୁକୁମନାମା ପାଇବାକୁ ମଧ୍ୟ ସେମାନେ ସବୁବେଳେ ପ୍ରସ୍ତୁତ ହୋଇ ରହିଥିଲେ । ମୋର ବାପା ବିପଦ ପ୍ରତି ଏପରି ଉଦାସୀନ ହୋଇପଡ଼ିଥିଲେ ଯେ, ବୋମାବୃଷ୍ଟି ଚାଲିଥିବା ସମୟରେ ମଧ୍ୟ ଅନ୍ୟମାନଙ୍କ ପରି ଆଶ୍ରୟଖାତକୁ ଧାଇଁ ନଯାଇ ସେ ଆପଣାର ଅଧ୍ୟୟନ-ଗୃହରେ ହିଁ ବସି ରହୁଥିଲେ । ଆଗରୁ ସେ କେବେ କର୍ମଚାରୀ ଏବଂ ସୈନ୍ୟମାନଙ୍କ ବ୍ୟତୀତ ଆପଣାର ପାଦ୍ରୀ-ନିବାସରେ ବାସ କରୁଥିଲେ ବୋଲି ସେ ବର୍ତ୍ତମାନ କଳ୍ପନା ହିଁ କରିପାରୁ ନଥିଲେ ।

 

କିନ୍ତୁ ଯୁଦ୍ଧ ପ୍ରତି ଏତେ ଉଦାସୀନ ହୋଇ ପଡ଼ିଥିଲେ ମଧ୍ୟ ଲୋକମାନଙ୍କୁ ଫସଲ ଅମଳ କରିବାର ଚିନ୍ତା ଘାରି ରହିଥିଲା । ସେ ବର୍ଷ ସାଂଘାତିକ ମରୁଡ଼ି ପଡ଼ିଥାଏ । ବିଲରେ ଶସ୍ୟ ଶୁଖି ଯାଉଥାଏ, ଆଳୁ ଫସଲ ନଷ୍ଟ ହେବା ଉପରେ । ଏବର୍ଷ ଘାସଫସଲ ଏତେ ପାତଳା ହୋଇଥାଏ ଯେ ସେଗୁଡ଼ିକ କାଟି ଘରକୁ ଆଣିବା ଦ୍ଵାରା ଚାଷୀର କୌଣସି ଲାଭ ହେବବୋଲି ମନେ ହେଉନଥାଏ । ଗୁହାଳ ଭିତରୁ ଭୋକିଲା ଗୋରୁଙ୍କର ରଡ଼ି ଶୁଣାଯାଉଥାଏ । ଆକାଶରେ କଦାଚିତ୍‍ ମେଘଖଣ୍ଡେ ଦେଖାଦେଲେ ମଧ୍ୟ ସେଥିରୁ କଦାପି ବିନ୍ଦୁଏ ସୁଦ୍ଧା ପାଣି ବରଷୁ ନଥାଏ; କେବଳ ଗୁଡ଼ାଏ ଧୂମାଳ ପବନ ହୋଇ ମାଟିରେ ତଥାପି ଅବଶିଷ୍ଟ ରହିଥିବା ଆର୍ଦ୍ରତାକୁ ଉଡ଼ାଇ ନେଇ ଯାଉଥାଏ । ଭୟଙ୍କର ଧୂଳି ପଟଳ ଭିତରେ ସତେ ଅବା ଭୋକର ଭୂତ ଘୋଡ଼ା ଚଢ଼ି ଉଡ଼ୁଥାଏ ।

 

ଗ୍ୟୁନ୍‍ସ୍‍ବାଖ୍‍ ଆସିବାଲାଗି ଇତ୍ୟବସରରେ ମୋର ପତ୍ନୀଙ୍କୁ ଅନୁମତି ମିଳିଯାଇଥିଲା ।

 

ରେମିରେ ଅତିବାହିତ ହୋଇଥିବା ଶେଷ କେତେ ସପ୍ତାହକାଳ ମୋତେ କେତେବେଳେ ଅଳ୍ପ ବା ଆଉ କେତେବେଳେ ଭୀଷଣ ଜ୍ଵର ଭୋଗିବାକୁ ପଡ଼ିଥିଲା । ମୋର ଜନ୍ମଭୂମିର ପର୍ବତାଞ୍ଚଳକୁ ଆସି ମୁଁ ସେହି ଜ୍ଵରରୁ ମୁକ୍ତ ହୋଇଯିବି ଓ ମୋର ଶରୀରରୁ ସମସ୍ତ ଅବସନ୍ନତା ଦୂର ହୋଇଯିବ ବୋଲି ଆଗରୁ ମୁଁ ଯେଉଁ ଆଶା କରି ବସିଥିଲି, ତାହା କେବଳ ଆକାଶ କୁସୁମ ହୋଇ ରହିଲା । ଓଲଟି ମୋର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା ଏବଂ ଅଗଷ୍ଟମାସ ଶେଷଆଡ଼କୁ ମୁଁ ଭୀଷଣ ଜ୍ଵରରୋଗରେ ଆକ୍ରାନ୍ତ ହୋଇ ଦାରୁଣ ଯନ୍ତ୍ରଣା ଭୋଗ କରିବାକୁ ଲାଗିଲି । ବୋର୍ଦୋରେ ହୋଇଥିବା ରକ୍ତାମାଶୟ ରୋଗର ପ୍ରତିକ୍ରିୟା ସ୍ୱରୂପ ଏସବୁ ହେଉଚି ଏବଂ ଅତିଶୀଘ୍ର ମୋତେ ଅସ୍ତ୍ରଚିକିତ୍ସା କରାଇବାକୁ ହେବ ବୋଲି ମୁଁ ବେଶ୍ ପରିଷ୍କାର ଜାଣିପାରିଲି । ମୋର ପତ୍ନୀଙ୍କ ସହିତ ଛଅ ମାଇଲ ରାସ୍ତା ଚାଲିକରି ଯିବାପରେ କଲ୍‍ମାର୍ ଯିବାଲାଗି ଆମକୁ କୌଣସି ପ୍ରକାରେ ଗୋଟିଏ ଗାଡ଼ି ମିଳିଗଲା । ସେପ୍ଟେମ୍ବର ପହିଲାଦିନ ଷ୍ଟ୍ରାସ୍‍ବୁର୍ଗ୍‍ଠାରେ ମୋର ଅସ୍ତ୍ରଚିକିତ୍ସା କରଯାଇଥିଲା ।

 

ଆରୋଗ୍ୟଲାଭ କରି ମୁଁ ପୁଣି କର୍ମକ୍ଷମ ହେବା ସଙ୍ଗେ ସଙ୍ଗେ ଷ୍ଟ୍ରାସ୍‍ବୁର୍ଗ୍‍ର ମେୟର ମୋତେ ମ୍ୟୁନିସିପାଲଟି ଡାକ୍ତରଖାନାରେ ଜଣେ ଡାକ୍ତର ହୋଇ ରହିବାକୁ ଅନୁରୋଧ କଲେ । ଅତି ଆନନ୍ଦ ସହକାରେ ମୁଁ ତାଙ୍କର ଅନୁରୋଧ ରକ୍ଷା କରିଥିଲି । କାରଣ କ’ଣ କରି ମୁଁ ମୋର ଜୀବିକା ଉପାର୍ଜନ କରିବି, ସେହି ବିଷୟରେ ମୋତେ ସେତେବେଳେ କୌଣସି ବାଟ ଦେଖାଯାଉ ନଥିଲା । ଚର୍ମରୋଗ-ବିଭାଗରେ ଥିବା ଦୁଇଟି ମହିଳା-ଓ୍ୱାର୍ଡ଼ ମୋର ଦାୟିତ୍ଵରେ ଦିଆଗଲା । ତହିଁ ସଙ୍ଗେ ସଙ୍ଗେ ସେଣ୍ଟ୍ ନିକୋଲାସ୍‍ ଗିର୍ଜାରେ ମଧ୍ୟ ମୋତେ ସାହାଯ୍ୟକାରୀ ପାଦ୍ରୀଭାବରେ ନିଯୁକ୍ତ କରାଗଲା ।

 

X X X X

☆☆☆

 

Unknown

ଡାକ୍ତରଖାନାର ଡାକ୍ତର ଓ ନିକୋଲାଇ ଗିର୍ଜାର ପାଦ୍ରୀ

 

‘ସଂସ୍କୃତିର ଦର୍ଶନ’ ସମ୍ବନ୍ଧରେ ମୁଁ ଲେଖିଥିବା ପାଣ୍ଡୁଲିପିଟି ଆଫ୍ରିକାରୁ ଆସି ପହଞ୍ଚିବ ବୋଲି ମୁଁ ଅପେକ୍ଷା କରି ରହିଥାଏ । ଇତ୍ୟବସରରେ ପୃଥିବୀର ପ୍ରଧାନ ପ୍ରଧାନ ଧର୍ମଗୁଡ଼ିକୁ ମୁଁ ଅଧ୍ୟୟନ କରି ନେଉଥାଏ । ଏହା ଫଳରେ ପ୍ରତ୍ୟେକଟି ଧର୍ମର ଜୀବନଦୃଷ୍ଟି ଉପରେ ମୁଁ ବିଚାର କରିବାର ସୁଯୋଗ ପାଇ ଯାଉଥାଏ । ପୂର୍ବରୁ ଠିକ୍ ଯେପରି ମୁଁ ଦର୍ଶନର ଇତିହାସ ଅଧ୍ୟୟନ କରି ସେଥିରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି କେତେଦୂର ପ୍ରତିଫଳିତ ହେଉଚି ଓ କେତେଦୂର ତାହା ସଂସ୍କୃତିର ଆକାଙ୍‍କ୍ଷାକୁ ପ୍ରତିଫଳିତ କରୁଚି, ତାହା ଦେଖି ପାରିଥିଲି, ଠିକ୍ ସେହିପରି ବର୍ତ୍ତମାନ ମଧ୍ୟ ପୃଥିବୀର ବିଭିନ୍ନ ପ୍ରଧାନ ଧର୍ମ, ଅର୍ଥାତ୍‍ ଇହୁଦୀ ଧର୍ମ ଓ ଖ୍ରୀଷ୍ଟଧର୍ମ, ଇସ୍‍ଲାମ୍‍ ଓ ଜରଥୁଷ୍ଟ୍ର ଧର୍ମ, ବ୍ରାହ୍ମଣ୍ୟ ଧର୍ମ ଓ ବୌଦ୍ଧଧର୍ମ, ଓ ଚୀନଦର୍ଶନର ଧର୍ମଚିନ୍ତା ଭିତରେ ଜଗତ ଓ ଜୀବନକୁ ସ୍ଵୀକାର ବା ଅସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୀତିମାର୍ଗ କେତେଦୂର ଅନ୍ତର୍ନିହିତ ରହିଚି, ତାହା ମୁଁ ଅନୁସନ୍ଧାନ କରିବାରେ ଲାଗିପଡ଼ିଲି । ଏହି ଅଧ୍ୟୟନ ଓ ଅନୁସନ୍ଧାନ ପରେ ମୋର ବିଶ୍ଵାସ ଆହୁରି ଅଧିକ ଦୃଢ଼ ହୋଇଗଲା ଯେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ନୀତିଗତ ଜୀବନଦୃଷ୍ଟି ଉପରେ ହିଁ ସଂସ୍କୃତି ପ୍ରତିଷ୍ଠିତ ରହିଚି ।

 

ଯେଉଁସବୁ ଧର୍ମ (ବ୍ରାହ୍ମଣ୍ୟଧର୍ମ ଓ ବୌଦ୍ଧଧର୍ମ) ମୂଳତଃ ଜଗତ ଓ ଜୀବନକୁ ଅସ୍ଵୀକାର କରିଚନ୍ତି, ସେହିସବୁ ଧର୍ମଭିତରେ ଆମେ ସଂସ୍କୃତିପାଇଁ କୌଣସି ଆଗ୍ରହ ଦେଖିବାକୁ ପାଇବାନାହିଁ-। ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ନୀତିଗତ ଜୀବନଦୃଷ୍ଟିର ଘୋଷଣା କରି ଧର୍ମଦୂତମାନଙ୍କ ଦ୍ଵାରା ପ୍ରଚାରିତ ଇହୁଦୀଧର୍ମ (judentum), ପ୍ରାୟ ତାହାର ସମକାଳୀନ ଜରଥୁଷ୍ଟ୍ରଧର୍ମ ଏବଂ ଚୀନଦେଶୀୟ ଧର୍ମବିଚାର ସଂସ୍କୃତିଲାଗି ଆପଣାର ଏକ ପ୍ରବଳ ଆକାଙ୍‍କ୍ଷା ପ୍ରକଟ କରି ଯାଇଚନ୍ତି । ସମାଜର ଉନ୍ନତି କରିବାରେ ସେମାନେ ଆଗ୍ରହ ଦେଖାଇଚନ୍ତି, ସାଧାରଣ ଉଦ୍ଦେଶ୍ୟଗୁଡ଼ିକର ସାଧନ ପାଇଁ ଏକତ୍ରିତ ହୋଇ କାର୍ଯ୍ୟକରିବାକୁ ସେମାନେ ଜଣଗଣଙ୍କୁ ଆହ୍ଵାନ ଦେଇଚନ୍ତି, କିନ୍ତୁ ଅପର ପକ୍ଷରେ ଦୁଃଖବାଦୀ ଧର୍ମଗୁଡ଼ିକ ମନୁଷ୍ୟକୁ ତା’ର ଜୀବନର ସମସ୍ତ ଏକାନ୍ତ ଧ୍ୟାନରେ ଅତିବାହିତ କରିବାକୁ ଛାଡ଼ିଦେଇଚନ୍ତି ।

 

ଇହୁଦୀ ଧର୍ମଦୂତ ଆମସ୍ ଓ ଇସାୟା (ଖ୍ରୀଷ୍ଟପୂର୍ବ ୭୬୦-୭୦୦) ଜରଥ୍ରୁଷ୍ଟ (ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ) ଏବଂ କୁଙ୍ଗ୍‍ପ୍‍ସି (ଖ୍ରୀଷ୍ଟପୂର୍ବ ୫୬୦-୪୮୦)ଙ୍କୁ ମାନବ ଜାତିର ଆଧ୍ୟାତ୍ମିକ ଇତିହାସରେ ମାର୍ଗପ୍ରଦର୍ଶନ କରୁଥିବା ଗୋଟିଏ ଗୋଟିଏ ସ୍ତମ୍ଭ ବୋଲି ସ୍ଵୀକାର କରାଯାଇପାରେ । ଖ୍ରୀଷ୍ଟପୂର୍ବ ଅଷ୍ଟମରୁ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ପରସ୍ପରଠାରୁ ଅନେକ ଦୂରରେ ଅବସ୍ଥିତ ଓ ପରସ୍ପର ସହିତ କୌଣସି ସମ୍ପର୍କସୂତ୍ର ନଥିବା ଏହି ତିନୋଟି ଦେଶର ବିଚାରଶୀଳ ବ୍ୟକ୍ତିମାନଙ୍କ ଭିତରେ ଏକ ଅପୂର୍ବ ଆଶାବାଦୀ ଆନ୍ଦୋଳନ ଦେଖା ଦେଇଥିଲା । ପରମ୍ପରାଗତ ଜାତୀୟ ସଂସ୍କାରଗୁଡ଼ିକର ପାଖରେ ଆତ୍ମସମର୍ପଣ କରି ନୁହେଁ, ମାତ୍ର ଆପଣାର ବ୍ୟକ୍ତିଗତ ଜୀବନକୁ ପ୍ରତିବେଶୀ ସମୂହର ସେବାରେ ନିୟୋଜିତ କରିବାରେ ଏବଂ ସାମାଜିକ କଲ୍ୟାଣ ଓ ଉନ୍ନତିମୂଳକ ନାନା ଉଦ୍ଦେଶ୍ୟରେ କାର୍ଯ୍ୟ କରିବାରେ ଯେ ନୀତିମୟ ଜୀବନର ଯଥାର୍ଥତା ନିହିତ ରହିଛି, ସେମାନେ ଏହା ହୃଦୟଙ୍ଗମ କରିଥିଲେ । ଏହି ବିରାଟ ବିପ୍ଳବ ଫଳରେ ହିଁ ମାନବସମାଜର ଆଧ୍ୟାତ୍ମିକ ମାନବୀକରଣର ପ୍ରଥମ ମୂଳଦୁଆ ପଡ଼ିଥିଲା ଏବଂ ଏହାରି ସହିତ ଚରମତମ ବିକାଶର ସମ୍ଭାବନା ପାଇଁ ସମର୍ଥ ଏକ ସଂସ୍କୃତିର ଆରମ୍ଭ ହୋଇଥିଲା ।

 

ଖ୍ରୀଷ୍ଟଧର୍ମ ଓ ହିନ୍ଦୁଧର୍ମ ସିଧାସିଧା ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ବା ଅସ୍ଵୀକାର କରୁଥିବା ଧର୍ମ ବୋଲି କୁହାଯାଇ ପାରିବନାହିଁ । ଏହି ଉଭୟ ଧର୍ମରେ ଦୁଇଟିଯାକ ବିରୋଧୀ ଜୀବନଦୃଷ୍ଟି ପରସ୍ପର ସହିତ ଅତି ସଂଲଗ୍ନ ଭାବରେ ରହିଚି ଏବଂ ପରସ୍ପର ସହିତ ସଙ୍ଘର୍ଷ କରି ଚାଲିଚି । ତେଣୁ ଖ୍ରୀଷ୍ଟଧର୍ମକୁ ଓ ହିନ୍ଦୁଧର୍ମକୁ ଆମେ ସଂସ୍କୃତିକୁ ସ୍ଵୀକାର କରୁଥିବା ଓ ସ୍ଵୀକାର କରୁ ନଥିବା ଉଭୟ ଜୀବନଦୃଷ୍ଟିର ପକ୍ଷରେ ବିଚାର କରିପାରିବା ।

 

ଖ୍ରୀଷ୍ଟଧର୍ମ ସଂସ୍କୃତିକୁ ସ୍ଵୀକାର କରେ ନାହିଁ, କାରଣ ଜନ୍ମତଃ ସଂସାରର ସମାପ୍ତି ବା ବିଲୋପସାଧନର ପ୍ରଚାର କରିବା ଦ୍ଵାରା ପ୍ରାକୃତିକ ପୃଥିବୀର କୌଣସି ବିକାଶ ବା ଉନ୍ନତିସାଧନ ଲାଗି ଏହା କୌଣସି ଆଗ୍ରହ ପ୍ରକାଶ କରେ ନାହିଁ । କିନ୍ତୁ ତଥାପି ଏଥି ସଙ୍ଗେ ସଙ୍ଗେ ଏକ ସକ୍ରିୟ ନୀତିମୟ ଜୀବନର ଆହ୍ଵାନ ଜଣାଇ ଏହା ଅତ୍ୟନ୍ତ ବଳିଷ୍ଠଭାବରେ ସଂସ୍କୃତିକୁ ସ୍ଵୀକାର ମଧ୍ୟ କରିଥାଏ । ସଂସ୍କୃତିର ଏକ ବିନାଶକାରୀ ଧର୍ମବିଚାର ହିସାବରେ ପ୍ରାଚୀନ ପୃଥିବୀରେ ଏହାର ଆବିର୍ଭାବ ହୋଇଥିଲା ଏବଂ ପରବର୍ତ୍ତୀ କାଳର ଷ୍ଟରକ୍‍ବାଦ (stoizismus) ସଂସାରରେ ସଂସ୍କାରର ପ୍ରବର୍ତ୍ତନ କରି ଏକ ନୀତିନିବିଷ୍ଟ ଜୀବନମାର୍ଗକୁ ଗ୍ରହଣ କରିଥିବା ମନୁଷ୍ୟ ସମାଜର ନିର୍ମାଣ କରିବାରେ ଯେଉଁ ଉଦମ୍ୟ କରିଥିଲା, ତାହାର ବିଫଳତା ପାଇଁ ଖ୍ରୀଷ୍ଟଧର୍ମର ଅସ୍ଵୀକାରୀ ଜୀବନଦୃଷ୍ଟିକୁ ମଧ୍ୟ କେତେକାଂଶରେ ଦାୟୀ କରାଯାଇ ପାରିବ । ତଥାପି ଏପିକଟେଟସ୍‍ ଏବଂ ଅନ୍ୟମାନଙ୍କର ରଚନାଦ୍ଵାରା ପ୍ରଚାରିତ ପରବର୍ତ୍ତୀ ଷ୍ଟଇକ୍‍ବାଦ ଯେ ଯୀଶୁପ୍ରଚାରିତ ବିଚାରର ଅନେକ ନିକଟବର୍ତ୍ତୀ ହୋଇଥିଲା, ଆମକୁ ଏହା ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ । ଖ୍ରୀଷ୍ଟଧର୍ମର ନୀତିମାର୍ଗ ଯେ ଜଗତ ଓ ଜୀବନକୁ ଅସ୍ଵୀକାର କରିବାର ଏକ ଜୀବନଦୃଷ୍ଟି ପ୍ରଚାର କରିଥିଲା, ଏହାକୁ ତାହାର ଏକ ପ୍ରଧାନ ଓ ନିର୍ଣ୍ଣାୟକ କାରଣ ବୋଲି ଗ୍ରହଣ କରିବାକୁ ହେବ ।

 

ଆଧୁନିକ ଯୁଗରେ ପୁନର୍ଜାଗରଣ (Renaissance) ଧର୍ମସଂସ୍କାର (Reformation) ଏବଂ ପ୍ରକାଶଯୁଗ (Aufklaerung) ଇଂରାଜୀରେ (Age of Englightenment) ଦ୍ଵାରା ପ୍ରଭାବିତ ହୋଇ ଖ୍ରୀଷ୍ଟଧର୍ମ ଆଦିମ କାଳରୁ ଆପଣା ସହିତ ସଂଲଗ୍ନ ଥିବା ଜଗତ ଓ ଜୀବନକୁ ଅସ୍ଵୀକାର କରୁଥିବା ଜୀବନଦୃଷ୍ଟିକୁ ବର୍ଜନ କରିପାରିଥିଲା ଏବଂ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟିର ବିକାଶଲାଗି ଆପଣା ଭିତରେ କ୍ଷେତ୍ର ପ୍ରସ୍ତୁତ କରିପାରିଥିଲା । ଏହିପରି ଭାବରେ ସଂସ୍କୃତିର ଉପଲବ୍ଧି ଲାଗି ଆପଣାକୁ ନିୟୋଜିତ କରିପାରିବା ଭଳି ଏକ ଧର୍ମରୂପେ ଏହା ଆପଣାକୁ ପରିବର୍ତ୍ତିତ କରି ଦେଇଥିଲା ।

 

ଏହି ପରିବର୍ତ୍ତିତ ଭୂମିଉପରେ ଆପଣାକୁ ଅବସ୍ଥାପିତ କରି ଖୀଷ୍ଟଧର୍ମ ଅଶିକ୍ଷା, ନିରୁଦ୍ଦେଶ୍ୟତା, ନିଷ୍ଠୁରତା ଓ ଅନ୍ୟାୟ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଏକ ସକ୍ରିୟ ଅଂଶଗ୍ରହଣ କଲା ଏବଂ ଏହି ସଂଗ୍ରାମରୁ ହିଁ ଆଧୁନିକ ଯୁଗରେ ଏକ ନୂତନ ପୃଥିବୀ ଜନ୍ମଗ୍ରହଣ କଲା । ଆଧୁନିକ ପୃଥିବୀର ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଭିତରେ ପ୍ରକାଶିତ ହେଉଥିବା ପ୍ରଗତି-ଇଚ୍ଛା ସହିତ ଖୀଷ୍ଟଧର୍ମ ଆପଣାର ପରାକ୍ରମଶାଳୀ ନୈତିକ ଶକ୍ତିକୁ ସମ୍ମିଳିତ କରାଇପାରିଥିଲା ଓ ଆଧୁନିକ ଯୁଗର ବିକାଶ ପାଇଁ ଆପଣାକୁ ନିୟୋଜିତ କରିପାରିଥିଲା ଏବଂ ସେହି କାରଣରୁ ହିଁ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ଇଉରୋପୀୟ ସମାଜମାନ ସଂସ୍କୃତିର ଅନେକ ମହତ୍ତ୍ଵପୂର୍ଣ୍ଣ ଉଦ୍ଦେଶ୍ୟର ସାଧନରେ ଏତେଦୂର ଅଗ୍ରସର ହୋଇପାରିଥିଲେ । ସେଥିପାଇଁ ତତ୍କାଳୀନ ସମାଜ ପାଖରେ ଆମେ ସବୁବେଳେ କୃତଜ୍ଞ ରହିଥିବା ।

 

ଅଷ୍ଟାଦଶ ଶତାବ୍ଦୀର ଜଗତ ଓ ଜୀବନକୁ ଅସ୍ଵୀକାର କରୁଥିବା ଏକ ଜୀବନଦୃଷ୍ଟିରୁ ଖୀଷ୍ଟଧର୍ମ ଆପଣାକୁ ଯେତିକି ମୁକ୍ତ କରି ପାରିଥିଲା, ମଧ୍ୟଯୁଗୀୟ ଓ ତତ୍‍ପରବର୍ତ୍ତୀ କାଳର ପ୍ରଭାବ ଫଳରେ ଉକ୍ତ ଦୃଷ୍ଟି ତାହାକୁ ପୁଣି ସେହି ପରିମାଣରେ ଗ୍ରାସ କରି ପକାଇଲେ ଏବଂ ଖୀଷ୍ଟଧର୍ମ ଆଉ ସଂସ୍କୃତିର ଏକ ସମୃଦ୍ଧିକାରୀ ଶକ୍ତି ହିସାବରେ ପରିଗଣିତ ହୋଇ ପାରିଲା ନାହିଁ । କ୍ରମେ ସମସ୍ତେ ଏହାକୁ ସଂସ୍କୃତିପଥରେ ଏକ ବିଘ୍ନକାରୀ ଶକ୍ତି ବୋଲି ବିଚାର କରିବାକୁ ଲାଗିଲେ । ଆମ ଏ ଯୁଗର ଇତିହାସ ପ୍ରତି ଦୃଷ୍ଟିପାତ କଲେ ଆମେ ଏହାର ଭୁରିଭୁରି ପ୍ରମାଣ ପାଇ ପାରିବା ।

 

ହିନ୍ଦୁ ଧର୍ମରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଅସ୍ଵୀକାରୀ ଜୀବନଦୃଷ୍ଟି ଉପରେ ବିଜୟ ହାସଲ କରିବାରେ କେବେହେଲେ ସମର୍ଥ ହୋଇପାରି ନାହିଁ । ଭାରତବର୍ଷ କେବେହେଲେ ତା’ର ପରମ୍ପରାଗତ ଦୁଃଖବାଦୀ ବିଚାରମାର୍ଗକୁ ସମ୍ପୂର୍ଣ୍ଣଭାବରେ ଛାଡ଼ି ବାହାରି ଆସି ପାରିନାହିଁ । ତେଣୁ ଷୋଡ଼ଶ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଖୀଷ୍ଟଧର୍ମର ଇତିହାସରେ ଘଟିଥିବା ଘଟଣାର କୌଣସି ସମାନ୍ତର ଆମେ ହିନ୍ଦୁଧର୍ମର ଇତିହାସରେ ଦେଖିବାକୁ ପାଇବା ନାହିଁ । ତେଣୁ ଏହାର ସମସ୍ତ ନୀତିଗତ ଆବେଦନ ସତ୍ତ୍ୱେ ହିନ୍ଦୁଧର୍ମ ଆପଣାର ଅଧ୍ୟୁଷିତ ଅଞ୍ଚଳରେ ଖୀଷ୍ଟଧର୍ମର କାର୍ଯ୍ୟ ସହିତ ତୁଳନା କରି ଦେଖାଇବା ଲାଗି ସଂସ୍କୃତି ପାଇଁ କୌଣସି କାର୍ଯ୍ୟ କରିପାରି ନାହିଁ ।

 

କେବଳ ଆପଣାର ବ୍ୟାପକତା ଦୃଷ୍ଟିରୁ ହିଁ ଇସ୍‍ଲାମ୍‍କୁ ଏକ ବିଶ୍ଵଧର୍ମ ବୋଲି କୁହାଯାଇପାରେ । କିନ୍ତୁ ଅଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ ଆପଣାକୁ ଏକ ବିଶ୍ଵଧର୍ମ ବୋଲି ଦାବି କରିବାକୁ ଏହାର ସେଭଳି ଉପଯୁକ୍ତ ବିକାଶ କେବେହେଲେ ହୋଇନାହିଁ । ପୃଥିବୀ ଓ ମନୁଷ୍ୟଜାତି ସମ୍ବନ୍ଧରେ ଏହା କୌଣସି ଗଭୀର ବିଚାର ପ୍ରକଟ କରିପାରିନାହିଁ । କଦାଚିତ୍‍ କୌଣସି ଗଭୀର ବିଚାର ଏଥିରେ କୌଣସିପ୍ରକାର ଆଲୋଡ଼ନ ବା ଆନ୍ଦୋଳନ ସୃଷ୍ଟିକରିବା ମାତ୍ରକେ ପରମ୍ପରାଗତ ମତଲିପ୍ତତାର କର୍ତ୍ତୃତ୍ଵ ବଜାୟ ରଖିବା ଉଦ୍ଦେଶ୍ୟରେ ଏହାକୁ ତଳକୁ ଦାବି ଦିଆ ହୋଇଚି । ତଥାପି ଆଧୁନିକ ଇସ୍‍ଲାମ୍‍ ଧର୍ମରେ ଭଗବତ୍‍ ଏକାତ୍ମତା ଓ ନୀତିଗତ ଗଭୀରତା ପାଇଁ ଏକ ଶକ୍ତିଶାଳୀ ପ୍ରବୃତ୍ତି ନିହିତ ହୋଇ ରହିଚି । ହୁଏତ ବାହାରୁ ଦୃଷ୍ଟିପାତ କଲେ ଏହି ପ୍ରବୃତ୍ତି ପ୍ରକୃତରେ ଇସ୍‍ଲାମ୍‍ ଭିତରେ ଅଛି ବୋଲି ଆମର ଆଦୌ ଧାରଣା ହୁଏନାହିଁ ।

 

X X X X

 

ଏହି ଅଧ୍ୟୟନ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ମୁଁ ୧୯୧୯ ମସିହା ବଡ଼ଦିନ ପର୍ବର ଅଳ୍ପ କେତେଦିନ ପୂର୍ବରୁ ଆର୍ଚ୍ଚବିଶପ୍ ନାଥାନ୍‍ ସ୍ୟୁଡରବଲୋମ୍‍ଙ୍କ ଜରିଆରେ ଉପ୍‍ଶାଲା ବିଶ୍ଵବିଦ୍ୟାଳୟରେ ଧାରାବାହିକ କେତୋଟି ବକ୍ତୃତା ଦେବାର ନିମନ୍ତ୍ରଣ ପାଇଲି । ଅତି ଅପ୍ରତ୍ୟାଶିତ ଭାବରେ ଏହି ନିମନ୍ତ୍ରଣ ଆସି ପହଞ୍ଚିଥିଲା । କାରଣ ଯୁଦ୍ଧ ଲାଗିବା ପରଠାରୁ ଷ୍ଟ୍ରାସ୍‍ବୁର୍ଗ୍‍ ବ୍ୟତୀତ ଆଉ କୁଆଡ଼କୁ ଯିବାର ସୁଯୋଗ ନପାଇ ମୋତେ ସେହିଠାରେ ଆବଦ୍ଧ ରହି ଗଲାପରି ବୋଧ ହେଉଥିଲା । ସିନ୍ଦୁକ ତଳକୁ ଗଡ଼ିଯାଇ ସେହିଠାରେ ଅତି ବିସ୍ତୃତ ଭାବରେ ପଡ଼ିରହିଥିବା ଏକ ମୁଦ୍ରାଟି ପରି ମୁଁ ଆପଣାକୁ ଅନୁଭବ କରିଥିଲି । କେବଳ ଥରେମାତ୍ର ମୁଁ ବାହାର ପୃଥିବୀ ସହିତ ସମ୍ପର୍କରେ ଆସିଥିଲି । ଅନେକ କଷ୍ଟରେ ବାହାରକୁ ଯିବାର ଅନୁମତି ପାଇବାପରେ ୧୯୧୯ ଅକ୍ଟୋବର ମାସରେ ମୋର ଉପାର୍ଜନକୁ ଯଥାସମ୍ଭବ ଶେଷ କଉଡ଼ିଟି ପର୍ଯ୍ୟନ୍ତ ସଞ୍ଚୟ କରି ବାର୍ସିଲୋନାରେ ଥିବା ମୋର କେତେକ ବନ୍ଧୁଙ୍କୁ ଅର୍‍ଗାନ୍ ଶୁଣାଇବାକୁ ଯାଇଥିଲି । ଜଣେ କଳାକାର ହିସାବରେ ମଧ୍ୟ ଯେ ମୋର କିଛି ମୂଲ୍ୟ ରହିଚି, ବାହାର ଦୁନିଆକୁ ପ୍ରଥମ କରି ଯିବା ଫଳରେ ଏକଥା ମୁଁ ଅନୁଭବ କରିଥିଲି ।

 

X X X X

 

‘ଦର୍ଶନ ଓ ବିଶ୍ଵଧର୍ମଗୁଡ଼ିକରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୀତିମାର୍ଗର ସମସ୍ୟା’–ଉପ୍‍ଶାଲାରେ ବକ୍ତୃତା ଦେବାଲାଗି ମୁଁ ଏହି ବିଷୟଟି ନିର୍ବାଚିତ କରିଥିଲି । ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଦେବାପରେ ମଧ୍ୟ ଆଫ୍ରିକାରେ ରହିଯାଇଥିବା ‘ସଂସ୍କୃତିର ଦର୍ଶନ’ର ପାଣ୍ଡୁଲିପି ତଥାପି ମୋ’ ପାଖରେ ଆସି ପହଞ୍ଚି ନଥିଲା । ତେଣୁ ମୋତେ ପୁଣି ଥରେ ତାହାକୁ ଲେଖିବାକୁ ପଡ଼ିଲା । ପ୍ରଥମେ ପ୍ରଥମେ ତ ସେଥିପାଇଁ ଭାରି ଖରାପ ଲାଗୁଥିଲା, କିନ୍ତୁ ପରେ ମୁଁ ବେଶ୍ ଲକ୍ଷ୍ୟ କରିପାରିଲି ଯେ ଏହି ପୁନରାବୃତ୍ତି ଦ୍ଵାରା ମୋର ବରଂ ଅନେକ ଲାଭ ହୋଇଥିଲା । ଏହାଫଳରେ ମନଭିତରେ କୌଣସିପ୍ରକାର ବିରକ୍ତି ଓ ଅଶାନ୍ତି ନରଖି ମୁଁ ମୋର କର୍ତ୍ତବ୍ୟ କରିଗଲି-

 

୧୯୨୦ ମସିହା ଗ୍ରୀଷ୍ମଋତୁ ପରେ ଉପ୍‍ଶାଲାରୁ ଫେରିଆସିବା ପରେ ସେହି ପାଣ୍ଡୁଲିପିଟି ମୋ’ ପାଖରେ ପହଞ୍ଚିଥିଲା ।

 

ଗତ ପାଞ୍ଚବର୍ଷ ଯାବତ୍ ମୁଁ ଆପଣାର ମନେମନେ ଯେଉଁ ସବୁ ଭାବନାର ସନ୍ତୁଳନ କରିଆସୁଥିଲି, ଉପ୍‍ଶାଲାଠାରେ ସେହିଗୁଡ଼ିକର ପ୍ରତିଧ୍ଵନି ମୋତେ ଶୁଣିବାକୁ ମିଳିଥିଲା । ସେଠାରେ ଦେଇଥିବା ମୋର ଶେଷ ବକ୍ତୃତାରେ ମୁଁ ‘ଜୀବନପ୍ରତି ଶ୍ରଦ୍ଧା’ ବିଷୟକ ମୋର ବିଚାରର ମୌଳିକ ନୀତିଗୁଡ଼ିକ ବିଷୟରେ ବୟାନ କରିଥିଲି । ଏହି ବିଷୟରେ ମୋର ବିଚାରକୁ ପ୍ରକଟ କଲାବେଳେ ମୁଁ ଏତେଦୂର ଉଦ୍‍ବୁଦ୍ଧ ଓ ଅଭିଭୂତ ହୋଇ ପଡ଼ିଥିଲି ଯେ ବେଳେବେଳେ ମୋର କଣ୍ଠରୁଦ୍ଧ ହୋଇଗଲା ପରି ମନେ ହେଉଥିଲା ।

 

ସୁଇଡେନ୍‍କୁ ଆସିଲାବେଳେ ଆପଣାକୁ ବଡ଼ କ୍ଳାନ୍ତ, ଉତ୍ସାହହୀନ ଓ ତଥାପି ଅସୁସ୍ଥ ବୋଧ ହେଉଥିଲା । କାରଣ ୧୯୧୯ ମସିହା ଗ୍ରୀଷ୍ମ କାଳରେ ମୋତେ ଦ୍ଵିତୀୟଥର ପାଇଁ ଏକ ଅସ୍ତ୍ରୋପଚାର କରାଇବାକୁ ପଡ଼ିଥିଲା । ଉପ୍‍ଶାଲାର ଚମତ୍କାର ହାଉଆ ଏବଂ ଆର୍ଚ୍ଚବିଶପ୍ ନିବାସର ସ୍ନେହମୟ ପରିବେଶରେ କିଛିଦିନ ଅତିବାହିତ କରି ମୁଁ ମୋର ଭଗ୍ନ ସ୍ୱାସ୍ଥ୍ୟ ଫେରିପାଇଲି ଏବଂ ମୋର ଆପଣା କାର୍ଯ୍ୟରେ ପୁଣି ଆନନ୍ଦ ଅନୁଭବ କରିପାରିଲି । ଉପ୍‍ଶାଲାରେ ମୁଁ ମୋର ସ୍ତ୍ରୀ ଆର୍ଚ୍ଚବିଶପ୍‍ଙ୍କର ଘରେ ହିଁ ଅତିଥି ହୋଇ ରହିଥିଲୁ ।

 

X X X X

 

ମୋର ଅନୁପସ୍ଥିତିବେଳେ ଅର୍ଥାତ୍‍ ଯୁଦ୍ଧସମୟତକ ଲାମ୍ବାରେନେର ଡାକ୍ତରଖାନା ଚାଲୁରଖିବା ଲାଗି ପାରିସ୍‍ ମିସନାରୀ ସୋସାଇଟି ଏବଂ ପାରିସ୍‍ର ଆଉ କେତେକ ପରିଚିତ ଲୋକଙ୍କ ପାଖରୁ ମୁଁ ଯେଉଁ କରଜ କରିଥିଲି, ତାହା ବର୍ତ୍ତମାନ ମୋର ମୁଣ୍ଡଉପରେ ଏକ ବୋଝ ହୋଇ ରହିଥିଲା । ଦିନେ ଏକାଠି ବୁଲି ବାହାରିଥିବା ସମୟରେ ଆର୍ଚ୍ଚବିଶପ୍ ମୋର ତଜ୍ଜନିତ ଉଦବେଗ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ ଏବଂ ସୁଇଡେନରେ ବୁଲି ବକ୍ତୃତା ଦେବାର ଓ ଅର୍‍ଗାନ୍ ବଜାଇ ଶୁଣାଇବାର ଏକ କାର୍ଯ୍ୟକ୍ରମ କରିବାପାଇଁ ମୋତେ ପରାମର୍ଶ ଦେଇଥିଲେ । ଯୁଦ୍ଧର ବିଶେଷ ପରିସ୍ଥିତି ହେତୁ ଆର୍ଥିକ କ୍ଷେତ୍ରରେ ସୁଇଡେନ୍‍ ଅତିଶୟ ଲାଭବାନ୍‍ ହୋଇଥିଲା । ଦେଶର ବିଭିନ୍ନ ସହରକୁ ଯିବାଲାଗି ଆର୍ଚ୍ଚବିଶପ୍ ମୋତେ ପରିଚୟପତ୍ର ଲେଖିଦେଇଥିଲେ । ଥିଓଲଜି ବିଭାଗର ଜଣେ ଛାତ୍ର ଏଲିଆସ୍ ସ୍ୟୁଡରଷ୍ଟ୍ରମ୍ (ତାହାର କେତେବର୍ଷ ପରେ ମିସନ୍‍ କ୍ଷେତ୍ରରେ ସେ ପ୍ରାଣତ୍ୟାଗ କରିଥିଲେ ) ସ୍ଵେଚ୍ଛାରେ ମୋର ଯାତ୍ରାସହଚର ହୋଇ ଯିବାକୁ ବାହାରିଲେ । ଆଫ୍ରିକାରେ ଥିବା ମୋର ‘ଅରଣ୍ୟ ସେବାଳୟ’ ବିଷୟରେ ମୁଁ ଭାଷଣ ଦେଉଥିଲି ଏବଂ ବକ୍ତୃତାମଞ୍ଚ ବା ଗିର୍ଜାର ବେଦୀଉପରେ ଠିଆହୋଇ ସେ ମୋର ଭାଷଣକୁ ବାକ୍ୟପରେ ବାକ୍ୟ ଅନୁବାଦ କରି ଦେଉଥିଲେ । ତାଙ୍କର ଅନୁବାଦ କରିବାର ଶୈଳୀ ଏପରି ସୁନ୍ଦର ଓ ସହଜ ଥିଲା ଯେ ଭାଷଣ ଆରମ୍ଭ ହେବାର ମାତ୍ର ଅଳ୍ପକେତେ ମୁହୂର୍ତ୍ତ ପରେ ଶ୍ରୋତାମାନେ ଏକ ଭାଷାନ୍ତରିତ ଭାଷଣ ଶୁଣୁଚନ୍ତି ବୋଲି ଏକାବେଳେକେ ଭୁଲି ଯାଉଥିଲେ । ଲାମ୍ବାରେନେଠାରେ ମୁଁ ସବୁବେଳେ ଦୋଭାଷିଆ ସାହାଯ୍ୟରେ ମୋର ଧର୍ମୋପାସନାନ୍ତ ଭାଷଣ ଦେବାରେ ଅଭ୍ୟସ୍ତ ହୋଇ ଯାଇଥିଲି, ତାହା ଏଠାରେ ମୋତେ କେତେ ସାହାଯ୍ୟ ନକଲା ।

 

ଏପରି ପରିସ୍ଥିତିରେ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି ଯେ ଭାଷଣ ଦେଉଥିବା ବ୍ୟକ୍ତିକୁ ଛୋଟ, ସରଳ ଓ ସୁସଙ୍ଗଠିତ ବାକ୍ୟରେ ଆପଣାର ଭାଷଣ ପ୍ରସ୍ତୁତ କରିବାକୁ ହେବ, ଆଗରୁ ଅତି ଯତ୍ନସହକାରେ ଦୋଭାଷିଆ ସହିତ ଆପଣାର ଭାଷଣଟି ତାକୁ ପଢ଼ିନେବାକୁ ହେବ ଏବଂ ସେ ଯେଉଁପରି ଢଙ୍ଗରେ ଭାଷଣ ଦେବାକୁ ପରାମର୍ଶ ଦେବ, ଠିକ୍ ସେହିପରି ଢଙ୍ଗରେ ହିଁ ଭାଷଣ ଦେବାକୁ ହେବ । ଏହିପରି ଭାବରେ ଆଗରୁ ପ୍ରସ୍ତୁତ ହୋଇଥିଲେ ଦୋଭାଷିଆକୁ ଅନୁବାଦ କରୁଥିବା ପ୍ରତ୍ୟେକ ବାକ୍ୟର ଅର୍ଥ ବୁଝିବାଲାଗି ଆଉ କୌଣସିପ୍ରକାର ଆୟାସ ସ୍ଵୀକାର କରିବାକୁ ପଡ଼ିବ ନାହିଁ । ପ୍ରତ୍ୟେକଟି ବାକ୍ୟ ତା’ ପାଖରେ ଠିକ୍ ବଲ୍‍ପରି ଯାଇ ପହଞ୍ଚିଯିବ, ଯାହାକୁ କି ସେ ତତ୍‍କ୍ଷଣାତ୍ ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ ନିକ୍ଷେପ କରିଦେଇ ପାରିବ । ଏହିପରି ଏକ ଯୋଜନା କରିପାରିଲେ ଦୋଭାଷିଆ ସାହାଯ୍ୟରେ ବୈଜ୍ଞାନିକ ଭାଷଣମାନ ଦେବା ମଧ୍ୟ ସମ୍ଭବ ହୋଇପାରିବ-। ଆପଣାର ପୂର୍ଣ୍ଣ ଦଖଲକୁ ଆସି ନଥିବା କୌଣସି ଏକ ଭାଷାରେ ଭାଷଣ ଦେବାକୁ ଯାଇ ଆପଣାକୁ ଓ ଆପଣାର ଶ୍ରୋତୃସଭାକୁ କେବଳ କଷ୍ଟଦେବା ଅପେକ୍ଷା ଦୋଭାଷିଆ ସାହାଯ୍ୟ ନେଇ ବକ୍ତୃତା ଦେବା ସବୁବେଳେ ଅଧିକ ଭଲ ଓ ଫଳପ୍ରଦ ବୋଲି କହିବାକୁ ପଡ଼ିବ ।

 

X X X X

 

ମାତ୍ର କେତେ ସପ୍ତାହ ମଧ୍ୟରେ ମୋର ଅର୍‍ଗାନ୍‍ ବାଦନ ଓ ଭାଷଣ ସାହାଯ୍ୟରେ ମୁଁ ଅନେକ ଅର୍ଥ ଉପାର୍ଜନ କରିପାରିଲି ଏବଂ ମୋର କରଜର ସବୁଠାରୁ ଅଧିକ ଭାରି ପରି ମନେ ହେଉଥିବା ଅଂଶଗୁଡ଼ିକୁ ପରିଶୋଧ କରିପାରିବାର ସାମର୍ଥ୍ୟ ମୁଁ ଲାଭ କରି ପାରିଥିଲି ।

 

ନାନାପ୍ରକାର ଆନନ୍ଦମୟ ଅଭିଜ୍ଞତା ଲାଭ କରିସାରି ଜୁଲାଇମାସ ଅଧାରେ ସୁଇଡେନ୍‍ ଦେଶର ଭୂଇଁ ଛାଡ଼ି ଯିବାସମୟରେ ଲାମ୍ବାରେନେଠାରେ ମୋର କାମ ପୁନରାୟ ଆରମ୍ଭ କରିଦେବା ପାଇଁ ମୁଁ ଦୃଢ଼ନିଶ୍ଚିତ ହୋଇଯାଇଥିଲି । କିନ୍ତୁ ତାହା ଆଗରୁ ସେହି କାମ ଆରମ୍ଭ କରିବା ବିଷୟରେ ଚିନ୍ତା କରିବାକୁ ମଧ୍ୟ ମୋର ସାହସ ପାଉନଥିଲା । ବରଂ ଅନେକ ସମୟରେ ମୁଁ ଜଣେ ଶିକ୍ଷକ ହିସାବରେ ବିଶ୍ଵବିଦ୍ୟାଳୟର ଅଧ୍ୟାପନାମଣ୍ଡଳରେ ଯୋଗ ଦେବାକୁ ଭାବୁଥିଲି ଓ କ୍ରମେ ଏହିପରି ଏକ ଭାବନା ମାର୍ଗରେ ଅଭ୍ୟସ୍ତ ହୋଇ ଯାଇଥିଲି । ସୁଇଡେନ୍‍ ଉଦ୍ଦେଶ୍ୟରେ ଯାତ୍ରା କରିବା ପୂର୍ବରୁ କେତେକ ଅନୁକୂଳ ସୂଚନା ପାଇ ସୁଇଜର୍‍ଲାଣ୍ଡ ଉପରେ ମୋର ଆଶା ନିବଦ୍ଧ କରିବାକୁ ମୁଁ ପ୍ରଲୁବ୍ଧ ହୋଇ ପଡ଼ିଥିଲି । ତସୁରିକ୍‍ ବିଶ୍ଵବିଦ୍ୟାଳୟର ଥିଓଲଜିବିଭାଗ ୧୯୨୦ ମସିହାରେ ମୋତେ ସମ୍ମାନସୂଚକ ଡାକ୍ତର ଉପାଧି ପ୍ରଦାନ କରିଥିଲା ।

 

X X X X

☆☆☆

 

ଆଫ୍ରିକା ସ୍ମୃତି

 

ଦେଶକୁ ଫେରିଆସି ମୁଁ ଆଫ୍ରିକାର ସ୍ମୃତିକଥାଗୁଡ଼ିକୁ ପୁସ୍ତକାକାରରେ ଲିପିବଦ୍ଧ କରି ରଖିବାର କାର୍ଯ୍ୟ ଆରମ୍ଭ କରିଦେଲି । ପୁସ୍ତକଟିର ନାଆଁ ଦେଲି Zwischen Wasser und Urwald (ଏପାଖେ ପାଣି ସେପାଖେ ଅରଣ୍ୟ) । ଉପ୍‍ଶାଲାର ଜଣେ ପ୍ରକାଶକ ଏହି ବହିଟି ଲେଖିବାଲାଗି ମୋତେ ବରାଦ ଦେଇଥିଲେ, କିନ୍ତୁ ଏତେ ହଜାର ଶବ୍ଦ ବ୍ୟବହାର କରିବାର ସୀମାଭିତରେ ଆବଦ୍ଧ ରହିବାକୁ ପଡ଼ିଥିବାରୁ ବହିଟି ଲେଖିବା ପାଇଁ ମୋତେ ବେଶ୍ ସଂଗ୍ରାମ କରିବାକୁ ପଡ଼ିଥିଲା । ବହିଟିର ଲେଖା ସରିବା ପରେ ସେଥିରୁ ପୁଣି କେତେ ହଜାର ଶବ୍ଦ ମୋତେ କମ୍ କରିବାକୁ ପଡ଼ିଲା ଏବଂ ଏହି ଛଟେଇ କରିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ବହିଟିକୁ ଲେଖିବା କାର୍ଯ୍ୟଠାରୁ ମୋତେ ଅଧିକ କଷ୍ଟ ଦେଇଥିଲା ଓ ଅସୁବିଧାଜନକ ବୋଧ ହୋଇଥିଲା । ଶେଷରେ ଜଙ୍ଗଲରେ ହେଉଥିବା କାଠ ବେପାର ସମ୍ବନ୍ଧରେ ମୁଁ ଲେଖିଥିବା ଅଧ୍ୟାୟଟିକୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦେବାକୁ ପଡ଼ିଥାନ୍ତା, ତଥାପି ମୋର ଅନୁରୋଧ ରକ୍ଷାକରି ପ୍ରକାଶକ ଏହି ଅତିରିକ୍ତ ଅଧ୍ୟାୟଟି ସହିତ ପାଣ୍ଡୁଲିପିଟିକୁ ଗ୍ରହଣ କରିବାକୁ ସମ୍ମତ ହୋଇଥିଲେ ।

 

ଶବ୍ଦ ଗଣି ବହି ଲେଖିବାକୁ ଏପରି ବାଧ୍ୟ ହେବାଦ୍ଵାରା ବହିଦୃଷ୍ଟିରୁ ଅନେକ ସୁବିଧା ହୋଇଥିଲା ଏବଂ ସେହି ଦିନଠାରୁ ମୋର ଭାବନାଗୁଡ଼ିକ ଭାଷାରେ ପ୍ରକାଶ କରିବା ବିଷୟରେ ମୁଁ ଯେପରି କୌଣସିପ୍ରକାର ଅତିରିକ୍ତତା ବା ଅନାବଶ୍ୟକତାକୁ ସ୍ଥାନ ନ ଦେବି, ସେ ବିଷୟରେ ଆପଣାକୁ ମୁଁ ଅନେକ ସାବଧାନ କରି ଦେଇପାରିଚି । ଏପରିକି ମୋର ‘ସଂସ୍କୃତିର ଦର୍ଶନ’ ଗ୍ରନ୍ଥଟି ଲେଖିବାରେ ମଧ୍ୟ ମୁଁ ଏହି ନିୟମ ଅବଲମ୍ବନ କରିଚି ।

 

‘ଏପାଖେ ପାଣି, ସେପାଖେ ଅରଣ୍ୟ’ ପ୍ରଥମେ ସୁଇଡିଶ୍ ଭାଷାରେ ଅନୂଦିତ ହୋଇ ୧୯୨୧ରେ ପ୍ରକାଶିତ ହୋଇଥିଲା । ସେହିବର୍ଷ ଏହାର ଜର୍ମାନ୍‍ ସଂସ୍କରଣ ମଧ୍ୟ ବାହାରିଗଲା (ପ୍ରଥମେ ସୁଇଜର୍‍ଲାଣ୍ଡରେ) । ତା’ପରେ କ୍ରମେ ଇଂରାଜୀ, ଓଲନ୍ଦାଜୀ, ଡେନିଶ୍ ଓ ଫିନିଶ୍‍ଗୁଡ଼ିକ ପ୍ରକାଶ ପାଇଥିଲା ।

 

X X X X

 

ପଶ୍ଚିମ ଆଫ୍ରିକାରେ ଗହନ ଅରଣ୍ୟରେ ମୋର କାର୍ଯ୍ୟକଳାପ ବିଷୟରେ ବର୍ଣ୍ଣନା କରିବାଲାଗି ପାଇଥିବା ଏହି ସୁଯୋଗରେ ମୁଁ ଆଦିମ ଅଧିବାସୀମାନଙ୍କ ଭିତରେ ଉପନିବେଶ ସ୍ଥାପନ କରିବାର କଠିନ ସମସ୍ୟା ସମ୍ବନ୍ଧରେ ମଧ୍ୟ ମୋର ବିଚାର ପ୍ରକଟ କରିବାର ଅବସର ପାଇଥିଲି ।

 

X X X X

 

ଆଦିବାସୀ ଓ ଅର୍ଦ୍ଧ-ଆଦିବାସୀ ବ୍ୟକ୍ତିମାନଙ୍କ ଉପରେ ଆପଣାର ଶାସନକୁ ଲଦିବାର କୌଣସି ଅଧିକାର ଆମ ଶ୍ଵେତାଙ୍ଗମାନଙ୍କର ଅଛି କି ? ଯଦି କେବଳ ସେମାନଙ୍କ ଉପରେ ଶାସନ କରିବା ଓ ସେମାନଙ୍କର ଦେଶରେ ଉତ୍ପନ୍ନ ହେଉଥିବା ପଣ୍ୟସାମଗ୍ରୀ ଆଣି ଆପେ ଉପଭୋଗ କରିବା ଆମର ଉଦ୍ଦେଶ୍ୟ ହୋଇ ରହେ, ତେବେ ସେମାନଙ୍କ ଉପରେ ଶାସନ କରିବାଲାଗି ଆମର କୌଣସି ଅଧିକାର ନାହିଁ । କିନ୍ତୁ ସେମାନଙ୍କ ଭିତରେ ଶିକ୍ଷାର ପ୍ରସାର କରିବା ଓ ସେମାନଙ୍କର ଅବସ୍ଥାକୁ ଅଧିକ ସୁଖସମ୍ପନ୍ନ କରିବାଲାଗି ଯଦି ଆମେ ପ୍ରକୃତରେ ହୃଦ୍‍ଗତ ଭାବରେ ଇଚ୍ଛା କରୁଥାଉ, ତେବେ ହୁଏତ ସେମାନଙ୍କ ଉପରେ ଶାସନ କରିବାର କୌଣସି ଅଧିକାର ଆମର ରହିଚି ବୋଲି କୁହାଯାଇ ପାରେ । ଏହି ଆଦିବାସୀମାନେ ଆପଣା ଗୋଡ଼ଉପରେ ଆପେ ଠିଆହୋଇ ଆତ୍ମନିର୍ଭରଶୀଳ ଭାବରେ ଜୀବନ ବଞ୍ଚି ପାରିବାର ଯଦି କୌଣସି ସମ୍ଭାବନା ଥାଏ, ତେବେ ସେମାନଙ୍କର ଜୀବନରେ କୌଣସି ହସ୍ତକ୍ଷେପ କରିବା ଆମ ପକ୍ଷରେ ଆଦୌ ଉଚିତ ହେବନାହିଁ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ କହିବାକୁ ଗଲେ ଆନ୍ତର୍ଜାତିକ ବାଣିଜ୍ୟ ଓ ବେପାର ପ୍ରଭାବ ସେମାନଙ୍କୁ ମଧ୍ୟ ସ୍ପର୍ଶକରି ସାରିଲାଣି ଏବଂ ଏହାର ଗତିରୋଧ କରିବାଲାଗି ଆମର ବା ସେମାନଙ୍କର କୌଣସି ଶକ୍ତି ନାହିଁ । ଏହାର ପରିଧି ଭିତରକୁ ପ୍ରବେଶ କରି ସେମାନେ ଆପଣାର ସ୍ଵତନ୍ତ୍ରତା ହରାଇ ସାରିଚନ୍ତି । ଏହାଦ୍ଵାରା ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସମ୍ପର୍କମାନ ଅତ୍ୟନ୍ତ ତୀବ୍ର ଭାବରେ ବ୍ୟାହତ ଓ ଦୁର୍ବଳ ହୋଇପଡ଼ିଚି । ଏହାର ଅବଶ୍ୟମ୍ଭାବୀ ପରିଣାମ ସ୍ୱରୂପ ଆଦିବାସୀ ସମାଜର ଯେଉଁ ଦଳପତିମାନେ ଆନ୍ତର୍ଜାତିକ ବାଣିଜ୍ୟରୁ ଲାଭ ଉଠାଇ ଅଜସ୍ର ଅସ୍ତ୍ରଶସ୍ତ୍ର ଓ ଅର୍ଥର ଅଧିକାରୀ ହୋଇପାରିଚନ୍ତି, ସେମାନେ ସାଧାରଣ ଆଦିବାସୀସମାଜ ଉପରେ ଆପଣାର ଅନମନୀୟ କର୍ତ୍ତୃତ୍ୱ ବିସ୍ତାରକରି ଦେଇଛନ୍ତି ଏବଂ ଅନ୍ୟମାନଙ୍କୁ ଆପଣାର ପରିଚାରକ ଓ କ୍ରୀତଦାସରେ ପରିଣତ କରିଦେଇଚନ୍ତି । ମାତ୍ର କେତେଜଣ ଅବସ୍ଥାପନ୍ନ ଆଦିବାସୀଙ୍କର ଲକ୍ଷ୍ମୀ ବଢ଼ାଇବାପାଇଁ ଅନ୍ୟ ଅନେକ ଆଦିବାସୀଙ୍କୁ ରପ୍ତାନୀ ବାଣିଜ୍ୟରେ ପଶୁପରି ଆସି ଖଟିବାକୁ ହୋଇଚି । କ୍ରୀତଦାସ-ବାଣିଜ୍ୟ ଚାଲୁଥିଲାବେଳେ ଆଗେ ଯେପରି ହେଉଥିଲା, ବର୍ତ୍ତମାନ ମଧ୍ୟ ଅନେକ ସମୟରେ ମଣିଷକୁ ସେହିପରି କ୍ରୟବିକ୍ରୟର ପଣ୍ୟରୂପେ ବ୍ୟବହାର କରାଯାଉଚି ଏବଂ ଅର୍ଥ, ସୀସା, ବନ୍ଧୁକରେ ବ୍ୟବହୃତ ବାରୁଦ, ତମାଖୁ ଓ ମଦପାଇଁ ସେମାନଙ୍କୁ ବଦଳ ଦିଆଯାଉଚି । ଆନ୍ତର୍ଜାତିକ ବାଣିଜ୍ୟର ପରିଣାମ ଏପରି ସୁଦୂରପ୍ରସାରୀ ହୋଇସାରିବା ପରେ ଏହି ଆଦିବାସୀମାନଙ୍କ ପାଇଁ ଯଥାର୍ଥରେ କୌଣସି ଏକାବଚ୍ଛିନ୍ନ ସ୍ଵାଧୀନତା ରହିବାର ପ୍ରଶ୍ନ ହିଁ ଉଠୁନାହିଁ-। ସେମାନଙ୍କୁ ସ୍ଥାନୀୟ ଉତ୍ପୀଡ଼କ ଲମ୍ପଟମାନଙ୍କର ସକରୁଣ ବା ନିଷ୍କରୁଣ ଅନୁଗ୍ରହ ଉପରେ ସମ୍ପୂର୍ଣ୍ଣଭାବରେ ଛାଡ଼ିଦେବା ଉଚିତ ନା ଇଉରୋପୀୟ ଦେଶଗୁଡ଼ିକର ପ୍ରତିନିଧି ଓ କର୍ମଚାରୀମାନଙ୍କ ଦ୍ଵାରା ସେମାନଙ୍କର ଶାସନ କରାଯିବା ଉଚିତ,–ସେମାନଙ୍କ ଆଗରେ ଏହି ଦୁଇଟି ମାର୍ଗରୁ ଗୋଟିଏ ତୁଳନାତ୍ମକ ଭାବରେ ଅଧିକ ଗ୍ରହଣୀୟ ବୋଲି ବାଛିନେବାର ସ୍ଵତନ୍ତ୍ରତାହିଁ ରହିଚି ।

 

ଉପନିବେଶ ଅଞ୍ଚଳଗୁଡ଼ିକୁ ଅଧିକାର କରି ନେବାପାଇଁ ଆମ ତରଫରୁ ଯେଉଁମାନଙ୍କୁ କ୍ଷମତା ଦେଇ ପଠାଯାଇଥିଲା, ସେମାନଙ୍କ ଭିତରୁ ଯେ ଅନେକେ ଅନ୍ୟାୟ, ହିଂସା ଓ ନିଷ୍ଠୁରତା ଆଚରଣ କରିଥିଲେ ଏବଂ ଏହି ସବୁ ଅପରାଧ କରିବାରେ ସ୍ଥାନୀୟ ମୁଖ୍ୟ ବା ଦଳପତିମାନଙ୍କଠାରୁ ଯେ ସେମାନେ କୌଣସି ଗୁଣରେ ଊଣା ନଥିଲେ, ଏହି ଦାରୁଣ ସତ୍ୟକଥାକୁ ଅବଶ୍ୟ ଆମକୁ ସ୍ଵୀକର କରିବାକୁହିଁ ପଡ଼ିବ । ଏହିମାନେ ହିଁ ଆପଣାର ଅମାନୁଷିକ କାଣ୍ଡଦ୍ଵାରା ଆମର ମୁଣ୍ଡଉପରକୁ ମଧ୍ୟ ଅପରାଧର ଭାର ବହନ କରି ଆଣିଥିଲେ । ସ୍ଥାନୀୟ ଆଦିବାସୀପ୍ରତି ଆଜି ମଧ୍ୟ ଯେଉଁସବୁ ପାପାଚରଣ କରାଯାଉଚି, ଆମେ କଦାପି ସେଗୁଡ଼ିକୁ ଲୁଚାଇ ରଖିପାରିବା ନାହିଁ ବା ତା’ ଉପରେ ଚୂନ ଧଉଳାଇ ଦେଇ ପାରିବା ନାହିଁ । କିନ୍ତୁ ଯେଉଁ ସ୍ଵାଧୀନତା ଲାଭକଲେ ଆମ ଉପନିବେଶର ଆଦିବାସୀ ବା ଅର୍ଦ୍ଧଆଦିବାସୀମାନେ କେବଳ ସେହିମାନଙ୍କ ଜାତିର କେତେକ ମୁଷ୍ଟିମେୟ ଲୋକଙ୍କର କ୍ରୀତଦାସ ହୋଇ ରହିବେ, ସେମାନଙ୍କୁ ସେପରି ଏକ ସ୍ଵାଧୀନତା ଦେବାର ଉତ୍ସାହ ପ୍ରକାଶ କରିବାଦ୍ଵାର ଆମେ ସେମାନଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାରର କୌଣସି କ୍ଷତିପୂରଣ କରିପାରିବା ନାହିଁ । ତେଣୁ ଏକମାତ୍ର ସୁବିଚାରସମର୍ଥିତ ରାସ୍ତା ହେଉଚି ଯେ ଆମ ହାତରେ ବର୍ତ୍ତମାନ ଯେଉଁ କ୍ଷମତା ରହିଚି, ତାହାକୁ ଆମେ ଆଦିବାସୀମାନଙ୍କର ମଙ୍ଗଳପାଇଁ ପ୍ରୟୋଗ କରିବା ଏବଂ ତଦ୍ଦ୍ୱାରା ସେଠାରେ ଆମର କ୍ଷମତାସମ୍ପନ୍ନ ହୋଇ ରହିବାଲାଗି ଆମେ ଏକ ନୈତିକ ସମର୍ଥନ ସମ୍ଭବ କରିପାରିବା । ଏପରିକି ଏପର୍ଯ୍ୟନ୍ତ ତିଷ୍ଟି ରହିଥିବା ‘ସାମ୍ରାଜ୍ୟବାଦ’ ମଧ୍ୟ ଆପଣା ଭିତରେ କେତେକ ନୈତିକ ମୂଲ୍ୟ ଓ ଗୁଣ ରହିଚି ବୋଲି ପ୍ରମାଣ ଦେଇପାରିବ । ‘ସାମ୍ରାଜ୍ୟବାଦ’ କ୍ରୀତଦାସ ବାଣିଜ୍ୟକୁ ଲୋପ କରିଦେଇ ପାରିଚି, କାଳକାଳ ଧରି ଆଦିବାସୀମାନେ ଆପଣା ଆପଣା ଭିତରେ ସତ ଯେଉଁ କଳହ ଓ ଲଢ଼ାଇମାନ କରିଆସୁଥିଲେ, ସେସବୁ ବର୍ତ୍ତମାନ ବନ୍ଦ ହୋଇଯାଇଚି । ଏହାଫଳରେ ପୃଥିବୀର ଅନେକ ଅଞ୍ଚଳରେ ଅଧିକ ଦୀର୍ଘକାଳସ୍ଥାୟୀ ଶାନ୍ତି ପ୍ରତିଷ୍ଠିତ ହେବା ସମ୍ଭବ ହୋଇପାରିଚି । ଆନ୍ତର୍ଜାତିକ ବାଣିଜ୍ୟର ପ୍ରାଦୁର୍ଭାବ ଯେପରି ଉପନିବେଶର ଜନସାଧାରଣଙ୍କୁ ସହଜରେ ଶୋଷଣ କରିପାରିବ ନାହିଁ, ସାମ୍ରାଜ୍ୟବାଦ ସେଥିପାଇଁ ନାନାପ୍ରକାର ଉଦ୍ୟମ କରିଚି । ଶ୍ଵେତାଙ୍ଗ ତଥା କୃଷ୍ଣକାୟ କାଠବେପାରୀମାନଙ୍କର ଅତ୍ୟାଚାରର କବଳରୁ ସରକାର ଆଦିବାସୀମାନଙ୍କର ଅଧିକାରକୁ ବର୍ତ୍ତମାନ ସୁରକ୍ଷିତ କରି ଆସୁଛନ୍ତି । ଉପନିବେଶରୁ ଏହି ସରକାରୀ ସତ୍ତା ହଟି ଆସିଲେ ଓଗୋଉଏ ଜିଲ୍ଲାର ଥିବା ଅରଣ୍ୟବାସୀ ଆଦିବାସୀ କାଠୁରିଆମାନଙ୍କର ଦଶା ଯେ କ’ଣ ହେବ, ସେକଥା ମୁଁ କଳ୍ପନା ମଧ୍ୟ କରିପାରୁନାହିଁ ।

 

ଆଦିବାସୀ ଓ ଅର୍ଦ୍ଧଆଦିବାସୀ ଲୋକମାନଙ୍କୁ ତଥାକଥିତ ସ୍ୱାୟତ୍ତଶାସନ ଦେଇଦେଲେ ପରିଣାମ ଯେ କ’ଣ ହେବ, ଲାଇବେରିଆ ଦେଶର କୃଷ୍ଣ ଗଣତନ୍ତ୍ର ଶାସନରେ ଆଜି ବିଦ୍ୟମାନଥିବା ବିଷମ ଦୁରବସ୍ଥାରୁ ଆମେ ତାହାର ଅନୁମାନ କରି ନେଇପାରିବା । ସେଦେଶରେ ଏପର୍ଯ୍ୟନ୍ତ କ୍ରୀତଦାସ ପ୍ରଥା ଚାଲୁ ରହିଚି, ଜବରଦସ୍ତି ଜାହାଜରେ ବୋଝାଇ କରି କ୍ରୀତଦାସମାନଙ୍କୁ ବିଦେଶକୁ ରପ୍ତାନୀ କରାଯାଉଚି । ଅବଶ୍ୟ କାଗଜକଲମର କାନୁନଦ୍ଵାରା ଏସବୁକୁ ୧୯୩୦ ମସିହା ଅକ୍ଟୋବର ପହିଲାଦିନ ଉଠାଇ ଦିଆଯାଇଥିଲା ।

 

କିନ୍ତୁ ଔପନିବେଶିକ ଓ ସାଂସ୍କୃତିକ ଉଭୟେ ପରସ୍ପରର ସହାୟକ ଭାବରେ ଗତି ନକରି ଅନେକ ଓ ଅଧିକାଂଶ ସମୟରେ ପରସ୍ପରର ବାଧକ ଓ ବିରୋଧୀଭାବରେ ଗତି କରନ୍ତି, ଏହା ପ୍ରକୃତରେ ବଡ଼ ଦୁଃଖଦାୟକ । ଯଥାସମ୍ଭବ ଆନ୍ତର୍ଜାତିକ ବାଣିଜ୍ୟର କବଳରୁ ଦୂରରେ ଓ ଏକ ବୁଦ୍ଧିମାନ୍ ଶାସନର ଅଧିନରେ ରହି ଯଦି ଆଦିବାସୀମାନେ କ୍ରମୋନ୍ନତି କରିପାରିବେ, ଯାଯାବର ଓ ଅର୍ଦ୍ଧ-ଯାଯାବର ଅବସ୍ଥାରୁ ଯଦି ସେମାନେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ବାସ କରୁଥିବା କୃଷକ ଓ କାରିଗର ଜୀବନଯାପନ କରି ପାରିବେ, ତେବେ ଏହାରଦ୍ଵାରା ହିଁ ସେମାନଙ୍କପାଇଁ ଆଦର୍ଶ ବ୍ୟବସ୍ଥା କରାଯାଇ ପାରିବ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହା କଦାପି ସମ୍ଭବ ହୋଇପାରିବ ନାହିଁ । କାରଣ ଆନ୍ତର୍ଜାତିକ ବଣିକମାନଙ୍କୁ ଜିନିଷ ବିକ୍ରୟ କରି ନଗଦ ପଇସା ରୋଜଗାର କରିବାର ଅଭ୍ୟାସକୁ ଆଦିବାସୀମାନେ ସହଜରେ ଛାଡ଼ିପାରିବେ ନାହିଁ, କିମ୍ବା ଦେଶଜାତ ଦ୍ରବ୍ୟମାନ କ୍ରୟ କରି ତାହା ବଦଳରେ ଆଦିବାସୀମାନଙ୍କ ପାଖରେ କାରଖାନା-ତିଆରି ଦ୍ରବ୍ୟମାନ ଆଣି ଜମା କରିବାର ଅଭ୍ୟାସକୁ ବଣିକମାନେ ମଧ୍ୟ ଛାଡ଼ିପାରିବେ ନାହିଁ । ତେଣୁ ଯଥାର୍ଥ ସଂସ୍କୃତି ସହିତ ସଙ୍ଗତି ରଖି ସମ୍ପୂର୍ଣ୍ଣ ଏକ ଔପନିବେଶିକ ବ୍ୟବସ୍ଥା କାୟମ କରିବା ଅତି କଷ୍ଟକର ହୋଇପଡ଼ିବ । କୃଷି ଓ ଅନ୍ୟାନ୍ୟ ହସ୍ତକାରିଗରୀ ଦ୍ଵାରା ଆପଣା ଜୀବନର ସମସ୍ତ ଆବଶ୍ୟକ ସାମଗ୍ରୀ ଆପେ ଉତ୍ପନ୍ନ କରି ପାରିଲେ ହିଁ ଆଦିବାସୀମାନେ ଯଥାର୍ଥ ସମ୍ପନ୍ନତା ଅର୍ଜନ କରିପାରିବେ । ଅଥଚ ତାହା ପରିବର୍ତ୍ତରେ ଆଜି ସେମାନେ କେବଳ ବଣିକମାନେ ଆବଶ୍ୟକ କରୁଥିବା ପଣ୍ୟଦ୍ରବ୍ୟମାନ ସେମାନଙ୍କୁ ଯୋଗାଇ ଦେବାରେ ଲାଗିଛନ୍ତି । ଭଲ ଓ ନଗଦ ପଇସା ରୋଜଗାର କରିବାର ଲୋଭରେ ସେମାନେ ଏପରି କରୁଛନ୍ତି । ଏହି ନଗଦ ପଇସା ନେଇ ସେମାନେ କାରଖାନାରେ ତିଆରି ହୋଇଥିବା ପ୍ରସ୍ତୁତ ପଦାର୍ଥ ଓ ଖାଦ୍ୟଦ୍ରବ୍ୟ କିଣିଆଣି ପରୁଚନ୍ତି, ଏଣୁ ଆପଣାଘରେ ଆପେ କୌଣସି ଶିଳ୍ପ ଶିଖିବା ବା ଚଲାଇବା ଏମାନଙ୍କ ପକ୍ଷରେ ଆଦୌ ସମ୍ଭବ ହୋଇପାରୁନାହିଁ । ଏହଦ୍ଵାରା ଆପଣାର କୃଷିକାର୍ଯ୍ୟପ୍ରତି ମଧ୍ୟ ସେମାନଙ୍କର ସ୍ଥାୟୀ ଆଗ୍ରହ ରହିପାରୁନାହିଁ । ସବୁ ଆଦିବାସୀ ଓ ଅର୍ଦ୍ଧଆଦିବାସୀ ଲୋକମାନେ ଏହି ଅବସ୍ଥାରେ ଜୀବନଯାପନ କରୁଚନ୍ତି, ଆନ୍ତର୍ଜାତିକ ବଣିକମାନଙ୍କୁ ଧାନ, ତୁଳା, କଫି, କୋକୋ, ଖଣିଜ ପଦାର୍ଥ, କାଠ ଓ ସେହିପରି ଅନ୍ୟ କେତେକ ପଦାର୍ଥ କେବଳ ଯୋଗାଇଦେବା ବ୍ୟତୀତ ଏମାନଙ୍କ ପାଖରେ ଅନ୍ୟ କୌଣସି ଧନ୍ଦା ନାହିଁ ।

 

କାଠ କାରବାର ଯେତେବେଳେ ଭଲ ଚାଲିଥାଏ, ସେତେବେଳେ ଓଗୋଉଏ ଅଞ୍ଚଳରେ ପ୍ରାୟ ନିରନ୍ତର ଦୁର୍ଭିକ୍ଷ ଲାଗି ରହିଥାଏ, କାରଣ ଅଧିକରୁ ଅଧିକ କାଠଗଛ ବିକିବାର ଲୋଭରେ ପଡ଼ି ଆଦିବାସୀମାନେ ନୂଆ ଜମି ତିଆରି କରିବାରେ ଆଦୌ ମନ ଦିଅନ୍ତିନାହିଁ । ଯେଉଁଠି ସନ୍ତସନ୍ତିଆ ଜଙ୍ଗଲ ଅଞ୍ଚଳରେ ଭଲ କାଠ କାରବାର ଚାଲିଥାଏ, ସେମାନେ ଯାଇ ସେହିଠାରେ ରହନ୍ତି ଓ ଆପେ ମଜୁରୀ ପାଇଥିବା ପଇସା ଦେଇ ବାହାରୁ ଆମଦାନୀ ହୋଇ ଆସୁଥିବା ଚାଉଳ ଓ ଆମଦାନୀ ହେଉଥିବା ପ୍ରସ୍ତୁତ ଏବଂ ସଂରକ୍ଷିତ ଖାଦ୍ୟଦ୍ରବ୍ୟରେ ଆପଣାର ନିର୍ବାହ କରନ୍ତି ।

 

କୁଟୀରଶିଳ୍ପ ଓ ଆପେ ଆପଣାର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ କରିସାରିବାଲାଗି ଆବଶ୍ୟକ ହେଉଥିବା କୃଷି ଲାଗି ଯଥେଷ୍ଟ ଶ୍ରମଶକ୍ତି ଖଟାଇସାରିବା ପରେ ତଥାପି ଯଦି ଆଦିବାସୀ ଅଞ୍ଚଳରେ ଶ୍ରମଶକ୍ତି ବଳକା ରହେ, ତେବେ କେବଳ ସେହି ଶ୍ରମଶକ୍ତିକୁ ହିଁ ରପ୍ତାନୀ ବାଣିଜ୍ୟପାଇଁ ଲଗାଇବାରେ ଅନୁମତି ଦିଆଯିବା ଉଚିତ । ଏପରି କରିପାରିଲେ ଔପନିବେଶିକ ନୀତି ସଂସ୍କୃତି ଦୃଷ୍ଟିରୁ ଆଦିବାସୀମାନଙ୍କୁ ସେମାନେ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ବିପଦରୁ ରକ୍ଷା କରିପାରିବ-। ଯେଉଁ ଉପନିବେଶର ଲୋକସଂଖ୍ୟା ଯେତେ କମ୍, ସେଠାରେ ଦେଶର ଉନ୍ନତି ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ଵାର୍ଥରେ ସେତେ ବିରୋଧ ହେବା ସ୍ଵାଭାବିକ । ରପ୍ତାନୀବାଣିଜ୍ୟର ବୃଦ୍ଧି ହୋଇଗଲେ ଯେ ସବୁବେଳେ ଉପନିବେଶର ପ୍ରଗତି ହୋଇଥାଏ, ଏହା କଦାପି କୁହାଯାଇ ପାରିବନାହିଁ, କାରଣ ହୁଏତ ଅନେକ ସମୟରେ ଏହାଦ୍ଵାରା ଉପନିବେଶ ସର୍ବନାଶ ମଧ୍ୟ ହୋଇଯାଇ ପାରେ ।

 

ଏତଦ୍‍ବ୍ୟତୀତ ଆଦିବାସୀମାନଙ୍କ ଭିତରେ ରାସ୍ତା ଓ ରେଲ ରାସ୍ତାର ପ୍ରସାର କରିବା ମଧ୍ୟ ଏକ କଠିନ ସମସ୍ୟା । ଲୋକମାନଙ୍କଦ୍ଵାରା ବୋଝ ବୁହାଇବାର ଭୟଙ୍କର ରୀତିକୁ ବନ୍ଦ କରିବାକୁ ହେଲେ ଏହି ଅଞ୍ଚଳରେ ରାସ୍ତା ଓ ରେଳରାସ୍ତା ଖୋଲାଯିବା ଏକାନ୍ତ ଆବଶ୍ୟକ । ଦୁର୍ଭିକ୍ଷଗ୍ରସ୍ତ ଅଞ୍ଚଳକୁ ତୁରନ୍ତ ଖାଦ୍ୟଦ୍ରବ୍ୟ ପଠାଇବାଲାଗି ମଧ୍ୟ ଏହା ଆବଶ୍ୟକ, ବାଣିଜ୍ୟର ଉନ୍ନତିପାଇଁ ଏହା ଆବଶ୍ୟକ । କିନ୍ତୁ ତଥାପି ରାସ୍ତା ଓ ରେଲରାସ୍ତା ଖୋଲିବାଦ୍ଵାରା ଯେ ଉପନିବେଶର କଲ୍ୟାଣକାରୀ ଉନ୍ନୟନରେ ଅନେକ ବିପଦ ଓ ବାଧା ଆସି ପହଞ୍ଚିବ, ଏପରି ଏକ ଆଶଙ୍କା କରିବାର ମଧ୍ୟ ଯଥେଷ୍ଟ କାରଣ ରହିଛି । କାରଣ ଏହି କାର୍ଯ୍ୟପାଇଁ ଯେତେ ପରମାଣରେ ଶ୍ରମଶକ୍ତି ଦରକାର ହୁଏ, ସ୍ଥାନୀୟ ଭାବରେ ସେତେ ଶ୍ରମଶକ୍ତି ପ୍ରାପ୍ତ ହୋଇପାରିବ ନାହିଁ । ଉପନିବେଶରେ ରାସ୍ତା ଓ ରେଲରାସ୍ତା ତିଆରି ହେଲେ ତଦ୍ଦ୍ଵାରା ଅନେକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବାର ଆଶଙ୍କା ସବୁବେଳେ ରହିଥାଏ । ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ରହିବାଘର ଓ ରସଦପତ୍ର ଯୋଗାଇ ଦେବାର ବ୍ୟବସ୍ଥା ବେଳେବେଳେ କରାଯାଉଥିଲେ ମଧ୍ୟ ତଥାପି ଏହି ଆଶଙ୍କା ରହିଥାଏ । ହୁଏତ ଯେଉଁ ଅଞ୍ଚଳର ଉପକାର ସାଧନ କରିବା ଉଦ୍ଦେଶ୍ୟରେ ରାସ୍ତା ଓ ରେଳରାସ୍ତା ତିଆରି ହେଉଚି, ସେହି ଅଞ୍ଚଳ ପ୍ରକୃତରେ ଉପକୃତ ନହୋଇ କ୍ଷତିଗ୍ରସ୍ତ ମଧ୍ୟ ହୋଇଯାଇ ପାରେ । ତେଣୁ ପ୍ରଥମେ ସୁଚିନ୍ତିତ ବିଚାର କରିବା ପରେ ଯାଇ କୌଣସି ଅଞ୍ଚଳରେ ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ଆବଶ୍ୟକ ଓ ସମ୍ଭବ ବୋଲି ବିବେଚିତ ହୋଇ ସାରିବା ପରେ ଯେଉଁ ସାଧାରଣ କାର୍ଯ୍ୟମାନ ଆରମ୍ଭ କରାଯିବ, ସେଗୁଡ଼ିକୁ ଅତି ଧୀରଗତିରେ ଚାଲୁ ରଖିବାକୁ ହେବ । ଏପରିକି ପ୍ରୟୋଜନ ହେଲେ ମଝିରେ ମଝିରେ କାମ ବନ୍ଦ ରଖିବାକୁ ହେବ । ତା’ହେଲେ ଯାଇ ଅନେକ ମନୁଷ୍ୟଙ୍କର ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିବ ।

 

ଦେଶର ଉନ୍ନୟନ ଦୃଷ୍ଟିରୁ ଦୂରବିଚ୍ଛିନ୍ନ ହୋଇ ରହିଥିବା ଗାଆଁଗୁଡ଼ିକୁ ରେଳରାସ୍ତା ବା ରାସ୍ତାର ନିକଟବର୍ତ୍ତୀ କରି ବସାଇବା ହୁଏତ ଆବଶ୍ୟକ ପଡ଼ିପାରେ । କିନ୍ତୁ କେବଳ ଯେତେବେଳେ ଅନ୍ୟ କୌଣସି ଉପାୟ ନମିଳିବ, ସେତିକିବେଳେ ହିଁ ଆଦିବାସୀମାନଙ୍କର ମାନବିକ ଅଧିକାର ଉପରେ ହସ୍ତକ୍ଷେପ କରୁଥିବାଭଳି ଏହିସବୁ କାର୍ଯ୍ୟରେ ହାତ ଦିଆଯାଇ ପାରେ । ଆପଣାପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିବା କୌଣସି ଜଣେ ଉଚ୍ଚ କର୍ମଚାରୀର ଖିଆଲରେ ଯାହା ଆବଶ୍ୟକ ବୋଲି ମନେହୁଏ, ସେହିପରି ଏକ କାର୍ଯ୍ୟକୁ ଜବରଦସ୍ତି ସାଧନ କରିବାକୁ ଯିବାଦ୍ଵାରା ଉପନିବେଶର ଅଧିବାସୀମାନଙ୍କ ମନରେ କେତେ ଅସନ୍ତୋଷ ସୃଷ୍ଟିକରି ଦିଆନଯାଏ !

 

ଆଦିବାସୀମାନଙ୍କଠାରୁ ବେଠି ବା ଅବୈତନିକ ବାଧ୍ୟତାମୂଳକ କାମ ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ, ସେ ବିଷୟରେ ନାନା ବ୍ୟକ୍ତି ନାନା ମତ ପୋଷଣ କରିଥାନ୍ତି-। ଏହି ବିଷୟରେ ମୋର ବ୍ୟକ୍ତିଗତ ମତ ହେଉଚି ଯେ ଦୀର୍ଘ ବା ଅଳ୍ପ ସମୟପାଇଁ ହେଉ ପଛକେ, କୌଣସିପ୍ରକାର ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ କରିବାପାଇଁ କୌଣସି ଅବସ୍ଥାରେ ମଧ୍ୟ ଆଦିବାସୀମାନଙ୍କୁ ବେଠି ଖଟାଇବା ଆଦୌ ଉଚିତ ନୁହେଁ । ରାଜସ୍ୱ ବଦଳରେ ବା ଏପରିକି ସରକାରଙ୍କ ପାଇଁ କୌଣସି କାମରେ ଖଟାଇବାର ବାହାନାରେ ମଧ୍ୟ ଏହା କରାଯିବା କଦାପି ଯୁକ୍ତିଯୁକ୍ତ ହୋଇନପାରେ । କେବଳ ସର୍ବସାଧାରଣଙ୍କର ଉପକାର ସାଧନ ପାଇଁ ଯେତିକି ଶ୍ରମ ଦରକାର, ସେତିକି ଶ୍ରମ ଯୁକ୍ତିଯୁକ୍ତ ଭାବରେ ଆଦିବାସୀମାନଙ୍କ ଉପରେ ବାଧ୍ୟତାମୂଳକ ଭାବରେ ରଖାଯାଇପାରେ ଏବଂ ସରକାରୀ କର୍ମଚାରୀମାନଙ୍କର ତତ୍ତ୍ଵାବଧାନରେ ଏହାର ପରିଚାଳନା କରାଯାଇପାରେ ।

 

ଆଦିବାସୀକୁ ଅଧିକରୁ ଅଧିକ ଖଜଣା ଦେବାକୁ ବାଧ୍ୟକରି ତାହକୁ ଶ୍ରମରେ ପ୍ରବୃତ୍ତ କରାଯିବା ଉଚିତ ବୋଲି ଭାବିବା ମଧ୍ୟ ବଡ଼ ଭ୍ରମାତ୍ମକ ବୋଲି ମୁଁ କହିବି । ଅବଶ୍ୟ ଖଜଣା ଦେବାପାଇଁ ଅର୍ଥସଂଗ୍ରହ କରିବାଲାଗି ସେ ନିଶ୍ଚୟ ଅଧିକ ପରିଶ୍ରମ କରିବାକୁ ବାଧ୍ୟ ହେବ, କିନ୍ତୁ ଏହି ପ୍ରଚ୍ଛନ୍ନ ବାଧ୍ୟତାମୂଳକ ଖଟଣି ଅପ୍ରଚ୍ଛନ୍ନ ବାଧ୍ୟତାମୂଳକ ଖଟଣିଠାରୁ ତା’ ଉପରେ କୌଣସି ଅଧିକ ପ୍ରଭାବ ପକାଇ ପାରିବନାହିଁ ଏବଂ ତା’ର ଜଡ଼ତା ଦୂର କରି ତାକୁ ଅଧିକ ପରିଶ୍ରମୀ କରିଦେଇ ପାରିବନାହିଁ । ଅନ୍ୟାୟ ଆଚରଣ ଦ୍ଵାରା ଆମେ କଦାପି କୌଣସିପ୍ରକାର ନୈତିକ ଫଳ କେବେହେଲେ ହାସଲ କରିପାରିବା ନାହିଁ ।

 

ପୃଥିବୀର ପ୍ରତ୍ୟେକ ଉପନିବେଶରେ ଆଜି ଏତେ ବେଶୀ ଖଜଣା ଆଦାୟ କରାଯାଉଚି ଯେ ଲୋକମାନଙ୍କ ପକ୍ଷରେ ସେହି ଖଜଣା ଦେଇପାରିବା ବଡ଼ କଷ୍ଟକର ହୋଇପଡ଼ୁଚି । ଆଗକୁ କୌଣସି ବିଚାର ନ କରି ଉପନିବେଶ ଉପରେ ଅତି ଗୁରୁ-ଋଣଭାରମାନ ଲଦି ଦିଆଯାଇଛି, ହୁଏତ ସେସବୁ ଋଣର ସୁଧ ମଧ୍ୟ ଆଦାୟ କରିବା ସହଜରେ ସମ୍ଭବ ହେବନାହିଁ ।

 

ଆଦିବାସୀମାନଙ୍କର ଶିକ୍ଷାସମସ୍ୟା ସହିତ ଆର୍ଥିକ ଓ ସାମାଜିକ ସମସ୍ୟାମାନ ଜଡ଼ିତ ରହିଚି ଏବଂ ସେହି ହେତୁରୁ ଏହି ସମସ୍ୟାଗୁଡ଼ିକ ପରି ଶିକ୍ଷାର ସମସ୍ୟା ମଧ୍ୟ ସମାନଭାବରେ ଜଟିଳ ହୋଇ ପଡ଼ିଚି ।

 

କୃଷି ଓ ହସ୍ତ–କାରିଗରି ହେଉଚି ସଂସ୍କୃତିର ମୂଳଭିତ୍ତି ସ୍ଵରୂପ । ଯେଉଁଠାରେ ଏହି ମୂଳଭିତ୍ତି ଦୃଢ଼ ରହିଚି, କେବଳ ସେହିଠାରେ ହିଁ ଆପଣାକୁ ବାଣିଜ୍ୟିକ ଓ ବୌଦ୍ଧିକ ବ୍ୟାପାରରେ ତତ୍ପର ରଖିପାରୁଥିବା ଏକ ଜନସମାଜ ସମ୍ଭବ ହେବାପାଇଁ ଅନୁକୂଳ ପରିସ୍ଥିତି ରହିଚି ବୋଲି କୁହାଯାଇ ପାରିବ । କିନ୍ତୁ ଉପନିବେଶମାନଙ୍କରେ, କୃଷି ଓ ହସ୍ତଶିଳ୍ପ ଦ୍ଵାରା ନୁହେଁ, ପଢ଼ି ଓ ଲେଖି ଶିଖିବା ଦ୍ଵାରା ହିଁ ସଂସ୍କୃତିର ଆରମ୍ଭ ହୋଇ ପାରିବ ବୋଲି ଭାବିବାର ଭ୍ରମ ଆମେ କରିପକାଉଛୁ । ସେହି ସ୍ଥାନର ଆଦିବାସୀମାନେ ମଧ୍ୟ ଆଜି ସେହିକଥା ଦାବି କରି ବସିଲେଣି । ଇଉରୋପର ନକଲରେ ତିଆରି ହୋଇଥିବା ସ୍କୁଲମାନଙ୍କରେ ପାଠପଢ଼ି ସେମାନେ ‘ଶିକ୍ଷିତ’ ହୋଇ ବାହାରି ପଡ଼ୁଛନ୍ତି, ଅର୍ଥାତ୍ ଆପଣାକୁ ଶାରୀରିକ ଶ୍ରମ କରୁଥିବା ଲୋକମାନଙ୍କଠାରୁ ଉଚ୍ଚତର ସ୍ତରର ବୋଲି ମନେ କରୁଚନ୍ତି ଏବଂ କେବଳ ବେପାର ବା ବୁଦ୍ଧିମାର୍ଗର କୌଣସି କାମକରି ଜୀବନ ନିର୍ବାହ କରିବେ ବୋଲି ସେମାନେ ଇଚ୍ଛା ପ୍ରକାଶ କରୁଚନ୍ତି । ବ୍ୟବସାୟ ପେଣ୍ଠ ବା ସରକାରୀ କଚେରୀରେ ଯେଉଁମାନେ ଗ୍ରହଣଯୋଗ୍ୟ ଚାକିରି ପାଇପାରୁ ନାହାନ୍ତି, ସେମାନେ କେବଳ ଅଳସୁଆ ହୋଇ ବସି ରହୁଛନ୍ତି, ସବୁଥିରେ କେବଳ ଅସନ୍ତୋଷ ହିଁ ପ୍ରକାଶ କରୁଚନ୍ତି । ଖାଲି ଯେଉଁଠାରେ ଆଦିବାସୀ ଓ ଅର୍ଦ୍ଧ-ଆଦିବାସୀମାନେ ବାସ କରୁଚନ୍ତି, ସେଠାରେ ନୁହେଁ, ମାତ୍ର ସବୁ ଉପନିବେଶରେ ମଧ୍ୟ ଆଜି ଏହି ସ୍ଥିତି ଦେଖିବାକୁ ମିଳିବ ଯେ ଯେଉଁମାନେ ସ୍କୁଲକୁ ପାଠ ପଢ଼ି ଯାଉଚନ୍ତି, କୌଣସିପ୍ରକାର କୃଷିକାର୍ଯ୍ୟ ଓ ହସ୍ତଶିଳ୍ପ କରିବାର କୌଣସି କ୍ଷେତ୍ରକୁ ଫେରିବାଲାଗି ସେମାନେ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି ଏବଂ ଏହିସବୁ କ୍ଷେତ୍ରରେ ବିକାଶ ଲାଗି କୌଣସିପ୍ରକାର ଉତ୍ସାହ ଦେଖାଇ ନାହାନ୍ତି । ଏହିପରି ଭାବରେ ଆଦିବାସୀ ସମାଜ ନୀଚ ଓ ଉଚ୍ଚ ଦୁଇଶ୍ରେଣୀରେ ବିଭକ୍ତ ହୋଇଯାଇଛି ଓ ତଦ୍ଦ୍ୱାରା ଆଦିବାସୀମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ଅଧିକରୁ ଅଧିକ ଅସୁସ୍ଥ ହେବାରେ ଲାଗିଚି । ଯେଉଁଭଳି ଶିକ୍ଷା ଲାଭ କଲେ ଆଦିବାସୀମାନେ କୃଷି ଓ ହସ୍ତଶିଳ୍ପଠାରୁ ବିଚ୍ଛିନ୍ନ ହୋଇ ଯିବେନାହିଁ, ବରଂ ଏଥିପ୍ରତି ଅଧିକ ଆକୃଷ୍ଟ ହୋଇପାରିବେ, ସେହିପରି ଶିକ୍ଷାର ବ୍ୟବସ୍ଥା କରିବା ଦ୍ଵାରା ଉପନିବେଶର ଯଥାର୍ଥ ନିର୍ମାଣ ସମ୍ଭବ ହୋଇପାରିବ । ଉପନିବେଶର ପ୍ରତ୍ୟେକ ସ୍କୁଲରେ ବୌଦ୍ଧିକ ଶିକ୍ଷା ସହିତ ପ୍ରତ୍ୟେକ ପ୍ରକାରର ଶାରୀରିକ ଶିକ୍ଷା ଅନୁପୂରକ ହୋଇ ରହିବା ଉଚିତ । ସେମାନଙ୍କର ସଂସ୍କୃତି ଦୃଷ୍ଟିରୁ ଦେଖିଲେ ଚମତ୍କାର ପଢ଼ିଶିଖିବା ଓ ଲେଖିଶିଖିବା ଅପେକ୍ଷା,ଏବଂ ଏପରି କି a+b ଏବଂ x+y ପ୍ରଭୃତି ସୂକ୍ଷ୍ମ ରାଶିଦ୍ଵାରା ଗଣିତ କରି ଶିଖିବା ଅପେକ୍ଷା ଇଟା ତିଆରି କରିବା ଓ ଭାଟି ଲଗାଇବା, ଘର ତିଆରି କରିବା, କାଠଗଡ଼ରୁ ପଟା ଚିରି ବାହାର କରିବା, ନିହାଣ ଓ ମୁଗୁର ନେଇ କାମ କରିବାକୁ ଶିଖିବା ସେମାନଙ୍କ ପକ୍ଷରେ ଅଧିକ ମହତ୍ତ୍ଵପୂର୍ଣ୍ଣ ବିଷୟ ବୋଲି ସ୍ଵୀକାର କରିବାକୁ ହେବ ।

 

X X X X

 

କିନ୍ତୁ ସବୁଠାରୁ ଅତି ଜରୁରୀ କଥା ହୋଉଛି ଯେ ଆଦିବାସୀ ଓ ଅର୍ଦ୍ଧଆଦିବାସୀ ଅଧିବାସୀମାନେ ଯେ କ୍ରମେ ଲୁପ୍ତ ହେବାକୁ ବସିଚନ୍ତି, ଏହି ଦୁର୍ଗତିକୁ ଆମକୁ ଯେକୌଣସି ପ୍ରକାରେ ବନ୍ଦ କରିବାକୁ ହେବ । ମଦ ସେମାନଙ୍କର ଜୀବନକୁ ସବୁଠାରୁ ଅଧିକ ବିପନ୍ନ କରି ପକାଇଚି । ବଣିକମାନେ ସେମାନଙ୍କୁ ଏହି ମଦ ନେଇ ଯୋଗାଇ ଦେଉଚନ୍ତି । ସେମାନଙ୍କ ସମାଜକୁ ଆମେ ବାହାରୁ ଯେଉଁସବୁ ରୋଗ ସଂକ୍ରାମିତ କରି ଆଣିଚୁ ଓ ଯେଉଁସବୁ ରୋଗ ସେମାନଙ୍କ ଭିତରୁ ଆଗରୁ ରହିଆସିଥିଲା, ତାହା ଦ୍ଵାରା ମଧ୍ୟ ସେମାନେ ବିଲୁପ୍ତ ହେବାକୁ ବସିଚନ୍ତି । କେବଳ ଉପନିବେଶର ସ୍ଥାପନା ପରେ ଅଧିକ ଯାତାୟାତ ଓ ସମ୍ପର୍କ ସ୍ଥାପନ ଫଳରେ ନିଦ୍ରାରୋଗ ପ୍ରଭୃତି ଅସୁସ୍ଥତା କ୍ରମେ ବ୍ୟାପିବାକୁ ଆରମ୍ଭ କଲା । ବର୍ତ୍ତମାନ କୋଟି କୋଟି ମଣିଷ ଏହି ରୋଗର ଗ୍ରାସରେ ପଡ଼ିବାକୁ ବାଧ୍ୟ ହେଉଚନ୍ତି ।

 

ବାହାରୁ ମଦ ଆମଦାନୀ କରି ଆଣିବା ଦ୍ଵାରା ଏହି ଆଦିବାସୀମାନଙ୍କର ଅନେକ ଅନିଷ୍ଟ କରାଯାଉଚି । କିନ୍ତୁ କେବଳ ବ୍ରାଣ୍ଡି ଓ ରମ୍‍ର ଆମଦାନୀ ଉପରେ କଟକଣା ରଖି ମଦ ଓ ବିଅର୍‍ର ଆମଦାନୀ ପୂର୍ବପରି ଚାଲୁ ରଖିଥିବା ପର୍ଯ୍ୟନ୍ତ ଏହି ଅନିଷ୍ଟର ଗତିରୋଧ କରିବା କଦାପି ସମ୍ଭବ ହେବନାହିଁ । ଇଉରୋପ ଅପେକ୍ଷା ଏହିସବୁ ଉପନିବେଶମାନଙ୍କରେ ମଦ ଓ ବିଅର୍‍ ଲୋକମାନଙ୍କର ଅଧିକ କ୍ଷତି କରୁଚି, କାରଣ ଗ୍ରୀଷ୍ମମଣ୍ଡଳୀୟ ଓ ଅର୍ଦ୍ଧ-ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳମାନଙ୍କରେ କାଳେ ଏହିସବୁ ପାନୀୟ ଅଳ୍ପ ଦିନରେ ଖରାପ ହୋଇଯିବ, ସେଥିପାଇଁ ସେଥିରେ ଶୁଦ୍ଧ ଆଲ୍‍କହଲ୍ ମିଶାଇ ଦିଆଯାଉଛି । ତେଣୁ ଏହି ପ୍ରକାର ମଦ ଓ ବିଅର୍ ଦ୍ଵାରା ବ୍ରାଣ୍ଡି ଓ ରମ୍‍କୁ ନିଷିଦ୍ଧ କରି ରଖିବାଜନିତ ଅଭାବର ଚମତ୍କାର କ୍ଷତିପୂରଣ ହୋଇପାରୁଛି । ଆଜି ଆଲ୍‍କହଲ୍ ବ୍ୟବହାର କରିବା ଫଳରେ ଏହି ଅଧିବାସୀମାନଙ୍କର ଯେଉଁ କ୍ଷତି ହେଉଚି, ସବୁପ୍ରକାର ଉତ୍ତେଜକ ପାନୀୟର ଆମଦାନୀ ବନ୍ଦ କରିଦେଲେ ଯାଇ ସେହି କ୍ଷତିର ପ୍ରତିକାର କରାଯାଇ ପାରିବ ।

 

ପ୍ରାୟ ପ୍ରତ୍ୟେକ ଉପନିବେଶରେ ଅତି ବିଳମ୍ବରେ ରୋଗ ଓ ଅସୁସ୍ଥତା ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରାଯାଇଚି ଓ ସେଥିରେ ମଧ୍ୟ ଆବଶ୍ୟକ ଯଥେଷ୍ଟ ଶକ୍ତି ନିଯୁକ୍ତ କରାଯାଇ ନାହିଁ-। ଆଧୁନିକ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଫଳରେ ଯେଉଁ ନୂତନ ଅସ୍ତ୍ରସବୁ ଆମର ହସ୍ତଗତ ହୋଇଚି, ତାହା ବଳରେ ସେହି ସଂଗ୍ରାମକୁ ଅଧିକ ସଫଳତାର ସହିତ ଚାଲୁ କରାଯାଇ ପାରନ୍ତା ।

 

ଉପନିବେଶରୁ ଲାଭବାନ୍ ହେବା ଉଦ୍ଦେଶ୍ୟରେ ହିଁ ଆମକୁ ଉପନିବେଶର ଅଧିବାସୀମାନଙ୍କୁ ଯେକୌଣସି ପ୍ରକାରେ ଜୀବିତ ରଖିବାକୁ ହେବ, ଖାସ୍ ସେଇଥିପାଇଁ ଉପନିବେଶକୁ ସମସ୍ତ ପ୍ରକାର ଚିକିତ୍ସାଦି ସାହାଯ୍ୟ ଯୋଗାଇଦେବାର ଆବଶ୍ୟକତା ରହିଚି ବୋଲି ଅନେକେ ଯୁକ୍ତି କରିଥାନ୍ତି । କିନ୍ତୁ କେବଳ ଏକ ଅର୍ଥନୀତିକ ସମସ୍ୟା ଅପେକ୍ଷା ଏହାର ଅନେକ ଅଧିକ ମୂଲ୍ୟ ରହିଚି ବୋଲି ମୁଁ ବିଚାର କରେ । ଆଜି ଆମ ହାତରେ ବିଜ୍ଞାନ ରୋଗ, ଯନ୍ତ୍ରଣା ଓ ମୃତ୍ୟୁ ସହିତ ସଂଗ୍ରାମ କରିବାର ଯେଉଁସବୁ ସମୃଦ୍ଧ ସାଧନମାନ ଦେଇଯାଇଚି, ତାହାକୁ ଆମେ କେବଳ ଆମରି ସଭ୍ୟସମାଜର ବ୍ୟବହାର ପାଇଁ ସୀମାବଦ୍ଧ କରି ରଖିଥିବା, ଏହା କଦାପି କଳ୍ପନା କରାଯାଇ ନପାରେ । ଆମ ଭିତରେ ଯଦି ପ୍ରକୃତରେ କୌଣସି ନୈତିକ ଭାବନାର ଲେଶମାତ୍ର ରହିଥାଏ, ତେବେ ଦୂର ଦୂର ଦେଶରେ ଆମଠାରୁ ଯଥେଷ୍ଟ ଅଧିକ ଶାରୀରିକ ରୋଗଯନ୍ତ୍ରଣା ଭୋଗୁଥିବା ଲୋକମାନଙ୍କୁ ଆମେ କିପରି ଏହିସବୁ ଆବିଷ୍କାର ଦ୍ଵାରା ଉପକୃତ ହେବାରୁ ବଞ୍ଚିତ କରି ରଖିପାରିବା ? ଅବଶ୍ୟ ସରକାରଙ୍କ ତରଫରୁ ସେଠାକୁ ଡାକ୍ତରମାନେ ଯାଉଚନ୍ତି, କିନ୍ତୁ ସେଠାରେ ରହିଥିବା ଆବଶ୍ୟକତାର ସମୁଦ୍ରକୁ ଏହା ଶଙ୍ଖେପାଣି ପରି କାମ କରୁଚି । ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବାଲାଗି ସାଧାରଣ ମନୁଷ୍ୟସମାଜରୁ ମଧ୍ୟ ଅଧିକ ଡାକ୍ତର ଓ ଚିକିତ୍ସକ ସେଠାକୁ ପଠାଯିବା ଉଚିତ । ଶାରୀରିକ କଷ୍ଟ ଓ ଯନ୍ତ୍ରଣା କହିଲେ ପ୍ରକୃତରେ କ’ଣ ବୁଝାଏ, ବ୍ୟକ୍ତିଗତ ଅନୁଭୂତିରୁ ଆମ୍ଭମାନଙ୍କ ଭିତରୁ ଯିଏ ଏକଥା ଜାଣିଥିବ, ଦୂର ଦେଶମାନଙ୍କରେ ଆଉ ଯେଉଁମାନେ ଦିନରାତି ସେହିପରି କଷ୍ଟ ଭୋଗ କରୁଚନ୍ତି, ସେମାନଙ୍କୁ ନିଶ୍ଚିନ୍ତ ଭାବରେ କୌଣସି ଯଥାନୁରୂପ ସାହାଯ୍ୟ ତା’ର ଅବଶ୍ୟ ପଠାଇବା ଉଚିତ । ସେ କଦାପି ଆପଣାର ଜୀବନ-ପରିସରକୁ ଆପଣା ଭିତରେ ଆବଦ୍ଧ ରଖିପାରିବ ନାହିଁ । ସେ କେବଳ ତା’ର ଆପଣାର ନୁହେଁ, ସଂସାରରେ ଯେଉଁଠି ଯେତେ ମଣିଷ ରୋଗଯନ୍ତ୍ରଣା ଭୋଗ କରୁଚନ୍ତି, ସିଏ ସେହି ସମସ୍ତ ମଣିଷଙ୍କର ଭାଇ ବୋଲି କହିବାକୁ ହେବ । ‘ଯେଉଁମାନେ ଯନ୍ତ୍ରଣା ଭୋଗିଚନ୍ତି ବା ଭୋଗୁଚନ୍ତି, ସେମାନେ ସମସ୍ତେ ପରସ୍ପରର ବନ୍ଧୁ ଓ ପରସ୍ପରର ଭାଇ’, ଏହି ନୀତି ଉପରେ ହିଁ ଉପନିବେଶର ସମସ୍ତ ଚିକିତ୍ସାକାର୍ଯ୍ୟ ଦଣ୍ଡାୟମାନ ରହିଚି । ମଣିଷସମାଜର ସେବା ହିସାବରେ ଏହି ସେବାଭାର ଆମକୁ ଗ୍ରହଣ କରିବାକୁ ହେବ । ଯଥାର୍ଥ ସଂସ୍କୃତିର ନାମରେ ଆଜି ଆମର ଯେଉଁ କର୍ତ୍ତବ୍ୟ କରିବା କଥା, ଆପଣାର ପ୍ରତିନିଧିମାନଙ୍କ ଦ୍ଵାରା ପ୍ରେରିତ ହୋଇ ଚିକିତ୍ସକମାନଙ୍କୁ ଉପନିବେଶମାନଙ୍କରେ ଆଜି ସେହି କର୍ତ୍ତବ୍ୟ ହିଁ ସାଧନ କରିବାକୁ ହେବ ।

 

‘ଯେଉଁମାନେ ଯନ୍ତ୍ରଣା ଭୋଗିଚନ୍ତି ବା ଭୋଗୁଚନ୍ତି ସେମାନେ ସମସ୍ତେ ପରସ୍ପରର ଭାଇ ଓ ପରସ୍ପରବନ୍ଧୁ’, ଏହି ମୌଳିକ ସତ୍ୟଉପରେ ଆସ୍ଥା ରଖି ମୁଁ ଲାମ୍ବାରେନେର ଅରଣ୍ୟମଣ୍ଡଳରେ ମୋର ଡାକ୍ତରଖାନାଟି ଖୋଲିବାରେ ସାହସୀ ହୋଇଥିଲି । ସେହି ସତ୍ୟକୁ ସ୍ଵୀକାର କରି କାମ ଆରମ୍ଭ ହୋଇଥିଲା, ବର୍ତ୍ତମାନ ସେହି ସତ୍ୟ ସେଠାରେ ପ୍ରସାରିତ ହୋଇ ଚାଲିଚି ।

 

ପରିଶେଷରେ ମୁଁ ଏତିକି କହିବି ଯେ ଆମ ଉପନିବେଶମାନଙ୍କରେ ବାସ କରୁଥିବା ଲୋକମାନଙ୍କର ଯଦି ଆମେ କୌଣସିପ୍ରକାର ଉପକାର କରୁଥିବା, ତେବେ ତାହାକୁ ଆମର ଉପକାର କରିବା ବୋଲି କଦାପି କୁହାଯାଇ ପାରିବନାହିଁ । ଆମ ଦେଶର ପ୍ରଥମ ଜାହାଜ ତାଙ୍କ ଦେଶର ଉପକୂଳକୁ ଛୁଇଁଲା ଦିନଠାରୁ ଆମେ ଗୋରାଲୋକେ ସେମାନଙ୍କୁ ଯେତେ ଦାରୁଣ ଦୁଃଖ ଓ ଉତ୍ପୀଡ଼ନ ଦେଇଆସିଚୁ, ତାହାରି ପ୍ରାୟଶ୍ଚିତ୍ତ ସ୍ୱରୂପ ଆମେ ଏହି ଉପକାର କରୁଚୁ ବୋଲି ଆମକୁ ଭାବିବାକୁ ପଡ଼ିବ । ଉପନିବେଶର ସମସ୍ୟା ବର୍ତ୍ତମାନ ଏତେ ଜଟିଳ ହୋଇ ସାରିଲାଣି ଯେ କେବଳ ରାଜନୀତିକ ପ୍ରତିକାର ଦ୍ଵାରା ତାହାର ସମାଧାନ କରାଯାଇ ପାରିବ ନାହିଁ । ଏଥିପାଇଁ ନୂତନ ଉପାଦାନମାନ ସୃଷ୍ଟି କରିବାକୁ ହେବ, ନୈତିକଭାବାପନ୍ନ ହୋଇ ଗୋରା ଓ କଳା ଲୋକମାନଙ୍କୁ ପରସ୍ପର ସହିତ ସମ୍ମିଳିତ ହେବାକୁ ପଡ଼ିବ । ତେବେ ଯାଇ ପରସ୍ପର ପ୍ରତି ବିଶ୍ଵାସ ଉତ୍ପନ୍ନ ସମ୍ଭବ ହୋଇ ପାରିବ ।

 

ସେହି ଭାବର ଉନ୍ମେଷ ଓ ବିକାଶ ସମ୍ଭବ କରିବାରେ ଯିଏ କାମ କରିବ, ସିଏ ଭବିଷ୍ୟତ ଜଗତର ରାଜନୀତିକ କ୍ଷେତ୍ରରେ ଅନେକ ସୁଖ ଓ କଲ୍ୟାଣ ସମ୍ଭବ କରାଇବାରେ ସାହାଯ୍ୟ କରିପାରିବ ।

☆☆☆

 

ଗ୍ୟୁନ୍‍ସ୍‍ବାଖ୍‍ ଓ ପରିଭ୍ରମଣ

 

୧୯୨୧ ଏପ୍ରିଲ ମାସରେ ଷ୍ଟ୍ରାସ୍‍ବୁର୍ଗରେ କରୁଥିବା ମୋର ଦୁଇଟିଯାକ ଚାକିରିରୁ ମୁଁ ଇସ୍ତଫା ଦେଇଥିଲି । ଭବିଷ୍ୟତରେ କେବଳ ଲେଖାଲେଖି କରି ଓ ଅର୍‍ଗାନ୍ ବଜାଇ ମୁଁ ମୋର ଜୀବିକା ନିର୍ବାହ କରିବି, ଏହିପରି ଏକ ସଂକଳ୍ପ କରି ମୁଁ ଏହା କରିଥିଲି । ‘ସଂସ୍କୃତିର ଦର୍ଶନ’ ପୁସ୍ତକଟିକୁ ଶେଷ କରିବାରେ ମୁଁ ସମ୍ପୂର୍ଣ୍ଣ ମନୋନିବେଶ କରିପାରିବି, ଏହି ଉଦ୍ଦେଶ୍ୟରେ ମୋର ସ୍ତ୍ରୀ ଏବଂ ଶିଶୁସନ୍ତାନ ସହିତ,–୧୯୧୯ ମସିହା ଜାନୁଆରୀ ୧୪ ତାରିଖ ଅର୍ଥାତ୍ ମୋର ଜନ୍ମବାରଦିନ ଆମର ଗୋଟିଏ ଝିଅ ହୋଇଥିଲା, –ଗ୍ୟୁନ୍‍ସ୍‍ବାଖରେ ଥିବା ମୋର ବାପାଙ୍କ ଘରକୁ ମୁଁ ଚାଲିଯାଇଥିଲି ।

 

X X X X

 

ଏଣେତେଣେ ଯାତ୍ରା କରି ଯିବାଦ୍ଵାରା ଅବଶ୍ୟ ମୋର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା । ସଂସ୍କୃତିର ଦର୍ଶନ ବା ପ୍ରାଚୀନ ଖ୍ରୀଷ୍ଟଧର୍ମ ବିଷୟରେ ବକ୍ତୃତାମାନ ଦେବାପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ମୋ’ ପାଖକୁ ନିମନ୍ତ୍ରଣମାନ ଆସିବାକୁ ଲାଗିଲା । ସେଠାରେ ଆରମ୍ଭ ହୋଇଥିବା କାର୍ଯ୍ୟଟିକୁ ଚାଲୁ ରଖିବା ଲାଗି ଲାମ୍ବାରେନେରେ ସ୍ଥାପିତ ଡାକ୍ତରଖାନା ବିଷୟରେ ମଧ୍ୟ ବକ୍ତୃତା ଦେବା ଦରକାର ପଡ଼ିଲା । ପୁଣି ଥରେ ଆଫ୍ରିକା ଯିବାପରେ କେତେବର୍ଷ ଲାଗି ପରିବାରର ଭରଣପୋଷଣ ସମ୍ଭବ ହୋଇ ପରିବାଲାଗି ମୋତେ ଅର୍‍ଗାନ୍ ବଜାଇ ମଧ୍ୟ କିଛି ଅର୍ଥ ଉପାର୍ଜନ କରିବାକୁ ପଡ଼ୁଥିଲା ।

 

ଏହି ତିନୋଟି ବର୍ଷ ମୋତେ ପ୍ରକୃତରେ କେଡ଼େ ଚମତ୍କାର ଅଭିଜ୍ଞତାମାନ ମିଳିନଥିଲା ! ପ୍ରଥମଥର ଆଫ୍ରିକାକୁ ଯାତ୍ରା କରି ଗଲାବେଳେ ମୋତେ ତିନୋଟି ବିଷୟ ପରିତ୍ୟାଗ କରିବାକୁ ହେବ ବୋଲି ମୁଁ ପ୍ରସ୍ତୁତ ହୋଇ ଯାଇଥିଲି । ପ୍ରଥମତଃ ମୋତେ ଅର୍‍ଗାନ୍ ଛାଡ଼ିବାକୁ ହେବ, ଦ୍ଵିତୀୟତଃ ବିଶ୍ଵବିଦ୍ୟାଳୟର ଅଧ୍ୟାପନା ଛାଡ଼ିବାକୁ ପଡ଼ିବ ଏବଂ ତୃତୀୟତଃ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବାଲାଗି ମୋର କୌଣସି ସାମର୍ଥ୍ୟ ରହିବ ନାହିଁ ଏବଂ ମୋର ଜୀବନର ଅବଶିଷ୍ଟ କାଳ ମୋତେ ବନ୍ଧୁମାନଙ୍କର ସହାୟତା ଉପରେ ନିର୍ଭର କରି ରହିବାକୁ ପଡ଼ିବ ।

 

ଏହି ତିନୋଟି ବିଷୟ ଛାଡ଼ିପାରିବା ଲାଗି ମୁଁ କ୍ରମେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଥିଲି । କିନ୍ତୁ ତଦ୍ଦ୍ଵାରା ଯେ ମୋତେ କେତେ ଅନ୍ତର୍ଦହନ ସହିବାକୁ ପଡ଼ୁଥିଲା, କେବଳ ମୋର ଅତି ଅନ୍ତରଙ୍ଗ ବନ୍ଧୁମାନେ ତାହା ଜାଣି ପାରୁଥିଲେ ।

 

କିନ୍ତୁ ଆବ୍ରାହମ ଯେତେବେଳେ ତାଙ୍କର ପୁତ୍ରକୁ ବଳି ଦେବାକୁ ପ୍ରସ୍ତୁତି ହୋଇଥିଲେ, ସେତେବେଳେ ତାଙ୍କ ଜୀବନରେ ଯାହା ଘଟିଥିଲା, ମୋର ଜୀବନରେ ମଧ୍ୟ ବର୍ତ୍ତମାନ ଠିକ୍ ସେହିପରି ଘଟଣା ଘଟିବାକୁ ଲାଗିଲା । ଭଗବାନଙ୍କର କୃପାରୁ ଆବ୍ରାହାମଙ୍କ ପୁତ୍ରକୁ ବଳି ଦେବାକୁ ପଡ଼ିନଥିଲା । ମୁଁ ମଧ୍ୟ ଠିକ୍ ସେହିପରି ଏହିସବୁ ବିଷୟକୁ ମୋ’ ଜୀବନରୁ ବଳିଦେବାର କଷ୍ଟରୁ ରକ୍ଷା ପାଇଥିଲି । ଗ୍ରୀଷ୍ମମଣ୍ଡଳୀୟ ଦେଶର ଜଳବାୟୁରେ ଖରାପ ହୋଇ ନଯିବାଭଳି ଏକ ପିଆନୋ ମୋତେ ବାଖ୍ ସୋସାଇଟି ତରଫରୁ ମିଳିଗଲା ଏବଂ ମୋର ସ୍ୱାସ୍ଥ୍ୟ ମଧ୍ୟ ଗ୍ରୀଷ୍ମଦେଶୀୟ ଜଳବାୟୁକୁ ଆପଣା ସହିତ ବେଶ୍ ଖାପ ଖୁଆଇନେଲା । ଫଳରେ ମୋର ଅର୍‍ଗାନ୍ ବଜାଇବାର ଅଭ୍ୟାସ ଆଉ ବନ୍ଦ ହୋଇପାରିଲା ନାହିଁ । ଅରଣ୍ୟରେ ଅତିବାହିତ ହୋଇଥିବା ସାଢ଼େ ଚାରିବର୍ଷର ମୋର ଏକାନ୍ତ ଜୀବନରେ ବାଖ୍‍ଙ୍କର ସଙ୍ଗୀତ ରଚନାର ମର୍ମପ୍ରବେଶ କରିବାଲାଗି ମୁଁ ଅନେକ ଶାନ୍ତି ଓ ସ୍ଥିର ଅବସର ଲାଭ କରିଥିଲି, ତେଣୁ କେବଳ ଜଣେ ନୂଆ ଶିଖାଳି ହୋଇ ନୁହେଁ, ସଙ୍ଗୀତର କୌଶଳକୁ ସମ୍ପୂର୍ଣ୍ଣ ଆୟତ୍ତ କରି ମୁଁ ଇଉରୋପକୁ ଫେରିଥିଲି ଏବଂ ଜଣେ କଳାକାର ହିସାବରେ ଯେ ପୂର୍ବ ଅପେକ୍ଷା ମୋର ସମ୍ମାନ ଅନେକ ପରିମାଣରେ ବୃଦ୍ଧି ପାଇଚି, ଏହି କଥା ଆବିଷ୍କାର କରିଥିଲି ।

 

ଷ୍ଟ୍ରାସ୍‍ବୁର୍ଗ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଦ ଛାଡ଼ିବା ଫଳରେ ମୋତେ ଯେଉଁ ତ୍ୟାଗ କରିବାକୁ ପଡ଼ିଥିଲା, ବର୍ତ୍ତମାନ ଅନ୍ୟାନ୍ୟ ଅନେକ ବିଶ୍ୱବିଦ୍ୟାଳୟରେ ବକ୍ତୃତା ଦେବାର ସୁଯୋଗ ପାଇବା ଦ୍ଵାରା ତାହାର ଯଥେଷ୍ଟ କ୍ଷତିପୂରଣ ହୋଇପାରିଲା ।

 

ପ୍ରଥମେ କେତେଦିନ ପାଇଁ ମୋର ଆର୍ଥିକ ଆତ୍ମନିର୍ଭରତା ବ୍ୟାହତ ହୋଇ ପଡ଼ିଥିଲେ ହେଁ, ବର୍ତ୍ତମାନ ମୋର ଅର୍‍ଗାନ୍ ଏବଂ କଲମ ଦ୍ଵାରା ମୋର ଜୀବନ ନିର୍ବାହ କରିବାଲାଗି ମୁଁ ସମର୍ଥ ହୋଇ ପାରିଥିଲି ।

 

ଯେଉଁ ତିନୋଟି ତ୍ୟାଗ କରିବା ଲାଗି ମୁଁ ପ୍ରସ୍ତୁତ ହୋଇ ଯାଇଥିଲି, ବର୍ତ୍ତମାନ ସେହିସବୁ ତ୍ୟାଗରୁ ମୋତେ ନିଷ୍କୃତି ମିଳିଥିବା ଦ୍ଵାରା ମୁଁ ମୋର ଜୀବନରେ ଅଧିକ ସାହସ ଓ ଉତ୍ସାହ ପାଇଲି-। ଯୁଦ୍ଧର ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ଅନେକ ଲୋକଙ୍କ ପରି ମୋତେ ମଧ୍ୟ ଯେଉଁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ତାହାକୁ ଅତିକ୍ରମ କରିଯିବାକୁ ଏବଂ ସବୁପ୍ରକାର କଷ୍ଟସ୍ଵୀକାର ଓ ସବୁପ୍ରକାର ତ୍ୟାଗ ଲାଗି ଆପଣାକୁ ପ୍ରସ୍ତୁତ କରିବାକୁ ଏହି ସାହସ ଓ ଉତ୍ସାହ ମୋତେ ଯଥେଷ୍ଟ ବଳ ଦେଇ ପାରିଥିଲା ।

 

୧୯୨୩ମସିହା ବସନ୍ତ କାଳରେ ମୁଁ ‘ସଂସ୍କୃତିର ଦର୍ଶନ’ର ପ୍ରଥମ ଦୁଇଭାଗର ଲେଖା ସମାପ୍ତ କରିଥିଲି ଏବଂ ସେହିବର୍ଷ ହିଁ ସେହି ଦୁଇଭାଗ ଦୁଇଟି ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା । ପ୍ରଥମଟିର ନାମ ହେଲା ‘ସଂସ୍କୃତିର ପତନ ଓ ପୁନର୍ନିମାଣ’ (Verfall und Wiederaufbau der kultur) ଏବଂ ଦ୍ଵିତୀୟଟି ‘ସଂସ୍କୃତି ଓ ନୀତିମାର୍ଗ’ (Kultur and Ethik) ନାମରେ ପ୍ରକାଶିତ ହୋଇଥିଲା । ପ୍ରଥମ ଭାଗଟିର ଇଂରାଜୀ, ସୁଇଡିଶ୍, ଡେନିଶ୍ ଓ ଓଲନ୍ଦାଜୀ ଅନୁବାଦମାନ ମଧ୍ୟ ବାହାରି ଯାଇଥିଲା ।

 

ପ୍ରଥମ ପୁସ୍ତକଟିରେ ମୁଁ ସଂସ୍କୃତି ଓ ଜୀବନଦୃଷ୍ଟି ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକୁ ବିଷୟରେ ଆଲୋଚନା କରିଥିଲି ।

 

X X X X

 

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମାନସିକ ଓ ଭୌତିକ ଅଗ୍ରଗତି ହେବା ସଙ୍ଗେ ସଙ୍ଗେ ମନୁଷ୍ୟ, ବ୍ୟକ୍ତି ଓ ମନୁଷ୍ୟସମାଜର ନୈତିକ ବିକାଶ, ଅତି ସାଧାରଣ ଭାବରେ ମୁଁ ସଂସ୍କୁତିର ଏହିପରି ସଂଜ୍ଞା କରିଥିଲି ।

 

X X X X

 

ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ନୀତିଗତ ଜୀବନଦୃଷ୍ଟି ଉପରେ ଆପଣାକୁ ପ୍ରତିଷ୍ଠିତ କରିବାକୁ ଇଉରୋପୀୟ ବିଚାରଧାରା କିପରି ଯୁଗେ ଯୁଗେ ସଂଗ୍ରାମ କରିଆସିଚି, ଦ୍ଵିତୀୟ ପୁସ୍ତକଟିରେ ମୁଁ ତାହାରି ପ୍ରତି ଦୃଷ୍ଟି ଆକର୍ଷଣ କରାଇବାକୁ ଚେଷ୍ଟା କରିଥିଲି ।

 

X X X X

 

ଇଚ୍ଛାକରି ମୋର ରଚନାଗୁଡ଼ିକରେ ମୁଁ ଯଥାସମ୍ଭବ ଦର୍ଶନଶାସ୍ତ୍ରଗତ ବିଶେଷ ଶବ୍ଦାବଳୀଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥାଏ । ପ୍ରତ୍ୟେକ ମଣିଷର ମନଭିତରେ ଅତି ସ୍ଵାଭାବିକ ଭାବରେ ଉଦ୍ରେକ ହେଉଥିବା ଜୀବନର ସମସ୍ୟାଗୁଡ଼ିକ ବିଷୟରେ ଚିନ୍ତାଶୀଳ ବ୍ୟକ୍ତିମାନେ ଅଧିକ ଚିନ୍ତା କରିବାକୁ ପ୍ରବୃତ୍ତ ହୁଅନ୍ତି, ଏହିପରି ଏକ ପ୍ରେରଣାପୂର୍ଣ୍ଣ ଆବଶ୍ୟକତା ସୃଷ୍ଟି କାରିବାର ପ୍ରଧାନ ଅଭିଲାଷ ନେଇ ମୁଁ ଗ୍ରନ୍ଥ ଲେଖିବାରେ ପ୍ରବୃତ୍ତ ହୋଇଥାଏ ।

 

X X X X

 

‘ସଂସ୍କୃତି ଓ ନୀତିମାର୍ଗ’ ପୁସ୍ତକରେ ପ୍ରୁଫ୍ ସଂଶୋଧନ କରିବା ସଙ୍ଗେ ସଙ୍ଗେ ଆଫ୍ରିକାକୁ ମୋର ଦ୍ଵିତୀୟ ଯାତ୍ରା ଆରମ୍ଭ କରିବା ଉଦ୍ଦେଶ୍ୟରେ ମୁଁ ଜିନିଷପତ୍ର ବନ୍ଧାବନ୍ଧି କରୁଥିଲି ।

 

୧୯୨୩ ମସିହା ଶରତ କାଳରେ ଏହି ବହିଟିର ଛାପାକାର୍ଯ୍ୟରେ କେତେଦିନ ପାଇଁ ଏକ ବାଧା ଆସି ପହଞ୍ଚିଥିଲା । କାରଣ ବହିଟିର ଜର୍ମାନ୍ ସଂସ୍କରଣଟି ଛାପୁଥିବା ବାୟର୍ନ୍ (ବେଭେରିଆ)ର ଏହି ପ୍ରକାଶକଙ୍କର ଛାପାଖାନାକୁ ସରକାର ଆପଣା କାମରେ ଲଗାଇବାଲାଗି ଦଖଲ କରିନେଇଥିଲେ । ତତ୍କାଳୀନ ମୁଦ୍ରାସ୍ଫୀତି ଜନିତ ଆବଶ୍ୟକତାରେ ପୂରଣ କରିବାକୁ ସରକାରଙ୍କର ବହୁସଂଖ୍ୟାରେ କାଗଜନୋଟ୍ ଦରକାର ହେଉଥିଲା, ଏବଂ ସେହି କାଗଜନୋଟ୍‍ଗୁଡ଼ିକ ଛପାଇବାକୁ ସରକାର ଉକ୍ତ ପ୍ରେସଟି ଅଧିକାର କରି ନେଇଥିଲେ ।

 

ଆଫ୍ରିକାର ଅରଣ୍ୟରେ ଦ୍ଵିତୀୟବାର କାର୍ଯ୍ୟ ଆରମ୍ଭ କରିବାକୁ ମୁଁ ସମର୍ଥ ହେବା ପଛରେ ଆହୁରି ଅନେକ ଲୋକଙ୍କର ବଦାନ୍ୟତା ନିହିତ ଥିଲା । ଏଲ୍‍ସାଶ୍‍, ସୁଇଜର୍‍ଲାଣ୍ଡ, ସୁଇଡେନ୍‍, ଡେନ୍‍ମାର୍କ, ଇଂଲଣ୍ଡ ଓ ଚେକୋସ୍ଲୋଭାକିଆର ବିଭିନ୍ନ ପ୍ରୋଟେଷ୍ଟାଣ୍ଟ୍ ଧର୍ମମଣ୍ଡଳୀ ମୋର ବକ୍ତୃତାରେ ଉଦ୍‍ବୁଦ୍ଧ ହୋଇ ଆଫ୍ରିକାର କାର୍ଯ୍ୟ ସକାଶେ ଅର୍ଥ ସାହାଯ୍ୟ କରିଥିଲେ । ଇଉରୋପର ବିଭିନ୍ନ ଦେଶରେ ଅନେକ ବ୍ୟକ୍ତି ବର୍ତ୍ତମାନ ମୋର ବ୍ୟକ୍ତିଗତ ବନ୍ଧୁ ହୋଇ ସାରିଥିଲେ, ସେମାନେ ମଧ୍ୟ ସହାନୁଭୂତି-ପରବଶ ହୋଇ ମୋର କାର୍ଯ୍ୟ ପାଇଁ ଅର୍ଥଦାନ କରିଥିଲେ ।

 

ଆଫ୍ରିକା ଉଦ୍ଦେଶ୍ୟରେ ଯାତ୍ରା କରିବା ପୂର୍ବରୁ ମୁଁ ବର୍ମିଙ୍ଗହାମ୍‍ର ଶେଲିଓକ୍ କଲେଜରେ ଦେଇଥିବା ବକ୍ତୃତାକୁ ପୁସ୍ତକାକାରରେ ପ୍ରକାଶ କରିବାକୁ ପ୍ରସ୍ତୁତ କରିଦେଲି । ଏହାର ନାମ ରହିଲା ‘ଖ୍ରୀଷ୍ଟମାର୍ଗ’ ଓ ପୃଥିବୀର ଅନ୍ୟାନ୍ୟ ଧର୍ମ । (Das Christentum und die Weltreligionen) ଇଂରାଜୀ ଅନୁବାଦ ନାମ– (Christianity and the Religions of the world) । ପରେ ଏହି ପୁସ୍ତକର ଡେନିଶ୍‍, ସୁଇଡିଶ୍‍, ଓଲନ୍ଦାଜୀ ଓ ଜାପାନୀଭାଷାର ସଂସ୍କରଣମାନ ମଧ୍ୟ ପ୍ରକାଶ ପାଇଥିଲା । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଓ ସ୍ଵୀକାର କରୁ ନଥିବା ଜୀବନଦୃଷ୍ଟି ଏବଂ ନୀତିଦର୍ଶନ କେଉଁ ଧର୍ମରେ କେତେଦୂର ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା, ତାହାରି ଅନୁସାରେ ଏକ ଦାର୍ଶନିକ ଦୃଷ୍ଟିକୋଣରୁ ଏହି ପୁସ୍ତକରେ ମୁଁ ପୃଥିବୀର ବିଭିନ୍ନ ଧର୍ମର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲି ।

 

X X X X

 

ଜିନିଷପତ୍ର ସଜାଡ଼ିବାରେ ମଝିରେ ମିଳୁଥିବା ଅବସର ସମୟରେ ମୁଁ ମୋର ଶୈଶବ ଓ ଯୌବନକାଳର ସ୍ମୃତିଗୁଡ଼ିକୁ ମଧ୍ୟ ଲିପିବଦ୍ଧ କରି ପକାଇଲି । ତସୁରିକ୍‍ର ବିଖ୍ୟାତ ମନୋବିଶ୍ଳେଷକ ମୋର ବନ୍ଧୁ ଡାକ୍ତର ଫିଷ୍ଟର୍‍ଙ୍କର ସାଙ୍ଗରେ ଦିନକର ସାକ୍ଷାତ ସହିତ ଏହି ପୁସ୍ତକଟିର ସ୍ମୃତି ଜଡ଼ିତ ରହିଚି । ୧୯୨୩ ଗ୍ରୀଷ୍ମଋତୁର ପ୍ରାରମ୍ଭରେ ସୁଇଜର୍‍ଲାଣ୍ଡ ଭିତର ଦେଇ ଥରେ ପଶ୍ଚିମରୁ ପୂର୍ବକୁ ଯାତ୍ରା କରୁଥିବାବେଳେ ତସୁରିକ୍‍ଠାରେ ମୋତେ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ଓ ସେହି ସୁଯୋଗ ନେଇ ମୁଁ ଡାକ୍ତର ଫିଷ୍ଟରଙ୍କ ସହିତ ସାକ୍ଷାତ କରିବାକୁ ଯାଇଥିଲି । ସେ ପ୍ରଥମେ ମୋତେ ପାନୀୟ ଆପ୍ୟାୟନ ଦେଇ ମୋର ତୃଷା ନିବାରଣ କଲେ ଏବଂ ବିଛଣାଉପରେ ଲମ୍ବାହୋଇ ପଡ଼ି ରହି ମୋତେ ମୋର ଶରୀରର କ୍ଳାନ୍ତି ଅପନୋଦନ କରିବାର ସୁଯୋଗ ଦେଇଥିଲେ । ତା’ପରେ ମୋର ଶୈଶବକାଳର ଯେଉଁସବୁ ସ୍ମୃତି ମୋର ସେତେବେଳେ ମନେ ପଡ଼ୁଥିଲା, ସେଗୁଡ଼ିକୁ ମୁକ୍ତଭାବରେ କହିଯିବାକୁ ସେ ମୋତେ ଅନୁରୋଧ କଲେ । ଯୁବକମାନଙ୍କ ପାଇଁ ପ୍ରକାଶିତ କୌଣସି ଏକ ପତ୍ରିକା ପାଇଁ ସେ ଏହା ସଂଗ୍ରହ କରିବାକୁ ଯାଉଚନ୍ତି ବୋଲି ମୋତେ କହିଥିଲେ । ତାହାର ଅଳ୍ପଦିନ ପରେ ସେହି ଦୁଇଘଣ୍ଟା ଭିତରେ ଠାରଲିପିରେ ସେ ମୋ’ଠାରୁ ଯାହା ଲେଖି ନେଇଥିଲେ, ତାହାର ଏକ ନକଲ ମୋ’ପାଖକୁ ପଠାଇ ଦେଇଥିଲେ । ତାହା ସହିତ ଆହୁରି କେତେକ ବିଷୟ ଯୋଡ଼ି ମୁଁ ବିଷୟଟିକୁ ସମ୍ପୂର୍ଣ୍ଣ କରିବାକୁ ଇଚ୍ଛା କରୁଥିଲି, ତେଣୁ ହଠାତ୍ ତାହାକୁ କୌଣସି ପ୍ରତିକାରେ ଛାପିବା ଲାଗି ନଦେବାକୁ ମୁଁ ତାଙ୍କୁ ମନାକରି ପଠାଇଲି । ତା’ପରେ, ଆଫ୍ରିକା ଯାତ୍ରା କରିବା ଉଦ୍ଦେଶ୍ୟରେ ଦିନେ ରବିବାର ଉପରଓଳି ବସି,–ସେତେବେଳେ ପାଣି ଓ ବରଫର ତୁହାକୁ ତୁହା ବୃଷ୍ଟି ଲାଗି ରହିଥାଏ,–ଡାକ୍ତର ପିଷ୍ଟରଙ୍କର ଆଗରେ ବର୍ଣ୍ଣନା କରିଥିବା କାହାଣୀକୁ ମୁଁ ପୂରଣ କରିଦେଲି । ପଛକୁ ଅନାଇ ମୋର ଯୌବନସମୟ ଉପରେ ଦୃଷ୍ଟିପାତ କରୁକରୁ ମୋର ମାନସପଟରେ ଯେଉଁସବୁ ଭାବନାର ଉଦୟ ହୋଇଥିଲା, ସେଗୁଡ଼ିକୁ ମୁଁ ଲିପିବଦ୍ଧ କରି ପକାଇଲି-। ୧୯୨୪ ଖ୍ରୀଷ୍ଟାବ୍ଦରେ ମୋର ଶୈଶବ ଓ ଶୈଶବ ଓ ଯୌବନକାଳ (Aus meiner Kindheit and Jugendheit), ନାମରେ ପୁସ୍ତକଟି ପ୍ରକାଶିତ ହେଲା । ପରେ ଇଂରାଜୀ, ସୁଇଡିଶ୍, ଓଲନ୍ଦାଜୀ, ଡେନିଶ୍ ଓ ଫରାସୀଗୁଡ଼ିକ ମଧ୍ୟ ବାହାରିଥିଲା ।

☆☆☆

 

Unknown

ଆଫ୍ରିକାରେ ଦ୍ଵିତୀୟ ପର୍ବ ୧୯୨୪-୧୯୨୭

 

୧୯୨୪ ମସିହା ଅକ୍ଟୋବର ୧୪ ତାରିଖରେ ମୁଁ ଷ୍ଟ୍ରାସ୍‍ବୁର୍ଗ୍‍ ଛାଡ଼ିଲି । ଅସୁସ୍ଥତା ହେତୁ ମୋର ସ୍ତ୍ରୀ ଏଥର ମୋ’ ସହିତ ଯାଇପାରିଲେ ନାହିଁ । ଏପରି ପରିସ୍ଥିତିମାନ ଦେଖିସାରିବା ପରେ ମଧ୍ୟ ଲାମ୍ବାରେନେଠାରେ ଦ୍ଵିତୀୟ ବାର କାର୍ଯ୍ୟ ଆରମ୍ଭ କରିବାଲାଗି ଯେ ସେ ମୋତେ ସମ୍ମତି ଦେଲେ, ସେଥିଲାଗି ତାଙ୍କ ପାଖରେ ମୁଁ କୃତଜ୍ଞ ରହିଥିବି । ଅକ୍ସଫୋର୍ଡ଼ରେ ରସାୟନଶାସ୍ତ୍ର ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏଥର ମୋ’ ସହିତ ଯାଉଥିଲେ । ମୋ’ ପାଖରେ କିଛିଦିନ ରହି ମୋତେ କାର୍ଯ୍ୟରେ ସାହାଯ୍ୟ କରିବାଲାଗି ତାଙ୍କର ମାଆ ତାଙ୍କୁ ମୋ’ ସହିତ ପଠାଇଥିଲେ ।

 

ବୋର୍ଦୋରୁ ଜାହାଜଯାତ୍ରା କରି ଗଲାବେଳେ ମାଲପତ୍ର ତଦାରଖ କରି ଦେଖୁଥିବା ଶୁଳ୍କବିଭାଗର କର୍ମଚାରୀ ମୋ’ ଉପରେ କାହିଁକି ଭାରି ସନ୍ଦେହ କରିଥିଲେ । ଉତ୍ତର ଦିଆଯାଇ ନଥିବା ଦୁଇବସ୍ତା ଚିଠି ମୁଁ ସାଙ୍ଗରେ ନେଇ ଯାଉଥିଲି । ବାଟରେ ଜାହାଜ ଉପରେ କ୍ରମେ ସେଗୁଡ଼ିକର ଉତ୍ତର ଲେଖିବି ବୋଲି ମୁଁ ମନସ୍ଥ କରିଥିଲି । ଏତେଗୁଡ଼ାଏ ଚିଠି ପାଖରେ ଥିବା କୌଣସି ଯାତ୍ରୀକୁ ଅଫିସର୍‍ ଆଗରୁ କେବେ ଦେଖି ନଥିଲେ, ତେଣୁ ସେ ତତ୍‍କ୍ଷଣାତ୍ ସନ୍ଦେହ କରି ପକାଇଲେ ଯେ ଏହି ଚିଠିଗୁଡ଼ିକ ଭିତରେ ମୁଁ ଫରାସୀମୁଦ୍ରା ଲୁଚାଇକରି ନେଉଚି । ସେତେବେଳେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଫରାସୀ ମୁଦ୍ରା ନେଇ ଯିବା ନିଷିଦ୍ଧ ଥିଲା, କେବଳ ୫୦୦୦ ଫ୍ରାଙ୍କରୁ ଅଧିକ ମୁଦ୍ରା ନେଇ ଯିବାକୁ କାହାରିକୁ ଅନୁମତି ମିଳୁନଥିଲା । ତେଣୁ ସେ ଦୀର୍ଘ ଦେଢ଼ଘଣ୍ଟା ନିକିମା ହୋଇ ଗୋଟିକପରେ ଗୋଟିଏ ଚିଠି ଖୋଲିକରି ଦେଖିବାକୁ ଲାଗିଲେ । ଦ୍ଵିତୀୟ ବସ୍ତାଟି ପ୍ରାୟ ସରିଆସିବା ବେଳକୁ ବୋଧହୁଏ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା ଏବଂ ଆଉ ଅଧିକ ଦେଖିବା ନିଷ୍ପ୍ରୟୋଜନ ବୋଲି ମନେକରି ସେ ତାଙ୍କର ତଦାରଖ ବନ୍ଦ କରିଦେଲେ ।

 

ହଲାଣ୍ଡ ଦେଶର ଏକ ମାଲବାହି ଜାହାଜରେ ଏଥର ମୁଁ ଯାତ୍ରା କରୁଥିଲି, ତେଣୁ ଏଥର ମୋତେ ପଶ୍ଚିମ ଆଫ୍ରିକାର ଉପକୂଳସ୍ଥ ସ୍ଥାନଗୁଡ଼ିକୁ ଉତ୍ତମରୂପେ ଜାଣିବାର ବେଶ୍‍ ସୁଯୋଗ ମିଳିଥିଲା । ଶେଷରେ ଏପ୍ରିଲ ୧୯ତାରିଖ ଦିନ ଠିକ୍ ସୂର୍ଯ୍ୟ ଉଠିଲା ବେଳକୁ ମୁଁ ପୁଣି ଲାମ୍ବାରେନେଠାରେ ପହଞ୍ଚିଲି ।

 

ଟିଣତିଆରି ଘର ଓ ଆଉ ଗୋଟିଏ କଚ୍ଚାଘରର କାଠବୁଣାଟ ବ୍ୟତୀତ ଡାକ୍ତରଖାନାର ସବୁ ଘର ଭାଙ୍ଗିରୁଜି ଯାଇଥିଲା । ଡାକ୍ତରଖାନାରୁ ଡାକ୍ତରଙ୍କର ବଙ୍ଗଳାକୁ ଯାଇଥିବା ରାସ୍ତାଟିରେ ଏହି ସାତବର୍ଷଭିତରେ ଏତେ ବଣବୁଦା ହୋଇଯାଇଥିଲା ଯେ ମୁଁ ରାସ୍ତାଟିକୁ ଆଦୌ ଠଉରାଇ ପାରିଲିନାହିଁ । ବଙ୍ଗଳାଟିର ଚାଳ ପଚିସଢ଼ି ଅନେକ ଜାଗାରେ କଣା ହୋଇଯାଇଥିଲା, ତେଣୁ ସେଇଟିର ଅତ୍ୟାବଶ୍ୟକ ମରମତିମାନ କରିଦେବା ମୋର ପ୍ରଥମ କାମ ହେଲା । ଏପର୍ଯ୍ୟନ୍ତ ଭାଙ୍ଗି ପଡ଼ି ନଥିବାରୁ ଦୁଇଟି ଡାକ୍ତରଖାନା ଘରକୁ ମଧ୍ୟ ମରାମତି କରିବାକୁ ହେବ । ତା’ପରେ ଅନ୍ୟାନ୍ୟ ଘରଗୁଡ଼ାକୁ ଉଠାଉ ପୁଣି ଠିଆ କରାଇବାକୁ ହେଲା । ଏହିସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୋର କେତେମାସ ସମୟ ବିତିଗଲା । ଏହିସବୁ କାମ ଫଳରେ ଏତେ କ୍ଳାନ୍ତ ମଧ୍ୟ ଲାଗୁଥିଲା ଯେ ଆଗରୁ ଯୋଜନା କରି ରଖିଥିବା ଅନୁସାରେ ମୁଁ ରାତିରେ ‘ସନ୍ଥ ପଲ୍‍ଙ୍କର ଈଶ୍ଵରାତ୍ମବାଦ’ ପୁସ୍ତକଟିର ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ ଆଉ କୌଣସି ସମୟ ଦେଇପାରିଲି ନାହିଁ । ୧୯୧୧ ମସିହାରେ ଏହି ପୁସ୍ତକଟିର ଲେଖା ଆରମ୍ଭ ହୋଇଥିଲା ଏବଂ ଦ୍ଵିତୀୟବାର ପାଇଁ ମୁଁ ଏଥର ପାଣ୍ଡୁଲିପିଟିକୁ ସାଙ୍ଗରେ ଆଫ୍ରିକା ନେଇ ଆସିଥିଲି ।

 

ଏହି କେତୋଟି ମାସ ମୋତେ ନିୟମିତଭାବେ ସକାଳଓଳି ଡାକ୍ତର ଓ ଉପର ଓଳି ବଢ଼େଇ ମିସ୍ତ୍ରୀ ହେବାକୁ ପଡ଼ିଲା । ଆଗଥର ପରି ଏଥର ମଧ୍ୟ ମୋତେ ସାହାଯ୍ୟ କରିବାକୁ କୌଣସି ମୂଲିଆ ମିଳିଲେ ନାହିଁ । କାରଣ ଯୁଦ୍ଧଯରେ ପୁଣି ଭାରି ଜୋରସୋରରେ କାଠବେପାର ଆରମ୍ଭ ହୋଇଯାଇଥିଲା ଏବଂ ସ୍ଥାନୀୟ ସମସ୍ତ ମଜୁରିଆମାନେ ଏହିଥିରେ ହିଁ କାମ କରୁଥିଲେ ।

 

ଡାକ୍ତରଖାନାରେ ପଡ଼ିଥିବା ରୋଗୀମାନଙ୍କ ସହିତ ଯେଉଁ ଲୋକମାନେ ଆସିଥିଲେ ଓ ରୋଗୀମାନଙ୍କ ପାଖରେ ରହିଥିଲେ, ଯେଉଁମାନେ ରୋଗମୁକ୍ତ ହୋଇ କ୍ରମେ ସୁସ୍ଥ ହୋଇ ଆସୁଥିଲେ, ସେହିମାନଙ୍କୁ ‘ସ୍ଵେଚ୍ଛାସେବକ’ ସହାୟକ ହିସାବରେ ମୋତେ ଗ୍ରହଣ କରିବାକୁ ପଡ଼ିଥିଲା । ଅବଶ୍ୟ ସେମାନେ ଆଦୌ ଉତ୍ସାହର ସହିତ କାମ କରୁନଥିଲେ, କାମ ପଡ଼ିବା ଦିନମାନଙ୍କରେ ମଧ୍ୟ ବେଳେବେଳେ ସେମାନେ ଡାକ୍ତରଖାନାରୁ ଖସି ପଳାଇ ଏଣେତେଣେ ଲୁଚି ରହୁଥିଲେ ।

 

ଅଳ୍ପ କେତେଦିନ ପରେ ଥରେ ଜଣେ କାଠବେପାରୀ ଆମ ସହିତ ମଧ୍ୟାହ୍ନଭୋଜନ କରିବାକୁ ଆସିଥିଲେ, ଅନେକ ବର୍ଷ ଆଫ୍ରିକାରେ ରହିବା ଫଳରେ ସେ ପ୍ରାୟ ଆଫ୍ରିକାବାସୀ ହୋଇ ସାରିଥିଲେ । ଖାଇସାରିବା ପରେ ମୋତେ ଦୁଇପଦ ଭଲକଥା କହିବାକୁ ବୋଧହୁଏ ତାଙ୍କର ମନ ହେଲା । ସେ କହିଲେ, “ଡାକ୍ତର, ତୁମେ ଭାରି ବଢ଼ିଆ ହାରମୋନିଅମ୍ ବଜାଇପାର ବୋଲି ମୁଁ ଜାଣିଚି । ମୋତେ ମଧ୍ୟ ସଙ୍ଗୀତ ଭାରି ଭଲ ଲାଗେ । ତେଣୁ ଧୂମାଳ ଆରମ୍ଭ ହେବା ପୂର୍ବରୁ ଯଦି ମୋତେ ଘରେ ଯାଇ ପହଞ୍ଚିବାକୁ ପଡ଼ି ନଥାନ୍ତା, ତେବେ କିଛି ସଙ୍ଗୀତ ବଜାଇ ମୋତେ ଶୁଣାଇବାକୁ ତୁମକୁ ମୁଁ ନିଶ୍ଚୟ ଅନୁରୋଧ କରିଥାନ୍ତି ।’’

 

ରୋଗୀଙ୍କର ସଂଖ୍ୟା ଦିନକୁଦିନ ବଢ଼ି ଚାଲିଥାଏ । ତେଣୁ ୧୯୨୪ ଓ ୧୯୨୫ରେ ମୁଁ ଇଉରୋପରୁ ଦୁଇଜଣ ଡାକ୍ତର ଓ ଦୁଇଜଣ ଧାତ୍ରୀ ମଗାଇ ପଠାଇଲି ।

 

୧୯୨୫ ଶରତ ସମୟକୁ ଡାକ୍ତରଖାନାର ମରାମତି କାମ ସମ୍ପୂର୍ଣ୍ଣ ହୋଇଗଲା । ଏଥର ମୁଁ ମୋର ରାତିସମୟଟା ବହିପାଇଁ ଦେଇ ପାରିବି ବୋଲି ଚିନ୍ତା କରୁଥାଏ । ଠିକ୍ ଏତିକିବେଳେ ଏକ ଦାରୁଣ ଦୁର୍ଭିକ୍ଷ ପଡ଼ିଲା । ଚାରିଆଡ଼େ କାଠବେପାରର ପେଣ୍ଠମାନଙ୍କରେ ସମସ୍ତେ ଆସି ମଜୁରି ଲାଗିବା ଫଳରେ କୃଷିକାର୍ଯ୍ୟ କରି ଖାଦ୍ୟଦ୍ରବ୍ୟ ଉତ୍ପନ୍ନ କରିବା କାମକୁ ସମସ୍ତେ ଅବେହଳା କରି ପକାଇଥିଲେ ଓ ତେଣୁ ବର୍ତ୍ତମାନ ଦୁର୍ଭିକ୍ଷ ପଡ଼ିଲା । ତହିଁ ସଙ୍ଗେ ସଙ୍ଗେ ଅତି ବ୍ୟାପକ ଭାବରେ ଚାରିଆଡ଼େ ରକ୍ତାମାଶୟ ମଧ୍ୟ ଆରମ୍ଭ ହୋଇଗଲା । ଏଣୁ ମାସମାସ ଧରି ମୋତେ ଓ ମୋର ସହାଯ୍ୟକାରୀମାନଙ୍କୁ ସେଥିରେ ସମସ୍ତେ ସମୟ ବ୍ୟସ୍ତ ରହିବାକୁ ପଡ଼ିଲା । ଡେନମାର୍କ ଓ ସୁଇଡେନ୍‍ରୁ ଆମକୁ ଉପହାର ମିଳିଥିବା ଦୁଇଟିଯାକ ମୋଟରବୋଟରେ ଚଢ଼ି ଆମକୁ ଏକାଧିକବାର ନାନାଆଡ଼େ ଯିବାକୁ ପଡ଼ିଥିଲା ଓ ଯେଉଁଠି ଯାହା ମିଳିଲା, ସବୁଠାରୁ ଚାଉଳ ସଂଗ୍ରହ କରି ଆଣିବାକୁ ପଡ଼ିଲା । ଡାକ୍ତରଖାନାର ବାସିନ୍ଦାମାନଙ୍କୁ ଖାଇବାକୁ ଦେବାଲାଗି ଆଉ କିଛି ନମିଳିଲେ ଅନ୍ତତଃ ଚାଉଳ ଦେଇ ଓ ସେମାନଙ୍କର ଜୀବନରକ୍ଷା କରାଯାଇ ପାରିବ !

 

X X X X

 

ବ୍ୟାପକ ରକ୍ତାମାଶୟର ଚିକିତ୍ସା କରିବା ଫଳରେ ମୋର ଯେଉଁ ଅନୁଭୂତି ହେଲା, ସେଥିରୁ ମୁଁ ଭଲକରି ଜାଣିଲି ଯେ ମୋତେ ଡାକ୍ତରଖାନାକୁ ଏକ ଅଧିକ ପ୍ରଶସ୍ତ ସ୍ଥାନକୁ ଉଠାଇନେବାକୁ ପଡ଼ିବ । ବର୍ତ୍ତମାନ ଡାକ୍ତରଖାନା ଚାଲୁଥିବା ସ୍ଥାନରେ ଡାକ୍ତରଖାନାକୁ ବଢ଼ାଇବାଲାଗି ମିସନ୍‍ ଅଧୀନରେ ଆଉ ଜମି ନଥିଲା, କାରଣ ଆମ ଚାରିପାଖରେ ପାଣି, ସନ୍ତସନ୍ତିଆ ଓ ଉଚ୍ଚ ତୀଖ ପର୍ବତ ବେଢ଼ି ରହିଥିଲା । ଏତିକି ସ୍ଥାନରେ ଯେତିକି ଘର ତିଆରି ହୋଇପାରିଲା, ସେଥିରେ ମାତ୍ର ଆରମ୍ଭ ସମୟପାଇଁ ପଚାଶଜଣ ରୋଗୀ ଓ ସେମାନଙ୍କର ସେବକାରୀମାନଙ୍କ ଲାଗି ଯଥେଷ୍ଟ ସ୍ଥାନ ଯୋଗାଇବା ସମ୍ଭବ ହେଲା । କିନ୍ତୁ ବର୍ତ୍ତମାନ ତ ପ୍ରତିଦିନ ଦେଢ଼ଶହ ରୋଗୀ ଆସୁଥିଲେ, ସେମାନଙ୍କୁ ସ୍ଥାନ ଦେବାକୁ ଆମର ଘର ଓ ଅନ୍ୟାନ୍ୟ ବ୍ୟବସ୍ଥା କାହିଁ ?

 

ଘର ମରାମତି କରୁଥିବାବେଳେ ଅବଶ୍ୟ ମୁଁ ମନେମନେ ସେହି କଥା ଭାବିଥିଲି । କିନ୍ତୁ ହୁଏତ ରୋଗୀମାନେ ସବୁଦିନେ ଏପରି ଅଧିକ ସଂଖ୍ୟାରେ ଆସିବେ ବୋଲି ମୋର ଆଦୌ ଆଶଙ୍କା ହୋଇ ନଥିଲା । ବର୍ତ୍ତମାନ ଚାରିଆଡ଼େ ରକ୍ତାମାଶୟ ଲାଗିବା ଫଳରେ ଡାକ୍ତରଖାନା ପାଇଁ ଏକ ନୂତନ ବିପଦ ଆସି ପହଞ୍ଚିଲା । ସଂକ୍ରାମକ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ରଖି ଚିକିତ୍ସା କରିବା ଲାଗି ଆମର ସ୍ଵତନ୍ତ୍ର ଘରର ବ୍ୟବସ୍ଥା ନଥିଲା । ତେଣୁ ରକ୍ତାମାଶୟ ରୋଗୀମାନଙ୍କୁ ଅଲଗାକରି ରଖିବା ଆଦୌ ସମ୍ଭବ ହେଲାନାହିଁ ଓ ଫଳରେ ଅନ୍ୟ ରୋଗୀମାନେ ମଧ୍ୟ ରକ୍ତାମାଶୟ ରୋଗରେ ସଂକ୍ରାମିତ ହୋଇ ପଡ଼ିଲେ । ଏହା ଏକ ଭୟଙ୍କର ପରୀକ୍ଷାର ସମୟ ଥିଲା !

 

ମାନସିକ ରୋଗୀମାନଙ୍କ ପାଇଁ ମଧ୍ୟ ଆମେ ଯଥେଷ୍ଟ ସ୍ଥାନ ଯୋଗାଇ ପାରୁ ନଥିଲୁ । ଅନେକ ସମୟରେ ବିପଜ୍ଜନକ ପାଗଳ ରୋଗୀମାନଙ୍କୁ ମୁଁ ଡାକ୍ତରଖାନାରେ ଗ୍ରହଣ କରିପାରୁ ନଥିଲି, କାରଣ ଡାକ୍ତରଖାନାର ଦୁଇଟିଯାକ ଘର ସବୁବେଳେ ପୂର୍ଣ୍ଣ ହୋଇ ରହିଥିଲା ।

 

ତେଣୁ ଅତି ବ୍ୟଥିତ ହୃଦୟରେ ମୁଁ ଡାକ୍ତରଖାନାକୁ ନଦୀର ଆହୁରି ପ୍ରାୟ ଦୁଇମାଇଲ ଉପରକୁ ଉଠାଇ ନେବାକୁ ସ୍ଥିର କଲି । ସେଠାରେ ଡାକ୍ତରଖାନାକୁ ଇଚ୍ଛାନୁରୂପ ବଢ଼ାଇପାରିବା ପାଇଁ ଯଥେଷ୍ଟ ଜାଗା ପଡ଼ି ରହିଥିଲା । ମୋର କାମକୁ ସହାୟତା କରୁଥିବା ବଦାନ୍ୟ ବ୍ୟକ୍ତିମାନଙ୍କ ଉପରେ ମୋର ଖୁବ୍ ବିଶ୍ଵାସ ରହିଥିଲା । ସେହି ବିଶ୍ଵାସରେ ପରିଚାଳିତ ହୋଇ ମୁଁ ଆଗରୁ ଥିବା ବାଉଁଶ ବୁଣାଇ ଓ ପତର ଛପରର କଚ୍ଚାଘର ବଦଳରେ ଏଥର କେବଳ ଟିଣଘର କରିବାକୁ ସାହସୀ ହୋଇଥିଲି । କାରଣ କଚ୍ଚାଘରଗୁଡ଼ିକୁ ପ୍ରାୟ ସବୁବେଳେ ମରାମତି କରିବାକୁ ପଡ଼ୁଥିଲା । ନଈବଢ଼ିର ଭୟ ମଧ୍ୟ ସବୁବେଳେ ରହିଥିଲା । ବର୍ଷାଦିନେ ଧୂମାଳପରେ ପ୍ରାୟ ପ୍ରତ୍ୟେକ ଦିନ ବର୍ଷପାଣିର ପ୍ରବଳ ଖରସ୍ରୋତ ପାହାଡ଼ ଉପରୁ ତଳକୁ ଛୁଟି ଆସୁଥିଲା । ଡାକ୍ତରଖାନାର ଘରଗୁଡ଼ିକୁ ଏ ସବୁଥିରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମୋତେ ଏକ ଆଧୁନିକ ପ୍ରାଗୈତିହାସିକ ମଣିଷ ପରି ଉଚ୍ଚ ମୂଳଦୁଆ ଉପରେ ଟିଣଘରର ଗୋଟିଏ ଛୋଟିଆ ବସ୍ତି ତିଆରି କରିବାକୁ ପଡ଼ିଲା-

 

ମୋର ସହକର୍ମୀ ଡାକ୍ତରମାନେ ବର୍ତ୍ତମାନ ଡାକ୍ତରଖାନାର ସମସ୍ତ ଦାୟିତ୍ଵ ବହନ କରୁଥିଲେ । ତେଣୁ ବର୍ତ୍ତମାନ ପ୍ରାୟ ଦେଢ଼ବର୍ଷ ସକାଶେ ମୋତେ ନୂଆ ଜାଗାରେ ଜଙ୍ଗଲ କାଟି ପରିଷ୍କାର କରୁଥିବା ମଜୁରିଆମାନଙ୍କର ତତ୍ତ୍ଵାବଧାରକ ହେବାକୁ ପଡ଼ିଲା । ରୋଗୀମାନଙ୍କର ସାଙ୍ଗରେ ଆସିଥିବା ଲୋକ ଓ କ୍ରମେ ସୁସ୍ଥ ହୋଇ ଆସୁଥିବା ଲୋକମାନଙ୍କୁ ‘ସ୍ଵେଚ୍ଛାସେବକ’ ରୂପେ ଗ୍ରହଣ କରି ଏହି କାମ ଚାଲିଲା । ଏହି ସ୍ଵେଚ୍ଛାସେବକ ବାହିନୀରେ ପ୍ରତ୍ୟେକ ଦିନ ନୂଆ ନୂଆ ଲୋକ ଆସି ପହଞ୍ଚୁଥିଲେ । ସେମାନେ ‘ପୁରୁଣା ଡାକ୍ତର’ ବ୍ୟତୀତ ଆଉ କାହାରି କଥାରେ ବାଧ୍ୟ ହେଉ ନଥିଲେ ବୋଲି ଅଗତ୍ୟା ମୋତେ ସେମାନଙ୍କର ତତ୍ତ୍ଵାବଧାନ କରିବାର ଦାୟିତ୍ଵ ନେବାକୁ ପଡ଼ିଲା । ଗଛ କାଟୁଥିବା ଏକ ଶ୍ରମିକ-ବାହିନୀର ସର୍ଦ୍ଦାର ହୋଇ କାମ କରୁଥିବା ସମୟରେ ପ୍ରାଗ୍‍ର ଜର୍ମାନ୍ ବିଶ୍ଵବିଦ୍ୟାଳୟର ଦର୍ଶନ-ବିଭାଗ ମୋତେ ଏକ ସମ୍ମାନସୂଚକ ଡାକ୍ତର ଡିଗ୍ରୀରେ ଭୂଷିତ କରିଚନ୍ତି ବୋଲି ଦିନେ ମୋତେ ଖବର ମିଳିଥିଲା ।

 

ଘର ତିଆରି କରିବାର ନୂଆ ଜାଗାଟି ପରିଷ୍କାର ହୋଇସାରିବା ସଙ୍ଗେ ସଙ୍ଗେ ତାହାରି ନିକଟବର୍ତ୍ତୀ ଭୂମିକୁ ମଧ୍ୟ ମୁଁ କୃଷିଯୋଗ୍ୟ କରିବାକୁ ଆରମ୍ଭ କରିଦେଲି । ଜଙ୍ଗଲ କାଟି ଜମି ତିଆରି କରିବାରେ ପ୍ରକୃତରେ ମୋତେ କି ଆନନ୍ଦ ନ ମିଳିଲା ।

 

ଡାକ୍ତରଖାନର ଚତୁର୍ଦ୍ଦିଗରେ ଏକ ନନ୍ଦନକାନନ ନିର୍ମାଣ କରିବାଲାଗି ସେହି ଦିନଠାରୁ ବର୍ଷବର୍ଷ ଧରି ଆମେ କାମ କରି ଆସିବୁ । ତାଡ଼ ପକାଇ ଆମେ ଶହଶହ ଫଳଗଛ ଆଣି ଏଥିରେ ଲଗାଇଚୁ । ଭବିଷ୍ୟତରେ ଏଠାରେ ଏତେ ପ୍ରଚୁର ଫଳ ଫଳିବ ଯେ ଯାହାର ଯେତେ ଇଚ୍ଛା ଫଳ ତୋଳି ଖାଇବା ସମ୍ଭବ ହୋଇ ପାରିବ । ସେତେବେଳେ ଚୋରିକରି ଖାଇବାର ଅପରାଧ ବିସ୍ମୃତ ହୋଇଯିବ । ବର୍ତ୍ତମାନ ଆମର ଅମୃତଭଣ୍ଡା ଗଛଗୁଡ଼ିକ ଫଳିବାକୁ ଆରମ୍ଭ କଲାଣି । ଡାକ୍ତରଖାନାର ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଅମୃତଭଣ୍ଡା ବର୍ତ୍ତମାନ ଫଳୁଚି । ଆଗରୁ ଜଙ୍ଗଲଭିତରେ ଆମ୍ବ ଓ ତେଲଖଜୁରି ଗଛମାନ ଭର୍ତ୍ତିହୋଇ ରହିଥିଲା, ବର୍ତ୍ତମାନ ସେଗୁଡ଼ିକର ଚାରି ପାଖରୁ ଅନ୍ୟାନ୍ୟ ବଣବୁଦା କାଟି ପରିଷ୍କାର କରିଦେବା ଫଳରେ ସେଗୁଡ଼ିକରେ ମଧ୍ୟ ପ୍ରତିବର୍ଷ ବଉଳ ଧରିଲାଣି । ଆଗରୁ ନାନାପ୍ରକାର ଜଙ୍ଗଲି ଲଟିମାନ ସେଗୁଡ଼ିକର ଶାଖା ପ୍ରଶାଖାରେ ମାଡ଼ି ସେଗୁଡ଼ିକୁ ଏକାବେଳେକେ ଛନ୍ଦି କରି ରଖିଥିଲେ, ଅନ୍ୟାନ୍ୟ ରକ୍ଷାସାକାର ଗଛମାନେ ଏଗୁଡ଼ିକୁ ଛାଇପରି ରହିଥିଲେ । କିନ୍ତୁ ସେଗୁଡ଼ିକୁ କାଟି ପରିଷ୍କାର କରିଦେବା ସଙ୍ଗେ ସଙ୍ଗେ ଏଗୁଡ଼ିକ ପୁଣି ଫଳବନ୍ତ ହେବାକୁ ଆରମ୍ଭ କଲେ ।

 

ଅବଶ୍ୟ ଏହି ଫଳାଗଛଗୁଡ଼ିକ ଅରଣ୍ୟର ଆଦିମ ଉଦ୍ଭିଦ ନଥିଲେ । ଆଗେ ଗାଆଁଟି ଠିକ୍ ନଦୀକୂଳରେ ଅବସ୍ଥିତ ଥିଲା ଏବଂ ଗାଆଁରୁ ଆମ୍ବ ଟାକୁଆ ଜଙ୍ଗଲରେ ପଡ଼ି ଆମ୍ବଗଛମାନ ହୋଇଥିଲା । ଆଖ ପାଖରେ ଥିବା ଗାଆଁମାନଙ୍କରୁ ଶୁଆମାନେ ଥଣ୍ଟରେ ତେଲଖଜୁରି ଧରି ଜଙ୍ଗଲରୁ ଉଡ଼ି ଆସୁଥିଲେ, ସେମାନଙ୍କ ଥଣ୍ଟରୁ ସେଗୁଡ଼ିକ ତଳକୁ ଖସିପଡ଼ି ତେଲଖଜୁରି ଗଛ ହୋଇଥିଲା । ବିଷୁବମଣ୍ଡଳୀୟ ଜଙ୍ଗଲରେ ଖାଇବାଯୋଗ୍ୟ କୌଣସି ଫଳର ଗଛ ଦେଖିବାକୁ ମିଳେନାହିଁ । ଜଙ୍ଗଲରେ ଯାଉ ଯାଉ ଯଦି ବାଟୋଇର ଖାଇବା ଜିନିଷ ହଠାତ୍ ସରିଗଲା, ତେବେ ଉପବାସ ରହିବା ଛଡ଼ା ତାହାର ଆଉ ଗତ୍ୟନ୍ତର ନଥାଏ । ଅବଶ୍ୟ ବର୍ତ୍ତମାନ ଆଫ୍ରିକାର ଜଙ୍ଗଲରେ କଦଳୀ, ତେଲଖଜୁରି ଓ ଆମ୍ବ ପ୍ରଭୃତି କେତେକ ଖାଇବାଯୋଗ୍ୟ ଫଳର ଗଛ ଦେଖିବାକୁ ମିଳେ, କିନ୍ତୁ ସେଗୁଡ଼ିକର ଜନ୍ମ ବିଷୁବମଣ୍ଡଳୀୟ ଆଫ୍ରିକାରେ ହୋଇନାହିଁ । ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ବା ଅନ୍ୟାନ୍ୟ ଗ୍ରୀଷ୍ମମଣ୍ଡଳୀୟ ଦେଶରୁ ଇଉରୋପୀୟମାନଙ୍କ ଜରିଆରେ ହିଁ ଏସବୁ ଆଫ୍ରିକାରେ ପ୍ରବେଶ କରିଚି ।

 

ଏଠିକାର ଜଳବାୟୁ ଏତେ ସନ୍ତସନ୍ତିଆ ଓ ଗରମ ଯେ ଏଠାରେ ଫଳ ସାଇତି ରଖିବା ଏକାବେଳକେ ଅସମ୍ଭବ । ଫଳ ତୋଳି ଘରକୁ ଆଣିବା ମାତ୍ରକେ ଏହି ଦେଶରେ ତାହା ସଢ଼ିବାକୁ ଆରମ୍ଭ କରେ ।

 

ଡାକ୍ତରଖାନାର ରୋଗୀମାନଙ୍କ ଲାଗି ପ୍ରତିଦିନ ଅନେକ ପରିମାଣରେ କଦଳୀ ଦରକାର । ତେଣୁ ଆମର ‘ନନ୍ଦନ କାନନ’ ସତ୍ତ୍ୱେ ମୋତେ ବାଧ୍ୟହୋଇ ଚତୁର୍ଦ୍ଦିଗରେ ଥିବା ଗାଆଁମାନଙ୍କରୁ କଦଳୀ ସଂଗ୍ରହ କରି ଆଣିବାକୁ ହୁଏ । ପାଣିକୂଳରେ ଅବସ୍ଥିତ ଥିବା ଆଦିବାସୀମାନଙ୍କର ବଗିଚାରୁ ଆଦିବାସୀମାନେ ଯେଉଁ କଦଳୀ ଆଣି ମୋତେ ଦିଅନ୍ତି, ମଜୁରିଆକୁ ମଜୁରି ଦେଇ ମୁଁ ବଗିଚାରେ ଫଳଉଥିବା କଦଳୀ ମୋତେ ତାହାଠାରୁ ଅଧିକ ମହଙ୍ଗା ପଡ଼େ । କିନ୍ତୁ ଆଦିବାସୀମାନଙ୍କର ନିଜର କୌଣସି କଦଳୀଗଛ ଅଛି ବୋଲି କୁହାଯାଇ ନପାରେ । କାରଣ ସେମାନେ ଗୋଟାଏ ଜାଗାରେ ସ୍ଥାୟୀ ହୋଇ ବାସ କରନ୍ତି ନାହିଁ । ଗୋଟାଏ ଗାଆଁ ଛାଡ଼ି ଆଉ ଗୋଟାଏ ନୂଆ ଗାଆଁକୁ ସେମାନଙ୍କର ସତତ ସ୍ଥାନ ପରିବର୍ତ୍ତନ ଚାଲିଥାଏ ।

 

କଦଳୀକୁ ମଧ୍ୟ ଅଧିକଦିନ ସାଇତି ରଖିବା ସମ୍ଭବ ନୁହେଁ । ତେଣୁ ଆଖପାଖ ଗାଆଁରେ କାଳେ ହଠାତ୍ ଫଳନ୍ତି କଦଳୀଗଛ ନମିଳିବ, ସେଥିପାଇଁ ମୁଁ ଡାକ୍ତରଖାନା ପାଇଁ ଚାଉଳ ମଧ୍ୟ ସଂଗ୍ରହ କରି ରଖିଥାଏ ।

 

ସାଙ୍ଗେସାଙ୍ଗେ ନୂଆ ଡାକ୍ତରଖାନାର ଘରଗୁଡ଼ିକ ତିଆରି କରିବା ଆରମ୍ଭ କରି ନ ଦେଇ ମୁଁ ପୁରୁଣା ଡାକ୍ତରଖାନାର ଘରଗୁଡ଼ିକୁ ଆଗ ମରାମତି କଲି ବୋଲି ମତେ କୌଣସି କ୍ଷତି ସହିବାକୁ ପଡ଼ି ନଥିଲା । ଏହାଦ୍ୱାରା ଆମକୁ ଏପରି ଅନେକ ଅଭିଜ୍ଞତା ମିଳିଲା, ଯାହାକି ବର୍ତ୍ତମାନ ଆମର ଅନେକ କାମରେ ଆସିଲା । ଘରତିଆରି ସମୟତକ କେବଳ ସ୍ଥାନୀୟ ଜଣେ କାରିଗର ଆମ ସହିତ ରହି ଆମ କାମରେ ସାହାଯ୍ୟ କରୁଥିଲା । ସେ ଜଣେ ବଢ଼େଇ, ତା’ର ନାଆଁ ମୋନେଞ୍ଜାଲି-। ସେ ସାଥିରେ ନଥିଲେ ମୁଁ କୌଣସି କାମ କରିପାରୁ ନଥାନ୍ତି । ଅବଶ୍ୟ ଶେଷ କେତେ ମାସପାଇଁ ମୁଁ ସୁଇଜର୍‍ଲାଣ୍ଡର ଜଣେ ଯୁବକ ବଢ଼େଇର ସାହାଯ୍ୟ ପାଇଥିଲି ।

 

ଦୁଇବର୍ଷ ପରେ ପୁଣି ଇଉରୋପ ଫେରିବି ବୋଲି ଯେଉଁ ଯୋଜନା ମୁଁ କରିଥିଲି, ଏଥର ମଧ୍ୟ ତାହା ସମ୍ଭବ ହୋଇପାରିଲା ନାହିଁ । ଏଥର ମୋତେ ସାଢ଼େ ତିନିବର୍ଷ ରହିବାକୁ ପଡ଼ିଲା । ଦିନଯାକ ଖରାରେ ଏପାଖ ସେପାଖ ହୋଇ ଓ ନାନପ୍ରକାର କାମରେ ବ୍ୟସ୍ତ ରହି ରାତିକୁ ମୋତେ ଏତେଦୂର କ୍ଳାନ୍ତ ଓ ଅବସନ୍ନ ଲାଗୁଥିଲା ଯେ ସେତେବେଳେ ସ୍ଥିର ହୋଇ ବସି କିଛି ଲେଖିପାରିବା ଆଦୌ ସମ୍ଭବ ହେଉ ନଥିଲା । କେବଳ ମୋର ଅର୍‍ଗାନ୍‍ ପାଖରେ ବସି କିଛି ସମୟ ଅଭ୍ୟାସ କରିବା ବ୍ୟତୀତ ଆଉ କୌଣସି କାମକୁ ମୋର ଶକ୍ତି ପାଉ ନଥିଲା । ତେଣୁ ‘ସନ୍ଥ ପଲ୍‍ଙ୍କର ଈଶ୍ଵରାତ୍ମାବାଦ’ ଯେଉଁଠି ଥିଲା ସେଇଠି ବାକି ରହିଲା । ଅବଶ୍ୟ ଏହି କେତେବର୍ଷ ମୁଁ ସଙ୍ଗୀତରେ କିଛି ଉନ୍ନତି କରି ପାରିଥିଲି ।

 

ଆଫ୍ରିକାରେ ମୋର ଏହି ଦ୍ଵିତୀୟ ପର୍ଯ୍ୟାୟରେ କାର୍ଯ୍ୟବିବରଣୀ ମୁଁ ମୋ’ର ‘ଲାମ୍ବାରେନେ ସମାଚାର’ (Mitteilungen aus Lambarene) ପୁସ୍ତକରେ ବର୍ଣ୍ଣନା କରିଚି । ଏହା ୧୯୨୪ ଶରତ କାଳରେ ପ୍ରକାଶିତ ହୋଇଥିଲା । ଏବେ ସୁଦ୍ଧା ଏହାର ସୁଇଡିଶ୍‍, ଇଂରାଜୀ, ଆମେରିକାନ୍ ଓ ଓଲନ୍ଦାଜୀ ସଂସ୍କରଣମାନ ବାହାରି ସାରିଚି । ବନ୍ଧୁ ଓ ହିତୈଷୀ ସାହାଯ୍ୟକାରୀମାନଙ୍କର ଗୋଚରକୁ ଆଣିବା ପାଇଁ ମୋର କାର୍ଯ୍ୟରୁ ମଝିରେ ମଝିରେ ମିଳୁଥିବା ଅବସର ସମୟରେ ମୁଁ ଯେଉଁ ସଂକ୍ଷିପ୍ତ ବିବରଣୀମାନ ଲେଖି ରଖୁଥିଲି, ଏହି ପୁସ୍ତକଟିରେ ସେହିଗୁଡ଼ିକ ହିଁ ଲିପିବଦ୍ଧ ହୋଇ ରହିଚି ।

 

ଇଉରୋପରେ ମୋର ଅବସ୍ଥିତି ସମୟରେ ଷ୍ଟ୍ରାସ୍‍ବୁର୍ଗରେ ଶ୍ରୀମତୀ ଏମା.ମାର୍ଟିନ୍, ବାସେଲରେ ରେଭରେଣ୍ଡ୍ ବାଉଅର୍ ଓ ଷ୍ଟ୍ରାସ୍‍ବୁର୍ଗ୍ ନିକଟରେ ଥିବା ଓବର୍‍ହାଉସ୍, ବେୟାର୍ଗେନ୍‍ଠାରେ ମୋର ଭିଣୋଇ ରେଭରେଣ୍ଡ୍ ଭୟଟ୍ ଡାକ୍ତରଖାନା ପାଇଁ ସାହାଯ୍ୟ ସଂଗ୍ରହ କରିବାର ଦାୟିତ୍ଵ ବହନ କରୁଥିଲେ । ସେମାନଙ୍କର ଓ ଅନ୍ୟାନ୍ୟ ଅନେକ ସ୍ଵେଚ୍ଛାସେବୀଙ୍କର ନିଃସ୍ଵାର୍ଥପର ସାହାଯ୍ୟ ବ୍ୟତୀତ ବର୍ତ୍ତମାନ ଅଧିକ ସଂପ୍ରସାରିତ ଡାକ୍ତରଖାନାର କାର୍ଯ୍ୟ ଚଳିଇବା ଆଦୌ ସମ୍ଭବ ହୋଇପାରି ନଥାନ୍ତା ।

 

X X X X

 

ନୂଆ ଡାକ୍ତରଖାନାର ଘରସବୁ ତିଆରି ସରିବାପରେ ୧୯୨୭ ମସିହା ଜୁଲାଇ ୨୧ ତାରିଖ ଦିନ ରୋଗୀମାନଙ୍କୁ ପୁରୁଣା ଡାକ୍ତରଖାନାରୁ ନୂଆ ଡାକ୍ତରଖାନାକୁ ଅଣାଗଲା । ସେଦିନ ସଞ୍ଜବେଳେ ସବା ଶେଷ ଦଳରେ ମୁଁ ମାନସିକ ରୋଗୀମାନଙ୍କୁ ସାଙ୍ଗରେ ନେଇ ଆସୁଥାଏ । ନୂଆ ଡାକ୍ତରଖାନାରେ ସେମାନଙ୍କୁ କାଠର ଚଟାଣ ଥିବା ଘରେ ରହିବାକୁ ଦିଆଯିବ ବୋଲି ସେମାନଙ୍କର ତତ୍ତ୍ଵାବଧାରକମାନେ ସେମାନଙ୍କୁ କହି ଦେଇଥିଲେ । ପୁରୁଣା ଡାକ୍ତରଖାନାରେ କେବଳ ସନ୍ତସନ୍ତିଆ ମାଟି ଉପରେ ସେମାନଙ୍କୁ ଶୋଇବାକୁ ପଡ଼ୁଥିଲା ।

 

ସେଦିନ କାମ ସରିବା ପରେ ମୁଁ ନୂଆ ଡାକ୍ତରଖାନାରେ ରୋଗୀମାନଙ୍କୁ ଦେଖିବାକୁ ଗଲି । ନିଆଁ ପୁଉଁଥିବା ବା ମଶାରିଭିତରେ ଥିବା ରୋଗୀମାନେ ସମସ୍ତେ ଏକସ୍ଵରରେ କହିଉଠିଲେ, ‘ଡାକ୍ତର, ଏ ଘର ଭାରି ବଢ଼ିଆ ହୋଇଚି, ଭାରି ବଢ଼ିଆ ହୋଇଚି ।’ ଆଫ୍ରିକାରେ ମୋର କାମ ଆରମ୍ଭ ହେବାର ଏତେଦିନ ପରେ ମୋର ରୋଗୀମାନେ ମଣିଷ ପରି ରହିବା ଭଳି ଘରଟିଏ ପାଇଲେ ।

 

ଡାକ୍ତରଖାନାର ଚତୁର୍ଦ୍ଦିଗରେ ଥିବା ଜଙ୍ଗଲ କାଟି ସଫା କରିବାକୁ ଯେଉଁ ମଜୁରିଆ ଲାଗିଥିଲେ, ସେମାନଙ୍କର ତତ୍ତ୍ଵାବଧାନ କରିବାର ଦାୟିତ୍ଵ ମୁଁ ୧୯୨୭ ଏପ୍ରିଲ ମାସରେ ଶ୍ରୀମତୀ ରସେଲଙ୍କ ଉପରେ ନ୍ୟସ୍ତ କରିଥିଲି । ସେ ଠିକ୍ ସେହି ସମୟରେ ଆସି ଇଉରୋପରୁ ପହଞ୍ଚିଥାନ୍ତି, ସବୁ ମଜୁରିଆ ଯେପରି ତାଙ୍କର କଥା ମାନିବେ, ତାଙ୍କର ସେହିପରି ବୁଦ୍ଧି ଓ ଦକ୍ଷତା ରହିଥିଲା । ତାଙ୍କର ନେତୃତ୍ଵରେ ଏକ ବଗିଚା ତିଆରି କରିବାର ଯୋଜନା ମଧ୍ୟ ଆରମ୍ଭ ହୋଇଗଲା । ସେହିଦିନଠାରୁ ମୋର ଅଭିଜ୍ଞତା ହୋଇଗଲା ଯେ ଆମ ପୁରୁଷମାନଙ୍କ ଅପେକ୍ଷା ଜଣେ ଗୋରା ସ୍ତ୍ରୀଲୋକର କର୍ତ୍ତୃତ୍ଵକୁ ଆଦିବାସୀମାନେ ଅଧିକ ସହଜଭାବରେ ମାନିନିଅନ୍ତି ।

 

ସେହିବର୍ଷ ଗ୍ରୀଷ୍ମଋତୁର ଅଧାବେଳକୁ ମୁଁ ଆଉ କେତୋଟି ରୋଗୀରହିବା ଘରର ନିର୍ମାଣକାର୍ଯ୍ୟ ଶେଷ କରି ପାରିଥିଲି । ବର୍ତ୍ତମାନ ଆବଶ୍ୟକ ପଡ଼ିଲେ ୨୦୦ ରୋଗୀ ଓ ସେମାନଙ୍କ ସାଙ୍ଗରେ ଆସିଥିବା ଲୋକମାନଙ୍କୁ ଜାଗା ଦେବାଲାଗି ଆମ ଡାକ୍ତରଖାନାରେ ସ୍ଥାନ ହୋଇଯାଇଥିଲା । ଏହି କେତେମାସ ହେଲା ଡାକ୍ତରଖାନାର ହାରାହାରି ରୋଗୀସ°ଖ୍ୟା ୧୪୦ ରୁ ୧୬୦ ପର୍ଯ୍ୟନ୍ତ ହୋଇଗଲାଣି । ରକ୍ତାମାଶୟ ରୋଗୀମାନଙ୍କୁ ସ୍ଵତନ୍ତ୍ର ଘରେ ରଖିବାର ବ୍ୟବସ୍ଥା କରିବା ମଧ୍ୟ ସମ୍ଭବ ହେଲାଣି । ଲଣ୍ଡନରୁ ସଂଗୃହୀତ ଏକ ବଦାନ୍ୟ ପାଣ୍ଠିର ସହାୟତାରେ ମାନସିକ ରୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ଵତନ୍ତ୍ର ଘର ତିଆରି କରାଯାଇଚି ।

 

ଡାକ୍ତରଖାନାର ସବୁପ୍ରକାର ଆଭ୍ୟନ୍ତରୀଣ ଆବଶ୍ୟକତାକୁ ବ୍ୟବସ୍ଥିତ ଭାବେ ପୂରଣ କରିଦେଇସାରିବା ପରେ ମୋର ବନ୍ଧୁମାନଙ୍କୁ ସମସ୍ତ ଭାର ଦେଇ ମୁଁ ଘରକୁ ଯିବାକଥା ଭାବିବାକୁ ଲାଗିଲି । ଜୁଲାଇ ୨୧ ତାରିଖରେ ମୁଁ ଲାମ୍ବାରେନେ ଛାଡ଼ିଲି । ୧୯୨୪ ଗ୍ରୀଷ୍ମକାଳରୁ ଡାକ୍ତରଖାନାରେ କାମ କରିଥିବା ଡାକ୍ତର ଲାଉଟର୍‍ବୁର୍ଗଙ୍କର ଭଉଣୀ ଶ୍ରୀମତୀ କଟ୍‍ମାନ୍ ମଧ୍ୟ ମୋ’ସହିତ ବାହାରିଲେ । ଶ୍ରୀମତୀ ଏମା ହାଉସ୍‍କନେକ୍‍ଟ୍ ଲାମ୍ବାରେନେଠାରେ ରହିଲେ, ଅବଶ୍ୟ ତାଙ୍କୁ ସାହାଯ୍ୟ କରିବାଲାଗି ଇଉରୋପରୁ ଆଉ କେତେଜଣ ଧାତ୍ରୀ ଆସି ଶୀଘ୍ର ପହଞ୍ଚି ଯାଇଥିଲେ-

☆☆☆

 

ଇଉରୋପରେ ଦୁଇବର୍ଷ : ଆଫ୍ରିକାରେ ତୃତୀୟ ପର୍ଯ୍ୟାୟ

 

ମୋର ଏଥର ଇଉରୋପରେ ଅତିବାହିତ କରିଥିବା ଦୁଇବର୍ଷର ଅଧିକାଂଶ ସମୟ ବକ୍ତୃତା ଦେବା ଓ ଅର୍‍ଗାନ୍ ବଜାଇବା ପାଇଁ ଏଣେତେଣେ ଭ୍ରମଣ କରିବାରେ ହିଁ କଟି ଯାଇଥିଲା ।

 

ଲାମ୍ବାରେନେରେ ଏପର୍ଯ୍ୟନ୍ତ କାମକରୁଥିବା କେତେଜଣ ଡାକ୍ତର ଓ ଧାଈ ଯେପରି ଅଧିକ ଶୀଘ୍ର ଘରକୁ ଆସିପାରିବେ, ସେଥିପାଇଁ ସେଠାକୁ ଯିବା ସକାଶେ ନୂଆ ଡାକ୍ତର ଓ ଧାଈ ଖୋଜି ସେମାନଙ୍କୁ ଲାମ୍ବାରେନେ ପଠାଇବାରେ ମୋତେ ଅନେକ ବ୍ୟସ୍ତ ଓ ଚିନ୍ତିତ ରହିବାକୁ ପଡ଼ିଥିଲା । ଘରକୁ ଆସିବାକୁ ଚାହୁଁଥିବା କେତେକଙ୍କର ଦେହରେ ଆଫ୍ରିକାର ଜଳବାୟୁ ଆଦୌ ଯାଉ ନ ଥିଲା, ପାରିବାରିକ ପରିସ୍ଥିତି ଦୃଷ୍ଟିରୁ ମଧ୍ୟ କେତେକ ଘରକୁ ଆସିବାକୁ ବାଧ୍ୟ ହୋଇଥିଲେ-। ଡାକ୍ତର ହିସାବରେ ମୁଁ ସୁଇଜର୍‍ଲାଣ୍ଡରୁ ଡା. ମ୍ୟୁଣ୍ଡଲର୍, ଡା. ହେଡ଼ିଗର୍, ଡା. ଷ୍ଟାଲ୍‍ଡର୍‍ ଓ ଶ୍ରୀମତୀ ଶୂନାବେଲ୍‍ଙ୍କୁ ଠିକ୍ କଲି । ଆଉ ଜଣେ ଡାକ୍ତର ଏଲିନ୍ ଡ୍ୟୁଲକେନ୍ ୧୯୨୯ ଅକ୍ଟୋବର ମାସରେ ଲାମ୍ବାରେନେ ଯାଉଥିଲେ । ବାଟରେ ଜାହାଜରେ ଯାଉଥିବା ସମୟରେ ହୃଦରୋଗରେ ଆକ୍ରାନ୍ତ ହୋଇ ଗ୍ରାଣ୍ଡବାସାମ୍ ବନ୍ଦରଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ଆମ ସମସ୍ତଙ୍କୁ ଶୋକାଭିଭୂତ କରି ପକାଇଲା ।

 

ଇଉରୋପରେ ମୋତେ ଯେତେବେଳେ ଫୁରସତ୍ ମିଳି ଯାଉଥିଲା, ତତ୍‍କ୍ଷଣାତ୍ ମୁଁ ‘ସନ୍ଥ ପଲ୍‍ଙ୍କର ଈଶ୍ଵରାତ୍ମବାଦ’ ପୁସ୍ତକଟିକୁ ମୁଦ୍ରଣଲାଗି ପ୍ରସ୍ତୁତ କରିବାରେ ବସି ଯାଉଥିଲି । ଆଉଥରେ ଏହି ପାଣ୍ଡୁଲିପିକୁ ସାଙ୍ଗରେ ଧରି ଆଫ୍ରିକା ଯିବାକୁ ମୋର ଆଦୌ ଇଚ୍ଛା ନଥିଲା । ବେଶ୍‍ ଅଳ୍ପସମୟ ମଧ୍ୟରେ ମୁଁ ଏହି ପୁସ୍ତକଟିର ବିଷୟ-ସାମଗ୍ରୀରେ ପୂର୍ଣ୍ଣ ମନୋନିବେଶ କରି ପାରିଥିଲି । ଧୀରେ ଧୀରେ ଅଧ୍ୟାୟପରେ ଅଧ୍ୟାୟ ସମ୍ପୂର୍ଣ୍ଣ ହେବାକୁ ଲାଗିଲା । ୧୯୩୦ ମସିହାରେ ‘ସନ୍ଥ ପଲ୍‍ଙ୍କର ଈଶ୍ଵରାତ୍ମବାଦ’ (Die Mystik des Apostels Paulus) ପ୍ରକାଶିତ ହୋଇଥିଲା, ୧୯୩୧ରେ ଏହାର ଇଂରାଜୀ ଅନୁବାଦ ପ୍ରକାଶ ପାଇଲା ।

 

ସନ୍ଥ ପଲ୍‍ଙ୍କର ସମ୍ବନ୍ଧରେ ପ୍ରକାଶିତ ଏହି ପୁସ୍ତକର ଶେଷ ଅଧ୍ୟାୟ ୧୯୨୯ ଡିସେମ୍ବର ମାସରେ ବୋର୍ଦୋ ଓ ଲୋପେଜ୍ ଅନ୍ତରୀପ ଭିତରେ ଜାହାଜଯାତ୍ରା କରୁଥିବା ସମୟରେ ଲେଖା ହୋଇଥିଲା । ବଡ଼ଦିନର ଠିକ୍ ପରବର୍ତ୍ତୀ ଦିନ ନଦୀରେ ଷ୍ଟିମରରେ ବସି ଲାମ୍ବାରେନେ ଯାତ୍ରା କଲାବେଳେ ମୁଁ ପୁସ୍ତକଟିର ମୁଖବନ୍ଧ ଲେଖିଥିଲି । ଏଥର ମୋ’ ସହିତ ମୋର ପତ୍ନୀ ଡାକ୍ତର ଆନା ଶମତ୍‍ସ୍ ଓ କୁମାରୀ ମେରୀ ସେକ୍ରେଟାନ୍‍ ଲାମ୍ବାରେନେ ଆସୁଥିଲେ । କୁମାରୀ ସେକ୍ରେଟାନ୍ ଆମର ଲାବରେଟରୀରେ କାମ କରିବାକୁ ଆସୁଥିଲେ ।

 

ତୃତୀୟଥର ମୋର କର୍ମକ୍ଷେତ୍ରରେ ପହଞ୍ଚିଲା ବେଳକୁ ଦୁର୍ଭାଗ୍ୟବଶତଃ ମୋତେ ତଥାପି ଆହୁରି ଘର ତିଆରି କରିବାକୁ ପଡ଼ିଲା । ମୁଁ ଠିକ୍ ଆସିବା ବେଳକୁ ସେହି ଅଞ୍ଚଳରେ ବ୍ୟାପକ ଭାବରେ ଲାଗିଥିବା ରକ୍ତାମାଶୟ ରୋଗର କ୍ରମୋପଶମ ହୋଇ ଆସୁଥିଲା । ସେତେବେଳେ ରୋଗୀମାନଙ୍କୁ ଜାଗା ଦେବାକୁ ଡାକ୍ତରଖାନାରେ ସ୍ଥାନର ପୁଣି ଅଭାବ ହୋଇ ପଡ଼ିଥିଲା । ତେଣୁ ପାଖରେ ଥିବା ମାନସିକ ରୋଗୀମାନଙ୍କର ଘରଟିକୁ ରକ୍ତାମାଶୟ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ପଡ଼ିଲା ଏବଂ ସେହି ହେତୁ ବର୍ତ୍ତମାନ ମାନସିକ ରୋଗୀମାନଙ୍କ ପାଇଁ ଆଉଗୋଟିଏ ନୂଆ ଘର ତିଆରି କରିବାକୁ ପଡ଼ିଲା । ଘରତିଆରି କରିବାରେ ଆମର ଆଗରୁ ଅନେକ ଅଭିଜ୍ଞତା ହୋଇଯାଇଥିଲା, ତେଣୁ ଏଥର ନୂଆ ଘରଗୁଡ଼ିକୁ ଆମେ ଅଧିକ ମଜବୁତ କରି ତିଆରି କଲୁ, କିନ୍ତୁ ପୂର୍ବରୁ ତିଆରି ହୋଇଥିବା ଘରଗୁଡ଼ିକ ଅପେକ୍ଷା ଏଗୁଡ଼ିକ ଅଧିକ ହାଲୁକା ଏବଂ ଅଧିକ ପ୍ରଶସ୍ତ ଥିଲା । ତା’ପରେ ଅତି ସାଂଘାତିକ ରୋଗୀମାନଙ୍କ ପାଇଁ ସ୍ଵତନ୍ତ୍ର ଶଯ୍ୟାବିଶିଷ୍ଟ ଆଉ ଗୋଟିଏ ବଡ଼ ଘର ମୋତେ ତିଆରି କରିବାକୁ ପଡ଼ିଥିଲା । ତା’ପରେ ଚୋରମାନଙ୍କର ଆକ୍ରମଣରୁ ନିରାପଦ ରହି ପାରିବା ଭଳି ଏକ ମଜବୁତ ଓ ପ୍ରଶସ୍ତ ଭଣ୍ଡାରଘର ତିଆରି ହେଲା, ତା’ପରେ ଡାକ୍ତରଖାନାରେ ଭୃତ୍ୟ ଓ ପରିଚାରକ ଭାବରେ କାମ କରୁଥିବା ସ୍ଥାନୀୟ ଅଧିବାସୀଙ୍କର ରହିବା ଘର ମଧ୍ୟ ତିଆରି ହେଲା । ଆମର ସ୍ଥାନୀୟ ବିଶ୍ଵସ୍ତ କାରିଗର ମୋନେଞ୍ଜାଲିର ସାହାଯ୍ୟ ନେଇ ବାରଟି ମାସ ଭିତରେ ମୋତେ ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ପଡ଼ିଥିଲା । ଏହା ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ମୁଁ ମୋର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଥିଲି । ଏହି ବର୍ଷ ଡାକ୍ତରଖାନାରେ ବର୍ଷାପାଣି ସାଇତି ରଖିବା ପାଇଁ ସିମେଣ୍ଟ ତିଆରି କେତୋଟି ଜଳଭଣ୍ଡାର ମଧ୍ୟ ଆମେ ତିଆରି କରିଥିଲୁ । ତାହାଛଡ଼ା ଆମର ଭୋଜନ ଓ ବୈଠକବିନୋଦନ ପାଇଁ ବ୍ୟବହୃତ ହୋଇ ପାରିବା ଭଳି ଆହୁରି ଏକ ପ୍ରଶସ୍ତ ପକ୍କା ଘର ମଧ୍ୟ ତିଆରି ହୋଇଥିଲା ।

 

୧୯୩୦ ମସିହା ଇଷ୍ଟରପର୍ବ ବେଳକୁ ମୋର ସ୍ତ୍ରୀଙ୍କୁ ଇଉରୋପ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା । କାରଣ ଲାମ୍ବୋରେନେର ଜଳବାୟୁ ତାଙ୍କ ଦେହରେ ଆଦୌ ଗଲାନାହିଁ ।

 

ସେହିବର୍ଷ ଗ୍ରୀଷ୍ମ କାଳରେ ଏଲ୍‍ସାଶ୍‍ରୁ ଆଉ ଜଣେ ଡାକ୍ତର ଶ୍ରୀ ମେଲେଣ୍ଡର୍ ଆମ ସହିତ ଆସି ଯୋଗ ଦେଇଥିଲେ ।

 

ବର୍ତ୍ତମାନ ଆମର ଡାକ୍ତରଖାନା ଚତୁର୍ଦ୍ଦିଗରେ ଶହଶହ ମାଇଲ ପର୍ଯ୍ୟନ୍ତ ପରିଚିତ ହୋଇଗଲାଣି । ରାସ୍ତାରେ ସାତସାତ ଦିନ ଅତିବାହିତ କରି ଲୋକେ ଆମର ଏଠାକୁ ଅସ୍ତ୍ରଚିକିତ୍ସା କରାଇବା ପାଇଁ ଆସନ୍ତି । ଇଉରୋପୀୟ ବନ୍ଧୁମାନଙ୍କର ବଦାନ୍ୟତା ଫଳରେ ଆମେ ଗୋଟିଏ ସ୍ଵତନ୍ତ୍ର ଅସ୍ତ୍ରୋପଚାର-ଗୃହ ତିଆରି କରିପାରିଚୁ ଏବଂ ସେଥିରୁ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାଜସରଞ୍ଜାମ ଆଣି ରଖିପାରିଚୁ । ଆମ ଡାକ୍ତରଖାନାର ଔଷଧ-ଭଣ୍ଡାରରେ ଯାବତୀୟ ଆବଶ୍ୟକ ଔଷଧ ମହଜୁଦ ରହିଚି, ଏପରିକି ଉପନିବେଶରେ ଦେଖାଦେଉଥିବା ରୋଗଗୁଡ଼ିକର ଚିକିତ୍ସା ପାଇଁ ଆବଶ୍ୟକ ଅତି ଦୁର୍ମୂଲ୍ୟ ଔଷଧଗୁଡ଼ିକ ମଧ୍ୟ ଆମ ପାଖରେ ଅଛି । ଏହା ବ୍ୟତୀତ ଯେଉଁମାନେ ଦାରିଦ୍ର୍ୟ ହେତୁ ଆପଣା ଲାଗି ପ୍ରୟୋଜନୀୟ ଖାଦ୍ୟ କିଣିବାକୁ ଅସମର୍ଥ, ସେମାନଙ୍କୁ ଯଥେଷ୍ଟ ଖାଦ୍ୟସାରଯୁକ୍ତ ଖାଦ୍ୟ ମଧ୍ୟ ଆମେ ଯୋଗାଇ ଦେଇପାରୁଚୁ । ତେଣୁ ବର୍ତ୍ତମାନ ଲାମ୍ବେରେନେରେ କାମ କରିବାରେ ଆଉ କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ଆମ ସାଥିରେ ଯଥେଷ୍ଟ ସଂଖ୍ୟାରେ ଡାକ୍ତର ଓ ଧାତ୍ରୀମାନେ ମଧ୍ୟ ଆସି ଯୋଗ ଦେଇଥିବାରୁ ଆମର କାର୍ଯ୍ୟ ଅଧିକ ସହଜ ହୋଇଯାଇଚି । ଆଗପରି ସବୁ କାମକୁ ଆପେ କରି ଆଉ ଥକିଯିବାକୁ ପଡ଼ୁନାହିଁ । ଡାକ୍ତରଖାନାର ଏହି କାର୍ଯ୍ୟକୁ ସମ୍ଭବ କରାଇଥିବା ବନ୍ଧୁମାନଙ୍କୁ ଆମେ ଏହିପାଇଁ ଯେତେ କୃତଜ୍ଞତା ଜଣାଇଲେ ମଧ୍ୟ ତାହା ଆଦୌ ଯଥେଷ୍ଟ ହେବନାହିଁ ।

 

ବର୍ତ୍ତମାନ ମଧ୍ୟ ଡାକ୍ତରଖାନାରେ ଅନେକ କଠିନ କାମ ରହିଚି, ତଥାପି ଆଗପରି ଏତେ କଠିନଭାବରେ ଖଟିବାକୁ ପଡ଼ୁନାହିଁ । ଆଗପରି କାମସବୁ ଆମର ଶକ୍ତିର ଅତିରିକ୍ତ ହୋଇ ଯାଉନାହିଁ । ତେଣୁ ସତେଜ ଓ ସରସ ମନଦେଇ ମୁଁ ରାତିରେ ମୋର ବୌଦ୍ଧିକ କାର୍ଯ୍ୟରେ ବର୍ତ୍ତମାନ ମନୋନିବେଶ କରିପାରୁଚି । ଅବଶ୍ୟ ମଝିରେ ମଝିରେ କେତେ ଦିନ ବା କେତେ ସପ୍ତାହ ପାଇଁ ଏହି କାର୍ଯ୍ୟ ବ୍ୟାହତ ହୋଇଯାଉଚି । କୌଣସି କଠିନ ଅସ୍ତ୍ରୋପଚାର ବା କୌଣସି ସାଂଘାତିକ ରୋଗୀ ଆସି ପହଞ୍ଚିଲେ ମୋତେ ସେଥିରେ ଏତେ ଚିନ୍ତିତ ଓ ଉଦ୍‍ବିଘ୍ନ ରହିବାକୁ ପଡ଼ୁଚି ଯେ ସେହି ସମୟରେ ଆଉ ଅନ୍ୟ କିଛି କରିବା ମୋ’ ପକ୍ଷରେ ସମ୍ଭବ ହେଉନାହିଁ । ଠିକ୍ ସେହିପରି, ମୋର ଜୀବନ ଓ କାର୍ଯ୍ୟକଳାପର ଏହି ସରଳ ବିବରଣୀଟି,–ଯାହାକୁ ଆଫ୍ରିକାରେ ମୋର ଏଇ ରହଣିଟି ଭିତରେ ମୁଁ ପ୍ରଥମେ ଆରମ୍ଭ କରିଥିଲି,–ଏହି ସବୁକୁ ସାରିବାକୁ ମଧ୍ୟ ମାସ ମାସ ସମୟ ଅତିବାହିତ ହୋଇ ଯାଉଛି ।

☆☆☆

 

ଶେଷକଥନ

 

ମୋର ଜୀବନ ଉପରେ ଦୁଇଗୋଟି ଅନୁଭୂତିର ଛାୟାପାତ ହୋଇଚି, ଏହି ଜଗତ ବଡ଼ ରହସ୍ୟପୂର୍ଣ୍ଣ ଓ ଦୁଃଖମୟ ବୋଲି ମୁଁ ଉପଲବ୍ଧି କରିଚି । ଏହାର ରହସ୍ୟକୁ କେହି କଦାପି ଉଦ୍‍ଘାଟନ କରି ପାରିବ ନାହିଁ । ଏହା ହେଉଚି ମୋର ପ୍ରଥମ ଅନୁଭୂତି । ମନୁଷ୍ୟଜାତିର ଏକ ଆଧ୍ୟାତ୍ମିକ ଅଧୋପତନର ଯୁଗରେ ମୁଁ ଜନ୍ମଲାଭ କରିଚି, ଏହା ହେଉଚି ମୋର ଦ୍ଵିତୀୟ ଅନୁଭୂତି । ଏହି ଦୁଇଟିଯାକ ଅନୁଭୂତିକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଓ ସେଗୁଡ଼ିକର ସମ୍ମୁଖୀନ ହେବାକୁ ଚେଷ୍ଟା କରି ଆସିଚି । ଏହାରି ଫଳସ୍ଵରୂପ ହିଁ ମୁଁ ‘ଜୀବନପ୍ରତି ଶ୍ରଦ୍ଧାର ଜଗତ’ ଓ ଜୀବନକୁ ସ୍ଵୀକାର କରୁଥିବା ନୀତିଗତ ଜୀବନଦୃଷ୍ଟିରେ ଉପଗତ ହୋଇପାରିଚି । ଏହି ନୀତିଭୂମି ଉପରେ ଉପଗତ ହୋଇ ମୋର ଜୀବନ ଆପଣା ଲାଗି ଏକ ଦୃଢ଼ ଭୂମି ଏବଂ ସ୍ପଷ୍ଟ ଆଚରଣୀୟ ମାର୍ଗ ପାଇ ପାରିଚି-

 

ମଣିଷକୁ ଚିନ୍ତା କରିବା ଲାଗି ଉଦ୍‍ବୁଦ୍ଧ କରି ତାହାର ଜୀବନକୁ କମ୍ ଅଗଭୀର ଓ ଅଧିକ ନୀତିବାନ୍ କରିବା ଉଦ୍ଦେଶ୍ୟରେ ମୁଁ ମୋର ଜୀବନର କର୍ତ୍ତବ୍ୟ ବୋଲି ଗ୍ରହଣ କରିଚି ଏବଂ ସେଇଥି ଲାଗି କାମ କରି ଚାଲିଚି ।

 

ଆମର ଏହି ଯୁଗ ଚିନ୍ତା କରିବାକୁ ଘୃଣା କରୁଚି, ଏଣୁ ଏହି ଯୁଗର ମନୋଗତି ସହିତ ମୋର ସମ୍ପୂର୍ଣ୍ଣ ମତଭେଦ ରହିଚି । ଚିନ୍ତା ବା ବିଚାରର ଯେଉଁ ଉଦ୍ଦେଶ୍ୟରେ ଉପନୀତ ହେବାର କଥା, ଏପର୍ଯ୍ୟନ୍ତ ତାହା ସେଠାରେ ଉପନୀତ ହୋଇପାରି ନାହିଁ, ଏହି ସ୍ଥିତିକୁ ମଧ୍ୟ ମନୁଷ୍ୟର ବର୍ତ୍ତମାନ ମନୋଗତି ସକାଶେ କେତେକ ପରିମାଣରେ ଦାୟୀ କରାଯାଇପାରେ । ଜ୍ଞାନାନୁମୋଦିତ ଏବଂ ସନ୍ତୋଷଜନକ ଭାବରେ ନୀତିଗତ ଏକ ଜୀବନ ଦୃଷ୍ଟିରେ ପୃଥିବୀ ଆସି ପହଞ୍ଚି ସାରିଲାଣି ବୋଲି ପୃଥିବୀକୁ ବାରବାର ଏକ ଭ୍ରମବିଶ୍ଵାସ ଦେବାର ଚେଷ୍ଟା କରାଯାଇଚି । କିନ୍ତୁ ପ୍ରକୃତରେ ଯେ ପୃଥିବୀ ଏଥିରେ ସଫଳତା ଅର୍ଜନ କରିନାହିଁ, ଏହିକଥା ବାରବାର ପ୍ରମାଣିତ ହୋଇଚି ଓ ତା’ର ଭ୍ରମ ଧରା ପଡ଼ିଯାଇଚି ।

 

ତେଣୁ ବିଚାର ଦ୍ଵାରା କେତେଦୂର ପୃଥିବୀ ଓ ପୃଥିବୀ ସହିତ ଆମ୍ଭମାନଙ୍କର ସମ୍ପର୍କ ବିଷୟକ ନାନା ପ୍ରଶ୍ନର ଜବାବ ଦେବା ସମ୍ଭବ ହୋଇପାରିବ, ଯେପରିକି ଆମେ ଆମର ଜୀବନରେ ଏକ ସାର୍ଥକ ମହତ୍ତ୍ଵର ଆବିଷ୍କାର କରିପାରିବା, ଅନେକଙ୍କ ମନରେ ଏପରି ଏକ ସଂଶୟ ଜାତହେବା ଅତି ସ୍ଵାଭାବିକ ।

 

କିନ୍ତୁ ଆଜି ଯେ କେବଳ ବିଚାରର ଅବହେଳା କରାଯାଉଚି, ତା’ନୁହେଁ, ବିଚାର ପ୍ରତି ଆଜି ଏକ ଅନାସ୍ଥା ମଧ୍ୟ ପ୍ରକଟ କରାଯାଉଚି । ଆମ ଯୁଗର ସଙ୍ଗଠିତ ରାଜନୀତିକ, ସାମାଜିକ ତଥା ଧାର୍ମିକ ସଂସ୍ଥାପନା ସତେଅବା ଏକତ୍ର ଷଡ଼ଯନ୍ତ୍ର କରି ମନୁଷ୍ୟବ୍ୟକ୍ତିକୁ ଆପଣାର ସ୍ଵକୀୟ ବିଚାର ଦ୍ଵାରା କୌଣସି ସିଦ୍ଧାନ୍ତରେ ଉପନୀତ ନହେବା ପାଇଁ ପ୍ରବର୍ତ୍ତାଇବାରେ ଲାଗିଚନ୍ତି ଏବଂ ସେମାନେ ତିଆରିକରି ଯୋଗାଇ ଦେଉଥିବା ସତ୍ୟଗୁଡ଼ିକୁ ବିନା ବିଚାରରେ ଆପଣାର ସତ୍ୟ ବୋଲି ଗ୍ରହଣ କରିବା ଲାଗି ତାକୁ ପ୍ରରୋଚନା ଦେଉଚନ୍ତି । ଯେଉଁ ବ୍ୟକ୍ତି ଆପେ ଆପଣାର ବିଚାର କରୁଚି ଏବଂ ଆଧ୍ୟାତ୍ମିକତା ଦୃଷ୍ଟିରୁ ସର୍ବଦା ସ୍ଵତନ୍ତ୍ର ରହିବାକୁ ଇଚ୍ଛା କରୁଚି, ସେମାନଙ୍କର ଦୃଷ୍ଟିରେ ସେହି ବ୍ୟକ୍ତି ଅତି ଅସୁବିଧାଜନକ ଓ ଅସ୍ଵାଭାବିକ ବୋଲି ବୋଧ ହେଉଚି । ସେମାନେ ଠିକ୍ ଯେଉଁପରି ଇଚ୍ଛା କରୁଛନ୍ତି, ସେହିପରି ଭାବରେ ଆପଣାକୁ ସେମାନଙ୍କ ଭିତରେ ବିଲୀନ କରିଦେବା ବିଷୟରେ ସେ କୌଣସି ନିର୍ଭର ଜବାବ ଦେଇପାରୁ ନାହିଁ । ଆଜି କୌଣସି ସଂସ୍ଥା ବା ସଙ୍ଗଠନ ଆପଣାର ଶକ୍ତି ପାଇଁ ଆପେ ପ୍ରତିନିଧିତ୍ଵ କରୁଥିବା ବିଚାରଗୁଡ଼ିକର ବା ଆପଣାର ପରିଧି ଭିତରେ ଥିବା ବ୍ୟକ୍ତିମାନଙ୍କର ଆଧ୍ୟାତ୍ମିକ ଯୋଗ୍ୟତା ଉପରେ ଆଦୌ ନିର୍ଭର କରୁନାହାନ୍ତି । ଦଳବଦ୍ଧତା ଏବଂ ଆୟତନସିଦ୍ଧତାକୁ ହିଁ ସେମାନେ ଆପଣା ଶକ୍ତିର ଏକମାତ୍ର ସାଧନ ବୋଲି ଗ୍ରହଣ କରୁଚନ୍ତି-। ଆପଣାର ପରାକ୍ରମ ବିସ୍ତାର କରିବାକୁ ଓ ଆପଣାକୁ ସୁରକ୍ଷିତ କରି ରଖିବାକୁ ସେମାନେ ଏହିପରି ଉପାୟରେ ଶକ୍ତିଶାଳୀ କରିପାରିବେ ବୋଲି ବିଚାର କରୁଚନ୍ତି ।

 

ତେଣୁ ଏ ଯୁଗର ବିଚାର ଯେ ଆପଣାର କର୍ତ୍ତବ୍ୟ ସମ୍ପାଦନ କରି ପାରୁନାହିଁ, ସେଥିଲାଗି ଏ ଯୁଗର ମନୋଦୃଷ୍ଟି ଅନୁଶୋଚନା ପ୍ରକାଶ କରିବା ପରିବର୍ତ୍ତେ ହର୍ଷ ହିଁ ପ୍ରକାଶ କରୁଚି ଏବଂ ସମସ୍ତ ଅପରିପୂର୍ଣ୍ଣତା ସତ୍ତ୍ୱେ ତଥାପି ବିଚାର ଯେତିକି ହାସଲ କରିପାରିଛି, ତାହା ସ୍ଵୀକାର କରିବାକୁ ଆଦୌ ସମ୍ମତ ହେଉନାହିଁ । ବିଚାର ଦ୍ଵାରା ହିଁ ଯେ ଏପର୍ଯ୍ୟନ୍ତ ସମସ୍ତ ପ୍ରକାର ଆଧ୍ୟାତ୍ମିକ ଅଗ୍ରଗତି ସମ୍ଭବ ହୋଇପାରିଚି, ସେ ଏହି ସତ୍ୟକୁ ସ୍ଵୀକାର କରୁନାହିଁ ଏବଂ ବିଚାର ଏପର୍ଯ୍ୟନ୍ତ ଯାହାସବୁ ହାସଲ କରିପାରିନାହିଁ, ହୁଏତ ଭବିଷ୍ୟତରେ ତାହା ସେ ହାସଲ କରିପାରିବ, ଏ କଥା ଭାବିବାକୁ ମଧ୍ୟ ଏଯୁଗର ମନୋଦୃଷ୍ଟି ନାସ୍ତି କରିଦେଉଚି । ଏ ଯୁଗର ମନୋଦୃଷ୍ଟି ଏସବୁ ଉପରେ କୌଣସି ମୂଲ୍ୟ ଦେଉନାହିଁ । ବ୍ୟକ୍ତିର ବିଚାରକୁ ସବୁମନ୍ତେ ନିରର୍ଥକ ଓ ମୂଲ୍ୟହୀନ ବୋଲି ପ୍ରମାଣ କରି ଦେଖାଇ ଦେବା ଯେପରି ଆଜି ଏହାର ଏକମାତ୍ର କର୍ତ୍ତବ୍ୟ ହୋଇ ଗଲାଣି । ‘ଆଜି ଯିଏ ପ୍ରାୟ ନିଃସ୍ଵହୋଇ ବସିଛି, ତାହାଠାରୁ ମଧ୍ୟ ତାହାର ଶେଷ ସମ୍ବଳଟିକକ ଛଡ଼ାଇ ନିଆଯିବ,’–ବ୍ୟକ୍ତି ସମ୍ପର୍କରେ ଯେପରି ତାହା ଏହି ନୀତି ଅବଲମ୍ବନ କରିଚି ।

 

ଆପଣାର ବିଚାର ଉପରୁ ତା’ର ସମସ୍ତ ବିଶ୍ଵାସକୁ କାଢ଼ିନେବାକୁ ବଦ୍ଧପରିକର ହୋଇ ବାହାରିଥିବା ପ୍ରଭାବଗୁଡ଼ିକ ଦ୍ଵାରା ହିଁ ଆଧୁନିକ ମନୁଷ୍ୟ ତା’ର ଜୀବନସାରା ନାନାପ୍ରକାରେ ପ୍ରଭାବିତ ହୋଇ ଚାଲିଚି । ଏକ ଆଧ୍ୟାତ୍ମିକ ନିର୍ଭରଶୀଳତା ପାଖରେ ତାକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଉଚି । ଯାହା ସେ ଶୁଣୁଚି ବା ପଢ଼ୁଚି, ଯେଉଁ ଲୋକମାନଙ୍କ ସହିତ ସେ ନୀତି ସମ୍ପର୍କରେ ଆସୁଚି, ଯେଉଁ ଦଳ ବା ସଂସ୍ଥାଗୁଡ଼ିକ ପାଖରେ ସେ ଆପଣାର ମୁଣ୍ଡ ବିକାଇ ଦେଇ ଆସିଚି, ସବୁଠାରେ ତା’ର କେବଳ ଆତ୍ମସମର୍ପଣ କରିଦେବାର ସ୍ୱାଧୀନତା ହିଁ ରହିଚି, ଏହା ତା’ର ସମସ୍ତ ଜୀବନର ସମସ୍ତ ସ୍ଥିତିକୁ ଗ୍ରାସ କରି ରହିଚି ।

 

ନାନା ପକ୍ଷରୁ ନାନା ପ୍ରସଙ୍ଗ ଓ ପ୍ରକାରର ଛଳନାରେ ତା’ର କାନରେ ନାଗରା ପିଟି କହି ଦିଆ ଯାଉଚି ଯେ ତା’ର ଜୀବନଲାଗି ଯେଉଁସବୁ ସତ୍ୟ ଓ ଯେଉଁସବୁ ବିଶ୍ଵାସ ତା’ର ଦରକାର, ସେହିସବୁ ସତ୍ୟ ଓ ବିଶ୍ୱାସକୁ ତାକୁ ଦଳ ଓ ସଂସ୍ଥାଗୁଡ଼ିକରୁ ହିଁ ଗ୍ରହଣ କରିବାକୁ ପଡ଼ିବ, କାରଣ ଏହି ଦଳ ବା ସଂସ୍ଥାଗୁଡ଼ିକର ହିଁ ତା’ର ଜୀବନ ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଚି । ଏ ଯୁଗର ମାନସିକ ସ୍ଥିତି ବ୍ୟକ୍ତିକୁ ଆପଣାର ନୀଡ଼କୁ ଫେରିଆସିବାକୁ ଅନୁମତି ହିଁ ଦେଉନାହିଁ । ବଡ଼ ବଡ଼ ସହରର ରାସ୍ତାମାନଙ୍କରେ ବିଜୁଳି ଆଲୁଅରେ ଆକର୍ଷକ ବିଜ୍ଞାପନ ଦ୍ଵାରା ପାଖରେ ଯଥେଷ୍ଟ ପୁଞ୍ଜି ଥିବା ଯେ କୌଣସି ବ୍ୟବସାୟୀ ସଂସ୍ଥା ଯେପରି ଆପଣାକୁ ପ୍ରତିଷ୍ଠିତ କରିଦିଏ, ଆପଣାର ବୁଟପଲିସ୍ ବା ସୁପ୍‍ଟାବଲେଟ୍ କିଣିବାପାଇଁ ଯେପରି ସେ ରାସ୍ତାଉପରେ ଯାଉଥିବା ବ୍ୟକ୍ତିକୁ ନାନାପ୍ରକାର ଚାପ ଦେଇ ବାଧ୍ୟ କରେ, ସେହିପରି ନାନାପ୍ରକାର ଚାପରେ ଆଜି ବ୍ୟକ୍ତିର ମନ ଉପରେ ଆଗରୁ ତିଆରି ହୋଇ ରଖା ଯାଇଥିବା ବିଶ୍ଵାସମାନ ଆଣି ଲଦିଦିଆ ଯାଉଛି ।

 

ଏଯୁଗରେ ମାନସିକ ବାତାବରଣ ଆଜି ଯେପରି ଅବସ୍ଥାରେ ପହଞ୍ଚିଚି, ତଦ୍ଦ୍ଵାରା ଆଧୁନିକ ବ୍ୟକ୍ତି ଆପଣାର ବିଚାର ବିଷୟରେ କେବଳ ଏକ ସଂଶୟବାଦୀ ହେବାକୁ ହିଁ ବାଧ୍ୟ ହେଉଚି । ଉପରେ ରହିଥିବା କର୍ତ୍ତାମାନଙ୍କଠାରୁ ଆସୁଥିବା ସତ୍ୟ ଓ ବିଶ୍ୱାସଗୁଡ଼ିକ ପ୍ରତି ଅଧିକ ଗ୍ରହଣଶୀଳ ହେବା ଉଦ୍ଦେଶ୍ୟରେ ସେ ସଂଶୟବାଦୀ ହେବାକୁ ବାଧ୍ୟ ହେଉଚି । ତା’ ଉପରେ ଆପଣାକୁ ନିରନ୍ତର ବିସ୍ତାର କରୁଥିବା ଏହି ପ୍ରଭାବଗୁଡ଼ିକର ଆବଶ୍ୟକ ପ୍ରତିରୋଧ କରିବାକୁ ସେ ଏକାବେଳେକେ ଅସମର୍ଥ ହୋଇପଡ଼ୁଚି, କାରଣ କ୍ରମେ ସେ ଅତି କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଲାଣି, କେନ୍ଦ୍ରଚ୍ୟୁତ ହୋଇ କୌଣସି ନିର୍ଦ୍ଦିଷ୍ଟ ଦିଗରେ ଆପଣାର ଧ୍ୟାନକୁ ନିବିଷ୍ଟ କରିବାର ସମସ୍ତ ଶକ୍ତି ସେ ହରାଇ ବସିଲାଣି । ଅଧିକନ୍ତୁ ତାହାର ଜୀବନ ଉପରେ ଛନ୍ଦିହୋଇ ରହିଥିବା ସାମଗ୍ରୀର ଜାଲ ତା’ର ମାନସିକ ଭୂମି ଉପରେ ଏପରି ପ୍ରତିକ୍ରିୟା ସୃଷ୍ଟି କରୁଚି ଯେ ପରିଶେଷରେ ଆପଣା ବିଚାରଶକ୍ତିର କୌଣସି ପ୍ରକାରେ ବ୍ୟବହାର କରିବାକୁ ସେ ଆପଣାକୁ ଅତି ଅଯୋଗ୍ୟ ଓ ଶକ୍ତିହୀନ ମନେ କରୁଚି ।

 

ଅତି ପ୍ରବଳ ଓ ଅତିରିକ୍ତ ପରିମାଣରେ ଆଜି ସଂସାରରେ ଜ୍ଞାନର ଯେଉଁ ବୃଦ୍ଧି ହୋଇ ଚାଲିଛି, ତାହାର ଚାପରେ ପଡ଼ି ମଧ୍ୟ ଆଧୁନିକ ମଣିଷର ଆତ୍ମବିଶ୍ଵାସ କ୍ରମେ ମରି ମରି ଯାଉଚି । ପ୍ରାୟ ପ୍ରତିଦିନ ଆପଣାକୁ ପରାକ୍ରମୀ ବୋଲି ଘୋଷିତ କରି ଆଧୁନିକ ଜୀବନରେ ପ୍ରଭାବ ବିସ୍ତାର କରୁଥିବା ନୂତନ ଆବିଷ୍କାର ଓ ଉଦ୍ଭାବନାଗୁଡ଼ିକୁ ସେ ଅନେକ ସମୟରେ ଆପଣାର ବୋଧଗମ୍ୟ କରି ପାରୁନାହିଁ । ଆପେ ସେଗୁଡ଼ିକର ବିନ୍ଦୁବିସର୍ଗ ବୁଝିବା ପୂର୍ବରୁ ମଧ୍ୟ ସେ ସେଗୁଡ଼ିକ ଗ୍ରହଣ କରିବାକୁ ବାଧ୍ୟ ହେଉଚି । ବୈଜ୍ଞାନିକ ସତ୍ୟସହିତ ଏହିପରି ଏକ ଅଜ୍ଞାନତା–ପରିଚ୍ଛନ୍ନ ସମ୍ପର୍କ ସ୍ଥାପନ କରିବା ଫଳରେ ବିଚାରକ୍ଷେତ୍ରରେ ମଧ୍ୟ ତା’ର ଆପଣାର ବ୍ୟକ୍ତିଗତ ବିଚାରର କୌଣସି ମୂଲ୍ୟ ନାହିଁ ବୋଲି ବିଶ୍ଵାସ କରିବାକୁ ସେ କ୍ରମେ ଆପଣାକୁ ରାଜି କରାଇ ନେଉଚି ।

 

ଆଧୁନିକ ଯୁଗର ପରିସ୍ଥିତି ଏହିପରି ଭାବରେ ଆମକୁ ଆଧୁନିକ ଯୁଗର ମନୋଭୂମି ପାଖରେ ଆତ୍ମସମର୍ପଣ କରିଦେବାକୁ ନାନାନାମନ୍ତେ ବାଧ୍ୟ କରିଚାଲିଚି ।

 

ଏହାରି ଫଳରେ ସଂଶୟବାଦର ବୀଜର ଆଜି ଅଙ୍କୁରୋଦ୍‍ଗମ ହେଲାଣି । ପ୍ରକୃତରେ କହିବାକୁ ଗଲେ ଏଯୁଗର ମଣିଷଭିତରେ ଆଜି କୌଣସି ଆଧ୍ୟାତ୍ମିକ ଆତ୍ମବିଶ୍ଵାସ ନାହିଁ । ବାହାରେ ଆତ୍ମବିଶ୍ଵାସୀ ବୋଲି ପ୍ରତୀତ ହେଉଥିବା ଏକ ଆବରଣ ତଳେ ସେ ଆପଣାଭିତରେ ଆପଣାର ବିଶ୍ଵାସଗତ ଅଭାବକୁ ଲୁଚାଇ ରଖିଚି । ବସ୍ତୁଗତ ଜୀବନରେ ଯେତେବେଶୀ କୌଶଳ ହାସଲ କରିଥିଲେ ହେଁ ସେ ତଥାପି ନାନା ଉଦ୍‍ବିଗ୍ନତାରେ ବଡ଼ କ୍ଷୁଣ୍ଣ ଓ ଆହତ ହୋଇପଡ଼ିଲାଣି । କାରଣ ସେ ଆପଣାର ବିଚାରଶକ୍ତିର ବ୍ୟବହାର କରିବାର କୌଣସି କ୍ଷେତ୍ର ହିଁ ପାଉନହିଁ । ନାନା ଚମତ୍କାର ଆବିଷ୍କାର ଓ ଉଦ୍ଭାବନଦ୍ଵାରା ଆପଣାକୁ ଏତେ ସମର୍ଥ ଓ ଶକ୍ତିମାନ୍ ବୋଲି ଦେଖାଇ ଦେଇଥିବା ଆମର ଏହି ଯୁଗ ଯେ ଆପଣାର ବିଚାରକୁ ବିସର୍ଜନ କରି ଦେଇ ଆଧ୍ୟାତ୍ମିକ ଦୃଷ୍ଟିରୁ ଏତେ ତଳକୁ ଖସି ଆସିପାରିବ, ଏହା ଇତିହାସରେ ସବୁଦିନେ ଏକ ରହସ୍ୟ ହୋଇ ରହିଥିବ ।

 

X X X X

 

ବିବେକ ଓ ସ୍ଵତନ୍ତ୍ର ବିଚାର ବା ତତ୍‍ସମ୍ପର୍କୀୟ ପ୍ରତ୍ୟେକ ବିଷୟକୁ ଯେଉଁ ଯୁଗ ଅସମ୍ଭବ ଓ ଅଯୋଗ୍ୟ ବୋଲି କହି ଉଡ଼ାଇ ଦେଉଚି, ଏହାକୁ ଏକ ମରହଟ୍ଟୀ ଯୁଗର ମନୋଭାବ ବୋଲି କହୁଚି, ଅଷ୍ଟାଦଶ ଶତାବ୍ଦୀରେ ହାସଲ କରାଯାଇଥିବା ପବିତ୍ର ମାନବିକ ଅଧିକାରଗୁଡ଼ିକୁ ଯେଉଁ ଯୁଗ ଉପହାସ କରୁଚି, ସେହି ଯୁଗରେ ହିଁ ମୋର ସମସ୍ତ ବିଶ୍ଵାସକୁ ମୁଁ ବିବେକ ଓ ବିଚାର ଉପରେ ନ୍ୟସ୍ତ କରି ଦେଇଚି ।

 

X X X X

 

ବିଚାରକୁ ବର୍ଜନ କରିବାର ଅର୍ଥ ହେଉଚି ଆଧ୍ୟାତ୍ମିକ ଦୃଷ୍ଟିରୁ ଆମେ ଦେଓ୍ୱାଲିଆ ହୋଇଗଲୁ ବୋଲି ଘୋଷଣା କରିବା । ଆପଣାର ଅନୁସନ୍ଧାନ ଓ ବିଚାର ଦ୍ଵାରା ହିଁ ମନୁଷ୍ୟ ସତ୍ୟର ପରିଚୟ ପାଇପାରିବ, ଏହି ବିଶ୍ଵାସ ହରାଇ ବସିବା ମାତ୍ରକେ ସଂଶୟବାଦର ମୂଳଦୁଆ ପଡ଼ିବା ଆରମ୍ଭ ହୋଇଥାଏ । ଏହିପରି ଭାବରେ ଯେଉଁମାନେ ଆମ ଯୁଗକୁ ସଂଶୟବାଦୀ ଯୁଗରେ ପରିଣତ କରିବାକୁ ବସିଚନ୍ତି, ସେମାନେ ଏହି ଆଶା ରଖି ଏପରି କରୁଛନ୍ତି ଯେ ଆତ୍ମ-ଆବିଷ୍କୃତ ସତ୍ୟ ବିଷୟରେ ସମସ୍ତ ଆଶା ତୁଟିଗଲା ମାତ୍ରକେ ପରିଣାମତଃ କେବେଳ କର୍ତ୍ତୃତ୍ଵ, କ୍ଷମତା ଓ ପ୍ରଚାର ଦ୍ଵାରା ଲୋକମାନଙ୍କ ସପକ୍ଷରେ ଯାହାସବୁ ସତ୍ୟ ବୋଲି ଉପସ୍ଥାପିତ କରାଯିବ, କେବଳ ସେହିଗୁଡ଼ିକୁ ହିଁ ଲୋକମାନେ ଏକମାତ୍ର ସତ୍ୟ ବୋଲି ଗ୍ରହଣ କରିବେ ।

 

କିନ୍ତୁ ସେମାନେ ଭୁଲ୍‍ ଅନୁମାନ କରୁଛନ୍ତି ବୋଲି ମୁଁ କହିବି । ଜଗତର ଭୂମିଉପରେ ସଂଶୟବାଦର ବନ୍ୟା ବୁହାଇ ଦେବାକୁ ଯିଏ ଆଜି ନଦୀବନ୍ଧର କବାଟଗୁଡ଼ିକୁ ଖୋଲିଦେବାକୁ ବସିଚି, ସେ ଏହି ବନ୍ୟାକୁ କଦାପି ଆପଣା ଆୟତ୍ତର ସୀମାଭିତରେ ଅଟକାଇ ରଖିପାରିବ ନାହିଁ । ଆପଣାର ଅନୁସନ୍ଧାନ ଓ ବିଚାର ଦ୍ଵାରା କୌଣସି ସତ୍ୟର ଉପନୀତ ହେବା ସମ୍ଭବ ବୋଲି ଯେଉଁମାନେ କ୍ରମେ ଅବିଶ୍ଵାସ କରୁଚନ୍ତି ଓ ଆପଣାର ହୃଦୟ ହରାଇ ବସୁଚନ୍ତି, ଅନ୍ୟ ଦ୍ଵାରା ବିତରିତ ଓ ବାଧ୍ୟହୋଇ ଆସୁଥିବା ସତ୍ୟ ଦ୍ଵାରା ସେମାନଙ୍କ ଭିତରୁ ଅନେକ କମ୍ ସଂଖ୍ୟକ ଲୋକ ପ୍ରକୃତରେ ଆପଣାର ସନ୍ତୋଷଭାଜନ କରିପାରିବେ । ଫଳତଃ ଅଧିକାଂଶ ବ୍ୟକ୍ତି କେବେଳ ସଂଶୟବାଦୀ ହୋଇ ରହିଯିବେ । ସତ୍ୟ ଲାଗି ସେମାନଙ୍କର ଆଉ କୌଣସି ଆଗ୍ରହ ବା ଆକାଙ୍‍କ୍ଷା ରହିବନାହିଁ, ସେମାନେ ସତ୍ୟର କୌଣସି ଆବଶ୍ୟକତା ହିଁ ଅନୁଭବ କରିପାରିବେ ନାହିଁ, କାରଣ ବିଚାରଶୂନ୍ୟ ଭାବରେ ଆଜି ଏଠାକୁ ଓ କାଲି ସେଠାକୁ, ଆଜି ଏ ମତବାଦକୁ କାଲି ସେ ମତବାଦକୁ ଧାଇଁ ବୁଲିବାରେ ସେମାନେ କ୍ରମେ ଏକପ୍ରକାର ଆରାମ ବୋଧ କରିବାକୁ ଶିଖିଯିବେ ।

 

କିନ୍ତୁ ଯେତେ ଆଧ୍ୟାତ୍ମିକ ଓ ନୈତିକ ଉଦ୍ଦେଶ୍ୟ ସମ୍ପନ ହୋଇଥିଲେ ମଧ୍ୟ କର୍ତ୍ତୃତ୍ଵ ଜରିଆରେ ଜାରି କରାଯାଉଥିବା ସତ୍ୟକୁ ଗ୍ରହଣ କରିବା ଦ୍ଵାରା କଦାପି ସଂଶୟବାଦର ନିରାକରଣ ହୋଇପାରିବ ନାହିଁ । ଏହାଦ୍ଵାରା ସଂଶୟବାଦକୁ କେବଳ ଘୋଡ଼ାଇ ରଖିବାକୁ ଏକ ଆବରଣ ମାତ୍ର ମିଳିଯିବ । ମନୁଷ୍ୟ ଯେ ନିଜେ କୌଣସି ସତ୍ୟର ଆବିଷ୍କାର କରିପାରିବ, ଏହି ବିଶ୍ଵାସ କ୍ରମେ ହରାଇ ବସୁଥିବା ଦ୍ଵାରା ଆମର ଜୀବନରେ ଯେଇଁ ଅସ୍ଵାଭାବିକ ମନୋଦଶା ଉତ୍ପନ୍ନ ହେଉଚି, ସେହି ଦଶା କ୍ରମେ ଅତୀବ ଶୋଚନୀୟ ହେବାରେ ଲାଗିଚି ଏବଂ ତାହାରି ଅବଶ୍ୟମ୍ଭାବୀ ପରିଣାମମାନ ଫଳିଫଳି ଚାଲିଚି । ସଂଶୟବାଦର ଦୁର୍ବଳ ଓ ଅଶାନ୍ତ ମୂଳଦୁଆ ଉପରେ ସତ୍ୟର ସହର କଦାପି ବସିପାରିବ ନାହିଁ । ଆଜି ଆମର ମଧ୍ୟ ଆଧ୍ୟାତ୍ମିକ ଜୀବନ ଗୋଟାସୁଦ୍ଧା ପଚିସଢ଼ି ଗଲାଣି, କାରଣ ସଂଶୟବାଦ ଏହାର ସମସ୍ତ ସ୍ତରକୁ ଗ୍ରାସକରି ରହିଚି ଏବଂ ତାହା ଫଳରେ କେବଳ ମିଥ୍ୟା ଦ୍ଵାରା ପରିପୂର୍ଣ୍ଣ ହୋଇଥିବା ଏକ ଜଗତର ଆଜି ଆମେ ବାସ କରୁଚୁ ।

 

X X X X

 

ସଂଶୟବାଦର ଗ୍ରାସରେ ପଡ଼ିଥିବା ଯେଉଁ ସତ୍ୟକୁ ଆମେ ଆଜି ବିଶ୍ଵାସ କରୁଚୁ, ସେଥିରେ ବିଚାରର କୌଣସି ଆଧ୍ୟାତ୍ମିକ ଗୁଣର ଲେଶମାତ୍ର ହିଁ ନାହିଁ । ବର୍ତ୍ତମାନ ଏହାକୁ କେବଳ ଏକ ବାହ୍ୟବସ୍ତୁ ରୂପେ ପରିଚିତ କରି ଦିଆଗଲାଣି ଏବଂ ଏହା ମୃତପ୍ରାୟ ହୋଇଗଲାଣି । ଅବଶ୍ୟ ମନୁଷ୍ୟ ଉପରେ ଏହା କିଞ୍ଚିତ୍ ପ୍ରଭାବ ପକାଉଚି, କିନ୍ତୁ ମଣିଷର ସମଗ୍ର ଜୀବନକୁ ଭେଦ କରିପାରିବା ଭଳି ମଣିଷ ସହିତ ସମ୍ମିଳିତ ହୋଇପାରୁନାହିଁ । କେବଳ ବିଚାରରୁ ଉତ୍ପନ୍ନ ହୋଇଥିବା ସତ୍ୟକୁ ଜୀବନ୍ତ ସତ୍ୟ ବୋଲି କୁହାଯାଇ ପାରିବ ।

 

କୌଣସି ଗଛରେ ବର୍ଷକୁ ବର୍ଷ ସେହି ଏକପ୍ରକାର ଫଳ ଫଳୁଥିଲେ ମଧ୍ୟ ଯେପରି ପ୍ରତ୍ୟେକ ବର୍ଷର ଫଳରେ ନୂତନତ୍ଵ ନିହିତ ହୋଇ ରହିଥାଏ, ଠିକ୍ ସେହିପରି ସ୍ଥାୟୀ ମୂଲ୍ୟସମ୍ପନ୍ନ ସମସ୍ତ ବିଚାରକୁ ବାରବାର ଭାବନାର ଭୂମିଉପରେ ଜନ୍ମଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ଆମର ବର୍ତ୍ତମାନ ଯୁଗ ସଂଶୟବାଦରୂପୀ ଅଫଳନ୍ତି ଗଛର ଡାଳରେ ସତ୍ୟଫଳ ବାନ୍ଧିହୋଇ ତାହାକୁ ଫଳବତୀ କରିବାର ଅପଚେଷ୍ଟା କରିବାରେ ବ୍ୟସ୍ତ ରହିଚି ।

 

ଆମର ବ୍ୟକ୍ତିଗତ ବିଚାର ଦ୍ଵାରା ହିଁ ଆମେ ସତ୍ୟରେ ଉପନୀତ ହୋଇପାରିବା, ଭିତରେ ଏହି ଦୃଢ଼ବିଶ୍ଵାସ ରହିଥିଲେ ଯାଇ ଆମେ ବାହାରୁ ସତ୍ୟ ଗ୍ରହଣ କରିବାକୁ ସମର୍ଥ ହୋଇପାରିବା । ମୁକ୍ତ ଓ ବନ୍ଧନହୀନ ସତ୍ୟରେ ଗଭୀରତା ରହିଥିବା ପର୍ଯ୍ୟନ୍ତ ତାହା କଦାପି କେବଳ ବ୍ୟକ୍ତିଗତ ଆୟତନସିଦ୍ଧ ବିଚାର ଭିତରେ ଆବଦ୍ଧ ହୋଇ ପଡ଼ିବ ନାହିଁ ।

 

X X X X

 

ସତ୍ୟପ୍ରତି ଆକାଙ୍‍କ୍ଷା ସଦୃଶ ଆମ ଭିତରେ ନିଷ୍ଠାପ୍ରତି ମଧ୍ୟ ଆକାଙ୍‍କ୍ଷା ରହିଥିବା ଦରକାର । କେବଳ ଯେଉଁ ଯୁଗ ନିଷ୍ଠାପର ହେବାରେ ସାହସ ଅର୍ଜନ କରିପାରିବ, କେବଳ ସେହି ଯୁଗ ହିଁ ସତ୍ୟର ଅଧିକାରୀ ହୋଇ ପାରିବ ଓ ଆପଣାର ଜୀବନରେ ସତ୍ୟକୁ ଏକ ଆଧ୍ୟାତ୍ମିକ ଶକ୍ତି ରୂପେ ଅନୁଭବ କରିପାରିବ ।

 

ନିଷ୍ଠା ହେଉଚି ଆଧ୍ୟାତ୍ମିକ ଜୀବନର ମୂଳଦୁଆ ।

 

ବିଚାରକୁ ମୂଲ୍ୟହୀନ ବୋଲି କହି ତଳେ ପକାଇ ଦେବା ଦ୍ଵାରା ଆମର ଯୁଗ ଆପଣାର ନିଷ୍ଠାର ଆକାଙ୍‍କ୍ଷାକୁ ହରାଇ ବସିଲାଣି ଏବଂ ତହିଁ ସଙ୍ଗେସଙ୍ଗେ ସତ୍ୟର ଆକାଙ୍‍କ୍ଷାକୁ ମଧ୍ୟ ହରାଇ ବସିଲାଣି । ତେଣୁ ବର୍ତ୍ତମାନ ଏହାକୁ କେବଳ ବିଚାରର ମାର୍ଗ ଉପରେ ପୁନଃପ୍ରତିଷ୍ଠିତ କରିପାରିଲେ ହିଁ ଏହାର ଉଦ୍ଧାର ହୋଇ ପାରିବ ।

 

ଏହି ବିଷୟରେ ମୋର ଅତ୍ୟନ୍ତ ଦୃଢ଼ ବିଶ୍ଵାସ ରହିଥିବାରୁ ମୁଁ ଏ ଯୁଗର ମନୋଭୂମିକୁ ସ୍ଵୀକାର କରି ପାରୁନାହିଁ ଏବଂ ବିଚାରର ଅଗ୍ନିକୁ ପୁଣି ପ୍ରଜ୍ଵଳିତ କରିବାର ମହାନ୍ କର୍ତ୍ତବ୍ୟରେ ମୋର ଅଂଶଟିକୁ ପୂରଣ କରିବାର ଦାୟିତ୍ଵକୁ ମୁଁ ବିଶ୍ଵାସର ସହିତ ଆପଣା ଜୀବନରେ ବହନ କରିନେଇଚି ।

 

‘ଜୀବନ ପ୍ରତି ଶ୍ରଦ୍ଧା’ର ବିଚାର ଭିତରେ ହିଁ ଅତି ସ୍ଵାଭାବିକ ଭାବରେ ସଂଶୟବାଦ ବିରୁଦ୍ଧରେ ସଂଗ୍ରାମ କରିବାର ଶକ୍ତି ନିହିତ ରହିଚି । ଏହି ବିଚାର ଏକ ମୌଳିକ ବିଚାର ।

 

ମନୁଷ୍ୟ ସହିତ ବିଶ୍ଵଜଗତର ସମ୍ବନ୍ଧ କ’ଣ, ଅର୍ଥ କ’ଣ, ଭଲ ଓ ମନ୍ଦର ଯଥାର୍ଥ ସଂଜ୍ଞା କ’ଣ ହେବା ଉଚିତ, ଏହିସବୁ ମୌଳିକ ପ୍ରଶ୍ନରୁ ଯେଉଁ ବିଚାର ବୋଲି କହିପାରିବା । ଯେଉଁ ବିଚାର ପ୍ରତ୍ୟେକ ମଣିଷକୁ ପ୍ରେରଣା ଦେଇଥାଏ, ସେହି ବିଚାର ସହିତ ଏହାର ପ୍ରତ୍ୟକ୍ଷ ସମ୍ପର୍କ ରହିଚି । ଏହା ସେହି ବିଚାରର ମର୍ମପ୍ରବେଶ କରିଥାଏ, ଏହାକୁ ଅଧିକ ପ୍ରଶସ୍ତ ଓ ଅଧିକ ଗଭୀର କରେ ।

 

ଷ୍ଟାଇକ୍‍ବାଦରେ ଆମେ ଏହିପରି ଏକ ମୌଳିକ ବିଚାର ଦେଖିବାକୁ ପାଇଥାଉ । ଛାତ୍ରଜୀବନରେ ଦର୍ଶନର ଇତିହାସ ଅଧ୍ୟୟନ କଲାବେଳେ ଷ୍ଟାଇକ୍‍ବାଦ ପ୍ରତି ମୁଁ ବଡ଼ ଆକୃଷ୍ଟ ହୋଇ ପଡ଼ିଥିଲି ଓ ସେହି ଯୁଗ ଛାଡ଼ି ପରବର୍ତ୍ତୀ ଯୁଗର ଅଧିକ ଆୟସସାଧ୍ୟ ବିଚାର ଭିତରକୁ ପଶିବା ମୋ’ ପକ୍ଷରେ ପ୍ରକୃତରେ କଷ୍ଟକର ହୋଇଥିଲା । ଅବଶ୍ୟ ଷ୍ଟାଇକ୍ ବିଚାରର ସିଦ୍ଧାନ୍ତମାନ ମୋତେ ଆଦୌ ସନ୍ତୋଷଜନକ ବୋଧ ହୋଇନଥିଲା, କିନ୍ତୁ ତଥାପି ଏହି ସରଳ ଦାର୍ଶନିକ ବିଚାରକୁ ମୁଁ ଏକ ଠିକ୍ ବିଚାର ବୋଲି ଅନୁଭବ କରିଥିଲି ଏବଂ ଲୋକମାନେ କିପରି ଏହାକୁ ବର୍ଜନ କରି ଦେଇଥିଲେ, ତାହା ମୁଁ ବୁଝିପାରି ନଥିଲି ।

 

ଷ୍ଟାଇକ୍‍ବାଦ ସିଧା ଆପଣାର ଉଦ୍ଦେଶ୍ୟରେ ଜିଜ୍ଞାସା କରିଚି, ଏକ ବିଶ୍ଵଜନୀନ ଦାର୍ଶନିକ ଭାଷାରେ ଏହା ଆପଣାକୁ ପ୍ରକାଶିତ କରିଚି, ଏହା ଏକ ଗଭୀର ବିଚାର । ଯେତେ ଅସନ୍ତୋଷଜନକ ହେଲେ ମଧ୍ୟ ଏହା ଆପଣାର ସ୍ଵୀକୃତ ସତ୍ୟର ପ୍ରକୃଷ୍ଟ ବ୍ୟବହାର କରିଚି, ଅତ୍ୟନ୍ତ ନିଷ୍ଠା ସହକାରେ ଜୀବନକୁ ଏହା ସତ୍ୟରେ ଉପସ୍ଥାପିତ କରିଚି, ଅତି ନିଷ୍ଠାପର ଭାବରେ ଲୋକମାନଙ୍କୁ ଆପଣାର ଭାବନାଗୁଡ଼ିକୁ ଏକାଗ୍ର କରି ଆତ୍ମସ୍ଥ ହେବାକୁ ଉଦବୋଧନ ଦେଇଚି, ସେମାନଙ୍କର ଅନ୍ତର ଭିତରେ ଏକ ଦାୟିତ୍ଵବୋଧ ଜାଗୃତ କରିବାର ଉଦ୍ୟମ କରିଚି,–ଏହିସବୁ କାରଣରୁ ଷ୍ଟାଇକ୍‍ବାଦର ବିଚାର ମୋତେ ଏକ ମହାନ୍ ବିଚାର ବୋଲି ବୋଧ ହୋଇଥିଲା । ମଣିଷକୁ ଆପଣାକୁ ଏକ ଆଧ୍ୟାତ୍ମିକ ସମ୍ବନ୍ଧସୂତ୍ରରେ ଜଗତ ସହିତ ସଂଯୁକ୍ତ କରାଇବାକୁ ହେବ ଏବଂ ଏହି ଜଗତ ସହିତ ଏକାତ୍ମ ହୋଇଯିବାକୁ ହେବ, ଷ୍ଟାଇକ୍‍ବାଦର ଏହି ମୌଳିକ ବିଚାର ଏକ ନିର୍ଭୁଲ ବିଚାର ବୋଲି ମୁଁ ଜାଣି ପାରିଥିଲି । ଏକ ପ୍ରକୃତି-ଦର୍ଶନରୁ ଆରମ୍ଭ ହୋଇ ଏହା ଈଶ୍ଵରାତ୍ମବାଦରେ ଆପଣାର ପରିଣତି ଲାଭ କରିଚି, ଏହାହିଁ ହେଉଚି ଷ୍ଟାଇକ୍ ଦର୍ଶନର ସାରକଥା ।

 

ତାଓ-ତେ-କିଙ୍ଗ୍ ଅଧ୍ୟୟନ କରିବାପରେ ଲାଓ-ତ୍ସେଙ୍କର ବିଚାରକୁ ମଧ୍ୟ ଏକ ମୌଳିକ ବିଚାର ବୋଲି ମୁଁ ଅଧ୍ୟୟନ କରିଥିଲି । ସରଳ ଓ ଅବିକୃତ ଭାବନା ଦ୍ଵାରା ମଣିଷ ଏକ ଆଧ୍ୟାତ୍ମିକ ସମ୍ବନ୍ଧରେ ଆପଣାକୁ ଜଗତ ସହିତ ଯୁକ୍ତ କରିଦେବ ଏବଂ ଆପଣାର ଜୀବନ ଜରିଆରେ ଜଗତ ସହିତ ତା’ର ଏହି ଅଭିନ୍ନତାର ପ୍ରମାଣ ଦେବ, ଲାଓ-ତ୍ସେଙ୍କର ବିଚାରରେ ଏହାହିଁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ।

 

ଏହି ଦୃଷ୍ଟିରୁ ଦେଖିଲେ ଗ୍ରୀକ୍ ଷ୍ଟାଇକ୍‍ବାଦ ଏବଂ ଚୀନଦେଶୀୟ ଷ୍ଟାଇକ୍‍ବାଦ ଭିତରେ ଏକ ମୌଳିକ ସମ୍ବନ୍ଧ ରହିଚି ବୋଲି କୁହାଯାଇ ପାରିବ । ଗ୍ରୀକ୍ ଷ୍ଟାଇକ୍‍ବାଦ ଏକ ସୁବିକଶିତ ନ୍ୟାୟଶାସ୍ତ୍ରାନୁମୋଦିତ ବିଚାରରୁ ଉତ୍ପନ୍ନ ହୋଇଥିଲା ଓ ସମ୍ପୂର୍ଣ୍ଣ ଅବିକଶିତ ଏବଂ ତଥାପି ଏକ ଗଭୀର ପ୍ରତିବୋଧି ବିଚାରରୁ ଚୀନା ଷ୍ଟାଇକ୍‍ବାଦର ଜନ୍ମ ହୋଇଥିଲା, ଦୁହିଁଙ୍କ ମଧ୍ୟରେ ଯାହା ଏତିକି ପ୍ରଭେଦ ରହିଚି ।

 

କିନ୍ତୁ ଇଉରୋପ ତଥା ଇଉରୋପ ବାହାରର ବିଚାରଧାରାରୁ ଉତ୍ପନ୍ନ ହୋଇଥିବା ଏହି ମୌଳିକ ଦର୍ଶନ ଅବଶ୍ୟ ଆପଣାର ନେତୃତ୍ଵକୁ ସ୍ଥାୟୀ ଭାବରେ ଅପ୍ରତିହତ ରଖି ପାରିନଥିଲା ଏବଂ ଅମୌଳିକ ଦର୍ଶନକୁ ବାଟ ଛାଡ଼ି ଦେବାକୁ ବାଧ୍ୟ ହୋଇଥିଲା । ଆଧ୍ୟାତ୍ମିକ ମାର୍ଗରେ ଅଧିକ ଅଗ୍ରସର ହୋଇଥିବା ବ୍ୟକ୍ତିର ଜୀବନ-ଇଚ୍ଛାରେ ନୈତିକ କର୍ମପ୍ରେରଣାମୟ ଜୀବନର ଯେଉଁ ସ୍ଵଭାବଗତ ଇଚ୍ଛା ନିହିତ ହୋଇ ରହିଥାଏ, ସେହି ଇଚ୍ଛାରେ ଷ୍ଟାଇକ୍‍ବାଦ କୌଣସି ମହତ୍ତ୍ଵ ଅଛି ବୋଲି ଅନୁଭବ କରିପାରିଲା ନାହିଁ ବୋଲି ତାହା କ୍ରମେ ବିଫଳ ହୋଇଗଲା । କେବଳ ଭାଗ୍ୟର ଏକ ଆଦର୍ଶ ପ୍ରଚାର କରିବା ବ୍ୟତୀତ ଷ୍ଟାଇକ୍‍ବାଦ ଅଧିକ ଅଗ୍ରସର ହୋଇ ପାରିଲା ନାହିଁ । ଆମ ଇଉରୋପୀୟମାନଙ୍କୁ ଅତି ଅଦ୍ଭୁତ ମନେ ହେଉଥିବା ଏକ ସଦିଚ୍ଛାପୂର୍ଣ୍ଣ ନିଷ୍କ୍ରିୟତା ପ୍ରଚାର କରିବା ବ୍ୟତୀତ ଲାଓ-ତ୍ସେ ମଧ୍ୟ ଅଧିକ ଅଗ୍ରସର ହୋଇ ପାରିନଥିଲେ ।

 

X X X X

 

ଜଗତ ଓ ଜୀବନକୁ ଏକ ନୈତିକ ଭୂମିଉପରେ ସ୍ଵୀକାର କରିବାର ବିଚାରମାନ ମନୁଷ୍ୟ ପକ୍ଷରେ ଏତେ ସ୍ଵାଭାବିକ ଯେ ମନୁଷ୍ୟ ଓ ଜଗତ ସହିତ ତାହାର ସମ୍ବନ୍ଧ ବିଷୟରେ କେବଳ ଏକ ସରଳ ତର୍କଶାସ୍ତ୍ରାନୁମୋଦିତ ବିଚାର କରି ବସିଲେ ସେହି ବିଚାରଗୁଡ଼ିକ ସେତିକିରେ କଦାପି ସନ୍ତୁଷ୍ଟ ହୋଇ ପାରିବେ ନାହିଁ । ଫଳତଃ ଆପଣାର ଉଦ୍ଦେଶ୍ୟରେ ପହଞ୍ଚିପାରିବା ପାଇଁ ଏଗୁଡ଼ିକ ମଣିଷର ବିଚାରକୁ ଅନ୍ୟ ଏକ ସର୍ପିଳ ମାର୍ଗ ଅବଲମ୍ବନ କରିବାକୁ ବାଧ୍ୟ କରିଚନ୍ତି ଏବଂ ଏହାରି ଫଳରେ ମୌଳିକ ବିଚାରର ପାଖେ ପାଖେ ଏକ ଅମୌଳିକ ବିଚାରଦୃଷ୍ଟି ମଧ୍ୟ ଜନ୍ମଲାଭ କରିଚି ଏବଂ ଅନେକ ସମୟରେ ମୌଳିକ ବିଚାରଦୃଷ୍ଟିକୁ ସମ୍ପୂର୍ଣ୍ଣ ଭାବରେ ପ୍ରଚ୍ଛନ୍ନ କରି ରଖି ଦେଇଚି ।

 

ବିଚାରର ଏହି ସର୍ପିଳ ମାର୍ଗମାନ ଜଗତରେ ମନୁଷ୍ୟର ନୈତିକ କର୍ମପ୍ରେରଣାକୁ କାମନାସମ୍ପନ୍ନ ଭାବେ ଦେଖାଇବାକୁ ଚେଷ୍ଟା କରିଚନ୍ତି । ଏପିକଟେଟସ୍ ଓ ମାର୍‍କୁସ୍ ଅରେଲିଉସ୍‍ଙ୍କର ପରବର୍ତ୍ତୀ ଷ୍ଟାଇକ୍‍ବାଦରେ ଅଷ୍ଟାଦଶ ଶତାବ୍ଦୀର ରୋମାଣ୍ଟିକ୍ ବିଚାର ଧାରାରେ, କୁଙ୍ଗ-ତ୍ସେ (କନଫୁସିଅସ୍), ମେଙ୍ଗତ୍ସେ (ମେନିସିଅସ୍), ମି-ତ୍ସେ (ମିସିଅସ୍) ଓ ଅନ୍ୟାନ୍ୟ ଚୀନଦେଶୀୟ ଦାର୍ଶନିକଙ୍କର ବିଚାରରେ ଆମେ ଦେଖିବାକୁ ପାଇବା ଯେ ଜଗତ ସହିତ ମନୁଷ୍ୟର ସମ୍ବନ୍ଧ ନିରୂପଣ କରିବାର ମୌଳିକ ପ୍ରଶ୍ନର ଆଲୋଚନା କରି ଦର୍ଶନର ଆରମ୍ଭ ହୋଇଚି, ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଏକ ବିଶ୍ଵଇଚ୍ଛାରୁ ପୃଥିବୀର ଯାବତୀୟ ଘଟଣାସ୍ରୋତର ଉତ୍ପତ୍ତି ହୋଇଚି ବୋଲି ଦର୍ଶାଇଦେଇ ଏହି ଦର୍ଶନ ଜଗତ ଓ ଜୀବନକୁ ଏକ ନୈତିକ ଭୂମିଉପରେ ସ୍ଵୀକାର କରୁଥିବା ଏକ ଜୀବନଦୃଷ୍ଟିରେ ଉପନୀତ ହୋଇଚି । ଏହି ବିଶ୍ଵଇଚ୍ଛାର ସମୀପରେ ଆପଣା ଜୀବନର ସକଳ ସେବା ଓ କର୍ମ ସମର୍ପଣ କରିବାକୁ ହେବ ବୋଲି ଏହା ମଣିଷକୁ ଉଦବୋଧନ ଦେଇଚି । ଅପର ପକ୍ଷରେ ବ୍ରାହ୍ମଣ୍ୟଧର୍ମ, ବୁଦ୍ଧିବିଚାର ଓ ସାଧାରଣତଃ ଅନ୍ୟାନ୍ୟ ଭାରତୀୟ ଦାର୍ଶନିକ ବିଚାର ଏବଂ ଶୋପେନ୍‍ହାଉଅରଙ୍କର ଦର୍ଶନରେ ଜୀବନ ଓ ଜଗତର ଏକ ବିପରୀତ ବ୍ୟାଖ୍ୟା କରାଯାଇଚି । ଦେଶ ଓ କାଲଭିତରେ ଗତି କରୁଥିବା ଜୀବନସ୍ରୋତକୁ ଉଦ୍ଦେଶ୍ୟହୀନ ବୋଲି କହି ଏହିସବୁ ବିଚାର ଏହି ସ୍ରୋତର ଗତିରୋଧ କରିବାକୁ ହେବବୋଲି ଘୋଷଣା କରିଚନ୍ତି । ଜଗତ ଓ ଜୀବନର ଭୂମିଉପରୁ ଆପଣାକୁ ନିର୍ବାପିତ ବା ପ୍ରତ୍ୟାହୃତ କରି ଆଣିବାଲାଗି ଜଗତର ମନୁଷ୍ୟକୁ ଏମାନେ ପରାମର୍ଶ ଦେଇଚନ୍ତି

 

ଉତ୍ପତ୍ତି ଓ ଧ୍ୟେୟଦୃଷ୍ଟିରୁ ଏହିସବୁ ବିଚାରକୁ ଆମେ ମୌଳିକ ବିଚାର ବୋଲି କହିପାରିବା । କିନ୍ତୁ ଏହି ମୌଳିକ ବିଚାରର ସମାନ୍ତରାଳ ଭାବରେ ଇଉରୋପୀୟ ଦର୍ଶନରେ ଏକ ଅମୌଳିକ ବିଚାରଧାରା ମଧ୍ୟ ପ୍ରବେଶ କରିଯାଇଚି । କାରଣ ଜଗତ ସହିତ ମନୁଷ୍ୟର ସମ୍ବନ୍ଧ ବିଷୟକ ପ୍ରଧାନ ପ୍ରଶ୍ନରୁ ଏହା ଆପଣାକୁ ବିଚ୍ୟୁତ କରିପକାଇଚି । ଜ୍ଞାନର ପ୍ରକୃତି ଓ ସୀମା ନିର୍ଦ୍ଧାରଣ କରିବା, ତର୍କଶାସ୍ତ୍ରର ଯୁକ୍ତି ଓ ଅନୁମାନ ଭିତରେ ସନ୍ତରଣ କରିବା, ଭୌତିକ ବିଜ୍ଞାନ, ମନୋବିଜ୍ଞାନ, ସମାଜବିଜ୍ଞାନ ଓ ଆହୁରି ନାନାଦି ବ୍ୟାପାରରେ ଏହା ଆପଣାକୁ ବ୍ୟସ୍ତ କରି ପକାଇଚି । ସତେ ଯେପରି କେବଳ ଏହିସବୁ ପ୍ରଶ୍ନର ସମାଧାନ ହୋଇଗଲେ ଦର୍ଶନର ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ବିଭିନ୍ନ ବିଜ୍ଞାନ-ଗବେଷଣାର ତଥ୍ୟ ଓ ସିଦ୍ଧାନ୍ତଗୁଡ଼ିକୁ ଶ୍ରେଣୀବିଭାଗ କରି ସଜାଇ ରଖିଦେବା ବ୍ୟତୀତ ଯେପରି ଦର୍ଶନର ଆଉ କୌଣସି କାର୍ଯ୍ୟ ହିଁ ନାହିଁ-। ଆପଣା ସମ୍ବନ୍ଧରେ ଓ ଜଗତ ସହିତ ଆପଣାର ସମ୍ବନ୍ଧ ସମ୍ବନ୍ଧରେ ଆତ୍ମସ୍ଥ ହୋଇ ନିରନ୍ତର ବିଚାର କରିବାଲାଗି ମଣିଷକୁ ଉଦବୋଧନ ଦେବା ପରିବର୍ତ୍ତେ ଏହି ଦର୍ଶନ ମଣିଷ ଆଗରେ ଜ୍ଞାନଶାସ୍ତ୍ର, ତର୍କଶାସ୍ତ୍ର, ଭୌତିକ ବିଜ୍ଞାନ, ମନୋବିଜ୍ଞାନ ଓ ସମାଜବିଜ୍ଞାନର ଗଦାଗଦା ତଥ୍ୟ ଆଣି ଜମାକରି ଦେଇଚି, ଏହିସବୁ ତଥ୍ୟର ସାହାଯ୍ୟରେ ମନୁଷ୍ୟ ଆପଣାର ସମ୍ବନ୍ଧ ବିଷୟରେ ଆପଣାର ଦୃଷ୍ଟି ନିରୂପଣ କରିପାରିବ ବୋଲି ମନୁଷ୍ୟକୁ ଏକ ଭୁଲ୍ ବିଶ୍ଵାସ ମଧ୍ୟ ଦେଇଯାଇଚି-। ଏହି ସଂସାରରେ ରହିଥିବା ଓ ସଂସାର ଭିତରେ ହିଁ ଆପଣାର ଜୀବନ ବ୍ୟତୀତ କରୁଥିବା ଏକ ପ୍ରାଣୀ ହିସାବରେ ଏହା ମନୁଷ୍ୟର ବିଚାର କରୁନାହିଁ; ମନୁଷ୍ୟ ଯେପରି ସଂସାର ପାଖରେ ଥିବା ଆଉ କୌଣସି ସ୍ଥାନରେ ଅଛି ଓ ବାହାରେ ରହି ସଂସାରର ବିଚାର କରୁଚି, ଏହା ଏହିପରି ଏକ ଭ୍ରମରେ ପଡ଼ିଯାଇଚି ।

 

ଏକ ଭ୍ରମାତ୍ମକ ଦୃଷ୍ଟିକୋଣରୁ ବିଶ୍ଵସହିତ ମନୁଷ୍ୟର ସମ୍ବନ୍ଧର ବିଚାର କରୁଥିବାରୁ, ସମ୍ଭବତଃ ଏହି ସମସ୍ୟାକୁ ଏକାବେଳେକେ ଏଡ଼ିଦେଇ ଚାଲି ଯାଉଥିବାରୁ ଏହି ଅମୌଳିକ ଇଉରୋପୀୟ ଦର୍ଶନରେ ଆମେ କୌଣସିପ୍ରକାର ସଂହତି ବା ସଙ୍ଗତି ଦେଖିବାକୁ ପାଉନାହିଁ ଏବଂ ଅଧିକାଂଶ ସ୍ଥଳରେ ଆମକୁ ଏହା ଅସ୍ଥିର, କୃତ୍ରିମ, ଅକ୍ଷଚ୍ୟୁତ ଓ ବହୁଧାବିଭକ୍ତ ବୋଲି ମନେହୁଏ । ତଥାପି ବର୍ତ୍ତମାନ ଏହାକୁ ଜଗତର ପ୍ରତ୍ୟେକ ବିଚାରଧାରାଠାରୁ ଅଧିକ ସମୃଦ୍ଧ ଓ ବିଶ୍ଵବ୍ୟାପୀ ବୋଲି କୁହାଯାଇ ପାରିବ; ପରସ୍ପରର ସମୀପବର୍ତ୍ତୀ ଓ ପରସ୍ପରକୁ ଭେଦକରି ରହିଥିବା ଏହାର ମାର୍ଗ, ଅର୍ଦ୍ଧମାର୍ଗ ଓ ଅମାର୍ଗଗୁଡ଼ିକ ସାହାଯ୍ୟରେ ଜୀବନଦୃଷ୍ଟିର ସମସ୍ୟାଗୁଡ଼ିକୁ ଏହା ପ୍ରତ୍ୟେକ ଦିଗରୁ ଓ ଯଥାସମ୍ଭବ ପ୍ରତ୍ୟେକ ଦୃଷ୍ଟିକୋଣରୁ ବିଚାର କରିବାକୁ ସମର୍ଥ ହୋଇପାରୁଚି । ଭୌତିକ ବିଜ୍ଞାନ, ଇତିହାସ ଓ ନୀତିଗତ ସମସ୍ୟାଗୁଡ଼ିକୁ ଅଧିକ ଗଭୀରଭାବରେ ବିଶ୍ଳେଷଣ କରି ପାରୁଥିବାରୁ ଏହାକୁ ଅଧିକ ପ୍ରୟୋଜନ-ବୁଦ୍ଧିସମ୍ପନ୍ନ ବୋଲି ମଧ୍ୟ କୁହାଯାଇପାରିବ ।

 

ଭବିଷ୍ୟତ ବିଶ୍ଵ-ଦର୍ଶନ ଇଉରୋପୀୟ ଓ ଅଣଇଉରୋପୀୟ ବିଚାରଧାରା ଅପେକ୍ଷା ମୌଳିକ ଓ ଅମୌଳିକ ବିଚାରଧାର ମଧ୍ୟରେ ଏକ ସମନ୍ଵୟ ଓ ସଙ୍ଗତି ଆଣିବାଲାଗି ଅଧିକ ଉଦ୍ୟମ କରିବ ।

 

ଈଶ୍ଵରାତ୍ମକତାକୁ ଆମ ଏଯୁଗର ବୌଦ୍ଧିକ ଜୀବନଠାରୁ ଭିନ୍ନ କରି ଦେଖିବାକୁ ପଡ଼ିବ । ଈଶ୍ଵରାତ୍ମତା ହେଉଚି ଏକ ମୌଳିକ ବିଚାର, କାରଣ ମନୁଷ୍ୟବ୍ୟକ୍ତିକୁ ପୃଥିବୀ ସହିତ ଏକ ଆଧ୍ୟାତ୍ମିକ ସମ୍ବନ୍ଧରେ ଯୁକ୍ତ କରାଇବା ହେଉଚି ଏହାର ପ୍ରତ୍ୟକ୍ଷ କାର୍ଯ୍ୟ । ତର୍କ ବା ତର୍କ-ସୀମାବଦ୍ଧ ବିଚାରଦ୍ୱାରା ଏହି ସମ୍ବନ୍ଧ ସ୍ଥାପନ ସମ୍ଭବ ବୋଲି ଏହା ବିଶ୍ଵାସ କରିପାରେ ନାହିଁ, ତେଣୁ ଏହା ପ୍ରତିବୋଧର ମାର୍ଗ ଅନୁସରଣ କରିଥାଏ ଏବଂ ଏହାରିଦ୍ଵାରା କଳ୍ପନାକୁ ସକ୍ରିୟ କରାଇଦିଏ । କେତେକେ ଦୃଷ୍ଟିରୁ ବିଚାର କଲେ ଅତୀତର ଈଶ୍ଵରାତ୍ମବାଦ ପ୍ରତ୍ୟକ୍ଷ ମାର୍ଗ ପରିତ୍ୟାଗ କରି ବିଚାରର ଏକ ସର୍ପିଳ ମାର୍ଗ ଅନୁସରଣ କରିଚି ବୋଲି ଆମେ ଅବଶ୍ୟ କହିପାରିବା । କେବଳ ତର୍କଶୃଙ୍ଖଳା ଦ୍ଵାରା ସୀମାବଦ୍ଧ ଚିନ୍ତା ଦ୍ଵାରା ଲବ୍ଧ ହେଉଥିବା ଜ୍ଞାନକୁ ଆମେ ଏହି ଯୁଗରେ ସତ୍ୟ ବୋଲି ଗ୍ରହଣ କରୁଚୁ, ତେଣୁ ଆପଣାକୁ ପ୍ରକାଶିତ ଓ ପ୍ରମାଣିତ କରୁଥିବାର ଭିନ୍ନ ମାର୍ଗ-ଦୃଷ୍ଟିରୁ ଉପରେ ବ୍ୟାଖ୍ୟାତ ହୋଇଥିବା ଈଶ୍ଵରାତ୍ମକତା ଜନିତ ବିଶ୍ଵାସ ଏ ଯୁଗରେ କଦାପି ଆମର ସମ୍ପତ୍ତି ହୋଇ ରହିପାରିବ ନାହିଁ । ତାହାଛଡ଼ା ଅତୀତର ଈଶ୍ଵରାତ୍ମବାଦରୁ କୌଣସିଟି ସ୍ଵୟଂସମ୍ପୂର୍ଣ୍ଣ ଓ ତେଣୁ ସନ୍ତୋଷଜନକ ନୁହନ୍ତି । ଅତୀତର ପ୍ରାୟ ପ୍ରତ୍ୟେକଟି ଈଶ୍ଵରାତ୍ମବାଦରେ କେବଳ ଅତି କ୍ଷୀଣଭାବରେ ନୀତିଗର୍ଭକତା ନିହିତ ରହିଚି । ଏହା ମନୁଷ୍ୟକୁ ଅନ୍ତର୍ମୁଖୀ କରାଇବାକୁ ଚେଷ୍ଟା କରିଚି, କିନ୍ତୁ ମନୁଷ୍ୟକୁ କୌଣସିପ୍ରକାର ନୈତିକ ସକ୍ରିୟ ଜୀବନର ଆହ୍ଵାନ ଦେଇ ପାରିନାହିଁ । କୌଣସି ଜୀବନ ଦୃଷ୍ଟି ଆମକୁ କେତେଦୂର ଜୀବନ ଓ ଜଗତ ସହିତ ଏକ ଆଧ୍ୟାତ୍ମିକ ସମ୍ବନ୍ଧ ସୂତ୍ରରେ ବାନ୍ଧିଦେଇ ପାରୁଚି, ଆମକୁ କେତେଦୂର ଅନ୍ତର୍ମୁଖୀ କରାଇ ପାରୁଚି ଓ କେତେଦୂର ଆମକୁ ଏକ ସକ୍ରିୟ ନୈତିକ ଜୀବନଲାଗି ପ୍ରବୃତ୍ତ କରାଇ ପାରୁଚି, ଏହାରି ମାନଦଣ୍ଡ ଉପରେ ହିଁ ସେହି ଜୀବନଦୃଷ୍ଟିର ସତ୍ୟମୂଲ୍ୟ ନିରୂପିତ ହୋଇପାରିବ ।

 

ଆମର ଏ ଯୁଗରେ ବିଚାରର ଯେଉଁ ଗ୍ଳାନି ଘଟିଚି, ସେହିଦୃଷ୍ଟିରୁ ପୃଥିବୀର ପ୍ରହେଳିଗୁଡ଼ିକର ଉତ୍ତର ଦେବାଲାଗି ଏକ ସର୍ପିଳ ପଥ ଅବଲମ୍ବନ କରିଥିବା ଅମୌଳିକ ବିଚାରଦ୍ଵାରା ବର୍ତ୍ତମାନ ଆମକୁ କୌଣସି ଫଳ ମିଳି ପାରିବନାହିଁ । ଈଶ୍ଵରାତ୍ମବାଦୀ ପ୍ରତିବୋଧ ମଧ୍ୟ ଆମକୁ କୌଣସି ସାହାଯ୍ୟ କରିପାରିବ ନାହିଁ । ପ୍ରତ୍ୟେକ ମନୁଷ୍ୟ ଭିତରେ ତା’ର ଅତି ସ୍ଵାଭାବିକ ସରଳ ଚିନ୍ତାମାର୍ଗକୁ ବିକଶିତ କରୁଥିବା ମୌଳିକ ବିଚାର ହିଁ ଏ ଯୁଗର ସଂଶୟବାଦକୁ ଜୟ କରି ପାରିବ । କିନ୍ତୁ ଏକ ବା ଅନ୍ୟ ପଥରେ ଚିନ୍ତାକରି ଆମ ଆଗରେ କୌଣସି ନିର୍ଦ୍ଦିଷ୍ଟ ଫଳ ବା ସିଦ୍ଧାନ୍ତକୁ ବାଢ଼ି ଦେଖାଇ ଦେଉଥିବା ଅମୌଳିକ ବିଚାର ମନୁଷ୍ୟସମାଜର ସ୍ଵକୀୟ ବିଚାରକୁ ବଳିଷ୍ଠ କରିପାରିବ ନାହିଁ, କେବଳ ଗୋଟିଏ ପ୍ରକାରର ବିଚାରକୁ କାଢ଼ିନେଇ ତାହା ସ୍ଥାନରେ ଆଉ ଏକପ୍ରକାର ବିଚାର ଥୋଇ ଦେଇଯିବା ବ୍ୟତୀତ ଏହା ଅଧିକ କିଛି କରିପାରିବ ନାହିଁ । ଅନ୍ୟ ଏକପ୍ରକାର ବିଚାର ଗ୍ରହଣ କରିବାଦ୍ଵାରା ମନୁଷ୍ୟର ବିଚାର-ଜଗତରେ ବ୍ୟାହତତା ସୃଷ୍ଟି ହେବ ଏବଂ ତା’ର ଆପଣାର ବିଚାର ମଧ୍ୟ ଦୁର୍ବଳ ହୋଇଯିବ । ଏହାଦ୍ୱାରା ବାହାରୁ ସତ୍ୟ ଆହରଣ କରିବାର ଭ୍ରମ-ଜୀବନର ପ୍ରଥମ ପଦକ୍ଷେପ ଆରମ୍ଭ ହୋଇଯିବ ଏବଂ ତେଣୁ ଏହା ମନୁଷ୍ୟକୁ ସଂଶୟବାଦ ଆଡ଼କୁ ଗୋଟିଏ ପାହୁଣ୍ଡ ଆଗେଇ ନେଇଯିବ । ଠିକ୍ ଏହିପରି ଭାବରେ ଆରମ୍ଭବେଳେ ଏତେ ଉତ୍ସାହ ଓ ଉଦ୍ଦୀପନା ଜାଗୃତ କରିଥିଲେ ହେଁ ଜର୍ମାନ-ଦର୍ଶନର ମହତ୍ତ୍ୱପୂର୍ଣ୍ଣ ମତବାଦମାନ ଊନବିଂଶ ଶତାବ୍ଦୀର ଆରମ୍ଭରେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରିଦେଲେ, ତାହାରି ଉପରେ ହିଁ ପରବର୍ତ୍ତୀ କାଳର ସଂଶୟବାଦ ବିକାଶଲାଭ କରିଥିଲା ।

 

ତେଣୁ ମନୁଷ୍ୟକୁ ପୁଣିଥରେ ବିଚାରଶୀଳ କରାଇବାକୁ ହେଲେ ତାକୁ ତାହାର ସ୍ଵକୀୟ ବିଚାରମାର୍ଗକୁ ଫେରାଇ ଆଣିବାକୁ ପଡ଼ିବ । ତେବେ ଯାଇ ଜୀବନ ବଞ୍ଚିବାଲାଗି ତା’ର ଯେଉଁ ଜ୍ଞାନ ଆବଶ୍ୟକ, ସେହି ଜ୍ଞାନ ଅର୍ଜନ କରିବାକୁ ସେ ପୁଣି ସମର୍ଥ ହୋଇ ପାରିବ । ‘ଜୀବନପ୍ରତି ଶ୍ରଦ୍ଧା’କୁ ଭିତ୍ତିକରି ଦଣ୍ଡାୟମାନ ହୋଇଥିବା ବିଚାର ଭିତରେ ଆମେ ଏହି ମୌଳିକ ବିଚାରର ପୁନଃର୍ନବୀକରଣର ସୂଚନା ପାଇପାରିବା । ଆଜିପର୍ଯ୍ୟନ୍ତ ଯେଉଁ ବିଚାରସ୍ରୋତ ଦୀର୍ଘପଥ ଧରି ମାଟିତଳେ ବହି ବହି ଆସିଥିଲା, ତାକୁ ଆମେ ଏହାଦ୍ୱାରା ପୁଣି ଉପରିଭାଗକୁ ଆସିଥିବା ଅନୁଭବ କରିପାରିବା ।

 

ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ଜୀବନଦୃଷ୍ଟିରେ ଉପନୀତ ହେବାକୁ ମୌଳିକ ବିଚାର ଏପର୍ଯ୍ୟନ୍ତ କେବଳ ଚେଷ୍ଟା କରି ଆସୁଥିଲା, କିନ୍ତୁ ବର୍ତ୍ତମାନ ଏହା ଆପଣାର ଚେଷ୍ଟାରେ ସଫଳତା ଅର୍ଜନ କରିବାକୁ ଯାଉଚି ବୋଲି ବିଶ୍ଵାସ କରାଯାଇ ପାରେ । ଏହାକୁ କେବଳ ଏକ ଆତ୍ମଭ୍ରାନ୍ତି ବୋଲି କଦାପି କୁହାଯାଇ ନ ପାରେ, କାରଣ ଏକ ସମ୍ପୂର୍ଣ୍ଣ ବାସ୍ତବବାଦୀ ବିଚାର ଉପରେ ଏହି ବିଶ୍ଵାସ ପ୍ରତିଷ୍ଠିତ ରହିଚି ।

 

ଆଗରୁ ଏହା ପୃଥିବୀକୁ କେବଳ କେତେକ ଘଟଣାର ସମୂହ ବୋଲି ମନେକରି ଆସୁଥିଲା । ଏହି ଘଟଣାସମୂହ ପାଖରେ ଆପଣାର ସ୍ଵାଭାବିକ ଅଧସ୍ତନତା ଓ ଅଶକ୍ତତା ସ୍ଵୀକାର କରୁଥିଲା ଏବଂ ତ୍ୟାଗ ଓ ବୈରାଗ୍ୟଦ୍ଵାରା ଏହାର ଅଧୀନରେ ସେ ଆପଣାର ଏକ ଆଧ୍ୟାତ୍ମିକ ଭୂମି ତିଆରି କରି ନେଉଥିଲା । ଏହା ବ୍ୟତୀତ ଘଟଣାସମୂହ ସହିତ ଅନ୍ୟ କୌଣସିପ୍ରକାର ସମ୍ବନ୍ଧ ସ୍ଥାପନ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ହେଉନଥିଲା । ପୃଥିବୀକୁ ଏପରି ଏକ ଅର୍ଥରେ ଗ୍ରହଣ କରିଥିବା ପର୍ଯ୍ୟନ୍ତ ମନୁଷ୍ୟର ଆପଣା କାର୍ଯ୍ୟକଳାପର କୌଣସି ଅର୍ଥ ଓ ଉଦ୍ଦେଶ୍ୟ ଅଛି ବୋଲି ସ୍ଵୀକାର କରିବା କଦାପି ସମ୍ଭବ ହୋଇନପାରେ । ଯେଉଁ ପରାକ୍ରମଶାଳୀ ଘଟଣାସମୂହ ତାହାର ସମସ୍ତ ଅସ୍ତିତ୍ଵକୁ ବିଲୁପ୍ତ କରିଦେଇଚି, ସେହି ଘଟଣା ସମୂହର ଉଦ୍ଦେଶ୍ୟସାଧନରେ ସେ କିପରି ଆପଣାକୁ ନିଯୁକ୍ତ କରିପାରିବ ? ଏହାରି ଫଳରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୈତିକ ଜୀବନଭୂମି ମନୁଷ୍ୟଲାଗି ଏପର୍ଯ୍ୟନ୍ତ ବ୍ୟାହତ ହୋଇ ରହିଥିଲା ।

 

ପୃଥିବୀକୁ ଏହିପରି ଜୀବନହୀନ ଓ ଅସମ୍ପୂର୍ଣ୍ଣ ବୋଲି ଦେଖାଉଥିବା ମୌଳିକ ବିଚାର ଆପଣାର ସ୍ଵାଭାବିକ ପ୍ରଣାଳୀରେ ମନୁଷ୍ୟକୁ ଯାହା ଦେଇ ପାରିଲା ନାହିଁ, କୌଣସି ଏକ ଉପାୟରେ ପୃଥିବୀର ବ୍ୟାଖ୍ୟା ମନୁଷ୍ୟ ତାହାକୁ ବୁଝିବାଲାଗି ଚେଷ୍ଟା କଲା । ସମୁଦ୍ରକୁ ବହିଯିବା ପଥରେ ପର୍ବତଶ୍ରେଣୀ ଦ୍ଵାରା ବାଧାପ୍ରାପ୍ତ ଏକ ନଦୀସ୍ରୋତ ସହିତ ଆମେ ଏହି ବିଚାରର ତୁଳନା କରିପାରିବା । ଏହିପରି ଭାବରେ ବାଧାପ୍ରାପ୍ତ ହେଉଥିବା ନଦୀର ଜଳଧାରା ନାନା ସର୍ପିଳ ପଥ ଅନୁସରଣକରି ସମୁଦ୍ର ଆଡ଼କୁ ବହିଯିବାର ଚେଷ୍ଟା କରିଥାଏ । କିନ୍ତୁ ତାହାର ସେହି ଚେଷ୍ଟା କେବଳ ବିଫଳ ହିଁ ହୋଇଥାଏ । କେବଳ ଅନ୍ୟାନ୍ୟ ଉପତ୍ୟକାକୁ ବହିଯାଇ ସେଗୁଡ଼ିକୁ ଜଳପୂର୍ଣ୍ଣ କରିବା ବ୍ୟତୀତ ତାହର କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ । ଶତାବ୍ଦୀ ଶତାବ୍ଦୀ ପରେ ଏହିପରି ଭାବରେ ହିଁ ବାଧାପ୍ରାପ୍ତ ଓ ଅବରୁଦ୍ଧ ଜଳରାଶି ବାଧା ଅତିକ୍ରମ କରିବାକୁ ସମର୍ଥ ହୁଏ ।

 

ପୃଥିବୀ କହିଲେ କେବଳ ଘଟଣାସମୂହକୁ କଦାପି ବୁଝାଏ ନାହିଁ । ପୃଥିବୀ କହିଲେ ଜୀବନକୁ ମଧ୍ୟ ବୁଝାଇଥାଏ, ଏବଂ ସେହି ହେତୁ ମୋର ଅନୁଭୂତିର ସୀମା ଭିତରେ ମୋତେ ପୃଥିବୀର ଏହି ଜୀବନସହିତ ଏକ ସମ୍ବନ୍ଧରେ ଆବଦ୍ଧ ହେବାକୁ ହିଁ ପଡ଼ିବ । କିନ୍ତୁ ଏହି ସମ୍ବନ୍ଧ ଆଦୌ ଏକ ନିଷ୍କ୍ରିୟ ସମ୍ବନ୍ଧ ନୁହେଁ, ମାତ୍ର ଏକ ସକ୍ରିୟ ସମ୍ବନ୍ଧ ହେବା ଉଚିତ । ଜୀବନ୍ତ ପୃଥିବୀର ଉଦ୍ଦେଶ୍ୟ ସାଧନ କରିବାଭଳି କୌଣସି କର୍ମରେ ଆପଣାକୁ ନିଯୁକ୍ତ କରିଦେଇ ମୁଁ ଆପଣାର ଜୀବନକୁ କର୍ମତତ୍ପର କରିପାରିବି ଏବଂ ତେବେ ଯାଇ ମୋର କାର୍ଯ୍ୟରେ କୌଣସି ଅର୍ଥ ଓ ଉଦ୍ଦେଶ୍ୟ ଅଛି ବୋଲି ମୁଁ ଉପଲବ୍ଧି କରିପାରିବି ।

 

ବର୍ତ୍ତମାନ ଯେତେ ସରଳ ଓ ସ୍ଵାଭାବିକ ବୋଧ ହେଲେ ସୁଦ୍ଧା ପୃଥିବୀର ଏକ ଜୀବନହୀନ କଳ୍ପନାକୁ ଏକ ବାସ୍ତବ ଜୀବନମୟ ପୃଥିବୀକୁ ପରିବର୍ତ୍ତିତ କରିବାଲାଗି ବର୍ଷବର୍ଷର ବିବର୍ତ୍ତନ ଓ ବିକାଶ ଆବଶ୍ୟକ ହୋଇଥିଲା । ସମୁଦ୍ର ଭିତରୁ ଉତ୍‍ଥିତ ହୋଇଥିବା ପର୍ବତର ପ୍ରସ୍ତରମୟ ଉପରିଭାଗ ପ୍ରଥମରେ କାହାରି ଦୃଷ୍ଟିଗୋଚର ହୁଏ ନାହିଁ । କିନ୍ତୁ ବୃଷ୍ଟିଜଳ ପଡ଼ି ପଥରର ଉପରେ ଥିବା ଚକ୍‍ର ସ୍ତର ଧୋଇ ହୋଇଯିବା ପରେ ପଥର ଦୃଷ୍ଟିଗୋଚର ହେଲାପରି ଜୀବନଦୃଷ୍ଟି କ୍ଷେତ୍ରରେ ମଧ୍ୟ ଉପରିଭାଗରେ ସ୍ତର ହୋଇ ବସିଯାଇଥିବା ଅବାସ୍ତବବାଦୀ ଜୀବନଦୃଷ୍ଟି ଦୂରୀକୃତ ହୋଇଗଲା ପରେ ବାସ୍ତବବାଦୀ ଜୀବନଦୃଷ୍ଟି ଆମର ଗୋଚରଭୂମିରେ ଅନୁଭୂତ ହୋଇଥାଏ ।

 

ମନୁଷ୍ୟ ଓ ପୃଥିବୀର ସମ୍ବନ୍ଧ ବିଷୟକ ବାସ୍ତବବାଦୀ ସମସ୍ୟାର ବାସ୍ତବବାଦୀ ଉତ୍ତର ଆମକୁ ‘ଜୀବନପ୍ରତି ଶ୍ରଦ୍ଧା’ର ବିଚାରରେ ମିଳିଥାଏ । ଏହି ସଂସାରରେ ଯାହା ଅଛି ତାହାହିଁ ସତ୍ୟ, ମନୁଷ୍ୟ ଏହି ବାସ୍ତବ ସିଦ୍ଧାନ୍ତରେ ଉପନୀତ ହୁଏ ଏବଂ ଆପଣାପରି ପୃଥିବୀକୁ ମଧ୍ୟ ଜୀବନେଚ୍ଛାର ରୂପପ୍ରକାଶ ଭାବେ ଅନୁଭବ କରିବାକୁ ଆରମ୍ଭ କରେ । ଏହି ପୃଥିବୀ ସହିତ ସେ ଆପଣାକୁ ନିଷ୍କ୍ରିୟ ଓ ସକ୍ରିୟ ନାନା ସମ୍ବନ୍ଧରେ ଆବଦ୍ଧ କରିପକାଏ । ଜୀବନର ସମଗ୍ର ପ୍ରକାଶିତ ରୂପରେ ଯେଉଁ ଘଟଣାସମୂହର ଧାରା ସଙ୍ଘଟିତ ହୋଇ ଚାଲିଥାଏ, ଆପଣାକୁ ମନୁଷ୍ୟ ସେହି ଧାରାର ଅଧୀନ ବୋଲି ଜାଣିବାକୁ ପାଏ । କିନ୍ତୁ ଅପର ପକ୍ଷରେ ବାଧକ ହୋଇ ବା ସହାୟକ ହୋଇ, ଧ୍ଵସ୍ତ କରି ଅଥବା ସୁରକ୍ଷିତ କରି, ଆପଣାର ପରିଧି ଭିତରକୁ ଆସୁଥିବା ଜୀବନକୁ ସେ ପ୍ରଭାବିତ ଓ ରୂପାୟିତ କରିବାରେ ସମର୍ଥ ହୁଏ ।

 

ସଂସାର ସହିତ ରହିଥିବା ଆପଣାର ସ୍ଵାଭାବିକ ଓ ପ୍ରାକୃତିକ ସଂପର୍କକୁ ଏକ ଆଧ୍ୟାତ୍ମିକ ସମ୍ପର୍କରେ ପରିଣତ କରି ମନୁଷ୍ୟ ଆପଣାର ଜୀବନରେ ଅର୍ଥ ଓ ମହତ୍ତ୍ଵ ଆନୟନ କରିବାକୁ ସମର୍ଥ ହୋଇପାରିବ । ସଂସାରସହିତ ନିଷ୍କ୍ରିୟ ସମ୍ବନ୍ଧ ଥିବା ଏକ ଜୀବ ହିସାବରେ ବୈରାଗ୍ୟଦ୍ଵାରା ସେ ସଂସାର ସହିତ ଆଧ୍ୟାତ୍ମିକ ସମ୍ବନ୍ଧ ସ୍ଥାପନ କରିପାରିବ । ଯଥାର୍ଥ ବୈରାଗ୍ୟର ଅର୍ଥ ହେଉଚି: ଜଗତର ଘଟଣାବଳୀ ସମ୍ମୁଖରେ ଆପଣାକୁ ଶକ୍ତିହୀନ ବୋଲି ଅନୁଭବ କରି ମନୁଷ୍ୟ ଆପଣାର ବାହ୍ୟଜୀବନକୁ ଆକୃତି ଦେଉଥିବା ସମସ୍ତ ନିୟନ୍ତ୍ରଣରୁ ମୁକ୍ତ ହୋଇ ଏକ ଅନ୍ତର୍ଗତ ସ୍ଵତନ୍ତ୍ରତା ହାସଲ କରେ । ଜୀବନରେ ଯାବତୀୟ କଠିନତାର ସମ୍ମୁଖୀନ ହେବାକୁ ଯେତେବେଳେ ମଣିଷ ଆପଣା ଭିତରୁ ଯଥେଷ୍ଟ ଶକ୍ତିପାଏ, ସେତେବେଳେ ତାହାର ଅନ୍ତର୍ଗତ ସ୍ଵତନ୍ତ୍ରତା ରହିଚି ବୋଲି କୁହା ଯାଇଥାଏ । ଏହିପରି ଭାବରେ କଠିନତାର ସମ୍ମୁଖୀନ ହୋଇ ସେ ଆପଣାର ଜୀବନକୁ ଅଧିକ ଗଭୀର ଓ ଅଧିକ ଅନ୍ତର୍ଗତ କରିପାରେ । ଆପଣାକୁ ଶୁଦ୍ଧ କରେ, ଆପଣାକୁ ଅଧିକ ସ୍ଥିର ଓ ଶାନ୍ତ ରଖିପାରେ । ତେଣୁ ଆପଣା ଜୀବନର ଆଧ୍ୟତ୍ମିକ ଓ ନୈତିକ ସ୍ଵୀକାର କରିବାକୁ ହିଁ ଯଥାର୍ଥ ବୈରାଗ୍ୟ କୁହାଯାଏ । କେବଳ ଏହି ବୈରାଗ୍ୟର ସୋପାନ ଦେଇ ଅତିକ୍ରମ କରିଥିବା ବ୍ୟକ୍ତି ପୃଥିବୀକୁ ସ୍ଵୀକାର କରିବାକୁ ସମର୍ଥ ହୋଇପାରିବ ।

 

ଆପଣାକୁ ସଂସାରସହିତ ଏକ ସକ୍ରିୟ ସମ୍ବନ୍ଧସୂତ୍ରରେ ସଂଯୁକ୍ତ କରିବା ଦ୍ଵାରା ମଣିଷ ସଂସାର ସହିତ ଏକ ଆଧ୍ୟାତ୍ମିକ ସମ୍ପର୍କ ମଧ୍ୟ ସ୍ଥାପନ କରିଦିଏ । କାରଣ କେବଳ ଆପଣାପାଇଁ ସେ ଜୀବନ ଧାରଣ କରେନାହିଁ, ମାତ୍ର ତାହର ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଜୀବନ ସହିତ ସେ ଏକାତ୍ମକତା ଅର୍ଜନ କରେ । ସକଳ ଜୀବନର ଅନୁଭୂତିକୁ ସେ ଆପଣାର ଅନୁଭୂତି ବୋଲି ଅନୁଭବ କରିଥାଏ, ସେ ଯଥାସମ୍ଭବ ପ୍ରତ୍ୟେକ ଜୀବନର ସହାୟକ ହେବାକୁ ଚେଷ୍ଟା କରେ । ଜୀବନ ରକ୍ଷା କରିବାର ଓ ଜୀବନକୁ ଅଗ୍ରସର କରାଇନେବାର ଏହି କାର୍ଯ୍ୟରେ ସେ ତା’ର ଜୀବନରେ ଯେତିକି ସମର୍ଥ ହୁଏ, ସେତିକି ସେ ଆପଣା ଜୀବନରେ ଗଭୀରତମ ସୁଖ ଲାଭ କରୁଚି ବୋଲି ଅନୁଭବ କରେ ।

 

ଆପଣାର ଜୀବନ ଯେ କେତେ ରହସ୍ୟରେ ଭରି ରହିଚି ଏବଂ ଏହି ଜଗତକୁ ପୂର୍ଣ୍ଣକରି ରଖିଥିବା ଜୀବନ ସହିତ କେତେ ପ୍ରକାର ଅଭିନବ ସୂତ୍ର ଯେ ତା’ର ଆପଣାର ଜୀବନକୁ ସଂଯୁକ୍ତ କରି ରଖିଚି, ମନୁଷ୍ୟ ଥରେ ଏକଥା ଚିନ୍ତା କରିବାକୁ ଆରମ୍ଭ କରୁ, ତେବେ ସେ ଆପଣାର ତଥା ଆପଣାର ସମ୍ପର୍କ-କ୍ଷେତ୍ର ଭିତରକୁ ଆସୁଥିବା ଯାବତୀୟ ଜୀବନକୁ ‘ଜୀବନପ୍ରତି ଶ୍ରଦ୍ଧା’ର ନୀତିଭୂମି ଉପରେ ଦେଖିବାକୁ ଆରମ୍ଭ କରିବ । ଆପଣାର କାର୍ଯ୍ୟ ଜରିଆରେ ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ନୈତିକ ଜୀବନଦୃଷ୍ଟିର ଅନୁସରଣ କରି ସେ ଏହି ନୀତିକୁ ଆପଣାର ଜୀବନରେ ପ୍ରକଟ କରିବାରେ ଲାଗିପଡ଼ିବ । କେବଳ ଆପଣା ପାଇଁ ଆତ୍ମସର୍ବସ୍ଵ ଜୀବନ ବଞ୍ଚିବା ଅପେକ୍ଷା ଏପରି ଏକ ନୀତିଗତ ଜୀବନ ତା’ଲାଗି ଅବଶ୍ୟ ଅଧିକ କଠିନ ହୋଇପଡ଼ିବ, କିନ୍ତୁ ତହିଁ ସଙ୍ଗେ ସଙ୍ଗେ ସେ ଜୀବନକୁ ଅଧିକ ସମୃଦ୍ଧ, ଅଧିକ ସୁନ୍ଦର ଓ ଅଧିକ ସୁଖମୟ କରିପାରିବ । ଅନ୍ୟ ଶବ୍ଦରେ କହିବାକୁ ଗଲେ ସେ କେବଳ ବଞ୍ଚିବ ନାହିଁ, ଯଥାର୍ଥ ଭାବରେ ସେ ଜୀବନକୁ ଅନୁଭବ କରି ଶିଖିବ ।

 

ଜୀବନ ଓ ଜଗତ ସମ୍ବନ୍ଧରେ ଚିନ୍ତା କରିବାକୁ ଆରମ୍ଭ କରିବା ମାତ୍ରକେ ହିଁ ଆମେ ପ୍ରତ୍ୟକ୍ଷ ଓ ଅପ୍ରତିହିତ ଭାବରେ ‘ଜୀବନପ୍ରତି ଶ୍ରଦ୍ଧା’ର ନୀତିଭୂମି ଉପରେ ଉପନୀତ ହୋଇପାରିବା-। ଏହି ବିଚାରରୁ ଅନ୍ୟ କୌଣସି ପ୍ରକାରର ସିଦ୍ଧାନ୍ତରେ ଉପନୀତ ହେବା ଆଦୌ ସମ୍ଭବ ନୁହେଁ-

 

ଚିନ୍ତା କରିବାକୁ ଆରମ୍ଭ କରିଥିବା ମନୁଷ୍ୟ ଯଦି ତଥାପି ତା’ର ପୁରୁଣା ଅଭ୍ୟାସ ଅନୁସାରେ ବଞ୍ଚିରହିବାକୁ ଚାହେଁ, ତେବେ ଏହିପରି ଚିନ୍ତା ତା’ର ମନକୁ ଅଧିକାର କରିବାକୁ ଆସିଲାବେଳେ ସେଗୁଡ଼ିକୁ ଅସ୍ଵୀକାର କରି ଓ ଏଡ଼ି ପଳାଇ ଯିବା ଦ୍ଵାରା ହିଁ ତାହା ସେ ସମ୍ଭବ କରିପାରିବ, ସମସ୍ତ ଚିନ୍ତାହୀନତା ନିକଟରେ ଆତ୍ମସମର୍ପଣ କରି ଆପଣାକୁ ପଙ୍ଗୁ କରିଦେଇ ପାରିଲେ ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ଚିନ୍ତାର ଅନୁଶୀଳନ କରୁଥିବା ପର୍ଯ୍ୟନ୍ତ ତାକୁ ବାରବାର ‘ଜୀବନ ପ୍ରତି ଶ୍ରଦ୍ଧା’ର ସିଦ୍ଧାନ୍ତରେ ଉପନୀତ ହେବାକୁ ହିଁ ପଡ଼ୁଥିବ ।

 

ଯେଉଁ ଚିନ୍ତା ମଣିଷକୁ ସଂଶୟବାଦୀ କରି ପକାଏ, ଯେଉଁ ଚିନ୍ତା ମଣିଷପାଖରୁ ସମସ୍ତ ପ୍ରକାର ନୈତିକ ଆଦର୍ଶକୁ ଅପହୃତ କରିନିଏ, ତାହାକୁ ଚିନ୍ତା ନ କହି କେବଳ ଚିନ୍ତାହୀନତା ହିଁ କୁହାଯାଇ ପାରେ । ଏହି ଚିନ୍ତାହୀନତା ଅନେକ ସମୟରେ ଆମ ଆଗରେ ଚିନ୍ତାର ଛଦ୍ମବେଶରେ ଦେଖା ଦେଇଥାଏ । କିନ୍ତୁ ଜୀବନ ଓ ଜଗତ ସମ୍ବନ୍ଧୀୟ ରହସ୍ୟ ପ୍ରତି ଉଦାସ ରହିବା ଦ୍ଵାରା ତାହା ଆପଣାର ଅସଲ ରୂପକୁ ହିଁ ପ୍ରମାଣିତ କରିଦିଏ ।

 

‘ଜୀବନ ପ୍ରତି ଶ୍ରଦ୍ଧା’ର ଜୀବନଦୃଷ୍ଟି ଭିତରେ ଆମେ ଯେକୌଣସି ଜୀବନଦୃଷ୍ଟିର ତିନୋଟିଯାକ ସାରସତ୍ୟ–ବୈରାଗ୍ୟ, ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ ନୈତିକ ଜୀବନଦର୍ଶନ,–ଦେଖିବାକୁ ପାଇବା । ଏହି ତିନୋଟିଯାକ ଏଥିରେ ବିଚାରର ପରସ୍ପର-ସମ୍ବନ୍ଧିତ ଫଳସ୍ଵରୂପ ଜଡ଼ିତ ରହିଛନ୍ତି ।

 

ଆମେ ଆଜି ପର୍ଯ୍ୟନ୍ତ କେବଳ ବୈରାଗ୍ୟର ଜୀବନଦୃଷ୍ଟି, ଜଗତ ଓ ଜୀବନକୁ କେବଳ ସ୍ଵୀକାର କରୁଥିବା ଜୀବନଦୃଷ୍ଟି ଓ କେବଳ ନୈତିକ ଜୀବନର ଆବଶ୍ୟକତାକୁ ସନ୍ତୁଷ୍ଟ କରିବାର ପ୍ରୟାସ କରୁଥିବା ଜୀବନଦୃଷ୍ଟି ସହିତ ପରିଚିତ ଥିଲୁ । କିନ୍ତୁ ଏହି ତିନୋଟିଯାକ ଉପାଦାନକୁ ଏକତ୍ର ଗୋଟିଏ ବେଣୀରେ ବାନ୍ଧିଦେବାକୁ କେହି ସମର୍ଥ ହୋଇପାରି ନଥିଲେ । ‘ଜୀବନପ୍ରତି ଶ୍ରଦ୍ଧା’ର କେବଳ ଏକ ବିଶ୍ଵଜନୀନ ବିଶ୍ଵାସରୁ ତିନୋଟିଯାକ ଉତ୍ପନ୍ନ ହୋଇଛନ୍ତି ଓ ସେଇଥିରେ ହିଁ ନିହିତ ରହିଚନ୍ତି ବୋଲି ସ୍ଵୀକାର କଲେ ଯାଇ ସେହି ସମନ୍ଵୟ ସମ୍ଭବ ହୋଇପାରିବ । ନୈତିକ ଜୀବନଦୃଷ୍ଟିକୁ ବାଦ୍‍ ଦେଇ କୌଣସିପ୍ରକାର ବୈରାଗ୍ୟର କଳ୍ପନା କରାଯାଇ ନପାରେ, ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ନୈତିକ ଜୀବନଦୃଷ୍ଟିର କଳ୍ପନା କରାଯାଇ ନପାରେ । ଏହି ଦୁଇଟିକୁ ନୈତିକ ଜୀବନଦୃଷ୍ଟିରୂପୀ ଅଷ୍ଟପଦୀ କବିତାର ତଳ ଦୁଇଧାଡ଼ି ବୋଲି କୁହାଯାଇ ପାରିବ ।

 

ବାସ୍ତବ ବିଚାରର ଦୃଷ୍ଟି ଭୂମିରୁ ଉତ୍ପନ୍ନ ହୋଇଥିବାରୁ ‘ଜୀବନପ୍ରତି ଶ୍ରଦ୍ଧା’ର ନୈତିକ ଦର୍ଶନକୁ ବାସ୍ତବବାଦୀ ବୋଲି କହିବାକୁ ହେବ । ମନୁଷ୍ୟକୁ ଏହା ବାସ୍ତବ ଦୃଷ୍ଟିସମ୍ପନ୍ନ କରାଇ ସତତ ସତ୍ୟର ସମ୍ମୁଖୀନ ହେବାକୁ ଉଦ୍‍ବୁଦ୍ଧ କରାଇଥାଏ ।

 

ହଠାତ୍ ଦେଖିଲେ ହୁଏତ ‘ଜୀବନପ୍ରତି ଶ୍ରଦ୍ଧା’କୁ ବଡ଼ ସାଧାରଣ ଓ ଜୀବନହୀନ ବୋଲି ମନେ ହୋଇପାରେ । ଏକ ଜୀବନ୍ତ ନୈତିକ ଜୀବନରେ ଆମକୁ ପ୍ରେରିତ କରିପାରିବା ଲାଗି ଏହାର କୌଣସି ଶକ୍ତି ନାହିଁ ବୋଲି ହୁଏତ ସଂଶୟ ହୋଇପାରେ । କିନ୍ତୁ ବାହାରୁ ଦେଖିଲାବେଳକୁ ବା ଶୁଣିଲାବେଳକୁ ଏହା ଜୀବନ୍ତ ମନେ ହେଉଚି କି ନାହିଁ, ସେଥିରେ ମୁଣ୍ଡ ଖେଳାଇବାରେ ଆମେ କୌଣସି ଲାଭ ପାଇବାନାହିଁ । ଏହା ପ୍ରକୃତରେ ଯଥାର୍ଥ କି ନୁହେଁ ଏବଂ ପ୍ରକୃତରେ ଏଥିରେ ଜୀବନ ଅଛି କି ନାହିଁ, ଆମକୁ ଏହାହିଁ ବିଚାର କରିବାକୁ ହେବ । ‘ଜୀବନ ପ୍ରତି ଶ୍ରଦ୍ଧା’ର ନୈତିକ ଦର୍ଶନ ଦ୍ଵାରା ଯିଏ ଆପଣାର ଜୀବନକୁ ପ୍ରଭାବିତ କରିପାରିବ, ନୈତିକ ଦର୍ଶନର ଶକ୍ତିଦ୍ୱାରା ପ୍ରଭାବିତ ହୋଇ ଏହି ଜୀବନହୀନ ଶବ୍ଦଭିତରେ ଯେ କେତେ ଅଗ୍ନି ଧପଧପ ହୋଇ ଜଳୁଚି, ତାହା ସେ ପ୍ରତ୍ୟକ୍ଷ କରି ପାରିବ । ପ୍ରେମର ନୀତିଦର୍ଶନ ଯେତେବେଳେ ବିଶ୍ଵସ୍ତରକୁ ଉନ୍ନୀତ ହୋଇଯାଏ, ସେତେବେଳେ ତାହାହିଁ ‘ଜୀବନପ୍ରତି ଶ୍ରଦ୍ଧା’ରେ ପରିଣତ ହୁଏ । ଏହାକୁ ହିଁ ବିଚାରର ସତ୍ୟ ଉପରେ ସ୍ଵୀକୃତ ହୋଇଥିବା ଯୀଶୁଙ୍କର ନୀତିଦର୍ଶନ ବୋଲି କୁହାଯାଇ ପାରିବ ।

 

‘ଜୀବନପ୍ରତି ଶ୍ରଦ୍ଧା’ ପ୍ରାକୃତିକ ଜୀବନକୁ ଅତିରିକ୍ତ ମହତ୍ତ୍ଵ ଦେଇ ପକାଉଚି, ଏହି ନୀତିଦର୍ଶନ ବିରୁଦ୍ଧରେ ଏପରି ଗୋଟିଏ ଆପତ୍ତି ମଧ୍ୟ ଶୁଣିବାକୁ ମିଳିଥାଏ । ଜୀବନ ଭିତରେ ଯେ ଅନେକ ରହସ୍ୟମୟ ମୂଲ୍ୟ ଭରି ରହିଚି ଏବଂ ନୀତିଦର୍ଶନକୁ ଯେ ଏହି ରହସ୍ୟର ଆଲୋଚନା କରିବାକୁ ପଡ଼ିବ, ପୂର୍ବବର୍ତ୍ତୀ କାଳର ସମସ୍ତ ନୀତିଦର୍ଶନ-ମାର୍ଗ ସେକଥା ସ୍ଵୀକାର କରିପାରି ନଥିଲେ, ଉକ୍ତ ଆପତ୍ତିର ଉତ୍ତରରେ କେବଳ ଏତିକି କହିଲେ ଯଥେଷ୍ଟ ହେବ । ତେଣୁ ‘ଜୀବନପ୍ରତି ନିଷ୍ଠା’ ଆପଣାକୁ ପ୍ରାକୃତିକ ତଥା ଆଧ୍ୟାତ୍ମିକ ଉଭୟ ଜୀବନ ପ୍ରତି ପ୍ରଯୁଜ୍ୟ କରିବାକୁ ଚାହେଁ । ଯୀଶୁଙ୍କର ସେହି ଛୋଟିଆ କାହାଣୀଟିରେ ମେଷପାଳକ ଯେ କେବଳ ମେଷଟିର ଆତ୍ମାକୁ ରକ୍ଷାକରିଚି, ତା’ନୁହେଁ, ସେ ସମସ୍ତ ଜୀବଟିକୁ ହିଁ ରକ୍ଷାକରିଚି । ପ୍ରାକୃତିକ ଜୀବନପ୍ରତି ଆମର ଶ୍ରଦ୍ଧା ଯେତିକି ଅଧିକ ଶକ୍ତିଶାଳୀ ହେଉଥିବ, ଆଧ୍ୟାତ୍ମିକ ଜୀବନ ପ୍ରତି ମଧ୍ୟ ଆମେ ସେତିକି ଶ୍ରଦ୍ଧାବାନ ହୋଇ ପାରୁଥିବା ।

 

‘ଜୀବନପ୍ରତି ଶ୍ରଦ୍ଧା’ର ନୀତିମାର୍ଗ ଅନେକଙ୍କୁ ଖାସ୍ ଅଦ୍ଭୁତ ବୋଲି ପ୍ରତୀତ ହୋଇଥାଏ । ଉଚ୍ଚତର ଓ ନୀଚତର, ଅଧିକ ମହତ୍ତ୍ଵପୂର୍ଣ୍ଣ ଓ କମ୍ ମହତ୍ତ୍ଵପୂର୍ଣ୍ଣ ଜୀବନସ୍ତର ଭିତରେ ଏହା କୌଣସି ଅନ୍ତର ରଖୁନାହିଁ ବୋଲି ସେମାନେ କାରଣ ଦେଖାଇ କହିଥାନ୍ତି । କିନ୍ତୁ ଏହି ଅନ୍ତର ନ ରଖିବାର ଏକ ନିଜସ୍ଵ କାରଣ ଏହି ନୀତିମାର୍ଗରେ ରହିଚି ।

 

ବିଭିନ୍ନ ସ୍ତରର ଜୀବନଧାରୀ ପ୍ରାଣୀମାନଙ୍କୁ ଏକ ସାର୍ବଜନୀନ ମୂଲ୍ୟଭେଦର ମାନଦଣ୍ଡରେ ବିଚାର କଲେ ପରିଣାମରେ ଆମର ବିଚାର ଦ୍ଵାରା ଆମେ ସେମାନଙ୍କୁ ଆମଠାରୁ କମ୍ ବା ଅଧିକ ଦୂରରେ ଅବସ୍ଥିତ ଥିବାର ବିଚାର କରିବାକୁ ଆରମ୍ଭ କରିବା । କିନ୍ତୁ ତାହା ହେଉଚି ଏକ ସମ୍ପୂର୍ଣ୍ଣ ବ୍ୟକ୍ତିକେନ୍ଦ୍ରିତ ମାନଦଣ୍ଡ । ମନୁଷ୍ୟେତର କୌଣସି ଜୀବନଗୋଷ୍ଠୀର ପ୍ରକୃତରେ କେତେ ମୂଲ୍ୟ ରହିଚି, ବିଶ୍ଵସୃଷ୍ଟିର ଏକ ଅଂଶରୂପେ ପ୍ରକୃତରେ ସେ କି ଉଦ୍ଦେଶ୍ୟ ସାଧନ କରୁଚି, ଆମ ଭିତରୁ କିଏ ଏହି ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରିବ ?

 

ମୂଲ୍ୟଭେଦର ବିଚାର-ପଥରେ ଅଧିକ ଅଗ୍ରସର ହୋଇ ପରବର୍ତ୍ତୀ ସୋପାନରେ ଆମେ କୌଣସି ଜୀବନକୁ ହୁଏତ ଏକାବେଳେକେ ମୂଲ୍ୟହୀନ ବୋଲି ବିଚାର କରିବାକୁ ଆରମ୍ଭ କରିବା, ସେହି ଜୀବନର କୌଣସି କ୍ଷତି କଲେ ବା ତାହାକୁ ସଂସାରରୁ ବିଲୁପ୍ତ କରିଦେଲେ କାହାର କୌଣସି କ୍ଷତି ହେବନାହିଁ ବୋଲି ହୁଏତ ଆମେ ବିଚାର କରିବାର ଭ୍ରମରେ ପଡ଼ିଯିବା । ତା’ପରେ ଏହି ମୂଲ୍ୟହୀନ ଜୀବନ ଭିତରେ ପରିସ୍ଥିତି ଅନୁସାରେ ଆମେ ବିଭିନ୍ନ ପ୍ରକାରର ପତଙ୍ଗ ଓ ଆଦିମ ଅଧିବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପକାଇବା ଏବଂ ସେମାନଙ୍କର କ୍ଷତି କରିବାକୁ ବା ସେମାନଙ୍କର ବିନାଶସାଧନ କରିବାକୁ ଆମେ ଆଦୌ ଅନ୍ୟାୟ ବୋଲି ଅନୁଭବ କରିବା ନାହିଁ ।

 

କିନ୍ତୁ ପ୍ରକୃତରେ ନୈତିକ ଜୀବନ ଯାପନ କରୁଥିବା ବ୍ୟକ୍ତି ଯାବତୀୟ ପ୍ରକାରର ଜୀବନକୁ ପବିତ୍ର ବୋଲି ଜ୍ଞାନ କରିବ, ଏପରିକି ମଣିଷର ବ୍ୟାବହାରିକ ଦୃଷ୍ଟିରୁ ହୁଏତ ଯେଉଁ ଜୀବନ ନୀଚତର ସ୍ତରର ବୋଲି ମନେହେବ, ତାହାକୁ ମଧ୍ୟ ସେ ପବିତ୍ର ମଣିବ । ଜୀବନର ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହୋଇ କେବଳ ସେ ପ୍ରାଣୀ ପ୍ରାଣୀରେ କୌଣସି ଭେଦ କରିପାରିବ ଓ ଆବଶ୍ୟକତା ଦ୍ଵାରା ବାଧ୍ୟହୋଇ ଗୋଟିଏ ଜୀବନକୁ ଅବଶ୍ୟ ରକ୍ଷା କରିବାକୁ ହେଲେ ଦୁଇଟି ଜୀବନରୁ କେଉଁଟିକୁ ବର୍ଜନ କରିବା ଉଚିତ, ସେ ତାହା ନିଷ୍ପତ୍ତି କରିବ । କିନ୍ତୁ ଏହିପରି ନିଷ୍ପତ୍ତିମାନ କଲାବେଳେ ସେ ଯେ କେବଳ ତା’ର ବ୍ୟକ୍ତିଗତ ବିଚାରଭୂମି ଉପରେ ନିଷ୍ପତ୍ତି କରୁଚି, ଏହି ବିଷୟରେ ତାକୁ ଯଥେଷ୍ଟ ସଚେତ ରହିବାକୁ ପଡ଼ିବ । ସେ ଅଗତ୍ୟା ଯେଉଁ ଜୀବନର ବିନାଶ କରିବାକୁ ଯାଉଚି, ତାହାପାଇଁ ସେ ନିଜେ ଦାୟୀ ବୋଲି ମଧ୍ୟ ସେ ସର୍ବଦା ଜାଣିରଖିବ ।

 

କୌଣସି ବ୍ୟକ୍ତି କୌଣସି ରୋଗରୁ ଦାରୁଣ ଯନ୍ତ୍ରଣା ପାଉଥିଲାବେଳେ ଆଗେ ମୁଁ କେବଳ ମୂକସାକ୍ଷୀ ପରି ଠିଆ ହେବା ବ୍ୟତୀତ ତା’ର ଅନ୍ୟ କୌଣସି ପ୍ରତିକାର କରି ପାରୁନଥିଲି । କିନ୍ତୁ ବର୍ତ୍ତମାନ ନିଦ୍ରାରୋଗର ଔଷଧ ବାହାରିଲାଣି ଓ ଏହା ସାହାଯ୍ୟରେ ମୁଁ ଅନେକ ଲୋକଙ୍କର ଜୀବନରକ୍ଷା କରିପାରୁଚି । ମୋ’ ପକ୍ଷରେ ଏହା ପ୍ରକୃତରେ କେଡ଼େ ଆନନ୍ଦର ବିଷୟ ନୁହେଁ ! କିନ୍ତୁ ରୋଗ ଉପୁଜାଉଥିବା ଜୀବାଣୁମାନଙ୍କୁ ଯେତେବେଳେ ମୋର ଅଣୁବୀକ୍ଷଣ ସାହାଯ୍ୟରେ ମୁଁ ପରୀକ୍ଷାକରି ଦେଖେ, ଅନ୍ୟ ଜୀବନକୁ ବଞ୍ଚାଇ ରଖିବା ଲାଗି ମୋତେ ଏହି ଜୀବାଣୁଗୁଡ଼ିକର ଜୀବନ ନଷ୍ଟ କରିବାକୁ ହେଉଚି ବୋଲି ମୁଁ ସ୍ଵଭାବତଃ ଭାବିବାକୁ ଲାଗେ ।

 

ଆଦିବାସୀମାନେ ଅନେକ ସମୟରେ ନଦୀବନ୍ଧରୁ ଛୋଟ ମାଛରଙ୍କା ଚଢ଼େଇ ଧରିଆଣନ୍ତି । ସେମାନଙ୍କର ନିଷ୍ଠୁର କବଳରୁ ସେଇଟିର ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ମୁଁ ସେମାନଙ୍କଠାରୁ ଚଢ଼େଇଟିକୁ କିଣିନିଏ । କିନ୍ତୁ ଚଢ଼େଇଟିକୁ ମୁଁ ବର୍ତ୍ତମାନ ଉପାସରେ ମାରିବି ନା ତାକୁ ଜିଆଇ ରଖିବା ପାଇଁ ପ୍ରତ୍ୟେକ ଦିନ ଛୋଟ ମାଛ ମାରିଆଣି ତାକୁ ଖାଇବାକୁ ଦେବି, ଏହି ବିଷୟରେ ମୋତେ ଅବଶ୍ୟ ଭାବିବାକୁ ପଡ଼େ । ମୁଁ ଦ୍ଵିତୀୟ ପନ୍ଥାଟି ଅବଲମ୍ବନ କରେ, ତଥାପି ମୋର ଦାୟିତ୍ଵରେ ଥିବା ଗୋଟିକର ଜୀବନରକ୍ଷା କରିବା ଲାଗି ଯେ ମୋତେ ଏତେଗୁଡ଼ିଏ ଜୀବନ ନାଶ କରିବାକୁ ପଡ଼ୁଚି, ଖୁବ୍ ଗମ୍ଭୀର ଭାବରେ ମୁଁ ଏହା ବିଚାର କରିବାକୁ ଲାଗେ ।

 

ଏହି ଦ୍ଵନ୍ଦ୍ଵସତ୍ୟ (Selbstentzweiung)ର ନିୟମରେ ବନ୍ଧାହୋଇ ସଂସାରର ଯାବତୀୟ ଜୀବନ ମଧ୍ୟରେ ମଣିଷକୁ ମଧ୍ୟ ବଞ୍ଚିରହିବାକୁ ପଡ଼େ । ତେଣୁ ବାରବାର ଅନ୍ୟର ଜୀବନ ନାଶକରି ତାକୁ ଆପଣାର ଜୀବନ ଓ ସାଧାରଣ ଭାବରେ ଦେଖିବାକୁ ଗଲେ ସବୁ ଜୀବନକୁ ବଞ୍ଚାଇ ରଖିବାକୁ ହୁଏ । ‘ଜୀବନପ୍ରତି ଶ୍ରଦ୍ଧା’ର ନୀତିଦର୍ଶନ ଯଦି ତା’ର ଜୀବନକୁ ସ୍ପର୍ଶ କରିଥାଏ, ତେବେ ଅଗତ୍ୟା ଅପରିହାର୍ଯ୍ୟ ଆବଶ୍ୟକତାର ବଶବର୍ତ୍ତୀ ହୋଇ ସେ ଏପରି କରିବାରେ ପ୍ରବୃତ୍ତ ହୁଏ, କିନ୍ତୁ କେବେହେଲେ ବିଚାରଶୂନ୍ୟ ଭାବରେ ସେ କୌଣସି ଜୀବନକୁ କୌଣସି ପ୍ରକାରେ ନଷ୍ଟ କରେନାହିଁ । ଜଣେ ସ୍ଵତନ୍ତ୍ର ବ୍ୟକ୍ତି ହିସାବରେ ଜୀବନ ସହିତ ସହଯୋଗ କରିବାର ଓ ଜୀବନରୁ ଦୁଃଖ ଓ ବିନାଶଭୟ ଦୂର କରିବାର ମହନୀୟତା ଆସ୍ଵାଦନ କରିବାଲାଗି ସେ ବାରବାର ସୁଯୋଗ ଲାଭ କରିଥାଏ ।

 

ପ୍ରାଣୀର ଜୀବନକୁ ସୁରକ୍ଷିତ କରି ରଖିବାକୁ ମୁଁ ବାଲ୍ୟକାଳରୁ ଜୀବନର ଏକ ବ୍ରତ ବୋଲି ମନେକରି ଆସୁଥିଲି । ‘ଜୀବନପ୍ରତି ଶ୍ରଦ୍ଧା’ର ସାର୍ବଜନୀନ ନୈତିକ ଦର୍ଶନ ପ୍ରାଣୀଜଗତ ପ୍ରତି ସହାନୁଭୂତି ରଖିବାକୁ ପ୍ରତ୍ୟେକ ବିଚାରଶୀଳ ମନୁଷ୍ୟର ଅବଶ୍ୟ କର୍ତ୍ତବ୍ୟ ବୋଲି ଘୋଷଣା କରୁଥିବାରୁ ଆଜି ମୁଁ ବିଶେଷ ଆନନ୍ଦ ଅନୁଭବ କରୁଚି । ଅବଶ୍ୟ ଅନେକ ସମୟରେ ଅନେକେ ଏହାକୁ କେବଳ ଭାବପ୍ରବଣତା ବୋଲି ଚିତ୍ର କରିଥାନ୍ତି । ଏପର୍ଯ୍ୟନ୍ତ ନୀତିଦର୍ଶନ ଯେତେଥର ମନୁଷ୍ୟ ଓ ପଶୁର ତୁଳନାତ୍ମକ ସମସ୍ୟାର ସମ୍ମୁଖୀନ ହୋଇଚି, ସେତେଥର ହୁଏତ ତାହା ଏହି ସମସ୍ୟାକୁ ଅବୋଧ୍ୟ ମନେକରି ଏଡ଼ିଦେଇ ଆସିଚି ବା ଏଥିପାଇଁ କୌଣସିପ୍ରକାର ପରାମର୍ଶ ଦେବାଲାଗି ଆପଣାକୁ ଅକ୍ଷମ ବୋଲି ମନେ କରିଚି । ପ୍ରାଣୀଜଗତ ପ୍ରତି ଆମର ସହାନୁଭୂତି ରହିବା ଉଚିତ ବୋଲି ମଧ୍ୟ ଯେତେବେଳେ ଅନୁଭବ କରାଯାଇଚି, ସେତେବେଳେ ମଧ୍ୟ ଏହାକୁ ନୀତିଦର୍ଶନର ଅନ୍ତର୍ଭୁକ୍ତ କରାଯାଇ ପାରିନାହିଁ, କାରଣ କେବଳ ମନୁଷ୍ୟ ପ୍ରତି ମନୁଷ୍ୟର ଆଚରଣ ଚତୁଃସୀମା ଭିତରେ ନୀତିଦର୍ଶନର ସମସ୍ତ ଆଲୋକକୁ ସୀମିତ କରି ରଖାଯାଇଚି ।

 

ସେ ଦିନ କେବେ ଆସିବ, ଯେଉଁଦିନ ଜନମତ ପ୍ରାଣୀମାନଙ୍କୁ ଅତିନିଷ୍ଠୁର ଭାବରେ ବ୍ୟବହାର କରାଯାଉଥିବା ଅଧୁନା ଲୋକପ୍ରିୟ ସମସ୍ତ ପ୍ରକାର ମନୋରଞ୍ଜନ ଓ ବିଳାସକୁ ଅସହ୍ୟ ବୋଲି ମନେକରିବ ।

 

ତେଣୁ ବିଚାରରୁ ଉତ୍ପନ୍ନ ଏହି ନୀତିଦର୍ଶନକୁ ‘ବୁଦ୍ଧିସମର୍ଥିତ’ ବୋଲି କୁହାଯାଇ ପାରିବ ନାହିଁ । ଓଲଟି ଏହାକୁ ବୁଦ୍ଧିର ଅତୀତ ଓ ଉତ୍ସାହ-ପ୍ରଣୋଦିତ ବୋଲି କହିବାକୁ ହେବ । ମଣିଷ ଲାଗି ଏହା କୌଣସି କର୍ତ୍ତବ୍ୟର କୌଣସି କୌଶଳପ୍ରସୂତ ସ୍ପଷ୍ଟ ପରିଧି ନିର୍ଣ୍ଣିତ କରିଦେଇନାହିଁ । କିନ୍ତୁ ପ୍ରତ୍ୟେକ ମଣିଷକୁ ଆପଣାର ଜୀବନକ୍ଷେତ୍ର ଭିତରେ ତା’ର ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଜୀବନଲାଗି ଦାୟୀ ବୋଲି ଏହି ଦର୍ଶନ ଘୋଷଣା କରିଚି ଏବଂ ସେହି ଜୀବନର ସହାୟକ ହେବାକୁ ଆପଣାର ବ୍ରତରୂପେ ଗ୍ରହଣ କରିବାଲାଗି ତାହା ମଣିଷକୁ ବାଧ୍ୟ କରିଦେଇଚି ।

 

ଯେକୌଣସି ଗଭୀର ଜୀବନଦୃଷ୍ଟିକୁ ଆମେ ଅବଶ୍ୟ ଈଶ୍ଵରାତ୍ମକ ଦୃଷ୍ଟି ବୋଲି କହିପାରିବା, କାରଣ ଏହି ଦୃଷ୍ଟି ମନୁଷ୍ୟକୁ ଭୂମା ବା ଅସୀମ ସହିତ ଏକ ଆଧ୍ୟାତ୍ମିକ ସମ୍ବନ୍ଧରେ ନିବଦ୍ଧ କରାଇଦିଏ । ‘ଜୀବନପ୍ରତି ଶ୍ରଦ୍ଧା’ର ଜୀବନଦୃଷ୍ଟିକୁ ଏକ ନୈତିକ ଭୂମିବିଶିଷ୍ଟ ଈଶ୍ଵରାତ୍ମବାଦ ବୋଲି କୁହାଯାଇ ପାରିବ । ଏଥିରେ ନୈତିକ କର୍ମାଚରଣ ଦ୍ଵାରା ଅସୀମ ଜୀବନ ସହିତ ସମ୍ମିଳିତ ହେବାର ବାଟ ବତାଇ ଦିଆଯାଇଚି । ନ୍ୟାୟଶାସ୍ତ୍ରାନୁମୋଦିତ ବିଚାରକୁ ଏହି ନୈତିକ ଇଶ୍ୱରାତ୍ମବାଦର ଉତ୍ସ ବୋଲି ମାନିବାକୁ ପଡ଼ିବ । ଯେତେବେଳେ ଆମର ଜୀବନେଚ୍ଛା ଆପଣା ଓ ଜଗତ ବିଷୟରେ ବିଚାର କରିବାକୁ ଆରମ୍ଭ କରେ, ଆମେ ସେତିକିବେଳେ ଆମର ଜୀବନରେ ଅନୁଭୂତ ବିଶ୍ଵଜୀବନର ଅଭିଜ୍ଞତା ଲାଭ କରିଥାଉ ଏବଂ ଆମର ଆପଣାର କାର୍ଯ୍ୟ ମଧ୍ୟରେ ଆପଣାର ଜୀବନେଚ୍ଛାକୁ ବିଶ୍ଵଜୀବନେଚ୍ଛା ଲାଗି ଉତ୍ସର୍ଗ କରି ଦେଇଥାଉ । ବୁଦ୍ଧିପ୍ରସୂତ ବିଚାର ଯେତିକି ଗଭୀର ହୁଏ, ତାହା ସେତିକି ଅବ୍ୟର୍ଥ ଭାବରେ ଇଶ୍ୱରାତ୍ମବାଦର ବୁଦ୍ଧି-ଅତିକ୍ରାନ୍ତ ବିଚାର ଭିତରେ ବିଲୀନ ହୋଇଯାଏ । କାରଣ ଏହାକୁ ଦୁଇ ବୁଦ୍ଧି-ଅତିକ୍ରାନ୍ତ ସତ୍ୟ,–ଅର୍ଥାତ୍ ଜୀବନ ଓ ଜଗତର ସମ୍ମୁଖୀନ ହେବାକୁ ପଡ଼େ ।

 

ଅସୀମ ବିଶ୍ଵଜୀବନେଚ୍ଛା ସୃଜନେଚ୍ଛାର ରୂପ ଗ୍ରହଣ କରି ଏ ଜଗତରେ ପ୍ରତିଭାତ ହୁଏ । ଏହା ଏପର୍ଯ୍ୟନ୍ତ ମଧ୍ୟ ଆମ ଆଗରେ ଅନ୍ଧକାରାଚ୍ଛନ୍ନ ଓ ଦାରୁଣ ପ୍ରହେଳିକାମୟ ହୋଇ ରହିଚି । ଆମ ନିଜ ଭିତରେ ଏହା ପ୍ରେମର ଇଚ୍ଛା ବା ଶ୍ରଦ୍ଧାର ଇଚ୍ଛାରୂପେ ଆପଣାକୁ ଅନୁଭୂତ କରାଇଥାଏ ଏବଂ ଏହି ଶ୍ରଦ୍ଧାର ଇଚ୍ଛା ହିଁ ଆମାରି ଜରିଆରେ ଜୀବନେଚ୍ଛାଜନିତ ଦ୍ଵନ୍ଦ୍ଵସତ୍ୟ (Selbstentzweiung)ର ସମାଧାନ କରିବାକୁ ସମର୍ଥ ହୋଇପାରିବ ।

 

ଧର୍ମପ୍ରେରଣା ଦ୍ଵାରା ଆର୍ଦ୍ର ହୋଇ ରହିଥିବା ପ୍ରେମର ସକ୍ରିୟ ନୀତିମାର୍ଗ ଏବଂ ଏହାର ଅନ୍ତଃର୍ମୁଖୀନତାର ଜରିଆରେ ‘ଜୀବନପ୍ରତି ଶ୍ରଦ୍ଧା’ର ଜୀବନଦୃଷ୍ଟି ଅତି ଅନ୍ତରଙ୍ଗ ଭାବରେ ଖ୍ରୀଷ୍ଟଧର୍ମ ସହିତ ସମ୍ବନ୍ଧିତ ହୋଇ ରହିଚି । ତେଣୁ ଏଥିରେ ଖ୍ରୀଷ୍ଟଧର୍ମ ଓ ବିଚାର ଏକ ନୂତନ ସମ୍ବନ୍ଧସୂତ୍ରରେ ଏକତ୍ର ସମ୍ବନ୍ଧିତ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଚି ଏବଂ ଏହି ସମ୍ବନ୍ଧ ସମ୍ଭବ ହୋଇପାରିଲେ ତାହା ଆଧ୍ୟାତ୍ମିକ ଜୀବନକୁ ଅଧିକ ଅଗ୍ରସର କରାଇ ନେଇ ପାରିବ ।

 

ଆପଣାର ଯଥାର୍ଥ ଅନ୍ତର୍ଗତ ପରିଚୟ ପାଇବାକୁ ହେଲେ ଖ୍ରୀଷ୍ଟଧର୍ମ ବିଚାର ସହିତ ଆପଣାକୁ ସଂଯୁକ୍ତ କରିଦେବା ଏକାନ୍ତ ଆବଶ୍ୟକ । ଶତାବ୍ଦୀ ଶତାବ୍ଦୀ ଧରି ଖ୍ରୀଷ୍ଟଧର୍ମ ପ୍ରେମ ଓ କରୁଣାର ମହାନ୍ ଧର୍ମସନ୍ଦେଶକୁ ଆପଣାର ପରମ୍ପରାଗତ ସତ୍ୟ ହିସାବରେ ବହନ କରିଆସିଚି, କିନ୍ତୁ ସେହି ସନ୍ଦେଶଗୁଡ଼ିକୁ ଯଥାର୍ଥ ଓ ସଙ୍ଗତ ଭାବରେ ଗ୍ରହଣ କରିବାକୁ ହେଲେ ଯେ ଏହାକୁ କ୍ରୀତଦାସ ପ୍ରଥା, ଡାକିନୀ-ଦାହନ (Hexenver brennung, witch-burning), ନିର୍ଯ୍ୟାତନ ଏବଂ ପ୍ରାଚୀନ ଓ ମଧ୍ୟଯୁଗର ଅନେକାନେକ ଅମାନୁଷିକତାର ବିରୋଧ କରିବାକୁ ପଡ଼ିବ, ଏକଥା ଖ୍ରୀଷ୍ଟଧର୍ମ କେବେହେଲେ ଗମ୍ଭୀର ଭାବରେ ବିଚାର କରିନାହିଁ । କେବଳ ପ୍ରକାଶ ଯୁଗ (Aufklaerung)ର ପ୍ରଭାବ ଦ୍ଵାରା ପ୍ରଭାବିତ ହେବାପରେ ଏଥିରେ ମାନବିକତା ପାଇଁ ସଂଗ୍ରାମ କରିବାଲାଗି ପ୍ରଥମେ ପ୍ରେରଣା ଜାତ ହୋଇଛି । ଅନ୍ତତଃ ଏହିକଥା ସ୍ମରଣ କରି ଖ୍ରୀଷ୍ଟଧର୍ମକୁ ବିଚାରର ତୁଳନାରେ ଆପଣାକୁ ଉଚ୍ଚତର ଓ ମହତ୍ତର ବୋଲି ଭାବିବାର ଭ୍ରମରୁ ନିବୃତ୍ତ କରି ରଖିବା ଉଚିତ ।

 

ଯୁକ୍ତିବାଦର ସମ୍ପର୍କରେ ଆସି ଖ୍ରୀଷ୍ଟଧର୍ମ ଯେ କେତେଦୂର ଅଗଭୀର ହୋଇଯାଇଥିଲା, ଏପରି କହି ଆଜି ମଧ୍ୟ ଅନେକ ଆନନ୍ଦ ଅନୁଭବ କରିଥାନ୍ତି । ଖ୍ରୀଷ୍ଟଧର୍ମର ଉଦ୍ୟମରେ ସେହି ଅଗଭୀରତା କେତେଦୂର ଦୂରୀକୃତ ହୋଇ ପାରିଚି, ଆଜି ନ୍ୟାୟଦୃଷ୍ଟିରୁ ତାହାର ବିଚାର କରାଯାଇପାରେ । ଆଜି ସବୁପ୍ରକାର ନିର୍ଯ୍ୟାତନକୁ ପୁନଃପ୍ରତିଷ୍ଠିତ କରାଗଲାଣି । ଆଜି ବିଭିନ୍ନ ଦେଶରେ ଅପରାଧୀମାନଙ୍କଠାରୁ ଜବରଦସ୍ତି ଦୋଷ ସ୍ଵୀକାର କରାଇନେବା ପାଇଁ ପୋଲିସ୍ ଓ କଏଦୀଖାନାର କର୍ମଚାରୀମାନଙ୍କର ନିୟମିତ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ନିର୍ଲଜ୍ଜ ନିର୍ଯ୍ୟାତନାକୁ ମଧ୍ୟ ପ୍ରଶ୍ରୟ ଦିଆଯାଉଚି ଏବଂ ଦେଶର ନ୍ୟାୟଳୟ ନୀରବରେ ବିନା ପ୍ରତିବାଦରେ ସେସବୁ ସମର୍ଥନ କରିଚାଲିଚି । ପ୍ରତି ଘଣ୍ଟାରେ ଯେ ଏହିପରି ଭାବରେ କେତେ କେତେ ନିର୍ଯ୍ୟାତନା ସଙ୍ଘଟିତ ହୋଇ ଚାଲିଚି, ତାହାର କଳ୍ପନା ମଧ୍ୟ କରାଯାଇ ପାରିବନାହିଁ । କିନ୍ତୁ ଏ ଯୁଗରେ ନିର୍ଯ୍ୟାତନକୁ ଯେ ପୁଣି ଏକ ବିହିତ ମାର୍ଗରୂପେ ଅବଲମ୍ବନ କରାଗଲାଣି, ଏଥିଲାଗି କାର୍ଯ୍ୟରେ କିଛି କରି ଦେଖାଇବା ତ ଦୂରର କଥା, କଥାରେ ମଧ୍ୟ ଖ୍ରୀଷ୍ଟଧର୍ମ ଏହାର କୌଣସି ପ୍ରତିବାଦ କରୁନାହିଁ । ଏ ଯୁଗରେ ଆମକୁ ବାନ୍ଧିରଖିଥିବା ଅନ୍ଧବିଶ୍ଵାସର ଖଣ୍ଡନ କରିବାକୁ ମଧ୍ୟ ଖ୍ରୀଷ୍ଟଧର୍ମ କ୍ଵଚିତ୍ କୌଣସି ଉଦ୍ୟମ କରୁଚି । ଏହିସବୁ ମନ୍ଦର ପ୍ରତିରୋଧ କରିବାକୁ ଓ ଅଷ୍ଟାଦଶ ଶତାବ୍ଦୀର ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସାହସୀ ହେବାଲାଗି ପଣ କଲେ ମଧ୍ୟ ବର୍ତ୍ତମାନର ଖ୍ରୀଷ୍ଟଧର୍ମ ଯେ ଆପଣାର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇପାରିବ, ଏପରି ଆଶା ଖୁବ୍ କମ୍ ରହିଚି । କାରଣ ଏଯୁଗର ଲୋକମନ ଉପରେ ଆଜି ଖ୍ରୀଷ୍ଟଧର୍ମର କୌଣସି ଶକ୍ତି ପ୍ରଭାବ ବିସ୍ତାର କରିପାରୁ ନାହିଁ ।

 

ଆପଣାର ଆଧ୍ୟାତ୍ମିକ ଓ ନୈତିକ ଆବେଦନର ଯଥାର୍ଥତା ପ୍ରତିପାଦନ କରିବାକୁ ଯେ ଆଜି ଖ୍ରୀଷ୍ଟଧର୍ମ କୌଣସି କାର୍ଯ୍ୟ କରୁନାହିଁ, ଏହି ଅକ୍ଷମତାକୁ ଘୋଡ଼ାଇ ରଖିବାଲାଗି ସେ ଏକପ୍ରକାର ଆତ୍ମପ୍ରବଞ୍ଚନାର ଆଶ୍ରୟ ମଧ୍ୟ ନେଲାଣି । ଏକ ଅନୁଷ୍ଠାନ ଓ ସଙ୍ଗଠନ (Kirke) ହିସାବରେ ଯେ ଏହା ବର୍ଷକୁବର୍ଷ ପୃଥିବୀରେ ଆପଣାକୁ ଅଧିକ ପରାକ୍ରମୀ କରିଚାଲିଛି, ଏପରି ଏକ ଆତ୍ମଗୌରବରେ ଆଜି ଖ୍ରୀଷ୍ଟଧର୍ମ ଆପଣାକୁ ଭୁଲାଇ ରଖିଚି । ଏକ ଆଧୁନିକ ଐହିକତା ବା ସାଂସାରିକତାର ଆଶ୍ରୟ ନେଇ ଖ୍ରୀଷ୍ଟଧର୍ମ ଆଜି ଆଧୁନିକ ଯୁଗର ମନସହିତ ଆପଣାକୁ ଖାପ ଖୁଆଇ ନେବାର ଉଦ୍ୟମ କରୁଚି । ଅନ୍ୟାନ୍ୟ ଯେକୌଣସି ସଙ୍ଗଠିତ ସଂସ୍ଥାପରି ଦିନକୁଦିନ ଆପଣାର ସଙ୍ଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ ଓ ଏକାକୃତି କରାଇ ଐତିହାସିକ ଓ କ୍ଷେତ୍ରଗତ ସଫଳତାର ପ୍ରମାଣ ଦେଖାଇ ଖ୍ରୀଷ୍ଟଧର୍ମ ଆପଣାକୁ ଦୃଢ଼ଭାବରେ ପ୍ରତିଷ୍ଠିତ କରିବାରେ ବ୍ୟସ୍ତ ରହିଚି । କିନ୍ତୁ ବାହାର ପରାକ୍ରମ ଯେତିକି ବଢ଼ିଚାଲିଚି, ଏଣେ ସେହି ଅନୁପାତରେ ଏହାରି ଆଧ୍ୟାତ୍ମିକ ଶକ୍ତି ହ୍ରାସ ହୋଇ ଯାଉଚି ।

 

ବିଚାରକୁ ବହିଷ୍କୃତ କରିଦେଇ ଖ୍ରୀଷ୍ଟଧର୍ମ କଦାପି ତା’ର ସ୍ଥାନ ଅଧିକାର କରିପାରିବ ନାହିଁ, ବିଚାର ଉପରେ ହିଁ ଏହାକୁ ଆପଣାକୁ ପ୍ରତିଷ୍ଠିତ କରିବାକୁ ପଡ଼ିବ ।

 

କେବଳ ଆପଣାର ଶକ୍ତି ଉପରେ ନିର୍ଭର କରୁଥିବା ପର୍ଯ୍ୟନ୍ତ ଖ୍ରୀଷ୍ଟଧର୍ମ ଏଯୁଗର ବିଚାରହୀନତା ଓ ସଂଶୟବାଦକୁ ଜୟ କରିପାରିବ ନାହିଁ । ବିଚାରପ୍ରଣୋଦିତ ଏକ ମୌଳିକ ଧର୍ମାନୁରାଗରେ ଏ ଯୁଗକୁ ପୁନର୍ଜୀବିତ କରି ପାରିଲେ ଯାଇ ଏହି ଯୁଗ ଖ୍ରୀଷ୍ଟଧର୍ମ ବିଚାରରେ ନିହିତ ଥିବା ଅବିନାଶୀ ବିଚାରଗୁଡ଼ିକୁ ଗ୍ରହଣ କରିବାକୁ ପ୍ରବୃତ୍ତ ହୋଇପାରିବ ।

 

ମାଟିତଳେ ପାଣିର ଧାରା ରହିଚି ବୋଲି ଯେପରି ମାଟିଉପରର ଜଳଧାରା ମାଟିରେ ଭେଦି ନଯାଇ ନଦୀ ହୋଇ ବହିବାକୁ ସମର୍ଥ ହୋଇ ପାରୁଚି, ସେହିପରି ଆଜି ଖ୍ରୀଷ୍ଟଧର୍ମ ବିଚାରପ୍ରସ୍ତୁତ ମୌଳିକ ଧର୍ମାନୁରାଗର ଏକ ଅନ୍ତଃସଲିଳ ଜଳାଧାର ଦରକାର କରୁଚି । ବିଚାରର କ୍ଷେତ୍ରତୁ ମଣିଷ ପାଇଁ ଧର୍ମକୁ ଯିବାର ପଥ ପରିଷ୍କାର ହୋଇଗଲେ ହିଁ ଖ୍ରୀଷ୍ଟଧର୍ମ ଆପଣାର ଯଥାର୍ଥ ଆଧ୍ୟାତ୍ମିକ ଶକ୍ତି ଅର୍ଜନ କରିପାରିବ ।

 

ଧର୍ମ ଓ ଖ୍ରୀଷ୍ଟଧର୍ମରେ ଯେ ମୁଁ ମୋର ବିଶ୍ଵାସକୁ ସ୍ଥାୟୀ କରି ରଖିପାରିଲି, ଏଥିଲାଗି ବିଚାର ପାଖରେ ମୁଁ ସବୁବେଳେ କୃତଜ୍ଞ ରହିଥିବି ।

 

କେବଳ ବିଚାର ଉପରେ ଦଣ୍ଡାୟମାନ ହୋଇଥିବା ବ୍ୟକ୍ତି ହିଁ ପରମ୍ପରାଗତ ଧର୍ମସଂସ୍କାରମୂଳକ ସତ୍ୟର ସମ୍ମୁଖରେ ଆପଣାକୁ ତଥାପି ମୁକ୍ତ ରଖିପାରିବ ଏବଂ ଏହି ଧର୍ମ ଭିତରେ ଥିବା ଗଭୀର ଓ ଅବିନାଶୀ ଉପାଦାନଗୁଡ଼ିକୁ ସେ ଅଧିକ ଫଳପ୍ରଦ ଭାବରେ ଆପଣା ଜୀବନରେ ଗ୍ରହଣ କରିନେଇ ପାରିବ ।

 

କେବଳ ପ୍ରେମ ଦ୍ଵାରା ହିଁ ଆମେ ଭଗବାନଙ୍କର ସାନିଧ୍ୟ ଲାଭ କରିପାରିବା, ଯୀଶୁ ଯେଉଁ ପ୍ରେମଧର୍ମର ପ୍ରଚାର କରିଥିଲେ ଏବଂ ଖ୍ରୀଷ୍ଟଧର୍ମ କହିଲେ ବିଚାର ଯାହା ବୁଝେ, ଏହାହିଁ ହେଉଚି ସେହି ଖ୍ରୀଷ୍ଟଧର୍ମର ସାରମର୍ମ । ଆମର ଜୀବନରେ ଜୀବନେଚ୍ଛା ରୂପରେ ଆମେ ଈଶ୍ଵରଙ୍କୁ ଅନୁଭବ କରିବା,–ଏହି ମୂଳଦୁଆ ଉପରେ ହିଁ ସକଳ ଜୀବନ୍ତ ଭଗବତ୍ ଜ୍ଞାନ ପ୍ରତିଷ୍ଠିତ ରହିଚି ।

 

ଯିଏ ପ୍ରେମକୁ ଭଗବାନଙ୍କର ଅନନ୍ତ ରାଜ୍ୟରୁ ଆସୁଥିବା ଆଧ୍ୟାତ୍ମିକ ରଶ୍ମିରେଖା ବୋଲି ଚିହ୍ନିନେଇ ପାରିଚି, ଅତୀନ୍ଦ୍ରିୟ ଜଗତ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନଲାଭ କରିବାଲାଗି ସେ ଧର୍ମଠାରୁ କଦାପି ଦାବି କରିବାକୁ ଯିବନାହିଁ । ଏହିସବୁ ମହତ୍ତର ପ୍ରଶ୍ନଗୁଡ଼ିକ ଉପରେ ସେ ଅବଶ୍ୟ ଚିନ୍ତା କରିବ; ସଂସାରରେ ପାପର କି ଅର୍ଥ ରହିଚି; ଆଦିକାରଣ, ସୃଜନେଚ୍ଛା ଓ ଶ୍ରଦ୍ଧାଜନିତ ସମ୍ମିଳନେଚ୍ଛା କିପରି ସେହି ଏକ ଭଗବାନଙ୍କ ଭିତରେ ସମାବିଷ୍ଟ ଓ ସମଲୀନ ହୋଇପାରିଚି, ଆଧ୍ୟାତ୍ମିକ ଓ ଭୌତିକ ଜୀବନ ଭିତରେ କିପରି ଓ କେତେଦୂର ପାରସ୍ପରିକ ସମ୍ପର୍କ ରହିଚି, ଆମର ଏହି ଜୀବନକୁ କେତେଦୂର ଅନିତ୍ୟ ଓ ତଥାପି କେତେଦୂର ନିତ୍ୟ ଓ ସତ୍ୟ ବୋଲି କୁହାଯାଇ ପାରିବ, ଇତ୍ୟାଦି, ଇତ୍ୟାଦି । ତଥାପି ଏହିସବୁ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର ପାଇବାର ଆଶା ତ୍ୟାଗ କରିବା ଯେତେ ଦୁଃଖଦ ହେଲେ ମଧ୍ୟ ତାହାକୁ ଏହିସବୁ ପ୍ରଶ୍ନକୁ ବର୍ଜନ କରି ଆସିବାକୁ ହିଁ ପଡ଼ିବ । ପ୍ରେମଦ୍ଵାରା ଭଗବାନଙ୍କ ଭିତରେ ଆପଣାର ଆଧ୍ୟାତ୍ମିକ ଜୀବନ ଯାପନ କରିବାର ଜ୍ଞାନଦ୍ୱାରା ସେ ଆପଣାର ଆବଶ୍ୟକ ଉତ୍ତର ପାଇଯିବ ।

ସନ୍ଥ ପଲ୍ କହିଚନ୍ତି, “ପ୍ରେମର କଦାପି ପରାଜୟ ନାହିଁ : କିନ୍ତୁ ତଥାପି ଜ୍ଞାନକୁ ପରିହାର କରିବାକୁ ପଡ଼ିବ ।”

ଆମର ଧର୍ମାନୁରାଗ ଯେତିକି ଗଭୀର ହେବ, ଅତୀନ୍ଦ୍ରିୟକୁ ଜାଣିବାର ଦାମ୍ଭିକ ଆଗ୍ରହ ପରିତ୍ୟାଗ କରିବା ପାଇଁ ଆମେ ସେତିକି ଅଧିକ ବିନୀତ ହୋଇପାରିବା । ପର୍ବତମାଳାର ଉପରକୁ ନଯାଇ ପର୍ବତ ପର୍ବତ ଭିତରେ ଛନ୍ଦିହୋଇ ରହିଥିବା ରାସ୍ତା ସହିତ ଜ୍ଞାନର ତୁଳନା କରାଯାଇ ପାରିବ ।

କୌଣସିପ୍ରକାର ସମର୍ଥନମୂଳକ ମନୋଦୃଷ୍ଟି ସହିତ ବିଚାରରୁ ଉତ୍ପନ୍ନ ହେଉଥିବା ଧର୍ମାନୁରାଗ ପ୍ରତି ଆକୃଷ୍ଟ ହୋଇ ଆସିଲେ ଖ୍ରୀଷ୍ଟଧର୍ମ ସର୍ବେଶ୍ଵରବାଦରେ ପରିଣତ ହୋଇଯିବ ବୋଲି ଯଦି କାହାର କୌଣସି ଭୟ ହେଉଥାଏ, ତେବେ ସେହି ଭୟକୁ ମୁଁ ମିଥ୍ୟାଭୟ ବୋଲି କହିବି । ସଂସାରର ଆଦିକାରଣର ସତ୍ତା ଭିତରେ ସକଳ ସୃଷ୍ଟବସ୍ତୁର ସତ୍ୟ ନିହିତ ରହିଚି ବୋଲି ଅନୁଭବ କରୁଥିବାରୁ ପ୍ରତ୍ୟେକ ପ୍ରକାରର ସଜୀବ ଖ୍ରୀଷ୍ଟଧର୍ମକୁ ଅବଶ୍ୟ ସର୍ବେଶ୍ଵରବାଦୀ ହେବାକୁ ପଡ଼ିବ । କିନ୍ତୁ ତଥାପି ଯେକୌଣସି ସର୍ବେଶ୍ଵରବାଦୀ ଈଶ୍ଵରାତ୍ମକତା ଅପେକ୍ଷା ସକଳ ପ୍ରକାର ନୈତିକ ଧର୍ମାନୁରାଗକୁ ଉଚ୍ଚତର ବୋଲି ସ୍ଵୀକାର କରିବାକୁ ହେବ, କାରଣ ପ୍ରକୃତି ଭିତରେ ଏହା ଭଗବାନଙ୍କର ପ୍ରେମକୁ ପ୍ରତ୍ୟକ୍ଷ କରିବାକୁ ଯିବନାହିଁ, ଆମର ଜୀବନେଚ୍ଛା ମଧ୍ୟଦେଇ ଭଗବାନ ଯେ ନିରନ୍ତର ଆପଣାକୁ ପ୍ରକଟିତ କରୁଚନ୍ତି, ଏହି ବିଶ୍ଵାସାନୁଭୂତିର ଭିତ୍ତି ସେ ଭଗବାନଙ୍କୁ ଜାଣିବାର ମାର୍ଗ ଅନୁସରଣ କରିବ । ପ୍ରକୃତି ଜରିଆରେ ଆଦିକାରଣ ଭଗବାନ ଆପଣାକୁ ପ୍ରକଟ କରୁଚନ୍ତି ବୋଲି ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ଆମେ ତାଙ୍କର କେବଳ ଏକ ନୈର୍ବ୍ୟକ୍ତିକ ପରିଚୟ ପାଇପାରିବା-। କିନ୍ତୁ ଆଦିକାରଣ ପରମସତ୍ୟ ଆମ ଭିତରେ ଜୀବନେଚ୍ଛା ରୂପରେ ପ୍ରକାଶିତ ହେଉଚନ୍ତି ବୋଲି ଅନୁଭବ କରିବା ସଙ୍ଗେ ସଙ୍ଗେ ଆମେ ଏକ ନୈତିକ ପ୍ରେରଣାମୟ ବ୍ୟକ୍ତି ସହିତ ଆପଣାକୁ ସମ୍ବନ୍ଧିତ କରିଦେଇ ପାରିବା । ଈଶ୍ଵରବାଦକୁ ସର୍ବେଶ୍ଵରବାଦର ବିରୋଧୀ ବୋଲି ବିଚାର କରିବା ଉଚିତ ନୁହେଁ । ସର୍ବେଶ୍ଵରବାଦର ପ୍ରାକୃତିକତା ଓ ଅନିର୍ଦ୍ଦିଷ୍ଟତା ଭିତରୁ ହିଁ ଈଶ୍ଵରବାଦର ନୀତିନିର୍ଦ୍ଦେଶ୍ୟତାର ଉଦ୍ଭବ ହୋଇଥାଏ ।

ବିଚାରର ମାର୍ଗଉପରେ ଆପଣାକୁ ପ୍ରତିଷ୍ଠିତ କରିବାଦ୍ୱାରା ଖ୍ରୀଷ୍ଟଧର୍ମ କାଳକ୍ରମେ ମନୁଷ୍ୟକୁ ଯଥେଷ୍ଟ ଗମ୍ଭୀର ଭାବରେ ତା’ର ପାପଲିପ୍ତତା ହୁଏତ ସଚେତ କରିଦେଇ ପାରିବ ନାହିଁ, ଏହି ସନ୍ଦେହକୁ ମଧ୍ୟ ମୁଁ ଭିତ୍ତିହୀନ ବୋଲି କହିବି । ମଣିଷର ପାପଲିପ୍ତତାକୁ ଅଧିକ କହିବୁଲିବା ଦ୍ଵାରା ଯେ ଏହାର ଗମ୍ଭୀରତାକୁ ଉପଲବ୍ଧି କରାଇବାର ଉଦ୍ଦେଶ୍ୟ ସାଧିତ ହୋଇଥାଏ, ଏପରି ଅନୁମାନ କରିବା କେବଳ ଭ୍ରମମାତ୍ର । ‘ଗିରିଶିଖର ଉପଦେଶ’ରେ ପାପଲିପ୍ତତା ବିଷୟରେ ବିଶେଷ କିଛି କୁହାଯାଇନାହିଁ, କିନ୍ତୁ ସେହି ମହନୀୟ ଉପଦେଶ ଭିତରେ ପାପରୁ ମୁକ୍ତ ହେବାଲାଗି ଓ ହୃଦୟର ପବିତ୍ରତା ଅର୍ଜନ କରିବା ଲାଗି ଯୀଶୁ ଯେଉଁ ଆକାଙ୍‍କ୍ଷାର ଉଦ୍ରେକ କରିଯାଇଚନ୍ତି, ତାହାରି ଫଳରେ ସେ ମଣିଷକୁ ତା’ର ପାପପାଇଁ ଅନୁତାପ କରିବାକୁ ଉଦବୋଧନ ଦେଇଯାଇଚନ୍ତି ଓ ସେହି ଉଦବୋଧନ ମନୁଷ୍ୟ ଉପରେ ନିରନ୍ତର କାର୍ଯ୍ୟକରି ଚାଲିଚି ।

କୌଣସି ପରମ୍ପରାର ସୁରକ୍ଷା କରିବାକୁ ବା ଅନ୍ୟ କୌଣସି କାରଣ ଲାଗି ଯଦି ଖ୍ରୀଷ୍ଟଧର୍ମ ନୈତିକ ଧର୍ମବିଚାରର ସୂତ୍ରଦ୍ଵାରା ଆପଣାର ବ୍ୟାଖ୍ୟା କରିବାକୁ ନାସ୍ତି କରିଦିଏ, ତେବେ ତାହାକୁ ଖ୍ରୀଷ୍ଟଧର୍ମ ସକାଶେ ଓ ମାନବସମାଜ ସକାଶେ ଏକ ଦୁର୍ଭାଗ୍ୟ ବୋଲି କହିବାକୁ ହେବ ।

 

ଯୀଶୁଙ୍କର ଭାବାତ୍ମକତାରେ ଆଜି ଖ୍ରୀଷ୍ଟଧର୍ମ ଆପଣାକୁ ପୂର୍ଣ୍ଣ କରି ଉଛୁଳି ପଡ଼ିବା ଦରକାର ଏବଂ ଏହି ପରିପୂର୍ଣ୍ଣତାର ଶକ୍ତି ଦ୍ଵାରା ଆପଣାକୁ ଅନ୍ତର୍ମୁଖୀନତା ଓ ପ୍ରେମର ଏକ ଜୀବନ ଧର୍ମର ଆଧ୍ୟାତ୍ମିକ ସ୍ତରକୁ ଉତ୍ତୋଳିତ କରି ନେବା ଦରକାର । ଏହିପରି ଭାବରେ ରୂପାନ୍ତରିତ ହୋଇପାରିଲେ ହିଁ ଖ୍ରୀଷ୍ଟଧର୍ମର ଉଦ୍ଦେଶ୍ୟ ଯଥାର୍ଥ ଭାବରେ ସାଧିତ ହୋଇପାରିବ । କେବଳ ତାହାହିଁ ସମ୍ଭବ ହୋଇପାରିଲେ ଯାଇ ଖ୍ରୀଷ୍ଟଧର୍ମ ମନୁଷ୍ୟଜାତିର ଆଧ୍ୟାତ୍ମିକ ଜୀବନକୁ ମଧ୍ୟ ଉତ୍ତୋଳିତ ଓ ପରିବର୍ତ୍ତିତ କରିଦେଇ ପାରିବ । ଗତ ଊନବିଂଶର ଶତାବ୍ଦୀଧରି ଖ୍ରୀଷ୍ଟଧର୍ମ ନାମରେ ଆମେ ଯାହାସବୁ କଳ୍ପନା କରିଆସିଚୁ ତାହା କେବଳ ଏକ ଉପକ୍ରମ ମାତ୍ର । ଏଥିରେ ଅନେକ ଦୁର୍ବଳତା ଓ ଭୁଲ୍‍ ପରିପୂର୍ଣ୍ଣ ହୋଇ ରହିଚି, ଯୀଶୁଜୀବନର ଭାବାତ୍ମକତାରୁ ଉତ୍ପନ୍ନ ହୋଇ ପରିପୂର୍ଣ୍ଣତା ଲାଭକରିଥିବା ଖ୍ରୀଷ୍ଟଧର୍ମ ବୋଲି ଆମେ ଏହାକୁ କଦାପି କହିପାରିବା ନାହିଁ ।

 

ଗଭୀର ଶ୍ରଦ୍ଧା ଦ୍ଵାରା ପ୍ରେରିତ ହୋଇ ଖ୍ରୀଷ୍ଟଧର୍ମର କାର୍ଯ୍ୟରେ ଆପଣାକୁ ମୁଁ ସମର୍ପଣ କରିଦେଇଚି ଏବଂ ସେଇଥି ପାଇଁ ମୁଁ ଅତ୍ୟନ୍ତ ଅନୁରକ୍ତି ଓ ନିଷ୍ଠା ସହକାରେ ଏହାର ସେବା କରିବାକୁ ଚେଷ୍ଟା କରୁଚି । କିନ୍ତୁ ଏଥିଲାଗି ଖ୍ରୀଷ୍ଟଧର୍ମକୁ ନାନା ବଜ୍ର ଓ ଦୁର୍ବଳ କୈଫିୟତ ଦେଇ ବୁଝାଇ ଦେବାର ପ୍ରୟାସ (Apologetik) କରୁଥିବା କୌଣସି ଗୋଷ୍ଠୀରେ ମୁଁ କଦାପି ଆପଣାକୁ ଅନ୍ତର୍ଭୁକ୍ତ କରିଦେବି ନାହିଁ । ମାତ୍ର ନିଷ୍ଠାପର ଭାବରେ ଏହାର ଅତୀତ ଏକ ବିଚାର ସହିତ ଖ୍ରୀଷ୍ଟଧର୍ମର ଏକ ସଙ୍ଗତି ସ୍ଥାପନ କରିବାକୁ ମୁଁ ଆପଣାର କର୍ତ୍ତବ୍ୟ ବୋଲି ମନେ କରିବି ଏବଂ ଖ୍ରୀଷ୍ଟଧର୍ମକୁ ଆପଣାର ଯଥାର୍ଥ ସ୍ଵରୂପ ଓ ପ୍ରକୃତି ବିଷୟରେ ସଚେତ କରାଇଦେବାକୁ ଚେଷ୍ଟା କରୁଥିବି ।

 

ଏକ ମୌଳିକ ବିଚାରଭୂମି ଉପରେ ଚିନ୍ତାକରିବାକୁ ଆରମ୍ଭ କରିପାରିଲେ ଆମେ ‘ଜୀବନପ୍ରତି ନିଷ୍ଠା ବା ଶ୍ରଦ୍ଧା’ର ନୀତିଧାର୍ମିକ ବିଚାରରେ ଉପନୀତ ହୋଇପାରିବା ଏବଂ ତାହା ଫଳରେ ଖ୍ରୀଷ୍ଟଧର୍ମ ଓ ବିଚାରକୁ ପରସ୍ପରର ଅଧିକ ନିକଟବର୍ତ୍ତୀ କରିବାରେ କିଞ୍ଚିତ୍ ସାହାଯ୍ୟ କରିପାରିବା ବୋଲି ମୁଁ ଆଶା କରୁଚି ।

 

ମୁଁ ନିରାଶାବାଦୀ ନା ଆଶାବାଦୀ, ଏହି ପ୍ରଶ୍ନର ଉତ୍ତରରେ ମୁଁ ଏତିକି କହିବି ଯେ ମୋର ଜ୍ଞାନ ହେଉଚି ନିରାଶାବାଦୀ, କିନ୍ତୁ ମୋର ଇଚ୍ଛା ଓ ଆକାଙ୍‍କ୍ଷା ଆଶାବାଦୀ ।

 

ମୁଁ ନିରାଶାବାଦୀ, କାରଣ ପୃଥିବୀର ଘଟଣାସ୍ରୋତ ଭିତରେ ଆଜି କୌଣସିପ୍ରକାର ଗତିନିର୍ଦ୍ଦିଷ୍ଟତା ବା ଉଦ୍ଦେଶ୍ୟ ନାହିଁ ବୋଲି ମୁଁ ପୂର୍ଣ୍ଣ ମାତ୍ରାରେ ଅନୁଭବ କରିପାରୁଚି । ମୋର ଜୀବନରେ ଏପରି ବିରଳ ମୁହୂର୍ତ୍ତ କ୍ଵଚିତ୍ ମିଳିବ, ଯେତେବେଳେ କି ମୁଁ ଏହି ଜଗତରେ ବଞ୍ଚିରହିବାକୁ ପ୍ରକୃତରେ ଆନନ୍ଦ ଅନୁଭବ କରିବି । ଏକ ଦୁଃଖମୟ ଓ ସଂବେଦନ ସହାନୁଭୂତି ସହିତ ମୋର ଚତୁର୍ଦ୍ଦିଗରେ ପୂରି ରହିଥିବା ଯନ୍ତ୍ରଣାକୁ ଅନୁଭବ କରିବା ବ୍ୟତୀତ ମୋର ଆଉ କୌଣସି ଗତ୍ୟନ୍ତର ଥିଲା ବୋଲି ମୁଁ ଜାଣିପାରିନାହିଁ । କେବଳ ମଣିଷର ଯନ୍ତ୍ରଣା ନୁହେଁ, ସମସ୍ତ ସୃଷ୍ଟିର ଯନ୍ତ୍ରଣାକୁ ମୁଁ ଏହିପରି ଭାବରେ ଅନୁଭବ କରିଚି । ଏହି ସୃଷ୍ଟିମୟ ଦୁଃଖରେ ସମଦୁଃଖୀ ହେବାର ଅନୁଭୂତିମୂଳକ ଆହ୍ଵାନରେ ମୁଁ କଦାପି ପଳାଇଯିବାର ଚେଷ୍ଟା କରିନାହିଁ । ସମସ୍ତ ସଂସାର ଉପରେ ଆଜି ଯେଉଁ ଦୁଃଖର ବୋଝ ଲଦିହୋଇ ରହିଚି, ସେହି ବୋଝକୁ ଆମ ସମସ୍ତଙ୍କୁ ବହନ କରିବାକୁ ହେବ, ଏହା ମୋତେ ସବୁବେଳେ ଅତି ସ୍ଵାଭାବିକ ବୋଲି ମନେ ହୋଇଚି । ଏପରିକି ମୋର ବାଲ୍ୟାବସ୍ଥାରେ ସ୍କୁଲରେ ପାଠ ପଢ଼ୁଥିବାବେଳେ ମଧ୍ୟ ମୁଁ ପରିଷ୍କାରଭାବେ ଜାଣିପାରିଥିଲି ଯେ ଜଗତରେ ବ୍ୟାପି ରହିଥିବା ପାପଗୁଡ଼ାକୁ କେହି ମୋତେ କେବଳ ବୁଝାଇ କହିଦେଲେ ମୁଁ କଦାପି ସେତିକିରେ ସନ୍ତୁଷ୍ଟ ହୋଇ ରହିପାରିବି ନାହିଁ । ସମସ୍ତ ପ୍ରକାର ବିଶ୍ଳେଷଣ କେବଳ ବିତଣ୍ଡାରେ ହିଁ ସମାପ୍ତ ହେବ ଓ ଆମକୁ ଭ୍ରମରେ ପକାଇଦେବ । ଆମର ଏହି ସଂସାର କେବଳ ଯେ ଏକ ଭଲ ସଂସାର ତାହା ନୁହେଁ, ସବୁ ପ୍ରକାର ସମ୍ଭବ ସଂସାରଠାରୁ ଏହା ହେଉଚି ସର୍ବୋତ୍ତମ,–ଲାଇବ୍‍ନିତ୍‍ସ୍‍ଙ୍କ ପରି ଜଣେ ଦାର୍ଶନିକ ଯେ ଏପରି ଏକ ଶୋଚନୀୟ ସିଦ୍ଧାନ୍ତରେ ଉପନୀତ ହୋଇପାରିଥିଲେ, ତାହା ବୁଝିବାଲାଗି ମଧ୍ୟ ମୁଁ ଏପର୍ଯ୍ୟନ୍ତ ସମର୍ଥ ହୋଇପାରି ନାହିଁ ।

 

କିନ୍ତୁ ସଂସାରର ଦୁଃଖ ବିଷୟରେ ଯେତେ ଗମ୍ଭୀର ହୋଇ ଚିନ୍ତା କଲେ ମଧ୍ୟ କଦାପି ମୁଁ ସେହି ଚିନ୍ତାଭିତରେ ଆପଣାକୁ ନିଃସହାୟ ଭାବରେ ଡୁବାଇ ଦେଇନଥିଲି । ଏହି ଦୁଃଖର କ୍ଷୁଦ୍ରାଦପି କ୍ଷୁଦ୍ରାଂଶକୁ ଲାଘବ କରିବା ଲାଗି ଯେ ଯେତେ କମ୍‍ ହେଲେ ମଧ୍ୟ ଆମେ ପ୍ରତ୍ୟେକେ କିଛି କରିପାରିବା, ମୋର ଏହି ଦୃଢ଼ ବିଶ୍ଵାସ ସର୍ବଦା ରହି ଆସିଚି । କିନ୍ତୁ କାଳକ୍ରମେ ମୁଁ ଏହିକଥା ଜାଣି ସନ୍ତୁଷ୍ଟ ହୋଇ ରହିଚି ଯେ ଆମେ ଏହି ସମସ୍ୟା ବିଷୟରେ ଅନ୍ତତଃ ଗୋଟିଏ କଥା ଅତି ସ୍ପଷ୍ଟଭାବରେ ଜାଣିପାରିବା । ସେହି କଥାଟି ହେଉଚି ଯେ ଆମ ପ୍ରତ୍ୟେକକୁ ଆପଣା ବାଟରେ ହିଁ ଯିବାକୁ ପଡ଼ିବ, କିନ୍ତୁ ଜୀବନରୁ ଦୁଃଖର ନିରାକରଣ କରିବାର କାର୍ଯ୍ୟରେ କିଞ୍ଚିତ୍ ସାହାଯ୍ୟ କରିବାର ଉଦ୍ଦେଶ୍ୟ ରଖି ହିଁ ଆମକୁ ଯିବାକୁ ପଡ଼ିବ ।

 

ମୋ’ ବିଚାରରେ ମନୁଷ୍ୟଜାତି ବର୍ତ୍ତମାନ ଯେଉଁପରି ପରିସ୍ଥିତିର ସମ୍ମୁଖୀନ ହୋଇଚି । ସେହି ପରିସ୍ଥିତିର ଦୃଷ୍ଟିରୁ ମଧ୍ୟ ମୋତେ ଜଣେ ନିରାଶାବାଦୀ ବୋଲି କୁହାଯାଇ ପାରିବ । ବାହାରକୁ ଏହି ପରସ୍ଥିତି ଯେତେ ସଙ୍କଟାପନ୍ନ ବୋଲି ମନେ ହେଉଚି, ପ୍ରକୃତରେ ତାହା ସେତେ ସଙ୍କଟାପନ୍ନ ନୁହେଁ, ଏହା ମୁଁ କଦାପି ବିଶ୍ଵାସ କରିପାରିବି ନାହିଁ । କିନ୍ତୁ ଆପଣାଭିତରେ ମୋତେ ଜଳଜଳ ଦେଖାଯାଉଚି ଯେ ଆମେ ଆଜି ଯେଉଁ ରାସ୍ତାରେ ଚାଲିଚୁ, ସେଥିରୁ ନିବୃତ୍ତ ନ ହେବାଯାଏ ସେହି ରାସ୍ତା ଆମକୁ ଏକ ନୂତନ ପ୍ରକାରର ‘ମଧ୍ୟଯୁଗ’କୁ ପରିଚାଳିଆତ କରାଇ ନେଇଯିବ । ବିଚାର ଓ ତଜ୍ଜନିତ ସବୁପ୍ରକାରର ଆଦର୍ଶର ମାର୍ଗ ତ୍ୟାଗକରି ଆଜି ମଣିଷଜାତି ଯେଉଁ ଆଧ୍ୟାତ୍ମିକ ଓ ଭୌତିକ ଦୁର୍ବିପାକରେ ପଡ଼ିଯାଇଚି, ଯଥାସମ୍ଭବ ଦୂରଦୃଷ୍ଟି ସହିତ ମୁଁ ସେହି ଦୁର୍ବିପାକକୁ ଦେଖିବାକୁ ଚେଷ୍ଟା କରୁଚି । ତଥାପି ମୋର ଆଶା ମୋତେ ଛାଡ଼ିଯାଇ ନାହିଁ । ଶୈଶବକାଳର ଗୋଟିଏ ବିଶ୍ଵାସକୁ ମୁଁ ଏପର୍ଯ୍ୟନ୍ତ ଆପଣା ଭିତରେ ସାଇତି ରଖିଚି, କଦାପି ମୁଁ ସେହି ବିଶ୍ଵାସଟିକୁ ହରାଇ ପକାଇବି ନାହିଁ-। ସେହି ବିଶ୍ଵାସ ହେଉଚି ସତ୍ୟ ଉପରେ ବିଶ୍ଵାସ । ପରିସ୍ଥିତିର ଶକ୍ତିଠାରୁ ସତ୍ୟରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରେରଣାର ଶକ୍ତି ଯେ ଅଧିକ ଶକ୍ତିଶାଳୀ, ମୁଁ ଏହା ଅତି ଦୃଢ଼ଭାବରେ ବିଶ୍ଵାସ କରେ-। ମଣିଷ ଆଜି ଆପଣାର ମାନସିକ ଓ ଆଧ୍ୟାତ୍ମିକ ପ୍ରସ୍ତୁତିର ଭୂମି ଉପରେ ଯେଉଁଠାରେ ଉପନୀତ ହେବାଲାଗି ପ୍ରସ୍ତୁତ ହେଉଚି, ମୋର ମତରେ ମଣିଷର ଭାଗ୍ୟରୂପେ ଭବିଷ୍ୟତରେ ତାହାହିଁ ମଣିଷପାଇଁ ଅପେକ୍ଷା କରି ରହିଛି । ତେଣୁ ମଣିଷ ଯେ ଭୁଲ୍‍ବାଟରେ ଯିବ, ଓ ଆପଣା ହାତରେ ଆପଣାର ବିନାଶସାଧନ କରିଦେବ, ଏହା ମୁଁ ଆଦୌ ବିଶ୍ଵାସ କରୁନାହିଁ ।

 

ଏହି ବିଚାରହୀନତା ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଯଦି ପୃଥିବୀରେ କେତେକ ଲୋକ ବାହାରି ପାରିବେ, ଯଦି ସେମାନଙ୍କର ସୁସ୍ଥ ଓ ଗଭୀର ବ୍ୟକ୍ତିତ୍ଵ ଭିତରୁ ନୈତିକ ଅଗ୍ରଗତିର ଏକ ତେଜସ୍ଵୀ ଓ ଶକ୍ତିମାନ ଆଦର୍ଶର ଜ୍ୟୋତି ନିଷ୍ପନ୍ନ ହୋଇପାରିବ, ତେବେ ମନୁଷ୍ୟ ସମାଜରେ ଏକ ନୂତନ ମାନସିକ ଓ ଆଧ୍ୟତ୍ମିକ ଦୃଷ୍ଟିଭୂମି ଜାଗୃତ କରିପାରିବା ଭଳି ଏକ ଆତ୍ମଶକ୍ତି ଆପଣାର କ୍ରିୟା ଆରମ୍ଭ କରିଦେଇ ପାରିବ ।

 

ସତ୍ୟ ଓ ଆତ୍ମାର ଶକ୍ତି ଉପରେ ମୋର ଅଟଳ ବିଶ୍ଵାସ ରହିଚି । ତେଣୁ ମନୁଷ୍ୟଜାତିର ଭବିଷ୍ୟତର ଉପରେ ମଧ୍ୟ ମୋର ସେହିପରି ଅଟଳ ବିଶ୍ଵାସ ରହିଚି । ଜଗତ ଓ ଜୀବନକୁ ସ୍ଵୀକାର କରୁଥିବା ଏକ ନୈତିକ ଜୀବନଦୃଷ୍ଟି ଭିତରେ ଏକ ଅପରାଜେୟ ଓ ଆଶାବାଦୀ ଇଚ୍ଛାଶକ୍ତି ପ୍ରଚ୍ଛନ୍ନ ହୋଇ ରହିଚି । ତେଣୁ ନିରାଶାମୟ ବାସ୍ତବତାର ସମ୍ମୁଖୀନ ହେବାକୁ ଏହା କଦାପି କୌଣସି ପ୍ରକାରେ ଶଙ୍କିତ ହେବନାହିଁ; ବାସ୍ତବତାକୁ ତାହାର ସତ୍ୟ ରୂପରେ ପ୍ରତ୍ୟକ୍ଷ କରିବାକୁ ଅଗ୍ରସର ହୋଇଯିବ ।

 

ମୋର ନିଜ ଜୀବନ ଭିତରେ ମୋତେ ଅନେକ ସମୟରେ ଏତେ ଉଦବେଗ, କଷ୍ଟ ଓ ଦୁଖ ଭୋଗିବାକୁ ପଡ଼ିଚି ଯେ ମୋର ସହିବାଶକ୍ତି ଯଥେଷ୍ଟ ଟାଣ ହୋଇ ନଥିଲେ ସେହି ଦାରୁଣ ଭାରରେ ମୁଁ କେଉଁଦିନୁ ଭାଙ୍ଗିପଡ଼ି ସାରନ୍ତିଣି । ବର୍ଷବର୍ଷ ଧରି ଅବିରାମ ଭାବରେ ମୋ’ଉପରେ କେତେକେତେ କ୍ଳାନ୍ତି ଓ ଦାୟିତ୍ଵର ଭାରି ବୋଝ ଲଦି ଦିଆଯାଇଚି । ମୋର ଆପଣା ପାଇଁ ଅତିବାହିତ କରିବାଲାଗି ଜୀବନରେ ମୁଁ ଖୁବ୍ ବେଶୀ ସମୟ ପାଇନାହିଁ, ମୋର ସ୍ତ୍ରୀ ଓ ସନ୍ତାନଟି ପାଇଁ ମଧ୍ୟ ମୋତେ ଯଥେଷ୍ଟ ସମୟ ମିଳିନାହିଁ ।

 

କିନ୍ତୁ ମୋର ଜୀବନରେ ମୁଁ ଅନେକ ପୁରସ୍କାର ମଧ୍ୟ ପାଇଚି । ଧରାପୃଷ୍ଠର ଦୁଃଖ ଦୂର କରିବାର ମହାନ୍ ସେବାକାର୍ଯ୍ୟରେ ମୋତେ ସମ୍ମିଳିତ ହେବାର ସୌଭାଗ୍ୟ ମିଳିଚି, ମୋ’ର କାର୍ଯ୍ୟରେ ମୁଁ ସଫଳତା ଲାଭ କରିଚି, ଅନ୍ୟାନ୍ୟ ଅନେକ ଲୋକଙ୍କଠାରୁ ମୁଁ ଅଜସ୍ର ଶ୍ରଦ୍ଧା ଓ ଶୁଭେଚ୍ଛା ପାଇପାରିଚି, ମୋର କାର୍ଯ୍ୟରେ ମୋତେ ସାହାଯ୍ୟ କରିବାକୁ ଅନୁରକ୍ତ ସହକର୍ମୀବୃନ୍ଦ ରହିଚନ୍ତି, ମୋର କାର୍ଯ୍ୟରେ ସେମାନେ ଆପଣାକୁ ଉତ୍ସର୍ଗ କରିଦେଇ ପାରିଚନ୍ତି, କଠିନରୁ କଠିନତର କାର୍ଯ୍ୟ ସାଧନ କରିପାରିବା ଲାଗି ମୁଁ ଏକ ସ୍ୱାସ୍ଥ୍ୟବାନ୍ ଶରୀର ପାଇଚି, କ୍ଵଚିତ୍ ବିକ୍ଷିପ୍ତ ହୋଇ ପଡ଼ୁଥିବା ଏକ ଥଣ୍ଡା ମିଜାଜ ମୋର ଅଛି, ସ୍ଥିର ଓ ଏକନିବିଷ୍ଟ ଭାବରେ ଆପଣାକୁ ନାନା କାର୍ଯ୍ୟରେ ନିଯୁକ୍ତ କରିପାରିବା ଭଳି ଶକ୍ତି ମୋ’ଭିତରେ ରହିଛି ଏବଂ ପରିଶେଷରେ, ମୋର ଭାଗ୍ୟରେ ଯେତିକି ସୁଖ ଓ ଆନନ୍ଦ ମିଳୁଚି, ତାହାକୁ ମୁଁ ଯଥାର୍ଥ ଓ ନମ୍ର ସ୍ଵୀକାର ଜଣାଇ ଗ୍ରହଣ କରିପାରୁଚି ଏବଂ ସେଥିଲାଗି ଯଥେଷ୍ଟ କୃତଜ୍ଞତା ମଧ୍ୟ ଜ୍ଞାପନ କରିପାରୁଚି ।

 

ସଂସାରର ଅନେକ ଲୋକଙ୍କ ଭାଗ୍ୟରେ ସମସ୍ତପ୍ରକାର ସ୍ଵତନ୍ତ୍ରତାର ଦାରୁଣ ଅଭାବ ଭୋଗ କରିବାକୁ ପଡ଼ୁଥିବାବେଳେ ମୁଁ ଯେ ଜଣେ ସ୍ଵତନ୍ତ୍ର ମଣିଷ ହିସାବରେ ମୋର କାର୍ଯ୍ୟସାଧନ କରିପାରୁଚି, ଅତ୍ୟନ୍ତ ଗଭୀର ଭାବରେ ମୁଁ ସର୍ବଦା ଏହିକଥା ଚିନ୍ତା କରିବାକୁ ପ୍ରବୃତ୍ତ ହୋଇଥାଏ । ମୋର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ଏକ ଭୌତିକ କାର୍ଯ୍ୟ ହୋଇଥିଲେ ହେଁ ତଥାପି ମୁଁ ତହିଁ ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷେତ୍ରରେ ମଧ୍ୟ ଆପଣାକୁ ବ୍ୟାପୃତ ରଖିବାକୁ ଏତେ ସୁଯୋଗ ପାଇପାରୁଚି, ଏହା ମୋର ପରମ ସୌଭାଗ୍ୟ ବୋଲି କହିବାକୁ ହେବ ।

 

ମୋର ଜୀବନର ପରିସ୍ଥିତି ଯେ ଏତେ ବିଚିତ୍ର ଭାବରେ ମୋର ରଚନାତ୍ମକ କାର୍ଯ୍ୟଗୁଡ଼ିକ ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି କରିପାରୁଚି, ସେହିସବୁ ଅବସ୍ଥାକୁ ମୁଁ ଆନନ୍ଦର ସହିତ ଗ୍ରହଣ କରିଥାଏ ଓ ସେଥିଲାଗି ଅଧିକ ଯୋଗ୍ୟ ହେବାକୁ ଚେଷ୍ଟା କରୁଥାଏ ।

 

ମୋର କଳ୍ପନା ଭିତରେ ଯେତେଗୁଡ଼ିଏ କାର୍ଯ୍ୟର ଯୋଜନା ବର୍ତ୍ତମାନ ରହିଚି, ସେଗୁଡ଼ିକୁ ଯେ ମୁଁ କି ପରିମାଣରେ ସାଧନ କରିପାରିବି, ସେ କଥା କିଏ ଜାଣେ ?

 

ମୋର ମୁଣ୍ଡର ବାଳ ପାଚି ଆସିଲାଣି । ଖଟିଖଟି ଯେ ମୋର ଶରୀର କ୍ରମେ କ୍ଳାନ୍ତ ଓ ଜୀର୍ଣ୍ଣ ହୋଇଆସୁଚି, ମୋର ଯେ କ୍ରମେ ବୟସ ହୋଇଯାଉଚି, ତାହାର ସୂଚନା ମୋର ଶରୀରରୁ ବେଶ୍ ମିଳିବାକୁ ଆରମ୍ଭ କଲାଣି ।

 

ମୋର ଶାରୀରିକ ଶକ୍ତି ବିଷୟରେ କୌଣସି କାର୍ପଣ୍ୟ କରିବାର ଆବଶ୍ୟକତା ଅନୁଭବ ନକରି ମୁଁ ଯେତେବେଳେ ଅଦମ୍ୟ ଓ ଅବିଶ୍ରାନ୍ତ ଭାବରେ ଶାରୀରିକ ଓ ମାନସିକ ପରିଶ୍ରମ କରିପାରୁଥିଲି, ଜୀବନର ସେହି ବୟସ ପ୍ରତି ମୁଁ ସବୁବେଳେ କୃତଜ୍ଞ ରହିଥିବି । ସ୍ଥିର, ଶାନ୍ତ ଓ ନମ୍ର ଭାବରେ ମୁଁ ବର୍ତ୍ତମାନ ଭବିଷ୍ୟତ ଆଡ଼କୁ ଅନାଇ ରହିଚି, ଯେପରି କି ମୋର ବେଳ ଆସି ପହଞ୍ଚିଲା ସମୟରେ ମୁଁ ସବୁ ଛାଡ଼ି ଯିବାଲାଗି ପ୍ରସ୍ତୁତ ହୋଇ ରହିପାରିବି । ଆମର ସମସ୍ତ କାର୍ଯ୍ୟ ଓ କଷ୍ଟସହନ ମଧ୍ୟରେ ସମସ୍ତ ଜ୍ଞାନ ଓ ଗୋଚରର ଅତୀତ ଏକ ଶାନ୍ତିକୁ ଉପଲବ୍ଧି କରିଥିବା ମନୁଷ୍ୟ ହିସାବରେ ଆମକୁ ଆମର ଶକ୍ତିକୁ ସୁରକ୍ଷିତ କରି ରଖିବାକୁ ପଡ଼ିବ ।

 

ଲାମ୍ବାରେନେ, ୭/୩/୧୯୩୧

X X X X

☆☆☆

 

ପୁନଶ୍ଚ (୧୯୩୨-୧୯୪୯)

ଲେଖକ : ଏଭରେଟ୍ ସ୍କିଲିଙ୍ଗସ୍

Unknown

ଦ୍ଵିତୀୟ ମହାସମରର ପୂର୍ବରୁ

 

ଆଫ୍ରିକାରେ ତାଙ୍କର ତୃତୀୟ ପର୍ଯ୍ୟାୟର ଶେଷଭାଗରେ ୧୯୩୧ ମସିହା ଶରତଋତୁରେ ଫ୍ରାଙ୍କଫୁର୍ଟରେ ଅନୁଷ୍ଠିତ ହେଉଥିବା ଗ୍ୟୟଟେ ମୃତ୍ୟୁ-ଶତବାର୍ଷିକୀ ଉପଲକ୍ଷେ ଏକ ଭାଷଣ ଦେବାଲାଗି ଆଲବର୍ଟ ସ୍ଵାଇତ୍‍ଜର୍‍ଙ୍କ ପାଖକୁ ଏକ ନିମନ୍ତ୍ରଣ ଆସିଥିଲା । ସେତେବେଳେକୁ ସେ ଆପଣାର ଆତ୍ମଜୀବନୀ ଲେଖିବା ଶେଷ କରିଥାନ୍ତି ଓ ଲାମ୍ବାରେନେଠାରେ ତାଙ୍କ ପାଖରେ ମହାକବି ଗ୍ୟୟଟେଙ୍କର ସମ୍ପୂର୍ଣ୍ଣ ରଚନାବଳୀ ମଧ୍ୟ ଥାଏ । ତେଣୁ ସଙ୍ଗେ ସଙ୍ଗେ ସେ ଗ୍ୟୟଟେଙ୍କ ସମ୍ବନ୍ଧରେ ତାଙ୍କର ସ୍ମାରକୀ ଭାଷଣଟିକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ । ଜାନୁଆରୀ ମାସରେ ଇଉରୋପ ଅଭିମୁଖରେ ଯାତ୍ରା କରିବା ପୂର୍ବରୁ ସେ ଆପଣା ଭାଷଣର ଏକ ପ୍ରାରମ୍ଭିକ ନକ୍‍ସା କରି ଦେଇଥିଲେ । ତାଙ୍କ ଡାକ୍ତରଖାନରେ କାମ କରୁଥିବା ଚାରିଜଣ ଧାତ୍ରୀଙ୍କ ଭିତରୁ କେବଳ ଅକ୍ସଫୋର୍ଡ଼ର କୁମାରୀ ମାର୍ଗାରେଟ ଡେନେକେ ଏଥର ତାଙ୍କ ସହିତ ଇଉରୋପ ଯାଉଥିଲେ । ଆଫ୍ରିକାରେ ଥିଲାବେଳେ କୁମାରୀ ଡେନେକେ ସ୍ଥାନୀୟ ଅଧିବାସୀଙ୍କ ଦ୍ଵାରା ଡାକ୍ତରଖାନାରେ କରାଯାଉଥିବା କାର୍ଯ୍ୟର ତତ୍ତ୍ଵାବଧାନ କରୁଥିଲେ । ଯାତ୍ରୀଦଳରେ ସମସ୍ତଙ୍କର ମନ ଭାରି ଖୁସୀ ଥିଲା ଓ ଜଳଯାତ୍ରାକୁ ସମସ୍ତେ ପୂର୍ଣ୍ଣମାତ୍ରାରେ ଉପଭୋଗ କରିଥିଲେ ବୋଲି ତାଙ୍କର ବିବରଣୀରୁ ଜାଣିବାକୁ ମିଳେ । ଏଥର ଡାକ୍ତରଖାନାରେ ଅନେକ କାର୍ଯ୍ୟ ସମ୍ପନ୍ନ ହୋଇ ପାରିଥିଲା : ନୂଆ ଘର, ବଡ଼ସାନ ଅନେକ ନୂଆ ରାସ୍ତା, ନଦୀକୂଳରେ ଷ୍ଟିମର୍‍ ପାଇଁ ଗୋଟିଏ ନୂଆ ଘାଟ, ଯୋଜନା ଅନୁସାରେ ସବୁଗୁଡ଼ିକ ନିର୍ମିତ ହୋଇ ସାରିଥିଲା । ଜାହାଜ ଉପରେ ମଧ୍ୟ ଡାକ୍ତର ବନ୍ଧା କାର୍ଯ୍ୟକ୍ରମ ଅନୁସାରେ ତାଙ୍କର ଦିନଗୁଡ଼ିକ ଅତିବାହିତ କରୁଥିଲେ । ସବୁଠାରୁ ଅଧିକ ଶାନ୍ତ ସମୟଗୁଡ଼ିକ ସେ ଲେଖିବାରେ ବ୍ୟସ୍ତ ରହୁଥିଲେ, କିନ୍ତୁ ସନ୍ଧ୍ୟାବେଳଟା ନାନାପ୍ରକାରର ମନୋବିନୋଦନରେ କଟିଯାଉଥିଲା । ସଙ୍ଗୀତ କାର୍ଯ୍ୟକ୍ରମ ତ ଅବଶ୍ୟ ଥିଲା, କିନ୍ତୁ ସେତେବେଳେ ଡାକ୍ତର ଇଂରାଜୀ ଭାଷା ବି ଶିଖୁଥିଲେ । ତାଙ୍କର ଶିକ୍ଷକ ଡାକ୍ତରଙ୍କର ଏହି ଇଂରାଜୀ ଶିଖିବା ବେଶ୍ ଏକ ମନୋରଞ୍ଜକ ଖେଳପରି ଚାଲୁଥିଲା ବୋଲି ବର୍ଣ୍ଣନା କରିଚନ୍ତି । ଅଠର ଦିନର ଜଳଯାତ୍ରା ସାଙ୍ଗକରି ଜାହାଜ ବୋର୍ଦୋ ବନ୍ଦରରେ ପହଞ୍ଚିଲା ବେଳକୁ ଗ୍ୟୟଟେ-ସ୍ମାରକୀ ଭାଷଣଟି ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିଲା ।

 

୧୯୩୨ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ଫ୍ରାଙ୍କଫୁର୍ଟଠାରେ ମୃତ୍ୟୁ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଠିକ୍ ଯେଉଁ ମୁହୂର୍ତ୍ତରେ ଗ୍ୟୟଟେ ତାଙ୍କର ଅନ୍ତିମଶ୍ଵାସ ତ୍ୟାଗ କରିଥିଲେ, ସ୍ଵାଇତ୍‍ଜର୍‍ ସେହି ମୁହୂର୍ତ୍ତରେ ତାଙ୍କର ଭାଷଣ ଆରମ୍ଭ କରିଥିଲେ । ଅନୁଷ୍ଠାନରେ ସମବେତ ହୋଇଥିବା ନରନାରୀ ଦେଶ ଏକ ଆସନ୍ନ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଚି ବୋଲି ପୂର୍ଣ୍ଣଭାବରେ ସଚେତ ଥିଲେ । ଏକ ଗଭୀର ଦୂରଦୃଷ୍ଟିପୂର୍ଣ୍ଣ ଅନ୍ତର୍ଦୃଷ୍ଟି ସହିତ ସମସ୍ତ ପୃଥିବୀକୁ ତମସାଚ୍ଛନ୍ନ କରି ଆସୁଥିବା ଆସନ୍ନ ସଙ୍କଟର କାରଣଗୁଡ଼ିକୁ ସ୍ଵାଇତ୍‍ଜର୍‍ ବଡ଼ ସ୍ପଷ୍ଟଭାବରେ ବିଶ୍ଳେଷଣ କରି ଦେଇଥିଲେ ।

 

ଅତି ସ୍ଵାଭାବିକ ଭାବରେ ଏକ ଆଶାବାଦୀ ଉପସଂହାର ଦ୍ଵାରା ସ୍ଵାଇତ୍‍ଜର୍‍ ନିମ୍ନଲିଖିତ ଶବ୍ଦଗୁଡ଼ିକରେ ତାଙ୍କର ଭାଷଣ ଶେଷ କରିଥିଲେ ।

 

ଉପରଠାଉରିଆ ଭାବରେ ସବୁ ଘଟଣାଉପରେ ଦୃଷ୍ଟିପାତ କରୁଥିବା ଲୋକଙ୍କର ଆଖିକୁ ଯେତେ ସ୍ପଷ୍ଟଭାବରେ ବୋଧ ହେଉଥିଲେ ମଧ୍ୟ, ଚିରନ୍ତନ ପରିବର୍ତ୍ତନର ଭଙ୍ଗାଗଢ଼ା ଦ୍ଵାରା ଇତିହାସର ସମସ୍ତ ସମ୍ପଦ କଦାପି ନଷ୍ଟ, ଭଗ୍ନ ଓ ଉଦ୍‍ଭିନ୍ନ ହୋଇ ପଡ଼ିବ ନାହିଁ । ଯେଉଁସବୁ ଆଦର୍ଶ ଭିତରେ ସ୍ଥାୟୀ ମୂଲ୍ୟ ନିହିତ ରହିଚି, ସେହିସବୁ ଆଦର୍ଶ ପରିବର୍ତ୍ତନଶୀଳ ପରିସ୍ଥିତି ସହିତ ଆପଣାକୁ ଖାପ ଖୁଆଇ ନେଇ ପାରିବ ଏବଂ ସବୁପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ଅଧିକ ଗଭୀର ଓ ଶକ୍ତିଶାଳୀ ହେଉଥିବ । ମାନବ-ବ୍ୟକ୍ତିତ୍ଵର ଆଦର୍ଶ ହେଉଚି ଏହିପରି ଆଦର୍ଶର ଅନ୍ୟତମ । ଏହି ଆଦର୍ଶକୁ ଯଦି ଆମେ ପରିତ୍ୟାଗ କରି ପକାଇବା ତେବେ ମନୁଷ୍ୟତାର ସମସ୍ତ ଭାବ ଛାରଖାର ହୋଇଯିବ । ଏହା ଫଳରେ ସଭ୍ୟତା ଓ ମାନବସମାଜର ମଧ୍ୟ ଅନ୍ତ ହୋଇଯିବ ।

 

“ଆଜିଠାରୁ କୋଡ଼ିଏ ବର୍ଷ ଅତିବାହିତ ହେବାପୂର୍ବରୁ ଫ୍ରାଙ୍କଫୁର୍ଟ ତା’ର ସର୍ବୋତ୍ତମ ସନ୍ତାନର ଦ୍ଵିଶତତମ ଜନ୍ମ ଦିବସ ପାଳନ କରିବ । ସେତେବେଳର ନୂତନ ଉତ୍ସବରେ ଯିଏ ସ୍ମାରକୀ-ଭାଷଣ ଦେବାକୁ ଆସିବେ ବର୍ତ୍ତମାନ ଆଜିର ଉତ୍ସବକୁ ଆଚ୍ଛନ୍ନ କରି ରହିଥିବା ଅନ୍ଧକାର ସେତେବେଳକୁ ଅପସରି ଯାଇଚି ବୋଲି ଯେପରି ସେ କହିବାକୁ ସମର୍ଥ ହୋଇପାରିବେ, ମୁଁ ଏହାହିଁ କାମନା କରୁଚି ।”

 

୧୯୩୨ ମସିହା ଫେବୃଆରୀଠାରୁ ୧୯୩୩ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଇଉରୋପରେ ତାଙ୍କର ଏହି ରହଣି ଭିତରେ ସେ ହଲାଣ୍ଡ, ଇଂଲଣ୍ଡ, ସୁଇଡେନ୍‍, ଜର୍ମାନୀ ଓ ସୁଇଜର୍‍ଲାଣ୍ଡରେ ବକ୍ତୃତା ଦେଇଥିଲେ ଓ ସଙ୍ଗୀତ ବଜାଇ ଶୁଣାଉଥିଲେ ।

 

ଇଂଲଣ୍ଡକୁ ଯାଇଥିବା ସମୟରେ ତାଙ୍କୁ ଚାରୋଟି ସମ୍ମାନସୂଚକ ଡିଗ୍ରୀ ମିଳିଥିଲା ଅକ୍ସଫୋର୍ଡ଼ରୁ ଗୋଟିଏ, ଏଡିନ୍‍ବରାରୁ ଦୁଇଟି ଏବଂ ସେଣ୍ଟ ଆଣ୍ଡୃରୁ ଗୋଟିଏ । ସେଣ୍ଟ ଆଣ୍ଡୃରେ ତାଙ୍କୁ ବିଶ୍ୱବିଦ୍ୟାଳୟର ପ୍ରଧାନ କୁଳପତି ପଦ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ସେ ଇଂରାଜୀଭାଷା ଭଲକରି ଜାଣିନାହାନ୍ତି ବୋଲି କାରଣ ଦେଖାଇ ବାରଣ କରିଥିଲେ ।

 

ଏହି ଦେଶ ଭ୍ରମଣ ସମୟରେ ମଧ୍ୟ ସ୍ଵାଇତ୍‍ଜର୍‍ ଦିନକୁ ଷୋଳଘଣ୍ଟା ହିସାବରେ ପରିଶ୍ରମ କରୁଥିଲେ । ଅତି ବେଗରେ ଆପଣାର କାର୍ଯ୍ୟରେ ସେ ବ୍ୟାପୃତ ରହୁଥିଲେ, କିନ୍ତୁ ତାଙ୍କର ଅଦମ୍ୟ ଶାରୀରିକ ଶକ୍ତିବଳରେ ଅତି କମ୍ ଖାଦ୍ୟ ଖାଇ ଓ ଅତି କମ୍‍ ସମୟ ବିଶ୍ରାମ ନେଇ ମଧ୍ୟ ସେ ସମସ୍ତ କାର୍ଯ୍ୟ କରିପାରୁଥିଲେ । ଦିନେ ଭୋର ଚାରିଟା ପର୍ଯ୍ୟନ୍ତ ଚେଇଁରହି ପରିଶ୍ରମ କରିବାପରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ କହିଲେ, “ଆପଣଙ୍କର ବତୀ ରାତିରେ ଦୁଇଆଡ଼ୁ ଜଳିଲେ ହେବ କିପରି ?’’ କିନ୍ତୁ ସ୍ଵାଇତ୍‍ଜର୍‍ ଉତ୍ତର ଦେଲେ, “ହଁ, ବେଶ୍ ହେବ, ବତୀ ଯଦି ଲମ୍ବା ହୋଇଥାଏ, ତେବେ ଏହାଦ୍ୱାରା କୌଣସି ଅନିଷ୍ଟ ହେବନାହିଁ ।”

 

ଭ୍ରମଣରେ ଗଲାବେଳେ ସେ ସର୍ବଦା ଆପଣା ସାଙ୍ଗରେ ଦୁଇଟି ବସ୍ତା ନେଇ ଯାଆନ୍ତି । ସେହି ଦୁଇଟି ବସ୍ତା ଧୋବାର ଲୁଗାବସ୍ତା ପରି ଦେଖାଯାଉଥାଏ । ଏ ଦୁଇଟିରେ ତାଙ୍କର ଚିଠିପତ୍ର ଭର୍ତ୍ତିହୋଇ ରହିଥାଏ, ଉତ୍ତର ଦେବାର ବିଳମ୍ବ କଲେ କାଳେ ଚିଠିପତ୍ରର ବୋଝ ଅଧିକ ହୋଇଯିବ, ସେଇଥିପାଇଁ ଚିଠିର ଉତ୍ତର ଦେବାରେ ସେ ଆଦୌ ଅବହେଳା କରନ୍ତି ନାହିଁ । କୌଣସି ଚିଠିର ଉତ୍ତର ଲେଖି ପଠାଇଦେବା ମାତ୍ରକେ ଚିଠିଟିକୁ ସେ ଗୋଟିଏ ବସ୍ତାରୁ ନେଇ ଆର ବସ୍ତାରେ ରଖି ଦିଅନ୍ତି ।

 

ଇଂଲଣ୍ଡରୁ ପ୍ରତ୍ୟାବର୍ତ୍ତନ କରିବାପରେ ଗ୍ୟୁନ୍‍ସ୍‍ବାଖ୍‍ର ଅତିଥିଶାଳାରେ ଅନେକ ପରିଦର୍ଶକ ସ୍ଵାଇତ୍‍ଜର୍‍ଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । କିନ୍ତୁ ୧୯୩୩ ମସିହା ପର୍ଯ୍ୟନ୍ତ ମାର୍ଚ୍ଚମାସରେ ଆଫ୍ରିକା ଉଦ୍ଦେଶ୍ୟରେ ଯାତ୍ରା କରିବା ପର୍ଯ୍ୟନ୍ତ ଅଧିକାଂଶ ସମୟ ଚୀନ ଓ ଭାରତୀୟ ଦର୍ଶନ ସମ୍ବନ୍ଧରେ ଅଧ୍ୟୟନ କରିବାରେ ଓ ଲେଖିବାରେ ଅତିବାହିତ କରିଥିଲେ ।

 

୧୯୩୪ ମସିହା ଶରତ କାଳରେ ଅକ୍ସଫୋର୍ଡ଼ର ମାଞ୍ଚେଷ୍ଟର କଲେଜରେ ହିବର୍ଟ ବକ୍ତୃତା ଦେବାଲାଗି ସ୍ଵାଇତ୍‍ଜର୍‍ ଇଂଲଣ୍ଡ ଯାତ୍ରା କରୁଥିଲେ । ‘ଆଧୁନିକ ସଭ୍ୟତାରେ ଧର୍ମ’ ଏହି ବକ୍ତୃତାର ବିଷୟ ଥିଲା । ଲଣ୍ଡନ ବିଶ୍ୱବିଦ୍ୟାଳୟରେ ମଧ୍ୟ ତାଙ୍କୁ ଏହି ବକ୍ତୃତାଟି ଦେବାକୁ ପଡ଼ିଥିଲା-। ଅବଶ୍ୟ ଏପର୍ଯ୍ୟନ୍ତ ସେହି ବକ୍ତୃତାଗୁଡ଼ିକ ପୁସ୍ତକାକାରରେ ପ୍ରକାଶିତ ହୋଇନାହିଁ, କିନ୍ତୁ ବକ୍ତୃତାଗୁଡ଼ିକର ଯେଉଁ ସାରାଂଶ କରି ସେ ଏକ ପତ୍ରିକା ପାଇଁ ପଠାଇଥିଲେ, ତାହାର ପ୍ରଥମ ଓ ଶେଷ ପାରା ନିମ୍ନରେ ଦିଆଗଲା ।

 

“ଆମ ଆଧୁନିକ ଯୁଗର ସଭ୍ୟତା ଓ ଆଧ୍ୟାତ୍ମିକ ଜୀବନରେ ଧର୍ମର ସ୍ଥାନ ବିଷୟରେ ମୁଁ ଆଲୋଚନା କରିବାକୁ ଯାଉଚି । ଆମ ସମ୍ମୁଖରେ ଦଣ୍ଡାୟମାନ ହେଉଥିବା ପ୍ରଥମ ପ୍ରଶ୍ନଟି ହେଉଚି : ଆମ ଏ ଯୁଗର ଆଧ୍ୟାତ୍ମିକ ଜୀବନରେ ଧର୍ମ ତଥାପି ଏକ ଶକ୍ତିରୂପେ କାର୍ଯ୍ୟ କରୁଚି କି ? ଆପଣମାନଙ୍କର ଏବଂ ମୋ’ ନିଜର ମତ ପ୍ରକାଶ କରି ମୁଁ ଉତ୍ତର ଦେବି, ‘ନାହିଁ’ ! ....ଅବଶ୍ୟ ଆମ ଭିତରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କୌଣସିପ୍ରକାର ଧର୍ମଗୋଷ୍ଠୀର ଅନ୍ତର୍ଭୁକ୍ତ ନୁହନ୍ତି, ଅଥଚ ଯେଉଁମାନଙ୍କ ଭିତରେ ତଥାପି ଧର୍ମ ପ୍ରତି ଏକ ଆକାଙ୍‍କ୍ଷା ଜାଗୃତ ହୋଇ ରହିଚି । ଏହା ଜାଣି ପ୍ରକୃତରେ ମୁଁ ଅନେକ ଆନନ୍ଦ ଅନୁଭବ କରୁଚି । ତଥାପି ଧର୍ମ ଯେ ଆଜି କୌଣସି ଶକ୍ତିରୂପେ କାର୍ଯ୍ୟ କରୁନାହିଁ, ଆମକୁ ଏହିକଥା ସ୍ଵୀକାର କରିବାକୁ ହିଁ ପଡ଼ିବ । ଏହାର ପ୍ରମାଣ ? ଯୁଦ୍ଧ.....”

 

“ଆମେ ସମସ୍ତେ ବର୍ତ୍ତମାନ ଅନ୍ଧାରଭିତରେ ବାଟଖୋଜି ବୁଲୁଚୁ । କିନ୍ତୁ ଆମେ ଆଲୋକ ଆଡ଼କୁ ଅଗ୍ରସର ହେଉଚୁ ବୋଲି ଆମର ଦୃଢ଼ ବିଶ୍ଵାସ ରହିଚି । ଭବିଷ୍ୟତରେ ଏପରି ଏକ ଶୁଭସମୟ ଆସି ପହଞ୍ଚିବ ଯେତେବେଳେ କି ଧର୍ମ ଓ ନୈତିକ ବିଚାର ପରସ୍ପର ସହିତ ସମ୍ମିଳିତ ହୋଇଯିବ । ଆମେ ପ୍ରତ୍ୟେକେ ଏହାରି ଉପରେ ବିଶ୍ଵାସ ରଖିଚୁ, ଆଶା ରଖିଚୁ ଏବଂ ଏହାରିପାଇଁ କାର୍ଯ୍ୟ କରୁଚୁ । ଆମର ଜୀବନରେ ଏହି ନୈତିକ ଆଦର୍ଶର ସକ୍ରିୟ ଅନୁଶୀଳନ କରିପାରିଲେ ସବୁଲୋକେ ମଧ୍ୟ କ୍ରମେ ସେହିପରି କରିବାକୁ ଆରମ୍ଭ କରିବେ, ଆମର ଏହି ବିଶ୍ଵାସ କ୍ରମେ ଦୃଢ଼ହୋଇ ଚାଲିଚି । ଚାଲ ଆମେ ସମସ୍ତେ ଆଲୋକ ଉପରେ ଆମର ଦୃଷ୍ଟିକୁ ନିବଦ୍ଧ କରି ରଖିବା, ଆମର ବିଚାର ଆମକୁ ଯେପରି ଭାବରେ ପ୍ରସ୍ତୁତ କରି ଚାଲିଚି, ତାହାରି ବିଷୟରେ ମନନ କରି ଆମେ ଆପଣାକୁ ସାନ୍ତ୍ଵନା ଦେବା ।

 

ନଭେମ୍ବର ମାସରେ ଏଡିନ୍‍ବରା ଯାଇ ସ୍ଵାଇତ୍‍ଜର୍‍ ‘ପ୍ରକୃତି-ଦର୍ଶନ ଓ ପ୍ରାକୃତିକ ନୀତିଶାସ୍ତ୍ରର ସମସ୍ୟା’ ବିଷୟରେ ଗିଫୋର୍ଡ଼ ବକ୍ତୃତା ଦେଇଥିଲେ । ସପ୍ତାହକୁ ତିନିଥର କରି ଦଶୋଟି ବକ୍ତୃତାରେ ଏହା ସମାପ୍ତ ହୋଇଥିଲା । ଭାରତ, ଚୀନ, ଗ୍ରୀସ୍‍ ଓ ପାରସ୍ୟର ପ୍ରସିଦ୍ଧ ଦାର୍ଶନିକମାନଙ୍କଠାରୁ ଆରମ୍ଭକରି ମନୁଷ୍ୟର ବିଚାରଧାରା କିପରି ଅଗ୍ରଗତି କରିଆସିଚି, ବକ୍ତୃତାଗୁଡ଼ିକରେ ସ୍ଵାଇତ୍‍ଜର୍‍ ଏହାରି ଚର୍ଚ୍ଚା କରିଥିଲେ । ଭାରତୀୟ ଦର୍ଶନ ବିଷୟରେ ସେ ପ୍ରସ୍ତୁତ କରିଥିବା ଅଧ୍ୟାୟଟି କ୍ରମଶଃ ଏତେ ବିରାଟ ଆକାର ଧାରଣ କଲା ଯେ ସେ ତାହାକୁ ଏକ ସ୍ଵତନ୍ତ୍ର ପୁସ୍ତକ ଆକାରରେ ପ୍ରକାଶ କରିବାକୁ ନିଷ୍ପତ୍ତି କରିଥିଲେ । (Die Weltanschauung der Indischen Denken) ଶିରୋନାମାରେ ଜର୍ମାନ୍ ସଂସ୍କରଣଟି ୧୯୩୪ରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟିକୁ ନିଜେ ସ୍ଵାଇତ୍‍ଜର୍‍ ଫରାସୀଭାଷାରେ ଅନୁବାଦ କରିଥିଲେ ଓ ୧୯୩୬ ମସିହାରେ ଏହା Les Grands Penseurs de L‘Inde’ ନାମରେ ପ୍ରକାଶିତ ହୋଇଥିଲା । ୧୯୩୬ରେ ଇଂଲଣ୍ଡ ଓ ଆମେରିକାରେ ମଧ୍ୟ ପୁସ୍ତକଟିର ଇଂରାଜୀ ଅନୁବାଦ Indian Thought and its Development ବାହାରି ଯାଇଥିଲା । ଗାନ୍ଧୀଙ୍କର ପରମବନ୍ଧୁ ଚାର୍ଲି ଆଣ୍ଡୃଜ୍ ଏହି ପୁସ୍ତକ ପ୍ରକାଶ କରିବାରେ, ବିଶେଷତଃ ଆଧୁନିକ ଭାରତୀୟ ଦର୍ଶନ ସମ୍ବନ୍ଧୀୟ ଅଧ୍ୟାୟଗୁଡ଼ିକୁ ପ୍ରସ୍ତୁତ କରିବାରେ ଅନେକ ସହାୟତା କରିଥିଲେ । ଭାରତୀୟ ଦର୍ଶନର ବିଖ୍ୟାତ ପଣ୍ଡିତ ପ୍ରାଗ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଉଇଣ୍ଟର୍‍ନିତ୍‍ସ୍‍ଙ୍କ ପାଖକୁ ମଧ୍ୟ ସ୍ଵାଇତ୍‍ଜର୍ ଏହି ପୁସ୍ତକର ପାଣ୍ଡୁଲିପିର ପ୍ରଧାନ ଅଂଶମାନ ତାଙ୍କର ସମାଲୋଚନା ପାଇଁ ପଠାଇ ଦେଇଥିଲେ । ଚୀନଦର୍ଶନ ସମ୍ବନ୍ଧରେ କୌଣସି ଜଣେ ପ୍ରବୀଣ ପଣ୍ଡିତଙ୍କ ପାଖରୁ ଦେଖାଇ ଆଣିବାପରେ ଚୀନା ଦାର୍ଶନିକମାନଙ୍କ ସମ୍ବନ୍ଧରେ ତାଙ୍କର ପୁସ୍ତକଟିକୁ ସେ ପ୍ରକାଶ କରିବେ ବୋଲି ସ୍ଵାଇତ୍‍ଜର୍‍ କହିଚନ୍ତି-

 

୧୯୩୫ ମସିହା ଜାନୁଆରୀ ୧୪ ତାରିଖରେ ଷ୍ଟ୍ରାସ୍‍ବୁର୍ଗ୍ ସହର ସ୍ଵାଇତ୍‍ଜର୍‍ଙ୍କର ଷଷ୍ଠତମ ଜନ୍ମଦିବସ ପାଳନ କରିଥିଲା ଓ ସହରର ଗୋଟିଏ ପାର୍କକୁ ତାଙ୍କର ନାମାନୁସାରେ ନାମିତ କରିଥିଲା । ଫେବୃଆରୀ ଶେଷ ଭାଗରେ ସେ ଲାମ୍ବାରେନେ ଫେରି ଯାଇଥିଲେ କିନ୍ତୁ ଏଥର କେବଳ ସାତମାସ ରହି ପୁଣି ଇଉରୋପକୁ ଫେରି ଆସିଥିଲେ । କାରଣ ନଭେମ୍ବର ମାସରେ ଏଡିନ୍‍ବରାଠାରେ ତାଙ୍କୁ ଦ୍ଵିତୀୟଥର ପାଇଁ ଗିଫୋର୍ଡ଼ ବକ୍ତୃତା ଦେବାକୁ ପଡ଼ିଥିଲା ।

 

ଲଗାୟତ ଦୁଇମାସକାଳ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ସେ ଭାଷଣ ଦେଇ ସଙ୍ଗୀତାନୁଷ୍ଠାନ କରି ବୁଲୁଥିଲେ ।

 

୧୯୩୬ ମସିହା ବସନ୍ତ କାଳରେ ସ୍ଵାଇତ୍‍ଜର୍‍ ତାଙ୍କର ପ୍ରିୟ ଦେଶ ସୁଇଜର୍‍ଲାଣ୍ଡରେ ଭାଷଣ ଦେବାରେ ଓ ସଙ୍ଗୀତାନୁଷ୍ଠାନ କରିବାରେ ବ୍ୟସ୍ତ ଥିଲେ । ଲାମ୍ବାରେନେଠାରେ ତାଙ୍କର ସେବାକାର୍ଯ୍ୟରେ ଯୋଗ ଦେବାଲାଗି ଏହି ଦେଶ ବହୁସଂଖ୍ୟାରେ ଡାକ୍ତର ଓ ଧାତ୍ରୀ ଯୋଗାଇ ଆସିଥିଲା । ବର୍ଷର ଅବଶିଷ୍ଟ ସମୟ ଗ୍ୟୁନ୍‍ସ୍‍ବାଖରେ ପୁସ୍ତକ ଲେଖିବାରେ ଅତିବାହିତ ହୋଇଯାଇଥିଲା । ଭାରତୀୟ ଦର୍ଶନ ସମ୍ବନ୍ଧୀୟ ତାଙ୍କର ଗ୍ରନ୍ଥଟିକୁ ସେ ଫରାସୀ ଭାଷାରେ ଅନୁବାଦ କରିଥିଲେ ଏବଂ ‘ସଭ୍ୟତାର ଦର୍ଶନ’ ଗ୍ରନ୍ଥର ତୃତୀୟ ଭାଗ ‘ଜୀବନପ୍ରତି ଶ୍ରଦ୍ଧା’ ପୁସ୍ତକଟି ଲେଖିବାରେ ତାଙ୍କୁ ଅନେକ ସମୟ ଦେବାକୁ ପଡ଼ିଥିଲା ।

 

ଜାନୁଆରୀ ମାସର ଶେଷଭାଗରେ ସେ ଷଷ୍ଠଥର ପାଇଁ ଆଫ୍ରିକା ଯାତ୍ରା କରିଥିଲେ । ଏଥର ସେ ସାଙ୍ଗରେ ଏହି ତୃତୀୟ ଭାଗଟିର ପାଣ୍ଡୁଲିପିକୁ ମଧ୍ୟ ନେଇ ଯାଇଥିଲେ । ଆଫ୍ରିକାରେ ଅବସ୍ଥାନ କରିବା ଅବସରରେ ଗ୍ରନ୍ଥଟିକୁ ଶେଷକରି ପାରିବେ ବୋଲି ତାଙ୍କର ଆଶା ଥିଲା । କିନ୍ତୁ ଡାକ୍ତରଖାନା ଚଳାଇବାର ଗୁରୁଦାୟିତ୍ଵର ଚାପରେ ପଡ଼ି ସେ ଆଦୌ ସମୟ ପାଇଲେ ନାହିଁ । ଅବଶ୍ୟ ୧୯୩୮ ମସିହାରେ ଆଫ୍ରିକାର ଅଧିବାସୀମାନଙ୍କର ଜୀବନ ଓ ଚିନ୍ତାଧାରା ବିଷୟରେ ପ୍ରଚଳିତ ଥିବା କିମ୍ବଦନ୍ତୀଗୁଡ଼ିକ ଉପରେ ସେ ଗୋଟିଏ ଛୋଟ ବହି ଲେଖି ପାରିଥିଲେ ଏବଂ ୧୯୩୮ରେ ଏହା (Afrikanische Geschichter) ନାମରେ ପ୍ରକାଶିତ ହୋଇଥିଲା । ୧୯୪୧ରେ ଏହାର ଫରାସୀ ଅନୁବାଦ ପ୍ରକାଶ ପାଇଲା, ୧୯୩୮ ଓ ୧୯୩୯ରେ From my African Notebook ନାମରେ ଯଥାକ୍ରମେ ଇଂଲଣ୍ଡ ଓ ଆମେରିକାରେ ଏହା ପ୍ରକାଶିତ ହୋଇଥିଲା ।

 

୧୯୩୮ ମସିହାରେ ଲାମ୍ବାରେନେଠାରେ ଚିକିତ୍ସାଳୟ ସ୍ଥାପିତ ହେବାର ପଞ୍ଚବିଂଶତିତମ ବାର୍ଷିକ ଉତ୍ସବ ପାଳନ କରି ଓଗୋଉଏ ଅଞ୍ଚଳରେ ବାସ କରୁଥିବା ଇଉରୋପୀୟମାନେ ଡାକ୍ତରଖାନାରେ ରଞ୍ଜନ ରଶ୍ମିର ଉପଯୋଗ କରିବାର ଉପକରଣ କିଣିବାଲାଗି ଡାକ୍ତର ସ୍ଵାଇତ୍‍ଜର୍‍ଙ୍କୁ ୯୦,୦୦୦ ଫ୍ରାଙ୍କ୍ ଭେଟି ଦେଇଥିଲେ । ଅବଶ୍ୟ ଅତି ଦୂରଦୃଷ୍ଟି ସହିତ ବିଚାର କରି ତାହା ବଦଳରେ କେତେକ ଅତ୍ୟାବଶ୍ୟକ ଔଷଧ କିଣିବାଲାଗି ସ୍ଵାଇତ୍‍ଜର୍ ଦାତାମାନଙ୍କଠାରୁ ଅନୁମତି ଆଣିଥିଲେ । ଏହି ନିଷ୍ପତ୍ତି ଫଳରେ ପରବର୍ତ୍ତୀ ଯୁଦ୍ଧ ସମୟରେ ଡାକ୍ତରଖାନାର ଅନେକ ଉପକାର ହୋଇଥିଲା ।

☆☆☆

 

ମହାଯୁଦ୍ଧ ଓ ତା’ପରେ

 

ସ୍ଵାଇତ୍‍ଜର୍ ପରିବାରକୁ ପୁଣି ଏକ ମହାଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିଲା । ଯୁଦ୍ଧ ଅତି ଆସନ୍ନ ହୋଇ ଆସୁଚି ଓ ଯେକୌଣସି ସମୟରେ ଆସି ଉପସ୍ଥିତ ହୋଇଯାଇପାରେ ବୋଲି ୧୯୩୭ ମସିହା ପୂର୍ବରୁ ମଧ୍ୟ ସେମାନେ ଅତି ସ୍ପଷ୍ଟଭାବରେ ଜାଣି ପାରିଥିଲେ । ଯୁଦ୍ଧ ଲାଗିଗଲେ ଡାକ୍ତରଖାନା ପାଇଁ ଯେ ଇଉରୋପରୁ ସେମାନେ କୌଣସି ସାହାଯ୍ୟ ପାଇପାରିବେ ନାହିଁ, ସେମାନେ ଏକଥା ମଧ୍ୟ ଭଲକରି ଜାଣିଥିଲେ । ତେଣୁ ୧୯୩୭ ମସିହାରେ ଓ ପୁଣିଥରେ ୧୯୩୮ ମସିହାରେ ବକ୍ତୃତା ଦେଇ କିଛି ଅର୍ଥ ଉପାର୍ଜନ କରିବାଲାଗି ଶ୍ରୀମତୀ ସ୍ଵାଇତ୍‍ଜର୍‍ଙ୍କୁ ଆମେରିକା ଯୁକ୍ତରାଷ୍ଟ୍ର ଯିବାକୁ ପଡ଼ିଥିଲା । ସେଠାରେ ସେ ପାଣ୍ଠି ସଂଗ୍ରହ କରିଥିଲେ, ପୁରାତନ ସୁହୃତ୍‍ବର୍ଗଙ୍କୁ ସଙ୍ଖୋଳି ଆସିଥିଲେ ଏବଂ ଆହୁରି ଅନେକଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ କରିଥିଲେ । ସେମାନଙ୍କର କନ୍ୟା ରେନା ମଧ୍ୟ ତାଙ୍କ ସହିତ ଯାଇଥିଲା ।

 

୧୯୩୯ ମସିହା ଫେବୃଆରୀ ପହିଲାରେ ଆଫ୍ରିକାରୁ ଆସି ଡାକ୍ତର ସ୍ଵାଇତ୍‍ଜର୍ ବୋର୍ଦୋ ବନ୍ଦରରେ ପହଞ୍ଚିଲେ । ତାଙ୍କ ପକ୍ଷରେ କିଛିଦିନ ବିଶ୍ରାମ ନେବା ଅତ୍ୟାବଶ୍ୟକ ଥିଲା ଏବଂ ସେ ସିଧା ଗ୍ୟୁନ୍‍ସ୍‍ବାଖ୍ ଅଭିମୁଖରେ ଯାତ୍ରା କରିଥିଲେ । କିନ୍ତୁ ଇଉରୋପର ଆକାଶ ଉପରେ ସେତେବେଳେ ମହାଯୁଦ୍ଧର କରାଳ ମେଘଛାୟା ଘୋଟି ରହିଥିଲା ଏବଂ ଆପଣାର ଆସବାପତ୍ର ଖୋଲିବାକୁ ମଧ୍ୟ ସ୍ଵାଇତ୍‍ଜର୍ ନିରାପଦ ମନେକରି ନଥିଲେ । ଯେଉଁମାନଙ୍କର ସେବାଲାଗି ସେ ତାଙ୍କ ଜୀବନର ପ୍ରାୟ ତିରିଶିବର୍ଷ ସମୟ ଦେଇଚନ୍ତି, ଯୁଦ୍ଧର ସଙ୍କଟ ସମୟରେ ସେହିମାନଙ୍କର ସୁରକ୍ଷା କରିବା ଲାଗି ସେ ସଙ୍ଗେ ସଙ୍ଗେ ବୋର୍ଦୋ ଫେରିଆସିଲେ ଏବଂ ଆଫ୍ରିକାରୁ ଆସିଲାବେଳେ ଯେଉଁ ଜାହାଜରେ ଆସିଥିଲେ, ସେହି ଜାହାଜରେ ସେ ଫେରନ୍ତି ପୁଣି ଆଫ୍ରିକାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରୀମତୀ ସ୍ଵାଇତ୍‍ଜର୍ ଏଥର ତାଙ୍କ ସଙ୍ଗରେ ଆସିପାରି ନଥିଲେ ।

 

ଯୁଦ୍ଧ ଲାଗିବାର ଅଳ୍ପ କିଛିଦିନ ପରେ ଡାକ୍ତର ସ୍ଵାଇତ୍‍ଜର୍‍ ଆମେରିକାରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ନିମ୍ନଲିଖିତ ପ୍ରକାରେ ଲେଖିଥିଲେ :

 

‘‘ଏହି ସ୍ଥାନର ଆଦିମ ଅଧିବାସୀମାନେ ଯୁଦ୍ଧରୁ ଉପୁଜିଥିବା ସମସ୍ୟାଗୁଡ଼ିକ ବିଷୟରେ କିଛି ବୁଝି ପାରୁନାହାନ୍ତି ଓ ନାନାପ୍ରକାର ମାନସିକ ଦ୍ଵନ୍ଦ୍ଵରେ ପଡ଼ିଯାଉଚନ୍ତି, ଆମେ ସମସ୍ତେ ତାହାହିଁ ଅତି ସଚେତନ ଭାବରେ ଲକ୍ଷ୍ୟକରି ପାରୁଚୁ । ଯେଉଁ ଶ୍ଵେତକାୟ ସଭ୍ୟମାନେ ସେମାନଙ୍କୁ ପ୍ରେମଧର୍ମର ସୁସମାଚାର ଆଣି ଶୁଣାଇଥିଲେ, ସେହିମାନେହିଁ ବର୍ତ୍ତମାନ ପରସ୍ପରକୁ ହତ୍ୟା କରିବାରେ ଲାଗିଚନ୍ତି ଏବଂ ଭଗବାନ ଯୀଶୁଙ୍କର ସମସ୍ତ ଶିକ୍ଷାକୁ ସେମାନେ ପୋଡ଼ି ଖାଇସାରିଲେଣି, ଏହା କିପରି ସମ୍ଭବ ହୋଇପାରେ । ସେମାନେ ଆସି ଯେତେବେଳେ ଆମମାନଙ୍କୁ ଏହିସବୁ ପ୍ରଶ୍ନ ପଚାରୁଚନ୍ତି, ତା’ର କୌଣସି ଉତ୍ତର ଦେବାଲାଗି ଆମେ ସମର୍ଥ ହୋଇ ପାରୁନାହୁଁ । ବିଚାରଶୀଳ ବ୍ୟକ୍ତିମାନେ ଯେତେବେଳେ ମୋତେ ଆସି ଏହି ପ୍ରଶ୍ନ ପଚାରୁଚନ୍ତି, ମୁଁ କୌଣସିପ୍ରକାର ବୁଦ୍ଧିବାଦୀ ବିଶ୍ଳେଷଣ ବା କୈଫିୟତ ଦେଇ ସମସ୍ୟାଗୁଡ଼ିକୁ ଘୋଡ଼ାଇ ରଖିବାକୁ ଆଦୌ ଚେଷ୍ଟା କରୁନାହିଁ । ମୁଁ ସିଧାସିଧା ସେମାନଙ୍କୁ କହିଦେଉଚି ଯେ ଆମେ ବର୍ତ୍ତମାନ ଏକ ଭୟଙ୍କର ଓ ଅଭାବନୀୟ ସଙ୍କଟର ‘ସମ୍ମୁଖୀନ’ ହୋଇଚୁ । ଯୁଦ୍ଧ ଫଳରେ ପ୍ରକୃତିର ଏହି ସରଳବିଶ୍ଵାସୀ ସନ୍ତାନମାନଙ୍କ ପାଖରେ ଶ୍ଵେତକାୟ ସଭ୍ୟତାର ନୈତିକ ଓ ଧର୍ମଗତ କର୍ତ୍ତୃତ୍ଵ ଯେ କେତେଦୂର ବିପନ୍ନ ହୋଇପଡ଼ିଚି, ହୁଏତ ଭବିଷ୍ୟତରେ ତାହା ନିର୍ଣ୍ଣୟ କରିବା ଆମ ପକ୍ଷରେ ସମ୍ଭବ ହୋଇପାରିବ । ମୋର ତ ଭାରି ଭୟ ହେଉଚି ଯେ ଏହି ଯୁଦ୍ଧ ଫଳରେ ଆମକୁ ଅନେକ କ୍ଷତି ସହିବାକୁ ପଡ଼ିବ ।”

 

ଏହି ଯୁଦ୍ଧବର୍ଷଗୁଡ଼ିକରେ ଲାମ୍ବାରେନେର ବର୍ଣ୍ଣନା ଦେଇ ଡାକ୍ତର ସ୍ଵାଇତ୍‍ଜର୍‍ ଏକ ବିବରଣମୂଳକ ଛୋଟ ପୁସ୍ତକ ରଚନା କରିଥିଲେ ଓ ତାହା ଆମେରିକାରେ ୧୯୪୭ ମସିହା ଜାନୁଆରୀ ମାସରେ ପ୍ରକାଶିତ ହୋଇଥିଲା । ନିମ୍ନରେ ସେହି ପୁସ୍ତକର କେତେକ ଅଂଶ ପ୍ରଦତ୍ତ ହେଲା :

 

“୧୯୩୯ ମସିହା ମାର୍ଚ୍ଚ ତିନିତାରିଖରେ ଗୋଟିଏ ଛୋଟିଆ ଷ୍ଟିମରରେ ବସି ମୁଁ ଓଗୋଉଏ ନଦୀରେ ପୁଣି ପ୍ରବେଶ କରିଥିଲି । ଏହି ନଦୀରେ ଷ୍ଟିମର୍‍ ଚଢ଼ି ମୁଁ ଏଇଥର ଇଉରୋପ ଯାତ୍ରାକରିବା ପରେ ଏହି ସ୍ଥାନରେ କି କି ଘଟଣାମାନ ଘଟିଥିବ ଓ ଏହି ସ୍ଥାନର ଜୀବନକୁ ତାହା କିପରି ଭାବରେ ପ୍ରଭାବିତ କରିଥିବ, ନାନା ଆଶଙ୍କାଜନିତ ହୃତ୍‍ସଙ୍କୁଚନ ସହିତ ମୁଁ ଆପଣାକୁ ଏହି ପ୍ରଶ୍ନ ପଚାରିଲି । ଡାକ୍ତରଖାନା ପାଇଁ ବର୍ତ୍ତମାନ ଆମ ହାତରେ ଯାହା ପାଣ୍ଠିଥିଲା, ପରବର୍ତ୍ତୀ ମାସଗୁଡ଼ିକରେ ସେହି ପାଣ୍ଠିରେ ମୁଁ ଆଗ ଔଷଧପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମମାନ କିଣି ପକାଇଥିଲି । କେତେକ ଆଫ୍ରିକାରେ ମିଳିଗଲା, ଆଉ କେତେକ ଇଉରୋପରୁ ମଧ୍ୟ ମଗାଇବାକୁ ପଡ଼ିଲା । ସୌଭାଗ୍ୟବଶତଃ ଆମେ ବିଦେଶରୁ ମଗାଇଥିବା ସମସ୍ତ ଦ୍ରବ୍ୟ ଯୁଦ୍ଧ ଆରମ୍ଭ ହୋଇଯିବା ପୂର୍ବରୁ ଆମପାଖରେ ଆସି ପହଞ୍ଚି ଯାଇଥିଲା ।”

 

“ଦେଶର ଆଭ୍ୟନ୍ତରୀଣ ଦୂରଦୂର ଅଞ୍ଚଳରୁ ଯେଉଁ ରୋଗୀମାନେ ଅସ୍ତ୍ରଚିକିତ୍ସା କରାଇବାଲାଗି ଡାକ୍ତରଖାନାକୁ ଆସିଥିଲେ, ସେପ୍ଟେମ୍ବର ମାସରେ ସମସ୍ତଙ୍କୁ ଆମେ ସେମାନଙ୍କର ଘରକୁ ପଠାଇ ଦେଇଥିଲୁ । ଏଥର ସବୁବିଷୟରେ ବଡ଼ କଣ୍ଟିକାଣ୍ଟି ଚଳିବାକୁ ପଡ଼ିଲା ଓ ଭାବିଚିନ୍ତି ପ୍ରତ୍ୟେକଟି ପଇସା ଖରଚ କରିବାକୁ ପଡ଼ିଲା । ତେଣୁ ଅତି ଜରୁରୀ ଓ ସାଂଘାତିକ ରୋଗୀମାନଙ୍କ ଉପରେ ହିଁ ଅସ୍ତ୍ରୋପଚାର କରିବାକୁ ଆମେ ନିଷ୍ପତ୍ତି କରିଥିଲୁ । ଯେଉଁମାନେ ଶକ୍ତ ବା ଅତିରିକ୍ତ ବେମାର ନଥିଲେ, ସେମାନଙ୍କୁ ମଧ୍ୟ ଆମେ ଡାକ୍ତରଖାନାରୁ କାଢ଼ି ଦେଇଥିଲୁ । ଏହିସବୁ ଲୋକମାନଙ୍କୁ ଆପଣା ଆପଣାର ଘରକୁ ପଠାଇଦେବାରେ ଆମକୁ ଅନେକ ଦୁଃଖପୂର୍ଣ୍ଣ ଦିନ ଅତିବାହିତ କରିବାକୁ ପଡ଼ିଥିଲା । ସବୁପ୍ରକାର ଅସୁବିଧା ଓ ଅଚଳ ଅବସ୍ଥା ସତ୍ତ୍ୱେ ଯେଉଁମାନେ ତଥାପି ଆମ ସହିତ ରହିବେ ବୋଲି ଅଳି କରିଥିଲେ, ସେମାନଙ୍କର ଅଳିକୁ ଆମକୁ ବାଧ୍ୟହୋଇ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିଥିଲା । ଘରକୁ ଯାଉଥିବା ଅନେକ ଲୋକଙ୍କୁ ଷ୍ଟିମର୍‍ ବା ମୋଟର୍‍ ବୋଟରେ ଘରକୁ ଫେରିବାର ସୁବିଧା ଦିଆଯାଇଥିଲା, କିନ୍ତୁ ଦୀର୍ଘ ଓ ଦୁର୍ଗମ ଅରଣ୍ୟପଥ ଦେଇ ମଧ୍ୟ ଆହୁରି ଅନେକଙ୍କୁ ଚାଲିଚାଲି ଘରଯାଏ ଯିବାକୁ ପଡ଼ିଥିଲା । ଶେଷରେ ସେମାନେ ସମସ୍ତେ ଆପଣା ଆପଣା ଘରକୁ ଯାଇଥିଲେ ଓ ଏହିସବୁ ହୃଦୟବିଦାରକ ଦୃଶ୍ୟର ଅବସାନ ହୋଇଥିଲା ।”

 

“ଅନେକ ଦିନରୁ ବୋର୍ଦୋ ଓ ବିଷୁବମଣ୍ଡଳୀୟ ଆଫ୍ରିକା ମଧ୍ୟରେ ଯାତାୟତ କରୁଥିବା ଜାହଜଟି ଟର୍ପେଡ଼ୋ ମାଡ଼ରେ ଫିନିଷ୍ଟର ଅନ୍ତରୀପ ପାଖରେ ବୁଡ଼ି ଯାଇଥିଲା । ଏତେ ଆକସ୍ମିକ ଭାବରେ ଓ ଏତେ କମ୍ ସମୟ ଭିତରେ ଜାହାଜଟି ବୁଡ଼ି ଯାଇଥିଲା ଯେ କେବଳ ମାତ୍ର କେତେଜଣଙ୍କୁ ବାଦ୍‍ ଦେଲେ ଆଉ ସମସ୍ତ ଯାତ୍ରୀଙ୍କର ସଲିଳସମାଧି ହୋଇଯାଇଥିଲା । ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଭିତରୁ ଅନେକେ ଆମ ଅଞ୍ଚଳର ଅଧିବାସୀ ଥିଲେ । ଇଉରୋପରୁ ଆମେ କିଣିକରି ଆଣୁଥିବା ଆମର ଶେଷ କିସ୍ତି ଔଷଧପତ୍ର ମଧ୍ୟ ଏହି ଜାହାଜ ସହିତ ସାଗରଜଳରେ ଅଦୃଶ୍ୟ ହୋଇଯାଇଥିଲା ।”

 

“୧୯୪୦ ମସିହା ଶରତ କାଳରେ ସେନାପତି ଡିଗଲ୍ ଏବଂ ଭିଚିର ସୈନ୍ୟମାନେ ଲାମ୍ବାରେନେ ଅଧିକାର କରିବାଲାଗି ଯୁଦ୍ଧରେ ବ୍ୟାପୃତ ରହିଥିଲେ । ଲାମ୍ବାରେନେ ଗାଆଁଠାରୁ ନଦୀଉପରକୁ ପ୍ରାୟ ଅଢ଼େଇମାଇଲ ଦୂରରେ ଆମର ଡାକ୍ତରଖାନା ଅବସ୍ଥିତ ଥିଲା ଏବଂ ଗାଆଁରୁ ଡାକ୍ତରଖାନାକୁ ଆସିବାପାଇଁ ମଝିରେ ପ୍ରାୟ ଛଅଶହ ଗଜ ଓସାଗର ଗୋଟିଏ ଶାଖାନଦୀ ପଡ଼ୁଥିଲା । ଡାକ୍ତରଖାନା ଉପରେ ବୋମା ନ ପକାଇବାକୁ ଦୁଇପକ୍ଷର ଆକାଶସେନାଙ୍କୁ କଡ଼ା ଆଦେଶ ଦିଆଯାଇଥିଲା । ତେଣୁ ଯୁଦ୍ଧରେ ଡାକ୍ତରଖାନାର କୌଣସି ବିଶେଷ କ୍ଷତି ହୋଇ ନଥିଲା ଏବଂ କଳାଗୋରା ଉଭୟଙ୍କ ପାଇଁ ଏହା ଏକ ନିରାପଦ ଆଶ୍ରୟସ୍ଥଳରେ ପରିଣତ ହୋଇଯାଇଥିଲା-। ଲାମ୍ବାରେନେ ଆଡ଼କୁ ମୁହଁ କରିଥିବା କାନ୍ଥଗୁଡ଼ିକ ଉପରେ ମୋଟା ଟିଣଚଦର ଘୋଡ଼ାଇଦେଇ ଆକସ୍ମିକ ଭାବରେ ଡାକ୍ତରଖାନାରେ ଆସି ଅନେକ ସମୟରେ ବାଜୁଥିବା ଗୁଳିରୁ ଆମେ ଆପଣାକୁ ରକ୍ଷା କରିଥିଲୁ । ଆଗରୁ ଆମପାଖରେ ଅନେକ ଟିଣଚଦର ମହଜୁଦ ରହିଥିଲା-।”

 

୧୯୪୦ ମସିହା ଶରତକାଳରୁ ଆମ ଉପନିବେଶରେ ମିତ୍ରପକ୍ଷ ସହିତ ସହଯୋଗ କରୁଥିବା ଏକ ସରକାର ପ୍ରତିଷ୍ଠିତ ହୋଇଥିଲା । ଏହା ଫଳରେ ଫ୍ରାନ୍ସ ଏବଂ ମହାଦେଶୀୟ ଇଉରୋପ ସହିତ ଆମର ପ୍ରାୟ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥିଲା । କିନ୍ତୁ ଇଂଲଣ୍ଡ ଓ ଆମେରିକା ଯୁକ୍ତରାଷ୍ଟ୍ର ସହିତ ଆମେ କିଞ୍ଚିତ୍ ଯୋଗସୂତ୍ର ରଖି ପାରିଥିଲୁ । ଇଂଲଣ୍ଡ ଜରିଆରେ ସୁଇଡେନ୍‍ ସହିତ ମଧ୍ୟ ସମ୍ପର୍କ ରକ୍ଷା କରିବା ବେଳେବେଳେ ସମ୍ଭବ ହେଉଥିଲା କିନ୍ତୁ ଏହିସବୁ ଦେଶ ସହିତ ଡାକସମ୍ପର୍କ ସ୍ଥାପନ କରିପାରିବାକୁ ଅନେକ ସମୟ ଲାଗିଥିଲା । ପ୍ରଥମେ କିଛି ଦିନ ପାଇଁ ଆଫ୍ରିକାର ବଜାର ଓ ପେଣ୍ଠମାନଙ୍କରେ ଆମେ ଯାବତୀୟ ଜିନିଷ କିଣିବାକୁ ପାଉଥିଲୁ । ସ୍ଥାନୀୟ ବେପାରୀ ଓ ବିକ୍ରେତାମାନେ ସୁଲଭ ମୂଲ୍ୟରେ ମୋତେ ଅନେକ ପରିମାଣରେ ଚାଉଳ ବିକିପାରିବେ ବୋଲି ଆପଣାର ସମ୍ମତି ପ୍ରକାଶ କରିଥିଲେ । ମୋତେ ବେଶ୍ ମାଲୁମ ହୋଇଗଲା ଯେ ସେମାନେ ଏହି ଚାଉଳକୁ ଯେତେ ଶୀଘ୍ର ସମ୍ଭବ ବିକିଦେବାକୁ ଚାହୁଁଥିଲେ, କାରଣ ଏହା ଭଲ କିସମର ନଥିଲା ଏବଂ ଏଥିରେ ପୋକ ଲାଗି ଆସିଥିଲେ । ତେଣୁ ଏହିଥିରୁ ଏକାବେଳକେ ଗୁଡ଼ାଏ କିଣି ପକାଇବାକୁ ସେମାନେ ମୋତେ ବାଧ୍ୟ କରି ବସିଲେ । ସୌଭାଗ୍ୟବଶତଃ ଏସବୁ ସାଇତି ରଖିବାପାଇଁ ମୋର ଯଥେଷ୍ଟ ସ୍ଥାନ ଥିଲା ଏବଂ ତିନି ବରଷ ପାଇଁ ଆଦିବାସୀ ରୋଗୀମାନଙ୍କୁ ଖାଇବାକୁ ଦେବାରେ ଏହା ମୋତେ ଖୁବ୍ ସାହାଯ୍ୟ କରିଥିଲା । ଏହି ଦେଶରେ ସବୁବେଳେ ପାଖରେ ପ୍ରଚୁର ପରିମାଣରେ ଚାଉଳ ମହଜୁଦ ରହିଥିବା ଦରକାର, କାରଣ ଦୁଇଟି ଫସଲ ଅମଳ କରିବାର ସମୟ ଭିତରେ ଏପରି କେତେମାସ ସମୟ ବାରବାର ଆସି ପହଞ୍ଚେ, ଯେତେବେଳେ ଆଦିବାସୀମାନେ କେବଳ ପାଚିଲା କଦଳୀ ଓ ଟାପିଓକା ଖାଇ ଜୀବନଧାରଣ କରନ୍ତି ଓ ଏହି ଦୁଇଟି ଦ୍ରବ୍ୟ ମଧ୍ୟ ସମୟ ସମୟରେ ଦୁର୍ଲଭ ହୋଇଯାଏ । ଗ୍ରୀଷ୍ମକାଳରେ କେବେ କେବେ ବୃଷ୍ଟି ପରିମାଣ ଅତ୍ୟଧିକ ହୋଇ ପଡ଼ିଲେ ମଧ୍ୟ ମାସମାସ ଧରି ପ୍ରାୟ ଦୁର୍ଭିକ୍ଷରେ ଅବସ୍ଥା ଭୋଗ କରିବାକୁ ହୁଏ । ଯୁଦ୍ଧ ସମୟରେ ଯେ ଆମକୁ ଏପରି ଦୁରବସ୍ଥାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା, ଏହାକୁ ଆମର ସୌଭାଗ୍ୟ ବୋଲି କହିବାକୁ ହେବ । କିନ୍ତୁ ଯେଉଁ ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ଯୁଦ୍ଧସମୟରେ ମୁଁ ସର୍ବଦା ଶଙ୍କିତ ହୋଇ ରହିଥିଲି, ଯୁଦ୍ଧ ପରେ ଆମେ ବର୍ତ୍ତମାନ ସେହିପରି ଏକ ଅବସ୍ଥାରେ ଆସି ପଡ଼ିଯାଇଚୁ । ୧୯୪୪ ମସିହା ଗ୍ରୀଷ୍ମକାଳରେ ଅତି ପ୍ରବଳ ବୃଷ୍ଟିପାତ ହୋଇଥିଲା, ଏହା ଫଳରେ ଆଦିବାସୀ ଚାଷୀମାନେ ଚାଷଲାଗି ସଫା କିଥିବା ଜଙ୍ଗଲଗୁଡ଼ିକୁ ଜଳାଇଦେଇ ପାରିଲେ ନାହିଁ । ଭାଗ୍ୟବଶତଃ ଉପରମାଳର ଜଣେ ଜିଲ୍ଲା କର୍ମଚାରୀ ୧୯୪୨ ମସିହାଠାରୁ ଧାନଚାଷ କରିବାକୁ ସ୍ଥାନୀୟ ଲୋକମାନଙ୍କୁ ପ୍ରବର୍ତ୍ତାଇ ଆସିଥିଲେ, ଅସଂଖ୍ୟ ପକ୍ଷୀ ଧାନ କିଆରିରେ ପଡ଼ି ଧାନ ଖାଇଯିବାର ପ୍ରବଳ ଭୟ ରହିଥିଲେ ମଧ୍ୟ ସେ ଧାନଚାଷ ଉପରେ ଭାରି ଜୋର୍‍ ଦେଇଥିଲେ । ଯଦି ମୁଁ ଆଗରୁ ଆମର ଭଣ୍ଡାରରେ ଯଥେଷ୍ଟ ପରିମାଣରେ ଚାଉଳ ସଂଗ୍ରହ କରି ନ ରଖିଥାନ୍ତି, ତା’ହେଲେ ପିଲାଙ୍କୁ ଦେବାପାଇଁ ଖାଦ୍ୟ ଅଭାବରୁ ମିସନ୍‍ କେନ୍ଦ୍ରର ସ୍କୁଲଗୁଡ଼ିକ ଯେପରି ବନ୍ଦ କରି ଦିଆଯାଇଥିଲା, ସେହିପରି ମୋତେ ମଧ୍ୟ ଡାକ୍ତରଖାନାଟି ବନ୍ଦ କରିବାକୁ ପଡ଼ିଥାନ୍ତା ।

 

“୧୯୪୦ ମସିହା ଶେଷ ହେଲାବେଳକୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା । ମୁଁ ଆବଶ୍ୟକ କରୁଚି ବୋଲି କହିବା ମାତ୍ରକେ ସମସ୍ତ ଔଷଧପାତ୍ର ଓ ଅନ୍ୟାନ୍ୟ ଜିନିଷ ଆସି ମୋ’ ପାଖରେ ପହଞ୍ଚିଯିବ ବୋଲି ଆମେରିକାରୁ ଖବର ଆସି ପହଞ୍ଚିଲା । ବରଷକରୁ ଅଧିକ ଗତ ହୋଇଯିବା ପରେ ୧୯୪୨ ମସିହା ମେ’ ମାସରେ ପ୍ରକୃତରେ ଏହିସବୁ ଜିନିଷ ଆସି ମୋ’ ପାଖରେ ପହଞ୍ଚିଲା, ଆଗରୁ ମହଜୁଦ ଥିବା ଔଷଧପତ୍ର ପ୍ରାୟ ଶେଷହୋଇ ଆସିଥିଲା, ତେଣୁ ଏହି ସାହାଯ୍ୟ ଠିକ୍ ଢୋକ ଦେଲାବେଳକୁ ଆସି ପହଞ୍ଚିଲା ବୋଲି କହିବାକୁ ହେବ । ପୁଣି ଆମେରିକାରୁ କେବଳ ଯେ ଔଷଧ ଆସିଥିଲା ତା’ ନୁହେଁ, ଅନ୍ୟାନ୍ୟ ଅନେକ ଆବଶ୍ୟକ ସାମଗ୍ରୀ ମଧ୍ୟ ବାକ୍ସରେ ବନ୍ଦହୋଇ ଆସିଥିଲା । ବାକ୍ସକୁ ଗୋଟିଗୋଟି କରି ଖୋଲିବାବେଳେ ଆମେ ଖାସ୍ ଆବଶ୍ୟକ କରୁଥିବା କୌଣସି ସାମଗ୍ରୀ ଆଖିରେ ପଡ଼ିଗଲାଣି ଆମେ ଆନନ୍ଦରେ ଚିତ୍କାର କରି ଉଠୁଥିଲୁ । ମୋର ହାତକୁ ହେଲାଭଳି ଯେଉଁ ରବର ହାତ ମୋଜାମାନ ଆସିଥିଲା, ତାହା ପ୍ରକୃତରେ ଆମର ଅନେକ ଉପକାର ସାଧନ କରିଥିଲା । କାରଣ ଅସ୍ତ୍ରଚିକିତ୍ସା କଲାବେଳେ ମାସମାସ ଧରି ମୁଁ ଯେଉଁ ହାତମୋଜା ବ୍ୟବହାର କରୁଥିଲି, ମୋ’ର ହାତକୁ ତାହା ଭାରି ଛୋଟ ହେଉଥିଲା । ଆମ ପାଇଁ କେତେଗୁଡ଼ିଏ ନୂଆ ବାସନ ଆସିଚି ବୋଲି ଦେଖି ରୋଷେଇ ଘରର ଦାୟିତ୍ୱରେ ଥିବା ସହକର୍ମୀମାନେ ଆନନ୍ଦରେ ବିହ୍ଵଳ ହୋଇ ପଡ଼ିଥିଲେ । ଏହାପରେ ଆହୁରି କେତେଥର ମଧ୍ୟ ଜାହାଜରେ ବୋଝାଇ ହୋଇ ଆମେରିକାରୁ ଆମ ପାଇଁ ସାହାଯ୍ୟ ଆସି ପହଞ୍ଚିଲା ଏବଂ ଆମର ଅଭାବମାନ ମୋଚନ କରୁଥିଲା । ୧୯୪୩ ମସିହାରେ ଆମେ ଯେଉଁ ଜୋତା ଓ ଚଷମାମାନ ପାଇଥିଲୁ, ଆମଭିତରୁ ଅନେକେ ସେଗୁଡ଼ିକୁ ବରଦାନ ପରି ମନେ କରିଥିଲୁ ।”

 

“୧୯୪୧ ମସିହାରେ ଆମେ ଯେଉଁ ସାହାଯ୍ୟ ପାଇଲୁ, ସେଥିରେ ଡାକ୍ତରଖାନାକୁ ଠିକ୍ ଭାବରେ ଚାଲୁ ରଖିବାକୁ ଆମପାଖରେ ଯେକୌଣସି ପ୍ରକାରେ ଯଥେଷ୍ଟ ଜିନିଷ ପହଞ୍ଚି ଯାଇଥିଲା-। କିନ୍ତୁ ୧୯୪୨ ଓ ୧୧୯୪୩ ମସିହାରେ ଆମେ ଧୀରେ ଧୀରେ ଅଧିସଂଖ୍ୟକ ରୋଗୀ ଗ୍ରହଣ କରିବାକୁ ସମର୍ଥ ହୋଇଥିଲୁ । ଆମର ସେବା ଓ ସାହାଯ୍ୟ ଲୋଡ଼ୁଥିବା ପ୍ରତ୍ୟେକ ରୋଗୀଙ୍କୁ ମୁଁ ବର୍ତ୍ତମାନ ଡାକ୍ତରଖାନାରେ ଗ୍ରହଣ କରିପାରୁଚି । ମୋତେ ସାହାଯ୍ୟ କରିଆସିଥିବା ଦେଶମାନଙ୍କରେ ବାସକରୁଥିବା ବଦାନ୍ୟ ଓ ଅନୁରକ୍ତ ବନ୍ଧୁମାନଙ୍କ ପାଖରେ ମୁଁ ଏଥିଲାଗି ସବୁବେଳେ କେତେ କୃତଜ୍ଞ ନରହିବି ! ସେମାନଙ୍କର ସହାନୁଭୂତିପୂର୍ଣ୍ଣ ସହାୟତା ଆମର କାମରେ ଆମକୁ ପ୍ରକୃତରେ କେଡ଼େ ଉତ୍ସାହିତ କରି ନ ରଖିଚି !”

 

“ପ୍ରଚଣ୍ଡ ଗ୍ରୀଷ୍ମୋତ୍ପୀଡ଼ିତ ଜଳବାୟୁରେ ଅଧିକରୁ ଅଧିକ କାଳ ରହି ଆମେ ଯେତିକି କ୍ଳାନ୍ତି ଅନୁଭବ କରିବାକୁ ଲାଗିଲୁ, ଆମର କାର୍ଯ୍ୟ ସେତିକି ପ୍ରଖର ଭାବରେ ବୃଦ୍ଧି ପାଇବାକୁ ଲାଗିଲା । ଆମ ଡାକ୍ତରଖାନାରେ ଶ୍ଵେତକାୟ ରୋଗୀଙ୍କର ସଂଖ୍ୟା ଅତ୍ୟଧିକ ହୋଇ ପଡ଼ୁଥିଲା, ଏହାକୁ କେତେକ ପରିମାଣରେ ସେଥିପାଇଁ ଦାୟୀ କରାଯାଇପାରେ । ସପ୍ତାହ ସପ୍ତାହ ଧରି ଡାକ୍ତରଖାନାର ଗୋଟିଏ ହେଲେ ଶଯ୍ୟା ଖାଲି ରହୁ ନଥିଲା । ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁକୁ ବାଦ୍‍ ଦେଲେ, ଖାଦ୍ୟରେ କାଲ୍‍ସିଅମ୍‍ର ଅଭାବକୁ ମଧ୍ୟ ଏହି ଅସୁସ୍ଥତା ଲାଗି ପ୍ରଧାନତଃ ଦାୟୀ କରାଯାଇ ପାରିବ । ସୌଭାଗ୍ୟବଶତଃ ଆମପାଖରେ ଆମେରିକା ଓ ସୁଇଜର୍‍ଲାଣ୍ଡରୁ ଆସିଥିବା ଅନେକ କାଲ୍‍ସିଅମ୍ ବଟିକା ଥିଲା, ଫ୍ରାନ୍ସରୁ ଆସିଥିବା ଫସ୍‍ଫରସ୍ ମଧ୍ୟ ଥିଲା, ଯାହା କି ଶରୀରକୁ କାଲ୍‍ସିଅମ୍ ସଂଗ୍ରହ କରିବାରେ ସାହାଯ୍ୟ କରୁଥିଲା । ଇଂଲଣ୍ଡ, ଆମେରିକା ଓ ସୁଇଜର୍‍ଲାଣ୍ଡରୁ ଯକୃତ୍ ଓ ଲୌହର ପ୍ରସ୍ତୁତ ବଟିକାମାନ ମଧ୍ୟ ଆମ ପାଖରେ ମହଜୁଦ ରହିଥିଲା ।”

 

“ସରକାର ବର୍ତ୍ତମାନ ନିଦ୍ରାରୋଗ ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଦେଇଥିଲେ, ତେଣୁ କୌଣସି ରୋଗୀକୁ ଏହିରୋଗରେ ପୀଡ଼ିତ ଥିବାର ସନ୍ଦେହ ହେଲାମାତ୍ରକେ ତତ୍‍କ୍ଷଣାତ୍ ତାହାକୁ ‘ଔପନିବେଶିକ ସ୍ୱାସ୍ଥ୍ୟ ସେବାମଣ୍ଡଳର ମାର୍ଫତରେ ଦେଇଦେବା ବ୍ୟତୀତ ଆମକୁ ଆଉ କିଛି କରିବାକୁ ପଡ଼ୁନଥିଲା । ନଦୀର ତଳମୁହଁ ଆଡ଼କୁ କେତେମାଇଲ ଦୂରରେ ଏହି ରୋଗୀମାନଙ୍କର ଚିକିତ୍ସାଲାଗି ଏକ ବିରାଟ ଛାଉଣୀ ପଡ଼ିଥିଲା । ଡାକ୍ତର ବା ସେମାନଙ୍କର ଗୋରା ସାହାଯ୍ୟକାରୀମାନେ ବର୍ତ୍ତମାନ ଜିଲ୍ଲାର ଗାଆଁ ଗାଆଁ ବୁଲୁଚନ୍ତି ଏବଂ କୌଣସି ବ୍ୟକ୍ତିରେ ରକ୍ତରେ ଓ ମଜ୍ଜାରେ ନିଦ୍ରାରୋଗର ଜୀବାଣୁ ରହିଚନ୍ତି କି ନାହିଁ ତାହା ଜାଣିବାଲାଗି ଆଣୁବୀକ୍ଷଣିକ ଉପାୟରେ ପ୍ରତ୍ୟେକ ଅଧିବାସୀକୁ ପରୀକ୍ଷାକରି ଦେଖୁଚନ୍ତି । କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଆମ ଅଞ୍ଚଳରେ ଏହି ରୋଗଟି ହ୍ରାସ ହୋଇଯିବା ପରିବର୍ତ୍ତେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଚି ।”

 

“ସବୁଦିନ ପରି ଆଜି ମଧ୍ୟ କୁଷ୍ଠରୋଗୀମାନଙ୍କର ଚିକିତ୍ସା ପାଇଁ ଆମେ ବିଶେଷ ଧ୍ୟାନ ଦେଉଚୁ । ଏଥିଲାଗି ଇଂଲଣ୍ଡରୁ ଯେଉଁ ଔଷଧ (diphtheria toxoid) ଆସି ପହଞ୍ଚିଲା, ପ୍ରକୃତରେ ତାହା ଖୁବ୍ କାମ ଦେଉଚି । କିନ୍ତୁ କୁଷ୍ଠରୋଗୀର ଉଚିତ ଓ ସମ୍ପୂର୍ଣ୍ଣ ଚିକିତ୍ସା ଲାଗି ଯେଉଁ ମାସମାସସବ୍ୟାପୀ ସମୟ ଆବଶ୍ୟକ, ସେତେ ସମୟ ପର୍ଯ୍ୟନ୍ତ ଆମ ପାଖରେ ରହିବାଲାଗି ଏହି ଦୁର୍ଭାଗ୍ୟ କୃଷ୍ଣକାୟମାନଙ୍କର ଆଦୌ ଧୈର୍ଯ୍ୟ ରହୁନାହିଁ । ସେମାନଙ୍କୁ ଟିକିଏ ଭଲ ଲାଗିବାକୁ ଆରମ୍ଭ କରିଚି କି ନାହିଁ, ସେମାନଙ୍କର ଘାଆଗୁଡ଼ିକରେ ଭଲ ହୋଇ ଆସିବାର କିଞ୍ଚିତ୍ ଲକ୍ଷଣ ଦେଖାଦେଇଚି କି ନାହିଁ, ଏଥର ଆଉ ଚିକିତ୍ସା କରାଇବାର ଆବଶ୍ୟକତା ନାହିଁ ବୋଲି ସେମାନେ ବିଶ୍ଵାସ କରି ପକାଉଚନ୍ତି । ତତ୍‍କ୍ଷଣାତ୍ ସେମାମନେ ଡାକ୍ତରଖାନାରୁ ମୁକୁଳି ଚାଲିଯାଉଚନ୍ତି, କିନ୍ତୁ ମାତ୍ର ଅଳ୍ପ କେତେମାସ ପରେ ଆହୁରି ଅଧିକ ଅସୁସ୍ଥ ହୋଇ ପୁଣି ସେମାନଙ୍କୁ ଫେରି ଆସବାକୁ ପଡ଼ୁଚି । କୁଷ୍ଠରୋଗର ଚିକିତ୍ସାରେ ବର୍ତ୍ତମାନ ଚିକିତ୍ସାବିଜ୍ଞାନ ଅନେକ ଅଗ୍ରସର ହେଲାଣି ବୋଲି ଆଶା କରାଯାଇପାରେ । ମାଡ଼ାଗାସ୍କାର୍‍ ଦ୍ଵୀପରେ ଥିବା ଫରାସୀ ଡାକ୍ତରମାନେ ସ୍ଥାନୀୟ ଏକ ଉଦ୍ଭିଦରୁ ଉତ୍ପନ୍ନ ଔଷଧ (hydrocotyfus asiatica) ଉପରେ ଅନେକ ଆଶାଜନକ ଗବେଷଣା ଓ ପ୍ରୟୋଗ ଚଳାଇଚନ୍ତି । ଏହି ଔଷଧ ଦ୍ଵାରା ସେମାନେ କୁଷ୍ଠରୋଗଜନିତ ଘାଆଗୁଡ଼ିକୁ ଖୁବ୍ ଶୀଘ୍ର ଭଲ କରିଦେଇ ପାରୁଚନ୍ତି । ଆମେରିକାରେ ମଧ୍ୟ ପ୍ରୋମାଇନ୍ ବୋଲି ଏକ ଔଷଧର ସଫଳ ପ୍ରୟୋଗ କରାଯାଉଚି ।”

 

“ଅରଣ୍ୟର ହିଂସ୍ର ଜନ୍ତୁମାନଙ୍କ ଦ୍ଵାରା ଆହତ ହୋଇ ଅନେକ ବ୍ୟକ୍ତି ଚିକିତ୍ସା ଲାଗି ଆମ ପାଖକୁ ଆସନ୍ତି, ଆମର ଡାକ୍ତରଖାନା ଯେ ଅରଣ୍ୟଭିତରେ ଅବସ୍ଥିତ, ଏହା ଦ୍ଵାରା ଏହି କଥାଟି ଆମର ସ୍ମରଣକୁ ଆସିଥାଏ । ଉଇମାନେ ମଧ୍ୟ ଅବିରତ ଆମକୁ ଏହିକଥା ମନେ ପକାଇ ଦିଅନ୍ତି । ଆମର ଦୈନନ୍ଦିନ ଜୀବନରେ ଆମକୁ ସେମାନଙ୍କର ପ୍ରତାପ ସହ୍ୟ କରିବାକୁ ପଡ଼ିଥାଏ ଏବଂ ସେମାନେ ଆମର ବେଶ୍‍କିଛି ଅନିଷ୍ଟ କରିସାରିବା ପରେ ଯାଇ ଆମେ ସେମାନଙ୍କୁ ଆବିଷ୍କାର କରିଥାଉ । ତା’ପରେ ସେମାନେ ଯୋଉ ବାଟ ଦେଇ ପ୍ରଥମେ ବାହାରିଲେ, ସେହି ବାଟଟି ଖୋଜି ବାହାର କରିବାଲାଗି ଆମକୁ ସମସ୍ତ ଆସବାବପତ୍ର ଉଠାଇ ଦେଖିବାକୁ ହୁଏ । ଏହି ଦୁଷ୍ଟ ପତଙ୍ଗମାନେ ଆମକୁ କେତେ ପରିଶ୍ରମ ଓ କାଳକ୍ଷେପ କରିବାକୁ ବାଧ୍ୟ ନକରନ୍ତି ! ସେମାନଙ୍କୁ ବାହାର କରିଦେବାକୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରକାରେ ସଫଳ ହୋଇ ପାରୁନାହୁଁ, ଅବଶ୍ୟ ଡି.ଡି.ଟି. ବ୍ୟବହାର କରିବାପରେ ସେମାନଙ୍କଠାରୁ ନିସ୍ତାର ପାଇବାର ଏକ କ୍ଷୀଣତମ ରେଖା ଦେଖାଦେଇଚି ବୋଲି ଆମେ ଅନୁମାନ କରୁଚୁ ।”

 

“ହାତୀମାନଙ୍କଠାରୁ ମଧ୍ୟ ଆମକୁ ଅନେକ ଉପଦ୍ରବ ସହିବାକୁ ପଡ଼େ । ଯେଉଁ ଆଦିବାସୀମାନେ ଡାକ୍ତରଖାନାକୁ ପାଚିଲାକଦଳୀ ଯୋଗାଇ ଦିଅନ୍ତି, ହାତୀପଲମାନ ସେହିମାନଙ୍କର ବାଡ଼ିବଗିଚାରେ ପଶି ସବୁ ନଷ୍ଟ ଓ ଛାରଖାର କରିଦିଅନ୍ତି । ତାହା ଫଳରେ ଡାକ୍ତରଖାନାରେ ଅନେକ ସମୟରେ ଖାଦ୍ୟାଭାବ ଘଟିଥାଏ । ଏହି ବନ୍ୟଜନ୍ତୁମାନେ ଯେ ପ୍ରକୃତରେ ଆମର କେତେ ପାଖକୁ ଆସନ୍ତି, ମାତ୍ର ଅଳ୍ପ କେତେ ସପ୍ତାହ ପୂର୍ବରୁ ଆଉଥରେ ସେହିକଥା ଜାଣିବାଲାଗି ମୁଁ ଏକ ସୁଯୋଗ ପାଇଥିଲି । ଡାକ୍ତରଖାନାର ଜମି ଉପରେ ଆଦିବାସୀମାନେ କଦଳୀବାଡ଼ି କରୁଥିଲେ, ସେଥିପାଇଁ ମୁଁ ସେଠାକୁ ଯାଇ ଜମିର ସରହଦଗୁଡ଼ିକରେ ଚିହ୍ନଦେଇ ଦେଖାଇ ଦେଉଥିଲି । ନୂଆ ହୋଇ ପୋତା ହୋଇଥିବା ଖୁଣ୍ଟଗୁଡ଼ିକୁ ଯାଇ ଦେଖୁଥିବାବେଳେ ପଛରୁ ହଠାତ୍ ମୁଁ ଏକ ଶବ୍ଦ ଶୁଣିବାକୁ ପାଇଲି । ପ୍ରଥମେ ଏହାକୁ ମୁଁ ମଣିଷମାନଙ୍କର କଣ୍ଠସ୍ଵର ବୋଲି ଭାବିଥିଲି । ମଜୁରିଆମାନଙ୍କୁ ମୁଁ ବଡ଼ପାଟି କରି ଡାକି କହିଲି, “ସିଏ କ’ଣ ହେଉଚି ? ସ୍ତ୍ରୀ ଓ ପିଲାମାନେ ଏଠାକୁ କ’ଣପାଇଁ ଆସିଚନ୍ତି ?” ମଜୁରିଆମାନେ ହସିହସି ଉତ୍ତର ଦେଲେ, “ଏମାନେ ସ୍ତ୍ରୀ ପିଲା ନୁହନ୍ତି, ସେମାନେ ହେଉଚନ୍ତି ସିମ୍ପାଞ୍ଜି, ଜଙ୍ଗଲଭିତରେ ଆପଣଙ୍କର ପାଟି ଶୁଣି ଏମାନେ ଉତ୍ତେଜିତ ହୋଇ ଉଠୁଚନ୍ତି ।”

 

“ଯୁଦ୍ଧ ଆରମ୍ଭ ହୋଇଯିବାପରେ କାଠବେପାର ବିଲ୍‍କୁଲ୍‍ ବନ୍ଦ ହୋଇଗଲା ଓ ସେଥିପାଇଁ ବର୍ତ୍ତମାନ ଭାରି ଶସ୍ତାରେ ମଜୁରିଆ ମିଳିଯାଉଥିଲେ । ତେଣୁ ପୂର୍ବରୁ ବାକି ରହିଥିବା କେତେକ କାମକୁ ମୁଁ ଏହି ସୁଯୋଗରେ ପୂରଣ କରିନେବାକୁ ଇଚ୍ଛା କଲି । ଚାଷଲାଗି ଆହୁରି ଅଧିକ ଜଙ୍ଗଲ କାଟି ପରିଷ୍କାର କରିବା ଦରକାର ଥିଲା । ନଈପାଖ ଢାଲୁରେ ଥିବା ଫଳବଗିଚାରୁ ଏବର୍ଷ ବର୍ଷାଦିନେ ଅନେକ ଜାଗାରେ ଅତଡ଼ା ଖସିଯାଇଥିଲା । ନଦୀଟିର କରାଳ ଗ୍ରାସରୁ ବଗିଚାଟିକୁ ରକ୍ଷା କରିବାକୁ ହେଲେ ଗଭୀର ମୂଳଦୁଆ ସହିତ କେତେଶହ ଗଜ ଲମ୍ବା ଏକ ମଜବୁତ ପାଚେରୀ ଆମକୁ ତିଆରୀ କରିବାକୁ ହେବ । ସେଥିପାଇଁ କେବଳ ପଥର ଆଣି ଗଦାକରିବାକୁ ମଧ୍ୟ ଅନେକ ଦିନ ଲାଗିବ ଓ ଅନେକ ପରିଶ୍ରମ ଦରକାର ହେବ । କାରଣ ଆଖପାଖ କୌଣସି ସ୍ଥାନରେ ସେଥିପାଇଁ ଭଲ ପଥର ମିଳିବନାହିଁ । ବର୍ଷବର୍ଷ ଧରି ବର୍ଷା, ଝରି ଓ ବ୍ରଜର ଉତ୍ପାତ ସହି ଆସିଥିବା ଆମର ପୁରୁଣା ରାସ୍ତାଗୁଡ଼ିକ ମଧ୍ୟ ମରାମାତି କରିବାକୁ ହେବ । ବର୍ଷାଦିନେ ପଛପଟ ପର୍ବତରୁ ରାସ୍ତା ଉପରେ ବହିଆସୁଥିବା ଜଳସ୍ରୋତରୁ ସେଗୁଡ଼ିକୁ ରକ୍ଷା କରିବା ପାଇଁ ଆମେ ରାସ୍ତାମଝିରେ ଛୋଟ ଛୋଟ ଆଡ଼ିବନ୍ଧ ତିଆରି କରି ଦେଇଥିଲୁ । ଏହିସବୁ ଜରୁରୀ କାର୍ଯ୍ୟରେ ଲାଗିଥିବା ମଜୁରିଆମାନଙ୍କ ସହିତ ଯୁଦ୍ଧ ଆରମ୍ଭ ହେବାପରେ ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଅପରାହ୍ନ ସମୟ ମୋତେ କଟାଇବାକୁ ପଡ଼ିଥିଲା । କାରଣ ତତ୍ତ୍ଵାବଧାନ କରିବାଲାଗି ଜଣେ ଗୋରାଲୋକ ସେମାନଙ୍କୁ ଗୋଡ଼େଗୋଡ଼େ ଜଗି ନଥିଲେ ସେମାନଙ୍କଠାରୁ କୌଣସି କାମ ଆଦାୟ କରିବା ଆଦୌ ସମ୍ଭବ ହେଉ ନଥିଲା ।”

 

“ସାମରିକ ଆବଶ୍ୟକତା ଦୃଷ୍ଟିରୁ ଆମ ଅଞ୍ଚଳରେ ଅନେକ ରାସ୍ତା ତିଆରି କରାଯାଇଥିଲା, ତେଣୁ ୧୯୪୧ ମସିହାରୁ ସେହି ଅଞ୍ଚଳର ଜୀବନରେ ଏକ ବିରାଟ ପରିବର୍ତ୍ତନ ଆରମ୍ଭ ହେଲାବୋଲି କହିବାକୁ ହେବ । ବର୍ତ୍ତମାନ କେପ୍‍ଟାଉନ୍‍ଠାରୁ ଆଲଜିୟର୍ସ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନ ମାର୍ଗଟି ଲାମ୍ବାରେନେ ଦେଇ ଗତି କରିଚି । ଅବଶ୍ୟ ଏହିସବୁ ରାସ୍ତା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଚି ଓ ଏଥିରେ ଯାତ୍ରା କରିବା ଆଦୌ ଆରାମଦାୟକ ହୋଇପାରି ନାହିଁ । କିନ୍ତୁ ଆଗରୁ ଯାତାୟାତ କରିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଥିଲା, ସେ ଦୃଷ୍ଟିରୁ ଏହିସବୁ ରାସ୍ତାର ନିର୍ମାଣକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି କୁହାଯାଇପାରିବ ।”

 

“୧୯୪୧ ମସିହା ଗୀଷ୍ମକାଳରେ ମୋର ପତ୍ନୀ ଲାମ୍ବାରେନେଠାରେ ଆସି ପହଞ୍ଚିଥିଲେ-। ଏକ ଅଲୌକିକ ଘଟଣା ଘଟିଲା ପରି ସେ ଫ୍ରାନ୍ସରୁ ଲିସ୍‍ବନ୍ ପର୍ଯ୍ୟନ୍ତ ଆସିଲେ ଓ ପର୍ଟୁଗାଲ ଦେଶର ଏକ ଜାହାଜରେ ପର୍ଟୁଗାଲର ଉପନିବେଶ ଆଙ୍ଗୋଲାରେ କଙ୍ଗୋନଦୀର ମୁହାଣଠାରେ ପହଞ୍ଚିଲେ । ତା’ପରେ ବେଲ୍‍ଜିଆନ୍ କଙ୍ଗୋରାଜ୍ୟରେ ଏକ ବୁଲାଣି ବାଟ ପାରହୋଇ ଅଗଷ୍ଟ ଦୁଇ ତାରିଖରେ ସେ ଆମ ପାଖରେ ପହଞ୍ଚି ପାରିଥିଲେ ।”

 

“୧୯୪୫ ମସିହା ମେ’ ମାସ ସାତ ତାରିଖ ମଧ୍ୟାହ୍ନ ସମୟରେ ଆମେ ଯୁଦ୍ଧ ଶେଷ ହେବାର ସମ୍ବାଦ ପାଇଥିଲୁ । ଦିନ ଦୁଇଟା ବେଳେ ନଦୀଘାଟରୁ ଷ୍ଟିମର୍ ଛାଡ଼ିବା ପୂର୍ବରୁ ସେଥିରେ ଯାଉଥିବା ଡାକ ସହିତ ପଠାଇବି ବୋଲି ମୁଁ ମୋର ଟେବୁଲ ପାଖରେ ବସି କେତେକ ଜରୁରୀ ଚିଠି ଲେଖିବାରେ ବ୍ୟସ୍ତଥାଏ, ହଠାତ୍ ମୋର ଝରକାପାଖରେ ମୁଁ ଡାକ୍ତରଖାନାରେ ଥିବା ଜଣେ ଶ୍ଵେତକାୟ ରୋଗୀକୁ ଦେଖିବାକୁ ପାଇଲି । ଡାକ୍ତରଖାନାକୁ ଆସିବାବେଳେ ସେ ତାଙ୍କର ରେଡ଼ିଓଟିକୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । ଇଉରୋପରେ ଏକ ଯୁଦ୍ଧବିରତିର ଚୁକ୍ତି ସ୍ଵାକ୍ଷରିତ ହୋଇଚି ବୋଲି ମୋତେ ସେ ପାଟିକରି କହିଲେ । କିନ୍ତୁ ତଥାପି ମୁଁ ମୋର ଚିଠିଲେଖା ଶେଷ କରିବାରେ ବ୍ୟସ୍ତ ରହିଲି ଓ ତା’ପରେ କେତେ କାର୍ଯ୍ୟରେ ଡାକ୍ତରଖାନା ଆଡ଼େ ଯାଇଥିଲି । କିନ୍ତୁ ସେହି ଅପରାହ୍ନ ସମୟରେ ଆମ ଡାକ୍ତରଖାନାର ବଡ଼ ଘଣ୍ଟା ବାଜିଉଠିଲା ଏବଂ ଡାକ୍ତରଖାନାର ସମଗ୍ର ପରିବାର ଏହି ସୁଖବରଟି ଶୁଣିବାଲାଗି ଏକତ୍ରିତ ହେଲେ । ତା’ପରେ, ଭାରି କ୍ଳାନ୍ତ ଲାଗୁଥିଲେ ମଧ୍ୟ, ବଗିଚାକୁ ମୁଁ ମଜୁରିଆମାନଙ୍କର କାମ ଦେଖିବାକୁ ଗଲି । ଯୁଦ୍ଧ କରୁଥିବା ଦୁଇପକ୍ଷ ଭିତରେ ଯେ ଆଜିଠାରୁ ଶତ୍ରୁତାର ଅବସାନ ଘଟିଲା, ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ମୁଁ ଏହାର ସମ୍ପୂର୍ଣ୍ଣ ଅର୍ଥ ଭାବିପାରି ନଥିଲି । ବାହରେ ଅନ୍ଧାର ଭିତରେ ତାଳଗଛଗୁଡ଼ାକ ଏପାଖ ସେପାଖ ଦୋହଲୁଥାନ୍ତି, ମୋର ବହିଥାକରୁ ଖ୍ରୀଷ୍ଟପୂର୍ବ ଷଷ୍ଠଶତାବ୍ଦୀର ଚୀନଦେଶୀୟ ଦାର୍ଶନିକ ଲାଓ-ତ୍ସେଙ୍କର ଏକ କ୍ଷୁଦ୍ର ପୁସ୍ତକ ବାହାର କଲି । ଯୁଦ୍ଧ ଓ ଯୁଦ୍ଧଜୟ ବିଷୟରେ ତାଙ୍କର ପ୍ରଭାବଶାଳୀ ବାଣୀମାନ ପଢ଼ି ବସିଲି । “ଅସ୍ତ୍ରଶସ୍ତ୍ର ବଡ଼ ବିପଜ୍ଜନକ, କୌଣସି ଭଦ୍ରଲୋକ ପକ୍ଷରେ ଏହା କଦାପି ଏକ ସାଧନ ହୋଇ ନପାରେ । କେବଳ ଯେତେବେଳେ ଅନ୍ୟ କୌଣସିପ୍ରକାର ରାସ୍ତା ଅବଲମ୍ବନ କରିବା ଆଉ ସମ୍ଭବ ହେବନାହିଁ, କେବଳ ସେତିକିବେଳେ ବିଚାରଶୀଳ ବ୍ୟକ୍ତି ତାହାକୁ ବ୍ୟବହାର କରିପାରେ । ସ୍ଥିରତା ଓ ଶାନ୍ତିକୁ ସେ ତା’ର ଜୀବନରେ ଉଚ୍ଚତମ ମୂଲ୍ୟ ଦେବ । ସେ ହୁଏତ ଯୁଦ୍ଧରେ ଜୟ କରିବ, କିନ୍ତୁ ସେଥିରୁ କୌଣସି ଆନନ୍ଦ ପାଇବନାହିଁ । ଯିଏ ବିଜୟଗର୍ବରେ ଉଲ୍ଲସିତ ହୋଇ ପଡ଼େ, ଲୋକ ହତ୍ୟାକରି ସେ ଉଲ୍ଲସିତ ହୋଇପଡ଼ୁଚି ବୋଲି କହିବାକୁ ହେବ । ଯୁଦ୍ଧ ବିଜୟର ଉତ୍ସବ ଅନୁଷ୍ଠିତ ହେଲାବେଳେ ସତେ ଅବା ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଉଥିଲା ପରି ସେନାପତି ସେଥିରେ ଯୋଗ ଦେବ । ସହାନୁଭୂତିର ଅଶ୍ରୁଦ୍ୱାରା ବହୁସଂଖ୍ୟକ ମନୁଷ୍ୟଙ୍କର ହତ୍ୟାଲାଗି ଶୋକପ୍ରକାଶ କରାଯାଇ ପାରିବ । ତେଣୁ ଯିଏ ଯୁଦ୍ଧରେ ଜୟ କରି ଆସିଚି, ସତେ ଅବା ସେ କୌଣସି ଶୋକପ୍ରକାଶ କରିବାର ଉତ୍ସବରେ ଯୋଗ ଦେଉଚି, ସେ ଠିକ୍ ସେହିପରି ଅନୁଭବ କରିବ ।”

 

“ବର୍ତ୍ତମାନ ଯୁଦ୍ଧ ଶେଷ ହେଲା, ତେଣୁ ଆମେ ସମସ୍ତେ ଆଶା କରୁଥିଲୁ ଯେ ଏଥର ଅଳ୍ପଦିନ ଭିତରେ ଆମକୁ ସାହାଯ୍ୟ କରିବାଲାଗି ନୂଆଡାକ୍ତର ଓ ନୂଆ ଧାତ୍ରୀମାନେ ଆସି ପହଞ୍ଚିଯିବେ । ମାତ୍ର ଏସବୁ ଆଶା ଆମକୁ ପରିହର କରିବାକୁ ପଡ଼ିଥିଲା । ଲାମ୍ବାରେନେ ଯାତ୍ରା କରିବା ପୂର୍ବରୁ ସରକାରଙ୍କର ବିହିତ ଅନୁମତି ପାଇବାଲାଗି ସେମାନଙ୍କୁ ଯେଉଁସବୁ ଉପଚାର କରିବାକୁ ପଡ଼ିଲା, ସେଥିଲାଗି ମାସମାସ ସମୟ ଲାଗିଗଲା ।”

 

“୧୯୪୫ ମସିହା ସେପ୍ଟେମ୍ବର ମାସରେ ବର୍ଷାଋତୁ ଆରମ୍ଭ ହେଲାବେଳକୁ ମୋର ପତ୍ନୀ ଇଉରୋପ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୯୪୧ ମସିହା ଅଗଷ୍ଟ ମାସଠାରୁ ସେ ଏଥର ଲାମ୍ବାରେନେଠାରେ ଅତିବାହିତ କରିଥିଲେ । ତା’ପରେ କେବଳ ଭଲ ପାଗ ହେବା ସମୟତକ ଅର୍ଥାତ୍ ୧୯୪୬ ଓ ୧୯୪୭ ମସିହାର ମେ’ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସେ ଲାମ୍ବାରେନେଠାରେ ରହିଚନ୍ତି ।”

 

“ଯୁଦ୍ଧ ସରିବାପରେ ପ୍ରତ୍ୟେକ ଜିନିଷର ଦରଦାମ ବଢ଼ିବାରେ ଲାଗିଥିଲା । ସାଧାରଣତଃ ଡାକ୍ତରଖାନାକୁ ଚାଲୁରଖିବା ପାଇଁ ଯେତେ ଖର୍ଚ୍ଚ କରିବାକୁ ପଡ଼ୁଥିଲା, ଏଥର ସେଥିଲାଗି ମୋତେ ଚାରିଗୁଣ ଅଧିକ ଖରଚ କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିଲା । ଅଧିକ ଖର୍ଚ୍ଚଗୁଡ଼ିକୁ ଯେତେ କାଟିକରି ଚେଷ୍ଟା କଲେ ମଧ୍ୟ ଏହାଠାରୁ କମ୍ ଖର୍ଚ୍ଚରେ ଆଦୌ ଚଳିଲାନାହିଁ । କେବଳ ବାହାରୁ ମଗାଉଥିବା ଜିନିଷପାଇଁ ଯେ ଆମକୁ ଅଧିକ ପଇସା ଦେବାକୁ ପଡ଼ିଲା, ତା’ ନୁହେଁ, ପାଚିଲାକଦଳୀ ଓ ଟାପିଓକାର ମୂଲ୍ୟ ମଧ୍ୟ ଅତିରିକ୍ତ ବୃଦ୍ଧି ପାଇଥିଲା ଏବଂ ପରିମାଣତଃ ଆମକୁ ସ୍ଥାନୀୟ ମଜୁରିଆଙ୍କର ମଜୁରି ବଢ଼ାଇ ଦେବାକୁ ପଡ଼ିଲା ଏବଂ ଇଉରୋପକୁ ଓ ଇଉରୋପରୁ ଯାତ୍ରା କରିବା ଲାଗି ମଧ୍ୟ ଆମକୁ ପ୍ରତ୍ୟେକ ସହକର୍ମୀ ପାଇଁ ଅଜସ୍ର ଅର୍ଥବ୍ୟୟ କରିବାକୁ ପଡ଼ୁଥିଲା, କାରଣ ଏହି ବାବଦରେ ଖର୍ଚ୍ଚ କମାଇବା ଆମ ପକ୍ଷରେ ଆଦୌ ସମ୍ଭବ ନଥିଲା ।”

 

“ଇତ୍ୟବସରେ ଅର୍ଥାତ୍ ୧୯୩୯ ମସିହା ମଇମାସର ମଧ୍ୟଭାଗରେ ଶ୍ରୀମତୀ ସ୍ଵାଇତ୍‍ଜର୍‍ ଆପଣାର କନ୍ୟା ସହିତ ଲାମ୍ବାରେନେ ଅଭିମୁଖରେ ଯାତ୍ରା କରିଥିଲେ । ଏଥର ରେନା ପ୍ରଥମଥର ପାଇଁ ଆଫ୍ରିକା ଆସୁଥିଲା ଏବଂ ସମସ୍ତେ ଏହି ଯାତ୍ରାରେ ଖୁବ୍ ଆନନ୍ଦ ଅନୁଭବ କରୁଥିଲେ । ଡାକ୍ତର ସ୍ଵାଇତ୍‍ଜର୍‍ ଆମେରିକାବାସୀ ଜନୈକ ବନ୍ଧୁଙ୍କ ପାଖକୁ ଲେଖିଥିଲେ, ମୋର କନ୍ୟା ଏଥର ମୋ’ ଡାକ୍ତରଖାନାଟି ଦେଖିବାକୁ ପାଇଲା ବୋଲି ଭାବିଲାବେଳକୁ ମୋତେ ଭାରି ଖୁସୀ ଲାଗୁଚି । ଏଠାରେ ଥିବା ଛଅଟି ସିମ୍ପାଞ୍ଜି ଓ ପାଞ୍ଚଟି ହରିଣଛୁଆ ତାକୁ ଭାରି ଆନନ୍ଦ ଦେଉଚନ୍ତି ।” ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନେ ପୁଣି ଇଉରୋପ ଫେରି ଯାଇଥିଲେ ଏବଂ ରେନା ପାରିସରେ ଥିବା ତା’ର ସ୍ଵାମୀଙ୍କ ସହିତ ରହିବାକୁ ଯାଇଥିଲା ।

 

ଆପଣାର ସହକର୍ମୀମାନଙ୍କ ସହିତ ଲାମ୍ବାରେନେଠାରେ ଆପଣାର ସେବାକାର୍ଯ୍ୟ ଚାଲୁ ରଖିବେ ନା ଡାକ୍ତରଖାନା ବନ୍ଦ କରି ସୁଯୋଗ ମିଳିବା ମାତ୍ରକେ ଇଉରୋପ ଚାଲିଯିବେ, ଏହି ବିଷୟରେ ସେ କିଛି ବିଚାର କରି ଠିକ୍ କରି ପାରୁନାହାନ୍ତି ବୋଲି ଯୁଦ୍ଧ ଲାଗିବାର ଅଳ୍ପଦିନ ପରେ ସ୍ଵାଇତ୍‍ଜର୍‍ ଆମେରିକାରେ ଥିବା ତାଙ୍କର ବନ୍ଧୁମାନଙ୍କୁ ଚିଠି ଲେଖି ଜଣାଇଥିଲେ । କିନ୍ତୁ ପରେ ସେ ଡାକ୍ତରଖାନା ଖୋଲା ରଖିବେ ଓ ଚିକିତ୍ସା କାର୍ଯ୍ୟ ବନ୍ଦ କରିବେ ନାହିଁ ବୋଲି ନିଷ୍ପତ୍ତି କରିଚନ୍ତି, ଏହି ସମ୍ବାଦ ପାଇବା ମାତ୍ରକେ ଆମେରିକାରେ ବନ୍ଧୁମାନେ ଏକତ୍ର ହୋଇ ତାଙ୍କର କାର୍ଯ୍ୟଲାଗି ସାହାଯ୍ୟ ପଠାଇବା ପାଇଁ ନିର୍ଦ୍ଦିଷ୍ଟ ଯୋଜନାମାନ କରି ବସିଲେ ।

 

ଏହାରି ଫଳରେ ୧୯୪୯ ମସିହା ଶେଷଭାଗରେ ଆମେରିକାରେ ଆଲ୍‍ବର୍ଟ ସ୍ଵାଇତ୍‍ଜର୍‍ ‘ବନ୍ଧୁସଙ୍ଘ’ ପ୍ରତିଷ୍ଠିତ ହୋଇଥିଲା । ସ୍ଵାଇତ୍‍ଜର୍ ତାଙ୍କର ‘ଏପାଖେ ପାଣି ଏ ସେପାଖେ ଅରଣ୍ୟ’ ଗ୍ରନ୍ଥଟିରେ ଏହି ‘ବନ୍ଧୁସଙ୍ଘ’ ଶବ୍ଦଟି ବ୍ୟବହାର କରିଥିଲେ । ଯେଉଁମାନେ ଆପଣାର ଜୀବନରେ ଦୁଃଖର ଚିହ୍ନ ବହନ କରୁଚନ୍ତି, ସେମାନେ ଏକ ବନ୍ଧୁସଙ୍ଘର ଅନ୍ତର୍ଭୁକ୍ତ ବୋଲି ସ୍ଵାଇତ୍‍ଜର୍‍ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଚନ୍ତି । ସେ କହିଚନ୍ତି : “ଏହି ବନ୍ଧୁସଙ୍ଘର ସଭ୍ୟ କେଉଁମାନେ ? ଯେଉଁମାନେ ଆପଣାର ଅଭିଜ୍ଞତାରୁ ଶାରୀରିକ ଦୁଃଖଯନ୍ତ୍ରଣା କ’ଣ ତାହା ଅନୁଭବ କରିଚନ୍ତି, ସାରା ପୃଥିବୀରେ ସେମାନେ ଗୋଟିଏ ଶିବିରର ଅନ୍ତର୍ଭୁକ୍ତ, ଦୁଃଖର ଏକ ଗୂଢ଼ସୂତ୍ର ସେମାନଙ୍କୁ ଏକତ୍ର କରି ବାନ୍ଧି ଦେଇଚି । ମଣିଷ ଯେ କେତେ ଦାରୁଣ ଯନ୍ତ୍ରଣାର ସମ୍ମୁଖୀନ ହୋଇପାରେ, ସେମାନେ ପ୍ରତ୍ୟେକ ଏହି କଥା ଜାଣନ୍ତି, ଏହି ଯନ୍ତ୍ରଣାରୁ ନିଷ୍କୃତି ପାଇବା ଲାଗି ମଣିଷ ଯେ କେତେ ବ୍ୟାକୁଳ ହୋଇପଡ଼େ, ସେମାନେ ପ୍ରତ୍ୟେକ ଏହିକଥା ଜାଣନ୍ତି ।”

 

ଏହି ବନ୍ଧୁସଙ୍ଘର ଯୋଜନା ବିଷୟରେ ସ୍ଵାଇତ୍‍ଜର୍‍ଙ୍କୁ ସମ୍ବାଦ ଦିଆଯିବାରୁ ସେ ଲେଖିଥିଲେ, “ଏଥର ମୁଁ ଆମେରିକାରୁ ସାହାଯ୍ୟ ପାଇପାରିବି ବୋଲି ଭବିଲାବେଳକୁ ମୁଁ ଭାରି ଆଶ୍ଵସ୍ତ ଅନୁଭବ କରୁଚି । ମୋତେ ଏହା ଠିକ୍ ଏକ ଅଲୌକିକ ଘଟଣାପରି ମନେହେଉଚି । ଏହି ବଦାନ୍ୟତାର ଋଣ ମୁଁ କଦାପି ସମ୍ପୂର୍ଣ୍ଣରୂପେ ପରିଶୋଧ କରି ପାରିବି ନାହିଁ ।” ତାଙ୍କର କାର୍ଯ୍ୟ କୌଣସି ଗିର୍ଜା, ମିସନାରୀ ସଂସ୍ଥା ବା ଅନ୍ୟ କୌଣସିପ୍ରକାର ସଙ୍ଗଠନ ସହିତ କୌଣସି ପ୍ରକାରେ ସମ୍ପୃକ୍ତ ନୁହେଁ ବୋଲି ସେ ତାଙ୍କର ଉକ୍ତପତ୍ରରେ ଉଲ୍ଲେଖ କରିଥିଲେ । ଆମର ଏହି ବନ୍ଧୁସଙ୍ଘ ଯଥାସମ୍ଭବ ସରଳଭାବେ ସଙ୍ଗଠିତ ହେବା ଉଚିତ ବୋଲି ସେ ଅନୁରୋଧ ଜଣାଇ ପଠାଇଥିଲେ । ସେ କୌଣସିପ୍ରକାର କଠିନ ଓ ଯାନ୍ତ୍ରିକ ସଙ୍ଗଠନ ଚାହାଁନ୍ତିନାହିଁ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେପରି ସମ୍ପର୍କ ରହିବ, ପ୍ରତ୍ୟେକଙ୍କ ଭିତରେ ଯେପରି ଏକ ସ୍ଵାଭାବିକ ଆଗ୍ରହର ସୃଷ୍ଟି ହୋଇପାରିବ ଏବଂ ଏକ ଆଧ୍ୟାତ୍ମିକ ଭାବ ଦ୍ଵାରା ଅନୁପ୍ରେରିତ ହୋଇ ଯେପରି ସମସ୍ତେ ଆଫ୍ରିକାର ସେବାକାର୍ଯ୍ୟ ଲାଗି ଚିନ୍ତା କରିପାରିବେ, ସେ ବନ୍ଧୁସଙ୍ଘରେ ଏହିପରି ଏକ ବାତାବରଣ ସୃଷ୍ଟି କରାଯିବା ଉଚିତ ବୋଲି ଇଚ୍ଛାପ୍ରକାଶ କରିଥିଲେ ।

 

ଆମେରିକାରେ ସ୍ଵାଇତ୍‍ଜର୍‍ଙ୍କ କାର୍ଯ୍ୟପ୍ରତି ଏତେଦୂର ଆଗ୍ରହ ବୃଦ୍ଧି ପାଇଥିଲା ଯେ ୧୯୪୩ ମସିହା ବେଳକୁ କାଲିଫର୍ଣ୍ଣିଆଠାରେ ‘ବନ୍ଧୁସଙ୍ଘ’ର ଏକ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଶାଖା ଗଠିତ ହୋଇଥିଲା । ଆଫ୍ରିକାର ସେବାକାର୍ଯ୍ୟ ଲାଗି ଏହି ଶାଖା ହଜାର ହଜାର ଡଲାର ସଂଗ୍ରହ କରିଚି ଏବଂ ଦେଶର ସେହି ଅଞ୍ଚଳରେ ଏକ ସମ୍ପ୍ରସାରିତ ଆଗ୍ରହ ଜାଗୃତ କରି ରଖିଚି ।

 

୧୯୪୫ ମସିହା ଜାନୁଆରୀ ୧୪ ତାରିଖ ଦିନ ଆଲ୍‍ବାର୍ଟ ସ୍ଵାଇତ୍‍ଜର୍‍ଙ୍କୁ ସତୁରି ବର୍ଷ ପୂରିଗଲା । ଏହି ଉଦ୍ଦେଶ୍ୟରେ ଏକ ପତ୍ରରେ ସେ ‘ବନ୍ଧୁସଙ୍ଘ’ ପାଖକୁ ଲେଖିଥିଲେ :

 

“ଜାନୁଆରୀ ୧୪ ତାରିଖରେ ମୋ’ ପାଖକୁ ଆପଣମାନେ ପଠାଇଥିବା ତାରସମ୍ବାଦ ପାଇଲି । ମୋ’ ପାଖକୁ ଆପଣମାନେ କିଛି ସାହାଯ୍ୟ ସଂଗ୍ରହ କରି ପଠାଉଚନ୍ତି ଜାଣି ଅତ୍ୟନ୍ତ ଆନନ୍ଦିତ ହେଲି । ଏହି ସାହାଯ୍ୟ ସମ୍ଭବ କରାଇଥିବା ବଦାନ୍ୟବ୍ୟକ୍ତିମାନଙ୍କ ପାଖରେ ମୁଁ ଅତିଶୟ କୃତଜ୍ଞ ରହିବି । ମୋର କାର୍ଯ୍ୟଲାଗି ଯେ ଚାରିଆଡ଼େ ଏତେ ଲୋକଙ୍କର ସହାନୁଭୂତି ରହିଚି, ତାହାର ପ୍ରମାଣ ପାଇ ମୁଁ ମୋର କାର୍ଯ୍ୟ କରିବାକୁ ନୂତନ ଶକ୍ତି ପ୍ରେରଣା ଲାଭ କରିଥାଏ ।”

 

“ମୁଁ ଭାବିଥିଲି ଯେ ମୋତେ ପଞ୍ଚଷଠି ବର୍ଷ ବୟସ ହୋଇଯିବା ପରେ ଡାକ୍ତରଖାନାର ସମସ୍ତ କାର୍ଯ୍ୟର ଦାୟିତ୍ଵକୁ ମୁଁ ମୋର ସହକର୍ମୀ ହିସାବରେ ଲାମ୍ବାରେନେକୁ ଆସୁଥିବା ଅନ୍ୟ ଡାକ୍ତରମାନଙ୍କୁ ସମର୍ପଣ କରିଦେବି ଏବଂ ତଦ୍ଦ୍ୱାରା ମଝିରେ ମଝିରେ ମୁଁ କେତେମାସ ଇଉରୋପରେ ଅତିବାହିତ କରିପାରିବି, ମୋର ଆଉ କେତୋଟି ଗ୍ରନ୍ଥକୁ ସମ୍ପୂର୍ଣ୍ଣ କରିଦେବି ଏବଂ ଡାକ୍ତରଖାନାର ସାହାଯ୍ୟାର୍ଥେ ସଙ୍ଗୀତାନୁଷ୍ଠାନ କରି ବୁଲିବି । ଲଗାଏତ କେତେ ସପ୍ତାହ ପାଇଁ ଛୁଟି ନେଇପାରିବି ବୋଲି ମଧ୍ୟ ସ୍ଵପ୍ନ ଦେଖିଥିଲି । କିନ୍ତୁ ଯୁଦ୍ଧ ଆସି ମୋର ସବୁ ଯୋଜନା ଓ କଳ୍ପନାରେ ପ୍ରତିବନ୍ଧକ ହୋଇ ଠିଆହେଲା, ମୋର ସବୁ ସ୍ଵପ୍ନ ପଣ୍ଡ କରିଦେଲା । ଏବେ ମଝିରେ ମଝିରେ ଆପଣାକୁ ଅତି ମରଣାନ୍ତକ ଭାବରେ ବୋଧ ହେଉଚି, କିନ୍ତୁ ତଥାପି ମୁଁ ଏହି ସ୍ଥାନର ଦୁର୍ବଳକାରୀ ଜଳବାୟୁର ପ୍ରତିରୋଧ କରିବାକୁ ସମର୍ଥ ହୋଇପାରିଚି ଏବଂ ଦିନମାନ ଆପଣାକୁ କାମରେ ତତ୍ପର ରଖିପାରୁଚି ।”

 

The Christian Century ୧୪.୨.୧୯୪୫ ସଂଖ୍ୟା ସ୍ଵାଇତ୍‍ଜର୍‍ଙ୍କର ସପ୍ତତିତମ ଜନ୍ମଦିନ ଉପରେ ଆଲୋଚନା କରି ଲେଖିଥିଲେ : “ଆମେ ଆଶା କରୁଚୁ ଯେ ଦର୍ଶନସମ୍ବନ୍ଧୀୟ ତାଙ୍କର ଗ୍ରନ୍ଥଟି ଶେଷ କରିବାକୁ ଭଗବାନ ତାଙ୍କୁ ନିଶ୍ଚୟ ବଳ ଦେବେ । ଆଜି ଆମର ଯେଉଁ ସଭ୍ୟତାର ବଶବର୍ତ୍ତୀ ହୋଇ ଆମେ ଭାଇଭାଇ ଭିତରେ ହତ୍ୟାର ଲୀଳା ଭିଆଇବାରେ ଲାଗିଛୁ, ସେହି ସଭ୍ୟତାର ବିଚାର କରି, ସେ ନିଜେ ଆପଣା ଜୀବନରେ ଗ୍ରହଣ କରିଥିବା ‘ଜୀବନପ୍ରତି ଶ୍ରଦ୍ଧା’ର ନୀତି ଉପରେ ଏହି ସଭ୍ୟତାକୁ ପର୍ଯ୍ୟବସିତ କରାଇବାଲାଗି ତାଙ୍କଠାରୁ ଅଧିକ ଅନୁକୂଳ ପରିସ୍ଥିତି ଆଉ କାହାର ଅଛି ?... ଆପଣାର ଜନ୍ମଦିନଟିକୁ ସେ ନିଜେ କିପରି ଅତିବାହିତ କରିଥଲେ, ସେକଥା ଆମେ ଜାଣୁନାହିଁ । କିନ୍ତୁ ହୁଏତ ତିରିଶ ବର୍ଷତଳେ ଆପଣାର ଡାକ୍ତରଖାନା ଆରମ୍ଭ କରିବା ଦିନଠାରୁ ଗତ ହୋଇଥିବା ଏଗାର ହଜାରଟି ଦିନରେ ସେ ଯାହା କରି ଆସିଥିଲେ, ହୁଏତ ତାଙ୍କର ସପ୍ତତିତମ ଜନ୍ମ ଦିବସଟିରେ ସେ ତାହାଠାରୁ ଖୁବ୍ ଭିନ୍ନ କରିନାହାନ୍ତି ।”

 

ଏହାର ଉତ୍ତର ସ୍ଵରୂପ ଡାକ୍ତର ସ୍ଵାଇତ୍‍ଜର୍‍ ଏକ ପତ୍ରରେ ସମ୍ପାଦକଙ୍କ ପାଖକୁ ଲେଖିପଠାଇଲେ : “ହାୟ, ବର୍ତ୍ତମାନ ମୋର ଯେତେଗୁଡ଼ିଏ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବାକି ରହିଛି, ସେଥିଲାଗି ମୋତେ ସତୁରି ବର୍ଷ ନୁହେଁ, ମାତ୍ର ତିରିଶବର୍ଷ ବୟସ ହୋଇଚି ବୋଲି କହିବାକୁ ପଡ଼ିବ-। ...ମୋର ଜନ୍ମଦିନଟି ମୁଁ ନିଜେ କିପରି ଭାବରେ ଅତିବାହିତ କରିଥିଲି, ତାହା ଆପଣ ଜାଣିବାକୁ ଚାହିଁଛନ୍ତି । ସେଦିନ ରବିବାର ଥିଲା ଏବଂ ସେଥିସକାଶେ ଅନ୍ୟାନ୍ୟ ଦିନଗୁଡ଼ିକ ଅପେକ୍ଷା ମୋତେ ସେଦିନ ଅନେକ ଅଧିକ କାର୍ଯ୍ୟ କରିବାକୁ ପଡ଼ିଲା । ଅପରାହ୍ନରେ ଜଣେ ସହକର୍ମୀଙ୍କ ସହିତ ମୁଁ ଜଣେ ହାର୍‍ନିଆ ରୋଗୀଙ୍କ ଉପରେ ଅସ୍ତ୍ରୋପଚାର କରିଥିଲି । ଠିକ୍ ସେହିଦିନ ସକାଳେ ସେହି ରୋଗୀ ଡାକ୍ତରଖାନାକୁ ଆସିଥିଲେ । ହୃଦରୋଗରେ ପୀଡ଼ିତ ଥିବା କେତେକ ରୋଗୀଙ୍କ ଲାଗି ମୋତେ ଖୁବ୍ ଚିନ୍ତିତ ରହିବାକୁ ପଡ଼ିଥିଲା । ପୁଣି ସେଦିନ ଏତେ ଅତ୍ୟଧିକ ଗରମ ହେଉଥିଲା ଯେ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଅଭ୍ୟସ୍ତ ହୋଇ ଯାଇଥିବା ଲୋକମାନଙ୍କୁ ମଧ୍ୟ ତାହା ଅସହ୍ୟ ବୋଧ ହେଉଥିଲା ।”

 

ଆଗାମୀ ଦଶବର୍ଷ ଭିତରେ ପୃଥିବୀର ପରିସ୍ଥିତି କ’ଣ ହେବ, ସେହି ବିଷୟରେ ସାମ୍ବାଦିକଙ୍କୁ ସାକ୍ଷାତ ଦେଇ ସ୍ଵାଇତ୍‍ଜର୍‍ କହିଥିଲେ :–

 

“ପ୍ରୋପାଗାଣ୍ଡା ବା ପ୍ରବଞ୍ଚନାଦୁଷ୍ଟ ପ୍ରଚାର ବଦଳରେ ଆମକୁ ପ୍ରକୃତ ସତ୍ୟକୁ ହୃଦୟଙ୍ଗମ କରିବାର ଶକ୍ତିର ଆଶ୍ରୟ ନେବାକୁ ପଡ଼ିବ, ଆଜି ଦେଶପ୍ରେମ ନାମରେ ଯେଉଁ ଦୁର୍ବୃତ୍ତ ଆମ ସମସ୍ତଙ୍କୁ ଗ୍ରାସ କରି ରହିଚି, ତାହାର ବଦଳରେ ଆମକୁ ସମସ୍ତ ମନୁଷ୍ୟ ସମାଜର କଲ୍ୟାଣ ଆକାଙ୍‍କ୍ଷା କରୁଥିବା ଏକ ଶୁଭତର ଓ ଶୁଦ୍ଧ ଦେଶପ୍ରେମର ମାର୍ଗ ଗ୍ରହଣ କରିବାକୁ ପଡ଼ିବ, ଜାତୀୟତା ନାମରେ ଆମେ ଆଜି ଯେଉଁ ପୌତ୍ତଳିକତାର ଫାନ୍ଦରେ ପଡ଼ିଯାଇଚେ, ତାହାର ବଦଳରେ ଏକ ସାଧାରଣ ସଂସ୍କୃତିର ମାର୍ଗ ଆଚରଣ କରୁଥିବା ମନୁଷ୍ୟସମାଜକୁ ଆମର ଆଦର୍ଶ ବୋଲି ସ୍ଵୀକାର କରିବାକୁ ପଡ଼ିବ । ସମସ୍ତ ପ୍ରକାର ଆଦର୍ଶକୁ ବହିଷ୍କୃତ କରି ଦେଇଥିବା ଏକ ସମାଜ ପରିବର୍ତ୍ତରେ ଆମକୁ ସଂସ୍କୃତି ଓ ସଂସ୍କୃତି-ପରିମାର୍ଜିତ ଜୀବନ ଉପରେ ପୁଣି ଦୃଢ଼ ବିଶ୍ଵାସ ସ୍ଥାପନ କରିବାକୁ ପଡ଼ିବ, ...ସମସ୍ତ ପ୍ରକାର ଯଥାର୍ଥ ଆଧ୍ୟାତ୍ମିକତାରୁ ଆପଣାକୁ ବିଚ୍ଛିନ୍ନ କରି ପକାଇବା ଏକ ମନୋଦୃଷ୍ଟି ପରିବର୍ତ୍ତରେ ଆମକୁ ପ୍ରଗତିର ସମ୍ଭାବନା ଉପରେ ଅଚଳ ଆସ୍ଥା ରଖିବାକୁ ପଡ଼ିବ । ବର୍ତ୍ତମାନ ପୃଥିବୀର ମଣିଷ ହିସାବରେ ଏହିସବୁ ହେଉଚି ଆମର ପରମ କର୍ତ୍ତବ୍ୟ ।”

 

ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ କୌଣସିପ୍ରକାର ଛୁଟି ବା ବିଶ୍ରାମ ନ ନେଇ ଆଲ୍‍ବର୍ଟ ସ୍ଵାଇତ୍‍ଜର୍‍ ଲାମ୍ବାରେନେଠାରେ ଅବସ୍ଥାନ କରିଥିଲେ । ଶ୍ରୀମତୀ ଏମି ମାର୍ଟିନ୍‍ଙ୍କର ବିବରଣୀରୁ ଜଣାଯାଏ ଯେ ୧୯୪୮ ମସିହା ନଭେମ୍ବର ମାସରେ ସ୍ଵାଇତ୍‍ଜର୍ ଗ୍ୟୁନ୍‍ସ୍‍ବାଖରେ ପହଞ୍ଚିଲାବେଳେ ତାଙ୍କୁ ଅତିଶୟ କ୍ଳାନ୍ତ ଓ ଅବସନ୍ନ ଦେଖି ତାଙ୍କର ବନ୍ଧୁମାନେ ବଡ଼ ଚିନ୍ତିତ ହୋଇ ପଡ଼ିଥିଲେ । ଅବଶ୍ୟ କୃଷ୍ଣବନ (Schwarzwald)ର ପାର୍ବତ୍ୟ ଅଞ୍ଚଳରେ କ୍ୟୁନିଗ୍‍ସଫେଲ୍‍ଟ୍‍ଠାରେ ଓ ସୁଇଜର୍‍ଲାଣ୍ଡରେ କିଛିଦିନ ବିଶ୍ରାମ ନେଇସାରିବା ପରେ କ୍ରମେ ସେ ତାଙ୍କର ପୂର୍ବସ୍ୱାସ୍ଥ୍ୟ ଫେରି ପାଉଚନ୍ତି । ସୁଇଜର୍‍ଲାଣ୍ଡଠାରେ ହିଁ ସେ ପ୍ରଥମଥର ପାଇଁ ତାଙ୍କର କନ୍ୟାଙ୍କର ଚାରୋଟିଯାକ ସନ୍ତାନଙ୍କୁ ଦେଖିବାକୁ ପାଇଥିଲେ । ୧୯୪୯ ମସିହା ଗ୍ରୀଷ୍ମକାଳରେ ସେ ଆମେରିକା ପରିଦର୍ଶନରେ ଆସିବେ ବୋଲି ଲେଖିଚନ୍ତି ।

 

ଆମେରିକା ପରିଦର୍ଶନ କରି ଆସିବାକୁ ସ୍ଵାଇତ୍‍ଜର୍‍ଙ୍କ ପାଖକୁ ବର୍ଷ ବର୍ଷ ଧରି ଅନେକ ବାର ନିମନ୍ତ୍ରଣ ଆସିଚି । ସେଥିଭିତରୁ ମାତ୍ର କେତୋଟି ଦୃଷ୍ଟାନ୍ତ ଦିଆ ଯାଇପାରେ : ହର୍‍ଭାର୍ଡ଼୍‍ ବିଶ୍ଵବିଦ୍ୟାଳୟରେ ଲୋଓଏଲ ବକ୍ତୃତା ଦେବାକୁ ଏବଂ ବିଶ୍ୱବିଦ୍ୟାଳୟର ତୃତୀୟ ଶତବାର୍ଷିକ ଉତ୍ସବରେ ଯୋଗଦାନ କରିବାକୁ ସେ ନିମନ୍ତ୍ରଣ ପାଇଚନ୍ତି । ପ୍ରିନ୍‍ସ୍‍ଟନ୍ ବିଶ୍ଵବିଦ୍ୟାଳୟର ଉଚ୍ଚତର ଗବେଷଣା ବିଭାଗ ତାଙ୍କୁ ବିଶ୍ଵବିଦ୍ୟାଳୟରେ ଆସି କିଛିଦିନ ଅବସ୍ଥାନ କରିବାପାଇଁ ଏବଂ ‘ସଂସ୍କୃତିର ଦର୍ଶନ’ ଗ୍ରନ୍ଥର ତୃତୀୟ ଖଣ୍ଡ ସମାପ୍ତ କରିବାପାଇଁ ତାଙ୍କୁ ନିମନ୍ତ୍ରଣ ଦେଇ ପଠାଇଚି । ଆହୁରି ଅନେକ ଶିକ୍ଷା–, ଧର୍ମ– ଓ ସଙ୍ଗୀତ–,ସଂସ୍ଥା ମଧ୍ୟ ତାଙ୍କୁ ବକ୍ତୃତା ଓ ସଙ୍ଗୀତାନୁଷ୍ଠାନର କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ କରିଚି । ସର୍ବଶେଷରେ ମହାକବି ଗୟଟେଙ୍କର ଦ୍ଵିତୀୟ ଜନ୍ମ ଶତବାର୍ଷିକୀ ଉତ୍ସବରେ ସ୍ମାରକ-ଭାଷଣ ଦେବାଲାଗି ସେ ଏକ ନିମନ୍ତ୍ରଣ ରକ୍ଷା କରିଚନ୍ତି । କଲରାଡ଼ୋ ରାଜ୍ୟର ଆସପେନଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିରକରାଯାଇଚି ।

☆☆☆

 

ଆଧୁନିକ ପୃଥିବୀରେ ଶାନ୍ତିରେ ସମସ୍ୟା

 

(ଶାନ୍ତି ଲାଗି ନୋବେଲ ପୁରସ୍କାର ଗ୍ରହଣ କରିବା ଉତ୍ସବରେ ଡାକ୍ତର ସ୍ଵାଇତ୍‍ଜର୍‍ଙ୍କର ଭାଷଣ : ନରଓୟେର ରାଜଧାନୀ ଓସଲୋଠାରେ ୪.୧୧.୫୪ ଦିନ ପ୍ରଦତ୍ତ ।)

 

ଶାନ୍ତି ଲାଗି ନୋବେଲ ପୁରସ୍କାର ଗ୍ରହଣ କରିବାକୁ ହେଲେ ଏହି ଭାଷଣଟି ଦେବାର ମହତ୍ଵପୂର୍ଣ୍ଣ ସମ୍ମାନ ଓ ସୌଭାଗ୍ୟ ମିଳିଥାଏ । ‘ଆଧୁନିକ ପୃଥିବୀରେ ଶାନ୍ତିର ସମସ୍ୟା’,–ଏହି ବିଷୟଟି ଉପରେ ଭାଷଣ ଦେବି ବୋଲି ସ୍ଥିର କରିଥିବା ଦ୍ଵାରା ମୁଁ ପୁରସ୍କାର ପ୍ରତିଷ୍ଠାତାଙ୍କର ମନୋଭିଳାଷ ପୂରଣ କରୁଥିବାର ଅନୁଭବ କରୁଚି । କାରଣ ତାଙ୍କର ଜୀବଦ୍ଦଶାରେ ମଧ୍ୟ ସେ ଏହି ସମସ୍ୟାଟି ବିଷୟରେ ଗଭୀର ଚିନ୍ତା କରିଥିଲେ, ଶାନ୍ତିର ଉତ୍ତରୋତ୍ତର ବିକାଶ ଓ ଅଗ୍ରଗତି ସମ୍ଭବ କରାଇବା ଉଦ୍ଦେଶ୍ୟରେ ସେ ନୋବେଲ୍ ପୁରସ୍କାରର ସ୍ଥାପନା କରିଥିଲେ ।

 

ଆମେ ଏହି ଯୁଗରେ ଅଙ୍ଗେ ନିଭାଇଥିବା ଦୁଇଟି ଯୁଦ୍ଧର ପରିଣାମ ସ୍ଵରୂପ ଆମେ ବର୍ତ୍ତମାନ କିପରି ପରିସ୍ଥିତିର ସମ୍ମୁଖୀନ ହୋଇଚୁ, ପ୍ରଥମେ ମୁଁ ତାହାରି ଏକ ଚିତ୍ର ଦେବାକୁ ଚେଷ୍ଟା କରିବି ।

 

ଏହି ଦୁଇଟି ଯୁଦ୍ଧ ଶେଷହେବା ପରେ ପରେ ପ୍ରତ୍ୟେକ ବାର ଆମେ ପରସ୍ପର ଭିତରେ ମିଳାମିଶା ଓ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଏହିସବୁ ମିଳାମିଶା ଓ କଥାବାର୍ତ୍ତା ବେଳେ ଯେଉଁ ରାଜନୀତିଜ୍ଞମାନେ ପୃଥିବୀକୁ ଏକ ନୂତନ ଆକାର ଦେବାର ଉଦ୍ୟମ କରିଥିଲେ, ଦୁର୍ଭାଗ୍ୟବଶତଃ ସେମାନେ ସେହି ଦିଗରେ ବେଶୀଦୂର ସଫଳ ହୋଇ ପାରିନଥିଲେ । ଏକ ସାଧାରଣ ସମୃଦ୍ଧିର ଯୁଗରେ ପୃଥିବୀରେ ଯେପରି ଏକ ବ୍ୟବସ୍ଥାର ସୃଷ୍ଟି କରାଯାଇ ପାରିଥାନ୍ତା, ସେପରି ବ୍ୟବସ୍ଥାମାନ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ନଥିଲା । ବିଜୟ ହାସଲ କରିବା ପରେ ଯେଉଁଠି ଯେତେଦୂର ଲାଭ ଉଠାଯାଇ ପାରିବ, ପୃଥିବୀର ପରିସ୍ଥିତିକୁ ଆପଣାର ସୁବିଧାଲାଗି ଯେତେଦୂର ସମ୍ଭବ ବ୍ୟବାହାର କରାଯାଇ ପାରିବ, ତାହାରି ବ୍ୟବସ୍ଥା କରିବା ଓ ସେହି ବ୍ୟବସ୍ଥାଗୁଡ଼ିକୁ ଯଥାସମ୍ଭବ ସ୍ଥାୟୀ କରି ରଖିବା ହିଁ ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଭବିଷ୍ୟତ ସମ୍ବନ୍ଧରେ ସେମାନଙ୍କର ଅଧିକ ଦୂରଦୃଷ୍ଟି ଥିଲେ ମଧ୍ୟ ସେମାନେ ଏକାକୀ କଦାପି ଆପଣାର ବିଚାର ଅନୁସାରେ କାର୍ଯ୍ୟ କରିପାରି ନଥାନ୍ତେ । କାରଣ ଆପଣା ଆପଣା ଦେଶର ବିଜୟମତ୍ତ ଅଧିବାସୀମାନଙ୍କର ଇଚ୍ଛାନୁସାରେ ସେମାନଙ୍କୁ କାର୍ଯ୍ୟ କରିବାକୁ ହିଁ ପଡ଼ିଥାନ୍ତା । ତେଣୁ ସମ୍ମାନ ଅଥବା ନ୍ୟାୟଦୃଷ୍ଟିରୁ ସେତେବେଳେ କୌଣସି ବିଚାର କରିବାର କୌଣସି ପ୍ରଶ୍ନ ଉଠୁନଥିଲା । ସେମାନଙ୍କର ଦେଶଗୁଡ଼ିକରେ ବାସକରୁଥିବା ବିଜୟୋନ୍ମତ୍ତ ଲୋକମାନେ ସେମାନଙ୍କର ହିଂସ୍ର ଓ ଅମାନୁଷିକ ଇଚ୍ଛାଗୁଡ଼ିକର ପୂରଣ ହେଉ ବୋଲି ଯେପରି ଜିଦ୍ ଧରି ନ ବସନ୍ତୁ, କେବଳ ଏତିକି ପ୍ରତି ସତର୍କ ରହିବାକୁ ସେମାନେ ଆପଣାର କର୍ତ୍ତବ୍ୟ ବୋଲି ମନେ କରିଥିଲେ । ବିଜୟୀ ମିତ୍ରପକ୍ଷର ଶିବିରରେ ଯେତେବେଳେ ମତବାଦ ବା ସ୍ଵାର୍ଥରେ ଦ୍ଵନ୍ଦ୍ଵ ବା ଭେଦ ଉପସ୍ଥିତ ହେଉଥିଲା, ପରସ୍ପର ଭିତରେ ରାଜିନାମା ଦ୍ଵାରା ସମସ୍ତେ ମିଶି ପ୍ରାପ୍ତ ସୁବିଧା ସୁଯୋଗଗୁଡ଼ିକର ଉପଭୋଗ କରିବାଲାଗି ସେମାନଙ୍କୁ ବିଭିନ୍ନ ଦେଶର ନେତାମାନଙ୍କୁ ପ୍ରବର୍ତ୍ତାଇବାକୁ ବି ପଡ଼ିଥିଲା ।

 

ବିଜେତା ଓ ବିଜିତ ଉଭୟ ପକ୍ଷଲାଗି ଯେ ବର୍ତ୍ତମାନର ବିଶ୍ଵପରିସ୍ଥିତି ଆମକୁ ଏକ ଅସମ୍ଭବ ଅବସ୍ଥାରେ ଆଣି ପହଞ୍ଚାଇ ଦେଇଚି, ଐତିହାସିକ ସତ୍ୟକୁ ଆମେ ଅବଜ୍ଞା କରି ଆସିଚୁ ବୋଲି ଏପରି ହୋଇଚି । ଇତିହାସ ଉପରେ ଯଥେଷ୍ଟ ଦୃଷ୍ଟିପାତ କରିବାକୁ ଆମେ କୌଣସି ଚେଷ୍ଟା କରିନାହୁଁ । ଫଳରେ କେଉଁଟା ନ୍ୟାୟ ବା କେଉଁଟା ଅନ୍ୟାୟ କେଉଁଟା ଆବଶ୍ୟକ ବା କେଉଁଟା ଅନାବଶ୍ୟକ, ସେ ବିଷୟରେ ଆମର ଆଉ କୌଣସି ଜ୍ଞାନ ନାହିଁ ।

 

ଇଉରୋପର ଐତିହାସିକ ସମସ୍ୟାର ବିଚାର କରିବାକୁ ହେଲେ ଆମକୁ ଜାଣି ରଖିବାକୁ ହେବ ଯେ ସୁଦୂର ଅତୀତରେ,–ବିଶେଷତଃ ଆମେ ଯେଉଁ ଯୁଗକୁ ବୃହତ୍ ଆକ୍ରମଣର ଯୁଗ ବୋଲି କହିଥାଉ, ସେହି ଯୁଗରେ,–ଆକ୍ରମଣକାରୀମାନେ ପୂର୍ବଦିଗରୁ ଆସି ପଶ୍ଚିମ ବା ଦକ୍ଷିଣ-ପଶ୍ଚିମ ଆଡ଼କୁ ମାଡ଼ିମାଡ଼ି ଯାଉଥିଲେ ଏବଂ ଦେଶ ପରେ ଦେଶ ଦଖଲ କରି ନେଉଥିଲେ । ସମୟ ସମୟରେ କୌଣସି କୌଣସି ସ୍ଥାନରେ ବହୁଦିନରୁ ବାସକରି ଆସିଥିବା ବାସିନ୍ଦାମାନଙ୍କ ସହିତ ଅନ୍ୟଦେଶରୁ ବାସ ହରାଇ ଆସିଥିବା ଶରଣାର୍ଥୀମାନେ ମଧ୍ୟ ଏକତ୍ର ବାସକରି ରହୁଥିଲେ ।

 

କାଳକ୍ରମେ ଏହି ଶରଣାର୍ଥୀ ଗୋଷ୍ଠୀମାନଙ୍କ ଭିତରେ ଏକପ୍ରକାର ଏକତା ସ୍ଥାପିତ ହୋଇଥିଲା । ଦେଶଦେଶ ଭିତରେ ନୂଆକରି ସୀମା ନିର୍ଦ୍ଧାରିତ ହେଲା ଏବଂ ପ୍ରତ୍ୟେକ ଦେଶର ସୀମାଭିତରେ ନୂତନ ଓ ଅପେକ୍ଷାକୃତ ସମାନ-ଉତ୍ପତ୍ତି ବିଶିଷ୍ଟ ‘ଜାତି’ ବାସ କରିବାକୁ ଲାଗିଲେ । ପଶ୍ଚିମ ଓ ମଧ୍ୟ-ଇଉରୋପରେ ଏହି ବିବର୍ତ୍ତନ ଫଳରେ ଧୀରେ ଧୀରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ବାସ କରିବାକୁ ଲାଗିଲେ । ଊନବିଂଶ ଶତାବ୍ଦୀରେ ଏହି ବିବର୍ତ୍ତନ ସମ୍ପୂର୍ଣ୍ଣତା ଲାଭ କରିଥିଲା ।

 

କିନ୍ତୁ ପୂର୍ବ ଓ ଦକ୍ଷିଣପୂର୍ବ ଇଉରୋପରେ ଏହି ବିବର୍ତ୍ତନ ବା ବିକାଶ ଯଥେଷ୍ଟ ଅଗ୍ରସର ହୋଇପାରି ନାହିଁ । ଏପର୍ଯ୍ୟନ୍ତ ଏହିସବୁ ଅଞ୍ଚଳରେ ନାନା ଜାତି ଓ ଗୋଷ୍ଠୀର ଲୋକମାନେ ଏକାଠି ମିଶି ବାସ କରୁଚନ୍ତି । ତଥାପି ଏହି ମିଶ୍ରଣକୁ ପଶ୍ଚିମ ଇଉରୋପରେ ଘଟିଥିବା ମିଶ୍ରଣ ସହିତ ତୁଳନା କରାଯାଇ ପାରିବନାହିଁ । ଆପଣାର ବାସଭୂମିକୁ ଆପଣାର ବୋଲି ଦାବି କରିବା ଲାଗି ପ୍ରତ୍ୟେକ ଜନସମୂହର କେତେକ ପରିମାଣରେ ଅବଶ୍ୟ ଅଧିକାର ରହିଚି । ଦଳେ ହୁଏତ କହିପାରନ୍ତି ଯେ ସେମାନେ ସର୍ବପ୍ରଥମେ ଆସିଥିଲେ, ତେଣୁ ଏ ଦେଶ ସେମାନଙ୍କର । ଆଉଦଳେ ଆପଣାର ସଂଖ୍ୟାଗରିଷ୍ଠତା ଦର୍ଶାଇ ଦେଶକୁ ସେମାନଙ୍କର ବୋଲି ଦାବି କରିପାରନ୍ତି । ‘ଆମେ ଆସି ଏ ଦେଶର ଭୂମିକୁ ସର୍ବପ୍ରଥମେ ପ୍ରକୃଷ୍ଟ ବ୍ୟବହାରରେ ଲଗାଇଲୁ, ତେଣୁ ଏ ଦେଶ ଆମର’–ଆଉଦଳେ ଏପରି ମଧ୍ୟ କହିପାରନ୍ତି । ଏହି ସମସ୍ୟାର ସବୁଠାରୁ ଭଲ ଓ ସବୁଠାରୁ କାର୍ଯ୍ୟକାରୀ ସମାଧାନ ହୋଇପାରିବ, ଯେତେବେଳେ ସେମାନେ ଏକ ଦେଶରେ ଓ ଏକ ଜାତୀୟ ସଙ୍ଗଠନ ଭିତରେ ମିଳିମିଶି ବାସ କରିବାକୁ ସମ୍ମତ ହେବେ ଏବଂ ସମସ୍ତେ ରାଜିହୋଇ ପାରିଲାଭଳି ଏକ ମିଳାମିଶା କରିନେଇ ପାରିବେ । କିନ୍ତୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗର ପୂର୍ବରୁ ସେମାନଙ୍କର ଏହିପରି ମିଳାମିଶା କରିନେବାର ଉଚିତ ଥିଲା । କାରଣ ସେହି ସମୟଠାରୁ ଜାତି-ସଚେତନତା କ୍ରମେ ଅଧିକରୁ ଅଧିକ ଉଗ୍ର ଓ ତୀବ୍ର ହେବାରେ ଲାଗିଚି ଏବଂ ତାହାର ପରିଣାମମାନ ମଧ୍ୟ ଅତ୍ୟନ୍ତ ଭୟାବହ ହୋଇପଡ଼ିଚି । ବର୍ତ୍ତମାନ ବିଭିନ୍ନ ଜାତି ବିବେକ ଓ ଐତିହାସିକ ସତ୍ୟ ଦ୍ଵାରା ପରିଚାଳିତ ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।

 

ପୂର୍ବ ଓ ଦକ୍ଷିଣ-ପୂର୍ବ ଇଉରୋପରେ ସେ ଯୁଗରେ ଯେଉଁସବୁ ଅବସ୍ଥାର ସୃଷ୍ଟି ହୋଇଥିଲା, ସେହିଥିରୁ ହିଁ ପ୍ରଥମେ ବିଶ୍ଵଯୁଦ୍ଧର ଉତ୍ପତ୍ତି ହୋଇଥିଲା । ଦୁଇଟା ବିଶ୍ଵଯୁଦ୍ଧ ସମାପ୍ତ ହେବା ପରେ ଆଜି ଆମେ ଯେଉଁ ନୂତନ ଅନୁଷ୍ଠାନମାନ ତିଆରି କରିଚୁ, ସେଥିରେ ମଧ୍ୟ ଏକ ତୃତୀୟ ଯୁଦ୍ଧର ବୀଜ ପ୍ରଚ୍ଛନ୍ନ ହୋଇ ରହିଚି ।

 

ଆମେ ଯେତେ ପ୍ରକାରର ସଙ୍ଗଠନ ବା ପୁନର୍ଗଠନ କରୁନା କାହିଁକି, ଐତିହାସିକ ସତ୍ୟକୁ ଅସ୍ଵୀକାର କରୁଥିବା ପର୍ଯ୍ୟନ୍ତ ସେଥିରେ ଯୁଦ୍ଧର ବୀଜ ଅବଶ୍ୟ ନିହିତ ହୋଇ ରହିଥିବ । ଐତିହାସିକ ସତ୍ୟର ଦୃଷ୍ଟିଭୂମି ଉପରେ ଏକ ନ୍ୟାୟୋଚିତ ଓ ସତ୍ୟପୂର୍ଣ୍ଣ ସମାଧାନ କରିବାର ଉଦ୍ଦେଶ୍ୟକୁ ଗ୍ରହଣ କରି ପାରିଲେ ଯାଇ ସମସ୍ୟାର ଏକ ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ ।

 

ମନେକର ଐତିହାସିକ କାରଣ ଦର୍ଶାଇ ଦୁଇଟି ଜାତି କୌଣସି ଏକ ଭୂଖଣ୍ଡକୁ ଆପଣାର ବୋଲି ଦାବି କରୁଚନ୍ତି : ଏକପକ୍ଷର ଦାବିକୁ ଯଦି ଆମେ ଏକାବେଳକେ ଉଡ଼ାଇଦେବାକୁ ବସିବା, ତେବେ ସତ୍ୟକୁ ଆମେ ଅବଜ୍ଞା ଓ ଉପେକ୍ଷା କରିବା ବୋଲି କହିବାକୁ ହେବ । ଅନ୍ତତଃ ଇଉରୋପ କ୍ଷେତ୍ରରେ ଏପରି ଦାବିଗୁଡ଼ିକୁ ଆମକୁ ଆପେକ୍ଷିକ ମୂଲ୍ୟ ଦେବାକୁ ହିଁ ପଡ଼ିବ, କାରଣ ଆଗ ହେଉ ବା ପଛ ହେଉ, ଉଭୟ ଜାତି ବାହାରୁ ଏଦେଶକୁ ଆସିଚନ୍ତି ଏବଂ ସେହିଦିନଠାରୁ ଏହି ଦେଶରେ ବସବାସ କରି ରହିଚନ୍ତି ।

 

ଅର୍ଥନୀତିର ବାସ୍ତବ ସ୍ଥିତି ପ୍ରତି କୌଣସି ଦୃଷ୍ଟି ନରଖି ଦେଶଦେଶ ଭିତରେ ନୂଆ ସୀମା ଧାର୍ଯ୍ୟ କରି ଯଦି ଆମେ ଇଉରୋପର ପୁନର୍ଗଠନ କରିବାକୁ ଯିବା, ତେବେ ତଦ୍ଦ୍ଵାରା ମଧ୍ୟ ଆମେ ଇତିହାସକୁ ଅବଜ୍ଞା କଲୁ ବୋଲି କୁହାଯାଇ ପାରିବ । ଉଦାହରଣସ୍ଵରୂପ ଆମେ ଏପରି ଭାବରେ ଦେଶଗୁଡ଼ିକର ନୂତନ ସୀମା ନିର୍ଣ୍ଣୟ କରିଦେଲୁ ଯେ ଏହା ଦ୍ଵାରା କୌଣସି ଏକ ବନ୍ଦର ତା’ର ମାଲ ସଂଗ୍ରହ କରୁଥିବା ଭୂମିଠାରୁ ବିଚ୍ଛିନ୍ନ ହୋଇ ରହିଲା । ବା କଞ୍ଚାମାଲ ଉତ୍ପନ୍ନ କରୁଥିବା ଗୋଟିଏ ଅଞ୍ଚଳ ଓ ସେହି କଞ୍ଚାମାଲକୁ ଶିଳ୍ପଜାତ ଦ୍ରବ୍ୟରେ ପରିଣତ କରୁଥିବା ସନ୍ନିହିତ ଆଉ ଏକ ଅଞ୍ଚଳଭିତରେ ଆମେ ଏକ ପ୍ରତିବନ୍ଧକ ସୃଷ୍ଟି କରିଦେଲୁ । ଏହା ଫଳରେ ଆର୍ଥିକ ଦୃଷ୍ଟିରୁ କେବଳ ଅନ୍ୟ ଉପରେ ନିର୍ଭର କରୁଥିବା ଦେଶମାନଙ୍କର ସଂଖ୍ୟା ବଢ଼ାଇବା ହିଁ ସାର ହୁଏ ।

 

କୌଣସି ଜାତିକୁ ସେ ବାସ କରୁଥିବା ଭୂମିର ବା ଦେଶର ଅଧିକାରରୁ ଯେତେବେଳେ ବଞ୍ଚିତ କରାଯାଏ ଏବଂ ତାହାକୁ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ କରାଯାଏ, ସେତେବେଳେ ଐତିହାସିକ ଓ ମାନବିକ ଅଧିକାରର ସବୁଠାରୁ ବଳି ପ୍ରତ୍ୟକ୍ଷ ଅବଜ୍ଞା ଓ ଅବମାନନା କରାଯାଏ । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ରଣଜୟୀ ଶକ୍ତିମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ଦୁରବସ୍ଥାର ସମ୍ମୁଖୀନ ହେବାକୁ ବାଧ୍ୟ କରାଇଥିଲେ । ଏପରିକି ନୃଶଂସତମ ପରିସ୍ଥିତିମାନ ସୃଷ୍ଟି କରି ସେମାନେ ଆପଣାର ଏହି ଇଚ୍ଛାକୁ କାର୍ଯ୍ୟକାରୀ କରାଇଥିଲେ । ଆପଣାର କର୍ତ୍ତବ୍ୟ ବିଷୟରେ ଯେ ସେମାନେ କେତେ ଅସଚେତ ଥିଲେ, ଏକ ନ୍ୟାୟୋଜିତ ଓ ସମୃଦ୍ଧିମନ୍ତ ଭବିଷ୍ୟତ ଗଢ଼ିବାର ଉଦ୍ଦେଶ୍ୟ ରଖି ପୃଥିବୀକୁ ପୁନର୍ଗଠନ କରିବାଲାଗି ଯେ ସେମାନେ କେତେଦୂର ଅଯୋଗ୍ୟ ଥିଲେ, ଏହିଥିରୁ ତାହାର ପ୍ରମାଣ ମିଳିଥିଲା ।

 

ମୋଟା ମୋଟି ଗୋଟିଏ କଥାରେ ବର୍ତ୍ତମାନ ପରିସ୍ଥିତିର ଏହିପରି ବ୍ୟାଖ୍ୟା କରାଯାଇ ପାରିବ ଯେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମାପ୍ତ ହେବା ପରେ ପୃଥିବୀରେ କୌଣସିପ୍ରକାର ଶାନ୍ତିର ଚୁକ୍ତି ବା ସନ୍ଧି ହୋଇନାହିଁ । ଯେଉଁପ୍ରକାର ରାଜିନାମାମାନ ହୋଇ ବିଶ୍ଵଯୁଦ୍ଧ ସମାପ୍ତ ହେଲା, ସେଗୁଡ଼ିକୁ କେବଳ ଏକ ଅସ୍ଥାୟୀ ଯୁଦ୍ଧବିରତି ବୋଲି କହିବାକୁ ହେବ । ଆମ ପୃଥିବୀକୁ ପୁନର୍ଗଠିତ କରିବାର କୌଣସି ସନ୍ତୋଷଜନକ ନୀତିରେ ଆମେ ଏପର୍ଯ୍ୟନ୍ତ ଉପନୀତ ହୋଇ ନଥିବାରୁ ତାତ୍କାଳିକ ଆବଶ୍ୟକତାରୁ ଅନିବାର୍ଯ୍ୟ ହୋଇ ପଡ଼ୁଥିବା ଓ ଆମ ସମସ୍ୟାଗୁଡ଼ିକର କୌଣସିପ୍ରକାର ସ୍ଥାୟୀ ସମାଧାନ କରି ପାରୁନଥିବା କେବଳ ଅନିଶ୍ଚିତ ଯୁଦ୍ଧବିରତି ଓ ଅସ୍ଥାୟୀ ଚୁକ୍ତିରେ ହିଁ ଆମକୁ ସନ୍ତୁଷ୍ଟ ରହିବାକୁ ପଡ଼ୁଚି ।

 

ଏହାହିଁ ହେଉଚି ଆମ ପୃଥିବୀରେ ବର୍ତ୍ତମାନର ପରିସ୍ଥିତି । ଆଧୁନିକ ଜଗତରେ ଶାନ୍ତିର ସମସ୍ୟା ଠିକ୍ କେଉଁପରି ରୂପ ଧାରଣ କରିଚି, ବର୍ତ୍ତମାନ ତାହାହିଁ ବିଚାର କରି ଦେଖାଯାଉ । ବର୍ତ୍ତମାନ ପୃଥିବୀ ଏକ ସମ୍ପୂର୍ଣ୍ଣ ନୂତନ ପରିସ୍ଥିତି ମଧ୍ୟଦେଇ ଗତି କରୁଚି । ବିଗତ ଯେକୌଣସି କାଳର ପରିସ୍ଥିତିଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଧରଣର । ଆମେ ଯେଉଁ ଯୁଦ୍ଧର ସମ୍ଭାବନାକୁ ଆଜି ଏଡ଼ିବାକୁ ଇଚ୍ଛା କରୁଚୁ, ସେହି ଯୁଦ୍ଧ ମଧ୍ୟ ସମ୍ପୂର୍ଣ୍ଣ ନୂତନ ଧରଣର । ଆଧୁନିକ ଯୁଦ୍ଧରେ ଯେଉଁସବୁ ଅସ୍ତ୍ରର ପ୍ରୟୋଗ ହେଉଚି, ଧ୍ଵଂସକାରୀ ଶକ୍ତିର ପରିମାଣ ଦୃଷ୍ଟିରୁ ଦେଖିଲେ ଆଗେ ଯୁଦ୍ଧମାନଙ୍କରେ ବ୍ୟବହୃତ ହେଉଥିବା ଅସ୍ତ୍ରମାନ ଏହାର ପାସଙ୍ଗରେ ମଧ୍ୟ ପଡ଼ିବ ନାହିଁ । ଯୁଦ୍ଧ ମଧ୍ୟ ଆଜି ତା’ର ଅତୀତରେ ଆଉ କେବେ ଆମର ସମ୍ମୁଖରେ ଏଡ଼େବଡ଼ ପ୍ରମାଦ ରୂପେ ଦେଖାଦେଇ ନଥିଲା । ଆଗେ ଅନେକ ସମୟରେ ଯୁଦ୍ଧକୁ ଏକ ଆବଶ୍ୟକ ଅନିଷ୍ଟ ବୋଲି ମନେକରି ଆମେ ଏହାର ଆଶ୍ରୟ ଲୋଡ଼ୁଥିଲୁ, କାରଣ ଆଗେ ଯୁଦ୍ଧ ପ୍ରଗତିର ଏକ ପରିଚାରକ ପରି କାମ କରୁଥିଲା, ଏପରିକି ପ୍ରଗତି ପାଇଁ ଅପରିହାର୍ଯ୍ୟ ମଧ୍ୟ ଥିଲା । ଯୁଦ୍ଧହେତୁ ହିଁ ବଡ଼ ଓ ଅଧିକ ଶକ୍ତିଶାଳୀ ଜାତିମାନେ ଆପଣାର କମ୍ ଶକ୍ତିଶାଳୀ ପ୍ରତିବେଶୀମାନଙ୍କ ଉପରେ ବିଜୟ ହାସଲ କରିପାରୁଚନ୍ତି ଓ ଇତିହାସର ଗତିକୁ ନିୟନ୍ତ୍ରଣ କରିପାରୁଚନ୍ତି, ସେ ଯୁଗରେ ଅନେକ ଲୋକ ଏପରି ଯୁକ୍ତି ମଧ୍ୟ କରୁଥିଲେ ।

 

X X X X

 

ପୂର୍ବକାଳରେ ଯୁଦ୍ଧ ପ୍ରଗତିର ଶତ୍ରୁ ଥିଲା, ପ୍ରଗତିର ପ୍ରୋତ୍ସାହକ ମଧ୍ୟ ଥିଲା । କିନ୍ତୁ ଆଧୁନିକ ଯୁଦ୍ଧ ବର୍ତ୍ତମାନ ଏପରି ଏକ ସ୍ଥିତିରେ ଆସି ପହଞ୍ଚିଲାଣି ଯେ ଏହା କୌଣସି ପ୍ରକାରେ ପ୍ରଗତିର ସହାୟକ ହେଉଚି ବୋଲି କହିବାକୁ ଯେକୌଣସି ବ୍ୟକ୍ତି ଅବଶ୍ୟ ସଙ୍କୋଚ ବୋଧ କରିବ-। ବର୍ତ୍ତମାନର ଯୁଦ୍ଧକୁ କେବଳ ଏକ ଅନିଷ୍ଟ ବୋଲି କହିବାକୁ ହେବ ଏବଂ ଏହି ଅନିଷ୍ଟ ଯେ ପୂର୍ବକାଳର ଯେକୌଣସି ଅନିଷ୍ଟଠାରୁ ଅଧିକ ବ୍ୟାପକ ଓ ଅଧିକ କ୍ଷତିକାରକ, ଏହା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ।

 

ଏକଥା ସ୍ମରଣ ରଖିବା ଉଚିତ ଯେ ୧୯୧୪ ମସିହା ପୂର୍ବରୁ ଆଧୁନିକ ଯୁଦ୍ଧର ବିନାଶକାରୀ ଶକ୍ତିକୁ ପ୍ରଭୂତ ଭାବରେ ବୃଦ୍ଧି କରିବାକୁ ମନୁଷ୍ୟ ଜାତି ପକ୍ଷରେ କଲ୍ୟାଣଦାୟକ ବୋଲି ବିଚାର କରାଯାଉଥିଲା । ଯୁକ୍ତି ଦର୍ଶାଯାଉଥିଲା ଯେ ଏହା ଦ୍ଵାରା ଭବିଷ୍ୟତରେ କେଉଁଠି କୌଣସି ଦ୍ଵନ୍ଦ୍ଵ ବିବାଦ ଲାଗିଲେ ତାହାକୁ ପୂର୍ବ ଅପେକ୍ଷା ଅଧିକ ଶୀଘ୍ର ଦମନ କରାଯାଇ ପାରିବ ଏବଂ ତାହାରି ଫଳରେ ଏହିସବୁ ଯୁଦ୍ଧ ଅତି ଅଳ୍ପ ସମୟରେ ସମାପ୍ତ ହୋଇଯିବ । ଏହି ମତକୁ ସେତେବେଳେ ପ୍ରାୟ ସମସ୍ତେ ଠିକ୍ ବୋଲି ଗ୍ରହଣ କରି ନେଇଥିଲେ ।

 

ସମସ୍ତେ ଏକଥା ମଧ୍ୟ ଭାବୁଥିଲେ ଯେ ଭବିଷ୍ୟତରେ କୌଣସି ଦ୍ଵନ୍ଦ୍ଵ ବା ସଙ୍ଘର୍ଷ ଫଳରେ ଯେଉଁ କ୍ଷତି ହେବ, ତାହା ପୂର୍ବ ଅପେକ୍ଷା କମ୍ ପରିମାଣରେ ହେବ, କାରଣ ଯୁଦ୍ଧର ନିୟମାବଳୀ ଭିତରେ ମାନବିକତାର ଏକ ନୂତନ ଉପାଦାନକୁ ସଂଯୋଜିତ କରି ଦିଆଯିବ । ରେଡ଼୍‍କ୍ରସ୍ ଅନୁଷ୍ଠାନର ପ୍ରଚେଷ୍ଟାରେ ୧୮୬୪ ଖ୍ରୀଷ୍ଟାବ୍ଦରେ ଜେନିଭାଠାରେ ଯେଉଁସବୁ ରାଜିନାମା ହୋଇଥିଲା, ସେହିଗୁଡ଼ିକୁ ଭିତ୍ତିକରି ସମସ୍ତେ ଏପରି ଅନୁମାନ କରୁଥିଲେ, ଯୁଦ୍ଧଲିପ୍ତ ଦେଶମାନେ ପ୍ରତ୍ୟେକ ପକ୍ଷର ଆହତ ବ୍ୟକ୍ତିମାନଙ୍କର ଶୁଶ୍ରୂଷା କରିବେ, ଯୁଦ୍ଧବନ୍ଦୀମାନଙ୍କ ପ୍ରତି ମାନୁଷିକ ବ୍ୟବହାର ଦେଖାଇବେ, ଅସାମରିକ ଅଧିବାସୀମାନଙ୍କ ପ୍ରତି କୌଣସିପ୍ରକାର ବିପତ୍ତି ଘଟାଇବାରୁ ନିବୃତ୍ତ ରହିବେ, ସବୁ ଜାତି ମିଳି ଜେନିଭାଠାରେ ଏହିପରି ଏକ ଚୁକ୍ତିରେ ଆବଦ୍ଧ ହୋଇଥିଲେ । ଅବଶ୍ୟ ଏହି ଚୁକ୍ତିଦ୍ୱାରା ଅନେକ ଭଲ ଫଳ ଫଳିଥିଲା, ଗତ ନବେବର୍ଷ ଭିତରେ ସାମରିକ ତଥା ଅସାମରିକ ଲକ୍ଷ ଲକ୍ଷ ଲୋକ ଏହି ଚୁକ୍ତିଦ୍ୱାରା ଅନେକ ପରିମାଣରେ ଉପକୃତ ହୋଇଚନ୍ତି । କିନ୍ତୁ ଆଧୁନିକ ଯୁଗରେ ଉଦ୍ଭାବିତ ହୋଇଥିବା ମୃତ୍ୟୁ ଓ ବିକାଶର ସାଧନ ଦ୍ଵାରା ଯେଉଁ ଅକଳନୀୟ କ୍ଷତି ସଙ୍ଘଟିତ ହେଉଚି, ତାହା ତୁଳନାରେ ଏହିସବୁ ଉପକାର ସମୁଦ୍ର ପାଖରେ ଚଳେ ପାଣିପରି ହେବ । ବର୍ତ୍ତମାନର ପରିସ୍ଥିତିରେ ଯୁଦ୍ଧକୁ ‘ମାନୁଷିକ’ ସୀମଭିତରେ ଆବଦ୍ଧ କରି ରଖିବାର ପ୍ରଶ୍ନ ହିଁ ଉଠୁନାହିଁ ।

 

ଭବିଷ୍ୟତ ଯୁଦ୍ଧର ଅଳ୍ପକାଳସ୍ଥାୟିତା ଓ ଆପେକ୍ଷିକ ମାନୁଷକିତା ବିଷୟରେ ଆମର ଏପରି ଦୃଢ଼ ବିଶ୍ଵାସ ଥିଲା ଯେ ୧୯୧୪ ମସିହାର ଯୁଦ୍ଧ ଲାଗିବାପରେ ସେ ବିଷୟରେ କେହି ଯଥେଷ୍ଟ ଗୁରୁତ୍ଵ ଦେଇ ବିଚାର କରିନଥିଲେ । ଏହି ଯୁଦ୍ଧ ଗୋଟାଏ ସାମାନ୍ୟ ଝଡ଼ମାତ୍ର, ଏହି ଝଡ଼ କିଛି ସମୟ ପର୍ଯ୍ୟନ୍ତ ବହିଯିବାପରେ ପୃଥିବୀର ରାଜନୀତିକ ବାୟୁମଣ୍ଡଳ ପୁଣି ପରିଷ୍କାର ହୋଇଯିବ, ଏହାଦ୍ୱାରା ଇଉରୋପର ପ୍ରତ୍ୟେକ ଦେଶକୁ ଧ୍ଵଂସପଥରେ ଟାଣିନେଇଥିବା ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତାର ଅବସାନ ଘଟିବ,–ସମସ୍ତ ସେତେବେଳେ ଏହିପରି ବିଚାର କରୁଥିଲେ ।

 

ଏହି ଯୁଦ୍ଧକୁ ଅନେକ ଭାରି ହାଲୁକା ଭାବରେ ଗ୍ରହଣ କରିଥିଲେ । ଏହି ଯୁଦ୍ଧ ଦ୍ଵାରା ସେମାନଙ୍କର ଅନେକ ଲାଭ ହେବ, ଏଥିଯୋଗୁ ଅନେକେ ଯୁଦ୍ଧକୁ ସ୍ଵାଗତ ମଧ୍ୟ ଜଣାଇଥିଲେ । ଅନ୍ୟମାନେ ଆଉ ଟିକିଏ ଗମ୍ଭୀର ହୋଇ ଏହାକୁ ଗ୍ରହଣ କରିଥିଲେ । ସେମାନେ କହିଲେ, ଏଇଟା ହେଉଚି ଶେଷ ଯୁଦ୍ଧ, ଏହି ଯୁଦ୍ଧ ଭବିଷ୍ୟତର ସକଳ ଯୁଦ୍ଧର ଅବସାନ ଘଟାଇବ । ଭବିଷ୍ୟତର ପୃଥିବୀରେ ଯୁଦ୍ଧ କେବଳ ଏକ ଅତୀତର ବିଷୟ ହୋଇ ରହିବ, ଏହିପରି ଏକ ଦୃଢ଼ବିଶ୍ଵାସ ଦ୍ଵାରା ପରିଚାଳିତ ହୋଇ ଅନେକ ଭଲ ମଣିଷ ମଧ୍ୟ ଯୁଦ୍ଧ ଲଢ଼ିବାକୁ ଯାଇଥିଲେ ।

 

କିନ୍ତୁ ବାସ୍ତବ ପରିଣାମରେ (ପୁଣିଥରେ ୧୯୩୯-୪୫ରେ) ଏହି ଦୁଇଟିଯାକ ଅନୁମାନ ସମ୍ପୂର୍ଣ୍ଣ ଭ୍ରାନ୍ତ ବୋଲି ସିଦ୍ଧ ହୋଇଗଲା । ଏକାଧିକ ବର୍ଷଧରି ଯୁଦ୍ଧ ଓ ଧ୍ଵଂସଲୀଳା ଚାଲିଲା, ଯୁଦ୍ଧର ରୀତି ଅମାନୁଷିକତାର ଶେଷ ସୀମାକୁ ଅତିକ୍ରମ କରିଗଲା । ୧୮୭୦ ମସିହାର ଯୁଦ୍ଧ ଭଳି ଏହା କେବଳ ଦୁଇଟି ଦେଶ ମଧ୍ୟରେ ହୋଇ ନଥିଲା, ମାତ୍ର ଦୁଇ ଜାତିଗୋଷ୍ଠୀ ଭିତରେ ହୋଇଥିଲା । ଫଳତଃ ସଂସାରର ଅଧିକ ସଂଖ୍ୟକ ଜନସଂଖ୍ୟା ଏଥିରେ ଲିପ୍ତ ହୋଇ ପଡ଼ିଥିଲେ ଏବଂ ପାପର ବିଜୟ ପୂର୍ବର ସମସ୍ତ ସୀମାରୁ ବଳି ପଡ଼ିଥିଲା ।

 

ଆଧୁନିକ ଯୁଦ୍ଧରେ ନିହିତ ଥିବା ଭୟାବହ ପାପ ବିଷୟରେ ଆମେ ସମସ୍ତେ ଅବଗତ ହୋଇ ସାରିଲୁଣି । ଯେପରି ଏହି ଯୁଦ୍ଧ ପୃଥିବୀରେ ଆଉଥରେ ନ ଲାଗିବ, ଏଥିପ୍ରତି ସମସ୍ତପ୍ରକାର ସତର୍କତା ଅବଲମ୍ବନ କରିବା ଆମର କର୍ତ୍ତବ୍ୟ । ସର୍ବପ୍ରଥମେ ଆମକୁ ଏହିପରି ଏକ ନିଷ୍ପତ୍ତିକୁ ନୀତିମୂଳ ମୂଲ୍ୟର ଭିତ୍ତିଉପରେ ପର୍ଯ୍ୟବସିତ କରିବାକୁ ପଡ଼ିବ ! ଗତ ଦୁଇଟି ମହାଯୁଦ୍ଧରେ ଲିପ୍ତ ରହି ଅମାନୁଷିକତାର ନାନାବିଧ ପାପୋନ୍ମତ୍ତ କାଣ୍ଡ ଘଟାଇବାର ଅପରାଧରେ ଆମେ ସମସ୍ତେ ଅପରାଧୀ ହୋଇଚୁ । ଭବିଷ୍ୟତରେ ପୁଣି ଥରେ ଯୁଦ୍ଧ ଲାଗିଲେ ଆମେ ଆହୁରି ଭୟଙ୍କର କାଣ୍ଡମାନ ଘଟାଇବାକୁ ପ୍ରସ୍ତୁତ ହେଉଚୁ । ଏହାକୁ ବନ୍ଦ କରିବାକୁ ହେବ ।

 

ଚାଲ ଆମେ ସମସ୍ତେ ସତ୍ୟର ସମ୍ମୁଖୀନ ହେବା । ମାନବର ଶକ୍ତି ଆଜି ଅନେକ ବୃଦ୍ଧି ପାଇଚି, ମାନବ ଆଜି ଅତିମାନବ ହେବାକୁ ବସିଲାଣି । ଖାଲି ଭୌତିକ ଶକ୍ତିଗୁଡ଼ିକୁ ସେ ଆପଣାର ଆୟତ୍ତରେ ରଖିପାରିଚି ବୋଲି ଯେ ତାକୁ ଆମେ ଅତିମାନବ କହିବା ତା’ନୁହେଁ, କିନ୍ତୁ ବିଜ୍ଞାନ ଓ ଯନ୍ତ୍ରକୌଶଳର ବିକାଶ ଫଳରେ ସେ ପ୍ରକୃତିର ଅନ୍ତର୍ନିହିତ ଶକ୍ତିଗୁଡ଼ିକୁ ମଧ୍ୟ ଆପଣାର ଆୟତ୍ତକୁ ଆଣି ପାରିଚି ଓ ଇଚ୍ଛାକଲେ ସେଗୁଡ଼ିକୁ ଆପଣାର ବ୍ୟବହାରରେ ଲଗାଇବାର ଶକ୍ତି ମଧ୍ୟ ଅର୍ଜନ କରିଚି । ଆଗେ ମଣିଷ କେବଳ ଦୂରରେ ରହି ଆପଣାର ଶାରୀରିକ ଶକ୍ତିର ପ୍ରୟୋଗ କରି ଆପଣା ଧନୁର ବ୍ୟବହାର କରିପାରୁଥିଲା, ଧନୁରେ ଟଙ୍କାର ଦେଇ ସେ ଆପଣାର ଶକ୍ତିକୁ ତୀର ଭିତରେ ସଞ୍ଚାରିତ କରି ଆଣୁଥିଲା । କିନ୍ତୁ ଆଜି ଅତିମାନବ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଅସ୍ତ୍ରମାନ ପ୍ରୟୋଗ କରିବାର ଉପାୟ ଉଦ୍ଭାବନ କରି ସାରିଲାଣି, ବିଭିନ୍ନ ରାସାୟନିକ ଉପାଦାନର ମିଶ୍ରିତ ପ୍ରତିକ୍ରିୟା ଦ୍ଵାରା ସେ ଶକ୍ତି-ଉତ୍ପାଦନ କରିବାର ଉପାୟ ବାହାର କଲାଣି । ଏହା ଫଳରେ ସେ ଅନେକ ଗୁଣ ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ରମାନ ବ୍ୟବହାର କରି ଜାଣିଲାଣି, ଏଗୁଡ଼ିକୁ ଅନେକ ଅଧିକ ଦୂରକୁ ଉତ୍‍କ୍ଷିପ୍ତ କରିପାରିବାର ସାମର୍ଥ୍ୟ ଅର୍ଜନ କଲାଣି ।

 

କିନ୍ତୁ ଯେଡ଼େ ଶକ୍ତିଶାଳୀ ହେଲେ ମଧ୍ୟ ଏହି ଅତିମାନବ ଏକ ଅତି ମାରାତ୍ମକ ମାନସିକ ଅପୂର୍ଣ୍ଣତା ଦ୍ଵାରା ପୀଡ଼ିତ ହୋଇପଡ଼ିଚି । ଅତିମାନବ ଶକ୍ତିସମୂହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେ ଆପଣାକୁ ତଦୁପଯୁକ୍ତ ଅତିମାନବ ବିଚାରର ସ୍ତରକୁ ଉନ୍ନୀତ କରି ପାରିନାହିଁ । କିନ୍ତୁ ତା’ର ଅତୁଳ ଓ ଅକଳନୀୟ ଶକ୍ତିକୁ ଧ୍ଵଂସ ଓ ମରଣମାର୍ଗରେ ବ୍ୟବହାର ନ କରି ସୁବିବେଚିତ କଲ୍ୟାଣକାରୀ ଉଦ୍ଦେଶ୍ୟରେ ଲଗାଇ ପାରିବା ଲାଗି ମନୁଷ୍ୟର ଏହି ବିଚାରହିଁ ସବୁଠାରୁ ଅଧିକ ଆବଶ୍ୟକ । ଏହି କାରଣରୁ ବିଜ୍ଞାନର ଅଗ୍ରଗତି ଆଜି ମନୁଷ୍ୟ ପକ୍ଷରେ କଲ୍ୟାଣଦାୟକ ହେବା ପରିବର୍ତ୍ତରେ ମନୁଷ୍ୟର ବିନାଶର ହେତୁ ହେବାକୁ ବସିଚି ।

 

ଆକାଶ ମାର୍ଗରେ ବିଜୟକୁ ମନୁଷ୍ୟଜାତିର ସମୃଦ୍ଧି ପକ୍ଷରେ ଏକ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇ ପାରିବ । କିନ୍ତୁ ଏହାକୁ ମଣିଷ ଗଗନମାର୍ଗରେ ଥାଇ ହତ୍ୟା ଓ ବିନାଶସାଧନ କରିବାର ଏକ ସୁବିଧାଜନକ ଉପାୟ ହିସାବରେ ଗ୍ରହଣ କରିଚି । ଏହି ଉଦ୍ଭାବନ ଫଳରେ ଆଗରୁ ଅସ୍ଵୀକାର କରି ଆସୁଥିବା ଏକ ସତ୍ୟକୁ ଆମେ ସ୍ଵୀକାର କରିବାକୁ ବାଧ୍ୟ ହୋଇଚୁ : ତାହା ହେଉଚି ଯେ ମନୁଷ୍ୟର ଶକ୍ତି ବଢ଼ିବା ଦ୍ଵାରା ମନୁଷ୍ୟ ଅଧିକ ଲାଭବାନ୍‍ ହେବା ପରିବର୍ତ୍ତରେ ଅଧିକ ଦୈନ୍ୟଗ୍ରସ୍ତ ହୋଇପଡ଼ିଚି । ଗଗନମାର୍ଗରୁ ପ୍ରେରିତ ବିନାଶମୁଖରୁ ଆପଣାକୁ ବଞ୍ଚାଇ ରଖିବାକୁ ହେଲେ ମନୁଷ୍ୟକୁ ଜଗତର ପଶୁମାନଙ୍କ ପରି ଲୁଚିକରି ରହିବାକୁ ପଡ଼ିବ ଏବଂ ତହିଁ ସଙ୍ଗେସଙ୍ଗେ ସାଂସ୍କୃତିକ ମୂଲ୍ୟଗୁଡ଼ିକର ଏକ ଅଭୂତପୂର୍ବ ଅଧୋପତନ ଲାଗି ମଧ୍ୟ ତାକୁ ବାଟ ଛାଡ଼ିଦେବାକୁ ପଡ଼ିବ ।

 

ପରମାଣୁର ବିଭାଜନଦ୍ଵାରା ଉତ୍ପନ୍ନ ହେଉଥିବା ପ୍ରଚଣ୍ଡ ଶକ୍ତିର ଯେ ନାନାଭାବରେ ପ୍ରୟୋଗ କରାଯାଇ ପାରିବ, ଏହି ସତ୍ୟର ଆବିଷ୍କାର କରି ମନୁଷ୍ୟ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶକଲା । ଏହି ପ୍ରଣାଳୀରେ ପ୍ରସ୍ତୁତ ହେଉଥିବା ବୋମାର ଧ୍ଵଂସକାରୀ ଶକ୍ତି ଯେ ଅକଳନୀୟ ପରିମାଣରେ ବଢ଼ିଯାଇ ପାରିବ, ଏହି ବୋମାକୁ ନେଇ ବଡ଼ ଧରଣର ପ୍ରୟୋଗମାନ ଆରମ୍ଭ କରିଦେଲେ ଯେ ଏକ ସାଂଘାତିକ ପରିସ୍ଥିତିର ସୃଷ୍ଟି ହେବ ଏବଂ ଏହାଦ୍ୱାରା ଏହି ସଂସାରରେ ଜୀବନଧାରଣ କରି ରହିବା ଯେ ମନୁଷ୍ୟ ପକ୍ଷରେ ଅତି ବିପଜ୍ଜନକ ହୋଇପଡ଼ିବ, ଏହା ଜାଣିବାକୁ ମଣିଷକୁ ଆଦୌ ବେଶୀ ସମୟ ଲାଗିଲାନାହିଁ । ଆମର ବର୍ତ୍ତମାନ ସ୍ଥିତି ପ୍ରକୃତରେ କେଡ଼େ ଭୟଙ୍କର, ଆମେ ଏବେ ତାହା ହୃଦୟଙ୍ଗମ କରିବାକୁ ଆରମ୍ଭ କରୁଚୁ । ମନୁଷ୍ୟ-ଜାତିର ଭବିଷ୍ୟତ ବିଷୟରେ ଏହି ଜୀବନମରଣ ସମସ୍ୟାକୁ ଆମେ କଦାପି ଏଡ଼ି ଚାଲିଯାଇ ପାରିବାନାହିଁ ।

 

କିନ୍ତୁ ଆମକୁ ଏହି ଅସଲ କଥାଟି ବୁଝିବାକୁ ହେବ (ଅନେକ ପୂର୍ବରୁ ଆମର ଏହା ବୁଝିବା ଉଚିତ ଥିଲା । ) ଯେ ଅମାନୁଷିକତା ଏବଂ ଅତିମାନବ ଅତି ଅଭିଭାଜ୍ୟ ଭାବରେ ପରସ୍ପର ସହିତ ସଂଲଗ୍ନ ହୋଇ ରହିଚନ୍ତି । ଗୋଟିଏ ଅପରଟି ସହିତ ତାଳକୁ ତାଳ ମିଳାଇ ଆଗକୁ ବଢ଼ିବାରେ ଲାଗିଚି ! ପରମାଣୁ ବୋମା ପକାଇ ଗୋଟାଏ ଗୋଟାଏ ସହର ଏବଂ ତା’ର ଅଧିବାସୀମାନଙ୍କୁ ନିର୍ମୂଳ କରିଦେବା ଆମର ଦେହସୁହା ହୋଇଗଲାପରି ଯୁଦ୍ଧ ସମୟରେ ଶତ ଓ ସହସ୍ର ସଂଖ୍ୟାରେ ମଣିଷ ମାରିବା ଆମର ଦେହସୁହା ହୋଇଗଲାଣି,–ଦ୍ଵିତୀୟ ବିଶ୍ଵଯୁଦ୍ଧରେ ପ୍ରାୟ ଦୁଇଶହ ଲକ୍ଷ ଲୋକଙ୍କର ଜୀବନନାଶ ହୋଇଚି । ଯୁଦ୍ଧରେ ନିଆଁହୁଳା ପ୍ରୟୋଗ କରି ମଣିଷକୁ ଗୋଟାସୁଦ୍ଧା ଜଳାଇ ମାରିବା ମଧ୍ୟ ଆମର ଦେହସୁହା ହୋଇଗଲାଣି । ଖବରକାଗଜ ପଢ଼ି ଆମେ ଏହିସବୁ ବିଷୟରେ ଜାଣିବାକୁ ପାଉ । ଆମେ ଯେଉଁ ଜାତିଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇଚୁ, ଏହିସବୁ ଅସ୍ତ୍ରଦ୍ଵାରା ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅଧିକ ଶକ୍ତିଶାଳୀ ହେବ ନା ଅପରଗୋଷ୍ଠୀ ଅର୍ଥାତ୍ ଶତ୍ରୁଗୋଷ୍ଠୀ ଅଧିକ ଶକ୍ତିଶାଳୀ ହେବ, ଏହି ତରାଜୁରେ ତଉଲି ଆମେ ସେହି ସବୁର ବିଚାର କରୁଚୁ । ଆମର ଅମାନୁଷିକତାର ପ୍ରତ୍ୟକ୍ଷ ପରିଣାମସ୍ଵରୂପ ହିଁ ଏହିସବୁ ଅସ୍ତ୍ରର ଉଦ୍ଭାବନ ହେଉଚି, ହୁଏତ ଆମେ ଏକଥା ସ୍ଵୀକାର କରୁଚୁ । କିନ୍ତୁ ତହିଁ ସଙ୍ଗେସଙ୍ଗେ ‘ଯୁଦ୍ଧ ହେଉଚି ଯୁଦ୍ଧ’ ଏବଂ ଏସବୁ ବିଷୟରେ ଆଉ କିଛି କରିହେବ ନାହିଁ, ଏହା ଭାବି ଆମେ ଆମର ମନକୁ ବୁଝାଇ ରଖିଚୁ । ଏହିପରି ଭାବରେ ବିନା ପ୍ରତିରୋଧରେ ଆମେ ଅମାନୁଷିକତାକୁ ବାଟ ଛାଡ଼ିଦେଉଚୁ ଏବଂ ତଦ୍ଦ୍ୱାରା ଆମେ ନିଜକୁ ମଧ୍ୟ ଅମାନୁଷିକତାର ଅପରାଧରେ ଅପରାଧୀ କରାଉଚୁ ।

 

ଆମେ ସମସ୍ତେ ଆଜି ଅମାନୁଷିକତାର ଅପରାଧରେ ଅପରାଧୀ, ଏହି କଥା ସ୍ଵୀକାର କରିବା ବର୍ତ୍ତମାନ ସବୁଠାରୁ ଅଧିକ ଜରୁରୀ କଥା । ଏହି ଅପରାଧକୁ ସ୍ଵୀକାର କରିବା ପରେ ଆମେ ଆପଣାର ମନଭିତରେ ଯେଉଁ ଆତଙ୍କ ଅନୁଭବ କରିବା, ସେହି ଆତଙ୍କ ହିଁ ଆମ ପ୍ରତ୍ୟେକଙ୍କ ଭିତରୁ ସମସ୍ତ ଜଡ଼ତା ଦୂର କରିଦେବ । ଆମେ ସମସ୍ତେ ନୂତନ ଆଶା ପୋଷଣ କରି ଆମର ସମସ୍ତ ଶକ୍ତି ଦେଇ ଏପରି ଏକ ଯୁଗର ଆଗମନ ଲାଗି ତତ୍ପର ହୋଇ ଲାଗିପଡ଼ିବା, ଯେଉଁ ଯୁଗରେ କି ଯୁଦ୍ଧର କୌଣସି ଅସ୍ତିତ୍ଵ ମଧ୍ୟ ରହିବନାହିଁ ।

 

ଏହି ଆଶା ଓ ଏହି ସଂକଳ୍ପର କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ରହିବ, –ହୃଦୟର ପରିବର୍ତ୍ତନ ଘଟାଇ ଆମେ ଉଚ୍ଚତର ବିବେଚନାବୁଦ୍ଧିର ଏକ ଜୀବନଭୂମିରେ ଉପନୀତ ହେବା ଏବଂ ବର୍ତ୍ତମାନ ଆମହାତରେ ରହିଥିବା ବୃହତ୍ ଶକ୍ତିକୁ ଆମେ କଦାପି ପାପ ଓ ବିନାଶଲାଗି ପ୍ରୟୋଗ କରିବାନାହିଁ ।

 

ରଟର୍‍ଡାମ୍‍ର ଏରାସ୍‍ମୁସ୍ ହିଁ ୧୫୧୭ ଖ୍ରୀଷ୍ଟାବ୍ଦରେ ତାଙ୍କର “Querella Pacis” ପୁସ୍ତକରେ ସମ୍ପୂର୍ଣ୍ଣ ନୀତିମୂଳ ଯୁକ୍ତିମାନ ଦର୍ଶାଇ ଯୁଦ୍ଧର ବିରୋଧ କରିବାକୁ ସାହସୀ ହୋଇଥିଲେ ଏବଂ ମନୁଷ୍ୟର କଲ୍ୟାଣେଚ୍ଛାରୁ ପ୍ରସୂତ ଏକ ଉଚ୍ଚତର ଓ ମହତ୍ତର ଜୀବନମାନ ନିର୍ମାଣ କରିବାଲାଗି ଆହ୍ଵାନ ଦେଇଥିଲେ । ‘ଶାନ୍ତି’ ସଂସାରକୁ ଆସି ତା’ର କଥା ଶୁଣିବାଲାଗି ଏକ ଶ୍ରୋତୃମଣ୍ଡଳୀ ଖୋଜିବୁଲୁଚି ଏବଂ ଏଥିପାଇଁ ତାକୁ କି ଦୟନୀୟ ଅବସ୍ଥାରେ ପଡ଼ିବାକୁ ହେଉଚି, ଉକ୍ତ ଗ୍ରନ୍ଥରେ ଏରାସ୍‍ମୁସ୍ ତାହାରି ବର୍ଣ୍ଣନା କରିଚନ୍ତି ।

 

ଏରାସ୍‍ମୁସ୍‍ଙ୍କ ଅନ୍ତେ ତାଙ୍କର ସମର୍ଥନକାରୀ ବେଶୀ କେହି ବାହାରି ନଥିଲେ । ନୀତିମୟ ଜୀବନର ଆବଶ୍ୟକତାକୁ ସ୍ଵୀକାର କରିବାଦ୍ଵାରା ଯେ ସଂସାରରେ ଶାନ୍ତି ସମ୍ଭବ ହୋଇପାରିବ, ଏହି ବିଚାରକୁ ସମସ୍ତେ କାଳ୍ପନିକ ଓ ଅବାସ୍ତବ ବୋଲି କହି ଉଡ଼ାଇ ଦେଇଥିଲେ । କାଣ୍ଟ୍ ଦ୍ଵିତୀୟଥର ପାଇଁ ଏହି ମତର ଘୋଷଣା କଲେ । ୧୭୯୫ ମସିହାରେ ପ୍ରକାଶିତ ‘ସ୍ଥାୟୀ ଶାନ୍ତି’ ନାମକ ତାଙ୍କର ଏକ ପ୍ରବନ୍ଧରେ ଏବଂ ଏହି ସମ୍ବନ୍ଧୀୟ ଆହୁରି କେତେକ ରଚନାରେ ସେ ଘୋଷଣା କରିଚନ୍ତି ଯେ ଆନ୍ତର୍ଜାତିକ ବିବାଦର ମୀମାଂସା କରିବାକୁ ଏକ ବିଚାରାଳୟ ସ୍ଥାପନା କରିବାଲାଗି ଆନ୍ତର୍ଜାତିକ ନିୟମ ଯେଉଁଦିନ ଯଥେଷ୍ଟ ଶକ୍ତିଶାଳୀ ହୋଇପାରିବ, ବିବାଦମାନ ଦୁଇ ବା ତତୋଽଧିକ ଜାତି ଯେଉଁଦିନ ଏହି ବିଚାରାଳୟର ନିଷ୍ପତ୍ତିମାନ ଗ୍ରହଣ କରିବାକୁ ବାଧ୍ୟ ହେବେ, ସେହିଦିନ ଯାଇ ସଂସାରରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ । ଆନ୍ତର୍ଜାତିକ ବିଧାନକୁ ମନୁଷ୍ୟଜାତି ଯେଉଁ ଅଧିକରୁ ଅଧିକ ସମ୍ମାନ ଦେଇ ଶିଖିବ (ସମ୍ପୂର୍ଣ୍ଣ ବାସ୍ତବ ପ୍ରୟୋଜନଦ୍ଵାରା ପ୍ରଣୋଦିତ ହୋଇ,) କାଣ୍ଟଙ୍କର ମତରେ ସେହି ସମ୍ମାନ ଉପରେ ହିଁ ଆନ୍ତର୍ଜାତିକ ବିଧାନର କର୍ତ୍ତୃତ୍ଵ ପର୍ଯ୍ୟବସିତ ରହିବ । ଏକ ଜାତିସଙ୍ଘର ମୂଳଭିତ୍ତି ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ଏହା ସପକ୍ଷରେ କୌଣସିପ୍ରକାର ନୀତିଶାସ୍ତ୍ରଗତ ଯୁକ୍ତି ଦର୍ଶିତ ହେବା ଉଚିତ ନୁହେଁ ବୋଲି ସେ ଖୁବ୍ ଜୋରଦେଇ କହିଚନ୍ତି । ଆନ୍ତର୍ଜାତିକ ବିଧାନ ଓ ଶୃଙ୍ଖଳା କାଳକ୍ରମେ ପରିଣତି ଲାଭକରି ଏକ ଆଦର୍ଶ ସ୍ତରରେ ଉପନୀତ ହେବା ସଙ୍ଗେ ସଙ୍ଗେ ଅତି ସ୍ଵାଭାବିକ ଭାବରେ ଏହା ଜାତିସଙ୍ଘଲାଗି ମୂଳଦୁଆ ପକାଇଦେବ । ତାଙ୍କର ମତରେ ‘ମହାନ୍ କଳାକାର-ପ୍ରକୃତି’ ହିଁ ମଣିଷକୁ କ୍ରମେ ତିଆରି କରିନେବ,–ଅବଶ୍ୟ ଅତି ମନ୍ଥର ଗତିରେ ଓ ଯୁଗଯୁଗ ବ୍ୟାପୀ ଏହି ପ୍ରକ୍ରିୟା ଚାଲିବ,–ଶେଷରେ ଦିନ ଆସିବ ଯେତେବେଳେ ଇତିହାସର ପ୍ରଗତି ଏବଂ ଯୁଦ୍ଧବିଗ୍ରହର ଭୟଙ୍କର ଆଗ୍ରହ ଏକାଠି ହୋଇ ଆମ ଉପରେ ପ୍ରଭାବ ପକାଇବେ ଏବଂ ସ୍ଥାୟୀ ଶାନ୍ତିର ସୁନିଶ୍ଚିତ ସ୍ଥାପନାଲାଗି ଏକ ଆନ୍ତର୍ଜାତିକ ରାଜିନାମାରେ ଆବଦ୍ଧ ହେବାକୁ ଆମ ସମସ୍ତଙ୍କୁ ପ୍ରବର୍ତ୍ତାଇ ପାରିବେ ।

 

ଆନ୍ତର୍ଜାତିକ ଅନୁଷ୍ଠାନର ଆବଶ୍ୟକତା ଓ ଫଳଦାୟିତା କଳନା କରିପାରିବାଲାଗି ଆଜି ଆମର ଅନେକ ଅନେକ ଅଭିଜ୍ଞତା ହୋଇଗଲାଣି । ଜାତିସଙ୍ଘ ଓ ସଂଯୁକ୍ତ ରାଷ୍ଟ୍ରସଙ୍ଗଠନର ଇତିହାସରୁ ଅନେକ କିଛି ଶିକ୍ଷା କରିପାରୁଚୁ । କୌଣସି ବିବାଦ ଉବ୍ବୁ ହେବାମାତ୍ରକେ ମିଳାମିଶା କରାଇଦେବାର ପ୍ରସ୍ତାବ ଦେଇ; ନାନା ଅନ୍ତର୍ଜାତିକ କଲ୍ୟାଣକାର୍ଯ୍ୟ ଲାଗି ପ୍ରଥମେ ତତ୍ପରତା ଦେଖାଇ ଏବଂ ପରିସ୍ଥିତି ଅନୁସାରେ ଆହୁରି ନାନାପ୍ରକାର କାର୍ଯ୍ୟ କରି ଏହି ଆନ୍ତର୍ଜାତିକ ଅନୁଷ୍ଠାନମାନ ଆମର ପ୍ରଭୂତ ସେବା କରିପାରିବେ । ଯୁଦ୍ଧହେତୁ ନାଗରିକତା ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ୧୯୨୨ ମସିହାରେ ପୃଥିବୀର ସବୁଆଡ଼େ ସ୍ଵୀକୃତ ନାନସେନ୍‍-ପାସପୋର୍ଟର ପ୍ରଚଳନକୁ ଜାତିସଙ୍ଘ ସାଧନ କରିଥିବା ବଡ଼ ବଡ଼ କାମଭିତରୁ ଗୋଟିଏ ବୋଲି କୁହାଯାଇ ପାରିବ-। ପୁଣି ସଂଯୁକ୍ତ ରାଷ୍ଟ୍ରସଙ୍ଘ ନଥିଲେ ୧୯୪୫ ମସିହାରେ ବାସଚ୍ୟୁତ ବ୍ୟକ୍ତିମାନଙ୍କୁ କି ଦଶା ଭୋଗ କରିବାକୁ ପଡ଼ି ନଥାନ୍ତା !

 

ତଥାପି ଏହି ଦୁଇଟିଯାକ ଅନୁଷ୍ଠାନ ଶାନ୍ତିର ଏକ ସାଧାରଣ ଅବସ୍ଥା ସୃଷ୍ଟି କରିବାରେ ସଫଳକାମ ହୋଇପାରି ନାହାନ୍ତି । ବିଫଳ ହେବା ବ୍ୟତୀତ ସେମାନଙ୍କର ଅନ୍ୟଗତି ନଥିଲା, କାରଣ ଯେଉଁପରି ପୃଥିବୀରେ ସେଗୁଡ଼ିକ ଆପଣାର କାର୍ଯ୍ୟ କରୁଥିଲେ, ସେହି ପୃଥିବୀ ଏହିପରି ଏକ ଶାନ୍ତିର ପ୍ରତିଷ୍ଠାଲାଗି ଆଦୌ ବ୍ୟାକୁଳ ନଥିଲା । ପୁଣି କେବଳ ବୈଧାନିକ ସଙ୍ଗଠନମାନ ହୋଇଥିବାରୁ ଶାନ୍ତିପାଇଁ ଅନୁକୂଳ ମାନସିକ ବାତାବରଣ ସୃଷ୍ଟି କରିବାଲାଗି ସେମାନଙ୍କ ପାଖରେ କୌଣସି କ୍ଷମତା ନଥିଲା । କେବଳ ନୀତିମାର୍ଗ ଓ ନୈତିକ ଜୀବନରେ ହିଁ ଏହି କ୍ଷମତା ରହିଚି । ତାଙ୍କର କଳ୍ପିତ ଶାନ୍ତିକୁ କାର୍ଯ୍ୟକାରୀ କରିବାଲାଗି ନୈତିକମାର୍ଗର ଆବଶ୍ୟକତା ନାହିଁ ବୋଲି କହି କାଣ୍ଟ୍ ଭୁଲ୍‍କଥା କହିଥିଲେ । ସେ ଯେଉଁ ବାଟରେ ପାଦ ପକାଇବାକୁ ସାହସ କରିନଥିଲେ, ଆଜି ଆମକୁ ସେହିବାଟରେ ହିଁ ଅଗ୍ରସର ହେବାକୁ ପଡ଼ିବ ।

 

ଶାନ୍ତିର କ୍ରମବିକାଶ ଲାଗି କାଣ୍ଟ୍ ଯେଉଁ ଦୀର୍ଘ ସମୟର ଯୋଜନା କରିଥିଲେ, ଏତେ ସମୟ ଦେବାଲାଗି ମଧ୍ୟ ଆମର ଜୁ’ ନାହିଁ । ଆମ ଯୁଗରେ ଯେ ଯୁଦ୍ଧ ଏପରି ଭୟାବହ ପ୍ରକୃତି ଧାରଣ କରିବ, ତାହା କାଣ୍ଟ୍ କଳ୍ପନା କରିନଥିଲେ । ଏ ଯୁଗର ଯୁଦ୍ଧ ହେଉଚି ସମୂହ-ବିନାଶ ସମୂହ-ବିଲୋପର ଯୁଦ୍ଧ । ତେଣୁ ଶାନ୍ତିର ପ୍ରତିଷ୍ଠା କରିବାକୁ ହେଲେ ଆମକୁ ସ୍ଥିର ନିଶ୍ଚିନ୍ତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଆମକୁ ଯୁଗାନ୍ତକାରୀ ସଫଳତାମାନ ହାସଲ କରିବାକୁ ପଡ଼ିବ ଏବଂ ଯଥାଶୀଘ୍ର ହାସଲ କରିବାକୁ ପଡ଼ିବ । କେବଳ ମଣିଷର ଆତ୍ମା ହିଁ ଏହା ସାଧନ କରିପାରିବ ।

 

ମାତ୍ର ମନୁଷ୍ୟଠାରେ ଆମର ଯାହା ଅବଶ୍ୟ ଆଶା କରିବାର କଥା, ଆଜିର ଦୁର୍ଦ୍ଦିନରେ ମନୁଷ୍ୟ ତାହା କରିବାକୁ କ’ଣ ପ୍ରକୃତରେ ସମର୍ଥ ହୋଇପାରିବ ?

 

ମନୁଷ୍ୟର ଶକ୍ତିକୁ ଆମେ ଊଣାକରି ଦେଖିବା ନାହିଁ । ମାନବିକ ଇତିହାସର ପୃଷ୍ଠାରେ ଏହି ଶକ୍ତି ଆପଣାକୁ ପ୍ରକାଶିତ କରିଆସିଚି । ଏକ ଉଚ୍ଚତର ଜୀବନମାର୍ଗର ଅଭିମୁଖରେ ଆମକୁ ଅନୁଧାବିତ କରିନେବାର ମୂଳରେ ଯେଉଁ ମାନବିକତାର ପ୍ରେରଣା ନିହିତ ହୋଇ ରହିଚି, ସେହି ମାନବିକତାକୁ ଆମେ ମନୁଷ୍ୟମନର ଶକ୍ତିରୁ ହିଁ ହାସଲ କରିଚୁ । ମାନବିକତାର ପ୍ରେରଣା ଦ୍ଵାରା ଉଦ୍‍ବୁଦ୍ଧ ହୋଇ ପାରିଲେ ହିଁ ଆମେ ଆପଣାପ୍ରତି ବିଶ୍ଵାସଶୀଳ ହୋଇପାରିବା ଏବଂ ସୃଷ୍ଟି କରିବାର ସାମର୍ଥ୍ୟ ଅର୍ଜନ କରିପାରିବା । କିନ୍ତୁ ଏହାର ବିପରୀତ ଏକ ମାନସିକ ସ୍ଥିତି ଅଧିକାର କରିବସିଲେ ଆମେ ଆପଣାପ୍ରତି ବିଶ୍ଵାସଘାତକତା କରିବା ଏବଂ ସମସ୍ତପ୍ରକାର ଭ୍ରମ ଓ ଭୁଲ୍‍ର କବଳରେ ପଡ଼ିଯିବା ।

 

ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଆମେ ମନୁଷ୍ୟଭିତରେ ନିହିତ ହୋଇ ରହିଥିବା ପୂର୍ଣ୍ଣଶକ୍ତିର ପରିଚୟ ପାଇଥିଲୁ । ଯେଉଁ ଇଉରୋପୀୟ ଜାତିମାନଙ୍କ ଭିତରେ ଏହି ଶକ୍ତି କାର୍ଯ୍ୟକାରୀ ହୋଇଥିଲା, ସେମାନେ ମଧ୍ୟଯୁଗର ଜାଲ ଛିଡ଼ାଇ ବାହାରକୁ ବାହରିଆସି ପାରିଥିଲେ-। ଅନ୍ଧବିଶ୍ଵାସ, ଡାହାଣୀ-ବିଚାର, ଉତ୍ପୀଡ଼ନ-ଗୃହ ଓ ଯୁଗଯୁଗ ଧରି ପ୍ରଚଳିତ ନାନାପ୍ରକାର ନିର୍ବୋଧତା ଓ ନୃଶଂସତା ବିଲୁପ୍ତ ହୋଇଯାଇଥିଲା । ପୁରୁଣାକୁ ଭାଙ୍ଗି ମନୁଷ୍ୟର ମନ ଚିରବିସ୍ମୟକର ଅନେକ ନୂଆ ଜିନିଷର ସୃଷ୍ଟି କରିଥିଲା । ଆମର ସଭ୍ୟତା ଭିତରେ ଯାହାସବୁ ସତ୍ୟଥିଲା ଓ ଯାହାସବୁ ଏବେ ମଧ୍ୟ ସତ୍ୟ ରହିଚି, ଯାହାସବୁ ଆମର ବ୍ୟକ୍ତିଗତ ସମ୍ପଦ ହୋଇ ରହିଥିଲା ଓ ଏବେ ମଧ୍ୟ ରହିଚି, ସେ ସବୁର ଉତ୍ପତ୍ତି ଖୋଜିବାଲାଗି ମନୁଷ୍ୟ-ମାନସଶକ୍ତିର ସେହି ବିପୁଳ ପ୍ରକାଶ ଯୁଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ହେବ ।

 

କିନ୍ତୁ ପରବର୍ତ୍ତୀ କାଳରେ ଏହି ଶକ୍ତି ହ୍ରାସ ହୋଇଯାଇଥିଲା । ତାହାର ସର୍ବପ୍ରଧାନ କାରଣ ହେଉଚି ଯେ ପୃଥିବୀ ବିଷୟରେ ଆମର ଉତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ହେଉଥିବା ଜ୍ଞାନଭଣ୍ଡାରକୁ ଠିଆ କରାଇ ପାରିବାଲାଗି ବିଜ୍ଞାନର ଗବେଷଣାମାନ କୌଣସିପ୍ରକାର ନୈତିକ ଭୂମିର ପ୍ରତିଷ୍ଠା କରିପାରିଲା ନାହିଁ । କେଉଁଦିଗକୁ ବା କେଉଁ ଉଦ୍ଦେଶ୍ୟରେ ସାଧନ ଲାଗି ମଣିଷ ଅଗ୍ରସର ହେବ, ସେ ତାହାର ଜ୍ଞାନ ହରାଇ ବସିଲା । ତାହାର ଆଦର୍ଶଗୁଡ଼ିକ କ୍ରମେ ଖର୍ବ ହୋଇପଡ଼ିଲା । କିନ୍ତୁ ଆଜି ଆପଣାକୁ ଧ୍ଵଂସମୁଖରୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ମନୁଷ୍ୟ ଆତ୍ମାର ସେହି ପୁରାତନ ଶକ୍ତି ଉପରେ ଆମର ବିଶ୍ଵାସକୁ ପୁନଃ ପ୍ରତିଷ୍ଠିତ କରିବାକୁ ପଡ଼ିବ । ଯେଉଁପରି ଏକ ବିସ୍ମୟ ଘଟାଇ ଇଉରୋପର ଜାତିମାନେ ଆପଣାକୁ ମଧ୍ୟଯୁଗର ବନ୍ଧନ ଭିତରୁ ମୁକ୍ତ ଓ ଉତ୍ତୋଳିତ କରି ଆଣିଥିଲେ, ଠିକ୍ ସେହିପରି ଓ ତାହାଠାରୁ ବ୍ୟାପକତର ଏକ ବିସ୍ମୟ ଆଜି ଘଟାଇବାକୁ ପଡ଼ିବ ।

 

ମଣିଷର ଆତ୍ମା ଆଜି ତଥାପି ମରିଯାଇ ନାହିଁ । ଯେତେ ପ୍ରଚ୍ଛନ୍ନଭାବରେ ହେଲେ ମଧ୍ୟ ଏହା ଜିଇଁ ରହିଚି । ଆପଣାର ନୈତିକ ଜୀବନର ଅନୁରୂପ ପୃଥିବୀ ବିଷୟକ ଜ୍ଞାନରୁ ବଞ୍ଚିତ ହୋଇ ସେ ଏପରି କରିବାକୁ ବାଧ୍ୟ ହୋଇଚି । ମନୁଷ୍ୟର ଅସଲ ପ୍ରକୃତି ଉପରେ ଭିତ୍ତି କରି ଆପଣାକୁ ଦଣ୍ଡାୟମାନ ହେବାକୁ ପଡ଼ିବ ବୋଲି ସେ ବେଶ୍ ବୁଝି ପାରିଚି । ଅନ୍ୟାନ୍ୟ ସମସ୍ତ ପ୍ରକାର ଜ୍ଞାନରୁ ଆପଣକୁ ମୁକ୍ତ କରି ଏହା ମୁକ୍ତିଲାଗି ଅଧିକ ଶକ୍ତିଶାଳୀ ହୋଇପାରିଚି । କରୁଣାରୁ ହିଁ ସମସ୍ତ ନୀତି ଓ ନୈତିକତାର ଅଙ୍କୁରୋଦ୍‍ଗମ୍ ହେବ ଏବଂ କେବଳ ମନୁଷ୍ୟ-ସଂସାରରେ ଆବଦ୍ଧ ହୋଇ ନ ରହି ଆପଣାକୁ ଜୀବ ମାତ୍ରକେ ସକଳ କ୍ଷେତ୍ରକୁ ବ୍ୟାପ୍ତ କରିଦେଇ ପାରିଲେ ଏହି କରୁଣା ପରିପୂର୍ଣ୍ଣ ବ୍ୟାପକତା ଓ ଗଭୀରତା ଲାଭ କରି ପାରିବ । ପ୍ରାଚୀନ ନୀତିଶାସ୍ତ୍ର ଏତେଦୂର ଗଭୀର ନଥିଲା, ସେଥିରେ ଏତେଶୂର ବିଶ୍ଵାସଶକ୍ତି ନଥିଲା, କିନ୍ତୁ ଆଜି ତାହାର ପାର୍ଶ୍ଵବର୍ତ୍ତୀ ହୋଇ ଏକ ନୂତନ ନୀତିର ଆବିର୍ଭାବ ହୋଇଚି । ଏହି ନୂତନ ନୀତି ହେଉଚି ଜୀବନ ପ୍ରତି ଶ୍ରଦ୍ଧା ଏବଂ ଏହାର ସିଦ୍ଧତା କ୍ରମେ ଅଧିକରୁ ଅଧିକ ସ୍ଵୀକାର ଓ ସମର୍ଥନ ଲାଭ କରୁଚି ।

 

ପୁଣି ଥରେ ମନୁଷ୍ୟର ସମଗ୍ରପ୍ରକୃତିର ଦ୍ଵାରରେ ଆଘାତ କରିବାକୁ ଆମେ ସାହସୀ ହୋଇ ବାହାରିଚୁ, ତା’ର ହୃଦୟ ଓ ତା’ର ବିଚାରକୁ ଉଦବୋଧନ ଦେବାକୁ ଯାଉଚୁ; ସେ ଆପଣାକୁ ଚିହ୍ନୁ ଓ ଏହି ଆତ୍ମପରିଚୟ ଉପରେ ଆସ୍ଥା ରଖୁ, ତାହାକୁ ଏହି ବିଷୟରେ ଚେତାଇ ଦେବାକୁ ଆମେ ବାହାରିଚୁ, ତା’ର ପ୍ରକୃତିର ଗଭୀରତମ ଗୁଣଗୁଡ଼ିକ ଉପରେ ଆମେ ପୁଣି ନିର୍ଭର କରିବାକୁ ଯାଉଚୁ । ଏପରି କରିବା ଦ୍ଵାରା ଯେ ଆମେ ଠିକ୍ କରୁଚୁ, ଏବକାର ଅନୁଭୂତିମାନ ତାହା ଆହୁରି ଦୃଢ଼ଭାବରେ ପ୍ରମାଣିତ କରିଦେଇଚି ।

 

୧୯୫୦ ମସିହାରେ ‘Witness to Humanity’ (ମନୁଷ୍ୟ ତା’ର ସାକ୍ଷୀ) ନାମକ ଏକ ପୁସ୍ତକ ପ୍ରକାଶ ପାଇଥିଲା । ଗୟଟିଙ୍ଗେନ୍ ବିଶ୍ୱବିଦ୍ୟାଳୟର କେତେଜଣ ଅଧ୍ୟାପକ ପୁସ୍ତକଟି ପ୍ରକାଶ କରିଥିଲେ । ୧୯୪୫ ମସିହାରେ ପୂର୍ବଜର୍ମାନୀରୁ ବହୁ ସଂଖ୍ୟକ ଲୋକଙ୍କୁ ବାହାର କରି ଦିଆଯାଇଥିଲା, ଏମାନେ ସେହି ନିର୍ବାସିତ ଲୋକମାନଙ୍କର ଅନ୍ତର୍ଭୁକ୍ତ ଥିଲେ । ଆପଣାର ଦୁର୍ଦ୍ଦିନ ଓ ଦୁର୍ଦ୍ଦଶା ସମୟରେ କିପରି ଶତ୍ରୁ ଦେଶର ଲୋକମାନେ ମଧ୍ୟ ସେମାନଙ୍କୁ ନାନାପ୍ରକାର ସାହାଯ୍ୟ କରିଥିଲେ, ଦେଶରୁ ବହିଷ୍କୃତ ହୋଇ ଆସିଥିବା ଶରଣାର୍ଥୀମାନେ ଅତି ସରଳ ଭାବରେ ପୁସ୍ତକଟିରେ ସେହି କଥା ବର୍ଣ୍ଣନା କରିଚନ୍ତି । ଶତ୍ରୁଦେଶର ଲୋକ ହିସାବରେ ସେମାନେ ଏହି ଲୋକମାନଙ୍କ ପ୍ରତି ଘୃଣା ପ୍ରଦର୍ଶନ କରିଥାନ୍ତେ, ହୁଏତ ଏମାନଙ୍କ ପ୍ରତି ଦୁର୍ବ୍ୟବହାର ଦେଖାଇ ପାରିଥାନ୍ତେ । ଖଣ୍ଡିଏ ବହି ପଢ଼ି ମୁଁ ଖୁବ୍ କ୍ଵଚିତ୍ ଏପରି ଅଭିଭୂତ ହୋଇଚି । ଯେଉଁମାନେ ମଣିଷ ଉପରୁ ବିଶ୍ଵାସ ହରାଇ ସାରିଲେଣି, ସେମାନଙ୍କର ଏହି ବହିଖଣ୍ଡକ ଅବଶ୍ୟ ପଢ଼ିବା ଉଚିତ,–ହୁଏତ ବହିଟି ପଢ଼ି ସେମାନଙ୍କର ମନ-ପରିବର୍ତ୍ତନ ଘଟିପାରେ ।

 

ବ୍ୟକ୍ତିଗତ ଜୀବନରେ ଆମେ ପ୍ରତ୍ୟେକେ କେଉଁ ବାଟରେ ବା କେଉଁ ଉଦ୍ଦେଶ୍ୟରେ ଚାଲିବା, ତାହାରି ଉପରେ ହିଁ ସ୍ଥାୟୀ ଶାନ୍ତିର ସମ୍ଭାବନା ନିର୍ଭର କରିବ । ବ୍ୟକ୍ତିକୁ ନେଇ ତ ବିଭିନ୍ନ ଜାତି ଗଠିତ ହୋଇଚି,–ତେଣୁ ଜାତିମାନେ ଆପଣା ଆଗରେ ଯେଉଁପରି ଉଦ୍ଦେଶ୍ୟ ରଖିବେ, ସ୍ଥାୟୀ ଶାନ୍ତି ପ୍ରଧାନତଃ ତାହାରି ଉପରେ ନିର୍ଭର କରିବ ।

 

X X X X

 

ଲୋକସାଧାରଣଙ୍କର ଇଚ୍ଛା ବା ମତକୁ କାର୍ଯ୍ୟରେ ପରିଣତ କରିବା ଲାଗି ଆମେ ଆମର ଶାସକମାନଙ୍କୁ ବାଛିଚୁ, ତେଣୁ ଶାସକମାନେ ଆପଣାକୁ କେବଳ ଲୋକସାଧାରଣଙ୍କର ପ୍ରତିନିଧି ବୋଲି ବିଚାର କରିବା କଥା । ଲୋକମାନଙ୍କ ଭିତରେ ଯେ ଶାନ୍ତି ଲାଗି ଏକ ଅନ୍ତର୍ନିହିତ ଶ୍ରଦ୍ଧା ରହିଚି କାଣ୍ଟଙ୍କର ଏହି ବିଶ୍ଵାସ ଏପର୍ଯ୍ୟନ୍ତ ପୂର୍ଣ୍ଣତଃ ସିଦ୍ଧ ହୋଇନାହିଁ । ‘ଲୋକଙ୍କର ଇଚ୍ଛା’ ହେଉଚି ଲୋକଯୂଥ ବା ପଲ୍‍ର ଇଚ୍ଛା, ତେଣୁ ଅନେକ ସମୟରେ ଏହା ଅସ୍ଥିରତା ଓ ଅନିଶ୍ଚିତତାର ପରିସ୍ଥିତିମାନ ସୃଷ୍ଟି କରିବାର ବିପଦରେ ବିପନ୍ନ ହୋଇ ପଡ଼ିଚି । ନାନପ୍ରକାର ଅସ୍ଥିର ଓ ଉତ୍ତେଜିତ ବାସନା ଏହାକୁ ବିବେକର ମାର୍ଗରୁ ଭ୍ରଷ୍ଟ କରିଦେଇଚି, ଆପଣାର ଦାୟିତ୍ଵକୁ ଅନୁଭବ କରିବା ଲାଗି ଏହା ଅନେକ ସମୟରେ ସମର୍ଥ ହୋଇନାହିଁ । ଦୁଇଟିଯାକ ମହାଯୁଦ୍ଧ ସମୟରେ ଏକ ହୀନତମ ଓ ବୀଭତ୍ସତ୍ତମ ପ୍ରକାରର ଜାତୀୟତା ଆମ ଭିତରେ ପ୍ରାଦୁର୍ଭାବ ବିସ୍ତାର କରିଚି ଏବଂ ବର୍ତ୍ତମାନ ଜାତିଜାତି ଭିତରେ ମିତ୍ରତା ଓ ବୁଝାମଣା ପ୍ରତିଷ୍ଠା କରିବାର ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଚି ।

 

ସମଗ୍ର ମନୁଷ୍ୟଜାତି ଭିତରେ ଏକ ମାନବିକ ଆଦର୍ଶର ପୁନର୍ଜନ୍ମ ହୋଇ ପାରିଲେ ଯାଇ ଏହି ଉଗ୍ର ଜାତୀୟତାକୁ ସିଂହାସନଚ୍ୟୁତ କରିବା ସମ୍ଭବ ହେବ । ଆପଣାର ଜନ୍ମଭୂମି ପ୍ରତି ମମତା ରଖିବା ସେତେବେଳେ ମନୁଷ୍ୟ-ପ୍ରକୃତିର ଏକ ଅତି ସ୍ଵାଭାବିକ, ସୁସ୍ଥ ଓ ଆଦର୍ଶସ୍ଥାନୀୟ ଗୁଣ ହୋଇ ରହିପାରିବ ।

 

ଦୂର ଦୂର ଅନେକ ଦେଶରେ ମଧ୍ୟ ଆଜି ଏହି ଅନିଷ୍ଟକାରୀ ଉଗ୍ର ଜାତୀୟତା ଆପଣାର ବିଷାକ୍ତ ପ୍ରାଦୁର୍ଭାବ ବିସ୍ତାର କରିବାକୁ ଆରମ୍ଭ କଲାଣି । ପୂର୍ବ ଯେଉଁସବୁ ଜାତି ଶ୍ଵେତ ଜାତିମାନଙ୍କର ଅଧୀନ ହୋଇ ରହିଥିଲେ ଏବଂ ମାତ୍ର ଅଳ୍ପ କେତେବର୍ଷ ହେଲା ଆପଣାର ସ୍ଵାଧୀନତା ଲାଭ କରିଚନ୍ତି, ବିଶେଷ କରି ସେହିମାନଙ୍କ ଦେଶରେ ଏହା ଅତି ପ୍ରବଳ ହୋଇ ପଡ଼ିଚି । ଆଜି ସେମାନେ ବିବେକ-ବୁଦ୍ଧିଶୂନ୍ୟ ହୋଇ ଜାତୀୟତାକୁ ଆପଣାର ଚରମ ଆଦର୍ଶରୂପେ ଗ୍ରହଣ କରିବାକୁ ବସିଚନ୍ତି । ଫଳରେ ଅନେକ ଶତାବ୍ଦୀରୁ ଶାନ୍ତିପୂର୍ଣ୍ଣ ରହି ଆସିଥିବା ଅନେକ ଅଞ୍ଚଳ ମଧ୍ୟ ଆଜି ବିପନ୍ନ ହୋଇ ପଡ଼ିଚି ।

 

ସେମାନେ ଯଦି କେତେକ ମାନବିକ ଆଦର୍ଶକୁ ଜାତୀୟ ଜୀବନର ଆଦର୍ଶ କରି ଗ୍ରହଣ କରି ପାରନ୍ତେ, ତେବେ ଏହିସବୁ ଜାତି ମଧ୍ୟ ଆପଣାର ବିଚାରଶୂନ୍ୟ ଜାତୀୟତାରୁ ଉଚ୍ଚତର ସ୍ତରକୁ ଉଠିଯାଇ ପାରନ୍ତେ । କିନ୍ତୁ ଏହି ପରିବର୍ତ୍ତନ କିପରି ସମ୍ଭବ ହେବ ? କେବଳ ଯେଉଁଦିନ ଆମ ଭିତରର ମଣିଷପଣିଆ ଶକ୍ତିଶାଳୀ ହୋଇପାରିବ ଓ ମାନବିକ ଆଦର୍ଶ ଉପରେ ପ୍ରତିଷ୍ଠିତ ଏକ ସଭ୍ୟତାର ସ୍ତରକୁ ଆମକୁ ଫେରାଇ ନେଇ ଯାଇପାରିବ ଆମରି ଜରିଆରେ ଏହା ଦୂର ଦୂର ଦେଶର ଅନ୍ୟମାନଙ୍କର ଜୀବନରେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିବ । ପୃଥିବୀର ଯାବତୀୟ ଲୋକମାନଙ୍କ ଭିତରେ, ଏପରିକି ଅର୍ଦ୍ଧସଭ୍ୟ ବା ବର୍ବର ଜାତିର ଲୋକମାନଙ୍କ ଭିତରେ ମଧ୍ୟ କରୁଣାର ପ୍ରବୃତ୍ତି ଅବଶ୍ୟ ନିହିତ ହୋଇ ରହିଚି, ସେମାନଙ୍କ ଭିତରେ ମଧ୍ୟ କ୍ଷେତ୍ର ପାଇଲେ ଏହି ମାନବିକ ଭାବର ବିକାଶ ଅବଶ୍ୟ ସମ୍ଭବ ହୋଇପାରିବ । ସେମାନଙ୍କ ଭିତରେ ମଧ୍ୟ ଦାହ୍ୟପଦାର୍ଥ ରହିଚି, କେବଳ ଅଗ୍ନିକଣାର ସ୍ପର୍ଶ ପାଇଲେ ତାହା ଅବଶ୍ୟ ଅଗ୍ନିହୋଇ ଜଳି ଉଠିବ ।

 

ସଭ୍ୟତାର ଏକ ନିର୍ଦ୍ଦିଷ୍ଟ ସ୍ତରରେ ଉପନୀତ ହୋଇ ଅନେକ ସମୟରେ ଗୋଟିଏ ଗୋଟିଏ ଜାତି ଏହି ସଂସାରରେ ଶାନ୍ତିର ରାଜତ୍ଵ ଅବଶ୍ୟ ଅବତୀର୍ଣ୍ଣ ହେବ ବୋଲି ବିଶ୍ଵାସ କରନ୍ତି,–ଇତିହାସରେ ଆମେ ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ପାଇବା । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀର ପାଲେଷ୍ଟାଇନରେ ସନ୍ଥ ଆମସ୍ ପ୍ରଥମେ ଏହି ବିଶ୍ଵାସର ପ୍ରଚାରର କରିଥିଲେ । ଅଭିଳଷିତ ଭଗବତ୍ ସାମ୍ରାଜ୍ୟର ଜରିଆରେ ଏହି ବିଶ୍ଵାସ ଇହୁଦୀ ଓ ଖ୍ରୀଷ୍ଟିଆନ୍ ଧର୍ମମାନଙ୍କରେ ପ୍ରକାଶଲାଭ କରିଥିଲା । ଚୀନ ଦେଶୀୟ ପ୍ରସିଦ୍ଧ ଦାର୍ଶନିକମାନଙ୍କର,–ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର କନ୍‍ଫୁସିଅସ୍ ଓ ଲାଓତ୍ସେ, ପଞ୍ଚମ ଶତାବ୍ଦୀରେ ମି-ତ୍ସେ ଏବଂ ଚତୁର୍ଥ ଶତାବ୍ଦୀର ମେଙ୍ଗ-ତ୍ସେ,–ଙ୍କର ବିଚାରଧାରରେ ଏହା ଏକ ଉପାଦାନ ରୂପେ ରହିଥିଲା । ଟଲ୍‍ଷ୍ଟୟ୍ ଏବଂ ଅନ୍ୟ ଇଉରୋପୀୟ ଦାର୍ଶନିକଙ୍କର ବିଚାରରେ ମଧ୍ୟ ଆମେ ଏହାର ଆଭାସ ପାଇପାରିବା । ଏହି ବିଶ୍ଵାସକୁ ‘କେବଳ କାଳ୍ପନିକ’ ବୋଲି ବର୍ଜିତ କରି ଦିଆଯାଇଚି, କିନ୍ତୁ ବର୍ତ୍ତମାନ ପୃଥିବୀର ପରିସ୍ଥିତିରେ ମଣିଷଜାତିକୁ ବିନାଶମୁଖରୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ଯେକୌଣସି ପ୍ରକାରେ ଏହି ବିଶ୍ଵାସକୁ ବାସ୍ତବତାରେ ପରିଣତ କରିବାକୁ ହେବ ।

 

ଶାନ୍ତିର ସମସ୍ୟା ବିଷୟରେ ମୂଳତଃ କୌଣସି ନୂଆକଥା ମୁଁ କହିନାହିଁ, ଏହା ମୁଁ ଭଲକରି ଜାଣୁଚି । ବର୍ତ୍ତମାନ ପରିସ୍ଥିତିର ସମାଧାନ କରିବାକୁ ହେଲେ ଆମକୁ ଯେ ନୈତିକ ଦୃଷ୍ଟିରୁ ଯୁଦ୍ଧକୁ ବର୍ଜନ କରିବାକୁ ହିଁ ହେବ, ମୋ’ର ଏହି ବିଷୟରେ ଦୃଢ଼ ବିଶ୍ୱାସ ହୋଇଯାଇଚି । କାରଣ ଏହି ଯୁଦ୍ଧ ଆମ ସମସ୍ତଙ୍କୁ ଅମାନୁଷିକତାର ଅପରାଧରେ ଅପରାଧୀ କରାଇ ପକାଇଚି । ରଟର୍‍ଡାମ୍‍ର ଏରାସ୍‍ମୁସ୍ ଏବଂ ତାଙ୍କର ସମୟଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଚିନ୍ତାଶୀଳ ବ୍ୟକ୍ତି ଏହି ସତ୍ୟର ଘୋଷଣା କରିଚନ୍ତି ଏବଂ ଆଜି ଆମକୁ ଏହି ସତ୍ୟକୁ ଅବଲମ୍ବନ କରି ଏକତ୍ର ହେବାକୁ ପଡ଼ିବ ।

 

ମୋର ଉକ୍ତିରେ ହୁଏତ ଗୋଟିଏ ନୂଆକଥା ରହିଚି । ମୁଁ ଯେ ଏହାକୁ କେବଳ ସତ୍ୟ ବୋଲି କହୁଚି, ତାହା ନୁହେଁ, ମାତ୍ର ମୋର ବିବେକବୁଦ୍ଧି ଦ୍ଵାରା ପରିଚାଳିତ ହୋଇ ମୁଁ ଆପଣା ଭିତରେ ଏହି ଦୃଢ଼ ବିଶ୍ଵାସ ପୋଷଣ କରିଚି ଯେ ଏକ ନୂତନ ମାନସିକ ଦୃଷ୍ଟିକୋଣ,–ନୀତିମୟ ଜୀବନ ଉପରେ ପର୍ଯ୍ୟବସିତ ଏକ ଦୃଷ୍ଟିକୋଣ,–ସୃଷ୍ଟି କରିପାରିବା ଲାଗି ଆଜି ମଧ୍ୟ ଜାତିର ଶକ୍ତି ଓ ସାମର୍ଥ୍ୟ ରହିଚି । ମୋର ଏହି ବିଶ୍ଵାସ ମୋତେ ଏହି ପୁରୁଣା ସତ୍ୟକୁ ଆଉ ଥରେ ଘୋଷଣା କରିବାକୁ ପ୍ରବୃତ୍ତ କରିଚି । ଏହି ବିଶ୍ଵାସ କେବଳ ଏକ ହିତାର୍ଥକ ସାଧୁବାକ୍ୟ ହିସାବରେ ପରିତ୍ୟକ୍ତ ହୋଇ ରହିବନାହିଁ, ଏହା ଏକ କ୍ରିୟାତ୍ମକ ସତ୍ୟ ହୋଇ ପୃଥିବୀକୁ ପ୍ରଭାବନ୍ୱିତ କରିବ,–ହୁଏତ ମୋର ଘୋଷଣା ଦ୍ଵାରା ଏତିକି କାର୍ଯ୍ୟ ସାଧିତ ହୋଇ ପଡ଼ିବ ବୋଲି ମୁଁ ଆଶା ରଖିଚି । ‘ଏହା ବାସ୍ତବ ପରିସ୍ଥିତିରେ ପ୍ରଯୁଜ୍ୟ ହୋଇପାରିବ ନାହିଁ’–ହୁଏତ ଲୋକେ ଏପରି କହି ପାରନ୍ତି । କିନ୍ତୁ ଆମକୁ ଏହି କଥା ମନେରଖିବାକୁ ହେବ ଯେ ଇତିହାସରେ ଏକାଧିକ ସତ୍ୟ ଦୀର୍ଘକାଳ ପର୍ଯ୍ୟନ୍ତ କେବଳ ସୁପ୍ତ ଓ ଶକ୍ତିହୀନ ହୋଇ ରହିଚି, କାରଣ ବାସ୍ତବ କ୍ଷେତ୍ରରେ ଏହାର କୌଣସି ପ୍ରୟୋଗ ହୋଇପାରିବ ବୋଲି କେହି କଳ୍ପନା ସୁଦ୍ଧା କରିନାହାନ୍ତି ।

 

ଏହି ପୃଥିବୀର ଲୋକମାନେ ଶାନ୍ତିର ଆଦର୍ଶକୁ ଆପଣାର ହୃଦୟ ଭିତରେ ଯେତିକି ପ୍ରୋତ୍ସାହିତ କରି ରଖିପାରିବେ, ଶାନ୍ତିର ସୁରକ୍ଷାକୁ ଆପଣାର ଉଦ୍ଦେଶ୍ୟ ରୂପେ ଗ୍ରହଣ କରି କାର୍ଯ୍ୟ କରିବାକୁ ଅନୁଷ୍ଠାନମାନ ସେତିକି ସେତିକି ଆମର ଆଶାନୁରୂପ ଭାବରେ କାର୍ଯ୍ୟ କରିବାକୁ ସମର୍ଥ ହୋଇ ପାରିବେ ।

 

ଆଜି ପୁଣି ଆମେ ଏକ ଶାନ୍ତିହୀନ ଯୁଗରେ ବାସ କରୁଚୁ । ଆଜି ପୁଣି ଥରେ ବିଭିନ୍ନ ଜାତି ପରସ୍ପରର ଭୟ ଦ୍ଵାରା ଆକ୍ରାନ୍ତ ହୋଇ ପ୍ରମାଦ ଗଣୁଚନ୍ତି, ଆମେ ଉଦ୍ଭାବନ କରିଥିବା ଅତି ଭୟଙ୍କର ମାରଣାସ୍ତ୍ରମାନ ବ୍ୟବହାର କରି ଆପଣାକୁ ରକ୍ଷା କରିବାର ଅଧିକାର ଆମ ପ୍ରତ୍ୟେକକୁ ଦେବା ଲାଗି ଆମେ ଆଜି ପୁଣିଥରେ ବାଧ୍ୟ ହେଉଚୁ ।

 

ଆମେ ବିଶ୍ଵାସ ସ୍ଥାପନ କରି ପାରିବାଭଳି ଏକ ଚେତନାର ଆତ୍ମପ୍ରକାଶର ପ୍ରଥମ ସଙ୍କେତ ପାଇବା ଲାଗି ଏହିପରି ଏକ ପରିସ୍ଥିତିପୁଞ୍ଜ ଭିତରେ ଆମେ ଅପେକ୍ଷା କରି ରହିଚୁ । କେବଳ ଗୋଟିଏ ଆକାରରେ ଏହି ସଙ୍କେତର ଆବିର୍ଭାବ ହୋଇପାରିବ : ପ୍ରତ୍ୟେକ ଜାତିଗତ ଯୁଦ୍ଧ ସମୟରେ ଅନ୍ୟ ଜାତିମାନଙ୍କ ପ୍ରତି ଯେଉଁସବୁ ଅନ୍ୟାୟ କରିଚି, ଯଥାସମ୍ଭବ ତାହାର କ୍ଷତିପୂରଣ କରିବାଲାଗି ସେ ଚେଷ୍ଟା କରିବାକୁ ଆରମ୍ଭ କଲେ ଏହି ସଙ୍କେତର ଆବିର୍ଭାବ ହେବ । ଆଜି ମଧ୍ୟ ଶତସହସ୍ର ଯୁଦ୍ଧବନ୍ଦୀ ଓ ନିର୍ବାସିତ ବ୍ୟକ୍ତି ଆପଣା ଆପଣା ଦେଶକୁ ଫେରିଯିବେ ବୋଲି ଆକୁଳ ହୋଇ ବସିଚନ୍ତି, ଆହୁରି ଅନେକେ ଅନ୍ୟାୟ ଭାବରେ ଏକ ବିଦେଶୀ ଶକ୍ତି ଦ୍ଵାରା ଦଣ୍ଡିତ ହୋଇ ତଥାପି ମୁକ୍ତି ପାଇବେ ବୋଲି ଅପେକ୍ଷା କରିଚନ୍ତି, ଏହିସବୁ ଏବଂ ଆହୁରି ଅନେକ ଅନ୍ୟାୟର ନିରାକରଣ ଏବେ ମଧ୍ୟ ହେବାକୁ ବାକି ରହିଚି ।

 

ଶାନ୍ତି ଲାଗି ଉଦ୍ୟମ କରୁଥିବା ସମସ୍ତଙ୍କର ନାମ ନେଇ ଏହି ନୂତନ ମାର୍ଗରେ ପ୍ରଥମ ପଦକ୍ଷେପ କରିବାଲାଗି ମୁଁ ସବୁ ଜାତିର ଲୋକଙ୍କୁ ଅନୁରୋଧ କରିବାକୁ ସାହସୀ ହୋଇଚି । ଏପରି କରିବା ଦ୍ଵାରା କାହାରିକୁ ଆତ୍ମରକ୍ଷା କରିବା ପାଇଁ ଆବଶ୍ୟକ ଶକ୍ତିର ତିଳ ପରିମାଣ ମଧ୍ୟ ତ୍ୟାଗ କରିବାକୁ ପଡ଼ିବନାହିଁ ।

 

ଯଦି ଏହିପରି ଭାବରେ ଏବେ ବନ୍ଦ ହୋଇଥିବା ଯୁଦ୍ଧକୁ ଆମେ ଅଙ୍କୁରରୁ ବିନଷ୍ଟ କରିଦେବାକୁ ଆରମ୍ଭ କରିପାରିବା, ତେବେ ଜାତି ଜାତି ମଧ୍ୟରେ ଏକ ନୂତନ ବିଶ୍ଵାସର ଅଭ୍ୟୁଦୟ ହେବ । ଯେ କୌଣସି ଉଦ୍ୟମରେ ବିଶ୍ଵାସ ହେଉଚି ସର୍ବପ୍ରଧାନ ପୁଞ୍ଜି, ଏହା ବ୍ୟତିରେକେ ଯଥାର୍ଥରେ କୌଣସି ପ୍ରୟୋଜନୀୟ କାର୍ଯ୍ୟ ସାଧିତ ହୋଇପାରିବ ନାହିଁ । ଜୀବନର ସର୍ବକ୍ଷେତ୍ରରେ ଏହି ବିଶ୍ଵାସ ହିଁ ସଫଳ ବିକାଶ ଲାଗି ସମନୁକୂଳ ବାତାବରଣ ସୃଷ୍ଟି କରିଥାଏ । ଥରେ ଏହି ବିଶ୍ଵାସର ବାତାବରଣ ସୃଷ୍ଟି କରାଯାଇ ପାରିଲେ ଆମେ ଦୁଇଟା ମହାସମର ସତ୍ତ୍ୱେ ତଥାପି ଅସମାହିତ ରହିଯାଇଥିବା ଅନେକ ଜଟିଳ ସମସ୍ୟାର ନ୍ୟାୟୋଚିତ ନିଷ୍ପତ୍ତି ଲାଗି ପ୍ରବୃତ୍ତ ହୋଇ ପାରିବା ।

 

ମୋର ବିଶ୍ଵାସ ଯେ ଆମର ଏହି ଭୂଖଣ୍ଡରେ ଏକ ଭାବୀ ଯୁଦ୍ଧର ଭୟରେ ସନ୍ତ୍ରସ୍ତ ହୋଇ ବାସ କରୁଥିବା କୋଟିକୋଟି ବ୍ୟକ୍ତିଙ୍କର ଭାବନା ଓ ଅଭିଳାଷକୁ ମୁଁ ଏଠାରେ ପ୍ରକାଶ କରିଚି-। ଆମରିପରି ଏହି ଭୟରେ ସନ୍ତ୍ରସ୍ତ ହୋଇ ରହିଥିବା ଏବଂ ପାଚେରୀର ଅପର ପାର୍ଶ୍ଵରେ ବାସ କରୁଥିବା ଲୋକମାନଙ୍କ ପାଖରେ ଯଦି ମୋର ଏହି କଥାଗୁଡ଼ିକ ପହଞ୍ଚିପାରେ, ତେବେ ସେମାନେ ମଧ୍ୟ ଏହାକୁ ଯଥାର୍ଥ ମର୍ମରେ ଗ୍ରହଣ କରନ୍ତୁ ବୋଲି ମୁଁ ଆଶା କରୁଚି ।

 

ବିଭିନ୍ନ ଜାତିର ଭାଗ୍ୟ ନିୟନ୍ତ୍ରଣ କରୁଥିବା କର୍ଣ୍ଣଧାରମାନେ ପୃଥିବୀର ବର୍ତ୍ତମାନ ପରିସ୍ଥିତିକୁ ଅଧିକ ଖରାପ ଓ ବିପନ୍ନ କଲା ଭଳି କୌଣସି ଘଟଣା ନଘଟାଇବାକୁ ଯତ୍ନଶୀଳ ରହନ୍ତୁ-। “ଯଥାସମ୍ଭବ ଆପଣାର ସମସ୍ତ ଶକ୍ତିଦେଇ ସବୁଲୋକଙ୍କ ସହିତ ଶାନ୍ତିରେ ବାସ କର”–ସନ୍ଥ ପଲ୍‍ଙ୍କର ଏହି ବାକ୍ୟକୁ ସେମାନେ ହୃଦୟଙ୍ଗମ କରନ୍ତୁ । କେବଳ ବ୍ୟକ୍ତି ପାଇଁ ନୁହେଁ, ଜାତିମାନଙ୍କ ପାଇଁ ମଧ୍ୟ ତାଙ୍କର ଏହି ଉକ୍ତି ପ୍ରଯୁଜ୍ୟ ହୋଇପାରିବ । ଶାନ୍ତିକୁ ବର୍ତ୍ତାଇ ରଖିବାର ପ୍ରଚେଷ୍ଟାରେ ପ୍ରତ୍ୟେକ ଜାତି ସକଳ ପ୍ରାକାର ସମ୍ଭାବନାର ଯଥାସମ୍ଭବ ଦୂରତମ ସୀମାକୁ ଯିବାଲାଗି ସାହସୀ ହୁଅନ୍ତି, ତେବେଯାଇ ମନୁଷ୍ୟର ମନୁଷ୍ୟତା ବିକଶିତ ଏବଂ ଶକ୍ତିଶାଳୀ ହେବା ପାଇଁ ସମୟ ପାଇବ–ଏବଂ କାର୍ଯ୍ୟକାରୀ ହେବା ପାଇଁ ମଧ୍ୟ ସମୟ ପାଇବ ।

 

ଚାଲ ଆମେ ସମସ୍ତେ ସତ୍ୟର ସମ୍ମୁଖୀନ ହେବା । ମାନବର ଶକ୍ତି ଆଜି ଅନେକ ବୃଦ୍ଧି ପାଇଚି, ମାନବ ଆଜି ଅତିମାନବ ହେବାକୁ ବସିଲାଣି । ଖାଲି ଭୌତିକ ଶକ୍ତିଗୁଡ଼ିକୁ ସେ ଆପଣାର ଆୟତ୍ତରେ ରଖିପାରିଚି ବୋଲି ଯେ ତାକୁ ଆମେ ଅତିମାନବ କହିବା ତା’ ନୁହେଁ, କିନ୍ତୁ ବିଜ୍ଞାନ ଓ ଯନ୍ତ୍ରକୌଶଳର ବିକାଶ ଫଳରେ ସେ ପ୍ରକୃତିର ଅନ୍ତର୍ନିହିତ ଶକ୍ତିଗୁଡ଼ିକୁ ମଧ୍ୟ ଆପଣାର ଆୟତ୍ତକୁ ଆଣି ପାରିଚି ଓ ଇଚ୍ଛାକଲେ ସେଗୁଡ଼ିକୁ ଆପଣାର ବ୍ୟବାହାରରେ ଲଗାଇବାର ଶକ୍ତି ମଧ୍ୟ ଅର୍ଜନ କରିଚି ।

 

କିନ୍ତୁ ଯେଡ଼େ ଶକ୍ତିଶାଳୀ ହେଲେ ମଧ୍ୟ ଏହି ଅତିମାନବ ଏକ ଅତି ମାରାତ୍ମକ ମାନସିକ ଅପୂର୍ଣ୍ଣତା ଦ୍ଵାରା ପୀଡ଼ିତ ହୋଇପଡ଼ିଚି । ଅତିମାନବ ଶକ୍ତିସମୂହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେ ଆପଣାକୁ ତଦୁପଯୁକ୍ତ ଅତିମାନବିକ ବିଚାରର ସ୍ତରକୁ ଉନ୍ନୀତ କରି ପାରିନାହିଁ । କିନ୍ତୁ ତା’ର ଅତୁଳ ଓ ଅକଳନୀୟ ଶକ୍ତିକୁ ଧ୍ଵଂସ ଓ ମରଣମାର୍ଗରେ ବ୍ୟବହାର ନ କରି ସୁବିବେଚିତ କଲ୍ୟାଣକାରୀ ଉଦ୍ଦେଶ୍ୟରେ ଲଗାଇ ପାରିବା ଲାଗି ମନୁଷ୍ୟର ଏହି ବିଚାରହିଁ ସବୁଠାରୁ ଅଧିକ ଆବଶ୍ୟକ । ଏହି କାରଣରୁ ବିଜ୍ଞାନର ଅଗ୍ରଗତି ଆଜି ମନୁଷ୍ୟ ପାଖରେ କଲ୍ୟାଣଦାୟକ ହେବା ପରିବର୍ତ୍ତରେ ମନୁଷ୍ୟର ବିନାଶର ହେତୁ ହେବାକୁ ବସିଚି ।

Image